ପଲ୍ଲୀବଧୂ
-==--===
କୋଟି ଜନମର ପୁଣ୍ୟ ଫଳେ ମିଳେ
ଗୁଣବତୀ କୂଳବଧୁ
ଚଷାକୂଳ ଘରେ ନଇଁ ଚାଲୁଥିବ
ରୁପବତୀ ପଲ୍ଲୀବଧୂ
କ୍ଷେତେ ଚାଲୁଥିବ ପାଦ ଚାପି ଚାପି
ମୁଣ୍ଡରେ ଘୋଟଣା କୁଣ୍ଢି
ଶାଶୁ ଶ୍ବଶୁରଙ୍କ ଅନୁମତି ବିନା
ନ' ଡେଉଁଥିବ ଏରୁଣ୍ଡି
- ରାଧା କୃଷ୍ଣ ବାୟକ
ମୁଣ୍ଡେ ହାତେ ଲମ୍ବ ଓଢ଼ଣା ଟାଣି କି'
ଚାଲେ ପଲ୍ଲୀବଧୂଟିଏ
ପାଦରେ ଅଳତା ଆଖିରେ କଜ୍ଜଳ
ମୁହେଁ ଲାଜ ହସଟିଏ
ହାତରେ କଙ୍କଣ ରୁଣୁଝୁଣୁ ହୁଏ
ସିନ୍ଥିରେ ସିନ୍ଦୂର ଗାର
କାନେ କାନଫୁଲ ଶୋଭା ପାଉଥାଏ
ଗଭାରେ ଗଜରା ହାର...
-ରାମ ଚନ୍ଦ୍ର ପ୍ରଧାନ
ସିନ୍ଦୂରା ଫାଟିବ ଚାଳ ମଥାନରେ
ଆହୁରି ଘଡିଏ ବାକି
ପଲ୍ଲୀବଧୂ ବାଳା ଦାଣ୍ଡ ଲିପିଲେଣି
ଗୋମୟରେ ପାଣି ସିଞ୍ଚି
ଉଲ୍ଲସିନୀ ଉଷା ଆସିଲା ଓଲ୍ଲେଇ
ତମସା ହଟିଲା ଯେବେ
ସରିତରୁ ଫେରି ପଲ୍ଲୀବଧୂ କଲେ
ଶଙ୍ଖନାଦ ଗୃହ ଗର୍ଭେ ....
- ସନ୍ତୋଷ ପଟ୍ଟନାୟକ
ବାର ମାସେ ତେର ପରବ ପାଳଇ
ପଲ୍ଲିବଧୂ ସରାଗରେ
ଚଳାଏ ସଂସାର ତେଲ ଓ ଲୁଣର
କଟକଣା କାଇଦାରେ
ପ୍ରଭୁ ପାଦେ ଧ୍ୟାନ ବୈକୁଣ୍ଠ ସମାନ
ସଜା ତା' ଚାଳ କୁଡିଆ
ସଭିଙ୍କ ଆଦର କ୍ଷମାର ସାଗର
ଅହିଂସାରେ ଭରା ହିଆ
- ଦାଶରଥି ସାହୁ
ପାଦରେ ଅଳତା ସିମାନ୍ତେ ସିନ୍ଦୂର
କାଖରେ କଳସୀ ନେଇ
ପାଦ ଚିପି ଚିପି ଚାଲୁଥିଲେ ଆଗେ
ମଥାରେ ଓଢଣୀ ଦେଇ
ବଦଳୀ ଯାଇଛି ପୁର ପଲ୍ଲୀ ପୁରା
ସହରୀ ସଂସ୍କୃତି ପାଇଁ
ଅଳତା ସାଜିଛି ସାତ ସ୍ବପ୍ନ ଆଜି
ପଲ୍ଲୀବଧୂ ଚାଲେ ଧାଇଁ
- ଟୁକୁନା ସାହୁ
ପାଦରେ ଅଳତା ମଥାରେ ସିନ୍ଦୂର
ଝଟକେ ପଲ୍ଲୀବଧୂର
ଧୀର ସ୍ଥିର କଥା କହେ ସମସ୍ତଙ୍କୁ
ଗଢଇ ନୂଆଁ ସଂସାର
ବାର ମାସେ ତେର ଓଷା ବ୍ରତ କରେ
ପତି-ପୁତ୍ର ଶୁଭ ପାଇଁ
ଶାଶୁ ଶଶୁରଙ୍କ କରି ପାଦ ସେବା
ଅଇସୁଲକ୍ଷଣୀ ସେଇ
‐ ଜଗବନ୍ଧୁ ସାହୁ
ପିନ୍ଧୁଥିବ ନୀତି ସୂତା ଛପା ଶାଢ଼ୀ
ହାତେ ପାଣି କାଚ ଚୁଡି
ମୁଣ୍ଡରେ ଓଢଣା ନାକେ ନାକ ଗୁଣା
ପାଦରେ ପାଉଁଜୀ ଯୋଡି
ଗୁରୁ ଗୁରୁଜନ କଥା ମାନୁ ଥିବ
ହୋଇଥିବ ପତିବ୍ରତା
ତେର ପରବରେ ଓଷା ବ୍ରତ ସହ
ପୂଜେଯେ ଦେବୀ ଦେବତା
ସଫଳତା ସ୍ୱାଦ ଚାଖେ ସେହି ବଧୂ
ସଂସାର ବଖାଣେ ଗୁଣ
ନାରୀ ରତ୍ନ ସେହି ପଲ୍ଲୀବଧୂ ଅଟେ
ସମାଜେ ଉଦାହରଣ
- ପ୍ରବୀର ମଲ୍ଲିକ୍
ଝୋଟି ଚିତା କାଟେ ପଲ୍ଲୀବଧୂ ଆମ
କଳାର ପୂଜାରୀ ଟିଏ
ଉତ୍କଳେ ସୁନାମ ଅଛି ପଲ୍ଲୀବଧୂ
ସମାଜ ସଂସ୍କାର ସିଏ
ଶାଶୁ ଶଶୁରଙ୍କ ଆଦେଶ ପାଇଁକା
ଖୋଲା ରଖିଥାଏ କର୍ଣ୍ଣ
ପାହାନ୍ତା ପ୍ରହରୁ ସ୍ନାନ ସାରି ଦେଇ
ବିଭୁ ପଦେ ଦିଏ ମନ
ନିଜେ ଦୁଃଖେ ରହି ସଭିଙ୍କୁ ଆଦରି
ଚଖାଏ ଯେ ସୁଖ ମଧୁ
ପରିବାର ହିତ ନିତି ପାଞ୍ଚୁଥାଏ
ଆମ ପ୍ରିୟ ପଲ୍ଲୀବଧୂ
- ରବିନ୍ଦ୍ର ସାହୁ
No comments:
Post a Comment