╔⏤⏤⏤⏤╝❀╚⏤⏤⏤⏤╗
ଶିବ ପୁରାଣ
ପ୍ରଥମ ଖଣ୍ଡ
【ଭାଗ -୫】
╚⏤⏤⏤⏤╗❀╔⏤⏤⏤⏤╝
#ସୃଷ୍ଟି_ସର୍ଜନା_ବିବରଣୀ
✍ ଉପସ୍ଥାପନା; ଦୁଷ୍ମନ୍ତ କୁମାର ମିଶ୍ର
⋆⋅⋆⋄✧⋄⋆⋅⋆⋄✧⋄⋆⋅⋆⋄✧⋄⋆⋅⋆⋄✧✧⋄⋆⋅⋆⋄✧⋄⋆⋅⋆⋅⋆⋄✧
ନୈମିଷା ଅରଣ୍ୟ ରେ ସର୍ଵ ଋଷିଗଣ ଆନନ୍ଦରେ ଗଦ ଗଦ ହୋଇ ଧାତା ଙ୍କ ସୁତ ସନତ କୁମାର ଙ୍କୁ ଚାହିଁ କହିଲେ -ହେ ତପିବର !ତୁମେ ତିନିକୁଳ ଜ୍ଞତା ଅଟ ।ଭୂତ ,ଭବିଷ୍ୟ ନିକଟ ସବୁ କଥା ତୁମେ ଜାଣ ।ଆପଣଙ୍କ ଠାରୁ ଗୋଟିଏ କଥା ଶୁଣିବା ନିମନ୍ତେ ସମସ୍ତେ ବହୁତ ଦିନରୁ ହୃଦୟରୁ ବିଚାର କରିଛୁ ।ହେ ବ୍ରହ୍ମା ସୁତ !ଏ ସୃଷ୍ଟି କିପରି ଆରମ୍ଭ ହେଲା ?ପୂର୍ବରୁ ଏହାର ଗତିବିଧି କେଉଁପରି ଥିଲା ? ଏସବୁ କଥା ବିସ୍ତାର କରି କୁହନ୍ତୁ? ଆପଣଂକ ମୁଖରୁ ଆମେ ଏସବୁ କଥା ଶୁଣିଲେ ନିସ୍ତାର ହେବୁ ।
ସନତ କୁମାର ଉବାଚ
============
ବ୍ରହ୍ମା ସୁତ କହିଲେ ଆହେ ଋଷିଗଣ !ମନ କର୍ଣ୍ଣ ଦେଇ ମୁଁ କହୁଥିବା କଥା କୁ ଶୁଣ ।ସୃଷ୍ଟି ପ୍ରସଙ୍ଗ କଥା ମୁଁ ବିସ୍ତାର କରି ତୁମ ଆଗରେ କହିବି । ସନତ କହିଲେ - ପୂର୍ବେ ଏ ସଂସାର ଅନ୍ଧକାର ହୋଇ ରହିଥିଲା । ଆକାଶରେ ସୂର୍ଯ୍ୟ ଚନ୍ଦ୍ର କେହି ନଥିଲେ । ସବୁବେଳେ ରାହୁ ଚନ୍ଦ୍ର କୁ ଗ୍ରାସ କରିବା ଭଳି ସାରା ସୃଷ୍ଟି ଅନ୍ଧକାରମୟ ହୋଇ ରହିଥିଲା । ଏହି ସମୟରେ କେବଳ ତ୍ରିଲୋଚନ ଏକା ରହିଥାନ୍ତି ।ଆଉ ସମସ୍ତେ ପ୍ରଳୟେ ଲୋକ ହୋଇଯାଆନ୍ତି ।ଏହି ତ୍ରିଲୋଚନଙ୍କ ତେଜରେ ସୃଷ୍ଟି ଆଲୋକିତ ହୋଇ ସୂର୍ଯ୍ୟକାନ୍ତ ମଣି ପରି ଶୋଭା ପାଏ । ହେ ଋଷିଗଣ !ଯେତେବେଳେ ପ୍ରଳୟ ହୁଏ ଆକାଶ ଠାରୁ ପାତାଳ ପର୍ଯ୍ୟନ୍ତ ଜଳ ଲାଗିଥାଏ ।ପ୍ରଥମେ ସଂସାର ର ପାପ ଭାର ବଢ଼ିଗଲେ ଧର୍ମ ଲୋପ ପାଏ ।ଧର୍ମ ବୋଲି ସଂସାର ରେ କିଛି ରହେନାହିଁ । ସଂସାରରୁ ଧର୍ମ ଚାଲିଗଲେ ଧରଣୀ ଥରହର ହୁଏ ।