Saturday, March 6, 2021

● ଓଡ଼ିଆ ଭାଷାରେ ପୁଅ ଶବ୍ଦ ଏକ ଆଲୋଚନା ●

ପୁତ୍ର ଶବ୍ଦ ସହ ଓଡ଼ିଆ ପୁଅ ଓ ପୋ ଶବ୍ଦ ସମଦ୍ଧୃତ । 
ସାଧାରଣତଃ ଓଡ଼ିଶାର ପଶ୍ଚିମାଞ୍ଚଳରେ ପୋ ଶବ୍ଦଟି ପୁଅ ଅର୍ଥରେ ଵ୍ଯଵହୃତ ହୋଇଥାଏ କିନ୍ତୁ ଆଜିକାଲି ବେଟା ଶବ୍ଦ ସ୍ଥାନୀୟ ଲୋକ ବହୁତ ଵ୍ଯଵହାର କଲେଣି । ପୋ ଶବ୍ଦକୁ ନେଇ ଅନେକ ସମ୍ଵଲପୁରୀ ପ୍ରଵଚନ ରହିଛି 
ଉଦାହରଣ ସ୍ଵରୂପ―
“ବାପ ଦେହରି ପୋ ପୁଝାରି
ଗଣ୍ଡି ମୁଣ୍ଡି ସବୁ ତୁମରି”
ଏହାର ଅନ୍ୟ ଅର୍ଥଟି ବଂଶଧର ଅଟେ ।

ପ୍ରାଚୀନ କାଳରେ ଏହି ଶବ୍ଦଟି ଓଡ଼ିଶାର ପୂର୍ଵାଞ୍ଚଳରେ 
ପୋଅ ହୋଇ ଚଳୁଥିଵାର ଏଠାକାର ପୁରାତନ ସାହିତ୍ୟରୁ ଜଣାଯାଏ । 

ଉଦାହରଣ ସ୍ଵରୂପ ଗୁରୁଭକ୍ତିଗୀତାରେ କଵି ଲେଖିଛନ୍ତି―
“କଳଙ୍କୀ ବିହାର କର ତୁମ୍ଭେ ବାରପୋଅ”

ଏଠାରେ ବାରପୋଅ ଶବ୍ଦରେ ଥିଵା ପୋଅ ଶବ୍ଦର ଅର୍ଥ ପୁଅ ଅଟଇ । ସେଇଭଳି ଆଉ କେତେକ ଅଞ୍ଚଳରେ ପୋଇ ଶବ୍ଦଟି ମଧ୍ୟ ପୁତ୍ର ଅର୍ଥରେ ଵ୍ଯଵହୃତ ହେଉଥିଵାର ପୁରୁଣା ସାହିତ୍ଯରେ ଵ୍ଯଵହାରରୁ ଜଣାଯାଏ ...
ଯେମିତିକି–
“କାଳେ ଅରଣ୍ଯକୁ କରେ ପଳାୟନ 
ଅଵା ରୋଷେ ପୋଇ ଆରମ୍ଭଇ ଋଣ।
( ଅଜୟଚନ୍ଦ୍ର ଶେଷବନ୍ଦୀ)

କେଉଁଠି କେଉଁଠି ପୋଇ ଶବ୍ଦ ଝିଅ ଵା କନ୍ୟା ଅର୍ଥରେ ମଧ୍ୟ ପ୍ରୟୋଗ ହେଉଥିଲା । ସମ୍ଭଵତଃ ଏହାର ସର୍ଵୋତ୍ତମ ପ୍ରମାଣ ଭାଵେ “ତଅପୋଇ” ନାମକୁ  ଉଲ୍ଲେଖ କରାଯାଇପାରେ । ତଅପୋଇ ଶବ୍ଦରେ ତଅ ଶବ୍ଦଟି ସପ୍ତ ଶବ୍ଦର ଓଡ଼ିଆ ସମଦ୍ଧୃତ ରୂପ ହୋଇଥିଵା ସମ୍ଭଵ ସେଇଭଳି ପୋଇର ଅର୍ଥ କନ୍ୟା ଅଟେ । ସାତ ପୁଅ ପରେ ଜନ୍ମିଥିଵାରୁ ଏହି କନ୍ଯାଟିର ନାମ ତଅପୋଇ ରଖା ଯାଇଥାଇପାରେ ।

