Saturday, August 22, 2020

❣ ବାସ୍ତବ ପ୍ରେମର ପରିଭାଷା ❣

ବାସ୍ତବ ପ୍ରେମର ପରିଭାଷା/:/
                              ✍ ଦାଶରଥି ସାହୁ 

ବୟସର ସଫଳତା ଏ ପ୍ରେମ ବିଚାରର ସମାନତା
ପ୍ରେମ ପାଠ ଭାଇ ଭାରି ଅଙ୍କାବଙ୍କା ଅଡୁଆ ଖିଅର ସୁତା
ସଭିଏ କହନ୍ତି ସ୍ରଷ୍ଟାଙ୍କ ସୃଷ୍ଟିରେ ଏ ଦରବ ଅଟେ ଦାମୀ
ବେଳେ ବେଳେ ଲାଗେ ବିଚାରର ସମାନତାରେ ଏ ପ୍ରେମ ବୟସର ପାଗଳାମି....!

         ପ୍ରେମ ସତ୍ଯ,ଶିବ,ସୁନ୍ଦର,ଶାଶ୍ୱତ,ଚିରନ୍ତନ ହେଲେ ଏକବିଂଶ ଶତାବ୍ଦୀର ମଣିଷ ନିଜ ସ୍ୱାର୍ଥକୁ ଚରିତାର୍ଥ କରିବା ପାଇଁ ସମ୍ପର୍କ ସାଥିରେ ସଉଦା କରେ,ବିଶ୍ୱାସକୁ ନେଇ ବ୍ଯବସାୟ କରେ,ଯେମିତ ସବୁ ଅନର୍ଥର ମୂଳ କାରଣ ପାଲଟି ଯାଇଛି ଏ ସ୍ରଷ୍ଟାଙ୍କ ସୃଷ୍ଟିରେ ନିଜକୁ ଶ୍ରେଷ୍ଠ କହି ଛାତି ପିଟୁଥିବା ଏ ମଣିଷ ଜାତି,ତଥାପି ଏ ସଂସାରର କେଉଁ ଏକ କୋଣେ ଅନୁକୋଣେ କେହି କେହି ଅଛନ୍ତି ଯେଉଁମାନେ ଜାଣନ୍ତି ବାସ୍ତବ ପ୍ରେମର ପରିଭାଷା ତେବେ ନଜର ଦିଅନ୍ତୁ ମୋ ତୃତୀୟ  ପ୍ରୟାସକୁ ତାଗିଦ୍ କରିବେ ଯାହା ଯେତେ ତୃଟି ଦେଖି  । 

            ଗାଆଁଟିର ନାମ ଅନ୍ଧାରିଗଡ ସେଇଠି ରହୁଥିଲେ ଦନେଇ ଦାସ ପୁଅ,ଝିଅକୁ ନେଇ ତାଙ୍କ ପରିବାରର ଅଣ ଓସାରିଆ ଛାତ,ଅଭାବି ହେଲେ ମଧ୍ଯ୍ଯ ପରସ୍ପର ଭିତରେ ଉତ୍ତମ ବୁଝାବଣା ଲାଗେ ଯେମିତି ଘର ନୁହେଁ ଏ ମାଟି ବୌକୁଣ୍ଠ,ହେଲେ ସବୁବେଳେ ରାତି ପାହି ସକାଳ ହେଲେ ଦନେଇ ଦାସଙ୍କ ଚୁଲି ଚାଉଳର ଚିନ୍ତା,ଅଭାବ ତେଲ ଲୁଣ ସଂସାର କଥା,ପିଆଜ ପଖାଳ ତାଙ୍କ ଅତି ପରିଚିତ,ବେଳେ ବେଳେ ପୁଣି ଜାଉ କାଞ୍ଜି ସହ ଗୁଆ ଦିଆ ବନ୍ଧୁ,ତଥାପି ହାରାସ୍ ନହୋଇ ଷୋହଳ ବର୍ଷର ଝିଅ ଅଲିଭାର ନାମ ଲେଖେଇ ଥିଲେ ବିଜ୍ଞାନ ମହା ବିଦ୍ଯାଳୟରେ ନିଜ ମୁଣ୍ତ ଝାଳ ତୁଣ୍ତରେ ମାରି ।

              ବୟସର ଅପରାହ୍ନରେ ପାଦ ଥାପି ମଧ୍ଯ୍ଯ ନିଜ ପରିବାରର ସୁଖ ଭବିଷ୍ଯତ ପାଇଁ ଦନେଇ ଦାସ ଯେଉଁ ଭଳି ଭାବେ ସମୟ ସହିତ ଲଢେଇ କରୁଥିଲେ ତାହା ଦେଖିଥିଲା ଅଲିଭା,ଯେଉଁଥି ପାଇଁ ସେ ଝିଅଟେ ହୋଇ ମଧ୍ଯ୍ଯ ନିଜକୁ ରୋଜଗାର କ୍ଷମ କରିବାକୁ ପ୍ରୟାସ ଜାରି ରଖିଥିଲା,ଅଲିଭା ଅତି ନିଖୁଣ ,ନିଆରା ନିର୍ଣ୍ଣୟିକା ସର୍ବ ଗୁଣେ ସମ୍ପର୍ଣ୍ଣା ବୟସର ରାଜପଥରେ ଚାଲୁ ଚାଲୁ ସମ୍ପର୍କର ମିଠା ଶିଉଳିରେ ତା'ର ପାଦ ଖସି ସାରିଥିଲା,ନିଜ ଅଜାଣତେ ତା ମନ ଝରକା ଦେଇ କେତେ ବେଳେ ପ୍ରିତୀର ମଳୟ ପବନ ବୋହିଗଲା ନିଜେ ବି ସେ ଅଜ୍ଞ ଥିଲା,ସାଥି ସାଜୁଥିଲା ଚଲାବାଟର ବନ୍ଧୁଟିଏ ପୁଣି ସୁଖ ଦୁଃଖର ସେ ଥିଲା ଅଲିଭାର ପଡୋଶୀ ଆଦର୍ଶ ଦୁହେଁ ସହପାଠିବି ଥିଲେ ।

