Monday, February 1, 2021

■ ବିପ୍ଳବୀ କବି ରବି ସିଂ ■

#ପୂଜନୀୟେଷୁ   
                             ✍  .....© ଅମୃତେଶ ଖଟୁଆ

     "ନାମ 'ରବି ସିଂ' ଭୀରୁ-ଭାରତର ସାମାନ୍ୟ ଜଣେ କବି
     ଯୌବନ ଭରି ଆଙ୍କି ଆସିଲି ମୁଁ ଜନମୁକ୍ତିର ଛବି ।
               କ୍ୟାନଭାସ୍ ପରେ ଛାତିର ରକତ
               ବୋଳି ବୋଳି କାଟି ତୂଳିକାର ପଥ
     ଉଷାର ଯାମିନୀ କୋଳରୁ ଛଡାଇ ଆଣିଛି ପ୍ରଭାତ ରବି
     ମନ୍ଦ୍ର ନିନାଦେ ଛନ୍ଦେ ତୋଳିଛି ସକାଳର ଭୈରବୀ ।"  

                                      ଆଧୁନିକତା ନାମ ନେଇ ଯେଉଁ ପ୍ରଗତିଶୀଳ ପ୍ରତ୍ୟୟ ପୋଷଣ କରିବା କଥା, ତାହା ଆଜି ଏକ ଅଭିନୟ ସ୍ଵରୂପ ପ୍ରଚଳିତ । ଅଭିଜ୍ଞତା ନାହିଁ, ଏପରିକି ଅନଭିଜ୍ଞ ଅଥବା ଅନାଗ୍ରହ ଚେତନାକୁ ଜାତୀୟ-ସ୍ଵାତନ୍ତ୍ର୍ୟ ପ୍ରତି ଅଗ୍ରଗାମୀ କରେଇବାର ଚେଷ୍ଟା ମଧ୍ୟ ନାହିଁ । ପୁନଶ୍ଚ, ଅନେକେ ଯେଉଁ ମାନେ ଏହିପରି 'ସଂଘର୍ଷ ଚେତନା'ରେ ନିଜର ସେହି ଆନ୍ତରିକତା ଦେଖାନ୍ତି, କିନ୍ତୁ ପରବର୍ତ୍ତୀ ସମୟରେ ଜଣାଯାଏ ଏହି ସଂକଟ, ସଂଘର୍ଷ ଓ ବେଦନା ପ୍ରତି ଅଙ୍ଗୀକୃତ କ୍ଷୋଭ ସାମୟିକ ମାତ୍ର - ବ୍ୟକ୍ତିସ୍ତରରେ ଜାତ ଏକ ସ୍ଵାଭାବିକ ବିକ୍ଷୋଭର କ୍ଷଣିକ ଅବସ୍ଥା , ଯାହା ଫଳରେ ବାଞ୍ଛିତ ସଂକଟ ଚେତନା ଓ ଏଥିରୁ ସୃଷ୍ଟ ସମୁଚିତ ପ୍ରଗତିଶୀଳ ଭାବାନ୍ତର ଦୀର୍ଘକାଳ ଅର୍ଥବାହୀ ହୁଏନାହିଁ ।

                            ହେଲେ ଉତ୍ତର ପଚାଶ ଦଶନ୍ଧି ଜଣେ ଏହି ପରି ବାଞ୍ଛିତ 'ସଂଘର୍ଷ-ଚେତନା' ଅବହିତ ନରପୁଙ୍ଗବଙ୍କର ହିଁ ଅପେକ୍ଷା ରହିଥିଲା, ଯିଏ କି ସମସ୍ୟାକୀର୍ଣ୍ଣ ମନୁଷ୍ୟ ସମାଜରେ, ମୂଲ୍ୟବୋଧ-ରହିତ ଗଳିତ ମାନବିକତାକୁ ଦେଇଛନ୍ତି ଅକ୍ଷରେ ଅକ୍ଷରେ ବିଦ୍ରୋହର ବୈପ୍ଳବିକ ବାଣୀ । ସ୍ଥାନେ ସ୍ଥାନେ କବିତାରେ ନିଜସ୍ଵ ଅଭିଜ୍ଞତା ବଳରେ ଅର୍ଜନ କରିଥିବା ଜୀବନର କ୍ଷତବିକ୍ଷତ ମନର ଉଦ୍-ବେଳନ ଓ ବ୍ୟଥିତ ଚିନ୍ତା ମାଧ୍ୟମରେ ସେ ଅଭିମତ ଦେଇଅଛନ୍ତି । ଡ. ମାୟାଧର ମାନସିଂହଙ୍କ ମନ୍ତବ୍ୟରେ ସେ ଥିଲେ "ବିଶ୍ଵଯୁଦ୍ଧ ପରେ ଇଂଲଣ୍ଡର ସାହିତ୍ୟକ୍ଷେତ୍ରରେ ଦେଖା ଦେଇଥିବା ତଥାକଥିତ କ୍ରୁଦ୍ଧ ତରୁଣ" ପରି ବା "Angry Young man" ! ବିପ୍ଳବୀର ଅମ୍ଳାନ ଅକ୍ଷର ରବୀନ୍ଦ୍ରନାଥ ସିଂ ବା ବିପ୍ଳବୀ କବି ରବି ସିଂ !

