-----ଜାତୀୟତାବାଦୀ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ସୂକ୍ତି-----
--ଆନ ଭାରତୀୟଜାତିର ବୁଦ୍ଧିଜୀବି ଉତ୍କଳ ଗୌରବଙ୍କୁ ଜଣେ ଆଞ୍ଚଳିକ ନେତା ମନେକରନ୍ତି ମାତ୍ର ତାଙ୍କର ଭାଷଣ ଗୁଡ଼ିକରୁ ସ୍ପଷ୍ଟ ପ୍ରମାଣିତ ହୋଇଯାଏ ସେ ଜଣେ ଜାତୀୟତାବାଦୀ ନେତା ଥିଲେ ! ତତ୍କାଳୀନ ଭାରତରେ ଓଡ଼ିଆଙ୍କ ପ୍ରତି ଉଦାସୀନତା ଓ ବୈରୀଭାବ ଦେଖି ସେ କଳିଙ୍ଗୋତ୍କଳ ଓ କଳିଙ୍ଗୀୟ ଜନତାର ହିତ ହେତୁ ଲଢ଼ିଥିଲେ ! ନିମ୍ନରେ ମଧୁବାବୁଙ୍କର କେତୋଟି ମୁଖନିସୃତ ସୂକ୍ତି ଉଦ୍ଧାର କରାଗଲା ...
1.ଭାରତବାସୀ ସମସ୍ତ ଏକ ଦେଶୀୟ ହେବାରୁ ଭାଇ ଅଟନ୍ତି, ସମସ୍ତଙ୍କ ମଧ୍ୟରେ ଭ୍ରାତୃଭାବ ରହିବା ଉଚିତ । ଧନୀ ଓ ଗରିବ ମଧ୍ୟରେ କିଛି ପ୍ରଭେଦ ନାହିଁ ।
2. ଏକ ସମୟରେ ଜନନୀଙ୍କର ଏକ ପଦ ଗଙ୍ଗା ଓ ଅନ୍ୟ ପଦ ଗୋଦାବରୀରେ ରହିଥିଲା ଏବଂ ତାହାଙ୍କର କୀର୍ତ୍ତି ପଥରରେ ଖୋଦିତ ହୋଇ ବିଶ୍ୱଲୋକଙ୍କର ଆଶ୍ଚର୍ଯ୍ୟ ବଢ଼ାଉଇଥିଲା । ବର୍ତ୍ତମାନ ତାହାଙ୍କର ଦୁର୍ଦ୍ଦଶା ଦେଖି ମୁଁ କେତେ କାନ୍ଦିଛି ଓ କାନ୍ଦିବି ।
3. ସ୍ୱଦେଶ ପ୍ରେମକୁ ଧର୍ମ ବୋଲି ମଣିବା ହିଁ ପ୍ରକୃତ ମନୁଷ୍ୟତା ଅଟେ ।
4. ପ୍ରତ୍ୟେକ ବିଦେଶୀୟ ଦ୍ରବ୍ୟ ବ୍ୟବହାର କରିବା ଦ୍ୱାରା ଆମ୍ଭେମାନେ ଦେଶୀୟ କାରିଗରଙ୍କ ଅଳ୍ପ [ ଅନ୍ନ ] ଗ୍ରାସ କାଢ଼ି ନେଉଅଛୁଁ ଏବଂ ସେମାନେ ଅନାହାରରେ ମଲେ ଆମ୍ଭେମାନେ ସେଥି ନିମିତ୍ତ ଦାୟୀ ଅଛୁଁ ।
5. ଭାଷା ନେଇ ଜାତି । ଆମ୍ଭମାନେ ଭାରତ ଜନନୀ ଓ ଉତ୍କଳ ଜନନୀର ପୂଜା କରୁଅଛୁ । ଆମ୍ଭର ଉତ୍କଳ ସମ୍ମିଳନୀରେ ଗୋଟାଏ ସୂକ୍ତି ଥିଲା –
“ମାତୃଭାଷା ମାତୃଭୂମି ଉଭୟେ ଜନନୀ
କର ତାଙ୍କ ପାଦ ପୂଜା ଦିବସ ରଜନୀ । ”
6. ସାହିତ୍ୟରେ ପ୍ରାଦେଶିକତାର ସଂକୀର୍ଣ୍ଣ ଭେଦଭାବ ରହିବା ଉଚିତ ନୁହେଁ । ଯେଉଁ ଭାଷା ହେଉ ପଛକେ ଯେଉଁଠି ଭଲ ଭାବ, ଉଚ୍ଚ ଚିନ୍ତା ଓ ଉନ୍ନତ ରୁଚିର ଉପାଦାନମାନ ଅଛି ତାହା ଗ୍ରହଣ କରି ଆମ୍ଭମାନଙ୍କ ସାହିତ୍ୟ ଭିତରେ ପୂରାଇ ତାକୁ ଆମ୍ଭ ନିଜର କରିନେବାକୁ ହେବ ଓ ଲେଖକର ମାର୍ଗ ଓ ଧାରାକୁ ଆଧୁନିକ ରୁଚି ଅନୁଯାୟୀ ବଦଳାଇବାକୁ ହେବ ।
7. ଯେ ମା’କୁ ଭଲ ପାଇବାକୁ ଶିଖି ନାହିଁ, ସେ କଦାପି ମାତୃଭୂମିକୁ ଭଲ ପାଇବ ନାହିଁ । କାରଣ ପ୍ରଥମେ ମାତୃ, ପରେ ଭୂମି, ମା’ ଉପରେ ପିଲାର ଯେତେ ବିଶ୍ୱାସ, ଅନ୍ୟ କାହା ଉପରେ ନାହିଁ ।
8. । ଏକ ଜାତିର କେତେକ ବ୍ୟକ୍ତି ସହିତ ଅନ୍ୟ ଏକ ଜାତିର କେତେକ ବ୍ୟକ୍ତିଙ୍କର ପରସ୍ପର ବିରୋଧ ଥିବାର ଦେଖାଗଲେ , ଲୋକେ ଭ୍ରମରେ ପଡ଼ି ବ୍ୟକ୍ତିଗତ ବିରୋଧକୁ ଜାତୀୟ ବିଦ୍ଵେଷରେ ପରିଣତ କରିବାକୁ ଚେଷ୍ଟା କରନ୍ତି । ଏହା ଦୁଇ ଜାତି ବା ସମାଜ ମଧ୍ୟରେ ମିତ୍ରଭାବ –ରକ୍ଷା –ପକ୍ଷରେ ଗୋଟିଏ ମହା ପ୍ରତିବନ୍ଧକ ଅଟେ ।
9. ଯେଉଁମାନେ ଉତ୍କଳର ସ୍ଥାୟୀ ଅଧିବାସୀ ହୋଇଅଛନ୍ତି ଅର୍ଥାତ୍ ଯେଉଁମାନେ ଉତ୍କଳକୁ ସେମାନଙ୍କ ଗୃହସ୍ୱରୂପ ମଣିଅଛନ୍ତି, ସେମାନେ ଭିନ୍ନ ଜାତୀୟ ହେଲେ ସୁଦ୍ଧା ସେମାନଙ୍କୁ ଉତ୍କଳୀୟ ବେଲି ଗଣନା କରାଯିବ । ଯେଉଁମାନେ ଅନେକଦିନ ହେଲା ଏଠାକୁ ଆସି ଓଡ଼ିଶାକୁ ଆପଣାର ମାତୃଭୂମି ସ୍ୱରୂପ ଗ୍ରହଣ ଏବଂ ସ୍ୱୀକାର କରୁଅଛନ୍ତି ଓ ଓଡ଼ିଆମାନଙ୍କ ହିତସାଧନକୁ ସ୍ୱଜାତିପ୍ରତି କର୍ତ୍ତବ୍ୟକର୍ମ ବୋଲି ମନେ କରୁଅଛନ୍ତି ସେହିମାନଙ୍କୁ ଆମ୍ଭେମାନେ ଉତ୍କଳୀୟ ବୋଲି ଡ଼ାକୁଅଛୁଁ ।
10. ଭିନ୍ନ ଭିନ୍ନ ଜାତୀୟ ଦୁଇଜଣଙ୍କ ମଧ୍ୟରେ କୌଣସି ବିବାଦ ହେଲେ ଲୋକେ ଏହି ବିବାଦକୁ ଦୁଇ ଜାତିଙ୍କ ମଧ୍ୟରେ ବିବାଦ ହେଲା ବୋଲି ସ୍ଥିର କରନ୍ତି, କିମ୍ୱା ଏହି ବ୍ୟକ୍ତିଗତ ବିବାଦକୁ ଜାତୀୟ ବିବାଦର ଫଳ ବୋଲି କହି ବୁଲନ୍ତି ।