            ସେଦିନ ପ୍ରକୃତି ରାଣୀର ପଣତକାନିରେ ସବୁଜ ଘାସର ଗାଲିଚା ପସରା ମେଲିଥିଲା,ଆଦ୍ଯ ଆଷାଢର  ଅସରା ଅସରା ବରଷା ଛିଟାରେ ବତୁରା ମାଟିର ବାସ୍ନା ମହକାଉ ଥିଲା ଚଉଦିଗ,ଖୋଲା ଆକାଶର ଫୁଙ୍ଗୁଳା ପବନବି ଭାରି ଫାଜିଲ୍ ଥିଲା ଦେହ ମନରେ ଭରି ଦେଉଥିଲା ମିଠା ଶହରଣ ହେଲେ ଆଦର୍ଶ ଅଲିଭାର ଧିମା ଧିମା ଆଖିର ଭାଷା ବୁଝିଥିଲା,ଏଥିରୁ ସ୍ପଷ୍ଟ ପ୍ରମାଣିତ ଯେ ଦୁହିଁଙ୍କ ପ୍ରେମ ନିଷ୍ପାପ ଓ ନୈସର୍ଗିକ ଥିଲା,ଆଦର୍ଶ ଅଲିଭାର ପୂଜା ଫୁଲ ପରି ପବିତ୍ର ସଂମ୍ପର୍କର ସାକ୍ଷୀ ଥିଲା ଦୁହିଙ୍କର ଦୁଇ ହଳ ଆଖି ।

           ଆଖି ଏଇ ଆଖିବି ବେଳେ ବେଳେ ମଣିଷକୁ ଧୋକା ଦିଏ ଭିଷଣ ଭାବରେ,ସୁଦୂର ରାଇଜ ଅନ୍ଧାରିଗଡରୁ ଦନେଇ ଦାସ ଆସିଥିଲେ ହଷ୍ଟେଲକୁ ଅଲିଭାକୁ ଦେଖିବାକୁ ସଦର ଦରଜା ଖୋଲୁ ଖୋଲୁ  ଦେଖିଲେ ଅଲିଭା କେଉଁ ଏକ ପୁରୁଷ ପୁଅର ବାହୁ ବନ୍ଧନରେ ଛନ୍ଦି ହୋଇ  ଅଛି ,ଘଟଣା କିଛି ଅଲଗା ଥିଲା ଅଲିଭା ଆଖିରେ କିଛି ଧୂଳି ଜାଗା ନେଇଥିଲା ଯହାକି ଆଦର୍ଶ ଅଲିଭାର ଓଢଣୀରେ ସଫା କରି ଦେଉଥିଲା ଏହା ଦେଖି ଦନେଇ ଦାସ ଅଲିଭାକୁ ଦୁରରୁ ଦେଖି ଆପଣା ବାଟେ ଘରମୁହାଁ ହେଲେ ବିଚରା ବାପ ସେ କଥା ଭାବି ଭୟଭିତ , କାରଣ ସେ ଜାଣିଥିଲେ ଗରିବ ମାନଙ୍କ ପାଇଁ କଳଙ୍କ ସେମାନଙ୍କ  ମୁଣ୍ତ ଉପରେ କଳା ମେଘର ଛାଇ ଆଉ ବଡ ବଡିଆଙ୍କ ପାଇଁ କଳଙ୍କ ସେମାନଙ୍କ ମୁଖ ମଣ୍ଡଳରେ ଶୋଭାପାଏ ହୋଇ କଳାଜାଇ, ସବୁପରେ  ବାପର ମନ କାଗଜ ପୁଡିଆରେ ସିନ୍ଦୁର ଦେଖିଦେଲେ ବିକଳରେ ଆଉଟୁ ପାଉଟୁ ଝିଅ କେବେ ତାକୁ ସିନ୍ଥି ସିନ୍ଦୁର କରି ସ୍ୱାମୀ ସୁହାଗିନି ହେବ ବୋଲି ଚିନ୍ତାର ଚଡକ । ଗାଇ  ଫେରୁଥିଲେ ଗୋଠକୁ,ପକ୍ଷୀ ଫେରୁଥିଲେ ବସାକୁ ବେଳର  ବୟସେ ବି ପଡି ଆସୁଥିଲା ଛାଇ ,  ଅଳପ ଅଳପ ସଞ୍ଜ ଆସୁଥିଲା ନଇଁ କାହିଁକି କେଜାଣି ଅହେତୁକ ଆତଙ୍କରେ ଆଉଟୁ ପାଉଟୁ ହେଉଥିଲା ଅଲିଭା ହଠାତ୍ ମୋବାଇଲ୍ ଫୋନ୍ ବାଜି ଉଠିଲା ସେ ନମ୍ବର ଥିଲା ଅଲିଭାର ପିଉସୀ ପୁଅର ,ଫୋନ ଉଠାଇ ହେଲୋ କହୁ ନ କହୁ ଭାଷି ଆସିଲା ବାପା ଦନେଇ ଦାସଙ୍କ ସ୍ୱର ମାଆରେ ଭଲ ଅଛୁ ତୋ ପଢା ପଢି ସବୁ ଠିକ୍ ଠାକ୍ ତ 
ହଁ କହିଲା ଅଲିଭା ବାପ କହିଲା ମାଆରେ ତୁ ଯେତେ ଶୀଘ୍ର ପାରିବୁ ଗାଆଁକୁ ଆସିବୁ ମୁଁ ତୋ ପାଇଁ ବାହାଘର ସ୍ଥିର କରିଛି ତୋ  ପିଉସୀ ପୁଅ ପ୍ରତ୍ଯୁଷ୍ ସାଥିରେ  ମୁଁ ଜାଣେ ତୁ ମୋ ସୁନା ଝିଅ ମୋ ମନ ରଖିବୁ,ବାହାଘର କଥା ଶୁଣି ସ୍ତବ୍ଧ ପାଲଟିଗଲା ଅଲିଭା ଯେମିତି ତା ମୁଣ୍ତ ଉପରେ ଆକାଶ ଛିଡି ପଡିଲା ତା ପାଦ ତଳର ମାଟି ପୁଳା ପୁଳା ହୋଇ ଭୁଷୁଡି ପଡିଲା ,ନୀରବ ନିରୁତ୍ତର ରହିଲା ବାପା କିନ୍ତୁ ଅନର୍ଗଳ କହି ଚାଲନ୍ତି  ।