                             ଜଗତସିଂହପୁର ଜିଲ୍ଲାର ନବାପାଟଣା ନିକଟ ସିଂହାରପୁର ଗ୍ରାମ । ହଂସୁଆ ନଦୀ ତଟବର୍ତ୍ତୀ ଏ ଗ୍ରାମରେ ୧୯୩୪ ମସିହା ବସନ୍ତ ପଞ୍ଚମୀ ତିଥିରେ ଜନ୍ମ ନେଇଛନ୍ତି ରବୀନ୍ଦ୍ରନାଥ ସିଂ ।  ପିତା ଥିଲେ ବିଶିଷ୍ଟ ସାମ୍ୟବାଦୀ ଚିନ୍ତାନାୟକ ଏବଂ ସ୍ଵାଧୀନଚେତା ସଂଗ୍ରାମୀ ରାମଚନ୍ଦ୍ର ସିଂ। ମା' ସ୍ଵାଧୀନତା ସଂଗ୍ରାମୀ ଶାରଦା ଦେବୀ । ଏହି ବିପ୍ଳବୀର ସ୍ଵର ପଛରେ ଥିବା ତାଙ୍କ କରୁଣ ଶୈଶବ ଓ ତାରୁଣ୍ୟର ତିକ୍ତାନୁଭୂତି ବଖାଣିଲେ ସ୍ପଷ୍ଟ ହୁଏ ଯେ କବିଙ୍କ ମଧ୍ୟରେ ଥିବା ରୌଦ୍ରତା ଯେ କେତେ ମାତ୍ରାରେ ନିର୍ମମ ଭାବରେ ଧ୍ଵାନ୍ତ ଗତି ଦେଇ ଚାଲିଥିଲା , ତାହା ତାଙ୍କ ମଦନ-ମନୋହର କାବ୍ୟପୁରୁଷକୁ ବିଦ୍ରୋହୀରେ ପରିଣତ କରାଏ ।

                          
                           ପିଲାଦିନେ ପିତା ରାମଚନ୍ଦ୍ର ସିଂ ଙ୍କ ଅନୁଚିନ୍ତନ ଦ୍ଵାରା ସେ ଅନେକ ଅନୁପ୍ରାଣିତ ହୋଇଥିଲେ । କହିବାକୁ ଗଲେ ସେ ତାଙ୍କ ଜୀବନରେ ଘଟିଥିବା ମାତ୍ରାତିରିକ୍ତ ତିକ୍ତାନୁଭୂତି ମଧ୍ୟରେ ପିତାଙ୍କ ସ୍ଵାଧୀନତାକାମୀ ମନୋଭାବ ସହ ମାନବତାକୁ ନିଜ ଧର୍ମ ରୂପେ ସତତ ପାଳନ କରୁଥିଲେ । ହରିଜନମାନଙ୍କ ସପକ୍ଷରେ ଯାଇ ପିତା ଏକଘରକିଆ ହୋଇଛନ୍ତି ସତ, ହେଲେ ପିତାଙ୍କର ସାମ୍ୟବାଦୀ ଚିନ୍ତାଧାରା, ଦୈନନ୍ଦିନ ଅରଟରେ ସୂତା କାଟିବା ଆଉ ଆଣ୍ଠୁ ଲୁଚୁନଥିବା ଖଦଡ ଲୁଗାକୁ ପହରଣ କରିବାର ରୀତି ରବି ସିଂଙ୍କୁ ଅନେକତ୍ର ପ୍ରଗତିଶୀଳତାର ଶିକ୍ଷା ସେଇ ତାଙ୍କ ଘରୁ ହିଁ ଦେଇଆସିଛି। ହେଲେ ମନମୋହନ ମିଶ୍ର, ଭଗବତୀ ଚରଣ ପାଣିଗ୍ରାହୀଙ୍କ ଭଳି ଆଦର୍ଶରେ ସେ ପାଇଥିଲେ ନିଜର ଲକ୍ଷ୍ୟପନ୍ଥା। 
                           
                           

