Sunday, October 24, 2021

ସମର୍ପଣ (topic - 109 ପରମ୍ପରା ) quote #quot

109 - ପରମ୍ପରା 

ପୂର୍ବାପର କ୍ରମେ  ଅବିଚ୍ଛିନ୍ନ ଧାରା 
          ଧର୍ମ ଦର୍ଶନ ବିଶ୍ବାସ 
ପୂଜା ଓ ପରବ ଜାତୀୟତା ବୋଧ 
       ଲୋକନାଟ୍ୟ କଳା ଯଶ 
ସମାଜେ ଏସବୁ  ଅବିଚ୍ଛେଦ୍ୟ ଅଙ୍ଗ 
           ସ୍ମୃତିସ୍ନିଗ୍ଧା ସୁଖ ଧାରା 
ସଂସ୍କୃତି ସଂସ୍କାରେ ପରିପୂର୍ଣ୍ଣ ଆମ 
           ଉତ୍କଳୀୟ ପରମ୍ପରା 
              - ସନ୍ତୋଷ ପଟ୍ଟନାୟକ

ଚପଲ ପିନ୍ଧିକି ବୋହୂ ରାନ୍ଧୁଅଛି
     ଗୁରୁବାରେ ମାଛ ତିଅଣ 
ଠାକୁର ଘରରେ କୁକୁର ଶୋଇଛି 
    ହେଲେ ନାହିଁ ତାକୁ ବାରଣ 
ମଦର ଭଣ୍ଡାର ସାଜିଅଛି ଘର 
    କ୍ଷୀର ଲାଗେ ଖାଲି ଜହର
ପ୍ରଥା ପରମ୍ପରା ଚୂଲିକି ଗଲାଣି
     ପାଶ୍ଚ୍ୟାତକୁ ମାରି ଜୁହାର 
               - ଟୁକୁନା ସାହୁ

ପରମ୍ପରା ଆମ ବିଂଶରେ ବିରାମ
     କର୍ପୁର ନାହିଁ କି କନା
ପାଶ୍ଚାତ୍ଯ ସଭ୍ୟତା ଟେକି ଅଛି ମଥା
       ଅନ୍ଧ ଦେଖଇ ଆଇନା
ସବୁ ଅସଜଡା ଆଗତେ ଅମଡା
     ସର୍ବେ ସେ ପଥେ ପଥିକ
ଭାବି ଏହି କଥା ଘୁରି ଯାଏ ମଥା
     ଝରେ ନୟନୁ ଲୋତକ
               - ଦାଶରଥି ସାହୁ

ଆଧୁନିକତାର  ଵଶବର୍ତ୍ତୀ ହୋଇ
      ମାନବ ଯେ ପଥହରା  
ନୀତି ଆଦର୍ଶକୁ ଜଳାଞ୍ଜଳୀ ଦେଇ
    ଭୁଲିଛି ତା ପରମ୍ପରା  
ଆପଣା ସଭ୍ୟତା ଅଣ ଦେଖା ଆଜି
    ପାଶ୍ଚାତ୍ୟ ନିଶାରେ ଵଶ
ପରମ୍ପରା ଶବ୍ଦ  ପ୍ରହେଳିକା ସମ
     ପରମ୍ପରା ଇତିହାସ 
          - ପ୍ରବୀର ମଲ୍ଲିକ୍

ନାଁ ଅଛି ଆଦର  ନାଁ ଅଛି ତତ୍ପର
       ନାଁ ଅଛି ଅତୀତ ଧାରା
ପାଶ୍ଚାତ୍ୟ ରଙ୍ଗରେ ଫିକା ପଡ଼ିଲାଣି
        ଆମ ପ୍ରଥା ପରମ୍ପରା 
ଅପସଂସ୍କୃତିର ମୋହ ବନ୍ଧନରେ
      ସୁପ୍ତ ଆଜି ଭାଇଚାରା
ଉତ୍କଳୀୟ କଳା ସଂସ୍କୃତି ପସରା
       ଲାଗେ ଖାଲି ଗାରାମାରା 
                - ରାମ ଚନ୍ଦ୍ର ପ୍ରଧାନ

