*ରଜ*"..........
ଉତ୍କଳ ର ଗଣପର୍ବ । ଅର୍ଣ୍ଣଦାତ୍ରୀ ଙ୍କୁ ସମ୍ମାନ ପ୍ରଦାନ କରିବାର ଉତ୍ସବ ।
“ର’ ଅର୍ଥ ସଂସାର ଓ “ଜ’ ଅର୍ଥ ଯୋଚିବା ।
ସନାତନ ଧର୍ମ ରେ କୌଣସି ନାରିର ଋତୁସ୍ରାବ ପ୍ରଥମ ତିନିଦିନ ଯଥାକ୍ରମେ- ଚାଣ୍ଡାଳି, ବ୍ରହ୍ମଘାତିନୀ, ଓ ରଜକୀ ହୋଇଥାଏ । ଚତୁର୍ଥ ଦିନରେ ଶୁଦ୍ରା ଓ ପଞ୍ଚମ ଦିନରେ ରମଣ ଯୋଗ୍ୟ ହୋଇଥାଏ । ଭୂମି ଙ୍କୁ ଦେବୀ ରୂପେ ଗ୍ରହଣ କରାଯାଇଛି । ଏହା ହିଁ ରଜ ପର୍ବର ଶାସ୍ତ୍ରୀୟ ଆଧାର ।
"ବନସ୍ତେ ଡାକିଲା ଗଜ........", ଓଡିଆ ଘର ର ଝିଅ ଭୂଆଷୁଣି ମାନଙ୍କର ରଜ ରେ ବହୁ ଚର୍ଚ୍ଚିତ ଲୋକ ଗୀତ । ଏହା ମୂଳ ରେ ନିହିତ ଅଛି ଜଗନ୍ନାଥୀ ପରମ୍ପରା । ସଂସାର ଏକ ବନସ୍ତ ବା ଜଙ୍ଗଲ, ଏଥିରେ ହସ୍ତି ସ୍ବୟଂ ନୀଳବ୍ରହ୍ମରାଶି ପରଂବ୍ରହ୍ମ ଶ୍ରୀଜଗନ୍ନାଥ । ରତ୍ନ ସଂହାସନ ର ଭୂଦେବୀ ରଜସ୍ଫଳା ହେବେ, ତିନି ଦିନ ପରେ ପ୍ରକୃତି-ପୁରୁଷଙ୍କର ମିଳନ ହେବ । ସତରେ କେଡେ ନିଆରା ଓ ମହାନ ଆମ ପ୍ରଥା , ପରମ୍ପରା । ମହାନ ଆମ ସଂସ୍କୃତି , ସଭ୍ୟତା । ପବିତ୍ର ଆମ ପର୍ବପର୍ବାଣି ।
ରଜ ଓଡ଼ିଶାର ଏକ ପାରମ୍ପାରିକ ପର୍ବ ଓ ରାଜ୍ୟର ଗଣପର୍ବ । ଏହା ତିନିଦିନ ଧରି ପାଳନ କରାଯାଇଥାଏ । ଏହାର ଦ୍ୱିତୀୟ ଦିନରେ ମିଥୁନ ମାସର ଆରମ୍ଭ ଓ ଏହା ପରେ ବର୍ଷା ଋତୁ ଆରମ୍ଭ ହୁଏ । ରଜ ସଂକ୍ରାନ୍ତିର ପୂର୍ବଦିନ ପହିଲି ରଜ, ଦ୍ୱିତୀୟ ଦିବସ ହେଉଛି ରଜ ସଂକ୍ରାନ୍ତି, ତୃତୀୟ ଦିବସ ହେଉଛି ଭୂମିଦାହ ବା ଭୂମି ଦହନ, ଚତୁର୍ଥ ତଥା ଅନ୍ତିମ ଦିବସ ହେଉଛି ବସୁମତୀ ସ୍ନାନ । ଏହା ଚାଷର ଆରମ୍ଭକୁ ସୂଚାଇଥାଏ । ରଜ ଶବ୍ଦର ଆକ୍ଷରିକ ଅର୍ଥ ରଜବତୀ ହେବା, ଯାହା ପୃଥିବୀକୁ ମାତା ଭାବରେ ବିବେଚନା କରି ବର୍ଷାର ଆଗମନରେ ସେ ରଜସ୍ୱଳା ହେବାର ଓ ନୂଆ ଶସ୍ୟ ଜନ୍ମ ହେବାର ସାଙ୍କେତିକ ଭାବ ବହନ କରିଥାଏ । ଏହି ଦିନରେ ଚାଷୀମାନେ ବସୁମତୀ ତଥା ହଳଲଙ୍ଗଳ ପୂଜନ କରିବା ସହ ଚାଷ କାମରୁ ତିନି ଦିନ ପାଇଁ ବିରତି ନେଇଥାନ୍ତି । ରଜରେ ପୋଡ଼ ପିଠା ଓ ପାନ ଖିଆ ସହିତ ଝିଅମାନଙ୍କ ରଜ ଦୋଳି ଓ ପୁଚି ଖେଳ ସହ ପୁଅମାନଙ୍କ ଲୁଡୁ, ତାସ, ବାଗୁଡ଼ି ଆଦି ଖେଳି ଏହି ଦିବସଟି ପାଳନ କରାଯାଇଥାଏ ।
ଆଷାଢ ମାସ ଚତୁର୍ମାସ୍ୟା ବ୍ରତର ପ୍ରଥମ ମାସ । ଏ ଚାରି ମାସ ମୁନି ଋଷି ଓ ସାଧବମାନେ ସେମାନଙ୍କ ପରିଭ୍ରମଣ ତ୍ୟାଗ କରି ଏକସ୍ଥାନରେ ନିବିଷ୍ଟ ହୋଇ ସାଧନା କରିଥା'ନ୍ତି । ଏହି ମାସକୁ ଦାମ୍ପତ୍ୟ ଜୀବନର ସର୍ବଶ୍ରେଷ୍ଠ ସମ୍ଭୋଗର ମାସ ବୋଲି ଗ୍ରହଣ କରାଯାଏ । ବିରହ, ବିଧୂର ଯକ୍ଷର ପ୍ରିୟା ଉଦ୍ଦେଶ୍ୟରେ ମେଘ ମାଧ୍ୟମରେ ପ୍ରେରିତ ବାର୍ତ୍ତାକୁ ନେଇ ମହାକବି କାଳିଦାସଙ୍କ ରଚିତ "ମେଘଦୂତ' ମହାକାବ୍ୟ ଏକ ଅନବଦ୍ୟ ସାଂସ୍କୃତିକ ବୌଦ୍ଧିକ ପ୍ରତିଲିିପି ଓ ଇତିକଥା । ଆଷାଢ଼ ମାସରେ ପ୍ରଥମ ବର୍ଷାର ଆଗମନରେ ମେଘ ଓ ମାଟିର ମିଳନ ହୁଏ । ମାଟି ମା' ହୁଏ ରଜସ୍ୱଳା । କୃଷିପ୍ରଧାନ ଦେଶ ଭାବେ ଖ୍ୟାତି ଲାଭ କରିଥିବା ଆମଦେଶରେ ମାଟି ମା' ବହୁ କିସମର ଫସଲ ଫଳାଇ ଆମରି ହାତରେ ଅଜାଡ଼ି ଦିଏ । ମା'ଟିଏ ଯେମିତି ପ୍ରଜନନ ପୂର୍ବରୁ ବିଶ୍ରାମ ଆବଶ୍ୟକ କରେ, ସେମିତି ପ୍ରଜନନକ୍ଷମ ହେବାକୁ ଯାଉଥିବା ମାଟି ମା'କୁ ରଜ ତିନିଦିନ ବିଶ୍ରାମ ଦିଆଯାଏ ବୋଲି ବିଶ୍ୱାସ ଅଛି । ପହିଲି ରଜରେ ଆରମ୍ଭ ହୁଏ ପ୍ରସ୍ତୁତି ପର୍ବ । ତିନିଦିନ ଧରି ଧରଣୀ ମାତାକୁ ବିଶ୍ରାମ ଦିଆଯାଏ, ଯେଉଁଥିପାଇଁ ଭୂ-ଖନନ ବାରଣ କରାଯାଇଥାଏ । ମାତୃଜାତି ମଧ୍ୟରେ ଉତ୍ସାହ, ଉନ୍ମାଦନା ଓ ନୂତନ ଶକ୍ତି ଜାଗ୍ରତ କରିବା ପାଇଁ ପାଳନ କରାଯାଇଥାଏ ରଜପର୍ବ । କୁମାରୀମାନଙ୍କ ପାଇଁ ରଜପର୍ବ ହେଉଛି ତାଲିମ ପ୍ରଦାନକାରୀ ପର୍ବ । ଆଷାଢ଼ର ପହିଲି ବର୍ଷାରେ ମାଟି ମା'ର ପ୍ରଜନନ ଶକ୍ତି ଜାଗ୍ରତ ହୋଇଥାଏ, ଏହି କାରଣରୁ ଧରଣୀମାତାକୁ ରଜସ୍ୱଳା ସ୍ତ୍ରୀ ସହିତ ତୁଳନା କରାଯାଏ । ଅବିବାହିତା ଝିଅଙ୍କ ପାଇଁ ଗର୍ଭଧାରଣ କ୍ଷମତା ପ୍ରାପ୍ତିର ଏକ ସାଙ୍କେତିକ ପର୍ବ ହେଉଛି ରଜ । ଜଣେ ନାରୀଭାବେ ଆଗାମୀ ଦିନରେ କିପରି କର୍ତ୍ତବ୍ୟ ସମ୍ପାଦନ କରିବାକୁ ହେବ, ତାହା କୁମାରୀ ମାନଙ୍କୁ ଶିଖିବାକୁ ପଡ଼ିଥାଏ, ଏହି ରଜ ପର୍ବ ପାଳନ ଅବସରରେ । କୁମାରୀମାନେ ରଜପର୍ବର ମଉଜ ଭିତରେ ଜଣେ ନାରୀର ଚଳଣି, ଆଚାରସଂହିତାକୁ ବିଧିଭାବେ ପାଳିଥାଆନ୍ତି ଏବଂ ଭବିଷ୍ୟତରେ ଯେତେବେଳେ ଝିଅଟିଏ ନାରୀଭୂମିକାରେ ଅବତୀର୍ଣ୍ଣ ହୋଇ କର୍ତ୍ତବ୍ୟ ସମ୍ପାଦନ କରେ, ଏହି ଆଚାରସଂହିତା ତାକୁ ସହାୟ ହୋଇଥାଏ । ରଜ ତିନିଦିନ ଧରି ରଜସ୍ୱଳା ନାରୀଭାବେ ଧରଣୀମାତାକୁ କଷ୍ଟ ନ ଦେଇ ଭୂମି କର୍ଷଣ ନ କରି ବିଶ୍ରାମ ଦେଲାଭଳି କଟା, ବଟା ଆଦି ଗୃହକର୍ମ ନ କରି କୁମାରୀମାନେ ବିଶ୍ରାମ କରନ୍ତି । ଧରଣୀ ମାତା ଶସ୍ୟଶ୍ୟାମଳାପୂର୍ଣ୍ଣ ହେବା ପାଇଁ ପ୍ରାଥମିକ ପ୍ରସ୍ତୁତି ଭାବେ ରଜ ତିନିଦିନ ବିଶ୍ରାମ ମିଳିଥାଏ ତାଙ୍କୁ । ଠିକ ସେହିପରି ଝିଅବୋହୂମାନଙ୍କ ଭବିଷ୍ୟତ ସାଂସାରିକ ଜୀବନ ସୁଖମୟ କରିବାକୁ ରଜପର୍ବର କଳ୍ପନା କରାଯାଇଛି । ରଜପର୍ବର ବିଧିବିଧାନକୁ ସେମାନେ ନିଜେ ପାଳନ କରି ଜଣେ ମାତାର କର୍ତ୍ତବ୍ୟକୁ ସୁଚାରୁରୂପେ ତୁଲାଇପାରିବେ ଏବଂ ଭବିଷ୍ୟତରେ ନିଜ ଝିଅମାନଙ୍କୁ ସ୍ୱଅନୁଭୂତିରୁ ଶିଖି ସଂସାର ନିୟମ ଶିଖାଇବେ ।
ପରମ୍ପରା ଅନୁସାରେ ଏହି ଦିନ ଭୂମି ଉପରେ ଖାଲିପାଦରେ ଚାଲିବାକୁ ମନା କରାଯାଇଥାଏ । କୁମାରୀମାନେ ଖାଲି ପାଦରେ ଚାଲନ୍ତି ନାହିଁ, ଅଧିକାଂଶ ସମୟ ଦୋଳିରେ ଝୁଲନ୍ତି ଏବଂ ଗୁଆ ଖୋଳପା କିମ୍ବା ଚପଲ ପିନ୍ଧି ଚଳପ୍ରଚଳ ହୁଅନ୍ତି ।
ବସୁମତୀ ସ୍ନାନ ହେଉଛି ରଜ ପର୍ବର ଅନ୍ତିମ ଦିବସ । ଏହା ବସୁଧାମାତାଙ୍କ ଶୁଦ୍ଧ ସ୍ନାନ । ଏହା ଧରାସ୍ନାନ, ମହାଲକ୍ଷ୍ମୀ ସ୍ନାନ, ମହାଲକ୍ଷ୍ମୀ ଗାଧୁଆ ଓ ଶୁଦ୍ଧ ସ୍ନାନ ରୂପେ ପ୍ରଖ୍ୟାତ । ବଡ଼ି ସକାଳୁ ଶିଳପୁଆରେ ହଳଦୀ କନା ଗୁଡ଼ାଇ ସିନ୍ଦୂର, କଜଳ ଦେଇ ଧରଣୀ ମାତାଙ୍କ ସ୍ୱରୂକୁ ସଜାଇ ପିଢ଼ା ଉପରେ ସ୍ଥାପନା କରି କଳସ ଆମ୍ବଡ଼ାଳ ରଖି କ୍ଷୀର ଦେଇ ସ୍ନାନ କରାଯାଏ । ମାସିକ ଧର୍ମର ବିଧି ଅନୁଯାୟୀ ଧରଣୀ ମାତା ତିନିଦିନ ବିଶ୍ରାମ ପରେ ସ୍ନାନ କରି ଶୁଦ୍ଧ ପବିତ୍ର ହୋଇଥା’ନ୍ତି ।
ମାର୍ଗଶୀର ଶେଷ ଗୁରୁବାରଦିନ ବନ୍ଦ ହୋଇଥିବା ମହାଲକ୍ଷ୍ମୀ ପେଡ଼ି ଏହି ଦିନ ଖୋଲାଯାଇଥାଏ । ରଜସ୍ୱଳାନାରୀ ସଦୃଶ ତିନିଦିନ ଅସ୍ପୃଶ୍ୟ ହୋଇ ରହିବାପରେ ଚତୁର୍ଥ ଦିନ ପ୍ରାତଃ କାଳରେ ଏହି ଶୁଦ୍ଧ ସ୍ନାନ ପର୍ବ । ଏହି ଦିନ ରଜପର୍ବର ଆନନ୍ଦ ଉଲ୍ଲାସ ମଉଳି ଯାଇ ଆଧ୍ୟାତ୍ମିକତା ସ୍ଥାନ ନେଇଥାଏ । ଏହି ବସୁମତୀ ସ୍ନାନ ଦିବସରେ ଧରଣୀ ମାତା ପ୍ରତି ଭକ୍ତିଭାବ ଜାଗ୍ରତ ହୋଇଥାଏ । ବସୁମାତା ରଜସ୍ୱଳା ହୋଇ ଶୁଦ୍ଧସ୍ନାନ ପରେ ସୃଜନ କ୍ଷମତାଶୀଳା ଅର୍ଥାତ ଶସ୍ୟ ବୀଜ ଧାରଣକାରିଣୀ ହୋଇପାରିଥାନ୍ତି ।