                        ସ୍ବାଧୀନତା ଆସିଲା , ଇଂରେଜ ଉପନିବେଶରୁ ମୁକ୍ତ ସତ, ହେଲେ କୋଟି କୋଟି ନିରନ୍ନ ମଣିଷ ପାଇଲା କଣ ? ଯେତେବେଳେ କପର୍ଦ୍ଦକଶୂନ୍ଯ ଏଇ ବିପ୍ଳବୀ ତରୁଣ କବି, ସେତେବେଳେ ତାଙ୍କ ପକ୍ଷରୁ ଅନେକ ଆବେଦନପତ୍ର ସରକାରଙ୍କ ସମୀପରେ ଆଗତ କରାଯାଏ , ହେଲେ ସରକାରଙ୍କ ଆର୍ଥିକ ଅନୁଦାନ ପାଇଁ ସିଧାସଳଖ ପ୍ରତ୍ୟାଖ୍ୟାନ ତାଙ୍କୁ ଉତ୍ତ୍ୟକ୍ତ କରି ସାରିଥିଲା । ହେଲେ ସିଏ ନିଜେ ନିଜକୁ ସତତ ପ୍ରଶ୍ନ ସ୍ଵରୂପ ବଖାଣିଥିଲେ, "କିହୋ, ସାହିତ୍ଯିକ ପ୍ରତିଭା ଓ କବିତ୍ଵ ସହିତ ସ୍କୁଲ-କଲେଜ ଶିକ୍ଷାର ସମ୍ପର୍କ କଣ?" ତରୁଣ ରବି ସିଂ ସେତେବେଳେ ପିତାଙ୍କ କଂଗ୍ରେସର ପ୍ରତିନିଧିତ୍ଵ ସମୟରେ ଲୁଚି ଲୁଚି ପାଠ ଶିଖି କବିତା, ଛୋଟ ଛୋଟ ଗଳ୍ପ ଲେଖିବା ଆରମ୍ଭ କଲେ ।

                           ତଥାକଥିତ ଐଶ୍ଵରିକ ସତ୍ତାର ନିଷ୍ଠୁରତା , ସେହି ମମତ୍ଵକୁ ଶୂନ୍ୟ କରେଇବାର ନିଷ୍ଠୁରତା ତାଙ୍କୁ କରିଥିଲା ବିପ୍ଳବୀ କବି ଆଉ ସେ ଲେଖିଥିଲେ 'ଚରମପତ୍ର' କବିତା  ଯାହାର ଦୃପ୍ତ ମର୍ମଣ ଆଜି ବି କର୍ଣ୍ଣପୁଟରେ ଭୀଷଣୋଷ୍ଣ କଣ୍ଠତଟର ଉଦାତ୍ତ ଉଦ୍ଘୋଷଣାକୁ ସ୍ତମ୍ଭିତ କରୁଅଛି । ୧୯୪୮ ମସିହାରେ ସେ କଟକର କଂଗ୍ରେସ-ସୋସିଆଲିଷ୍ଟ୍ ର ସଦର କାର୍ଯ୍ୟାଳୟ ଅଫିସ୍ ବୟ ରୂପେ ନିଯୁକ୍ତ ରହିଥିଲେ । ହେଲେ ସେହି ସଦର କାର୍ଯ୍ୟାଳୟ ରୁ ସେ ଫେରି ଆସିଛନ୍ତି ୧୯୫୨ ମସିହାରେ, ଯେତେବେଳେ ସେ ଦେଶର ଅନେକ ତୁଙ୍ଗ ନେତୃତ୍ଵଙ୍କ ନୀତିଗତ ବିଚ୍ୟୁତିରୁ ଅସନ୍ତୁଷ୍ଟ ରହି ଆସିଥିଲେ । 

                            ଏକ ଘଟଣାକ୍ରମରେ ୧୯୫୩ ମସିହାରେ ସେ ସିପିଆଇରେ ଯୋଗଦାନ ପରେ ୧୯୫୫ ମସିହାରେ ପର୍ତ୍ତୁଗୀଜ୍ ଶାସିତ ଗୋଆ ମୁକ୍ତି ଆନ୍ଦୋଳନରେ କେ. ହନୁମତ୍ ରାଓଙ୍କ ସହ ଯୋଗ ଦିଅନ୍ତି ରବି ସିଂ। ଆହତ ଅବସ୍ଥାରେ ଯେତେବେଳେ ସେ କଟକ ଫେରିଥିଲେ , ନିଜ ଆପ୍ରାଣପ୍ରିୟ ଅଧ୍ୟାପକ ରତ୍ନାକର ପତି ମହୋଦୟଙ୍କୁ ସାକ୍ଷାତ୍ କ୍ରମେ ତାଙ୍କ ମନ୍ତବ୍ୟ ପାଇଲେ, "ତୁ ବଡ଼ ଦୁଃସାହସୀ । ଭଗବାନଙ୍କ ଆଶୀର୍ବାଦ ନଥିଲେ ତୋର ଏ ବିକାଶ ସମ୍ଭବ ହୋଇନଥାନ୍ତା ।" ଆଉ ତାଙ୍କ ଲେଖନୀରୁ ଝରିପଡେ ସେହି ପରି ଆଲୋଡନକାରୀ କୃତି - "ପଥପ୍ରାନ୍ତର କବିତା", "ଗୋଆଯାତ୍ରୀ" , "ପରାସ୍ତ ସୈନିକ" ଏବଂ "ବଲ୍ଗା ଶିଥିଳ" ।

