ରହସ୍ୟମୟ ଶ୍ରୀ ଜଗନ୍ନାଥ
.....
ଜଗନ୍ନାଥ ଙ୍କ ବିଷୟରେ ଯେତେ ଆଲୋଚନା ହେଲେବି, ନିର୍ଣ୍ଣାୟକ ସିଦ୍ଧାନ୍ତ ରେ ପହଞ୍ଚିବା ସହଜ ସାଧ୍ୟ ନୁହେଁ। ସାରଳା ଦାସ, ରତ୍ନ ସିଂହାସନରେ ତିନି ମୂର୍ତ୍ତି ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ଙ୍କ ବିଷୟରେ ଲେଖିଛନ୍ତି,
"ପୀତ କୁଙ୍କୁମ ବରନ ସେହି ବ୍ରହ୍ମ ମୂର୍ତ୍ତି
ଡାହାଣେ ଶୁକଳବର୍ଣ୍ଣ ମହାଦେବ ଜ୍ୟୋତି
ରୂପରେ ତ ଜଗନ୍ନାଥ ବର୍ଣ୍ଣ ଅଟେ କଳା
ବ୍ରହ୍ମା ବିଷ୍ଣୁ ମହେଶ୍ବର ତିନି ଦେବ ମେଳା।"
ଆଦିକବି ସାରଳା ଦାସ, ଶ୍ରୀଜଗନ୍ନାଥ ଙ୍କୁ ସାକ୍ଷାତ ବିଷ୍ଣୁ ରୂପେ ଗ୍ରହଣ କରିଛନ୍ତି।
ଏ ତିନି ମୂର୍ତ୍ତିଙ୍କର କି କି ଅଟେ ନାମ
ଦ୍ଵିଜ ବୋଲେ ଏ ଧବଳରୂପୀ ବଳରାମ।
ଦକ୍ଷିଣେଛନ୍ତି ସୌନନ୍ଦ ଦକ୍ଷ ହସ୍ତେ ଧରି
କୃଷ୍ଣଙ୍କର ଭ୍ରାତ ଏହି ଦେବ ହଳଧାରୀ।
ମଧ୍ୟ ପ୍ରତିମା କୁଙ୍କୁମ ବର୍ଣ୍ଣ ଯେଉଁ ରୂପ
ବ୍ରହ୍ମା ଅବତାର ହୋଇଛନ୍ତି ଘେନି ଶାପ।
କଳା ବରନ ରୁଚିର ଯାହାଙ୍କର ଗାତ୍ର
ଶଂଙ୍ଖ ଚକ୍ର ଗଦା ପଦ୍ମ ଧାରୀ ଜଗନ୍ନାଥ।
ରାମ କୃଷ୍ଣ ସୁଭଦ୍ରା ଯେ ଏ ତିନି ପ୍ରତିମା
ଶ୍ରୀପୁରୁଷୋତ୍ତମେ ବିଜେ ହଳୀ ହରି ବ୍ରହ୍ମା।"
ସନ୍ଥ ସନାତନ ଗୋସ୍ୱାମୀ ଙ୍କ ପ୍ରାର୍ଥନା ରେ,
"ଦାରୁବ୍ରହ୍ମ ଜଗନ୍ନାଥୋ ଭଗବାନ୍ ପୁରୁଷୋତ୍ତମେ
କ୍ଷେତ୍ରେ ନୀଳାଚଳେ କ୍ଷାରର୍ଣବତୀରେ ବିରାଜତେ ।
ମହାବିଭୂତିମାନ୍ ରାଜ୍ୟମୌତ୍କଳଂ ପାଳୟନ ସ୍ବୟମ୍
ବ୍ୟଞ୍ଜୟନ ନିଜ ମହାତ୍ମା ସଦା ସେବକ ବତ୍ସଳଃ।"
ବିଶ୍ଵ ବିଖ୍ୟାତ କବି ଜୟଦେବ ଙ୍କ ଗୀତଗୋବିନ୍ଦ ରେ ବୁଦ୍ଧଦେବ ଙ୍କୁ ନବମ ଅବତାର ରୂପେ ବର୍ଣ୍ଣନା କରିଛନ୍ତି। ଶ୍ରୀଜଗନ୍ନାଥ ଙ୍କୁ ବୁଦ୍ଧଦେବ ରୂପେ ବର୍ଣ୍ଣନା କରିବାର ପରମ୍ପରା କୁ ଆଗେଇ ନେଇଛନ୍ତି, ଆଦିକବି ସାରଳା ଦାସ।
