'ସାଧବଝିଅ' ଓ କବି ଡଃ ମାୟାଧର ମାନସିଂହ
---------------------------------------------------
ଉପସ୍ଥାପନା : ଅମ୍ରିତେଶ ଖଟୁଆ
( ଧାରାବାହିକ ଭାଗ - ୮ )
ଗତ ଧାରାବାହିକ ଭାଗରେ ଦେଖିଥିଲେ ମାଲୁଣୀ ପ୍ରତି ସାଧବ ଝିଅର ଆକୁଳଭରା ନିବେଦନ । ଏବଂ ଏଥିପୂର୍ବରୁ ବିଗତ ହୋଇଅଛି ମାୟାଧର ମାନସିଂହଙ୍କ ପୁଣ୍ୟତିଥି। ଏହି କାବ୍ୟର ପଟାନ୍ତର ଗଣିଲେ କ୍ଵଚିତ୍ ଓଡିଆ ଲୋକସାହିତ୍ୟ ଓ ଇତିହାସରେ ଏତେ ନୈପୁଣ୍ୟ ଓ ସରଳତାର ସହ ବର୍ଣ୍ଣନା ପାଟବକୁ ବିସ୍ତୃତ ଭାବରେ ଯୁଗୋପଯୋଗୀ କରିପାରେ। ସ୍ଵୟଂ କବି ମାୟାଧରଙ୍କ ଭାଷାରେ -
"କାବ୍ୟର ଗଳ୍ପ ଓ ପରିକଳ୍ପନା ନୂତନ। କାବ୍ୟର କାଳ ବହୁ ପ୍ରାଚୀନ । ନାୟକ-ନାୟିକାଙ୍କର ଇତିହାସ ଅସ୍ପଷ୍ଟ । ଏସବୁ ଘେନି ଜୀବନ୍ତ ଓ ସରସ କାବ୍ୟ ଲେଖିବା ମୋ ପରି ଅଧମ ପକ୍ଷରେ ଏକ ପରମ ଚେଷ୍ଟା ବୋଲିବାକୁ ହେବ। " କବିଙ୍କର ରଚନା ସମୟ ଥିଲା ଯୁବାବସ୍ଥା -- ଶିକ୍ଷା ସମାପ୍ତି, ବିବାହ, ଶିକ୍ଷକତା, ବିଦେଶ ଗମନ ମଧ୍ୟରେ ତାଙ୍କର "ମହାନଦୀରେ ଜ୍ୟୋତ୍ସ୍ନା ବିହାର" କବିତା ମାଧ୍ୟମରେ ହତଶିରୀ ଉତ୍କଳକୁ ଦେଖିଥିଲେ।
ହେଲେ ସେହି ହତଶିରୀ କବିକୁ ମୁଗ୍ଧପଣେ ନିମଜ୍ଜିତ କରି ରଖାଇ ପାରେ ନାହିଁ, ବରଂ ତାଙ୍କୁ ଉତ୍କଳୀୟ ଇତିହାସର ରସାତଳୁ ଯେପରି କେହି ଆହ୍ଵାନ ଦେଉଛି - 'ଆଉ କଣ ଏ ଦୁର୍ଗ ପୁଣି ମୁଣ୍ଡ ଟେକିବନି ? ବୋଇତ ଆଉ ମଣିମୁକ୍ତା ଧରି ଫେରିବନି ?' ଏଇଭଳି ମଧ୍ୟଯୁଗୀୟ ସମୃଦ୍ଧି କିମ୍ବା ପଲ୍ଲୀ କୋଳର ଶାନ୍ତି ଅହରହ ଖୋଜିଛନ୍ତି କବି ମାୟାଧର ମାନସିଂହ। ତାଙ୍କର 'ସାଧବ ପୁଅ' , 'ମାଲୁଣୀ' ତଥା ଏହି 'ସାଧବ ଝିଅ' ଚରିତ୍ର ବିଶେଷ ଆକର୍ଷଣୀୟ ।
ସାଧବପୁଅ ପଠେଇଥିବା ମାଳା ନେଇ ମାଲୁଣୀ ଯାଇଛି ସାଧବ ଝିଅ ପାଖକୁ । ସେହି ମାଳା ଦେଖି ସାଧବଝିଅର ସବୁ ବିଷଣ୍ଣତା , ବିରାଗଜନିତ ବିଷାଦବୋଧ କ୍ଷଣକରେ ଉଭେଇଯାଏ ! ରମଣୀ ହେଉଛି କୁହୁକିନୀ, ଏଠାରେ ଓଡିଆଣୀର ରୂପ, ଭାବନା, ଉଦ୍ଦୀପନା, ସମର୍ପଣ ଓ ଆବେଗର ଏକଧାରରେ ବହିଯାଇଛି ପ୍ରେମ ଓ ଅନୁରକ୍ତି । ପରବର୍ତ୍ତୀ ସଂଯୋଜନାରେ ଅତି ଚମତ୍କାର ଭାବରେ ସମାହିତ କରିଛି ମାଲୁଣୀ !