                            
                          ହେଲେ ୧୯୫୨-୧୯୬୦ ମସିହା ଭିତରେ ରବି ସିଂଙ୍କ ଦୁର୍ଦ୍ଦମନୀୟ ଯାତ୍ରା ଆରମ୍ଭ ହୁଏ ! ୧୯୬୫ ମସିହା ୨୨ ଡିସେମ୍ବର ଦିନ "ଷଣ୍ଢ,  ହେ ତୁମେ ଦଣ୍ଡବତ ମୋ ଘେନ !" ନାମରେ ଏକ ଚର୍ଚ୍ଚିତ କବିତା ଲେଖିଲେ ରବି ସିଂ ! ସେହି 'ଷଣ୍ଢ' ହେଉଛି କବିଙ୍କ ଦୃଷ୍ଟିରେ 'ଆଦିମ ସାମ୍ୟ ବାଦୀ ।' ଏହି 'ଷଣ୍ଢ' ପୁଣି ମାନ୍ଯ କରେନାହିଁ କୌଣସି ସରକାରୀ ଅଧିନିୟମ ଅଥବା ଆଇନ , ହାଜତ୍ ଆଉ ବଳପୂର୍ବକ ଉପସ୍ଥିତି। ଏହା ମାଧ୍ୟମରେ ସେ କମ୍ୟୁନିଷ୍ଟ ମତବାଦ ଆଢୁଆଳରେ ରହିଥିବା ଭଣ୍ଡ ସାମ୍ୟବାଦ ଓ ସଂଖ୍ୟାଗରିଷ୍ଠତା ପାଇଁ ଅତିରିକ୍ତ ଆଶାୟୀ ନେତାମାନଙ୍କର ଚରିତ୍ର ଉନ୍ମୋଚିତ କରନ୍ତି , ଯାହାକୁ ତଦାନୀନ୍ତନ ରାଜନୀତିଜ୍ଞ ତଥା ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ଭୂୟସୀ ପ୍ରଶଂସା କରିଥିଲେ ।

                            
                                  ମହାମାନବର କବି କିନ୍ତୁ ଏହି ଧରାପୃଷ୍ଠରେ ଧରାବନ୍ଧା ପରିସ୍ଥିତିର ଅପ୍ରତ୍ୟାଶିତ ଅନୁଭୂତିରେ ହୁଅନ୍ତି ନିୟମିତ ବିଜଡିତ । ବିଦ୍ୟାଳୟ ଯାଉଥିଲେ ହେଲେ ମାତ୍ର ଦୁଇ ଘଣ୍ଟା ହିଁ ସେ ଅତିବାହିତ କରୁଥିଲେ। ତଦାନୀନ୍ତନ ସମୟରେ ତାଙ୍କ ପିତା ଜେଲ୍ ରୁ ମୁକ୍ତ ହେବା ବେଳକୁ ତାଙ୍କୁ ଗାଁରେ ଛାଡିଦେଇ ମା' ଙ୍କ ନିକଟରେ ରଖି କେଉଁ ଆଡକୁ ଯିବାକୁ ପ୍ରସ୍ତୁତ ନଥାନ୍ତି । କାରଣ କବିଙ୍କ କାଳ ଖଣ୍ଡ ଅବଶ୍ୟ ସେ ସମୟରେ ଦାରିଦ୍ର୍ୟ ଓ ଅଭାବର ମରୁ ସମାନ ବେଳାରେ ଅତିବାହିତ ହୁଏ । ନବାପାଟଣା ସେତେବେଳେ ଏକ ଅନଗ୍ରସର ଗ୍ରାମ ରୂପେ କୁଖ୍ୟାତ । ଏଣୁ ଏହିପରି ଏକ ଅନ୍ଧାରିତ ଅଭିସନ୍ଧିରୁ ମୁକୁଳିବା ପାଇଁ ରବି ସିଂଙ୍କ ପାଠପଢାରେ ଯବନିକା ପଡିଯାଏ । ପିତାଙ୍କ ସହ କଟକ ଆସିଛନ୍ତି ଆଉ କଟକରେ ପିତାଙ୍କ ସହ ଅନେକ ବୁଦ୍ଧିଜୀବୀ ଓ ବଡ଼ବଡ଼ ଲୋକଙ୍କ ସହ ଭେଟୁଥିଲେ ।

