#ସମାଜ 73 no
-----------------
ଅଧଃପତନ ଏ' ସମାଜର ଗତି
ଅଭିଶପ୍ତ ରାଜନୀତି
ଅହଂଭାବ ଭର୍ତ୍ତି ମଣିଷ ମତ୍ତିରେ
ଅବା ହୀନ କୁଟନୀତି
ଅର୍ଜିତ ସମ୍ପତ୍ତି କାର୍ଯ୍ଯେ ନୁହେଁ ସିଦ୍ଧି
ଅକାରଣେ ଯିବ ଧୋଇ
ଅପଦସ୍ତ ତୁମ କପାଳରେ ଲେଖା
ଅଯୋଗ୍ଯ ସନ୍ତାନ ପାଇ
- ରାଧା କୃଷ୍ଣ ବାୟକ
ପଶୁ-ପକ୍ଷୀ ଛଡ଼ା ଅନ୍ୟ ପ୍ରାଣୀଙ୍କର ଦଳ
ଦୈନନ୍ଦିନ କାର୍ଯ୍ୟେ ବିତରନ୍ତି ବୁଦ୍ଧି-ବଳ
ଭିନ୍ନ ଭିନ୍ନ ବର୍ଣ୍ଣ ଜାତି ସମୂହଙ୍କ କାର୍ଯ୍ୟ
ଧର୍ମ, ଆଚାର,ବିଦ୍ୟା ନେଇ ଗଠିତ ସମାଜ
ହିନ୍ଦୁ, ବ୍ରାହ୍ମଣ , ସାହିତ୍ୟ ଅନେକ ଏ' ଶ୍ରେଣୀ
ଜାତି ବିଶେଷର ଲମ୍ବା ହେବ ତା' ସାରଣୀ
ବିଶେଷ ଉଦ୍ଦେଶ୍ୟ ନେଇ ସମାଜକୁ ମାଜ
ଧୋଇ କଳଙ୍କ ଯେତେ ପରୋପକାରେ ମଜ୍ଜ ।।
- ସନ୍ତୋଷ ପଟ୍ଟନାୟକ
ହଳାହଳ ପୂର୍ଣ୍ଣ ଆଜି ଏ' ସମାଜେ
ମିଥ୍ୟାବଦୀ ପାଏ ପୂଜା
ସତ୍ୟବାଦୀ ସଦା ସଂଘର୍ଷ କରଇ
ଭୋଗୁଛି କଷଣ ସଜ୍ଜା
ନୀରବି ଯାଇଛି ସତ୍ୟର ପ୍ରଳାପ
ମିଥ୍ୟା କରେ ଉପହାସ
ଦୁନିଆଁ ଆଜି ଗୋଲାମ ତାହାର
କରେ ତେଣୁ ଅଟ୍ଟହାସ୍ୟ
- ଟୁକୁନା ସାହୁ
ଏ' ସମାଜ ଆଜି ମଳିନ ପଡିଛି
ରାଜନୀତି ଚକ୍ରବିହ୍ବେ
ନାହିଁ ଦୟା କ୍ଷମା କାହା ମନେ ଆଜି
ଅକାରଣେ ପ୍ରାଣ ଯାଏ
ଅହିଂସା ଯାହାର ଥିଲା ଏଠି ମନ୍ତ୍ର
ପଡିଛି ହିଂସାର ଛାଇ
ରାକ୍ଷସ ଏଇଠି ରାଜା ଯେ ହୁଅଇ
ମହାପୁରୁଷ ଟେ ହୋଇ
- ଜଗବନ୍ଧୁ ସାହୁ
ଦୁର୍ନୀତିର ଗନ୍ଧେ ଆଜିର ସମାଜ
ଅଣନିଶ୍ୱାସୀ ଲାଗୁଛି
ନିତି ଆଦର୍ଶର ସେ କଥା ଅମୃତ
ସ୍ୱାର୍ଥର ବିଷେ ଜଳୁଛି
ଚାରିଆଡ଼େ ଖାଲି ପ୍ରତିହିଂସା ନିଆଁ
ଭୟରେ ଦେହ ଥରୁଛି
ଅଶାନ୍ତି କରୁଛି ସମାଜେ ରାଜୁତି
ବିଚରା ଶାନ୍ତି କାନ୍ଦୁଛି...
- ରାମ ଚନ୍ଦ୍ର ପ୍ରଧାନ
ମାନବ ଅଟଇ ସାମାଜିକ ପ୍ରାଣୀ
ସମାଜ ମାନବ ପ୍ରାଣ
ସମାଜ ସହିତ ମାନବ ସମ୍ପୃକ୍ତି
ଜଳରେ ଯେସନ ମୀନ
ସୁସ୍ଥ ସମାଜର ଗଠନ ନିମନ୍ତେ
ଜାଗ ହେ ମାନବ ଜାତି
ସମାଜ ମଧ୍ୟରେ ବଞ୍ଚିବାକୁ ହେଲେ
ମାନ ସାମାଜିକ ରୀତି
- ପ୍ରବୀର ମଲ୍ଲିକ୍
ବିଧି ବୈଧିକ ଶୈଳିକ ଯୋଜନାକୁ
ସର୍ବେ କୁହନ୍ତି ସମାଜ
ସମାଜକୁ ଟିକେ ପରଖ ପାଠକେ
ଦିଅଇ ଖାଲି ଦରଜ
ଯାହାକୁ ସମାଜ ବୋହୂଟିଏ କରି
ବସାଏ ମାଟି ବେଦୀରେ
ତାକୁ ପୁଣି ନିଜେ ବିବସନା କରି
ସଜାଏ ବେଶ୍ଯା ରୂପରେ
- ଦାଶରଥି ସାହୁ
ସ‐ସରି ସରି ଆସେ ସଂସ୍କାର ସଂସ୍କୃତି
ପାଶ୍ଚ୍ୟାତ ଢାଞ୍ଚାର ଆଳେ
ସ୍ବାର୍ଥର ପାହାଡେ ଠିଆ ଏ ମାନବ
ଅପସଂସ୍କୃତିକୁ ପାଳେ
ମା‐ମାଡିଚାଲେ ଏଠି ସମାଜ ଗାଡିଟା
ଅନ୍ଯାୟ ଅନୀତି ବାଟେ
ନାରୀର ଇଜ୍ବତ ନିଲାମ ଏଇଠି
ଜୀବନ ସଉଦା ହାଟେ
ଜ‐ଜଉତୁକ ପାଇଁ ଜଳି ମରେ ବଧୂ
ଗୁଣ୍ତା ସାଜେ ଏଠି ନେତା
ସବୁ ଜାଣି ସବୁ ଦେଖେ ଏ ସମାଜ
ତଥାପି ପଶେନି ଚେତା
- ରବିନ୍ଦ୍ର ସାହୁ
No comments:
Post a Comment