ଜନ୍ମ ମୃତ୍ୟୁର ରହସ୍ୟ
✍ଉପେନ୍ଦ୍ର କୁମାର ବସ୍ତିଆ ।
******************
ଈଶ୍ବରଙ୍କ ରଙ୍ଗମଞ୍ଚ
ମାୟାରେ ରଚିତ
ଜନ୍ମ ମୃତ୍ୟୁ ଦୁଇ ଦୃଶ୍ୟ
ହୁଏ ଅଭିନୀତ
ହେଲେ କେହି ଜନ୍ମେ ନାହିଁ
କେହିବି ମରେନା
କେହି ଏଠାକୁ ଯିବା
ଆସିବା କରେନା ।୧।
ସବୁ କିଛି ଯାଦୁ ଖେଳ
ମାୟାରେ ହିଁ ଅଟେ
ମନ ଗଢା ହୋଇ ସତ୍ୟ
ପରିକା ପ୍ରକଟେ
ଏକମାତ୍ର ବ୍ରହ୍ମ ଅଛି
ଅନ୍ୟ କେହି ନାହିଁ
ଶରୀର ଖାଲି ମିଳଇ
ଏ ନାଟକ ପାଇଁ ।୨।
ପଞ୍ଚ ଭୂତରେ ଶରୀର
ହୋଇଥାଏ ଗଢା
ଅନ୍ୟ କା'ର ଜନ୍ମ ନାହିଁ
ଏ ଶରୀର ଛଡ଼ା
ଆତ୍ମା ଜାଣେ ନାହିଁ ଜନ୍ମ
ଅବା ମୂତ୍ୟୁ କଣ
ଆତ୍ମାର ଦେହତ୍ୟାଗକୁ
କୁହନ୍ତି ମରଣ ।୩।
ମୃତ୍ୟୁ ହୋଇଥାଏ ଏକ
ଗାଢ଼ ନିଦ୍ରା ପରି
ଜନ୍ମ ଉଠେ ନିଦ୍ରା ତେଜି
ଉଠିଯିବା ସରି
ମୃତ୍ୟୁକୁ ଭୟ କରନା
ଆହେ ମୂଢ ମନ
ଜୀବନ ନୀରବଛିନ୍ନ
ନାହିଁ ତା ବିରାମ ।୪।
ଫୁଲ ଫୁଟି ଝଡିଯାଏ
ମହକ ସୁଗନ୍ଧ
ସୁଗନ୍ଧରେ ଚତୁର୍ଦ୍ଦିଗ
ବିତରେ ଆନନ୍ଦ
ସେହିପରି ଦେହ ତ୍ୟାଗେ
ପଚିଯିବ ଦିନେ
ଅମର ଆତ୍ମା ସୁବାସ
ଥିବ ସବୁଦିନେ ।୫।
ମୂଢ ମନ ଲଗାଇବା
ବିବେକ ବିଚାର
ସତ୍ୟ ଚିହ୍ନି ମିଛ ମାୟା
କର ପରିହାର
ଜନ୍ମ ମୃତ୍ୟୁ ରହିତ
ଅଟନ୍ତି ଅନନ୍ତ
ନିତ୍ୟ ନିରନ୍ତରେ ତୁମେ
ତାହାକୁ ହିଁ ଚିହ୍ନ ।୬।
ମୋହ ମାୟା ଛାଡି ଦେଇଁ
ତ୍ରିଗୁଣ ଅତୀତ
ଦେହ ପ୍ରୀତି ହୋଇଗଲେ
ପୂର୍ଣ୍ଣ ଅନାଶକ୍ତ
ଜନ୍ମ ମୃତ୍ୟୁର ଶକତି
ତୁମେ ବି ,ଲଭିବ
ଅମର ତତ୍ୱରେ ଯାଇ
ଲୀନ ହୋଇ ଯିବ ।୭।
No comments:
Post a Comment