Sunday, July 7, 2024

■ ଶ୍ରୀକ୍ଷେତ୍ର ଓ ଶ୍ରୀଜଗନ୍ନାଥ ■


ଶ୍ରୀକ୍ଷେତ୍ର ଓ ଶ୍ରୀଜଗନ୍ନାଥ
         ✍🏼 ଲେଖକ/କବି: ମହୀ ମୋହନ ତ୍ରିପାଠୀ

ସ୍ମରଣାତୀତ କାଳରୁ ଶ୍ରୀକ୍ଷେତ୍ର ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଆବିର୍ଭୂତ ହୋଇଛନ୍ତି । ଏହି ପରମପାବନ କ୍ଷେତ୍ର ଯେ ପୃଥିବୀର ଏକ ପ୍ରାଚୀନ ଧର୍ମପୀଠ-ଏହା ବିନା ଦ୍ୱିଧାରେ କୁହାଯାଇପାରେ । କିନ୍ତୁ ଏହି କ୍ଷେତ୍ରର ମୁଖ୍ୟ ଅଧିଷ୍ଠାତା ଦେବତା ଶ୍ରୀଜଗନ୍ନାଥଙ୍କର ଇତିବୃତ୍ତ ଅଦ୍ୟାବଧି ରହସ୍ୟାବୃତ ହୋଇ ରହି ଆସିଛି । ବିଭିନ୍ନ ପୁରାଣ, କିମ୍ବଦନ୍ତୀ ଓ ଇତିହାସ ସେ ରହସ୍ୟ ଭେଦକରି ପାରି ନାହାନ୍ତି ।

କଥାରେ କୁହାଯାଇଛି, ପୁରୁଷୋତ୍ତମ ଶ୍ରୀଜଗନ୍ନାଥଙ୍କ ରହସ୍ୟ ଦେବଗଣଙ୍କୁ ମଧ୍ୟ ଅଗୋଚର; ସାଧାରଣ ମାନବ ପକ୍ଷେ ସେ ରହସ୍ୟ ଭେଦ କରିବା ଅସମ୍ଭବ । ଶ୍ରୀଜଗନ୍ନାଥ ବେଦବର୍ଣ୍ଣିିତ ବିରାଟ ପୁରୁଷଙ୍କ ପ୍ରତୀକ ବିଗ୍ରହ । ସେ ଦୁର୍ବୋଧ୍ୟ, ଉପନିଷଦ ଦର୍ଶନର ମୂର୍ତ୍ତିମନ୍ତ ବିଗ୍ରହ ।

ପୁରୀର ନାମ ହୁଏତ ଦିନେ ଥିଲା ପୁରୁଷୋତ୍ତମ-ପୁରୀ ଓ ଜଗନ୍ନାଥ-ପୁରୀ । ନାମ ସଂକ୍ଷିପ୍ତୀକରଣ ପ୍ରକ୍ରିୟାରେ ହୋଇଗଲା 'ପୁରୀ' । ଏହାର ଅନ୍ୟାନ୍ୟ କେତୋଟି ନାମ ହେଲା-ଶ୍ରୀକ୍ଷେତ୍ର, ନୀଳାଚଳ କ୍ଷେତ୍ର, ନୀଳାଚଳ ଧାମ, ଶଙ୍ଖକ୍ଷେତ୍ର, ପୁରୁଷୋତ୍ତମ କ୍ଷେତ୍ର, ପୁରୁଷୋତ୍ତମ ଧାମ, ନୀଳାଦ୍ରି । ବ୍ରିଟିଶ୍‍ ଶାସନ ସମୟର ସରକାରୀ ନଥିପତ୍ରରେ ଠାଏ ଠାଏ ପୁରୀ ଜାଗାରେ 'ଜଗନ୍ନାଥ' ଶବ୍ଦ ବ୍ୟବହୃତ ହୋଇଛି । ଉଭୟ ଶବ୍ଦ ହୋଇଯାଇଛି ସମାର୍ଥକ ।

ପୁର ଓ ପୁରୀ ଶବ୍ଦର ଅନେକ ଅର୍ଥ ରହିଛି । ପୁର ଅର୍ଥ ଗୃହ, ଦେଶ, ନଗର, ଦେହ ଇତ୍ୟାଦି । ଆତ୍ମା ସମସ୍ତ ପ୍ରାଣୀଙ୍କର ପୁରରେ ଅର୍ଥାତ୍‍ ଦେହରେ ଅବସ୍ଥାନ କରେ ବା ତାହାକୁ ପୂର୍ଣ୍ଣ କରି ରହେ ବା ସେଥିରେ ଶୟନ କରେ । ତେଣୁ ଆତ୍ମାକୁ 'ପୁରୁଷ' କୁହାଯାଏ । ପୁରୁଷ ଉତ୍ତମ, ପୁରୁଷୋତ୍ତମ-ଜଗନ୍ନାଥଙ୍କ ପୁର ହେତୁ ଏହି ଧାମର ନାମ ପୁରୁଷୋତ୍ତମପୁରୀ ବା ସଂକ୍ଷେପରେ ପୁରୀ ହୋଇଥିବ ।

