~~~୦~~~
ଅଭିଶପ୍ତ ଅନ୍ଧାରିର ଶେଫାଳୀ ମୁଁ
ଟିକି ଟିକି ତାରା ସୂର୍ଯ୍ୟ ମୋ ପାଇଁ ॥
ସୁଗନ୍ଧ ଫୁଲ ତଥାପି ଅଲୋଡ଼ା ମୁଁ
ଦିବାଲୋକ ମୋ ଭାଗ୍ଯରେ ନାହିଁ ॥
ଶଶୀର ଆଲୋକେ ଶିଶିର ବିନ୍ଦୁ ମୁଁ
ଝଲସିବା ପୂର୍ବରୁ ଝରିଯାଏ ମୁହିଁ ॥
ବସୁଧା କୋଳରେ ରାତିର ସାଥି ମୁଁ
ଅଲୋଡ଼ା ଅତିଥିଟେ ସବୁରି ମୁହିଁ ॥
‐ରାଧା କୃଷ୍ଣ ବାୟକ
ନିଶିପୁଷ୍ପ , ଶେଫାଳି ,ଗଙ୍ଗଶିଉଳି
ଶେଫାଳିକା ଆଉ ଶୁକ୍ଳାଙ୍ଗୀ ନାମ
ମର୍ତ୍ତ୍ୟ ପାରିଜାତ ଶୁଭ୍ର ରଙ୍ଗ ଯୁକ୍ତ
ସମର୍ପିତ ସଦା ତାହାରି ମନ
ଝରିଯିବା ତାର ବାସ୍ତବତା ନୁହେଁ
ସମର୍ପିତ ସିଏ ଧରଣୀ ପାଇଁ
ତନୁ ମନ ତାର ଧନ୍ୟ ହୋଇଥାନ୍ତି
ବ୍ରାହ୍ମ୍ୟ ମୁହୂର୍ତ୍ତରୁ ସେବାରେ ଥାଇ ......
- ସନ୍ତୋଷ ପଟ୍ଟନାୟକ ଗଞ୍ଜାମ
ନିଃଶବ୍ଦ ସ୍ରୋତେ ମୁଁ' ଝୁରୁଛି କାହାକୁ
ନିଶି ନିରଜନେ ଏକା
ଜାଣିଛି ଝରିବି ସକାଳ ସୁରୁଜେ
ଏଇ ମୋର ଭାଗ୍ୟରେଖା
ଗୋଟିଏ ରାତିର ନୁଆଁ କୁଣିଆ ମୁଁ
ନାଆଁଟି ମୋର ଶେଫାଳି
ବୃନ୍ତଚ୍ୟୁତ ହୋଇ ଝରିବା ମୋ'ଭାଗ୍ୟ
ତୋଳିବା ଆଗରୁ ମାଳି...
- ରାମ ଚନ୍ଦ୍ର ପ୍ରଧାନ
ସ୍ୱର୍ଗରେ ଥିଲୁ ତୁ' ପୁଷ୍ପ ପାରିଜାତ
ମର୍ତ୍ତ୍ୟରେ ଗଙ୍ଗଶିଉଳି
ଘଡିଏ ଆୟୁଷେ ସବୁ ମନ ଜିଣି
ସାଜୁ ମମତାର ମାଳୀ
ନିଃଶୁନ୍ ରାତିର ନିଆରା ନାୟିକା
ଚହଟାଉ ଚଉପାଶ
ଧନ୍ୟ ତୋ' ଜୀବନ ସ୍ରଷ୍ଟାଙ୍କ ସୃଷ୍ଟିରେ
ସବୁ ଓଠେ ଭରୁ ହସ
- ଦାଶରଥି ସାହୁ
କିଏ କହେ ମୋତେ ମର୍ତ୍ତ୍ୟ ପାରିଜାତ
କିଏ କହେ ମୋତେ ଫୁଲର ରାଣୀ
କିଏ କହେ ମୋତେ ସ୍ୱର୍ଗର ଅପ୍ସରୀ
ଅଭିଶପ୍ତ ଗାନ୍ଧର୍ବୀ ଦେବ ରମଣୀ
କେଉଁ ଦୁର୍ବାସାଙ୍କ ଅଭିଶାପ ବଳେ
କ୍ଷଣିକ ଆୟୁରେ ଯାଏ ମଉଳି
ମୁଁ ଅନ୍ଧାରରେ ଫୁଟେ ଅନ୍ଧାରେ ଲୋଟ
ମୁଁ ଅଶ୍ରୁଭିଜା ନାୟିକା ଶେଫାଳି
- ପ୍ରବୀର ମଲ୍ଲିକ୍
ଗୋଟିଏ ରାତ୍ରିର ଆୟୁଷ ମୋହର
ଅକୁହା ହୃଦୟ ତାତି
ଦିବସର ସୁଖ ଦେଖି ପାରେ ନାହିଁ
ଆତ୍ମାକୁ ମିଳେନି ଶାନ୍ତି
ହୁଏ ମୁଁ' ଆତୁର ଆହେ ଚକ୍ରଧର
କିଅବା ମୋହର ଦୋଷ
କାହିଁକି ମୋ' ଭାଗ୍ୟ କରେ ଉପହାସ
କୁହ ଥରେ ହରି ରୋଷ
- ଟୁକୁନା ସାହୁ
ଜ୍ଯୋତ୍ସ୍ନାର ଶୀତଳେ ଫୁଟେ ମୁଁ ସଅଳେ
ଉଇଁଗଲେ ସିନା ଚାନ୍ଦ
ଗହନ ରାତିର ଅମା ଅନ୍ଧାକାରେ
କିଏ ଶୁଣେ ମୋର କାନ୍ଦ !
ଶେଫାଳୀ ବୋଲି ମୁଁ ସେପାରିକୁ ଯାଏ
ପାହାନ୍ତା କାକରେ ଲୋଟି
ସକାଳ ଆଲୋକ ଦେଖିବା ଆଗରୁ
ଝରିପଡେ ଗୋଟି ଗୋଟି....
ବାସ ଦେବା ଆଗୁ ବାସି ହୁଏ ମୁହିଁ
ଅଳପ ଆୟୁଷ ବୋଲି
ଅନ୍ତର ବେଦନା କେହିତ ବୁଝେନା
କାହାକୁ କହିବି ଖୋଲି !!
- ରବିନ୍ଦ୍ର ସାହୁ
ରାତିର ଅନ୍ଧାରେ ଜନ୍ମ ନିଏ ମୁହିଁ
ସକାଳକୁ ପଡେ ଝଡ଼ି
ଚଉଦିଗ ସିନା ଦିଏ ମୁହିଁ ବାସ
ତଳେ ଥାଏ ମୁହିଁ ପଡ଼ି
କିଏ ନିଏ ଆସି ଉଠାଇଯେ ମୋତେ
କିଏ ଦିଏ ପାଦେ ଦଳି
ଅଳପ ଆୟୁଷ ଅଟଇ ମୋହର
ନାମ ମୋ ଗଙ୍ଗଶିଉଳି
- ଜଗବନ୍ଧୁ ସାହୁ
No comments:
Post a Comment