ମାଲୁଣୀ ଜାଣିଛି ସାଧବପୁଅ ଓ ସାଧବ ଝିଅର ସେହି ପ୍ରେମ ହେଉଛି ଏକ ବଢନ୍ତା ନଈ । କେତେ ବେଳେ ଯେ ବନ୍ଧ ଡେଇଁ କୂଳ ଲଂଘିଯିବ , ତାହାର କଳନା କରିବା ସମ୍ଭବ ନୁହେଁ । ନାରୀ ହେଉଛି ଏକ ସୌନ୍ଦର୍ଯ୍ୟର ଝଙ୍କାର, ଆଉ ସାଧବ ଝିଅ ହେଉଛି ଏଠାରେ ସେହି ସୌନ୍ଦର୍ଯ୍ୟ, ଯାହାର ନିର୍ମଳ ଭାବନାର ଗାତ୍ର ଦେଇ ସ୍ଫୁରି ଉଠୁଅଛି ଆବେଗ ଓ ସମର୍ପି ଦେବାର ଅନବଦ୍ୟ ଭାବ । ଏଠାରେ କବି ମାନସିଂହ ରୀତିଯୁଗର ଗୌଣ ଭୂମିକାରେ ଅବଧାରିଥିବା ମାଲୁଣୀକୁ ତାହାର ପ୍ରକୃତ ବୈଶିଷ୍ଟ୍ୟ ପ୍ରତିପାଦିତ କରାଇଛନ୍ତି।
ଏଥର ସାଧବ ଝିଅର ସମ୍ବାଦ ନେଇ
ମାଲୁଣୀ ସାଧବପୁଅ ନିକଟରେ ଉପଗତ
ହୋଇ ଚତୁରତାର ସହ ଜଣାଉଛି ---
(ରାଗ - କାଳୀ)
"ଶୁଣ ସାଧବ ଖବର ଶୁଭ ବଧାଇ ନେଲେ ଦେବି
ତବ ମାନସୀ ନବ ବ୍ରତତୀ ତନୁରେ ଗୁଡାଇବି ।
କି ମନ୍ତ୍ର ଫୁଙ୍କି କାହାଠୁ ଶିଖି ରଚିଲ ଫୁଲହାର
ଛୁଇଁଲା କ୍ଷଣି ସେ ବାଳାମଣି ଭୋଗିଲା ଶୀତ୍କାର !
ଉଠି ଆସନୁ ବର ବଦନୁ ସ୍ମିତ-ମୁକୁତା ବୁଣି,
ପଚାରେ କର ଧରି ମୋହର "ସତ କହ ମାଲୁଣି,
କିଏ ସେ ଦେଲା ? ଧନେ ମିଳିଲା ଚିଜ ଏ ନୁହେଁ କେବେ
ପରଶପ୍ରୀତି ଦେଇ ଗୁଁଥିଛି ମନେ ଯେପରି ଭାବେ।
ଆମ ନଗରେ ସାହସ ଭରେ କିଏ ପେଶିବ ମାଳା,
ବିଦେଶୀ କେହି- ସତେ କି ସେହି ?" କହିଚାଲିଲା ବାଳା ।
ତାକୁ ଉତ୍ତରେ ଧରି ଓଠରେ ହଜାଇ ଦେଲି ଧୀରେ
ଇଙ୍ଗିତ ପାଇ ସୁଖ ତା ବହି ଭାସିଲା ଆଖି-ନୀରେ।
ତହିଁ ତା ମୃଦୁ ଭୁଜରେ ମଧୁ ଆଶ୍ଳେଷ ଦେଇ ଗାଢେ
ପଡି ମୋ ବୁକେ ମଧୁର ଦୁଃଖେ ନୟନୁ ନୀର ଛାଡେ।
ଫୁଲି ଫୁଲି ସେ ଅଫୁଟା ଭାଷେ କହଇ ମୁହଁ ପୋତି
"ମାଳୁଣି ନାନୀ, ମିଳାଅ ଆଣି ଏତିକି ମୋ ମିନତି।
ବହୁତ ବୋଧ କରି ଅବୁଝ- ଟାକୁ ଫେରୁଛି ଏଇ,
ସାଧବପୁଅ ସଜାଡ଼ ହୁଅ ଗୋପନେ ଯିବି ନେଇ।
ଫୁଟିଲେ କଥା ଯିବ ଏ ମଥା କୁଟୁମ୍ଵ ହେବ କାଟ,
ରାଜା କହିଲେ, ମିଶେ ମୁଁ ହେଲେ ପଶନ୍ତି କି ଏ ବାଟ ?