                    ଆପେ ମଙ୍ଗ ଛିଡେଇ ମଝି ନଈକୁ ଚାଲି ଯାଇଥିବା ଆପଣାର ନାଆକୁ ସମୟର ଚହଲା ପାଣିରେ ପହଁରା ଦେଇ ଆସିବାକୁ ସ୍ୱାଗତ କଲେ ସବୁ ସରିଯିବ ପୁଣି ଏ ବଳ ବୟସରେ ନିଜ ନାଆକୁ ଆଣିବା ପାଇଁ ମୁଁ ଦରିଆ ମଝିକୁ ଡେଇଁ ପାରିବିନି ଶୁଣ୍ ଝିଅ ମୋ ମନ ଯଦି ନରଖିବୁ ତେବେ ବାହୁଡିଲା ବେଳେ ଘରେ ତୁ ତୋ ବାପାକୁ ଦେଖିବିନୁ ,ଦେଖିବୁ ତୋ ବାପର ସମାଧିରେ ଉଠିଥିବା କଅଁଳ ଘାସକୁ ଏତକ କାହି ଫୋନ୍ କାଟିଦେଲେ ଦନେଇ ଦାସ,ବିଚାରି ଅଲିଭାର ମନ ଆକାଶରେ ଅଶାନ୍ତର  କଳାହାଣ୍ଡିଆ ମେଘ ଚଅଁରି ଉଠିଲା ,ତଥାପି ମନରେ ସାହାସ ଜୁଟେଇ ଆସୁଥିବା ପରିସ୍ଥିତିକୁ ସାମ୍ନା କରିବାକୁ ଅଣ୍ଟା ଭିଡିଲା କୋହ ମିଶା କଣ୍ଠରେ ଆଦର୍ଶକୁ ଡାକ ପକେଇଲା  ।