ଏହି ପର୍ବରେ ବୋଲାଯାଉଥିବା ଜଣାଶୁଣା ଗୀତ ଯାହା ଆଗେ ଗାଆଁ ଗହଳିରେ ଜନ୍ମ ନେଇଥିଲା ଏବଂ ଲୋକ ମୁଖରେ ବୋଲାଯାଉଥିଲା ପୁରୁଷ ପୁରୁଷ ଧରି ଓ ଧିରେ ଧିରେ ତାହା ଓଡ଼ିଆ ସାହିତ୍ୟ ଭିତରକୁ ଆସିଲା ।
“ବନସ୍ତେ ଡାକିଲା ଗଜ,
ବରଷକେ ଥରେ ଆସିଛି ରଜ,
ଆସିଛି ରଜ ଲୋ
ଘେନି ନୂଆ ସଜବାଜ ॥
ରଜ ଦୋଳି କଟ କଟ,
ମୋ ଭାଇ ମଥାରେ ସୁନା-ମୁକୁଟ,
ସୁନା ମୁକୁଟ ଲୋ
ଦିଶୁଥାଏ ଝଟମଟ ॥
ଝିଅ ମାନଙ୍କର ଖୁବ୍ ମନୋଖୋଲା ଗୀତ ଏହି ପର୍ବରେ ବେଶ ରୁଚିପୂର୍ଣ୍ଣ । ସେହି ଗୀତରୁ କିଛି
ରଜଦୋଳି ଗୀତ :
ବନସ୍ତେ ଡାକିଲା ଗଜ,
ବରଷକେ ଥରେ ଆସିଛି ରଜ ଲୋ,
ଘେନି ନୂଆ ସଜବାଜ ।
ରାଶିରୁ ଛାଡ଼ିଲା ଚୋପା,
ଗୋଡ଼ରେ ନାଇଛୁ ସରୁ ଅଳତା ଲୋ,
ମଥାରେ ସିନ୍ଦୂର ଟୋପା ।
ଉଡ଼ିଲା ଶୁଆ ନାହାକା,
ଦୋଳିଟା କାହିଁକି ଲାଗୁଛି ଏକା ଲୋ,
କାହା ବିନା ଏକା ଏକା ।
ପାଚିଲା ବଇଁଚ କୋଳି,
ବେକରେ ନାଇଚି ଗଜରା ମାଳି ଲୋ,
ଝୁଲାଅ ରଜର ଦୋଳି ।
ପଣସ ପାଚିଲା ବନେ,
ବନ ପୋଡ଼ିଗଲେ ଦୁନିଆ ଜାଣେ ଲୋ,
ମନକଥା କିଏ ଜାଣେ ।
ଶଙ୍ଖ ମଲମଲ ଗିନା,
ଦରଦ ଜାଣେଲୋ ଦରଦୀ ସିନା ଲୋ,
ବଣିଆ ଚିହ୍ନେଟି ସୁନା ।
ନିମ୍ବର ବୁକେ ଚନ୍ଦନ,
ଦେବତା ଗଢ଼ାଇଲା ନାରୀ ଜୀବନ ଲୋ,
ଦେଲା ତହିଁ ଯଉବନ ।
ଢମଣା ଛାଡ଼ିଲା କାତି,
ପୁରୁଷ ସିନାଲୋ ଭ୍ରମର ଜାତି ଲୋ,
ନୂଆ ଖୋଜୁଥାନ୍ତି ନିତି ।