ବାଳୁତ ବେଳୁ ଆଶ୍ରି ଏ ବାହୁ ବଢିଛି ଯେ ସଙ୍ଖାଳି,
ତା' ଯୁବାକାଳ ଅର୍ଦୋଳି-ଜାଳ କେମନ୍ତେ ନ ସମ୍ଭାଳି ?
ତରୁଣୀ ମନ, ହେଲା ଲଗନ ଯହିଁ ସେ ପ୍ରାଣ ତାର,
ଦେହ ଭୂଷଣ, ସୁଖ ସୁଜନ ତା' ବିନୁ ସବୁ ଛାର।
ଶେଠ ନନ୍ଦନ ମନକୁ ଘେନ ନିଜରେ ଭାଗ୍ୟବନ୍ତ,
ଯେ ଦିଏ ଧରା ଧରେ କି ଧରା ତା' ପରି ଶୋଭାବନ୍ତ ?'
ତନୁ ପାତଳ ଓଠ ପାଟଳ ଝଳା-ସୁବର୍ଣ୍ଣ ଗାଲ
ବାୟସ କୃଷ୍ଣ କୁଟିଳ କେଶ ନିତମ୍ବ ଚୁମ୍ବେ ତା'ର।
କଖାରୁ ବୀଜ ପରି ସଲଜ୍ଜ ସୁନ୍ଦର ଦୁଇ ଆଖି,
ଅଦରକାରୀ ବୋଲି ସେ ଗୋରୀ କଜଳ ନୁହେଁ ମାଖି ।
ଉରୁ-କୁସୁମ- ଭାର-ସରମ ଫଳେ ସେ ନଇଁ ଚାଲେ
କେତକୀ ଦଳ ଉଡିଯିବାର ଦେଖିବା ଲୋକ ଭାଳେ।
ସେ ଅଚୁମ୍ବିତ କୁସୁମ ତୁ ତ ପାଇବୁ ତୋର କରେ
ଭୋଗି ନିଷ୍ଠୁର ସାଧବପୁଅ ନୋହିବୁ ତା' ଉପରେ।
ପୁରୁଷ-ମନ ଭ୍ରମର-ସମ ଫୁଲରୁ ଫୁଲ ଉଡେ
ନୂତନ ଆଶେ ମୋହରେ ପଶେ ଖଟରୁ ଖତକୁଢେ।
ତାହା ନ କର ସାହୁ-କୁମର ରମଣୀ କୁହୁକିନୀ
ପୀରତି ଦେଲେ ଏକା ସେ ହେବ ସହସ୍ର-ମାୟାବିନୀ।
ନାରୀ ତ ବୀଣା ଚାହେଁ ବାଜଣା ନାୟକ ପୁଂସ-କରେ,
ପାରିଲେ ବାଇ ଗୀତ ଫୁଟାଇ ତା ଦେହୁ ନିରନ୍ତରେ।
ଏତିକି ମନେ ରଖିଥା ଦିନେ ବୁଝିବ ବୁଢୀ-କଥା
ସଙ୍ଖାଳି ମୋର ହେବ ତମର ଘୁଞ୍ଚୁ ତା ପ୍ରାଣ ବ୍ୟଥା।
[ 💐💐💐 କାଳୀ --- ସମ୍ପର୍କରେ କିଛି 💐💐💐]
[ଦୁଇପାଦ ବିଶିଷ୍ଟ ଏହି ଛନ୍ଦରେ ପ୍ରତିପାଦ ସତର ଅକ୍ଷର ବିଶିଷ୍ଟ । ପ୍ରତି ପାଦର ପଞ୍ଚମ, ଦଶମ, ପଞ୍ଚଦଶ ତଥା ଶେଷ ଅକ୍ଷର ଉପରେ ଯତିପାତ ହୁଏ]
( କ୍ରମଶଃ ..... 💐💐💐
ଉପସ୍ଥାପନା - ଅମ୍ରିତେଶ ଖଟୁଆ )
No comments:
Post a Comment