🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳
“ଅନିର୍ବାଣ ଅଗ୍ନିଶୀଖା ବୀର ବୈଷ୍ଣବ”
ଲେଖକ— ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର
🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳
ସଂଗୃହୀତ ଉପସ୍ଥାପନା; ଶିଶିର ସାହୁ ମନୋଜ
ସ୍ଵାଧୀନତା ସଂଗ୍ରାମର ଅନିର୍ବାଣ ଅଗ୍ନିଶିଖା ସ୍ଵର୍ଗୀୟ ବୈଷ୍ଣବ ଚରଣ ପଟ୍ଟନାୟକ ଏକାଧାରରେ ଜଣେ ମୁକ୍ତିଯୋଦ୍ଧା, ଆଜୀବନ ବିପ୍ଳବୀ, ସାମ୍ୟବାଦୀ, ଆଦର୍ଶ ଲୋକପ୍ରତିନିଧ୍ଵ ଓ ଅତନ୍ଦ୍ର ସମାଜ ସଂସ୍କାରକ ଥିଲେ । କିଶୋର ବୟସରୁ ସେ ସ୍ଵାଧୀନତା ସଂଗ୍ରାମରେ ଝାସ ଦେଇଥିଲେ । ସ୍ଵକୀୟ ଦେଶପ୍ରେମ, ଜାତୀୟ ଚେତନା, ସାମ୍ୟଚିନ୍ତାଧାରା ଓ ଦୁର୍ଦ୍ଦମନୀୟ ସଂଗ୍ରାମୀ ମନୋବୃତ୍ତି ଯୋଗୁଁ ସେ ପରିଣତ ଜୀବନରେ ‘ବୀର ବୈଷ୍ଣବ’ ନାମରେ ପ୍ରତିଭାତ ହୋଇଥିଲେ । ସେ ଯଥାର୍ଥରେ ଥିଲେ ସ୍ଵାଧୀନତା ସଂଗ୍ରାମ ଓ ପ୍ରଜା ଆନ୍ଦୋଳନର ଅଗ୍ନିସ୍ଫୁଲିଙ୍ଗ । ବେଠି, ବେଗାରୀ, ଶୋଷଣ, ଅତ୍ୟାଚାର ଓ ଅନ୍ୟାୟ ବିରୁଦ୍ଧରେ ସ୍ୱର ଉତ୍ତୋଳନ ପୂର୍ବକ ସେ ପ୍ରଜା ଆନ୍ଦୋଳନ ତ୍ବରାନ୍ବିତ କରିବା ସହିତ ଅନ୍ଧାରୀ ମୁଲକରେ ବିପ୍ଳବର ବହ୍ନିଶିଖା ପ୍ରଜ୍ଜଳନ କରିଥିଲେ । ତାଙ୍କ ଦେଶସେବା, ବୈପ୍ଳବିକ ଚେତନା ଓ ସଂଗ୍ରାମୀ ଜୀବନର ପଟ୍ଟାନ୍ତର ନାହିଁ । ସ୍ଵାଧୀନତା ସଂଗ୍ରାମର ଏହି ଅଗ୍ରଦୂତ ତଥା ପ୍ରଜା ଆନ୍ଦୋଳନର ପୁରୋଧାଙ୍କର ଜନ୍ମ ୧୯୧୪ ମସିହା ଅପ୍ରେଲ ୨୯ ତାରିଖରେ ବୀରଭୂମି ଢେଙ୍କାନାଳର ତଳଗଡ (ସଂପ୍ରତି ଚନ୍ଦନ ବଜାର )ରେ ହୋଇଥିଲା । ତାଙ୍କ ଜନନୀ ଥିଲେ ରମ୍ଭାଦେବୀ ଓ ଜନକ ଥିଲେ ସାଧୁଚରଣ ପଟ୍ଟନାୟକ । ତାଙ୍କ ଜନ୍ମର ସ୍ୱଳ୍ପ ସମୟ ପରେ ଜନୈକ ବୈଷ୍ଣବ ପଦାର୍ପଣ କରି ନବଜାତ ଶିଶୁର ଭବିଷ୍ୟତ ଯଶୋଗାନ କରିଥିବାରୁ ତାଙ୍କ ନାମ ବୈଷ୍ଣବଚରଣ ରଖାଯାଇଥିଲା । ତାଙ୍କ ଶ୍ରଦ୍ଧା ନାମ ଥିଲା ‘ଗୁଣ୍ଡୁରି’ । ଚାଟଶାଳୀ ଶିକ୍ଷା ପରେ ସେ ଢେଙ୍କାନାଳ ଉଚ୍ଚ ଇଂରାଜୀ ବିଦ୍ୟାଳୟ (ବର୍ତ୍ତମାନ ଜର୍ଜ ଉ:ପ୍ରା: ବିଦ୍ୟାଳୟ)ରେ ଅଧ୍ୟୟନ କଲେ । ୧୯୨୮ରେ ସେ ଢେଙ୍କାନାଳ ଉଚ୍ଚ ଇଂରାଜୀ ବିଦ୍ୟାଳୟ (ବର୍ତ୍ତମାନ ବ୍ରଜନାଥ ବଡଜେନା ଉଚ୍ଚବିଦ୍ୟାଳୟ)ରେ ନାମ ଲେଖାଇଥିଲେ । ସେଠାରେ ଲକ୍ଷ୍ମୀଧର ସାହୁ, ହରମୋହନ ପଟ୍ଟନାୟକ ଓ ଗତିକୃଷ୍ଣ ଭଞ୍ଜ ତାଙ୍କର ସହପାଠୀ ଥିଲେ । ସେହି ସମୟରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଥାଆନ୍ତି ରାଜେନ୍ଦ୍ର ଲାଲ ଦତ୍ତ ଏବଂ ସହକାରୀ ଶିକ୍ଷକଗଣ ଥିଲେ ବାସୁଦେବ ମହାପାତ୍ର, ହରିହର ମହାପାତ୍ର ପ୍ରଭୃତି । ଏହି ଆଦର୍ଶ ଶିକ୍ଷକମାନଙ୍କ ଦ୍ବାରା ଅନୁପ୍ରାଣିତ ହୋଇ ବୈଷ୍ଣବ ଓ ତାଙ୍କ ସହପାଠୀଙ୍କ ମନରେ ଦେଶସେବା, ତ୍ୟାଗ, ସ୍ଵାଧୀନତା ଓ ସଂଗ୍ରାମର ବୀଜ ଅଙ୍କୁରିତ ହୋଇଥିଲା । ସେତେ ବେଳକୁ ମହାତ୍ମା ଗାନ୍ଧୀ ଆଫ୍ରିକାରୁ ପ୍ରତ୍ୟାବର୍ତ୍ତନ କରି ଅହିଂସା ଆନ୍ଦୋଳନ ଆରମ୍ଭ କରିଦେଲେଣି । ୧୯୩୦ରେ ଲବଣ ସତ୍ୟାଗ୍ରହ ଓ ଆଇନ ଅମାନ୍ୟ ଆନ୍ଦୋଳନ ସଂଘଟିତ ହୋଇଥିଲା । ଗାନ୍ଧିଜୀଙ୍କ ବାର୍ତ୍ତା ସମଗ୍ର ଭାରତରେ ସ୍ୱରାଜ୍ୟ ଚେତନା ସୃଷ୍ଟି କରିସାରିଲାଣି । ବୈଷ୍ଣବଙ୍କ ସହପାଠୀ ଗାନ୍ଧୀଟୋପି ପିନ୍ଧି ବିଦ୍ୟାଳୟକୁ ଆସିବା ଏବଂ ଗତିକୃଷ୍ଣ ରାଜାଙ୍କ ଅତ୍ୟାଚାର ସମ୍ପର୍କରେ ରାଜାଙ୍କୁ ଚିଠି ଲେଖିବା ଘଟଣାରେ ବୈଷ୍ଣବ ବିଶେଷ ପ୍ରଭାବିତ ହୋଇଥିଲେ । ଗଡ଼ଜାତ ରାଜାମାନେ ପ୍ରଜାଙ୍କ ଉପରେ ଅକଥନୀୟ ଅତ୍ୟାଚାର କରୁଥିଲେ । ଢେଙ୍କାନାଳ ରାଜ୍ୟରେ ଏହି ମାତ୍ରା ଟିକିଏ ଅଧ୍ୟକ ଥିଲା । ଏହା ସ୍ଵଚକ୍ଷୁରେ ଦେଖୁ ବୈଷ୍ଣବଙ୍କ ବିପ୍ଳବୀପ୍ରାଣ ଆନ୍ଦୋଳିତ ହୋଇଥିଲା । ଢେଙ୍କାନାଳର ପ୍ରଜାଗଣ ବେଠି, ବେଗାରି, ରସଦ, ମାଗଣ, ଅତ୍ୟାଚାରରେ ଅତିଷ୍ଠ ହୋଇପଡିଥିଲେ । ଏଥିରେ ବ୍ୟଥିତ ହୋଇ ଛାତ୍ର ବୈଷ୍ଣବ ରାଜାଙ୍କୁ ମାରିଦେବାକୁ ମନସ୍ଥ କରିଥିଲେହେଁ ଉପରଶ୍ରେଣୀ ଛାତ୍ର ଅଭିନ୍ନଙ୍କ ପରାମର୍ଶରେ ସେଥୁରୁ ନିବୃତ୍ତ ରହିଲେ ତଥା କଟକ ଯାଇ ଶୋଭାଯାତ୍ରା ଓ ପିକେଟିଂରେ ଭାଗନେଲେ । ୧୯୩୧ରେ ଶହୀଦ ଭଗତସିଂଙ୍କ ଫାଶୀ ଘଟଣା ଭାରତରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ଏଥିରେ ଉତ୍ତେଜିତ ହୋଇ ଛାତ୍ର ବୈଷ୍ଣବ ପ୍ରଚାର କଲେ ଯେ, ଢେଙ୍କାନାଳ ରାଜାଙ୍କୁ ଇଂରେଜ ସରକାର ଧରି ନେଇଛି । ଏହି ଘଟଣାରେ ସେ ଥାନାରେ ମାଡ ଖାଇଲେ ତଥା ତାଙ୍କ ପାଠ ପଢା ବନ୍ଦ ହୋଇଗଲା । ତାଙ୍କ ସହପାଠୀ ହରମୋହନ, ଗତିକୃଷ୍ଣ ଓ ଦୟାନିଧ୍ ବାହାରେ ଯାଇ ପାଠ ପଢିଲେ । କିନ୍ତୁ ବୈଷ୍ଣବଙ୍କ ପରିବାରର ଆର୍ଥିକ ସ୍ୱଚ୍ଛଳତା ନଥିବାରୁ ସେ ପଢି ପାରିଲେ ନାହିଁ । ୧୯୩୪ରେ ସେ ରେଳବାଇରେ ରଙ୍ଗମିସ୍ତ୍ରୀ ଚାକିରି କଲେ । ଏହାରି ସୁଯୋଗରେ ସେ ବିନାଟିକେଟ୍ରେ କଟକ ଯାଇ ରାଜ୍ୟସ୍ତରୀୟ ନେତୃବୃନ୍ଦଙ୍କ ସହ ସମ୍ପର୍କ ସ୍ଥାପନ କଲେ । ୧୯୩୨ରୁ ୧୯୩୫ ମସିହା ମଧ୍ୟରେ ଢେଙ୍କାନାଳ ରାଜାଙ୍କ ଭାଇ ପଟ୍ଟାୟତ ନୃସିଂହ ପ୍ରତାପ ସିଂହଦେଓ ଯତନନଗର ନିର୍ମାଣ କଲେ । ଏଥିରେ ବେଠିଆମାନେ ଗାଁରୁ ଚାଉଳ, ଚୁଡା ଧରି ଆସି ବିନା ମଜୁରିରେ କାର୍ଯ୍ୟ କରୁଥିଲେ । କାମ ନକଲେ ମାଡ ଦିଆଯାଉଥିଲା । ନାରୀ ଧର୍ଷଣ, ନିଶ ଓପଡା ପ୍ରଭୃତି ଘଟିଥିଲା । ପଟ୍ଟାୟତ ଓ ରାଜକର୍ମଚାରୀଙ୍କ ଅତ୍ୟାଚାରରେ ପ୍ରଜାମାନେ ଅତିଷ୍ଠ ହୋଇପଡିଲେ । ସେତେବେଳକୁ ଗାନ୍ଧିଜୀ ଦୁଇଥର ଓଡ଼ିଶା ଆସିଲେଣି ତଥା ଓଡ଼ିଶାରେ ବହୁ ଗାନ୍ଧିବାଦୀ ନେତା ସୃଷ୍ଟି