"ସଂସାର ଜନକୁ ତାରିବା ନିମନ୍ତେ
ବଉଦ୍ଧ ରୂପରେ ବିଜେ ଅଛ ଜଗନ୍ନାଥେ।"-ସଭାପର୍ବ
"ବଉଦ୍ଧ ରୂପରେ କଳିଯୁଗେ ଅବତାର
ହୋଇଣ ପାପୀଜନଙ୍କୁ କରୁଛୁ ଉଦ୍ଧାର।"-ମହାଭାରତ
"ବଳଭଦ୍ର ସୁଭଦ୍ରା ଯେ କୃଷ୍ଣ ରୂପ ତିନି
ବଉଦ୍ଧ ରୂପରେ ସେ ପ୍ରକଟିଲେ ମେଦିନୀ।"-ବନପର୍ବ
ସାରଳା ଦାସ ଙ୍କ କଳ୍ପନା ରେ
"ରୋହିଣୀ କୁଣ୍ଡରେ ଆମେ କାୟା ବଦଳିବୁ
ବଉଦ୍ଧ ଅବତାର ରେ କାୟା ଦେଖାଇବୁ।
ଏ ପିଣ୍ଡ ଗୋଟିକ ମୋର ତହିଁ ଦାରୁ ହେବ
ରାଜାଙ୍କୁ କହିଣ ମୋତେ ଯତ୍ନେ ଗଢାଇବ।"
ବୌଦ୍ଧଧର୍ମ ର ମହାନ ସାଧକ ,ଉତ୍କଳ ର ତତ୍କାଳୀନ ରାଜକୁମାର ଇନ୍ଦ୍ରଭୂତି , ଜ୍ଞାନସିଦ୍ଧି ଗ୍ରନ୍ଥ ରେ ଶ୍ରୀଜଗନ୍ନାଥଙ୍କୁ ବୁଦ୍ଧ ରୂପରେ ବର୍ଣ୍ଣନା କରିଛନ୍ତି।
"ପ୍ରଣିପତ୍ଯ ଜଗନ୍ନାଥଂ ସର୍ବଜିନବରାର୍ଚ୍ଚିତମ୍
ସର୍ବ ବୁଦ୍ଧମୟଂ ସିଦ୍ଧି ବ୍ଯାପିନିଂ ଗଗନୋପମମ୍।"
ତତ୍କାଳୀନ ବଙ୍ଗଦେଶର ବୌଦ୍ଧ ଧର୍ମାବଲମ୍ବୀ ରାଜା ଦେବପାଳଙ୍କ ପୁରୋହିତ ରମାଇ ପଣ୍ଡିତ ଲେଖିଥିଲେ,
"ଜଳଧିର ତୀରେ ସ୍ଥାନ,
ବୌଦ୍ଧରୂପେ ଭଗବାନ ହୟା ତୁମି କୃପାବଲୋକନ।"
"ନବମ ମୂର୍ତ୍ତିତେ ହରି ଜଗନ୍ନାଥ ନାମ ଧରି ଜଳଧିର ତୀରେ କୈଲା ବାସ।"
ସ୍ଵୟଂ ଭଗବାନ ନିଜେ ନିଜର ମୂର୍ତ୍ତି ନିର୍ମାଣ କରି ଦୁର୍ଲ୍ଲଭ ମହାତୀର୍ଥ ପୁରୁଷୋତ୍ତମ ଧାମରେ ବିରାଜମାନ କରିଛନ୍ତି ବୋଲି ସ୍ଵୟଂ ଭଗବାନ ବିଷ୍ଣୁ,ମା ଲକ୍ଷ୍ମୀ ଙ୍କୁ କହିଛନ୍ତି, ନାରଦ ପୁରାଣ ଅନୁସାରେ।
"ପ୍ରତିମା ତତ୍ରା ତାଂ ଦୃଷ୍ଟା ସ୍ଵୟଂ ଦେବେନ ନିର୍ମିତାମ୍