                             ପିତାଙ୍କ ଦେହାବସାନ ପରେ ରବି ସିଂ ଏଣେ ତେଣେ ଭ୍ରମଣ କରି କରି ବିବିଧ ସ୍ଥାନରେ ଆଶ୍ରୟ ପାଇ ରହିଥିଲେ । ଏକଦା କଟକ-ଭୁବନେଶ୍ୱର ମଧ୍ୟବର୍ତ୍ତୀ ରାଜପଥ ନିକଟସ୍ଥ ଗୋପାଳପୁର ଠାରେ ଅବସ୍ଥାନ କାଳରେ ସେ ପ୍ରକାଶ କରେଇଥିଲେ ତାଙ୍କର ବହୁଚର୍ଚ୍ଚିତ କବିତା ସଂକଳନ "ପଥପ୍ରାନ୍ତର କବିତା" (୧୯୫୯) । ଅସ୍ତିତ୍ଵର ଅନ୍ଵେଷାରେ ମାନବିକତାର ଯେଉଁ ସନ୍ଧାନରେ କବି ସବୁବେଳେ ଅନୁସନ୍ଧିତ୍ସୁର ଭୂମିକାରେ ଅବତୀର୍ଣ୍ଣ ହୋଇ ଆସୁଥିଲେ, ସେଥିରେ କେତେବେଳେ ଓଡିଶାର , କେବେ ଭାରତବର୍ଷର ତ କେବେ ପରିବ୍ୟାପ୍ତ ବିଶ୍ଵର । ଏମାନଙ୍କ ମଧ୍ୟସ୍ଥ ହର୍ଷ ବିଷାଦ, ସ୍ବପ୍ନ-ସ୍ବପ୍ନଭଙ୍ଗ, ପ୍ରତ୍ଯୟ ଓ ସମ୍ଭାବନା କବିତାର ଆଧାର ଧରନ୍ତି । ସାରସ୍ଵତ ଚିନ୍ତନରେ ମାର୍କସ୍, ଲେନିନ୍, ମାଓ, ନଜରୁଲ୍, ଭଗବତୀ ଚରଣ, ଗୋଦାବରୀଶ ପ୍ରଭୃତି ତାଙ୍କର ଆଦର୍ଶ ସ୍ଥାନୀୟ। 

                          ଦୁର୍ଦ୍ଦିନର ରାସ୍ତାରେ ଚାଲୁ ଚାଲୁ ତାଙ୍କ କାବ୍ୟ ମାନସରେ ଯେଉଁ ସାମାଜିକ ବିରୋଧାଭାସ ବେଗଗାମୀ ଝଡ଼ର ସୃଷ୍ଟି କରେ, ତାହା ସେ ନିଜ ଅଙ୍ଗେ ନିଭା ବ୍ୟକ୍ତିଗତ ଅଭିଜ୍ଞତାରୁ ପ୍ରଚଳିତ ସାମାଜିକ ବିଧି ବ୍ୟବସ୍ଥା ବିରୁଦ୍ଧରେ ତାଙ୍କ ଅନ୍ତରରେ ତୀବ୍ର ଘୂର୍ଣ୍ଣିଝଡ଼ ସଦୃଶ ପ୍ରତୀକିତ କରାନ୍ତି । ପୁଣି ତାଙ୍କ କାବ୍ୟସ୍ଵର ବହନ କରେ ସର୍ବାଦୌ ଏକ ବେସାଲିସ୍ ବିଦ୍ରୋହର ଆଗ୍ନେୟ ତାପ ଯେଉଁ ସ୍ଵର ପରବର୍ତ୍ତୀ କାବ୍ୟଚେତନାରେ ଏକ ସ୍ପଷ୍ଟ ଓ ନିରୂପିତ ବାମପନ୍ଥୀ କାବ୍ୟ-ସରଣୀରେ ପ୍ରବେଶ କରେ , ତାଙ୍କର 'ବିକ୍ଷୋଭ', 'ମୃତ ଏପିକ୍ ପାଇଁ କବିତାଟିଏ', 'ହେ ମୋର ଶାୟକ', 'ହେ ମହା ଜୀବନ !' ଭଳି କବିତା ସ୍ଵତଃ ପ୍ରତୀୟମାନ ହୋଇଛି।  ସେହିପରି ଏକ କବିତା 'ଆମେ ଦୁହେଁ' ରେ ସେ ଲେଖନ୍ତି -
                          

                 "କଣ୍ଠେ ଆମ ବିଜୟର ହ୍ରେଷା
                  ସୃଷ୍ଟି ଆଉ ସମାଜ ନିୟମ
                  ଆମେ ଦୁହେଁ କରିଛୁ ବାସନ୍ଦ
                  ନିଜ ବଳେ ଆମେ ବଳୀୟାନ୍
                  ଆମେ ଦୁଇ କୋଷମୁକ୍ତ-ଶାଣିତ କୃପାଣ ।"