ପାପ ଭାର ହେତୁ ଧରଣୀ ମୁଖରୁ ରୁଧିର ଗଳେ । ବାସୁକୀ ରୁଧିର ଗରଳ ଅଟେ । ଏହି ଗରଳ ମର୍ତ୍ତ୍ୟ ,ପାତାଳ ଦଶ ଦିଗପାଳ ଦହନ କରେ । ତାହାରି ବିଷ ଜ୍ଜାଳାରେ ଚାରି ଦିଗରେ ନିଧୂମ ଅଗ୍ନି ବାହାରେ। ସେହି ଅଗ୍ନି ପ୍ରଜ୍ଜ୍ଵଳିତ ଶିଖା ଟେକି ପ୍ରଖର ଭାବେ ଜଳେ ।ଜୀବଗଣ ଏହାର ତେଜ ସହି ପାରନ୍ତି ନାହିଁ ।ଫଳରେ ଆକୁଳ ରେ ଛଟପଟ ହୋଇ ପ୍ରାଣ ହରାନ୍ତି । ସମସ୍ତେ ପ୍ରଜ୍ଜ୍ୱଳ ତେଜରେ ନାଶ ହୁଅନ୍ତି । ଏହାପରେ ଜଳ ବର୍ଷା ମୂଷଳ ଧାରାରେ କରାଏ । ଅଗ୍ନି ଓ ଜଳ ଭିତରେ ବିବାଦ ଲାଗେ। ଚାହୁଁ ଚାହୁଁ ଚାରିଦିଗ ଜଳ ଘୋଟି ଯାଏ ।ଘଡଘଡି ଚଡ଼ଚଡ଼ି ରେ ମେଦିନୀ କମ୍ପିଉଠେ । ଘୋର ରଡି ଘାତ ରେ ବଜ୍ର ପ୍ରହାର କରେ । ସେ ଆଘାତ ବସୁମତୀ ସହି ନ ପାରି ନିଜ ମସ୍ତକ ରୁ ଧରିତ୍ରୀ କୁ ଛାଡି ଦିଏ ।ଏହା ଫଳରେ ଭୂମିକମ୍ପ ହୁଏ।ଭୂମିକମ୍ପ ହେବାରୁ ବଡ଼ ବଡ଼ ପର୍ବତ ପାତାଳ କୁ ଟଳି ପଡନ୍ତି । ଚାରି ଦିଗରୁ ଜଳ ରାଶି ଘୋଟି ଆସେ । ସିନ୍ଧୁ ପ୍ରବଳ ଗର୍ଜନ କରି କୁଳ ଲଙ୍ଘନ କରେ । ଏସବୁ ରୀତି ଦେଖି ବିରାଟ ପୁରୁଷ ଅନନ୍ତ ନାଗ ଉପରେ ଅଙ୍ଗୁଳି ସଦୃଶ ହୋଇ କଳ୍ପବଟରେ ସକଳ ଜୀବଜନ୍ତୁଙ୍କୁଗର୍ଭରେ ଧରି ଶୟନ କରନ୍ତି । ବ୍ରହ୍ମା ଆଦି ତେତିଶ କୋଟି ଦେବତା ସେହି ବ୍ରହ୍ମ ପ୍ରଳୟ ମଧ୍ୟରେ ଲୋପ ହୋଇ ଯାଆନ୍ତି ।ମାତ୍ର ଏକମାସ ସଦାଶିବ ବ୍ରହ୍ମ କୁ ଲୟ କରି ରହିଥାନ୍ତି ।ତାଙ୍କ ଅଙ୍ଗରେ ପ୍ରଳୟ ଜଳ ଲାଗେ ନାହିଁ । ଚାରିଦିଗ ଘନ ଅନ୍ଧାର ଘୋଟି ଥାଏ ।ଚନ୍ଦ୍ର ସୂର୍ଯ୍ୟ ନକ୍ଷେତ୍ର ଉଦୟ ହୁଅନ୍ତି ନାହିଁ । ସମସ୍ତେ ପ୍ରଳୟ କାଳ କରାଳ ଗର୍ଭରେ ଲୀନ ହୋଇ ବିରାଟ ପୁରୁଷ ଅଙ୍ଗରେ ବିଶ୍ରାମ କରନ୍ତି । ସଦାଶିବ ସେହି ବିରାଟ ପୁରୁଷ କୁ ମନରେ ସ୍ମରଣା କରି ପ୍ରଳୟ ଜଳ ରୁ ଉବୁରି ଥାଆନ୍ତି ।