ପୁରୀ ଶବ୍ଦକୁ ନେଇ ଭାଷାତତ୍ତ୍ୱବିତ୍‍ ଓ ଗବେଷକଙ୍କ ମଧ୍ୟରେ ଭିନ୍ନ ଭିନ୍ନ ମତ ରହିଛି । ପ୍ରଫେସର ପଞ୍ଚାନନ ମହାନ୍ତି 'ପୁରୀ' ଶବ୍ଦର ବ୍ୟାଖ୍ୟା କରିଛନ୍ତି । ସେ କହିଛନ୍ତି ଯେ ଓଡ଼ିଶା ଗୋଟିଏ ଆଦିବାସୀ ମୁଣ୍ଡାଭାଷୀ ଅଧ୍ୟୁଷିତ ରାଜ୍ୟ । ସମୁଦାୟ ପ୍ରାୟ ୧୨ଗୋଟି ମୁଣ୍ଡା ଭାଷା ମଧ୍ୟରୁ ଅନ୍ୟୂନ ଦଶଗୋଟି ଭାଷା ଓଡ଼ିଶାର ବିଭିନ୍ନ ଅଞ୍ଚଳରେ କଥିତ ହୁଏ । ମହାପ୍ରଭୁ ଜଗନ୍ନାଥ ମୁଖ୍ୟତଃ ଶବର ଦେବତା ଥିଲେ । ଶବରମାନେ ମୁଣ୍ଡା ଗୋଷ୍ଠୀର ଅନ୍ତର୍ଭୁକ୍ତ । ସାରଳା ମହାଭାରତ ଅନୁଯାୟୀ, ନୀଳାଚଳ ଥିଲା ଗୋଟିଏ ଶବର ଅଧ୍ୟୁଷିତ କ୍ଷେତ୍ର । ପୁରୀରେ ପ୍ରାଚୀନକାଳରେ ଶବରମାନେ ରାଜତ୍ୱ କରୁଥିଲେ ବୋଲି ଐତିହାସିକମାନେ ମଧ୍ୟ ମତ ପୋଷଣ

କରନ୍ତି । ଏ ମତକୁ ଗ୍ରହଣ କଲେ, ଶବରମାନେ ଏ ସ୍ଥାନଟିର କିଛି ଗୋଟିଏ ନାମ ଦେଇଥିବେ ଓ ସେହି ନାମଟି ଯେ ମୁଣ୍ଡା ଭାଷାର ଶବ୍ଦ ହୋଇଥିବ, ଏ କଥା ସ୍ୱୀକାର କରିବାକୁ ପଡ଼ିବ । ପ୍ରଫେସର ମହାନ୍ତି ବିଶ୍ୱାସ କରନ୍ତି ଯେ, ଏହି ପ୍ରାଚୀନ ନାମଟି 'ପୁରୀ' । କାରଣ ମୁଣ୍ଡା ଗୋଷ୍ଠୀର ବିଭିନ୍ନ ଭାଷାରେ ଏହି ଶବ୍ଦ ଜଳାଶୟ ଓ ସମୁଦ୍ର ସହିତ ସଂପୃକ୍ତ । ପୁରୀ ଗୋଟିଏ ମୁଣ୍ଡା ଭାଷାର ଶବ୍ଦ । ଏହି ଶବ୍ଦ ସମୁଦ୍ରପାଇଁ ବ୍ୟବହୃତ ହୋଇ ସମୟକ୍ରମେ ସମୁଦ୍ରକୂଳସ୍ଥିତ ସ୍ଥାନଟିର ନାମରେ ପରିଣତ ହୋଇଯାଇଛି । କିନ୍ତୁ ଅନ୍ୟ ଜଣେ ବିଦ୍ୱାନ ଗବେଷକ ପ୍ରଫେସର ଗଗନେନ୍ଦ୍ର ନାଥ ଦାଶଙ୍କ ମତରେ, ନାମ ସଂକ୍ଷିପ୍ତୀକରଣ ପ୍ରକ୍ରିୟା ମାଧ୍ୟମରେ 'ପୁରୁଷୋତ୍ତମ-ପୁରୀ' ବା 'ଜଗନ୍ନାଥ-ପୁରୀ'ର ସଂକ୍ଷିପ୍ତ ରୂପ 'ପୁରୀ' ହୋଇଛି ।
ଅନ୍ୟ ଦୃଷ୍ଟିରୁ ବିଚାର କଲେ, ଇଣ୍ଡୋନେସିଆର ବାଲିଦ୍ୱୀପ ସହିତ ପ୍ରାଚୀନ ଉତ୍କଳର ବାଣିଜ୍ୟ ସଂପର୍କ ରହିଥିଲା । ଖ୍ରୀଷ୍ଟୀୟ ପ୍ରଥମ ଶତାବ୍ଦୀରେ ଭାରତୀୟ ସାଧବମାନେ ଏହି ଦ୍ୱୀପରେ ପହଞ୍ଚିଯାଇଥିଲେ । ପ୍ରାଚୀନ ଉତ୍କଳ ତଥା କଳିଙ୍ଗରୁ ବହୁ ସାଧବ ସେଠାକୁ ଯାଇଥିଲେ । ସେମାନଙ୍କ ସଂସ୍କୃତିର ପ୍ରଭାବ ସେଠାରେ ପଡ଼ିଥିଲା । ବାଲିଦ୍ୱୀପରେ ଲୋକମାନେ ମନ୍ଦିରକୁ 'ପୁର' କହନ୍ତି । ଏହାଛଡ଼ା ମନ୍ଦିରକୁ ପ୍ରାସାଦ ମଧ୍ୟ କୁହାଯାଏ । ବାଲିଦ୍ୱୀପର 'ପୁରବୈଶାଖୀ' ମନ୍ଦିରକୁ ଠିକ୍‍ ପୁରୀର ଶ୍ରୀଜଗନ୍ନାଥ ମନ୍ଦିର ଭଳି 'ପ୍ରାସାଦ' କୁହାଯାଏ । ଏଥିରୁ ସ୍ପଷ୍ଟ ଜଣାଯାଏ ଯେ, ଏକଦା ଶ୍ରୀକ୍ଷେତ୍ରର ଶ୍ରୀମନ୍ଦିରକୁ 'ପୁର' କୁହାଯାଉଥିଲା । କାଳକ୍ରମେ ଏହାର ନିକଟବର୍ତ୍ତୀ ଅଞ୍ଚଳ 'ପୁରୀ' ନାମରେ ବିଖ୍ୟାତ ହେଲା ।

କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ 'କୋଟିବ୍ରହ୍ମାଣ୍ଡ ସୁନ୍ଦରୀ' କାବ୍ୟରେ ପୁରୀର ଶ୍ରୀମନ୍ଦିରକୁ 'ପ୍ରାସାଦ' କୁହାଯାଇଛି ।

"ସ୍ନାନ ଗୁଣ୍ଡିଚା ଏ ବେନି ସ୍ୱୟଂ ଲୀଳା ଯାର
ପତିତପାବନ ଅର୍ଥେ ପ୍ରାସାଦୁଁ ବାହାର ।"

ଜୀବଦେବାଚାର୍ଯ୍ୟ (ଷୋଡ଼ଶ ଶତାବ୍ଦୀର ଉତ୍କଳୀୟ କବି) ତାଙ୍କର ସଂସ୍କୃତ ରଚନା 'ଉତ୍ସାହବତୀ ରୂପକ'ରେ ଲେଖିଛନ୍ତି-"ଅସ୍ମିନ୍ ବସନ୍ତ ସମୟେ ପୁରୁଷୋତ୍ତମସ୍ୟ ପ୍ରାସାଦ... ।" ଗଙ୍ଗବଂଶର ପ୍ରତିଷ୍ଠାତା ଚୋଡ଼ଗଙ୍ଗଦେବଙ୍କ ପ୍ରଦତ୍ତ ଏକ ଅଭିଲେଖରେ 'ପ୍ରାସାଦ ପୁରୁଷୋତ୍ତମସ୍ୟ' ବୋଲି ଉଲ୍ଲେଖ ଅଛି ।

ବ୍ରହ୍ମ ଦେଶର ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ବିବରଣୀ (୧୯୧୬)ରୁ ଜଣାଯାଏ ଯେ, ସେଠାର ପ୍ରାଚୀନ ପ୍ରୋମ୍‍ ଅଞ୍ଚଳର ନାମ ଥିଲା 'ଶ୍ରୀକ୍ଷେତ୍ର' । ଉତ୍କଳର ଉପନିବେଶକାରୀମାନେ ବ୍ରହ୍ମଦେଶର ପ୍ରୋମ୍‍ ଅଞ୍ଚଳରେ ପରିବ୍ୟାପ୍ତ ହୋଇଥିଲେ । ଖ୍ରୀଷ୍ଟପୂର୍ବ ଦୁଇଶହରେ ଉତ୍କଳୀୟମାନେ ସେଠାରେ ଉପନିବେଶ ସ୍ଥାପନ କରିଥିଲେ । 'ପ୍ରୋମ୍‍' ନାମଟି ହୁଏତ 'ପୁରମ୍‍' (ପୁର) ଶବ୍ଦରୁ ସୃଷ୍ଟି ହୋଇଥିବ ।

Saturday, August 26, 2023

ଲୁହ

ଅଟକୁନି ଲୁହ 
ବୋହି ଚାଲୁଛି ଅନବରତ
ଆଖିବି ନିଜର କରି ରଖି ପାରୁନି 
ଏ ଲୁହକୁ,,,,
ବାସ୍ ଝରି ଯାଉଛି
ଟୋପା ଟୋପା ହୋଇ!

ମନର ବ୍ୟଥା 
ହୃଦୟର କୋହ 
ସତରେ ଭାଙ୍ଗି ଦେଉଛି ଶକ୍ତିକୁ
ଧର୍ଯ୍ୟହରା ହୋଇଗଲାଣି ଏ ଜୀବନ
ବଞ୍ଚିବାକୁ ଇଚ୍ଛା ହେଉନି,,,
ମରିବାକୁ ବି ସାହସ ହେଉନି!

ସାମର୍ଥ୍ୟ ନାହିଁ ଆଉ ଛିଡ଼ା ହେବାକୁ
ନିଜ ଗୋଡ଼ରେ,,,
ଦୁନିଆ ଆଗରେ,,,,,
ପରିସ୍ଥିତି ଜଟିଳ କରୁଛି ସମସ୍ୟାକୁ
ଏଠି ଖାଲି ଆଖିରୁ ଲୁହ ଝରୁନି
ହୃଦୟ କୋହରେ କାନ୍ଦୁଛି!

ଜରାଜୀର୍ଣ୍ଣ ଅବସ୍ଥାରେ,,,,
ପଡ଼ି ରହୁଛି ଗୋଟେ ଘର କୋଣରେ 
ଏ ଶରୀର, ବର୍ତ୍ତମାନ, ଓ ଭବିଷ୍ୟତ
ଝୁରି ହେଉଛି ଅତୀତକୁ,,,,,

ଭାବୁଛି ତା' ପ୍ରେମକୁ ଏବଂ ହରେଇ ଥିବା 
ଆଶା,ବିଶ୍ୱାସ, ଓ ଭରଷାକୁ
ସତରେ ଏ ଜୀବନ ବହୁତ ଜଟିଳ
ବଞ୍ଚିବା ବହୁତ କଷ୍ଟ,,,,

ସତରେ ଏ ଜୀବନ କ'ଣ ଅଭିଶପ୍ତ
ନାହିଁ ଏଥିରେ,,,
ହସ, ଖୁସି, କି ସୁଖ?
ନାଆଁ ଦୁନିଆଟା ଭିନ୍ନ ମୋ ପାଇଁ
ଲଦି ଦେଉଛି ସମସ୍ତିଙ୍କର ଯନ୍ତ୍ରଣା
ଲୁହକୁ ଝରେଇବା ପାଇଁ!