ହେଲେଣି । ୧୯୩୧ରେ ଗଠିତ ହୋଇଥିବା ଓଡ଼ିଶା ରାଜ୍ୟ ପ୍ରଜାସଂଘର ଦ୍ଵିତୀୟ ଅଧ୍ଶନ ୧୯୩୭ରେ କଟକଠାରେ ପଟ୍ଟାଭି ସୀତାରାମାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହେଲା । ବୈଷ୍ଣବ ଏଥିରେ ଯୋଗ ଦେଇଥିଲେ । ସାରଙ୍ଗଧର ଦାସ ଏହାର ସମ୍ପାଦକ ଥିଲେ ଏବଂ ବୈଷ୍ଣବଙ୍କ ସହପାଠୀ ହରମୋହନ ପଟ୍ଟନାୟକ କାର୍ଯ୍ୟକାରିଣୀ ସଦସ୍ୟ ଥିଲେ । ୧୯୩୮ରେ ପ୍ରଜାଙ୍କ ଦାବି ଆପତ୍ତି ଶୁଣିବା ନିମିତ୍ତ ଅନୁସନ୍ଧାନ କମିଟି ଗଠନ ହୋଇଥିଲା । ସେହି ବର୍ଷ ପରଜଙ୍ଗ ଠାରେ ପ୍ରଜାମଣ୍ଡଳ ଗଠନ ହେଲା ଏବଂ ଆର୍ତ୍ତତ୍ରାଣ ପାତ୍ର ଏହାର ସଭାପତି ରହିଲେ। ପରେ ପରେ ପ୍ରଜାମଣ୍ଡଳ ପୁନର୍ଗଠନ କରାଯାଇ ହରମୋହନ ପଟ୍ଟନାୟକ ସଭାପତି, ଲକ୍ଷ୍ମୀଧର ସାହୁ ସମ୍ପାଦକ, ବୈଷ୍ଣବ ପଟ୍ଟନାୟକ ଓ ଗତିକୃଷ୍ଣ ଭଞ୍ଜ କାର୍ଯ୍ୟକାରୀସମ୍ପାଦକ ରହିଲେ । ଢେଙ୍କାନାଳ ରାଜା ପ୍ରଜାମଣ୍ଡଳକୁ ବେଆଇନ ଘୋଷଣା କରିବାରୁ ଜେନାପୁରଠାରେ ୧୯୩୮ ସେପ୍ଟେମ୍ବର ୨ ତାରିଖରେ ଗଡଜାତ ଗାନ୍ଧୀ ସାରଙ୍ଗଧର ଦାସଙ୍କ ସଭାପତିତ୍ଵରେ ପ୍ରଜାମଣ୍ଡଳ ଅଧୁବେଶନ ଅନୁଷ୍ଠିତ ହେଲା । ଏହି ଅଧୁବେଶନରେ ରାଜଶାସନର ଅତ୍ୟାଚାର, ବେଠି, ବେଗାରି, ରସଦ, ମାଗଣ ଓ ଭେଟି ବନ୍ଦ କରିବାକୁ ନିଷ୍ପତ୍ତି ନିଆଗଲା । ବୈଷ୍ଣବ ପଟ୍ଟନାୟକ ନିଜ ସାଥୀ ଶ୍ରୀକାନ୍ତ ରାଉତ, ନେତ୍ରାନନ୍ଦ ନାଏକ, ସତ୍ୟବାଦୀ ମିଶ୍ର, ନାଲୁମହମ୍ମଦ, ଭଜମନ ସାହୁ ପ୍ରଭୃତିଙ୍କୁ ଧରି ଗ୍ରାମେ ଗ୍ରାମେ ବୁଲି ପ୍ରଜାମଣ୍ଡଳର ବାର୍ତ୍ତା ପ୍ରଚାର କଲେ । ଅଧିବେଶନର ଚାରିଦିନ ପରେ ସେପ୍ଟେମ୍ବର ୬ରେ ସୁନିଆ ପଡିଲା ତଥା ରାଜାଙ୍କ ଭେଟି ବନ୍ଦ କରି ଦିଆଗଲା । ଗ୍ରାମାଞ୍ଚଳ ସଭାରେ ବୈଷ୍ଣବ ପଟ୍ଟନାୟକ ଅଗ୍ନିବର୍ଷୀ ଭାଷଣ ଦେଇ ଲୋକଙ୍କ ମନରେ ରାଜାଙ୍କ ଅତ୍ୟାଚାର ବିରୁଦ୍ଧରେ ଚେତନା ସୃଷ୍ଟି କରୁଥିଲେ । ବୈଷ୍ଣବ ସାଥୀମାନଙ୍କୁ ଧରି ଗ୍ରାମେ ଗ୍ରାମେ କୃଷକ ଓ ରଣଭେରୀ ପତ୍ରିକା ବାଣ୍ଟୁଥିଲେ । ଏଥିରେ ସାରଙ୍ଗଧର ଦାସ ଛଦ୍ମନାମ ନଣ୍ଡାଦେହୁରୀରେ ପ୍ରଜାଙ୍କ ଦୁଃଖ ମର୍ମସ୍ପର୍ଶୀ ଧାରାରେ ଲେଖୁଥିଲେ । ଏହି ସମୟରେ ବୈଷ୍ଣବ ଗ୍ରାମେ ଗ୍ରାମେ ତ୍ରିନାଥ ମେଳା କରି ସ୍ୱାଧୀନତାର ବାର୍ତ୍ତା ପ୍ରଚାର କରୁଥିଲେ । ତ୍ରିନାଥ ମେଳାରେ ସତ୍ୟବାଦୀ ମିଶ୍ର ପୁରୋହିତ ଭୂମିକା ଦେଇ ମେଳାଗୀତ ପରିବର୍ତ୍ତେ ପ୍ରଜାମଣ୍ଡଳ ଗୀତ ବୋଲୁଥିଲେ । ଏହି ଗୀତରେ ଯତନନଗର ଅତ୍ୟାଚାର, ନାରୀଧର୍ଷଣ ଓ ହାତୀଧରା ପ୍ରସଙ୍ଗ ବୋଲ।