ସନତ କହିଲେ ହେ ଋଷିଗଣ !ଏହିପରି ଭାବେ ବହୁ କାଳ ବହି ଗଲା ।ଚାରିଦିଗ ରୁ ବ୍ରହ୍ମ ପ୍ରଳୟ କମିଲା ନାହିଁ ।ଏପରି ଦୁର୍ଦ୍ଦଶା ଦେଖି ଭୋଳା ମହେଶ୍ବର ଏକାନ୍ତ ଚିତ୍ତରେ ନିରାକାର ଙ୍କୁ ଲୟ କଲେ । ଭୋଳାନାଥ ଙ୍କ ଯୋଗ ଫଳରେ ବିରାଟ ପୁରୁଷ ଙ୍କ ହୃଦୟ ରୁ ଜ୍ଞାନ ଜାତ ହେଲା ।ବିରାଟ ପୁରୁଷଙ୍କ ନିଦ୍ରା ଭାଙ୍ଗିଗଲା ।ବିରାଟ ପୁରୁଷ ତାଙ୍କ ନିକଟ କୁ ଶିବ ଙ୍କୁ ଡକାଇଲେ ।ବିରାଟ ପୁରୁଷ ଶିଵ ଙ୍କୁ ମହାଶୂନ୍ୟବାସୀ ଶକ୍ତି ପ୍ରଦାନ କଲେ । ଶିବ ଙ୍କ ସହିତ ଶକ୍ତି ମିଳିତ ହେବାରୁ ସୃଷ୍ଟି ରଚନା କରିବାକୁ ଉଦ୍ୟତ ହେଲେ ।ଏହାପରେ ଶିବ ଜ୍ଞାନ ,ପଞ୍ଚ ମହାଭୂତ ଉତ୍ପନ କଲେ ।ତାହାରି ଠାରୁ ପ୍ରକୃତି ଗଣ ଜାତ ହେଲେ ।ଶବ୍ଦ ,ସ୍ପର୍ଶ ,ରୂପ ,ରସ ,ଗନ୍ଧ , ପ୍ରକୃତି ଠାରୁ ଜାତ ହେବାପରେ ପ୍ରାଣ ଜାତ ହେଲା । ଆପାନ -ସମାନ-ବ୍ୟାନ -ଉଦ୍ଦାନ -ପରାଣ ଜାତ ହେଲେ ।ଏମାନଙ୍କ ମଧ୍ୟରୁ ତ୍ରିଗୁଣ ଜନ୍ମ ହେଲା ।ଏହାପରେ ସୁର ,ମୁନି ,ବନ୍ଦ୍ୟ , ବ୍ରହ୍ମା ,ବିଷ୍ଣୁ ,ମହେଶ୍ବର ଜାତ ହେଲେ ।ସତ୍ତ୍ୱଗୁଣ ଧରି ନାରାୟଣ ଉତ୍ପନ ହେଲେ । ରଜ ଗୁଣ ନେଇ ବିଧାତା ଜନ୍ମ ନେଲେ । ଶିବ ତ ଅଦେହୀ ତେଣୁ ସେ ଜ୍ଞାନ ଦେବା ଅର୍ଥରେ ତମ ଗୁଣ ବହିଲେ । ଜଗତର ମୂଳାଧାର ଶିବ ଅଟନ୍ତି ।ଯୁଗ ଯୁଗ ଧରି ଅମର ଶିବ ଅଟନ୍ତି ।ବ୍ରହ୍ମା ,ବିଷ୍ଣୁ ,ବାର ,ବାର ଜନ୍ମ ନିଅନ୍ତି ଓ ପ୍ରଳୟ ରେ ଲୀନ ହୋଇଯାଆନ୍ତି ।କିନ୍ତୁ ସଦାଶିବ ସଦା ଯୋଗ କରି ବ୍ରହ୍ମଜ୍ଞାନ କୁ ଲାଭକରି ମୃତ୍ୟୁ କୁ ଜୟ କରିଥାନ୍ତି । ଏକମାତ୍ର ଶିବ ହିଁ ଅମର ହୋଇ ନୂତନ ସୃଷ୍ଟି ଥର କୁ ଥର କରିଥାନ୍ତି ।ଶଙ୍କର ସବୁଠାରୁ ଶ୍ରେଷ୍ଠ ଦେବ ଅଟନ୍ତି ।ସେଥିପାଇଁ ତ ତାଙ୍କ ନାମ ମହାଦେବ ଅଟେ ।ତାଙ୍କଠାରେ ତିଳେହେଲେ ବିକାର ନଥାଏ ।