ସାଧବବୋହୂ ~~ 76
ବର୍ଷା ଆଗମନେ ପାଟ ଭୁଆସୁଣି
ଆହାକି ଧାଡ଼ି ସୁନ୍ଦର
କ୍ଷେତ ହିଡ଼ପରେ ଚାକୁଣ୍ତା ପତରେ
ନିଇତି ଖୋଜେ ଆହାର
ନାଆଁଟା ଯେମିତି ରୂପବି ସେମିତି
ପାଟ ପୋକ ନାମ ତାର
ନାଲି ଟୁକୁଟୁକୁ ସାଧବବୋହୂଟି
ପୋକଙ୍କ ମଧ୍ଯେ ସୁନ୍ଦର
‐ ରାଧା କୃଷ୍ଣ ବାୟକ
ପୁଷ ମାର୍ଗଶୀରେ ବାଲିଆ ଜମିରେ
ଆସୁଥିଲେ ସିଏ ଲେଉଟି
କୋମଳ ସୁନ୍ଦର ମଖମଲ୍ଲୀ ଦେହ
ରୂପରେ ସାଧବବୋହୂଟି
ପାଟପୋକ ଅନ୍ୟ ନାମଟି
କଅଁଳ ପତର ଆହାର ତାଙ୍କରି
ଠୁକୁରୁ ଠୁକୁରୁ ଚାଲିଟି
ଏଇ ପାଟ ପୋକ ଲୁପ୍ତ ପ୍ରାୟ ଆଜି
ନାହିଁ ତାଙ୍କ ଆଗମନ
ଘାସ ଗାଲିଚାରେ ପାଟପୋକ ସାଥେ
ମନେପଡେ ପିଲାଦିନ
- ଜଗବନ୍ଧୁ ସାହୁ
ସାଧବବୋହୂଟି ସାଇତା ସ୍ମୃତି
ଆନମନା ମନ ଉଛୁଳା ମତ୍ତି
ଅଲିଭା ଶ୍ରାବଣ ଭରେ ସପନ
ମନେପଡ଼ି ଯାଏ ସେ' ପିଲାଦିନ
ପ୍ରଦୂଷଣ ଏବେ ସାଜେ ତା'କାଳ
ଆସୁଛି ସତେକି ବିଲୁପ୍ତ ବେଳ
ନିରୀହ ଜୀବର ଯିବ ଜୀବନ
ଅଧମ ମାନବ ଦିଏ କଷଣ
- ସନ୍ତୋଷ ପଟ୍ଟନାୟକ
ବରଷା ଋତୁର ସତେକି ସଖା
ବାକି ଦିନେ ତାର ନଥାଏ ଦେଖା
ନାଲି ଟୁକୁ ଟୁକୁ ପାଟକୁ ନାଇ
ପ୍ରକୃତି ରାଣୀର ସିଏ କଣ୍ଢେଇ
ପାଟ ପୋକ ତା'ର ଅଲଗା ନାମ
ରଜ ତାକୁ କରେ ଅଭିନନ୍ଦନ
ପିଲାଙ୍କର ସିଏ ମଣି କାଞ୍ଚନ
ଖେଳୁଥାନ୍ତି ଧରି ଆନନ୍ଦମନ
- ଦାଶରଥି ସାହୁ
ସାଧବ ବୋହୂ ଲୋ ସାଧବ ବୋହୂ
ତର ତର ହୋଇ କୁଆଡ଼େ ଯାଉ
କୋମଳ ନରମ ରେଶମି ଦେହ
ତୋ ଠୁକୁଲୁ ଚାଲି ଜଗାଏ ମୋହ
ସବୁ ଋତୁରେ ତୋ ମିଳେନା ଦେଖା
ବର୍ଷା ଋତୁ କି' ତୋ ଜୀବନ ରେଖା
ଖେଳି ବୁଲି ଥାଉ ସବୁଜ ଘାସେ
ଶ୍ରଦ୍ଧାରେ ଡାକୁଛି ଆଲୋ ମୋ ପାଶେ
-ରାମ ଚନ୍ଦ୍ର ପ୍ରଧାନ
ରଜସ୍ବଳା ହେଲେ ଧରଣୀ ରାଣୀ
ବେଙ୍ଗ ବେଙ୍ଗୁଲିଙ୍କ ପ୍ରଣୟ ଗୀତିରେ
ମୌସୁମୀ ଆସିଲା ଟାଣି ଓଢଣୀ
ବଡ଼ଠାକୁରଙ୍କୁ ହୋଇଲା ଜର
ଛତ୍ର ପ୍ରାୟ ଛତୁ ହେଲେ ବାହାର
ନାଲିଆ ରଙ୍ଗର ସାଧବବୋହୂ
ବିହି ଦେଲା ସତେ ଏ' ଉପହାର
- ଟୁକୁନା ସାହୁ
ନାଲି ଟୁକୁ ଟୁକୁ ସାଧବ ବୋହୂ ସେ
ସୃଷ୍ଟିର ବିରଳ କୀଟ
ବିଲୀନ ହୋଇଛି ପ୍ରକୃତି କୋଳରୁ
ପରିବେଶ ଯେଣୁ ନଷ୍ଟ
ଋତୁଚକ୍ର ଏଠି ପରିବର୍ତ୍ତନ କୁ
ଅନିମିତ୍ତ ଜଳ ବାୟୁ
ଲୋକ ଲୋଚନରୁ ନିରୁଦ୍ଧିଷ୍ଟ ପ୍ରାୟ
ନୈସର୍ଗ ସାଧବ ବୋହୂ
- ପ୍ରବୀର ମଲ୍ଲିକ୍
ରକ୍ତିମ ରଙ୍ଗରେ ଶୋଭିତ ଦିଶଇ
ସାଧବବୋହୂର ଦେହ
ଦେଖିବା ମାତ୍ରକେ ଇଛା ହୁଏ ଧରି
କରିବାକୁ ଟିକେ ସ୍ନେହ
ଅଷ୍ଟପାଦେ ତାଙ୍କ କୁନି କୁନି ଚାଲି
ସଭିଙ୍କ ହରଇ ମନ
ସବୁଜ ସୁନ୍ଦର ଘାସର ଗାଲିଚା
ତାଙ୍କ ପାଇଁ କୁଞ୍ଜବନ
ବର୍ଷା ଆଗନ୍ତୁକେ ତାଙ୍କରି ଜନମ
ନାମ ତାଙ୍କ ପାଟପୋକ
କଅଁଳ ପତ୍ରକୁ ଆହାର କରିକି
ମେଣ୍ଟାନ୍ତି ତାଙ୍କର ଭୋକ
‐ ରବିନ୍ଦ୍ର ସାହୁ
No comments:
Post a Comment