ଦେହରେ ମାରିଛି ସୁବାସ ଅତର
ଓଠରେ ତା' ନାଲି ଧାର ,
ଇନ୍ଦ୍ରଧନୁ ରଙ୍ଗ ଝୀନ ବସନରେ
ଢଙ୍କା ଯୌବନ ସମ୍ଭାର
ଗୌର ତନୁ ମଧ୍ୟେ କ୍ଷୀଣ କଟି ସଜ
ତା' ମଧ୍ୟେ ଗଭିର ନାଭି ,
ଉନ୍ନତ ବକ୍ଷୋଜ ସୌନ୍ଦର୍ଯ୍ୟକୁ ଘେନି
ପୁରୁଷେ ମାରୁଛି ବାଦି....
ଇନ୍ଦ୍ର ଭୁବନର ପାରିଜାତ କିବା
ଫୁଟି ବଢଉଛି ଶୋଭା ,
କଜ୍ୱଳ ପୁରିତ କୁରଙ୍ଗୀ ନୟନୀ
ଚାହାଣୀ ତା' ମନଲୋଭା
ଚଳନ୍ତି ପ୍ରତିମା ସତେ ରାଜଜେମା
ରୂପ ସମ୍ଭାରକୁ ମାଖି
ମରତେ ଆସିଛି ଭ୍ରମିବାକୁ ଶୋଭା
ଦେଖି ଲାଗିଯାଏ ଆଖି
ଯଉବନ ତା'ର ଘୃତମିଶା ସର
ମଧୁ ଠାରୁ ମିଠା ଅତି ,
ତୁଷାର୍ତ୍ତ ପ୍ରାୟକେ ସତେ ସେ'ଯୌବନ
ଚାହୁଁଛି ଟିକିଏ ତୃପ୍ତି
ଅଜସ୍ର ପ୍ରଶଂସା ଅଜାଡି ଦିଅନ୍ତି
ବାଟରେ ବାଟୋଇ ଦେଖି ,
ରୂପର କୋଣାର୍କ ଗଢିକେ ଦିଅନ୍ତି
ସ୍ୱର୍ଗକୁ ନିଶୁଣି ଯୋଖୀ
ନାନା ଭାବନାରେ ନାନା ରୂପେ ପରା
ହେଉ ଥାଏ ବିଦ୍ୟମାନ ,
ଚପଳା ଯେସନେ ଅମ୍ବରକୁ ଚୁମି
ଚାଲିଯାଏ ତତ୍ କ୍ଷଣ ...
- ସନ୍ତୋଷ ପଟ୍ଟନାୟକ ,ଗଞ୍ଜାମ ।
No comments:
Post a Comment