          ଆଦର୍ଶ ଏ ଆଦର୍ଶ ମୋ ପାଖକୁ ଆସିଲ, ଆସିଲା ଆଦର୍ଶ କୁହ ଧନ ପ୍ରେମର ଶେଷ କଅଣ ସିନ୍ଦୁର ! ଅବାକ୍ ହୋଇଗଲା ଆଦର୍ଶ ବିଚରା , ହଠାତ୍ ଏମିତି ପ୍ରଶ୍ନ !କ୍ଷମା କର ମୋତେ ମୁଁ ତୁମକୁ ବିବାହ କରି ପାରିବିନି ପାରୁଛ ଯଦି ମୋତେ ଭୁଲିଯାଅ,ଅଲିଭା ତୁମେ କଅଣ ମୋତେ ଭୁଲି ପାରିବ, ଅଲିଭା କୁହେ ଏ ଆଦର୍ଶ ତୁମେ ମୋ ପାହାନ୍ତି ନିଦର ସ୍ୱପ୍ନ ନୁହଁ ଯାହାକୁ ମୁଁ  ଭୁଲିଯିବି, ତୁମେ ମୋ ଦେହର ହଳଦୀ ନୁହଁ ଯାହା କି ମୁଁ ଆଉ କାହା ପାଇଁ ବାଡୁଅ ପାଣିରେ ଗାଧୋଇ ପଡିବି, ତୁମେ  ମୋ ସଞ୍ଜ ସକାଳର  ତୁଠ ପଥର ନୁହଁ ଯାହା ଉପରେ ପାଦ ଘଷି ମୁଁ ମୋ ପ୍ରେମ ଅଳତାକୁ ଧୋଇଦେବି , ତୁମେତ ମୋ ଛାତି ତଳର ଶ୍ରେଷ୍ଠ  ଅନୁଭବ ଯାହାକୁ ନେଇ ମୁଁ ଏ ଦୁନିଆରୁ ଚାଲିଯିବି, ତୁମେ ଭୁଲ୍ କହୁଛ ଅଲିଭା ବରଂ ଏଇ ଅନୁଭବକୁ ତୁମେ କନକ ଆଞ୍ଜୁଳି କରି ତୁମ ବାପାଙ୍କ କାନ୍ଧ ଗାମୁଛାରେ ଅଜାଡି ତୁମେ ଆଉ କାହା ଘରକୁ ବୋହୂ ସାଜି ଚାଲିଯିବ,ମୋ ସୁଖ ସ୍ୱପ୍ନକୁ ଖଇ କଉଡି କରି ବିଞ୍ଚି ତୁମେ ଆଉ କାହା ସହ ମାଟିର ବେଦୀରେ କଉଡି ଖେଳିବ,ପ୍ରେମର ଦ୍ୱାହିରେ ମୋ ସହିତ ବାଣ୍ଟି  ନଥିବା ଲାଜକୁ ଫୁଲ ଶେଯର  ମିଞ୍ଜି-ମିଞ୍ଜି ଆଲୁଅରେ ଆଉ କାହା ସହିତ ତୁମେ ଭାଗ ବାଣ୍ଟିବ,କିଛି ସଫେଇର ସାଠିଫିକେଟ୍ ଦେବା ଜରୁରୀ ନୁହଁ ତୁମ ବାପାଙ୍କ ସହ କଥା ମୁଁ ସବୁ ଶୁଣିଛି,ଏ ଅଲିଭା କେମିତି ମୁଁ ଭୁଲିବି ନିଜଠାରୁ ଅଧିକ ଭଲ ପାଉଥିବା ଚିହ୍ନା ଚିହ୍ନା ଦିନ ଗୁଡିକୁ,କଥା ଗୁଡିକୁ,ସ୍ୱପ୍ନ ଆଉ  ସ୍ମୁତି ଗୁଡିକୁ , ଆଜି ମୁଁ ଠିକ୍ ବୁଝୁଛି ଏ ଦୁନିଆଁରେ ରକତର ବନ୍ଧନ ଠାରୁ  ଆଉ  କେଉଁ ବନ୍ଧନ ସେତୁବନ୍ଧ ଭଳି ଚିରସ୍ଥାୟୀ ହୋଇ ପାରେନା ବାକି ସମସ୍ତେ ବଞ୍ଚିବା ମରିବାର କଥା ଦିଅନ୍ତି ସତ ହେଲେ ନିଜ ସ୍ୱାର୍ଥ ପାଇଁ ଏ ସାଥିକୁ ସ୍ୱପ୍ନ ଭାବି ଭୁଲି ଯାଆନ୍ତି,ତଥାପି ତୁମକୁ ମୋତେ ଭୁଲିବାକୁ ହେବ ଆଦର୍ଶ ମୋ ପାଦରେ ପରିସ୍ଥିତିର ବେଡି,ଭାବି ନେବ ଆମ ସମ୍ପର୍କ କାଳ ରାତ୍ରିର ଦୁଃସ୍ୱପ୍ନ ଥିଲା,ଆମ ପ୍ରେମ ସମୁଦ୍ର ବେଳା ଭୂଇଁର ବାଲିଘର ଥିଲା,ଆଶା ସ୍ୱପ୍ନ ଯେତେ ବାସ୍ତବ ନିଆଁରେ ଜଳିପୋଡି ମୁଠାଏ ପାଉଁଶ ପାଲଟିଗଲା ହଁ ହଁ ମୁଠାଏ ସପନ ଆମ ମୁଠେ ପାଉଁଶ  ।

            ନାଇଁ ଅଲିଭା ଶୁଖିଲା ପତ୍ରଟିକୁ ସିନା ଦିଆସିଲି କାଠିଟିଏ ସିନା ଜାଳି ଦେଇପାରେ ହେଲେ ପ୍ରେମକାକୁ ନେଇ ପ୍ରେମିକର ଉଦ୍ବେଗ ଉଦ୍ଯାନରେ ଜିଇଁଥିବା ସ୍ୱପ୍ନର ସବୁଜଲତାକୁ ଜଳନ୍ତା ଆଗ୍ନେୟଗିରିର ଜଳନ୍ତା ଶିଖାବି ଜାଳି ପାରେନା,ରଙ୍ଗମଞ୍ଚରେ ଅଭିନୟ କରୁଥିବା ଅଭିନେତାର ମୁହଁର ରଙ୍ଗ ସିନା ରାତି ପାହି ସକାଳ ହେଲେ ବଦଳି ଯାଏ ହେଲେ ପ୍ରେମିକ ଆଖିର ଫାଙ୍କା କାନ୍ଥରେ କାନଭାର୍ସ ହୋଇ ଝୁଲୁଥିବା ପ୍ରେମିକାର ଫୋଟ ଚିତ୍ର ଜୁଇରେ ଜଳିବା ଯାଏ ଝୁଲୁଥାଏ ଯେ ଝୁଲୁଥାଏ  ।

             ତାହେଲେ ତୁମେ କୁହ ଆଦର୍ଶ କଅଣ କରିବି ମୁଁ ଏନ୍ତୁଡି ଶାଳରୁ ଏ ପର୍ଯ୍ଯନ୍ତ ଯେଉଁ ବାପ ତା କୋଳକୁ ଝୁଲଣା ଆଉ ଛାତିକୁ ଅଗଣା କରି ମା ଛେଉଁଣ୍ତ ହେବାର ଦୁଃଖକୁ ଅନୁଭବ କରିବାକୁ ଦିନେବି ସୁଯୋଗ ଦେଇନଥିବ ମୋ ବୁଢା ବାପର ଇଚ୍ଛାକୁ ସମାଧି  ଦେଇ ସେ ସମାଧି ଉପରେ ଖିଆଲିର ଘୋଡା ଦୌଉଡେଇ ପାରିବି,ପାରିବି ସେଇଠି ଜିଦ୍ ର ମିନାର୍ ଗଢି, ପିଲାବେଳେ ଆଙ୍ଗୁଳି ଧରି ଚାଲି ଶିଖେଇଥିବା ମୁଠା ଭିତର ବନ୍ଧନକୁ ଭୁଲି ପାରିବି, ବରଂ ନିଜ ଇଚ୍ଛାକୁ ମାରି ହୃତପିଣ୍ତ ଉପାଡି ନିଜ ରକ୍ତରେ ଏମିତି ବାପର ପାଦ ଧୋଇଦେବି ଯାଅ ଆଦର୍ଶ ରାତି ଆସି ଅନେକ ହେଲାଣି ମୋ ସାଥେ ବିତେଇଥିବା ବୟସର ସ୍ମୁତିକୁ ଶବ କରି ମନ ମଶାଣୀରେ ପୋଡିଦେଇ ନିଶ୍ଚିନ୍ତ ହୋଇଯାଅ ତୁମକୁ ନେହୁରା ହୋଇ କହୁଛି  ।

