ପାଳଭୂତ - 110
ବିଲେ ହସୁଥିବା ସୁନାର ଫସଲ
ଯାହା ପାଇଁ ସୁରକ୍ଷିତ
ପାଳରେ ତିଆରି ଅଟେ ତା' ଶରୀର
ସିଏ ଆମ ପାଳଭୂତ
ଖରା ବର୍ଷା ଶୀତ ନ ମାନି କି' ସିଏ
ରହିଥାଏ କ୍ଷେତେ ପଡ଼ି
ତା'ର ଆଭୂଷଣ ଦେଖି ପଶୁପକ୍ଷୀ
ଆସନ୍ତିନି ପାଖେ ମାଡ଼ି
ଚାଷୀ ଭାଇର ସେ ମିତଟିଏ ସାଜି
ଫସଲକୁ ଜଗିଥାଏ
ଚିତ୍ରିତ ହାଣ୍ଡିକୁ ଚିରା ଫଟା ଜାମା
ତା' ଶରୀରେ ଶୋଭାପାଏ
- ରାମଚନ୍ଦ୍ର ପ୍ରଧାନ
ସୁନାକ୍ଷେତେ ଶ୍ରେୟ ତୁମ ଅନୁମେୟ
ନିର୍ଜୀବନି ନିର୍ଜନରେ
କୃଷକର ପ୍ରାଣ ପାଛୋଟା ଫଗୁଣ
ଢାଳ ଅଣ୍ଟି ଆଞ୍ଜୁଳାରେ
ଦୁନିଆଁରେ ଦାନା ତୁମ୍ଭଲାଗି ସିନା
ଆପଣାପଣେ ଅକ୍ଷତ
ହୁଏନା ବର୍ଣ୍ଣନ ତୁମ ଗୁଣ ଗାନ
ପ୍ରଣତୀ ହେ ପାଳଭୂତ
- ଦାଶରଥି ସାହୁ
ନିର୍ଜନ ନିଶିରେ ଅବା ଦ୍ବିପ୍ରହରେ
ଚିତ୍ର-ବିଚିତ୍ର ଶରୀରେ
ସୈନିକ ସମାନ ସମୁଚିତ କର୍ମେ
ସଦା ବିରାଜ କ୍ଷେତରେ
ଧନ୍ୟ ତୁମ୍ଭ ଧର୍ମ ଅପାସୋରା କର୍ମ
ଚାଷୀର ପରାଣ ମିତ
ନାହିଁ ଜୀବ ସତ୍ତା ଭରା ଆତ୍ମିୟତା
ନାମ ତୁମ୍ଭ ପାଳଭୂତ
- ସନ୍ତୋଷ ପଟ୍ଟନାୟକ
ଶୋଭା ପାଏ ସେହୁ କୃଷକ କ୍ଷେତରେ
ସୃଷ୍ଟିକରେ ମନେ ଭ୍ରମ
ପଶୁ ପକ୍ଷୀ ସବୁ ଘଉଡାଇ ଦେବା
ନିତିଦିନିଆ ତା କାମ
ପୁରୁଣା ପୋଷାକ ମାଟିର ମାଠିଆ
ଶରୀର ପାଳରେ ଗଢା
ଟଙ୍ଗା ହୋଇଥାଏ କ୍ଷେତରେ ସର୍ବଦା
ହୁଏ ନାହିଁ କେବେ ବୁଢ଼ା
- ଟୁକୁନା ସାହୁ
କୃଷି କ୍ଷେତ୍ର ପରେ ସୁରକ୍ଷା କବଚ
କୃଷକ ମନର ମିତି
ନିର୍ଜୀବ ହେଲେବି ନିହାତି ଘନିଷ୍ଠ
ନାମ ତାର ପାଳଭୂତ
ପାରମ୍ପରିକ ଏ ପ୍ରଚଳିତ କଥା
ଏବେବି ହୋଇନି ଲୁପ୍ତ
ଜନ ମାନସରେ ଏବେବି ଆଦୃତ
ଚାଷୀ ପ୍ରିୟ ପାଳଭୂତ
- ପ୍ରବୀର ମଲ୍ଲିକ୍
ପାଳରେ ତିଆରି ଶରୀର ତାହାର
ହାଣ୍ତିରେ ଗଢା ତା' ମୁଖ
ଖରା ବର୍ଷା ଶୀତ ଜଗିଥାଏ କ୍ଷେତ
ବୁଝି ସେ ଚାଷୀର ଦୁଃଖ
ସାହାଯ୍ଯ କରେ ସେ ଚାଷୀକୁ ଏମିତି
ସତେକି ଚାଷୀର ସୂତ
ନୀର୍ଜୀବ ହେଲେବି କର୍ମ ତା ମହାନ
ନାମ ତାର ପାଳଭୂତ
- ରବିନ୍ଦ୍ର ସାହୁ
ନିଶି ପ୍ରହରିର ଅମା ଅନ୍ଧକାରେ
ଅଟଇ ମୁଁ ପାଳଭୂତ
ଉଜ୍ବଳ ପକ୍ଷର ଜହ୍ନ ଆଲୁଅରେ
ଦେଖି ହସୁଥାଏ କ୍ଷେତ
ନିଶବ୍ଦ ନିଶିର ଜଗୁଆଳି ମୁହିଁ
ନିଶାଚାରି ଭୟଭିତ
ଦିନ ରାତି କ୍ଷେତ ମଧ୍ଯରେ ଠିଆ ମୁଁ
ଚାଲେ ଏହା କ୍ରମାଗତ
‐ ରାଧା କୃଷ୍ଣ ବାୟକ
No comments:
Post a Comment