ଯାଉଥିଲା। । ଷ୍ଟେଟ୍ସମ୍ୟାନ ପତ୍ରି କାରେ ବୈଷ୍ଣବଙ୍କ ସମ୍ପର୍କରେ ସମ୍ବାଦ ବାହାରିବାରୁ ରାଜା ତାଙ୍କୁ ଖୋଜିଲେ । ତେଣୁ ବୈଷ୍ଣବ କିଛିଦିନ କଟକରେ ଆତ୍ମଗୋପନ କରି ପୁନର୍ବାର ଢେଙ୍କାନାଳ ଫେରି ଆସିଲେ । ସହକର୍ମୀଙ୍କ ସହ କଟକରୁ ମାଳତୀ ଚୌଧୁରୀ, ରବିଘୋଷ, ଅନନ୍ତ ପଟ୍ଟନାୟକ, ବୈଦ୍ୟନାଥ ରଥ, ଗୌରାଙ୍ଗ ଦାସ ପ୍ରଭୃତିଙ୍କୁ ଧରି ଗ୍ରାମେ ଗ୍ରାମେ ବୁଲିଲେ । ଢେଙ୍କାନାଳର ସର୍ବତ୍ର ପ୍ରଜା ଆନ୍ଦୋଳନ ବ୍ୟାପକ ରୂପ ଧାରଣ କଲା । ରାଜା ଆନ୍ଦୋଳନକୁ ଦୃଢ ହସ୍ତରେ ଦମନ କରିବା ନିମିତ୍ତ ଗୋରାଫୌଜ ମଗାଇଲେ । ୧୯୩୮ ସେପ୍ଟେମ୍ବର ୧୧ ତାରିଖରେ ୧୫ ଜଣ ପ୍ରଜାମଣ୍ଡଳ ନେତାଙ୍କୁ ଗିରଫ କଲେ । ଏଥିରେ ହରମୋହନ ପଟ୍ଟନାୟକ, ମହେଶଚନ୍ଦ୍ର ସୁବାହୁ ସିଂହ, ଲକ୍ଷ୍ମୀଧରସାହୁ, ଶ୍ରୀକାନ୍ତ ରାଉତ, ସତ୍ୟବାଦୀ ମିଶ୍ର, ଭଜମନ ସାହୁ, ନାଲୁ ମହମଦ, କାଶୀନାଥ ମିଶ୍ର, ରବି ପଟ୍ଟନାୟକ, ନି ରାକାର ପଟ୍ଟନାୟକ, ପ୍ରାଣବନ୍ଧୁ ଦାସ ପ୍ରଭୃତି ଗିରଫ ହୋଇଥିଲେ ହେଁ ବୈଷ୍ଣବ ପଟ୍ଟନାୟକ କୌଶଳକ୍ରମେ ଖସି ଯାଇଥିଲେ । ସେ ହଜାରେ ପର୍ଯ୍ୟନ୍ତ ଲୋକଙ୍କୁ ଏକତ୍ରିତ କରି ଜେଲ ଘେରାଉ କଲେ ଓ ନେତାଙ୍କ ଗିରଫର ପ୍ରତିବାଦ କଲେ । ରାଜା ଗୋରାଫୌଜଙ୍କ ଦ୍ଵାରା ଲୋକଙ୍କୁ ଘଉଡାଇ ଦେବାରୁ ବୈଷ୍ଣବ ପଟ୍ଟନାୟକ ତତ୍ପରଦିନ ଅଳସୁଆ ହାଟଠାରେ ପ୍ରତିବାଦ ସଭା କଲେ । ଏଥିରେ ପ୍ରାୟ ତିରିଶି ହଜାର ପ୍ରଜା ଏକତ୍ରିତ ହୋଇଥିଲେ । ବୈଷ୍ଣବ ପଟ୍ଟନାୟକ ସେହି ସଭାରେ ଆକ୍ରମଣାତ୍ମକ ସିଂହ ସଦୃଶ ଭାଷଣ ଦେଇଥିଲେ । ଫୋର୍ସମାନେ ଗୁଳି ଚାଳନା କରିବାରୁ ଅନେକ ପ୍ରଜା ଖଣ୍ଡିଆ ଖାବରା ହେଲେ । ପରିସ୍ଥିତି ଅଣାୟତ୍ତ ହେବାରୁ ରାଜା ଗିରଫ ନେତାମାନଙ୍କୁ ଜେଲ୍ରୁ ଖଲାସ କରିଦେଲେ । ତତ୍ପରଦିନ ଅର୍ଥାତ୍ ସେପ୍ଟେମ୍ବର ୧୩ ତାରିଖରେ ବୈଷ୍ଣବ ପଟ୍ଟନାୟକଙ୍କ ନେତୃତ୍ବରେ ଢେଙ୍କାନାଳରେ ସ୍ବାଧୀନ ଦିବସ ପାଳନ କଲେ । ସେପ୍ଟେମ୍ବର ୨୨ରେ ରାଜା ପ୍ରଜାମଣ୍ଡଳକୁ ବେଆଇନ ଘୋଷଣା କଲେ । ଏଥିରେ ଉତ୍କ୍ଷିପ୍ତ ହୋଇ ବୈଷ୍ଣବବାବୁ ଶପଥ ସଭା ଆହ୍ଵାନ କଲେ ଏବଂ ବ୍ରାହ୍ମଣୀତଟସ୍ଥ କମଗରା ଘାଟରେ ହଜାର ହଜାର କର୍ମୀ ଶପଥ ଗ୍ରହଣ କଲେ । ଏହି ସଭାରେ ବୈଷ୍ଣବବାବୁଙ୍କୁ ‘ବୀର ବୈଷ୍ଣବ’ ବୋଲି ସାଧାରଣ ଜନତା ସମ୍ବୋଧନ କରିଥିଲେ । ପରେ ପରେ ଢେଙ୍କାନାଳ ଗଡରେ ସଭା ଅନୁଷ୍ଠିତ ହେଲା । ସେହି ସଭାରେ ନବକୃଷ୍ଣ ଚୌଧୁରୀ, ମାଳତୀ ଚୌଧୁରୀ, ରବି ଘୋଷ, ସାରଙ୍ଗଧର ଦାସ, ଭଗବତୀ ପାଣିଗ୍ରାହୀଙ୍କ ସହିତ ବୈଷ୍ଣବ ବାବୁ ଉଦ୍ ବୋଧନ ଦେଇଥିଲେ । ସେଠାରେ ଏନ୍.ଆର୍.