Thursday, April 22, 2021

¤ କେବେ ଅବକାଶ ହେ' ଯୁଗପୁରୁଷ !! ¤

ନିଦାଘର ନିଆଁ କରୁନି ଛାନିଆ
      ବାଧୁନି ବୈଶାଖି ତାତି
ସବୁ କଡେ କଡେ ନିରାଶା ନିଗିଡେ
      କରୋନାର ଭୟଭୀତି
ହନ୍ତସନ୍ତ ପ୍ରାଣ ଏ ନୁହଁ କାରଣ
      ମଳୟ ବହୁନି ବୋଲି
ସଂକ୍ରମିତ ଭୟ ବାୟୁର ନିର୍ଣ୍ଣୟ
      ମହୀ ଲାଗେ ମରୂବାଲି
ଏ ବିଶ୍ୱ ବିପତ୍ତି ସୁଧୁରୁନି ସ୍ଥିତି
    ମୃତ୍ୟୁ ରଚା ମହାମାରୀ
ଭୋକ ଆଉ ଭେକ ଏ ପରିପୂରକ
       ଅସହାୟତା ଆବୋରି
ଜୋଛନା ଜହ୍ନର ଆଲୋକିତ ଧାର
      ପୃଥିପରେ  ପଡେ ନ୍ୟୁନ
ହୁତୁହୁତୁ ହୋଇ ଜଳୁଥିବ ଜୁଇ
     ଆଲୋକରେ ପରିପୂର୍ଣ୍ଣ
ମନ୍ଦିର ପ୍ରାଙ୍ଗଣେ ମନ୍ତ୍ର ଉଚ୍ଚାରଣେ
       ଶୁଭୁନାହିଁ ଆଉ ଶ୍ଲୋକ
ଆତ୍ମିୟ ବିୟୋଗେ ପରାଣ ପରାଗେ
     ଗଗନେ ପବନେ ଶୋକ
ଆହା କି ବିକଳ ସଂସାରେ ସକଳ
      ମୁଖାମୟ ଭୂମଣ୍ତଳ
କେବେ ଅବକାଶ ହେ ଯୁଗ ପୁରୁଷ
       ସଂକ୍ରମଣର ଶୃଙ୍ଖଳ
              ଦାଶରଥି ସାହୁ
                   କଳମ୍ବ/ଗଞ୍ଜାମ

No comments:

Post a Comment

ଚାମଚ଼ା

#ଚାମଚ଼ା ଅଷ୍ଟାଦଶ ଶତାବ୍ଦୀର ମଧ୍ୟଭାଗରେ ବଙ୍ଗଳାର ସମୃଦ୍ଧ ସିଂହାସନ ଉପରେ ଯେତେବେଳେ ଯୁବ ନବାବ ସିରାଜ-ଉଦ୍-ଦୌଲା ଅଧିଷ୍ଠିତ ଥିଲେ, ସେତେବ...