ଅନାୟାସେନ ବୈ ଯାନ୍ତି ଭବନଂ ମେ ତତୋ ଞନରାଃ।"
"ଚୈତନ୍ୟ ଭାଗବତ" ରେ , ଶ୍ରୀକୃଷ୍ଣ ଓ ଶିବଙ୍କ ଉକ୍ତି ଛଳରେ, ଭଗବାନ ବିଷ୍ଣୁ ଏଠାରେ ଅନନ୍ତ କାଳ ଧରି ବିରାଜମାନ ଥିବାର ଅପୂର୍ବ ବର୍ଣ୍ଣନା କରାଯାଇଛି।
"ଅନନ୍ତ ବ୍ରହ୍ମାଣ୍ତ କାଳେ ଯଖନ ସଂହାରେ
ତବୁ ସେ ସ୍ଥାନେର କିଛୁ କରିତେ ନା ପାରେ।
ସର୍ବ-କାଳ ସେଇ ସ୍ଥାନେ ଆମାର ବସତି
ପ୍ରତିଦିନ ଆମାର ଭୋଜନ ହୟ ତଥି।"
ଆଚାର୍ଯ୍ୟ ଶଙ୍କର ପ୍ରଭୁ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଗାଇଥିଲେ,
"ଅହୋ ଦୀନାନାଥଂ ନିହିତମଚଳଂ ନିଶ୍ଚିତପଦମ୍
ଜଗନ୍ନାଥଃ ସ୍ବାମୀ ନୟନ ପଥଗାମୀ ଭାବତୁମେ।"
ଆଚାର୍ଯ୍ୟ ରାମାନୁଜ ଙ୍କ ମତରେ ଶ୍ରୀଜଗନ୍ନାଥ ହେଉଛନ୍ତି, କୈାଣସି ଭେଦଭାବ ନଥିବା ଲୋକଦେବତା।
ଓଡ଼ିଆ ମାନଙ୍କ ବିଶ୍ଵାସ ରହିଛି, ଶ୍ରୀଜଗନ୍ନାଥ ହେଉଛନ୍ତି ତୀର୍ଥରାଜ।
"ସକଳ ତୀର୍ଥ ତୋ ଚରଣେ
ବଦ୍ରିକା ଯିବି କି କାରଣେ।"
କବି ବଳରାମ ଦାସଙ୍କ ରଚିତ ପ୍ରେମଭକ୍ତି ବ୍ରହ୍ମଗୀତା ରେ,
ଦେଖ ଦେଖ ଏ ନୀଳାଚଳ ।
ସକଳ ତୀର୍ଥଙ୍କର ଆଳ।।
ଗୋପ ମଥୁରା ବୃନ୍ଦାବନ।
ଦ୍ଵାରିକାଆଦି ଯେତେ ସ୍ଥାନ।।
ସକଳ ଏଇ ସ୍ଥାନେ ପାଇ।
ଆବର କାଶୀ ମଧ୍ୟ ହୋଇ।।
କୋଟିଏ ତୀର୍ଥ ଏ କ୍ଷେତ୍ରରେ।
ମହିମା କହିଲେ ନ ସରେ।।"
ଅଚ୍ୟୁତାନନ୍ଦ ଦାସ ଙ୍କ ଶୂନ୍ୟ ସଂହିତା ରେ ଶ୍ରୀଜଗନ୍ନାଥ ହେଉଛନ୍ତି ଷୋଳକଳା ର ପୂର୍ଣ୍ଣ ବିକାଶ, ପୂର୍ଣ୍ଣ ବ୍ରହ୍ମ।
"ଅବତାର ଦଶ ଏହି ଦାରୁରୂପ ଏହି ଦାରୁରେ ସେ ଲୀନ
ଇଶ୍ଵର ସାକ୍ଷାତେ ଲୀଳାର ନିମନ୍ତେ ବିଜେ ରତ୍ନ ସିଂହାସନ।"
ସାରଳା ଦାସ ଙ୍କ ଲେଖନୀ ରେ,
"ମତ୍ସ୍ୟ କଚ୍ଛପ ବରାହ ତୁ ନର କେଶରୀ,