ତାଙ୍କୁ ସଂସାର ର ଭକ୍ତମାନେ ନିର୍ବିକାର ବୋଲି ଭାବନ୍ତି । ଶିବ ଭଗବାନ ଭୂତଗଣ ଙ୍କୁ ଆୟତ୍ତ କରିଥିବାରୁ ତାଙ୍କର ଅନ୍ୟ ନାମ ଭୂତନାଥ ।ଧାତୁରା ଭାଙ୍ଗି ପାନରେ ଭୋଳ ହୋଇ ଥିବାରୁ ସମସ୍ତେ ତାଙ୍କୁ ଭୋଳାନାଥ ଭୋଳାନାଥ ବୋଲି ଡାକନ୍ତି । ଏହିପରି ଭାବେ ତାଙ୍କର ମହିମା ଅପାର ଅଟେ । ସଂସାର ମଧ୍ୟରେ ସେହିଁ ଏକା ମହା ବଳଶାଳୀ ଅଟନ୍ତି । ଶକ୍ତି କୁ ସେ ସର୍ବଦା ବାନ୍ଧି ରଖିଥାନ୍ତି ।ଶକ୍ତି ତାଙ୍କର ରମଣୀ ଅଟନ୍ତି ।ଅର୍ଥାତ ପାର୍ବତୀ ତାଙ୍କର ରମଣୀ ଅଟନ୍ତି ।ତିନିପୁରରେ ପାର୍ବତୀ ପରି ଦେବୀ କେହି ନାହାନ୍ତି ।ପାର୍ବତୀ ଇଛା କଲେ ନିମିଷେକ ଭିତରେ ସବୁ ଭାର ବହି ପାରନ୍ତି ।ହେଲେ ପାର୍ବତୀ ଭଗବାନ ଶିବ ଙ୍କ ନିକଟରେ ସନ୍ତୁଷ୍ଟ ହୋଇ ତାଙ୍କ ଘରଣୀ ଭାବେ କାଳେ କାଳେ ରହି ଆସିଛନ୍ତି ।ଯେତେବେଳେ ଦୁଷ୍ଟ ମାନେ ଉତ୍ପାତ ହୁଅନ୍ତି ସେହି ସମୟରେ ଶିବ ଶକ୍ତି ପ୍ରଦାନ କରନ୍ତି । ତାଙ୍କରି ଶକ୍ତି ବଳରେ ସବୁ ଯୁଗରେ ମହୀ ରେ ଦାନବ ମାନେ ଦଳନ ହୋଇଛନ୍ତି । କେବଳ ସତ୍ୟ କୁ ଆଗୁସାର କରି ତିନିପୁରରେ ଶିବ ଶକ୍ତି ଅଜ୍ରାମର ହୋଇ ରହିଛନ୍ତି । ବ୍ରହ୍ମାଣ୍ଡ ମଧ୍ୟରେ ଯେଉଁ ପ୍ରାଣୀ ସତ୍ୟବନ୍ତ ତାକୁ ହିଁ ଦେବତା ମାନେ ଅନ୍ତରରେ ଭାଜନ୍ତି । ଏହାର ଦୁଷ୍ଟାନ୍ତ ବହୁତ ଶାସ୍ତ୍ର ରେ ଅଛି । ସନତ କୁମାର କହୁଛନ୍ତି -ହେ ଋଷିଗଣ !ଏପରି ଘଟଣା କୁ ଗୋଟି ଗୋଟି କରି କିପରି ମୁହଁରେ କହିବି ?। ସିଏ ହିଁ ସତ୍ୟ ସିଏ ହିଁ ଧର୍ମ ଏଣୁ ମନରେ ଏସବୁ କୁ ହେତୁ କର । ଏହାର ମୂଳ ଭିତ୍ତି ହେଉଛି ଅହିଂସା । ଯେବେ ମନରୁ ହିଂସା ଭାବ ଦୂର କରିଦେବ ସବୁ ଜନ୍ମରେ ତୁମେ ନିଶ୍ଚିତ ପ୍ରିୟ ହୋଇ ରହିବ ।ଏ ସଂସାରରେ ତାହାର କେହି ଶତ୍ରୁ ବୋଲି ରହିବେ ନାହିଁ ।ଅହିଂସା ବଳରେ ସମସ୍ତ ଙ୍କୁ ସେ ଜୟ କରିବ । ଜୀବର ପରମ ଧର୍ମ ହେଲା ଅହିଂସା ।ଏହି ପ୍ରାଣୀ ଶେଷ ଯାଏ ଧର୍ମବନ୍ତ ବୋଲାଇ ଥାଏ ।