                      ପୂର୍ବୋକ୍ତ ଅନୁଚ୍ଛେଦରେ ମାୟାଧର ମାନସିଂହଙ୍କ ମନ୍ତବ୍ୟ ଅବଶ୍ୟ ଥିଲା ରବି ସିଂ ଙ୍କ ବ୍ଯକ୍ତିଗତ ଦୁଃଖପୀଡିତ କାଳ ଓ ଅଭିଜ୍ଞତା ଅର୍ଜିତ ଅତିରିକ୍ତ ପ୍ରତିକ୍ରିୟା ପ୍ରତି । ହେଲେ ରବି ସିଂ ପ୍ରକୃତରେ ମାନବଜାତିରେ କ୍ରମଶଃ ହଜିଯାଉଥିବା ଚେତନାକୁ ଫେରାଇବା ପାଇଁ ଯେଉଁ ଉଦାତ୍ତ ଅଭିମତ ଦେଇ ଆସିଛନ୍ତି , ସେଥିରେ ତାଙ୍କର ପ୍ରତିକ୍ରିୟାଶୀଳ କାବ୍ୟିକତା ଅପେକ୍ଷା ସତ୍ୟ-ଶିବ-ସୁନ୍ଦରର ପ୍ରତିଷ୍ଠା, ପଶୁତା ପ୍ରବୃତ୍ତି ଦମନ କରି ଶାନ୍ତିର ଉଦୟଲଗ୍ନ ଏବଂ ମାଟିର ମଣିଷ ପ୍ରତି ନିଜର ପ୍ରତୀକିତ କଲ୍ୟାଣବୋଧକୁ ସେ ଆହ୍ବାନ କରି ଆସିଛନ୍ତି । ସେଥିପାଇଁ ଯଥାର୍ଥତଃ ସୁରେନ୍ଦ୍ର ମହାନ୍ତି ତାଙ୍କ କବିତାକୁ କହନ୍ତି,"ଅନୁଭୂତି ଲବ୍ଧ କଠୋର ଅଭିଜ୍ଞତାର ତୀବ୍ର ଅଭିଜ୍ଞାନ।" 

                         ଦୁର୍ବାର ଝଡ଼ ପରି ସେ ପ୍ରାକ୍-ଷାଠିଏ ଦଶନ୍ଧି ବେଳକୁ ଓ ତଦୁତ୍ତାରୁ ତାଙ୍କ କବିତାରେ ପ୍ରାଥମିକ ଭାବ ବାମପନ୍ଥୀ  ସାରସ୍ଵତ ପ୍ରତିଭାର ଧାରା ଥିଲା ଓ ତା ପ୍ରଚ୍ଛଦପଟ୍ଟ କେତେ ଯେ ଐତିହାସିକ , ତାହା ପାଠକଙ୍କୁ ଅଭିଭୂତ କରେ। ରବି ସିଂଙ୍କ କବିତାରେ ଏଇ ସମାଜର ଚିର ବୈଷମ୍ୟପୀଡିତ ବ୍ୟାଧିର ଦୃଶ୍ୟ ସର୍ବତ୍ର ପ୍ରତିଫଳିତ । ତଦାନୀନ୍ତନ ଗାନ୍ଧୀବାଦ ଆଦର୍ଶ ଅପେକ୍ଷା ଏକ ସଂଘର୍ଷ-ସମ୍ଭୂତ ସମାଜରେ ନ୍ୟସ୍ତସ୍ଵାର୍ଥ ବିରୁଦ୍ଧରେ ଯେଉଁ ଚୋଟ ସେ ବସାଇଥିଲେ , ତାହା ଅନେକ ବିଶିଷ୍ଟ ରାଜନୀତିଜ୍ଞ ତଥା ତଥାକଥିତ ବୁଦ୍ଧିଜୀବୀ ମହଲରେ ଆଲୋଡନ ସୃଷ୍ଟି କରେ।  ସେଥିପାଇଁ ସେ ଅସମତା ଓ ଅବିଚାରରେ ପ୍ରତ୍ୟାଖ୍ୟାତ ଶ୍ରେଣୀକୁ ଆଶାଜନକ ଉଦ୍ଦୀପନା ପ୍ରଦାନ କରି ଲେଖିଛନ୍ତି - "ଦୁଃଖ ସାଗରେ ଝଡ଼ ସମ ମୁଁ ତ ଉଠିବି ଫୁଲି/ ଜାଳି ଦେବା ପାଇଁ କୋଟି-କୁଡିଆର ନିଭିଲା ଚୁଲି ।"