           ନିଶ୍ଚିନ୍ତ ରହିବି ଅଲିଭା ତୁମେ ଘରକୁ ଫେରିଯାଇ ବାପଙ୍କ କଥାରେ ବିବାହ କରି ସ୍ୱାମୀ ସୁହାଗିନୀ  ହୁଅ ଶୁଭଚିନ୍ତକ ହିସାବରେ ଏତିକି ମୋର କାମନା ଏ ଆଦର୍ଶ ହସର ହଁ ମୁହଁକୁ ତୁମ ପାଖରୁ ଛଡେଇ ନେଇ ଯିଏ ତୁମ ଆଖିରେ  ନାଁ ର ଲୁହ ନେସି ଦେଉଛି ତା'ପାଇଁ ଏ ଚିନ୍ତା ସ୍ପୃହଣୀୟ ନୁହେଁ, ଧେତ୍ ପାଗେଳିଟା ତୁମେ ଜାଣନା ଅଲିଭା କୁଆଁରୀ ନଈ ଛାତିରେ ପହିଲି ଆଷାଢର ପାଣି ଟୋପେ ପଡିଗଲେ ସୁନା ଶଗଡି ପାହାଡ ଛାତିରେ କେତେ ନାନା ଜାତିର ଘାସ ଫୁଲ ଗଜିରି ଉଠେ ,ଅଲିଭା ସିନ୍ଦୁର ଟୋପାଏରେ ମୁଁ ତୁମକୁ ସିନା ନିଜର କରି ପାରିଲିନି ହେଲେ ପୁଣି ଏ ଡହରା ସମୟ ଯଦି କେବେ କେମିତି କଡ ଲେଉଟାଏ ତୁମ ଓଠର ଚେନାଏ ହସ ପାଇଁ ମୋ ଜୀବନ ମୁଁ ଯମକୁ ଦେଇଦେବି ଏହାପରେ କାନ୍ଦି କାନ୍ଦି ଯେଝା ବାଟେ ଚାଲିଗଲେ  ।

         ଅବୁଝା ନହୋଇ ଅଲିଭା ବାପାଙ୍କର ସୁନା ଝିଅ ହେଲା ବେଦୀ,ବ୍ରାହ୍ମଣର ମନ୍ତ୍ର ପାଠ ,ଗଇଠାଳ ଗଣ୍ଠି , ତେତିଶି କୋଟି ଦେବତା ସାକ୍ଷି ରଖି ପ୍ରତ୍ୟୁଷ୍ ସହ ବିଧି ପୂର୍ବକ ବିବାହ ସମାପନ ହେଲା । ବିବାହ ପରେ ବାସର ରାତି ରଜନୀଗନ୍ଧାର ଭୁରୁ ଭୁରୁ ଗନ୍ଧରେ ମହକି ଉଠୁଥିଲା ଆବଧ କୋଠରୀ,ପହିଲି ପ୍ରେମକୁ ପାଶୋରି ନପାରି ଲାଜର ଓଢଣା ତଳେ ଅଣନିଶ୍ବାସୀ ହୋଇ ଅବଶୋଷର ଅଙ୍କ କଷୁଥାଏ ଅଲିଭା ।, ହଠାତ୍ କବାଟ ଖୋଲି ପାଖରେ ଆସି ପହଞ୍ଚିଗଲା ଅଲିଭାର ପତି ପ୍ରତ୍ଯୁଷ୍ ଲାଜର ଓଢଣା ଖୋଲିଦେଇ କହିଲା ହେ ପ୍ରାଣେଶ୍ୱରି ମୁଁ ଜାଣେ ତୁମେ ହେଉଛ କାଳିଦାସଙ୍କ ମହକାବ୍ଯ ଶକୁନ୍ତଳା ପରି  ଆଉ ଜଣେ ଅସାଧାରଣ ନାୟିକା  ଶକୁନ୍ତଳା ହାତରେ ଦୁଷ୍ମନ୍ତଙ୍କ  ସ୍ୱୀକୃତିର ମୁଦି ଥାଇବି ସେ  ଯେମିତି  ଅନ୍ଯ ପାଇଁ ସିନ୍ଥିରେ ସିନ୍ଦୁର ନାଇଥିଲେ ତୁମେବି ପରିସ୍ଥିତିରେ... 