ସ୍ଵାମୀ ଓ ରାଧାନାଥ ରଥ ପ୍ରଭୃତି ସାମ୍ବାଦିକ ମଧ୍ୟ ଯୋଗଦେଇ ସମ୍ବାଦ ପ୍ରକାଶ କରିଥିଲେ । ପ୍ରଜା ଆନ୍ଦୋଳନ ବ୍ୟାପକ ରୂପ ଧାରଣ କରିବାରୁ ଢେଙ୍କାନାଳ ରାଜା ଚତୁର୍ଦ୍ଦିଗକୁ ଫୋର୍ସ ପଠାଇ ବିପ୍ଳବ ଦମନ କରିବାକୁ ଦୃଢ ପଦକ୍ଷେପ ନେଇଥିଲେ । ଭୟରେ ପ୍ରଜାମାନେ ଘରଦ୍ବାର ଛାଡି ଅନୁଗୁଳ, ସୁକିନ୍ଦା, କେନ୍ଦୁଝର ଓ ମୋଗଲବନ୍ଦୀ ଅଞ୍ଚଳକୁ ପଳାଇଲେ । ଏହାକୁ ‘ହିଜରାତ୍’ କୁହାଯାଇଥିଲା । ଫୋର୍ସମାନେ ଚାରିଗୋଟି ଦଳରେ ବିଭକ୍ତ ହୋଇ ବିଦ୍ରୋହ ଦମନନିମିତ୍ତ ପ୍ରଜାମାନଙ୍କ ଉପରେ ଅତ୍ୟାଚାର କରୁଥିଲେ । ଭୁବନ ଅଞ୍ଚଳକୁ ଯାଇଥିବା ଫୋର୍ସ ୧୯୩୮ ଅକ୍ଟୋବର ୧୦ ତାରିଖରେ ଭୁବନବାସୀଙ୍କ ଉପରେ ଅକଥନୀୟ ଅତ୍ୟାଚାର କଲେ । ଫୋର୍ସଙ୍କ ଗୁଳିରେ ଭୁବନର ଗୁରିନାଏକ ଶହୀଦ ହେଲେ ଓ ରଘୁନାଏକ ଗୁରୁତର ଆହତ ହେଲେ । ଫଳରେ ହଜାର ପର୍ଯ୍ୟନ୍ତ ପ୍ରଜା ଭୁବନ ଥାନା ଘେରାଉ କଲେ । ଫୋର୍ସମାନେ ଆତଙ୍କିତ ହୋଇ ନୀଳକଣ୍ଠପୁର ଘାଟ ଆଡେ ପଳାୟନ କଲେ । ପ୍ରଜାମାନେ ସେମାନଙ୍କ ପଶ୍ଚାତ୍ଧାବନ କରି ଟେକାପଥର ଫୋପାଡିଲେ । ନୀଳକଣ୍ଠପୁର ଘାଟରେ ପ୍ରଜାମାନେ ଫୋର୍ସଙ୍କୁ ନଦୀପାର କରାଇ ନଦେବାରୁ ମାଜିଷ୍ଟ୍ରେଟ୍ ବିନୟଘୋଷଙ୍କ ଆଦେଶରେ ଗୁଳି ଚାଳନା ହେଲା । ଏଥିରେ ବାରବର୍ଷର ବାଜିରାଉତ ସମେତ ହୃଷି ପ୍ରଧାନ, ନଟମଳିକ ଓ ଲକ୍ଷ୍ମଣ ମଳିକ ଶହୀଦ ହେଲେ ତଥା ଆଠଜଣ ଗୁଳିମାଡ ଖାଇ ରକ୍ତାକ୍ତ ହେଲେ । ତତ୍ପରେ ଶହୀଦମାନଙ୍କର ଶବ ଓ ଆହତମାନଙ୍କୁ ଶଗଡରେ କଟକ ଅଣାହେଲା । ଅକ୍ଟୋବର ୧୨ ତାରିଖରେ କଟକରେ ଶଗଡରେ ଶବଗୁଡିକ ବିରାଟ ଶୋଭାଯାତ୍ରାରେ ନିଆଯାଇ ଖାନ ନ ଗର ଶ୍ମଶାନରେ ଦାହ କରାଗଲା । ସେଠାରେ ବୈଷ୍ଣବବାବୁ ଯେଉଁ ଭାଷଣ ଦେଲେ ଓ ସଚ୍ଚିରାଉତରାୟ ଯେଉଁ କବିତା ବୋଲିଲେ ତାହା ଆଜି ବି ଲୋକ ଭୁଲିନାହାନ୍ତି । ଦେଶର ସର୍ବକନିଷ୍ଠ ବାରବର୍ଷର ଶହୀଦ ବାଜିରାଉତଙ୍କ ଗୁଳିରେ ମୃତ୍ୟୁ ସାରା ବିଶ୍ଵରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ୧୯୩୯ରେ ରଣପୁରରେ ବେଜଲ୍ଗେଟ୍ ସାହେବଙ୍କୁ ପ୍ରଜାମାନେ ହତ୍ୟା କରିବା ପରେ ନେତାମାନଙ୍କ ଗିରଫଦାରୀଙ୍କୁ ବ୍ୟାପକ କରାଗଲା । ସେହିବର୍ଷ ମାର୍ଚ୍ଚ ମାସରେ ବୈଷ୍ଣବ ପଟ୍ଟନାୟକଙ୍କୁ କଟକଠାରେ ଗିରଫ କରାଗଲା । ତାଙ୍କ ସହିତ ଢେଙ୍କାନାଳର ଅନ୍ୟ ନେତାମାନେ ମଧ୍ୟ ଗିରଫ ହୋଇଥିଲେ । ପରଜଙ୍ଗ ତହସିଲଦାରଙ୍କଠାରୁ ଖଜଣା ଟଙ୍କା ଡକାୟତି କରିବାର ମିଥ୍ୟା ଅଭିଯୋଗ ଏମାନ ଙ୍କ ବି ରୁ ଦ୍ଧରେ ଆରୋପ କରାଯାଇଥିଲା । ପ୍ରାଦେଶିକ ନେତା ଓ ସରକାରଙ୍କ ଆଲୋଚନା ପରେ ବୈଷ୍ଣବବାବୁ କଟକ ଜେଲ୍କୁ ଅଗଷ୍ଟ ମାସରେ ମୁକ୍ତ ହୋଇ ଢେଙ୍କାନାଳରେ ମାଜିଷ୍ଟ୍ରେଟ୍ଙ୍କ ନିକଟରେ ଆତ୍ମସମର୍ପଣ କଲେ । ଢେଙ୍କାନାଳ ଅଦାଲତରେ କେଶ୍ ବିଚାର ହୋଇ ୧୯୪୦ ମେ ମାସରେ ବୈଷ୍ଣବ ବାବୁ ନିର୍ଦ୍ଦୋଷରେ ଖଲାସ ହେଲେ । ଢେଙ୍କାନାଳ ରାଜା ଏହି ରାୟରେ ସନ୍ତୁଷ୍ଟ ନହୋଇ ବୈଷ୍ଣବବାବୁଙ୍କୁ ତାଙ୍କ ନିଜ ଘରେ ଗୃହବନ୍ଦୀ ଭାବରେ ରଖୁଥିଲେ ଏବଂ ପ୍ରତିଦିନ ଥାନାରେ ହାଜିରା ଦେବାକୁ ଆଦେଶ କରିଥିଲେ । କିନ୍ତୁ ବୈଷ୍ଣବବାବୁ ଲୁଚି ଖସି ପଳାଇଲେ । ସେତେବେଳେ ଗାନ୍ଧିଜୀ ‘କର ବା ମର’ ଡାକରା ଦେଲେଣି । ବୈଷ୍ଣବ ବାବୁଙ୍କ ବିପ୍ଳବୀ ରକ୍ତ ତାତି ଉଠିଲା । ସେ ଗୁପ୍ତରେ ପରଜଙ୍ଗ ଯାଇ ଗୋଟିଏ ଗରିଲାବାହିନୀ ଗଢିଲେ । ପରଜଙ୍ଗ ଥାନା ଆକ୍ରମଣ କରିବାକୁ ମସୁଧା କରୁଥିବା ବେଳେ ଫୋର୍ସ ପହଞ୍ଚି ଯିବାରୁ ସେ ମଢିଥାନା ଆଡେ ଅଗ୍ରସର ହେଲେ । ଗରିଲା ବାହିନୀରୁ ଅନେକ ଫୋର୍ସ ଭୟରେ ଛତ୍ରଭଙ୍ଗ ଦେଇଥିଲେ ମଧ୍ୟ ବୈଷ୍ଣବଙ୍କ ସାଥୀରେ ୧୮ ଜଣ ରହିଥିଲେ । ବୀର ବୈଷ୍ଣବ ଓ ମୂଷା ମଳିକଙ୍କ ନେତୃତ୍ଵରେ ୧୯ ଜଣ ସଂଗ୍ରାମୀ ଅଗଷ୍ଟ ୨୬ ତାରିଖ ସୂର୍ଯ୍ୟୋଦୟ ପୂର୍ବରୁ ମଢିଥାନା ଉପରେ ଚଢାଉ କରି ଅସ୍ତ୍ରଶସ୍ତ୍ର ଲୁଟି ନେଲେ । ପରେ ପରେ ମଢିକଚେରୀ ଓ ତହସିଲ କାର୍ଯ୍ୟାଳୟରେ ନିଆଁ ଲଗାଇ ଦେଲେ । ଏହାପରେ ବିପ୍ଳବୀମାନେ ମଢିଠାରେ ସାଧାରଣ ସଭା ଡକାଇ ଜନସାଧାରଣଙ୍କୁ ସ୍ଵାଧୀନ ସରକାର ଗଠନ ସମ୍ପର୍କରେ ସୂଚନା ଦେଲେ । ଏହି ସଭାରେ ବୀର ବୈଷ୍ଣବ ସଭାପତିତ୍ବ କରିଥିଲେ । ଏହାପରେ ବିପ୍ଳବୀମାନେ ଗ୍ରାମେ ଗ୍ରାମେ ଫ୍ଲାଗ୍ମାର୍ଚ୍ଚ କରି ସମସ୍ତ କାର୍ଯ୍ୟାଳୟରେ ତ୍ରିରଙ୍ଗା ପତାକା ଉଡାଇଲେ । ସେପ୍ଟେମ୍ବର ୪ତାରିଖରେ ଜନ୍ମାପଡାଠାରେ ବିପ୍ଲବୀ ଓ ଫୋର୍ସଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ହୋଇଥିଲା । ଏଥିରେ ଫୋର୍ସଙ୍କ ଗୁଳି ମାଡ ରେ ବୀରସାହୁ ଓ ବେନୁସାହୁ ଶହୀଦ ହେଲେ ତଥା ବୀରବୈଷ୍ଣବ ଗୁଳିମାଡ ଖାଇ ପଳାୟନ କଲେ । କଟକରେ ପ୍ରାଥମିକ ଚିକିତ୍ସା ପରେ ସେ କଲିକତାରେ ଯାଇ ଆତ୍ମଗୋପନ କଲେ । କଲିକତାରେ ରହିଥିବା ସମୟରେ ମଧ୍ୟ ମାଳତୀ ଚୌଧୁରୀ, ନବକୃଷ୍ଣ ଚୌଧୁରୀ, ସୁରେନ୍ଦ୍ର ନାଥ ଦ୍ବିବେଦୀ ପ୍ରଭୃତିଙ୍କ ସହିତ ସେ ଗୁପ୍ତରେ ସମ୍ପର୍କ ରଖୁଥିଲେ । ଢେଙ୍କାନାଳ ରାଜା ବୈଷ୍ଣବଙ୍କୁ ଧରାଇଦେଲେ ପୁରସ୍କାର ଦେବେ ବୋଲି ଘୋଷଣା କରିଥାନ୍ତି । ଢେଙ୍କାନାଳ ରାଜାଙ୍କର ମଧ୍ୟ କଲିକତାରେ ଘର ଅଛି । ତେଣୁ ବୀର ବୈଷ୍ଣବ କଲିକତାରୁ ଗୁପ୍ତରେ ବମ୍ବେ ପଳାଇଗଲେ । ବମ୍ବେ ରହଣିବେଳେ ସେ କମ୍ୟୁନିଷ୍ଟପାର୍ଟିର କର୍ମକର୍ତ୍ତା ଓ କାର୍ଯ୍ୟକ୍ରମ ସହ ସାମିଲ ହୋଇଥିଲେ । ୧୯୪୪ ଜାନୁଆରୀମାସରେ ସେ ପୁନର୍ବାର କଲିକତା ଚାଲିଆସିଲେ । ୧୯୪୪ ଜାନୁଆରୀ ୧୭ ତାରିଖଠାରୁ ଢେଙ୍କାନାଳ ରାଜାଙ୍କ କ୍ଷମତା ସଙ୍କୁଚିତ କରାଯାଇ ଚାରିଜଣ ଉଚ୍ଚ ପ୍ରଶାସନିକ ଅଧିକାରୀଙ୍କୁ ଢେଙ୍କାନାଳ ଶାସନ ଦାୟିତ୍ବ ଅର୍ପଣ କରାଯାଇଥିଲା । ଇତିମଧ୍ୟରେ ବୀରବୈଷ୍ଣବଙ୍କ ନାମରୁ ୱାରଣ୍ଟ ଉଠିଯାଇଥିଲା । ୧୯୪୬ରେ ହରେକୃଷ୍ଣ ମହତାବ ମୁଖ୍ୟମନ୍ତ୍ରୀ ଓ ନବକୃଷ୍ଣ ଚୌଧୁରୀ ରାଜସ୍ବ ମନ୍ତ୍ରୀ ହୋଇ ଓଡ଼ିଶାରେ କଂଗ୍ରେସ ମନ୍ତ୍ରୀମଣ୍ଡଳ ଗଢିଲେ । ଏହି ସମୟରେ ବୈଷ୍ଣବବାବୁ ଢେଙ୍କାନାଳ ଫେରି ଆସିଲେ । ଦୀର୍ଘଦିନ ନିରୁଦ୍ଦିଷ୍ଟ ରହିଥିବାରୁ ପରିବାରରେ ଆନନ୍ଦର ଲହରୀ ଖେଳିଗଲା । ଦୁଃଖର ବିଷୟ, ଇତିମଧ୍ୟରେ ତାଙ୍କ ବାପାଙ୍କର ଦେହାନ୍ତ ହୋଇସାରିଥିଲା । ୧୯୪୬ ମାର୍ଚ୍ଚ ୨୫ ତାରିଖରେ ଢେଙ୍କାନାଳର ଶହଶହ ବ୍ୟକ୍ତି ‘ବୀର ବୈଷ୍ଣବ ଜିନ୍ଦାବାନ୍ଦ’ ଧ୍ବନି ଦେଇ ବୈଷ୍ଣବ ବାବୁ ଙ୍କୁ ଢେଙ୍କାନାଳ ରେଳଷ୍ଟେସନରୁ ଘରକୁ ପାଛୋଟି ଆଣିଲେ । ତାଙ୍କ ସମ୍ମାନାର୍ଥେ ତୋରଣ ନିର୍ମାଣ ହୋଇଥିଲା । ମହେଶଚନ୍ଦ୍ର ସୁବାହୁସିଂହଙ୍କ ନେତୃତ୍ଵରେ ଡାକ୍ତରଖାନା ଛକରେ ହଜାର ହଜାର ବ୍ୟକ୍ତି ବୈଷ୍ଣବବାବୁଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ । ବୈଷ୍ଣବବାବୁ ଦେଇଥିବା ସମ୍ବନ୍ଧନାର ଉତ୍ତର ଅତ୍ୟନ୍ତ ମର୍ମସ୍ପର୍ଶୀ ଥିଲା । ସେତେବେଳକୁ ଭାରତ ସ୍ଵାଧୀନ ହେବା ବିଷୟ ଜଣାପଡିଥାଏ । ପ୍ରଜାମଣ୍ଡଳର କେତୋଟି ଅଧ୍ଶନ ଇତିମଧ୍ୟରେ ଅନୁଷ୍ଠିତ ହୋଇସାରିଥିଲା । କୁଆଁଳୋ ଅଧ୍ଵବେଶନରେ ବୈଷ୍ଣବ ବାବୁ ଉପସ୍ଥିତ ଥିଲେ । ସେ କମ୍ୟୁନିଷ୍ଟ ପାର୍ଟିରେ ଯୋଗଦେଇ ଥିବାରୁ ସେହି ସଭାରେ କିଛି ଗୁଞ୍ଜରଣ ସୃଷ୍ଟି ହୋଇଥିଲା । କିନ୍ତୁ ଅଗଣିତ ପ୍ରଜାମଣ୍ଡଳ ସଭ୍ୟ ବୈଷ୍ଣବ ବାବୁଙ୍କ ସପକ୍ଷରେ ଥିଲେ । ସେମାନଙ୍କ ମତ ଥିଲା, ‘ବୈଷ୍ଣବ ବାବୁ ହେଉଛନ୍ତି ପ୍ରଜାମଣ୍ଡଳର ଆତ୍ମା’ । ଏତାଦୃଶ ପରିସ୍ଥିତିରେ ଆଜୀବନ ବିପ୍ଲବୀ ଉଦାରଚେତା ବୈଷ୍ଣବବାବୁ କହିଥିଲେ, ‘ ମୁଁ ପ୍ରଜାମଣ୍ଡଳରେ ଥାଏ ବା ନଥାଏ, ଢେଙ୍କାନାଳ ରାଜାଙ୍କ ବିରୁଦ୍ଧରେ ମୋର ଲଢେଇ ଅବ୍ୟାହତ ରହିବ ।’ ଶେଷରେ ୧୯୪୭ ଅଗଷ୍ଟ ୧୫ରେ ଭାରତ ସ୍ବାଧୀନ ହେଲା । ନାନାଦି ଘାତ ପ୍ରତିଘାତ ସତ୍ତ୍ବେ ୧୯୪୮ ଜାନୁ ଆରୀ ୧ ତାରିଖରେ ଢେଙ୍କାନାଳର ମିଶ୍ରଣ ଘଟିଲା । ଦୁଃଖର ବିଷୟ, ସେହିବର୍ଷ ମାର୍ଚ୍ଚ ମାସରେ ବୈଷ୍ଣବ ବାବୁଙ୍କୁ ଗିରଫ କରାଗଲା । ସେ ବିଭିନ୍ନ ସ୍ଥାନରେ ଗଣ୍ଡଗୋଳ ଭିଆଇ ଭଙ୍ଗାରୁଜା କରୁଥିବାଅଭିଯୋଗରେ ତାଙ୍କୁ ନିରାପତ୍ତା ଆଇନ ବଳରେ ଗିରଫ କରାଯାଇଛି ବୋଲି ଓଡ଼ିଶା ସରକାରଙ୍କ ଅତିରିକ୍ତ ସଚିବ ଜଣାଇଦେଲେ । ନବକୃଷ୍ଣ ଚୌଧୁରୀ ସେହି ସମୟରେ ମୁଖ୍ୟମନ୍ତ୍ରୀ ଥିଲେ । ବୈଷ୍ଣବ ବାବୁ କଟକ ଜେଲ୍ ରେ ୨୯.୩.୪୮ରୁ ୨୯.୧୨.୫୧ ପର୍ଯ୍ୟନ୍ତ ଅଟକ ରହିଲେ । ବୈଷ୍ଣବ ବାବୁଙ୍କ ସହିତ ମନମୋହନ ମିଶ୍ର ଓ ରାମଚନ୍ଦ୍ର ମିଶ୍ର ପ୍ରଭୃତି ପ୍ରାୟ ୨୫ଜଣ ଅଟକ ରହିଥିଲେ । ୧୯୫୧ରେ ଓଡ଼ିଶା ବିଧାନସଭାର ପ୍ରଥମ ନିର୍ବାଚନ ହେଲା । ବୈଷ୍ଣବବାବୁ ଏହି ନିର୍ବାଚନରେ କମ୍ୟୁନିଷ୍ଟ ପାର୍ଟିରୁ ଢେଙ୍କାନାଳ ନିର୍ବାଚନ ମଣ୍ଡଳୀରୁ ପ୍ରତିଦ୍ବନ୍ଦିତା କରିଥିଲେ । ଉଲ୍ଲେଖଯୋଗ୍ୟ ଯେ, ସେହି ସମୟରେ ସେ ଜେଲରେ ଥିଲେ । ଢେଙ୍କାନାଳ ବିଧାନସଭା ନିର୍ବାଚନ ମଣ୍ଡଳୀରେ ତାଙ୍କର ମୁଖ୍ୟ ପ୍ରତିଦ୍ଵନ୍ଦୀ ଥିଲେ କଂଗ୍ରେସ ଦଳର ବ୍ରଜକିଶୋର ଧଳ । ବୈଷ୍ଣବବାବୁ ଜେଲ୍ରେ ଥାଇ ମଧ୍ୟ ବିପୁଳ ଜନସମର୍ଥନ ଲାଭ ପୂର୍ବକ ନିର୍ବାଚନରେ ବିଜୟୀ ହେଲେ ତଥା ୧୯୫୨ରୁ ୧୯୫୭ ପର୍ଯ୍ୟନ୍ତ ଓଡ଼ିଶା ବିଧାନସଭାର ସଦସ୍ୟ ରହିଲେ । ଏହାପରେ କଂଗ୍ରେସ ପାର୍ଟି ତରଫରୁ ଢେଙ୍କାନାଳ ଲୋକସଭା ନିର୍ବାଚନ ମଣ୍ଡଳୀରେ ରାଜା ଶଙ୍କର ପ୍ରତାପ ମହୀନ୍ଦ୍ର ବାହାଦୂରଙ୍କୁ ୯୩ ହଜାର ଭୋଟ ବ୍ୟବଧାନରେ ପରାସ୍ତ କରି ୧୯୬୨ରୁ ୧୯୬୭ ଯାଏ ଲୋକସଭାର ସାଂସଦ ହୋଇପାରିଥିଲେ । ଏହି ଦୁଇଟି ନିର୍ବାଚନରୁ ତାଙ୍କ ଲୋକପ୍ରିୟତାର ପରିଚୟ ମିଳିଥାଏ । ଲୋକସଭାରେ ସାଂସଦ ଥିବା ସମୟରେ ସେ ପ୍ରାକ୍ତନ ରାଜା ମହାରାଜାଙ୍କ ହାତପାଣ୍ଠି, ଭତ୍ତା ଓ ସ୍ଵତନ୍ତ୍ର ସୁବିଧା ପ୍ରତ୍ୟାହାର ନିମିତ୍ତ ପଦକ୍ଷେପ ନେଇଥିଲେ । ଦେଶ ସ୍ଵାଧୀନ ନହେବା ପର୍ଯ୍ୟନ୍ତସେ ବିବାହ କରିବେ ନାହିଁ ବୋଲି ସଙ୍କଳ୍ପ ନେଇଥିଲେ । ସ୍ଵାଧୀନତା ପରେ ମାଆ ଓ ପରିବାର ଲୋକଙ୍କ ଇଚ୍ଛାକୁ ସମ୍ମାନ ଦେଇ ୧୯୫୩ ମସିହାରେ ସେ ଅନ୍ନପୂର୍ଣ୍ଣା ଦେବୀଙ୍କୁ ବିବାହ କଲେ । ପରିଶେଷରେ ୨୦୧୩ ଜାନୁଆରୀ ୧ ତାରିଖରେ ଅପ୍ରତିଦ୍ଵନ୍ଦୀ ଲୋକପ୍ରିୟ ନେତା ଓ ଆଜୀବନ ବିପ୍ଳବୀ ବୀର ବୈଷ୍ଣବଚରଣ ପଟ୍ଟନାୟକଙ୍କର ଦେହାବସାନ ଘଟିଲା । ତାଙ୍କ ସମଗ୍ର ଜୀବନ ହେଉଛି ଭାରତର ସ୍ଵାଧୀନତା ସଂଗ୍ରାମ ଓ ପ୍ରଜାମଣ୍ଡଳ ଆନ୍ଦୋଳନର ଇତିହାସ । ସେ ଭାରତ ସରକାର ଓ ଓଡ଼ିଶା ସରକାରଙ୍କଠାରୁ ସ୍ଵାଧୀନତା ସଂଗ୍ରାମୀ ଭତ୍ତା ପାଇଥିଲେ ତଥା ବହୁ ସମ୍ମାନରେ ଭୂଷିତ ହୋଇଥିଲେ । ଅନେକ ଅନୁଷ୍ଠାନ ମଧ୍ୟ ତାଙ୍କୁ ସମ୍ମାନ ଓ ସମ୍ବର୍ଧନା ଜ୍ଞାପନ କରିଛନ୍ତି । ରେଭେନ୍ସା ବିଶ୍ବବିଦ୍ୟାଳୟ ତାଙ୍କୁ ସମ୍ମାନ ସୂଚକ ଡକ୍ଟରେଟ୍ ପ୍ରଦାନ କରିଛନ୍ତି । ତାଙ୍କ ମୃତ୍ୟୁରେ ଏ ଦେଶ ଜଣେ ପ୍ରଖ୍ୟାତ ସ୍ଵାଧୀନତା ସଂଗ୍ରାମୀ, ଆଜୀବନ ବିପ୍ଳବୀ, ଲୋକପ୍ରିୟ ନେତ ତଥା ଦେଶସେବକଙ୍କୁ ହରାଇଲା । ଭୁବନେଶ୍ବର, କଟକ ଓ ଢେଙ୍କାନାଳରେ ତାଙ୍କ ପ୍ରତିମୂର୍ତ୍ତି ସ୍ଥାପନ ତଥା ଢେଙ୍କାନାଳ ମହାବିଦ୍ୟାଳୟଟିକୁ ତାଙ୍କ ନାମରେ ନାମିତ କରାଯିବା ନିମିତ୍ତ ଦାବି ହେଉଛି ଓ ତାହା ହୋଇପାରିଲେ ଅଗଣିତ ବୈଷ୍ଣବ ପ୍ରେମୀ ଖୁସି ହେବେ ।
🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳
ଲେଖକ — ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର
ସଦସ୍ୟ ଓଡ଼ିଶା ସାହିତ୍ୟ ଏକାଡେମୀ ଦକ୍ଷିଣକାଳୀ ମାର୍ଗ, ଢେଙ୍କାନାଳ
🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳
No comments:
Post a Comment