11. ଉନ୍ନତ ଜାତିମାନଙ୍କ ସଙ୍ଗେ ଭାଇ ଭାବ ରଖିବା ଆବଶ୍ୟକ, ଭ୍ରତୃ ଚକ୍ଷୁରେ ନ ଦେଖିଲେ ଉନ୍ନତ ଜାତିଙ୍କ ସଙ୍ଗେ ସମକକ୍ଷ ହେବା କାଠିକର ପାଠ ।
12. ଉତ୍କଳ ଜନନୀ ଭାରତ ଜନନୀଙ୍କଠାରୁ ବିଚ୍ଛିନ୍ନ ନୁହନ୍ତି ଭାରତ ଜନନୀଙ୍କର ସପତ୍ନୀ କିମ୍ବା ଶତ୍ରୁ ନୁହନ୍ତି । ଏହି ଉତ୍କଳ ଜନନୀ ରୂପ ମୂର୍ତ୍ତି ଭାରତମାତାଙ୍କର ଗୋଟିଏ ମୂର୍ତ୍ତିବିଶେଷ । ଏହି ରୂପଟି ଭାରତମାତାଙ୍କର ଗୋଟିଏ ଅବତାର । ଏପରି ସ୍ଥଳରେ ଉତ୍କଳମାତା ଭାରତମାତାଙ୍କର ସପତ୍ନୀ ନୁହନ୍ତି ।
13. ଉତ୍କଳ ଜନନୀ ଓ ଭାରତ ଜନନୀଙ୍କର କିଛି ପ୍ରଭେଦ ନାହିଁ । ଶରୀରର କୌଣସୀ ଅଂଶରେ ପୀଡ଼ା ହେଲେ ସେହି ଅଂଶର ଚିକିତ୍ସାଦ୍ଵାରା ସମସ୍ତ ଶରୀରର ଉନ୍ନତି ହେବ । ଉତ୍କଳର ଚିକିତ୍ସାର ଉଦ୍ଦେଶ୍ୟ ଭାରତର ଉନ୍ନତି ।
14. ବଡ଼ଦେଉଳ ବାଲିରେ ପୋତି ହୋଇ ଯାଇଥିଲା । ରାଜାଙ୍କ ଘୋଡ଼ାଟାପୁ ବାଜିବାରୁ ରାଜା ତାକୁ ପୁନରୁଦ୍ଧାର କରିଥିଲେ । “ଏହି ସ୍ଥାନରେ ବଡ଼ ଦେଉଳକୁ ଚାହଁ ଓ ଜାତିର ପୁନରୁଦ୍ଧାର କର”- ଏହା ଆମ୍ଭମାନଙ୍କର ବୀଜମନ୍ତ୍ର ହେବା ଆବଶ୍ୟକ ।
15. ବ୍ୟକ୍ତିଗତ ଜୀବନ ସ୍ଵାର୍ଥପରତା ଯେତେ ବୃଦ୍ଧି ହେବ ଜାତୀୟ ଜୀବନ ତେତିକି କମିବ । ସ୍ଵାର୍ଥପରତା ଯେବେ କମିଯିବ ଜାତୀୟ ଜୀବନ ତେତିକି ବୃଦ୍ଧି ହେବ ।
16. ଆମ୍ଭେମାନେ ସମସ୍ତଙ୍କୁ ଭାଇ ବୋଲି ସମ୍ଵୋଧନ କରୁଅଛୁ । ତାହାର ମାନେ ଏହି ଯେ ମୋ ଭାଇ ଯେଉଁ ମାତାଙ୍କ ରକ୍ତ ମାଂସରେ ଗଠିତ, ମୁଁ ସେହି ରକ୍ତ ମାଂସରେ ଗଠିତ । ସମସ୍ତେ ଭାରତ ସନ୍ତାନ ।
17. ମୁଁ ଓଡ଼ିଆ, ଓଡ଼ିଶାରେ ଜନ୍ମଗ୍ରହଣ କରିଅଛି ଏବଂ ବାସ କରୁଅଛି । ଉତ୍କଳ ମାତାଙ୍କ କୋଳରେ ମୋର ଅସ୍ଥି ମାଂସ ରହିବ ।
18 ସମସ୍ତେ କହନ୍ତି, ଆମ୍ଭର ଉପେନ୍ଦ୍ର ଭଞ୍ଜ । ମୁଁ ପ୍ରଶ୍ନ କରେଁ, “ତୁମ୍ଭର କିପରି ହେଲେ ?” ଜାତି କହିଲା-ଜାତିର ଯୋଗ୍ୟ ସୁସନ୍ତାନ ଜାତିର ଏବଂ କୁସନ୍ତାନ ବାପମାଆଙ୍କର ।
19. ନଦୀର ଯେପରି ଜୁଆର ହୋଇଥାଏ, ପୁଣି ଭଟ୍ଟା ହୋଇଗଲେ ପାଣିସବୁ ସ୍ଥାନେ ସ୍ଥାନେ ରହିଯାଏ, ସେହିପରି ଓଡ଼ିଶାର ଦିନେ ଜୁଆର ଅବସ୍ଥା ଥିଲା । କିନ୍ତୁ ବର୍ତ୍ତମାନ ଭଟ୍ଟା ଅବସ୍ଥାରେ ସ୍ଥାନେ ସ୍ଥାନେ ମନ୍ଦାଏ ମନ୍ଦାଏ ପାଣି ରହିଲାପରି ଦେଶଟା ଏଠାରେ ଖଣ୍ଡେ ସେଠାରେ ଖଣ୍ଡେ ହୋଇ ପଡ଼ିରହିଅଛି । ଯେପରି ସେହି ସମସ୍ତ ଜଳାଶୟକୁ ପୁଣି ଏକତ୍ର କରିବାକୁ ହେଲେ ଜୁଆର ଆବଶ୍ୟକ, ସେହିପରି ଏହି ଦେଶକୁ ଏକତ୍ର କରିବାକୁ ହେଲେ ସର୍ବତ୍ର ଜାତୀୟ ଭାବର ଜୁଆର ଉଠାଇବାକୁ ହେବ ।
20. ଜନନୀ ଜନ୍ମଭୂମିଶ୍ଚ ସ୍ଵର୍ଗାଦପୀ ଗରୀୟସୀ’- - ଏ ବାକ୍ୟଟି ବହୁକାଳରୁ ଶୁଣା ଅଛି, କିନ୍ତୁ ତାହାର ଅର୍ଥ ବୁଝିବାକୁ ବୋଧହୁଏ କେହି ଚେଷ୍ଟା କରନ୍ତି ନାହିଁ । ଦେଖନ୍ତୁ, ପ୍ରଥମେ ‘ଜନନୀ’ ଦ୍ଵିତୀୟରେ ‘ଜନ୍ମଭୂମି, ତୃତୀୟରେ ‘ସ୍ଵର୍ଗ’ । ମନୁଷ୍ୟଜନ୍ମରେ ପ୍ରତ୍ୟେକ ମନୁଷ୍ୟର ଜୀବନକୁ ଗୋଟିଏ ସ୍ରୋତ ମନେ କଲେ ଦେଖିବେ, ଏହି ସ୍ରୋତର ଆଦ୍ୟରେ ଜନନୀ, ମଧ୍ୟରେ ଜନ୍ମଭୂମି, ଶେଷରେ ସ୍ଵର୍ଗ, ପ୍ରତ୍ୟେକ ଆତ୍ମାର ଏହି ଗତି । ମନୁଷ୍ୟ ଜୀବନରେ ଆଦ୍ୟ ଜନନୀ, କାର୍ଯ୍ୟ ଜନ୍ମଭୁମି, ପୁରସ୍କାର ମୁକ୍ତି ବା ସ୍ଵର୍ଗ । ଏଥିପାଇଁ ଜନନୀ, ଜନ୍ମଭୁମି ସ୍ଵର୍ଗଠାରୁ ଗରୀୟସୀ ।
22 ପ୍ରଥମେ ମାତା ରକ୍ତ ଦେଇଥିଲେ । ସେହି ରକ୍ତ ବୃଦ୍ଧି କରିବା ପାଇଁ ମୋ ଜନ୍ମଭୁମି ମୋତେ ଶସ୍ୟାଦି ଦେଉଅଛି । ଅତଏବ ଶରୀରର ଆଦ୍ୟ ପଦାର୍ଥ ଦିଏ ମାତା, ତାହାର ରକ୍ଷକ ଓ ବର୍ଦ୍ଧକ ଜନ୍ମଭୂମି । ଆମ୍ଭେମାନେ ପ୍ରଥମେ ପ୍ରସବ ହେଲା ବେଳେ ଭୂମିଷ୍ଠ ହେଲୁ ବୋଲି କହନ୍ତି ଅର୍ଥାତ୍ ଆମ୍ଭେମାନଙ୍କୁ ମାତା ଜନ୍ମଭୁମି କ୍ରୋଡ଼ରେ ଅର୍ପଣ କରି ସେହି ଜନ୍ମଭୂମିର ପୂଜା କରିବାକୁ ଆଦେଶ ଦିଅନ୍ତି.