ଋଷି ସନତ କୁମାର କହିଲେ- ହେ ଋଷିଗଣ !ଦ୍ଵାପର ଯୁଗରେ ରାଜା ଯୁଧିଷ୍ଠିର ଧର୍ମ ବଳରେ ଭାରତ ସମର କୁ ଜିତିଥିଲେ ।ସେଥିପାଇଁ ସେ ସ୍ୱଦେହରେ ସ୍ୱର୍ଗ ରେ ବାସ କଲେ ।ଯୁଧିଷ୍ଠିରଙ୍କ ଅଙ୍ଗକୁ ପାପ ଲାଗି ପାରିଲା ନାହିଁ । ତେଣୁ ହେ ଋଷିଗଣ !ହେ ସକଳ ଜନ ମୁଁ ସମସ୍ତଙ୍କୁ ନିବେଦନ କରୁଛି ଯେ ସତ୍ୟ -ନ୍ୟାୟ ପଥରେ ସର୍ବଦା ଗମନ କର ।ସେହିଁ ସତ୍ୟ ସେହିଁ ଧର୍ମ ଓ ସେହିଁ ନିରଞ୍ଜନ ଅଟନ୍ତି ।ଏଥିରେ ତିଲେମାତ୍ର ଭିନାଭିନ୍ନ ନାହିଁ । ସେହି ସତ୍ୟ ପଥକୁ ତ୍ରିଲୋଚନ ଆଶ୍ରା କରି ଯୁଗେ ଯୁଗେ ଅମର ହୋଇ ବସିଛନ୍ତି ।ସତ୍ୟ ବାନ ପ୍ରାଣୀ ପାଖକୁ ମୃତ୍ୟୁ ଆସେନାହିଁ ।ତାକୁ ଜଳ ,ଅନଳ ଓ ପବନ କାଟେ ନାହିଁ ।
କଳି ଯୁଗରେ ଘରେ ଘରେ ,ପୁରେ ପୁରେ ପାପ ଘୋଟି ଯାଇ ଲୋକମାନଙ୍କୁ ନର୍କରେ ପକାଏ । ଏଣୁ ମୋର ଛୋଟ ଉପଦେଶ ମାନିବା ହୁଅନ୍ତୁ ଜ୍ଞାନୀଜନ ।ସବୁ ନର ସତ୍ୟ ଶିବ ଙ୍କ ଆଶ୍ରିତ ହୁଅ ।ସେହି ଶଙ୍କର ଭଗବାନ ସବୁ ସଦ୍ ବୁଦ୍ଧି ସଦ୍ ଜ୍ଞାନ ବତାଇ ଦେଇ ଲୋଭ ,ମୋହ କାମ କ୍ରୋଧ ହଟାଇ ଆଣିବେ ।ଶଙ୍କର ଭଗବାନ ତୁମର ସବୁବେଳେ ମଙ୍ଗଳ କରିବେ ।ତାଙ୍କୁ ହିଁ ସଂସାରର ସବୁ ଜନ ମଙ୍ଗଳମୟ ବୋଲି କହିଥାନ୍ତି । ଯେଉଁ ନର ସଦାଶିବ ଙ୍କୁ କାର୍ଯ୍ୟ ରେ ବରଣ ନ କରେ ତେବେ ତାହା ଶୁଭକାର୍ଯ୍ୟ ବୋଲି ଗଣନା ହୁଏ ନାହିଁ ।ଶିବ ପାଦ ଉଦକ ଯେଉଁ ପ୍ରାଣୀ ନପାଏ ତାହାର କାୟା ଅପବିତ୍ର ଅଟେ ।ତାହାରି କାୟା କେବେ ବି ପବିତ୍ର ନୁହେଁ ।ସଂସାରର ମୂଳ କର୍ତ୍ତା ସେ ଶିବ ଅଟନ୍ତି ।ତାଙ୍କ ଅନୁଗ୍ରହ ରେ ଆମ୍ଭେମାନେ ଆଜି ମଣିଷ ଜନ୍ମ ପାଇଛେ । ସେହି ଦେବ ଦେବ ମହାଦେବ ଙ୍କ ପାଦତଳେ ମୋର ମନ ରହୁ ।
କ୍ରମଶଃ.............
•┈••✦ ❤ ✦••┈•ଓଁ ନମଃ ଶିବାୟଃ•┈••✦ ❤ ✦••┈•
No comments:
Post a Comment