                            ୧୯୫୮ ମସିହା ବେଳକୁ 'ପରାସ୍ତ ସୈନିକ' ଓ 'ଚଳନ୍ତିକା' ଗଳ୍ପ ସଂକଳନ ମଧ୍ୟ ପ୍ରକାଶ କରାଇବା ସହ ପ୍ରକାଶ କରାଇଛନ୍ତି ତାଙ୍କର କାଳଜୟୀ କବିତା ସଂକଳନ 'ଚରମପତ୍ର' । 'ଲାସ୍ୟ' ଏବଂ 'ତାଣ୍ଡବ' ନାମିତ ଦୁଇଟି ବିଭାଗରେ ସଂକଳିତ ଏ କାବ୍ୟ ଧାରା ୧୯୬୧ ମସିହାରେ ପ୍ରକାଶିତ ହୋଇ ସମଗ୍ର ଓଡିଆ କାବ୍ୟ ଜଗତରେ ଚାଞ୍ଚଲ୍ୟ ଖେଳାଇଦିଏ । ବିଦ୍ରୋହୀ କାବ୍ୟସତ୍ତା ସମକାଳୀନ ଉଗ୍ର ଆଧୁନିକତା ପ୍ରତି ନିଜର ବିକ୍ଷୋଭ ପ୍ରଦର୍ଶନ କରି ପ୍ରତିଷ୍ଠିତ ସମାଜ ବ୍ୟବସ୍ଥା ଉପରେ ଲାଗିଥିବା କୁତ୍ସିତ ଅଭିମତକୁ କଠୋର ଭାବେ ନିକ୍ଷେପ କରିଛନ୍ତି।  ଶୀର୍ଷକ କବିତା ମାଧ୍ୟମରେ ସେ ଏକଠାବେ ଲେଖିଲେ - "ଜୀବନ ଉପରେ ମରଣଟା କଲା କିଆଁ ପରବାନା ଜାରି ? / ଶାନ୍ତିର ନୀଡେ ଉଠିଲା କାହିଁକି ଯୁଦ୍ଧର ତରବାରି / ଜାନୁଆର୍ ଆଜି ଦଖଲ କରିଲା କିଆଁ ମଣିଷର ଥାନ/ ସୃଷ୍ଟି ଭିତରେ ଧ୍ଵନିତ କିମ୍ପା ଧ୍ଵଂସର ମହାଗାନ ! କହ ହେ ସ୍ରଷ୍ଟା କହ / ଜୀବନର ଭାର ଆଜି କିଆଁ ଦୁର୍ବହ ।"

                          ସମକାଳୀନ ବାସ୍ତବତା ପରିପ୍ରେକ୍ଷୀରେ ସେ ରଚନା କରିଛନ୍ତି ଆହୁରି ଅନେକ କବିତା।  'ଭୃକୁଟି' (୧୯୬୩),  'ଲାଲ୍ ପାଗୋଡାର ପ୍ରେତ ଓ ଅନ୍ୟାନ୍ୟ କବିତା' (୧୯୬୩), 'ବିଦୀର୍ଣ୍ଣ' (୧୯୬୪), 'ଅପ୍ରୀତିକର କବିତା' (୧୯୬୬), 'ଜ୍ଵାଳାର ମାଳା' (୧୯୬୭), 'କ୍ଷତ' (୧୯୬୮), 'ବିଷବାଣୀ' (୧୯୬୯), 'ଦୁର୍ଗମ ଗିରି' (୧୯୭୧), 'କ୍ରାନ୍ତି କାମୋଦୀ', 'ସର୍ବହରା', 'ଝଡ଼', 'ବନ୍ୟା', 'ଜଳ ଗୋ ଅନଳ', 'ଅଗ୍ନିବେଦ' ତାଙ୍କ ପ୍ରସିଦ୍ଧ କାବ୍ୟକୃତିର ସାର୍ଥକ ପରିଚୟ । ମାଟି ଓ ମଣିଷର ଦୁଃଖ-ଦୁର୍ବିପାକର ସବୁଠାରୁ ନିଚ୍ଛକ ରୂପାୟନ, ନିର୍ଯ୍ୟାତିତ ସ୍ଵରର ଦାବି ଓ ଅଧିକାର ପାଇଁ ଫମ୍ପା ଦୋହଲାଇବା ଅପେକ୍ଷା କବି ଆତ୍ମାର ସହୃଦୟତା ଏବଂ ସମକାଳରେ ସାହିତ୍ୟ ସୃଷ୍ଟିରେ ସ୍ଵତଃସ୍ଫୁର୍ତ୍ତ ଅଭିମତ, ନିର୍ଭୀକତା ଏବଂ ସ୍ପଷ୍ଟବାଦୀ ଭାବେ ସମ୍ଵେଦନାକୁ ପ୍ରକାଶ କରିଛନ୍ତି।  