              ସବୁ ନିୟତିର ନିୟମ,ସ୍ୱର୍ଗ ନନ୍ଦିନୀ କୁଳେ ବସି ପ୍ରଜାପତି ବ୍ରହ୍ମା ବର ପତ୍ର ସହ ଓସ୍ତ ପତ୍ର ଯୋଡି ଯମୁନା ନଇରେ ଭସେଇ ସ୍ଥିର କରୁଥିଲେ ଯିଏ ଯାହା ପାଇଁ,ତୁମେ ଜାଣ ଜଣେ କୁଆଁରୀ ଝିଅର ଅନୁଭୁତି ବିହୀନ ମନର ଚୋରାବାଲିରେ ଯଦି କୌଣସି ଅଜଣା ପୁରୁଷର ଭଲ ପାଇବାର ପାଦ ଚିହ୍ନ ଆଙ୍କି ହୋଇଯାଏ ତେବେ ବିବାହିତ ଜୀବନର ମିଠା ଚଇତାଳି ପବନ ଏକା ଥରେ ସବୁ ପାପ ଧୋଇ ଦିଏ,ହେ ଅଲିଭା କିଛି କୁହନା ଦେଖ ତୁମ ନିରବତା ଦେଖି ରାତିଟା ଅଭିମାନ କରି ଚାଲି ଯାଉଛି ।

           କଅଣ କହିବି ପ୍ରତ୍ଯୁଷ୍ ଜୀବନରେ ଜିଇଁବାକୁ ହେଲେ କାଣିଚାଏ ସ୍ନେହ,ମୁଠାଏ ମମତା ଆଞ୍ଜୁଳାଏ ଭଲ ପାଇବା ଲୋଡା ବିଧାତାର ବିଧି ତୁମକୁ ପତି ରୂପେ ପାଇବା,କିଏ ଜାଣେ ଆସୁଥିବା ଭବିଷ୍ଯତ କାହାପାଇଁ କେଉଁ ରୂପ ନେଇ ଆସିବ ବାସ୍ ବର୍ତ୍ତମାନକୁ ନେଇ ଦିଦିନର ଜୀବନରେ ସମ୍ପର୍କର ଡୋର ଟିକେ ବାନ୍ଧିଦେଲେ ସବୁ ଖତମ ଏମିତି ଆଳାପ ପରେ ପତି ପତ୍ନୀ ର ସଂଜ୍ଞ୍ଯା ନିର୍ବାହ କରି  ଦୁହେଁ ରାତି ପୁହାଇଲେ ।

       ଜୀବନ ଦୌଡୁଛି ଭେଟିବାକୁ କାଳ ସିନ୍ଧୁ କରାଳ ଲହରୀ,ଜୀବନ ସାଥିରେ ସମୟ ଚାଲିଛି ହେ ଆତ୍ମନ୍ ସମୟକୁ ସ୍ୱାଗତ ଜଣେଇ କେଉଁ ଏକ ଅନିର୍ଦ୍ଧିଷ୍ଟ ପୃଥିବୀର ଚେନାଏ ମାଟି ଉପରେ ଜୀବନ ଗାଉଛି ସମୟର ସଙ୍ଗୀତ ଆଉ ଏ ସମୟ ଖେଳୁଛି ଚକା ଚକା ଭଉଁରି । ଏ ସମୟର ଚକା ଚକା ଭଉଁରି ଖେଳ ଭିତରେ ଅସୁସ୍ଥ ହୋଇ ସାରିଥିଲା ଅଲିଭା । ଏଣେ ଆଦର୍ଶ ଖୋଜି ବୁଲୁଥିଲା ହରେଇଥିବା ପ୍ରେମକୁ ପାଖେ ପାଇ ମନେ ଭରି ଦେଖିବାକୁ ,ଆଦର୍ଶ ଏବେ ମେଡିକାଲ୍ ରେ ଝାଡୁଦାର୍ କାମ କରୁଥିଲା ଦେଖିଲା ମେଡିକାଲ୍ ରେ ସେଇ ଚିହ୍ନା ମୁହଁ ଅଲିଭା ଆସିଥାଏ ଅସୁସ୍ଥର କାରଣ ଜାଣିବାକୁ ପତି ସହିତ ,ସତରେ ହୃଦୟର ଡାକ ଲକ୍ଷେ ଯୋଜନକୁ ଶୁଭେ ଏକଥା ସତ ହେଲା ,ଅଲିଭାକୁ ଡାକ୍ତର ପରିକ୍ଷା ନିରିକ୍ଷା କରି ବାହାରକୁ ପଠେଇ ଦେଇ ପ୍ରତ୍ଯୁଷ୍ କୁ ଗୋଟି ଗୋଟି କରି କହିଲେଯେ ଅଲିଭାର ହାର୍ଟ ଖରାପ ଅଛି ହାର୍ଟ ଯୋଗାଡରେ ଲାଗିପଡ ଖୁବ ଶୀଘ୍ର ଅପରେସନ୍ କରିବାକୁ ପଡିବ ଏ କଥା ଶୁଣି ପ୍ରତ୍ଯୁଷ୍ କୁ ଚାରିଦିଗ ଅନ୍ଧାର ଦିଶିଲା ହାଏରେ ବିଧାତା ଏ କିସ କଲୁ କହି ମନ ଦୁଃଖରେ ଘରକୁ ଯିବାକୁ ପତ୍ନୀକୁ ଧରି ବାହାରିଲା ।