ଚାନ୍ଦରେ କଳଙ୍କ ଚିହ୍ନ,
ନବ ଯଉବନି କିଆଁ ଗୁମାନ ଲୋ,
ଆସିଲେଣି ଜୀବ ଧନ ।
ପୋଖରୀ ତୁଠ ପଥର,
ତତେ ଦେଖିଥିଲି ବାଲି ବନ୍ଧରେ ଲୋ,
ଆଖି ଥିଲା ଏଣେ ତୋର ।
ସାହାଡ଼ା ଗଛର ଛାଇ,
ସେଦିନ କଥାକି ତୋ ମନେ ନାଇଁ ଲୋ,
ଏତେ ଆନମନା କାହିଁପାଇଁ ।
ଖୋସାରେ ଖୋସିଲି ଫୁଲ,
କେତେ ଦେଖାଉଛୁ ନୁଖୁରା ଗେଲରେ,
ଭାଙ୍ଗି ଦେବି ତୋର ଗାଲ ।
ନଈର ଶୁଖିଲା ବାଲି,
କେତେ ଫୁଲି ହେଉ ପୁଚୁକିଗାଲି ଲୋ,
ଦେଖାଉଛୁ କେତେ ବେଲି ।
ବାଜିଲା ତେଲିଙ୍ଗି ବାଜା,
ରସିକ ଯେ ଜାଣେ ସ୍ନେହର ମଜା ରେ,
ସେ ସିନା ମୋ'ମନ ରଜା ।
ଲୁଚିଗଲା ମେଘେ ଚାନ୍ଦ,
ଦୋଳି କଟକଟ କରେ ଶବଦ ଲୋ,
ବହନ୍ତେ ପବନ ମନ୍ଦ ।
ଦୋଳି ହୁଏ ରଟରଟ,
ମୋ ଭାଇ ମୁଣ୍ଡରେ ସୁନା ମୁକୁଟ ଲୋ,
ଦିଶୁଥାଏ ଝଟଝଟ ।
ପରବତେ ଜଳେ ନିଆଁ,
ପହଞ୍ଚାଇ ଦୋଳି ତେଣେ ନ ଚାହାଁ ଲୋ,
ପୁଣି ହେବ ବାଆଁ ଡାଁ ।
ଉତୁରି ପଡ଼ିଲା ଦୁଧ,
ଉଙ୍କି ମାରି ମାରି ଅନାଉ ଥାଏ ଲୋ,
ନନ୍ଦର ଉଦିଆ ଚାନ୍ଦ ।
ଛତରା ବଜାର ହାଟ,
ଛକି ବସିଥିବ ଚଗଲା କାହ୍ନୁଲୋ,
ଛନ୍ଦରେ ମାଗିବ ଘାଟ ।
ଥୋଡ଼ମଞ୍ଜା କଲି ରାଇ,
କଣ ନ କଲେ କଳା କହ୍ନାଇ ଲୋ,
ମୁହଁକୁ ଯା ନ ଅନାଇ ।
କରମଙ୍ଗା କଲି ରାଇ,
ମଥୁରାକୁ ଗଲେ କଳା କହ୍ନାଇ ଲୋ,
କଣ୍ଟ ଦେଇ ଗଲେ କାହିଁ ।
ସାଉଁଟିଲି ବିଲ ଘଷି,
କିମ୍ପାଇଁ ରାଧିକା ବସିଲା ରୁଷି ଲୋ,
ଫୁଲ ଶେଜ ହେଲା ବାସି ।
କଟକଟ ହୁଏ ଦୋଳି,
ଭାଉଜଙ୍କ ମନ ଯାଇଛି ଜଳି ଲୋ,
ଭାଇ ବିଦେଶୁ ନଇଁଲେ ବୋଲି ।
ଗରଜେ କଳା ବଉଦ,
ମୋତେ ତ ବରଷ ହେଲା ଚଉଦ ଲୋ,
ଗଲାଣି ପିଲା ସୁଆଦ ।
ବଇଁଶୀ ବାଜିଲା କୁଞ୍ଜେ,