✍ ସୁଶୀଲ କୁମାର ଭୋଇ

Saturday, May 13, 2023

-:ଦେଖି ପାରିବିନି ତୁମ ବଧୂ ବେଶ:-

-:ଦେଖି ପାରିବିନି ତୁମ ବଧୂ ବେଶ:-

କେମିତି ଦେଖିଥାନ୍ତି
ତୁମ ବଧୁ ବେଶ
ଆଉ କାହା ସାଥିରେ?
କେମିତି ଦେଖି ଥାନ୍ତି ତୁମ
ମଥାରେ ସିନ୍ଦୂର
ହାତରେ ଶଙ୍ଖା
ପାଦରେ ଅଳତା ନାଇଥିବ ଆଉ କାହା ପାଇଁ ପ୍ରିୟାରେ!!

ଇଚ୍ଛା ଥିଲା 
ତୁମ ମୁଣ୍ଡରେ ଓଢଣା ଦେଇ
କରିଥାନ୍ତି ମୋ ଘରଣୀ
ଚଉଠି ରାତିରେ ଗଜରା ଖୋଲି
କରିଥାନ୍ତି ମୋ ରାଜରାଣୀ।

ଏବେ ହୋଇଗଲ 
ତୁମେ ଆଉ କାହାର
ମୋ ପାଇଁ ହୋଇ ସ୍ୱାର୍ଥପର
ଭୁଲି ଗଲ ସବୁ ପଛକଥା ପ୍ରିୟା
ଅତୀତର ସେଇ ଭଲ ପାଇବାର।

ଏବେ ହେଉଛ 
ତୁମେ ଆଉ କାହା ଘରଣୀ
ଚାଲି ଯାଉଛ ତା'ଙ୍କ ସାଙ୍ଗେ ତୁମେ 
ହେବା ପାଇଁ ପାଟ୍ଟରାଣୀ
ମୋ କୁଡ଼ିଆଟା ନଥିଲା ସିନା ରାଜମହଲ
ହେଲେ ହୃଦୟରେ କରି ରଖିଥାନ୍ତି ରାଣୀ।

ସୁଶୀଲ୍ କୁମାର ଭୋଇ, ଭୁବନେଶ୍ୱର-୨

Sunday, March 26, 2023

● କଙ୍କିଧରଣ ମାଆ ମରଣ ●

•••କଙ୍କିଧରଣ ମାଆ ମରଣ•••

ପିଲାମାନେ କଙ୍କି ଧରିଵାକୁ ସୁଖପାଆନ୍ତି। ସେମାନଙ୍କୁ ତହିଁରୁ ନିଵର୍ତ୍ତାଇବା ପାଇଁ ଓଡ଼ିଶାରେ ଵୟସ୍କମାନେ ସେମାନଙ୍କୁ 
“କଙ୍କିଧରଣ ମାଆ ମରଣ”
ପ୍ରଵଚନ କହୁଥିଲେ । କଙ୍କି ଧଇଲେ ମା ମରିଯିଵ ଜାଣି କିଛି ପିଲା ଶଙ୍କିଯାଇ ଏଥିରୁ ନିଵୃତ ହେଉଥିଲେ । ନବେ ଦଶକ ଯାଏଁ  ପିଲାମାନଙ୍କର ଖେଳପଡ଼ିଆ ଥିଲା ପ୍ରିୟ ସ୍ଥାନ । ବାହାରେ ବୁଲି ବୁଲି କଙ୍କି ଧରିଵା ଗୋଟିଏ ସୁଖକର ଖେଳ ଥିଲା । କଖାରୁ ଵା ବୋଇତାଳୁ ଗଛର ଦୁଇଗୋଟି ପତ୍ର ଦି ହାତରେ ଧରି କିମ୍ବା ହାତକୁ ବୁଲାଇ ପିଲାଏ ଵିଭିନ୍ନ ଜାତିର କଙ୍କି ଧରୁଥିଲେ । ଗୋଟିଏ ଦିନରେ ଶହ ଶହ କଙ୍କି ଏଥିଯୋଗୁଁ ମୃତ୍ୟୁ ମୁଖରେ ପଡ଼ୁଥିଲେ । ପିଲାମାନେ କଙ୍କି ମୁଣ୍ଡ ପୋତିଲେ ତାହା ସୁନା, ଟଙ୍କା ଵା ବାଟି ହୋଇଯିଵ ବୋଲି ଭାବି ଗୋଟିଏ ଦିନରେ ଅନେକ କଙ୍କି ଧରୁଥିଲେ । କେହି କେହି ବାଳକ ବାଳିକା କଙ୍କି ଧରି ତାହାର ଲାଞ୍ଜରେ ସୁତୁଲି ବାନ୍ଧି ଉଡ଼ାଉଥିଲେ । କେହି କେହି ଦୁଷ୍ଟ ବାଳକ କଙ୍କିର ପକ୍ଷ ଛେଦନ କରି ଯାତନା ଦେଉଥିଲେ । ଏସବୁ କାର୍ଯ୍ୟରୁ ପିଲାମାନଙ୍କୁ ନିଵୃତ କରିଵା ପାଇଁ “କଙ୍କିଧରଣ ମାଆ ମରଣ” ପ୍ରଵଚନର ଆଵିଷ୍କାର ଓଡ଼ିଶାରେ ହୋଇଥିଲା । 