         ଅସହାୟତାର  ଅରଗଳିରେ ଜୀବନ ଆଜି ଏକଥା ଭାବି ଭାବି ମେଡିକାଲ୍ ବାରଣ୍ତାରେ ଦଣ୍ତାୟମାନ ହନୁମାନଙ୍କ ମୂର୍ତ୍ତିକୁ ନତ ମସ୍ତକ ହୋଇ  ପ୍ରଣାମ କରି ମଥା ଉଠାଉ ଉଠାଉ କିଛି ଦୂରକୁ ଲକ୍ଷ କଲା କେହି ଜଣେ ଦୁହିଁଙ୍କୁ ଦେଖୁଛି ଟିକେ ମଳିନ ପଡିଥିବା ଚେହେରା ବୟଷ୍କ ପୁଣି ଝାପ୍ସାରେ ଚିହ୍ନା ଲାଗିଲା ସେ କିନ୍ତୁ ଆଉ କିଏ ନଥିଲା ଆଦର୍ଶ ବହୁ ବର୍ଷ ପରେ ଦେଖୁଛି ତା ମନର ମାନସୀକୁ , ଅଲିଭାକୁ ନେଇ ପ୍ରତ୍ଯୁଷ୍  ଗାଡିରେ ବସେଇ ଏଇଠୁ ଆସୁଛି କହି ଆଦର୍ଶ ପାଖକୁ ଧାଇଁ ଆସିଲା ଆବେଗରେ କୁଣ୍ଡେଇ କାନ୍ଦିବାକୁ ଲାଗିଲା ମୁଁ ହାରିଗଲି ଆଦର୍ଶ ତୁମଠୁ ତୁମ ଅମାନତ୍ କୁ ଆଣିବାର  ଦଣ୍ତ  ଭୋଗୁଛି, ଅଳପ ହସିଦେଇ ଆଦର୍ଶ କହିଲା ନାରେ ବାବୁ ଥୁଣ୍ଟା ହୋଇଯିବାର ଦୁଃଖକୁ ନେଇ ଗଛ ଯଦି କାଠୁରିଆ ଠାରୁ ଡାଳ,ପତ୍ର,ଛାଇ ଫେରେଇ ଆଣୁଥାନ୍ତା ତେବେ କାଠୁରିଆ ଘରେ ଚୁଲି ଜଳୁ ନଥାଆନ୍ତା କି ସେହି କଷ୍ଟକୁ ମହାପୂଣ୍ଯ ଭାବି ଗଛଟି ମରିବା ଯାଏଁ  କଅଁଳୁ ନଥାଆନ୍ତା କୁହ କାହିଁକି ଆସିଥିଲ ମେଡିକାଲ୍ ,ପ୍ରତ୍ଯୁଷ୍ ଗୋଟି ଗୋଟି ସବୁ କହିଲା ହେଲେ ଆଦର୍ଶ ଅଧର୍ଯ୍ଯ ନହୋଇ ଦମ୍ଭ ଦେଲା ମନେ ମନେ ଭାବିଲା ଏହା ହିଁ ପ୍ରକୃତ ବେଳ ଭାବିବାରେ ଲାଗିଲା ,ଏଣେ ପତି ଆସିବାର ବିଳମ୍ବ ଦେଖି ଛୁଟି ଆସି ଦେଖେତ ଦୁହେଁ କଥା ହେଉଛନ୍ତି କିଛି ନବୁଝି  ଅଲିଭା କହିଲା ଏ ଆଦର୍ଶ ବହୁ  କଷ୍ଟରେ ଧୌର୍ଯ୍ଯ ସାହାସକୁ ଗୋଟେଇ ସାଉଁଟି ମୋ ଅବୁଝା ମନକୁ ମୁଁ ବୁଝେଇ ଦେଇଛି ,ମୋ ବୁଝି ଯାଇଥିବା ମନରେ ନଖ ମାରି ତୁମେ ଯଦି ଆଉଁଷି ଦେବ ତେବେ ଖାଲି ଶୁଖି ଯାଇଥିବା ମୋ ମନର କ୍ଷତ ନୁହଁ ସାରା ଦେହଟା ମୋର ରକ୍ତରେ ଜୁଡୁବୁଡୁ ହୋଇଯିବ ମୋ ପତିକୁ ନେଇ ମୁଁ ଖୁସିରେ ଜୀବନ ଜିଉଁଛି ଏତକ କହି ପତିକୁ ନେଇ କାନ୍ଦି କାନ୍ଦି ଚାଲିଗଲା ଅଲିଭା ।

        ଆଦର୍ଶ କିନ୍ତୁ ଏହା ଶୁଣି ଖୁସି ଅନୁଭବ କଲା ଆଉ ଦେଖିଥିଲା ଅଲିଭା ଆଖିରେ ତା ପତି ପ୍ରତି ପ୍ରଗଢ ପ୍ରେମ,ଆଉ ଜିଇଁବାର ନିଶା ,ତୁରନ୍ତ ମେଡିକାଲ୍ ଯାଇ ଡାକ୍ତରଙ୍କୁ ସମସ୍ତ କଥା କହି ହାର୍ଟ ଦେବବୋଲି କହିଲା,କିଛି ଦିନ ପରେ ପୁଣି ଅଲିଭାର ଛାତିରେ ଯନ୍ତ୍ରଣା ଭରିଗଲା ମେଡିକାଲ୍ ନେଇ ଆସିଲା ଡାକ୍ତର କହିଲେ ଅପରେସନ୍ ନିହାତି ଲୋଡା ହେଲେ କଅଣ କରିବ ଖାଲି କାନ୍ଦିଲା ପ୍ରତ୍ଯୁଷ୍  ,ତୁନି ହୋଇଯାଅ ଭଗବାନ୍ ଙ୍କୁ ଡାକ ସବୁ ଠିକ୍ ହୋଇଯିବ ,ଡାକ୍ତର ଚାଲିଗଲେ ଅପରେସନ୍ କକ୍ଷକୁ କିଛି ଘଣ୍ଟା ପରେ ଆସି କହିଲେ ତୁମେ ଜିତିଗଲ ହାର୍ଟ ମିଳିଗଲି ଅପରେସନ୍ ବି ସଫଳତା ଛୁଇଁଚି,ପ୍ରତ୍ଯୁଷର ଖୁସି କହିଲେ ନସରେ କିଏ ସେ ମହାନ୍ ମଣିଷ ଯିଏ  ମୋ ଅଲିଭାକୁ ବଞ୍ଚେଇ ନିଜେ ମୃତ୍ଯୁ କୋଳେ ଶୋଇଗଲା,ଡାକ୍ତର ବାବୁ କିନ୍ତୁ ନୀରବ କହିଲେ ତୁମେ ଘରକୁ ଫେରିଲା ଦିନ କହିବି ଏବେ ନୁହଁ  ।