ସେହିପରି ପ୍ରାଚୀନ ଓଡ଼ିଆ ସାହିତ୍ୟ, ଢଗଢମାଳି ଓ ଲୋକଵଚନାଦିରେ ପୁତ୍ର ଶବ୍ଦ ସହିତ ସମଦ୍ଧୃତ ପୁତା ଶବ୍ଦର ପୁଅ ଅର୍ଥରେ ବହୁଳ ଵ୍ଯଵହାର ହୋଇଥିଵା ଦୃଷ୍ଟିଗୋଚର ହୋଇଥାଏ । 
ଉଦାହରଣ ସ୍ଵରୂପ―
 
●ପୁତ୍ର ଵଚନ ଶୁଣି ପିତା, 
ବୋଇଲେ ଶୁଣ ଆରେ ପୁତା।
  (ନିର୍ଗୁଣାନାହାତ୍ମ୍ଯ)

●ହସି ପଶେ ଉଇଁ ନ ଦିଶେ
             ଦକ୍ଷିଣ ମେଘ ଉତ୍ତରେ ଆସେ 
ସଜ ଗୋଵରରେ ଅଂଶାଇ ବସେ 
           ତେବେରେ ପୁତା ନିଶ୍ଚେଁ ଵରଷେ
(ଡାକଵଚନ)

●ପୂର୍ଵେ ଅଦ୍ରାଵଳୀ ପଶ୍ଚିମେ ରୋଇ 
  ନାଥ ବୋଲେ ପୁତାରେ ନିଶ୍ଚେ ଯିଵ ଧୋଇ। (ଡାକଵଚନ)

●ବାଡ଼ି ଠୁକୁ ଠୁକୁ କାନ ନୁଡୁକା
 ବାଟେ ଦ୍ବିଜଵର ଦେଖିଵ ଏକା । 
ପାଆକେ କୁମ୍ଭାର କୋଶକେ ତେଲି 
          ଡାକ ବୋଲେ ପୁତା ନ ଯିବୁ ପେଲି ।
(ଡାକଵଚନ)

●ଦିନକୁ ମଳାମଳା ରାତିକି ନିର୍ମଳା
         ଡାକ ବୋଲେ ପୁତାରେ ରାଜ୍ଯ ଛାଡ଼ି ପଳା ।

●ତନ୍ତୀ ପୁତା ! ଖାଏ ମାଲ ଚୋରାଏ ସୂତା
(ଢଗ)

●ଶୁଣ ଶୁଣ ପୁତା ଲୋଇରେ 
                   ପିମ୍ପୁଡ଼ି ହାଦେ ବାଟ କଢ଼ାଇ,
ଅଦୃଷ୍ଟ ଅଶ୍ରୁତ ପୁତା ନ ପାଇ ଥାନ୍ତିଂ ହୋଇଂ ।
ଯେବେ ସେ ତ୍ରିଗୁଣେ ଯତନ ହୋଇବାକ ଦେହି
ନାସିକା ଦ୍ୱାରେ ଯେବେ ଛଞ୍ଚତ ପାରିବାଇଂ ।
ବେତ ବସେ ବନ୍ଦୀ ହୋଇବ ହାଥୀ ବାଡ଼ି
ବିଝଂଗିରି ଚରଇ ପୁତା ଶୂନ୍ୟଗିରି ସ୍ଥିତି
ଯାହାକଇ ଚିହ୍ନିଲେ ପିଣ୍ତ ହୋଇବ ମୁକ୍ଷ ମୁକତି ।
(ଚର୍ଯ୍ୟାଗୀତି)