ବଡ଼କଥା ବଡ଼ ଲୋକଙ୍କୁ ସାଜେ ଲୋ,
ଛୋଟ କଲେ ଛାଟ ବାଜେ ।
ଲାଞ୍ଜ ଟେକିଗଲା ବାଘ,
ନଇଁ ଚାଲୁଥିବ ବଡ଼ଙ୍କ ଆଗେ ଲୋ,
ଲାଗିବ ନାହିଁଟି ଦାଗ ।
ଛତୁ ଫୁଟେ ବରଷାରେ,
ଛତରାଟା କେତେ ଛଇ ଦେଖାଉ ରେ,
ଅଛି କି ତୋ ଭରଷାରେ ।
କରଡ଼ି ଖସିଲା ଆମ୍ବ,
ପର କାହୁଁ ଘର ପରାଣୀ ହେବେ ରେ,
ମନ ଜାଣି ଖଞ୍ଜି ଦେବ ।
ବିରାଡ଼ି ଛିଙ୍କିଲା ବଣେ,
ଆଗରେ ଯାଉଛି ନାଗର ଜଣେ ଲୋ,
ମୁଣ୍ଡି ଝାଡୁ ଖାଲି ପଣେ ।
ଅଦିନେ ପଣସ ସିଠା,
ବଚନରେ ଯାର ନଥଏ ମିଠା ଲୋ,
ସେଟା ବାଡ଼ ପକା କଣ୍ଟା ।
ପାହାନ୍ତି ରାବିଲେ ପେଚା,
ଯିଏ ହୋଇଥିବ ସିଂହର ବଚା ଲୋ,
ନ ଦେବ ପଛଘୁଞ୍ଚା ।
ମଇଁଷି ଶିଙ୍ଗରେ ଖସା,
ମଉସା ପୁଆଟା ଏଡ଼େ ସହସା ଲୋ,
ମତେ କଲା ଲୋକହସା ।
ଜାରା ମାରିଦେଲା ବାଣ ,
ଯାହାଠାରେ ଯାର ମିଶିଛି ମନ ଲୋ,
ସେହି ଜାଣେ ତାର ଗୁଣ ।
କାଟି ଗଲି କଳା ଦୁବ,
ଝିଅ ଜନମରେ ଏତିକି ଲାଭ ଲୋ,
ବନ୍ଧୁ ଘର ଅରଜିବ ।
କାଳୀଗାଇ ଦୁଧ କ୍ଷୀରି,
ନୂଆ ପୀରତିରେ ମଉଜ ଭାରି ଗୋ,
ପୁରୁଣାଟି ନିମ୍ବ ପରି ।
ଆମ୍ବ ପତ୍ର ଗହଳିଆ,
ପ୍ରୀତି ପଙ୍କେ ତୁହି ହେବୁ ଗୋଳିଆ ଲୋ,
ତୋଫା ହେବଟି ଧୁଳିଆ ।
ଥିରି ଥିରି ଚାଲେ ହାତୀ,
ଥୟ ନ ହେଉଛି କିମ୍ପା ଏ ଛାତି ଲୋ,
ଥକା ଦୋଳି ହେଲା ରାତି ।
ରଜରେ ପିଠାପଣା ବ୍ୟତୀତ ପାନଖିଆ ଏକ ପୁରୁଣା ଓଡ଼ିଆ ପରମ୍ପରା । ପ୍ରୀତିର ବନ୍ଧନ ହେଉଛି ପାନ । ପ୍ରୀତି, ପ୍ରେମ, ବନ୍ଧୁତାର ଛ'ଲକ୍ଷଣ ଏ ଦେଶରେ ନିର୍ଦ୍ଧାରିତ କରାଯାଇଛି । ଦିଏ, ନିଏ, ଖାଏ, ଖୁଆଏ, ଗୋପନ କଥା କହେ ଓ ପଚାରେ, ଏ ଛ'ଟି ଆନ୍ତରିକତା ଓ ନିବିଡ଼ତାର କଥା । ଭୋଜନ ଶେଷରେ ତାମ୍ବୁଳ ସେବା ଏକ ପ୍ରାଣମୟ ବ୍ୟବସ୍ଥା । ଓଡ଼ିଆଙ୍କ ଠାକୁର ବଡ଼ଠାକୁର ଜଗନ୍ନାଥ ପ୍ରତିଦିନ ଭୋଜନାନ୍ତେ ତାମ୍ବୁଳ ସେବା କରି ନିଦ୍ରା ଯାଆନ୍ତି । ପାନ ହେଉଛି ମୁଖବାସ, ପରିତୋଷ । ରଜ ସହିତ ପାନ ଯୋଡ଼ିହେବା ପଛରେ କଥା ଅଛି, ଏଡା ବନ୍ଧୁତାର ଡେ଼ାରିକୁ ସୁଦୃଢ କରିବ । ରଜରେ ଝିଅମାନେ ସମସ୍ତଙ୍କୁ ପାନ ଦବାନବା କରିଥାନ୍ତି । ଆୟୁର୍ବେଦ ଶାସ୍ତ୍ର ଅନୁସାରେ ପାନ ଜୀର୍ଣ୍ଣକାରକ ଏବଂ କୃମିନାଶକ । ପାନରେ ଦିଆଯାଉଥିବା ଚୂନ ଲୌହଶକ୍ତି ପୂର୍ଣ୍ଣ (କ୍ୟାଲସିଅମ) ଓ ଖଇର ଦାନ୍ତକୁ ମଜଭୁତ କରିଥାଏ । ପାନ ଖାଇଲା ବେଳେ ପତ୍ରରୁ ଶିରା ଛେଦନ କରାଯାଇଥାଏ କାରଣ ପାନଶିରା ହେଉଛି ବୁଦ୍ଧି ବିନାଶିନୀ । ରଜପାନର ଚମକ ଓ ମହକ ସାରାବର୍ଷର ପାନକୁ ବଳିଯାଏ, ରଜ ଆଭୂଷଣକୁ ଆହୁରି ମୁଗ୍ଧକର କରିଦିଏ । ରଜପାନରେ ଗୁଆ, ଅଳେଇଚ, ଗୁଜୁରାତି, ଭଜା ଧଣିଆ, ଚାଉଳ ଓ ନଡିଆ ଖଣ୍ଡ, ଚେରି, ଲବଙ୍ଗ, କବାବଚିନି, ଚୁଆ, ପାନ ମହୁରି, ସୁବାସିତ ଜାଫ୍ରାନ କେଶର, ଖଇର ପରି ୧୦ରୁ ୧୨ ପ୍ରକାର ମସଲା ବ୍ୟବହୃତ ହୁଏ । ଏହାକୁ ବିଭିନ୍ନ ଢଙ୍ଗରେ ତ୍ରିଭଙ୍ଗି, ଚଉଭଙ୍ଗି ଆକୃତି ଦେଇ ଉପରେ ଲବଙ୍ଗ ଖୋସି ଅତି ସୁନ୍ଦର ଭାବେ ଥାଳିରେ ସଜାଇ ଦିଆଯାଏ । ସାଧାରଣ ଦିନର ପାନଠାରୁ ରଜପାନର ସ୍ୱାଦ ସ୍ୱତନ୍ତ୍ର ।
ଓଡ଼ିଆଙ୍କ ପର୍ବପର୍ବାଣୀ ଖୁବ୍ ନିଆରା ଏଥିରେ ସ୍ନେହ ବନ୍ଧନ ସହ ପ୍ରକୃତି ତଥା ଓଡ଼ିଆଙ୍କ ଭକ୍ତି, କଳାନିପୁଣତା ସ୍ପଷ୍ଟ ବାରିହୋଇପଡେ ।
✍ ସନ୍ତୋଷ ପଟ୍ଟନାୟକ , ଗଞ୍ଜାମ ।
No comments:
Post a Comment