23. ଓଡ଼ିଶାରେ ସେତେବେଳେ ଏପରି କୌଣସି ଲୋକ ନ ଥିଲେ ଯେ କି ଆପଣାକୁ ଓଡ଼ିଆ ବୋଲି ପରିଚୟ ଦେଇଥିଲେ । ଓଡ଼ିଶାର ଜଣେ ରାଜା ଆପଣାକୁ କଲିକତାରେ ବଙ୍ଗାଳୀ ବୋଲି ପରିଚୟ ଦେଇଥିଲେ । ଏ ସମସ୍ତ ବିଚାର କଲେ ମୋର ସେତେବେଳେ କଣ କରିବାରେ ଉଚିତ ଥିଲା ? ମୁଁ ସେହି ରାଜାଙ୍କୁ ଚାରିଘଣ୍ଟା ମଧ୍ୟରେ ଓଡ଼ିଆ କରିଥିଲି ।
24.ଆମେ ଓଡ଼ିଆ ! ଆମ୍ଭେମାନେ ଗୋଟିଏ ସ୍ଵତନ୍ତ୍ର ଜାତି ! ଏହି ଜ୍ଞାନ, ବର୍ତ୍ତମାନ ଅବସ୍ଥାରେ ଜାତିର ଏକମାତ୍ର ପାଣ୍ଠି, ଏକମାତ୍ର ସମ୍ଵଳ । ଅନ୍ୟ କଥାରେ ମୁଁ ଏହାକୁ ସମ୍ଵଳ ନ କହି ଜାତିର ବଳ କହେଁ !
25. ମାତୃଭୂମିପୂଜାରେ ବାଉରି କଣ୍ଡରା ର ଯେ ଅଧିକାର, ବ୍ରାହ୍ମଣ, କରଣର ସେହି ଅଧିକାର, ରାଜା ର ଯେ ଅଧିକାର, ପ୍ରଜାର ସେହି ଅଧିକାର ।
26. ଆମ ଦେଶରେ ଧନ କମ ଅଛି । ଲୋକେ କହନ୍ତି ଓଡ଼ିଶା ଗରିବ । ମୁଁ କହେ, କଦାଚ ନୁହେଁ । ବର୍ତ୍ତମାନ କଲିକତା, ନାଗପୁର ଇତ୍ୟାଦି ସ୍ଥାନର କଳ କାରଖାନାମାନଙ୍କରେ ଲକ୍ଷ ଲକ୍ଷ ଓଡ଼ିଆ କାମ କରୁଅଛନ୍ତି । ଏହାର ଅର୍ଥ- ଓଡ଼ିଆ ହାତର ମୂଲ୍ୟ ଅଛି । ସେଠାରେ ଯେ ଦୈନିକ ଟଙ୍କାଏ ଆଦାୟ କରିବ, ଏଠାକୁ ଆସିଲେ ଦଶ ପଇସା ମାତ୍ର ପାଇବ । ଆମେ କ’ଣ ତାଙ୍କୁ କାର୍ଯ୍ୟ ଦେଇପାରିବା ? ସୂତା କାରଖାନା କଲେ ସେମାନେ ଆସିବେ । ଯେଉଁ ହାତରେ କୋଣାର୍କ, ଭୁବନେଶ୍ଵର ମନ୍ଦିରମାନ ତୟାର ହୋଇଅଛି , ସେହି ହାତର ଲାଭ ବିଦେଶୀମାନେ ଖାଇ ଯାଉଅଛନ୍ତି । ଧିକ୍ ଆମ୍ଭମାନଙ୍କୁ ।
27. ମୁଁ ଖ୍ରାଷ୍ଟଧର୍ମ ଗ୍ରହଣ କରିଅଛି ସତ୍ୟ, କିନ୍ତୁ ଓଡ଼ିଶାର ଜାତୀୟ କବି ଜଗନ୍ନାଥ ଦାସଙ୍କ ଭାଗବତ ପାଠ କରିଛି ଓ ତାହାକୁ ଧର୍ମଗ୍ରନ୍ଥ ହିସାବରେ ଯଥେଷ୍ଟ ମାନ୍ୟ କରେ । ଭାଗବତ ଯେଉଁ ପ୍ରଭାବ ପକାଇଛି ତାହା ଭାରତର ଅନ୍ୟ କୌଣସି ପ୍ରଦେଶରେ ଦେଖାଯାଏ ନାହିଁ । #ବନ୍ଦେଉତ୍କଳଜନନୀ
No comments:
Post a Comment