ବାମନ ପରଶୁରାମ ରାମ ରୂପ ଧରି।
ବଉଦ୍ଧ କଳକୀ ଏହି ଦଶ ଅବତାର,
ଅସୁରଙ୍କ ନିବାରଣେ ଏତେ ରୂପ ତୋର।"
କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଙ୍କ ବର୍ଣ୍ଣନା ରେ,
"କମ୍ବୁକଟକରେ ଯେହୁ ଦାରୁରୂପ ଧାରୀ,
କାଳେ କାଳେ ଶ୍ଵେତ ଦୀପ ମଧ୍ୟେ ଯେ ବିହାରୀ,
କମଳବନ୍ଧୁ ବଂଶେ ଯେ ଥିଲେ ଅବତରୀ,
କଣ୍ଠୀରବ ତନୁ ଯେ ପୂର୍ବରେ ଥିଲେ ଧରି।
କୁତୁକେ ଯେ ବିଦୂଜାତ ଦେବକୀ ଉଦର,
କମଳବଧିରୁ ପ୍ରକାଶ ରାଜା ଆକାଶର।"
ଜୀବ ଗୋସ୍ୱାମୀ ଙ୍କ ପ୍ରାର୍ଥନା ରେ ଶ୍ରୀଜଗନ୍ନାଥ ହେଉଛନ୍ତି, ସତ୍, ଚିତ୍, ଆନନ୍ଦ ର ଏକୀଭୂତ ପ୍ରକାଶ।
"ନୌମି ଦେବଂ ଜଗନ୍ନାଥଂ ସଚ୍ଚିଦାନନ୍ଦ ବିଗ୍ରହମ୍
ଯେ ନିତ୍ୟ ରମତେ ନୀଳାଚଳେ ବୈ ବ୍ରହ୍ମଧାମନି।"
ନୀଳାଦ୍ରି ମହୋଦୟ ରେ
"ତାରା ସାକ୍ଷାତ ଶୁଳପାଣିଂ ସୁଭଦ୍ରା ଭୁବନେଶ୍ଵରୀ
ନୀଳାଦ୍ରୀ ଜଗନ୍ନାଥାସ୍ତୁ ସ୍ଵୟଂ ଦକ୍ଷିଣ କାଳୀକା।"
ଅଚ୍ୟୁତାନନ୍ଦ ଦାସ ଙ୍କ ଛୟାଳିଶି ପଟଳ ରେ,
"ଶ୍ରୀକୃଷ୍ଣ ଜଗନ୍ନାଥ ସେହି। ପରମାନନ୍ଦ ସେ ବୋଲାଇ।"
ଅଚ୍ୟୁତାନନ୍ଦ ଙ୍କ 'ଶୂନ୍ୟ ସଂହିତା' ରେ,
"ବିକାର ନଥିବ ଏକାକାର ହେବ ନିରାକାର ଆଜ୍ଞା ଏହି।"
ବଳରାମ ଦାସ ଙ୍କ 'ଭାବ ସମୁଦ୍ର' ରେ,
"ନାଥ ତୋ କ୍ଷେତ୍ରେ ସାନ ବଡ ନାହିଁ।"
ପଞ୍ଚସଖା ସାଧକ ବଳରାମ ଦାସ ଙ୍କ 'ଗୁପ୍ତ ଗୀତା' ରେ,
"ଏଣୁ ଏ ଜଗନ୍ନାଥ କୃଷ୍ଣ"।
ଶିଶୁ ଶଙ୍କର ଙ୍କ ଉଷାଭିଳାଷ କାବ୍ୟ ରେ,
"ତୁ ମୋର ଦେହ ଜୀବନ ତୁ ମୋର ଭୂଷଣମାନ
ତୁ ମୋର ଇନ୍ଦ୍ରି ବିଷୟ ମନ ସଦନ
ତୁ ମୋହର ମୁକୁଟ ଶିରେ ତୁ ମୋର
ସୁକୃତ ଫଳ ସୁଖ ସାଗରେ।"
ଜଗନ୍ନାଥ ଦାସ ଙ୍କ ଲେଖନୀ ରେ,