ଆଜି ଏ ପ୍ରଵଚନ ଶୁଣିଲେ ହୁଏତ ଉଚ୍ଚଶିକ୍ଷିତ ଲୋକେ ଭାବିବେ ଆଗକାଳରେ ଲୋକମାନେ କେତେ ଅନ୍ଧଵିଶ୍ଵାସୀ ଥିଲେ ଏଵଂ ନିଜ ପିଲାମାନଙ୍କୁ ମଧ୍ୟ ଅନ୍ଧଵିଶ୍ୱାସ ଦ୍ଵାରା ଆକଟ କରାଉଥିଲେ । କିନ୍ତୁ ଏଭଳି ଵିଚାରୁଥିଵା ଲୋକେ “କଙ୍କିଧରଣ ମାଆ ମରଣ” ଓଡ଼ିଆ ପ୍ରଵଚନ ମଧ୍ୟରେ ଲୁଚି ରହିଥିଵା ଲୌକିକ ଵିଜ୍ଞାନଟିକୁ ହୃଦୟଙ୍ଗମ କରିପାରିନାହାନ୍ତି ବୋଲି ସେମାନଙ୍କୁ ବୁଝିଵାକୁ ହେଵ । 
ବାଳଵୟସରେ ପିଲାଏ ଯାହା କରନ୍ତି ତାହାର ପ୍ରଭାଵ ତାଙ୍କର ପରଵର୍ତ୍ତୀ ଜୀଵନରେ ପଡି଼ଥାଏ । ବାଳୁତ ଵୟସରେ ନିରୀହ ଜୀଵମାନଙ୍କୁ କଷ୍ଟ ଦେଉଥିଵା ବାଳକ ବାଳିକା ସେମାନଙ୍କ ପରଵର୍ତ୍ତୀ ଜୀବନକାଳରେ ନିଷ୍ଠୁର ହୃଦୟ ହୋଇ ବଡ଼ ଜୀଵ ଏମନ୍ତକି ମନୁଷ୍ୟମାନଙ୍କୁ ହତ୍ୟା କରିଵାକୁ ମଧ୍ୟ ପଛାନ୍ତି ନାହିଁ । ତେଣୁ ପିଲାମାନଙ୍କର ଭଵିଷ୍ୟତ ସୁରକ୍ଷିତ କରିଵା ପାଇଁ ତତ୍କାଳୀନ ଯୁଗର ଵୟସ୍କମାନେ ଏଭଳି ଏକ ପ୍ରଵଚନର ସୃଷ୍ଟି କରିଥିଲେ । ପୁଣି  ଏହି ପ୍ରଵଚନର ଅନ୍ୟ ଏକ ଦିଗ ପ୍ରତି ମଧ୍ୟ ଵିଚାର କରାଯାଇପାରେ ‌ । କଙ୍କିମାନେ ସାଧାରଣତଃ ମଶାମାନଙ୍କର ଶିକାରୀ ଭାବେ ଜଣାଶୁଣା ଏଵଂ ସେମାନେ ତାଙ୍କ ଜୀଵନର ପ୍ରତ୍ୟେକ ସ୍ତରରେ ମଶାମାନଙ୍କର ଶିକାର କରିଥାନ୍ତି । କଙ୍କିମାନଙ୍କୁ ପିଲାମାନେ ଶତଶତ ସଂଖ୍ୟାରେ ମାରିଲେ ସେମାନଙ୍କର ବଂଶ ହ୍ରାସ ଘଟିଵ ଫଳତଃ ମଶାବଂଶ ବୃଦ୍ଧି ଘଟିଵ । ଗୋଟିଏ  କଙ୍କି ଦିନକୁ ତିରିଶରୁ ଶହେ ପର୍ଯ୍ୟନ୍ତ ମଶା ଖାଇପାରେ ଏଵଂ ତାହାର ଜୀଵନକାଳ ମଧ୍ୟରେ ସେ ଏହିପରି ହଜାର ହଜାର ମଶା ଖାଇଥାଏ ‌। 
ହୁଏତ ଏକଥା ତତ୍କାଳୀନ ଲୋକମାନେ ପ୍ରତ୍ୟକ୍ଷଭାବେ ଅନୁଭଵ କରିଥିବେ ଯେତେବେଳେ କଙ୍କିମାନଙ୍କର ସଂଖ୍ୟା ହ୍ରାସ ଘଟିଵା ଯୋଗୁଁ ମଶାସଂଖ୍ୟାରେ ଅହେତୁକ ବୃଦ୍ଧି ଘଟିଥିଵ । ସମ୍ଭଵତଃ ଏ ଦିଗରୁ ମଧ୍ୟ ବୁଝି ଵିଚାରି ଲୋକମାନେ “କଙ୍କିଧରଣ ମାଆ ମରଣ” ପ୍ରଵଚନକୁ ପ୍ରଚଳନ କରାଇ ପିଲାଙ୍କୁ କଙ୍କି ମାରିଵାକୁ ଆକଟ କରିଵା ଆରମ୍ଭ କରିଦେଇଥିଲେ । ଆଜି ପରି ସେ ଯୁଗରେ ମେଲେରିଆ ରୋଗର ନିରାକରଣ ପାଇଁ ସେତେ ସୁଵିଧା ସୁଯୋଗ ନଥିଲା ଏଣୁ କଙ୍କି ସଂଖ୍ୟା ହ୍ରାସ ପାଇଵା ଯୋଗୁଁ ମଶାସଂଖ୍ୟାରେ ବୃଦ୍ଧି ଘଟି ମେଲେରିଆ ପରି ରୋଗ ସମାଜରେ ଭୀଷଣ ରୂପେ କାୟାଵିସ୍ତାର କରିଵାର ସମ୍ଭାଵନା ବଢ଼ିଯାଉଥିଲା । ମେଲେରିଆ ଦ୍ଵାରା ପିଲାମାନଙ୍କର ମାଆ ବି ମରିଯାଇପାରେ ଏଵଂ ମଶାଙ୍କୁ ଖାଉଥିଵା କଙ୍କିକୁ ନମାରିଲେ ସେ ବଞ୍ଚି ରହିଵ ଏକଥା ସମ୍ଭଵତଃ ଓଡ଼ିଶାର ତତ୍କାଳୀନ ଲୋକେ ହୃଦୟଙ୍ଗମ କରିପାରିଥିଲେ ସେଥିପାଇଁ ସେମାନେ “କଙ୍କିଧରଣ ମାଆ ମରଣ” ପ୍ରଵଚନ ଗଢ଼ିଥିବେ । 
ଅଵଶ୍ଯ ଆଜିକାଲିର ପିଲାଏ ଆଉ କଙ୍କି ଧରୁନାହାନ୍ତି । ସେମାନଙ୍କର ଖେଳପଡ଼ିଆ ପ୍ରତି ଆଉ ଆଗ୍ରହ ନାହିଁ ଵରଂ ମୋବାଇଲ ଖଣ୍ଡେ ପାଇଗଲେ ସେଥିରେ ଛୋଟାଭୀମ,ନଟିଆ ଦେଖୁଛନ୍ତି କିମ୍ବା ଖେଳୁଛନ୍ତି । ଏହା କଙ୍କିମାନଙ୍କ ପାଇଁ ଶୁଭଙ୍କର ଵିଶେଷକରି ଏହି ଘଡ଼ିସନ୍ଧି କାଳରେ ଯେତେବେଳେ ପୃଥିଵୀର  ଅନେକ ଜୀଵ କ୍ରମଶଃ ମାନଵଙ୍କ ଦ୍ଵାରା ଜଳ,ମୃତ୍ତିକା,ଵାୟୁ ,ଆଲୋ ଓ ଧ୍ଵନି ପ୍ରଦୂଷଣ ଯୋଗୁଁ ଲୁପ୍ତ ହୋଇଯାଉଛନ୍ତି । ହେଲେ  ଵିଗତ ଦଶନ୍ଧିରେ କଙ୍କିମାନଙ୍କର ସଂଖ୍ୟାରେ ହ୍ରାସ ଘଟିଛି ଏଵଂ ଏଥିପାଇଁ ପିଲାମାନେ ନୁହେଁ ଵରଂ ଵୟସ୍କ ଲୋକମାନେ ଦାୟୀ ଅଟନ୍ତି  । ଗୋଟିଏ ଯୁଗ ଥିଲା ଓଡ଼ିଶାର ଵୟସ୍କମାନେ କଙ୍କିମାନଙ୍କର ସଂସାର ପ୍ରତି ଥିଵା ଉପକାରିତାକୁ ବୁଝି “କଙ୍କିଧରଣ ମାଆ ମରଣ” ପ୍ରଵଚନ ସୃଷ୍ଟି କରିଥିଲେ କିନ୍ତୁ ଏ ଯୁଗରେ ଵୟସ୍କମାନେ ଅଜାଣତରେ ସେମାନଙ୍କର ବଂଶନାଶ କରିଚାଲିଛନ୍ତି । ଶସ୍ୟାଦିରେ ଦିଆଯିଵା କିଟନାଶକ ଓ ଆଵଶ୍ୟକତାଠାରୁ ଅଧିକ ରସାୟନିକ ସାର ଵ୍ୟଵହାର ଯୋଗୁଁ ମୃତ୍ତିକା ଓ ଜଳ ଦୂଷିତ ହୋଇଛି । ସେହି ଦୂଷିତ ଵିଷାକ୍ତ ଜଳରେ ମଶାଙ୍କୁ ଖାଇଯାଉଥିଵା କଙ୍କିମାନଙ୍କ ଭଳି ଶିକାରୀ ଜୀଵମାନଙ୍କର ବଂଶ ବଢି଼ପାରୁନାହିଁ । ସେଥିପାଇଁ ତ ନବେ ଦଶକଯାଏଁ ଗ୍ରାମାଞ୍ଚଳରେ ମଶାମାନଙ୍କର ସଂଖ୍ୟା କମ୍ ରହୁଥିବାବେଳେ ଏବେ ପ୍ରାୟତଃ ଅଧିକାଂଶ ଗ୍ରାମ ନଗରାଞ୍ଚଳରେ ବାରମାସ ଯାକ ମଶା ଦେଖିଵାକୁ ମିଳୁଛନ୍ତି । ଆଜି ହୁଏତ ମନୁଷ୍ୟ ଵିଜ୍ଞାନ କ୍ଷେତ୍ରରେ ଅନେକ ଉନ୍ନତି କରିପାରିଛି କିନ୍ତୁ ସେ ଏଥିଯୋଗୁଁ ସ୍ଵେଚ୍ଛାଚାରୀ ବି ହୋଇଯାଇଛି ‌। ଏଣୁ ଯୋଉ “କଙ୍କିଧରଣ ମାଆ ମରଣ”  ପ୍ରଵଚନ ଆଗେ ପିଲାମାନଙ୍କୁ ଶୁଣାଇ କଙ୍କି ଧରିଵାରୁ ନିଵୃତ କରାଯାଉଥିଲା ଆଜି ସେହି ପ୍ରଵଚନଟି ବଡ଼ଲୋକଙ୍କୁ ବୁଝାଇଵାକୁ ମଧ୍ୟ ଆଵଶ୍ୟକ ହୋଇପଡ଼ିଛି ।