● “ଲାଲ ଟହଟହ ପାତଲଘଟାଁ,
                               ଧାନ ମିରଚା ନୁନେ, 
ଚିଟକି ଚିଟକି ଖାଏମା ପୁତା, 
                          ବାସି ପଖାଳର ସାଙ୍ଗେ ।
(ଢ଼ଗ)
ଓଡ଼ିଶାର ଆଉ କେତେକ ଅଞ୍ଚଳରେ ପୁଅ ଵା ପୁତ୍ର ଶବ୍ଦର ଭିନ୍ନ ଭିନ୍ନ ରୂପ ଚଳୁଅଛି । ମୟୂରଭଞ୍ଜରେ ପୁଅମାନଙ୍କୁ “ପଅ” ତଥା ସମ୍ଵଲପୁର ଓ ସୁଵର୍ଣ୍ଣପୁରର କେତେକ ଅଞ୍ଚଳରେ “ପୁଓ” କୁହାଯାଏ ବୋଲି କଥିତ ଓଡ଼ିଆ ଶବ୍ଦକୋଷର ଉଲ୍ଲେଖରୁ ଜଣାଯାଏ । ସେଇଭଳି ବୌଦ୍ଧ ଜିଲ୍ଲାରେ “ପୁଝି” ଶବ୍ଦର ଅର୍ଥ ପୁଅ ଝିଅ ବୋଲି ଏହି ଶବ୍ଦକୋଷରେ ଉଲ୍ଲେଖ ରହିଛି ।

ଢେଙ୍କାନାଳରେ ବଡ଼ଭାଇ ନାନୀମାନେ ମଧ୍ୟ ସେମାନଙ୍କ  ଅନୁଜ ଭାଇମାନଙ୍କୁ ପୁଅ ଡାକୁଥିଵାର ଦେଖାଯାଏ କିନ୍ତୁ  ଗଞ୍ଜାମ ଅଞ୍ଚଳରେ ଏଭଳି ଡକାଯିଵାକୁ ଅଶ୍ଲୀଳ ମାନାଯାଏ । ଅର୍ଥାତ୍ ଏ ଅଞ୍ଚଳରେ ମାତାପିତାଙ୍କ ଭିନ୍ନ ଆଉ କେ ପୁଅ ଡାକିଵାଟା ଲୋକେ ସହଜରେ ଗ୍ରହଣ କରିପାରନ୍ତି ନାହିଁ ତେଣୁ ସେପଟେ ଛୋଟ ଛୋଟ ପିଲାଙ୍କୁ ସ୍ନେହରେ ଦାମୁଡି଼ ଡାକନ୍ତି । ଓଡ଼ିଶାରେ ପ୍ରାୟତଃ ପୁଅମାନଙ୍କୁ ବାପାମାଆ ସ୍ନେହରେ ବାପ,ଧନ,ଵା ଓ ବାବୁ ଇତ୍ୟାଦି ସମ୍ବୋଧନ କଲାଵେଳେ ଝିଅମାନଙ୍କୁ ମାଆ ଡାକୁଥିଵାର ମଧ୍ୟ ଦୃଶ୍ଯ ହୋଇଥାଏ ।

No comments:

Post a Comment

ଦେଶ ନାସ୍ତି ମହୀତଳେ

ଦେଶ ନାସ୍ତି ମହୀତଳେ ତୁଙ୍ଗ-ଶିଖରୀ, କୁଞ୍ଜ-କାନନ, ପୁଣ୍ୟ-ଜଳଧି ର ତ୍ରିବେଣୀ ସଂଗମ ଆମ ଉତ୍କଳ l ପୂତ ପୟୋନିଧି ର ପବିତ୍ର ଜଳ ସ୍ପର୍ସ ରେ ପ୍ରତିଧୂଳି କଣା...