"ବୋଇଲେ ମନୁଷ୍ୟ ସକଳ
ସମାନ ଅଟେ ଏ ଶୟଳ।"
କବି ବଳରାମ ଦାସଙ୍କ ଗୁପ୍ତ ଗୀତା ରେ,
" ବଳଭଦ୍ର ସେ ସାମ୍ ହୋଇ।ଋକ୍ ସେ ସୁଭଦ୍ରା ଅଟଇ।
ଯଜୁର୍ବେଦ ଯେ ଜଗନ୍ନାଥ। ଅଥର୍ବ ସୁଦର୍ଶନ ପାର୍ଥ।"
କବି ଯଶୋବନ୍ତ ଦାସ ଙ୍କ ପ୍ରେମ ଭକ୍ତି ବ୍ରହ୍ମ ଗୀତା ରେ,
"ସେ ଚକ୍ରେ ନେତ ବନ୍ଧା ହୋଇ
ପତିତଜନଙ୍କର ପାଇଁ।
ବାନା ଉଡଇ ଫରଫର
ପତିତଜନକ ନିସ୍ତାର।"
କବି ବଳରାମ ଦାସ ଙ୍କ ବେଦାନ୍ତସାର ଗୁପ୍ତଗୀତା ରେ,
ଏଣୁଟି ଶ୍ରୀଜଗନ୍ନାଥଙ୍କର
ଅଙ୍ଗ ଯୁଗଳ ଅଟେ ବୀର।
ଯା'ବୋଲି ଜଗତ ସୋଦର
ସେ ରାଧାକୃଷ୍ଣ କଳେବର।
ଅଭିନ୍ନ ଅଙ୍ଗ ସେ ଅଟଇ
ଶ୍ରୀରାଧାକୃଷ୍ଣ ରୂପ ଦୁଇ।
ବ୍ରହ୍ମାଦି ଅଗୋଚର ସ୍ଥାନ
ତୋତେ କହିଲୁ ହୋ ଅର୍ଜ୍ଜୁନ।"
ସନ୍ଥ କବୀର ଙ୍କ ଭାଷାରେ,
"ମଥୁରା ଯାବେ ଦ୍ଵାରକା ଯାବେ
ଯାବେ ଜଗନ୍ନାଥ
ସାଧୁ ସଂଗତି ହରି ଭଗତି ବିନା
କଚ୍ଛୁ ନା ଆବେ ହାଥ।"
କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଙ୍କ ଲେଖନୀ ରେ,
"ସେ କମ୍ବୁକଟକ ରାଜା ନାମ ଜଗନ୍ନାଥ
ଚାରିବର୍ଣ୍ଣେ ଚଉବର୍ଗ ଦେବାକୁ ସମର୍ଥ।"
"ସ୍ନାନ ଗୁଣ୍ଡିଚା ଏ ବେନି
ସ୍ଵୟଂ ଲୀଳା ଯା'ର
ପତିତପାବନ ଅର୍ଥେପ୍ରାସାଦୁଁବାହାର।"
ସାନନ୍ଦ ଦ୍ଵିଜ ଙ୍କ ଭକ୍ତିପୂତ ଜଣାଣ ରେ,
"ଆସିଥିଲି କାଳିଆ ତୋ ଦରଶନ ପାଇଁରେ
ତୋତେ ଛାଡ଼ିଯିବାକୁ ମୋ ମନ ମାନୁ ନାହିଁରେ।
ସାରା ଭୁବନରେ ସାଥି ଦେଖିଲି ତୋ ରୂପରେ
ସାରା ଜୀବନର ଶାନ୍ତି ଲଭିଲି ତୋ ମନ୍ଦିରେ।
ବିତିଯାଉ ଏ ଜୀବନ ତୋ ବଦନ ଚାହିଁରେ
ତୋତେ ଛାଡ଼ି ଯିବାକୁ ମୋ ମନ ବଳୁନାହିଁରେ।"
ଅତିବଡ଼ି ଜଗନ୍ନାଥ ଦାସଙ୍କ ଲେଖନୀ ରେ,
"ଅଶେଷ ବ୍ରହ୍ମାଣ୍ତ ସାର ଅନନ୍ତ ଶିର ଉପର