ଆଧୁନିକ ମାୟା ବିସ୍ତାରି ତା' କାୟା
       ସଭିଙ୍କୁ ଗଲାଣି ଗ୍ରାସି
ପରମ୍ପରା ସବୁ ପୋଡି ଖାଇଲାଣି
     ପାଶ୍ଚାତ୍ଯ ସଭ୍ଯତା ଆସି
ଭୁଲିଲେଣି ଲୋକେ ପୁରୁଣା ସଂସ୍କୃତି
       ଆଦରି ବିଦେଶ ଢାଞ୍ଚା
ଗାଁଉଳି ନାଆଁରେ ଡାକିଲେ ରାଗନ୍ତି
      ବିଦେଶୀ ଫେରନ୍ତା ବାଞ୍ଛା
ମା' ବାପା ଡାକଟି   ନୀରବି ଗଲାଣି
      ଇଂରାଜୀ ଭାଷାଟା ବଢି
ଆଗ ପରମ୍ପରା   ପତନ ଘଟୁଛି
      ଅପସଂସ୍କୃତିରେ ପଡି
                    - ରବିନ୍ଦ୍ର ସାହୁ

ବାରମାସେ ତେର  ପରବ ଯେଉଁଠି
       ସେଇ ମୋ ଉତ୍କଳ ଭୂଇଁ
କଳା ଓ ସଂସ୍କୃତି   ନୀତି ପରମ୍ପରା
      ରହିଛି ତା ଦେହେ ଛାଇ
ଭାଲେରି ସେ ପାଖେ ଲୁଚିଗଲେ ରବି
      ସଞ୍ଜ ଯେବେ ଆସେ ନଇଁ
ଓଡ଼ିଆଣୀ ମାନେ   ସଞ୍ଜ ବାଢ଼ିଥାନ୍ତି 
          ପରିବାର ସୁଖ ପାଇଁ
ସକାଳ ଧୂପରେ  ସଞ୍ଜ ଆଳତୀରେ
        ପରିପୂର୍ଣ୍ଣ ଏଇ କ୍ଷେତ୍ର
ଉତ୍କଳ ନାମରେ  ଜଗତେ ବିଖ୍ୟାତ 
      କାଳିଆ ତ' ଛାୟାଛତ୍ର
                   -  ଜଗବନ୍ଧୁ ସାହୁ

ପରମ୍ପରା ଆଉ ନାହିଁ ଆଗପରି
     ନାହିଁ ପୂଜା ବିଧି ବ୍ରତ 
ପାଶ୍ଚାତ୍ୟ ସଭ୍ଯତା ଆପଣେଇ ନେଇ
       ମନେ ଅଶାନ୍ତି, ବିବ୍ରତ 
ମନା ନାହିଁ ତୁମ ପାଶ୍ଚାତ୍ଯର ପ୍ରେମ 
        ପରମ୍ପରା ମନେରଖ 
ଏ ଦେଶର ଯଶ ଦେଖୁ ହେ ଜଗତ
        ରଖ ତାର ମାନ ଟେକ     
                ‐ ରାଧା କୃଷ୍ଣ  ବାୟକ

No comments:

Post a Comment

ଶ୍ରୀକରଣ ଓ କରଣ

ଚତୁର୍ଥ ନରସିଂହ ଦେବଙ୍କ ରାଜସଭାରେ ଯେତେବେଳେ ବାହ୍ୟ ଆକ୍ରମଣର ଆଶଙ୍କା ଦେଖାଦେଇଥିଲା, ସେତେବେଳେ ଶ୍ରୀକରଣ ବିଶ୍ୱନାଥ ମହାସେନାପତି ନିଜ ବିଚକ୍ଷଣ ରଣନୀତି...