ଅସହ୍ଯ ଯନ୍ତ୍ରଣା ଜୀବନେ ଭରିଛ
କଣ୍ଟକିତ ଚଲାପଥ
କାହାକୁ କହିବି ଅନ୍ତରର ବ୍ଯଥା
ଶୁଣ ପ୍ରଭୂ ଜଗନ୍ନାଥ
ସୁନାକୁ ଧରିଲେ ମାଟି ପାଲଟୁଛି
ସତେକି ଦୁର୍ଭାଗ୍ୟ ମୋର
ଅଭିଶପ୍ତ ଭରା ଜୀବନ କାହାଣି
ରକ୍ଷାକର ଚକ୍ରଧର
- ରାଧା କୃଷ୍ଣ ବାୟକ
ଅବହେଳିତର ଅରଗଳି ଧାରେ
ଧରାପରେ ଧିରସ୍ଥିର
କୁତ୍ସିତ କଥନ ଆଦ୍ୟ ଆବାହନ
କଦାକାରରେ କିନ୍ନର
ହାଏରେ ବିଧାତା ଅପ୍ରଯ୍ୟାପ୍ତ ବ୍ୟଥା
ଜୀବନ କି ଅଭିଶପ୍ତ !
କର ଶେଷ ଧ୍ଯାୟ ନିଆରା ନିର୍ଣ୍ଣୟ
ମଞ୍ଜୁରି ହେ ଦରଖାସ୍ତ
- ଦାଶରଥି ସାହୁ
କଷଣର ଧାରେ ସଢୁଛି ଜୀବନ
ଆଶା ମୋର ଅସୁମାରୀ
ମୂଲ୍ୟହୀନ ଆଜି ନିରବ ରୋଦନ
ପ୍ରାରବ୍ଧ କର୍ମ ସୁମରି
ଭିଟାମାଟି ପରେ ବାସହୀନ ମୁହିଁ
ବିଧି ନିର୍ଦ୍ଦେଶ ଆଦରି
ଶେଷ ଚିନ୍ତା ଏକା ଚିନ୍ତାମଣି ପଦ
ଧରମ ସଉଦା ଧରି .....
- ସନ୍ତୋଷ ପଟ୍ଟନାୟକ
ଜଞ୍ଜାଳ ଯୁଇରେ ଜୀବନ ଜଳୁଛି
ସଂସାର ଲାଗୁଛି ତୁଚ୍ଛ
ଅଭାବୀ କଷଣ ବଢେ ଅପ୍ରମାଣ
ଦୁଃଖ ହୁଏ ଦ୍ୱିଗୁଣିତ
ଆଶା ଭରସା ମୋ ଭୁଶୁଡି ପଡୁଛି
ହୃଦୟ କ୍ଷତ ବିକ୍ଷିପ୍ତ
ଏମିତି ଜନମ ଦେଲ ଜନାର୍ଦ୍ଦନ
ଜୀବନ ମୋ ଅଭିଶପ୍ତ
- ପ୍ରବୀର ମଲ୍ଲିକ୍
ନାଁ ଅଛି ଖାତିର ନାଁ ଅଛି ଆଦର
ନାଁ ଅଛି ମୋ ସ୍ୱାଭିମାନ
ଦୁନିଆ ବୁକୁରେ ଅଭିଶପ୍ତ ଆଜି
ମୋର ଏ ତୁଚ୍ଛ ଜୀବନ
ଦୁଃଖି ଜୀବନ ମୋ ନିରବି କାନ୍ଦୁଛି
ସାଉଁଟି ମିଛ ସପନ
ତଥାପି ବଞ୍ଚିଛି କରମ ଆଦରି
ବିଭୁ ପାଦେ ରଖି ଧ୍ୟାନ
- ରାମ ଚନ୍ଦ୍ର ପ୍ରଧାନ
ଅଳପ ଆୟୁଷ ଅଧୁରା ସ୍ବପ୍ନକୁ
ଛାତି ତଳେ ଚାପି ଦେଇ
ବଞ୍ଚିବାକୁ ହୁଏ ସଂସାର ଭିତରେ
ଛଳନାର ହସ ନେଇ
ସମ୍ପର୍କେ ଜହର ଦୁଃଖର ପ୍ରହାର
ନିତ୍ୟ ମିଳେ ଉପହାର
ଅଭିଶପ୍ତ ଏହି ମଣିଷ ଜୀବନ
ବଞ୍ଚିବାଟା ଖାଲି ସାର
- ଟୁକୁନା ସାହୁ
କରିନାହିଁ ଯେଉଁ ଦୋଷରେ ସଙ୍ଗାତ
ସେ'ଦୋଷ ଲାଗିଛି ମୋତେ
କାନ ଉଠିଲାଠୁ ଯୋ କଥା ଶୁଣିନି
ସେ'କଥା ଶୁଣୁଛି କେତେ
ଯେଉଁ ଆଡ଼େ ଗଲେ ମିଛ ଅପବାଦ
ଶୁଣି ଶୁଣି ଦିନ ବିତେ
ଅଭିଶପ୍ତ ଏବେ ଲାଗେ ଜୀବନଟା
ଅଶାନ୍ତି ବଢୁଛି ଚିତ୍ତେ ....
- ରବିନ୍ଦ୍ର ସାହୁ
ଜୀବନ ଯନ୍ତ୍ରଣା ଅସହ୍ଯ ଏଇଠି
ଅଭିଶପ୍ତ ଲାଗେ ଜୀବନ
ନିତି ମରି ମରି ବଞ୍ଚିବା କି ଲାଭ
ହୃଦୟ ଯଦି ପାଷାଣ
ପାଷାଣ ସମ ଏ ହୃଦୟଟା ଆଜି
ଭୋଗୁଛି ଦୁଃଖ କଷଣ
ଆଉ ବଞ୍ଚିବାକୁ ଇଛା ନାହିଁ ମନେ
ଉଦ୍ଧାର ହେ ନାରାୟଣ
- ଜଗବନ୍ଧୁ ସାହୁ
No comments:
Post a Comment