Saturday, March 6, 2021

● ସୃଜନଧାରା ●

#ସୃଜନଧାରା 
             #ଗୋଦାବରୀଶ 

ମରଣେ ମୁଦି ସେ ନୟନଯୁଗଳ 
ଅନ୍ତିମ ତଳପେ ଶୋଇଛି ଭାଇ 
ସୋଦର ଵନିତା ତନୟ ସେନେହ
ପରାଣୁ ନିଠୁରେ ଵିସୋରିଦେଇ ।

କୁଟୀରୁ ଅନ୍ତର କରି ନେଇ ତ୍ଵରା 
ଶ୍ମଶାନେ ଦେବେ ସେ ତନୁ ଜାଳି
ପ୍ରତିଵାସୀ ଚିର ହୃଦ୍ ଘେନାଘେନି 
ନିରଦୟ ଚିତା ଅନଳେ ଢାଳି ।

ତନୟ ଵନିତା କରୁଣ ଵିଳାପେ 
ପୂରିଛି ତାପିତ କୁଟୀର ସାରା 
ନିତି ଯହିଁ ଖେଳେ ସ୍ନେହ ସୁଧାହାସ 
ଵହେ ଆଜି ଶୋକ-ଲୋତକ ଧାରା ।

ଭାଇ ଟି ନୀରଵେ ଠିଆହୋଇ ପାଶେ 
ଉଦାସେ କି ଅବା ଭାଳଇ ମନେ 
ଯୁଗଳ ଜୀଵନେ କେତେ ତ କାନ୍ଦିଛି 
ଲୁହ ନାହିଁ ଆଜି ନୟନ କୋଣେ ।

କରମେ ଵିରାମେ,ଶୟନେ ସପନେ 
ଭାଇ ଟା ଏକା ସେ ଧିଆନ ତା'ର 
ମୋହନ ନିଵେଶେ ଵହିଯାଏ ହୃଦେ 
ସୋଦର ନିସର୍ଗ ସେନେହ ଭାର ।

ଅଧିକୁ ଅଧିକ ବଢ଼ଇ ଵିଳାପ 
ଜଣୁ ଜଣେ ଆସି କାନ୍ଦଇ ବସି 
ଭାଇ ଟି ନିରଵେ ହୋଇଛି ଠିଆ ତ 
ବିନ୍ଦୁ ଵାରି ନେତ୍ରେ ନ ଉଠେ ଭାସି ।

ପ୍ରତିଵାସୀ ଜନେ ଉଠାଇ ଶଵଟି 
କୁଟୀରୁ ଅନ୍ତର କଲେକ ତହୁଁ 
ଅଶ୍ରୁନୀରେ ଗଲା ତିନ୍ତି ଭାଇ ତନୁ―
‛କି ଲାଗି ଭାଇ ଏ କୁଟୀର ଆଉ’ ? 

  ■■■■■■■■ ----କବି ----■■■■■■■■

   ★★ପଣ୍ଡିତ ଶ୍ରୀ ଗୋଦାବରୀଶ ମିଶ୍ର★★
ସତ୍ୟଵାଦୀ ଵନଵିଦ୍ୟାଳୟର ଶିକ୍ଷକ ଥିଵା ସମୟରେ ଦୂର ଅଧିଵାସୀ ଏକ ଛାତ୍ରର ଅକାଳ ଵିୟୋଗରେ ଏହି କଵିତା ଲେଖାଯାଇଥିଲା ।

No comments:

Post a Comment

ଦେଶ ନାସ୍ତି ମହୀତଳେ

ଦେଶ ନାସ୍ତି ମହୀତଳେ ତୁଙ୍ଗ-ଶିଖରୀ, କୁଞ୍ଜ-କାନନ, ପୁଣ୍ୟ-ଜଳଧି ର ତ୍ରିବେଣୀ ସଂଗମ ଆମ ଉତ୍କଳ l ପୂତ ପୟୋନିଧି ର ପବିତ୍ର ଜଳ ସ୍ପର୍ସ ରେ ପ୍ରତିଧୂଳି କଣା...