ନିଳାଦ୍ରି ଅବ୍ଯୟ ନିତ୍ଯସ୍ଥଳ ଗୋଲେକ।"
ପୃଥିବୀର ସ୍ଵର୍ଗ ଶ୍ରୀକ୍ଷେତ୍ର।
"ଭାରତେଚୋତ୍କଳେ ଦେଶେ ଭୂସ୍ବର୍ଗେ ପୁରୁଷୋତ୍ତମ।
ଦାରୁରୂପୀ ଜଗନ୍ନାଥୋ ଭକ୍ତନାମ ଭୟପ୍ରଦଃ।"
ଜଗନ୍ନାଥ ପ୍ରେମୀ ବଳରାମ ଦାସ,ରଥ ଉପରେ ଅପମାନିତ ହୋଇ ବାଙ୍କି ମୁହାଣ ରେ ବାଲିରେ ରଥ ତିଆରି କରି, ଅପୂର୍ବ ଶ୍ରଦ୍ଧା ଓ ଭକ୍ତି ରେ ଶ୍ରୀଜଗନ୍ନାଥ ଙ୍କୁ ବିଜେ କରାଇଥିଲେ। ଭାବବିହ୍ଵଳିତ ବଳରାମ ଦାସ ଙ୍କ ଅଭିମାନ ଭରା କବିତା ରେ,
"ହରିହୋ-ନନ୍ଦିଘୋଷ ରଥୁଁ ଦେଲୁ ଘଉଡି।
କେ ଓଟାରିବ ତୋ ରଥ ଦଉଡ଼ି।।
ନାଥ ତୁ ମୋତେ ନେଲେ ସିନା ଯିବୁ।
ନୋହିଲେ ସେହିଠାରେ ରହିଥିବୁ।।
ହରିହୋ-ଧରିଛି ଚିତ୍ତେ ତୁ ଯିବୁ କେମନ୍ତେ।
ଦାସ ବଳରାମ ଭରସି ତୋତେ।।"
ରଥଯାତ୍ରା ଦର୍ଶନର ବ୍ୟାକୁଳତା ହୃଦୟରେ ବହନକରି ବୃନ୍ଦାବନ ରୁ ଶ୍ରୀକ୍ଷେତ୍ର ଫେରୁଥିବା ଭକ୍ତ ସାଲବେଗଙ୍କ ଭକ୍ତି ରସଭରା ନିବେଦନ;
"ଜଗବନ୍ଧୁ ହେ ଗୋସାଇଁ
ତୁମ୍ଭ ଶ୍ରୀ ଚରଣ ବିନୁ ଅନ୍ୟ ଗତି ନାହିଁ।
ସାତଶ ପଞ୍ଚାଶ କୋଶ ଦିଗ ଦିଶୁନାହିଁ
ମୋହ ଯିବା ଯାଏ ନନ୍ଦିଘୋଷେ ଥିବ ରହି।"
ପୁଣି ତାଙ୍କରି କଣ୍ଠରେ,
"ଏକା ତୋ ଭକତ ଜୀବନ
ଭକତ ନିମନ୍ତେ ତୋର ଶଙ୍ଖଚକ୍ରଚିହ୍ନ।
ଭକତ ତୋ ପିତାମାତା ଭକତ ତୋ ବନ୍ଧୁ
ଭକତ ନିମନ୍ତେ ତୋର ନାମ କୃପାସିନ୍ଧୁ।
ଧେନୁ ପଛେ ପଛେ ବତ୍ସା ଗମେ କ୍ଷୀର ଲୋଭେ
ଭକତ ପଛରେ ତୁହି ଥାଉ ସେହି ଭାବେ।"
ଭକ୍ତର ସେ ବାମନ, ଦୋଳଗୋବିନ୍ଦ ଓ ମଧୁସୂଦନ।
ରଥରେ ବାମନ ଦୋଳାରେ ଗୋବିନ୍ଦ ଚାପରେ ମଧୁସୂଦନ।
ଏହି ତିନି ରୂପ ଦରଶନ କରି ବୈକୁଣ୍ଠ କର ଗମନ।
No comments:
Post a Comment