                              ୧୯୬୦ ପରବର୍ତ୍ତୀ ଓଡିଶା ଓ ସମଗ୍ର ଭାରତବର୍ଷର ସାମାଜିକ ,ରାଜନୈତିକ ତଥା ସାଂସ୍କୃତିକ ପ୍ରେକ୍ଷାପଟରେ କବିଙ୍କ ସାଧନା ବେଦୀ ରହିଛି । ସେଥିପାଇଁ ସେ କହିଛନ୍ତି - "ପ୍ରତିହିଂସାର ନାମ ମୋର 'କ୍ଷମା', ସୃଷ୍ଟିର ଅନାସୃଷ୍ଟି / ନିର୍ଜନଗୁହା , ଶ୍ମଶାନ, କବର ସାଧନାବେଦି ମୋ କୃଷ୍ଟି ।" (ଶନି) କବିଙ୍କ ଶାଣିତ ଅଭିବ୍ୟକ୍ତି ଓ ଯଥୋପଯୋଗୀ ସତ୍ୟର ଅନାବରଣ ପରିପ୍ରେକ୍ଷୀରେ ବିଶିଷ୍ଟ ଗଣିତଜ୍ଞ ତଥା କବିଙ୍କ ବନ୍ଧୁ ତ୍ରିବିକ୍ରମ ପତି ତାଙ୍କୁ ଜନତାର ମାୟୋଭାସ୍କି ଏବଂ "Self schooled genius of Utkala" ବୋଲି ଅଭିହିତ କରିଛନ୍ତି।  ୧୯୬୫ ମସିହାରେ ନିଜ କାବ୍ୟ ସଂକଳନ 'ଚରମପତ୍ର' ପାଇଁ କବି ରବି ସିଂ ପାଇଛନ୍ତି ଓଡିଆ ସାହିତ୍ୟ ଏକାଡେମୀ ପୁରସ୍କାର । 
                              

                        ହେଲେ ଶେଷ ଜୀବନ ତାଙ୍କ କଟିଛି ଅତୀବ ନିଃସଙ୍ଗତା ଓ ଅଭାବ ମଧ୍ୟରେ।  ଶେଷରେ ତାଙ୍କ ଜୀବଦ୍ଦଶାରେ ସେ ଲେଖିଛନ୍ତି 'ନିଃସଙ୍ଗ ପଦାତିକ', ଯାହାକି ତାଙ୍କ ସଂଘର୍ଷମୟ ଜୀବନର ଏକ ଅନବତରିତ ନିଶାଣ ରୂପେ ଆଜି ବି ଉଡୁଅଛି। ସେହି ଅନବତରିତ ନିଶାଣଧାରୀ ବିପ୍ଳବୀ କବି ୨୦୧୯ ମସିହା ଡିସେମ୍ବର ମାସରେ ଗୁରୁତର ଭାବେ ଅସୁସ୍ଥ ଅବସ୍ଥାରେ ଥିଲା ବେଳେ କଟକଠାରେ ୨୦୨୦ ମସିହା ଫେବୃଆରୀ ୨ ତାରିଖରେ ଉତ୍କଳୀୟ ମାନଙ୍କୁ ସଜଳାଶ୍ରୁ କରି ପ୍ରତ୍ୟୁଷରେ ଇହଲୀଳା ସମ୍ଵରଣ କରିଛନ୍ତି।  ହେଲେ ଏହି ବିପ୍ଳବୀ କବିଙ୍କ ଲେଖନୀ ଦେଇଛି ଶ୍ରମ କାତର ମଣିଷର ବେଦନାର ସର୍ବଶ୍ରେଷ୍ଠ ପ୍ରତିରୂପ ଏବଂ ଆଜି ମେହନତୀ ମଣିଷର କଳକୂଜନରେ ତାଙ୍କର କାବ୍ୟ ଆଜି ତାଙ୍କୁ ଜଣାଏ ବିମର୍ଶ ସ୍ଵର-ସଲାମୀ !

                 ଆଜି (୦୨ ଫେବୃଆରୀ) ବିପ୍ଳବୀ କବିଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ତାଙ୍କ ଅମରାଦର୍ଶର ପାଥେୟ କାମନା କରୁଅଛି । 

.....© ଅମୃତେଶ ଖଟୁଆ

No comments:

Post a Comment

ଦେଶ ନାସ୍ତି ମହୀତଳେ

ଦେଶ ନାସ୍ତି ମହୀତଳେ ତୁଙ୍ଗ-ଶିଖରୀ, କୁଞ୍ଜ-କାନନ, ପୁଣ୍ୟ-ଜଳଧି ର ତ୍ରିବେଣୀ ସଂଗମ ଆମ ଉତ୍କଳ l ପୂତ ପୟୋନିଧି ର ପବିତ୍ର ଜଳ ସ୍ପର୍ସ ରେ ପ୍ରତିଧୂଳି କଣା...