          ଅଲିଭା ଧିରେ ଧିରେ ସୁସ୍ଥ ହେଲା ଦୁହେଁ ଘରକୁ ଯିବାକୁ ବାହାରିଲେ ହେଲେ ଭୁଲି ନଥିଲେ ଡାକ୍ତରଙ୍କୁ ପଚାରିବାକୁ ଦୁହେଁ ଆବେଗରେ ଗଲେ ହେଲେ ରୁମ୍ ରେ ନଥିଲେ ଡାକ୍ତର ଥିଲା ଜଣେ ନର୍ସ ପଚାରିବାରୁ କହିଲା ସାର୍ ବଗିଚା ପଟେ ଅଛନ୍ତି ଆସିଲେ ଦୁଇ ପ୍ରାଣି ,ଦେଖିଲେ ଡାକ୍ତର ଗୋଟିଏ ପ୍ରତି ମୂର୍ତ୍ତି ସାମ୍ନାରେ ଠିଆ ହୋଇ ଫୁଲହାର ଚଢାଉଥିଲେ  ।

         ସାର୍ ଶୁଣିବେ ଡାକିଲେ ପ୍ରତ୍ଯୁଷ୍ ,ପ୍ରତ୍ଯୁଷଙ୍କ ଡାକ ଶୁଣି  ଡାକ୍ତର ପ୍ରତିମୂର୍ତ୍ତି ସାମ୍ନାରୁ ଅଳପ ଘୁଞ୍ଚିଛନ୍ତି କି ନାହିଁ ନଜର ପଡିଲା ଦୁହିଁଙ୍କର ଅବାକ୍ ହୋଇଗଲେ  ଆଖିଲୁହ ଛଳ ଛଳ ହୋଇଗଲା ସତରେ ଏ ଆଦର୍ଶ ଦୁନିଆରୁ ଚାଲିଗଲେ ଏ ତୁମର କଅଣ ହେବେ,ଡାକ୍ତର କହିଲେ ଏ ମୋର କିଛି ନୁହେଁ ଅଲିଭା ବରଂ ଏ ତୁମ ପ୍ରାଣଦାତ ଯାହାଙ୍କ ପାଇଁ ତୁମେ ନୂଆଁ ଜୀବନ ପାଇଛ,ତୁମକୁ ହାର୍ଟ ଦେଇଥିବା ଏ ମହାନ୍ ମଣିଷକୁ  ଶ୍ରଦ୍ଧାଞ୍ଜଳି ଦେଇ ଏମିତି ମଣିଷକୁ ଆର ଜନମେ ପୁଅ ଭାବେ ପାଇବାକୁ ଠାକୁରଙ୍କୁ ଡାକୁଛି  ।

          ହାଏରେ ବିଧାତା ତୋର ଏ କି ବିଚାର କହି ଦୁହେଁ କାନ୍ଦିବାକୁ ଲାଗିଲେ ,ଡାକ୍ତର କହିଲେ କାନ୍ଦନା ଏଇ ନିଅ ଆଦର୍ଶ ଲେଖିଥିବା ଏଇ ଚିଠି,ଅଲିଭା ଚିଠିଟି ଧରି ପଢିବାକୁ ଲାଗିଲା ସେଥିରେ ଲେଖାଥିଲା ଅଲିଭା ମୁଁ ଆଜି ଜିତିଗଲି ଏଥର ତୁମଠାରୁ କେହି ମୋତେ ଅଲଗା କରି ପାରିବନି,ଟୋପାଏ ସିନ୍ଦୁର ଦେଇ ମୁଁ ସିନା ସାରା ଜୀବନର ସାଥିକରି ରଖି ପାରିଲିନି ହେଲେ ଆଜି ମୋ ହୃଦୟ ଦେଇ ତୁମ ଭିତରେ ରହିଗଲି ଜୀବନର ଶେଷ ଦିଗ୍ ବଳୟ ଯାଏଁ ,ଏକଥା ଶୁଣି ପ୍ରତ୍ଯୁଷ ଲୁହ ଭିଜା ଭିଜା ଆଖିରେ ଶ୍ରଦ୍ଧାଞ୍ଜଳିର ସାଲୁଟ୍ ମାରି ଈଶ୍ୱରଙ୍କୁ କହିଲି ହେ ଇଶ୍ବର ଏ ସଂସାରର ସବୁ ଘରେ ଘରେ ଆଦର୍ଶ ପରି ପୁଅକୁ ଜନମ ଦିଅ ଯିଏ ବୁଝିଛି "ବାସ୍ତବ ପ୍ରେମର ପରିଭାଷା"  ।

               ✍ ଦାଶରଥି ସାହୁ
                       କଳମ୍ବ , ଗଞ୍ଜାମ 

2 comments:

ଦେଶ ନାସ୍ତି ମହୀତଳେ

ଦେଶ ନାସ୍ତି ମହୀତଳେ ତୁଙ୍ଗ-ଶିଖରୀ, କୁଞ୍ଜ-କାନନ, ପୁଣ୍ୟ-ଜଳଧି ର ତ୍ରିବେଣୀ ସଂଗମ ଆମ ଉତ୍କଳ l ପୂତ ପୟୋନିଧି ର ପବିତ୍ର ଜଳ ସ୍ପର୍ସ ରେ ପ୍ରତିଧୂଳି କଣା...