ପୂର୍ଵେ ପିଲାମାନଙ୍କୁ କଙ୍କି ଧରଣ ମାଆ ମରଣ କହି ଆକଟ କରାଯାଇପାରିଥିଲା କିନ୍ତୁ ଆଜିକାଲିର ଵୟସ୍କମାନଙ୍କୁ କଙ୍କି ମାରଣରୁ କିଭଳି ନିଵୃତ କରାଇଵା ?

Saturday, March 11, 2023

ଉଦ୍ବୋଧନୀ

ଯେତେବେଳେ କେତେକ ବଙ୍ଗଭାଷୀଙ୍କ ଚକ୍ରାନ୍ତରେ ଓଡ଼ିଆ ଭାଷା ଖୁବ୍ ଦୁର୍ଦ୍ଦିନରେ ଗତି କରୁଥିଲା ସେତେବେଳେ ଯେଉଁ ମହାରଥୀମାନେ ଲେଖନୀଅସ୍ତ୍ର ବଳରେ ଶତ୍ରୁଙ୍କୁ ପରାହତ କରି ମାତୃଭାଷାର ସୁରକ୍ଷା କରିଥିଲେ ଏବଂ ଓଡ଼ିଆ ଜାତିକୁ ଉଦ୍‌ବୁଦ୍ଧ କରିଥିଲେ , ସେ ରଣାଙ୍ଗନରେ ସେନାପତି ସେନାପତି ଭାଵେ ଅଗ୍ରଗଣ୍ୟ ହେଲେ ବି ସୈନିକଙ୍କ ମଧ୍ୟରେ ସ୍ୱର୍ଗୀୟ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କର ନାମକୁ ଉପେକ୍ଷା କରାଯାଇ ନ ପାରେ।
             ତାଙ୍କ ଉଦ୍‌ଵୋଧନ କବିତା ଯେପରି ଭାଵଗର୍ଭକ ସେହିପରି କାନ୍ତକୋମଳପଦାବଳୀ ଯୁକ୍ତ ତଥା ଓଡ଼ିଆ ମାଟିପାଣିପବନମିଶା ପରମ୍ପରାର ସୁଗନ୍ଧ ବହନକାରୀ । ମୋ ପିଲାଦିନର ଅତି ଅନ୍ତରଙ୍ଗ ସାଥୀ ଏଇ କବିତା ଯାହାକୁ ମୁଁ ପ୍ରତି ମୁହୂର୍ତ୍ତରେ ଗୁଣୁଗୁଣୁ ହୋଇ ବୋଲୁଥିଲି ।
                         #ଉଦ୍‌ଵୋଧନ
    ତୁଙ୍ଗ-ଶିଖରୀଚୂଳ    କୁଞ୍ଜକାନନ-ମାଳ
     ପୁଣ୍ୟ ଜଳଧି-ଜଳ   ଖେଳି ଉଠେ ସଘନେ,
    ପ୍ରାଚୀଗଗନ-ଶିରେ   ଭାସି କନକ-ନୀରେ
    ଆସ ତପନ ଉଇଁ   ଏ ଉତ୍କଳ ଭୁଵନେ ।ଘୋଷା ।
    ଆଜି କି ସରଗଛବି   ରାଜେ ରୁଚିର
    କି ନବଜୀଵନେ ଭରା   କୋଟି ଅନ୍ତର
   କିବା ଏ ସମ୍ପଦ ଶିରୀ    ହୃଦେ ହୃଦେ ଆସେ ପୂରି
  କି ପୁଲକ-ଧାରା ଖେଳି   ଆସେ କୋଟି ବଦନେ ।୧।
  ଆହା ଏ ଉତ୍କଳ କିବା  ସରଗଭୂମି
ବିଲ ବନ ଶୈଳ ସିନ୍ଧୁ   ସୁଷମା ଘେନି !
ଜନମି ଏ ଦେଶେ ଆଜି  ଏ ଜନନୀ କୋଳେ ରାଜି
ଧନ୍ୟ କୋଟି ନର ନାରୀ  ମର ନର ଜୀବନେ ।୨। ଲଳିତ ଅଙ୍ଗ ବୀର   ପ୍ରତାପ ଯା'ର
ପୁଣ୍ୟ ତେଜେ ଧରାମୁଖ   କଲେ ଉଜ୍ଜ୍ୱଳ ,
ଶାସିଲେ ଅତୁଲ୍ୟବଳେ   ପାଳିଲେ ସେନେହଭରେ
ଏ ସବୁ , ଓଡ଼ିଆ ଦିନେ   ଦେଖିଛ ସେ ନୟନେ ।୩।
ବିପୁଳ ଓଡ଼ିଆ ସେନା    ବାହୁ ବିଜୟେ
ହିମାଚଳଚୂଡ଼ୁଁ ଦିନେ    କୁମାରିକା ଯାଏ
ହୃଦୟ ଶୋଣିତ ଢାଳି  ଦେଇ ନିଜ ଶିରବଳି
କୀର୍ତ୍ତିଧ୍ୱଜା ଉଡ଼ାଇଲେ   କି ପୁଲକ ପରାଣେ ।୪।
ବାରବାଟୀ ଦୁର୍ଗେ ବୀର   ଓଡ଼ିଆ ସୁତ ,
ଶତ ଶତ୍ରୁସେନା ନାଶି   କିବା ମହତ ?
ଭାଙ୍ଗିଛି ସେ ବାରବାଟୀ  ସେ ଶିରୀ ଯାଇଛି ତୁଟି
(ତେବେ)ରହିଛି ସେ ଯଶ ମିଶି ଜଳେସ୍ଥଳେ ପବନେ।୫।
   କୋଣାର୍କ-ଜୀର୍ଣ୍ଣ-ସଉଧେ   ଉତ୍କଳ-କୀର୍ତ୍ତି,
    ଦିଶେ ଦିଶେ ଆଜି କିବା   ବିକଶେ ଫୁଟି ,
     ନୀଳାଚଳେ ଜଗନ୍ନାଥ  ଯୁଗେ ଯୁଗେ ବିରାଜିତ
    ଉତ୍କଳ ମହିମା-ଘୋଷ  ଏ ଭାରତ ଭୁଵନେ ।୬।
     ବିମଳ-ଚିଲିକା-ବକ୍ଷେ   ଖେଳୁ ସେ ବୀଚି ,
     ଉଠୁ ମହୋଦଧି-ବାରି   ଅମୃତ ସିଞ୍ଚି ,
     ମହେନ୍ଦ୍ର ଶ୍ୟାମଳ ଚୂଳେ  ପୂତ ଚିତ୍ରୋତ୍ପଳା ନୀରେ
     ଢଳୁ ସେ ସମ୍ପଦ ଶିରୀ   ଗ୍ରାମ ବିଲ କାନନେ ।୭।
      ତୋ ଭଳି ଜନନୀ ଥାଉଁ,  ଜନମଭୂମି ,
     କି ଦୁଃଖ ଏ ଓଡ଼ିଆର   ପରାଣେ ପୁଣି ?
   ମୋହନ ମୂରତି ସେହି  ଦିଅ ଗୋ ମା ଆଜି ଫେଇ
    କୋଟିଏ ସନ୍ତାନ ତୋର  ପ୍ରଣମୁଁ ଏ ଚରଣେ ।୮।
                 ଜୟ ଉତ୍କଳ ଜନନୀ ।

“ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ଦିଵସ”

“ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ଦିଵସ” ଉପଲକ୍ଷେ ସମସ୍ତ ଓଡ଼ିଆଙ୍କୁ ଓଡ଼ିଆପ୍ରେମୀଙ୍କୁ ଶୁଭେଚ୍ଛା ଓ ଶୁଭକାମନା 🙏

ଓଡ଼ିଆ ଭାଷା କେଵଳ ଏକ ଭାଷା ନୁହେଁ ଵରଂ ଗୋଟିଏ ସଂଘର୍ଷର ନାମ । ଓଡ଼ିଆ ଭାଷା ତାହାର ଜନ୍ମ ସମୟରୁ ଏଯାଵତ୍ ସଂଘର୍ଷରତ । ଓଡ଼ିଆ ଭାଷା ଲୁପ୍ତ କରି ଦେଵାକୁ ଦେଶୀୟ ଵିଦେଶୀ ସମସ୍ତେ ପ୍ରଯତ୍ନ କରିଛନ୍ତି ଏଵଂ ଆଜି ମଧ୍ୟ କରୁଅଛନ୍ତି ‌ । 

#କଳାତ୍ମକଷଡ଼ଯନ୍ତ୍ର:

ଓଡ଼ିଆ ଦୂରଦର୍ଶନ କେନ୍ଦ୍ର, ପତ୍ରିକା ଓ ସମ୍ବାଦପତ୍ରର ଅଣଓଡ଼ିଆ ସତ୍ତାଧିକାରୀମାନେ ଜାଣିଶୁଣି ଓଡ଼ିଆ ଭାଷାକୁ ଆରବୀ ପାର୍ସୀ ତୁର୍କ ଇଂରାଜୀ ଶବ୍ଦମୟ ଦୂଷିତ କରିଦେଵାର ଷଡ଼ଯନ୍ତ୍ର ଚଳାଇଛନ୍ତି । ସେଥିପାଇଁ ଜାଣିଶୁଣି ଲୋକଙ୍କୁ ହିଙ୍ଗୋଡ଼ିଆ ଭାଷାରେ ସମାଚାର,ଧାରାଵାହିକ ଆଦି ପରିଵେଷଣ କରାଯାଉଛି । 
ଓଡ଼ିଆ ଚଳଚ୍ଚିତ୍ର ଓ ସଂଗୀତ ଜଗତ ଅନେକାଂଶରେ ହିନ୍ଦିଆ,ବଙ୍ଗାଳୀ ଓ ବଙ୍ଗାଳୀ ବଂଶୋଦ୍ଭଵମାନଙ୍କ ହାତକୁ ଚାଲିଗଲାଣି । ଅଣଓଡ଼ିଆ ପ୍ରଯୋଜକ, ନିର୍ଦ୍ଦେଶକ, ଗୀତିକାର ଓ ଅଭିନେତା ଜାଣିଶୁଣି ଚଳଚ୍ଚିତ୍ର ମଧ୍ଯରେ କଳୁଷିତ ଓଡ଼ିଆ ଭାଷାର ପରିଵେଷଣ କରି ଓଡ଼ିଆ ଭାଷାକୁ ଦୂଷିତ କରୁଅଛନ୍ତି । ସେହିପରି କିଛି ଅଣଓଡ଼ିଆ ସଂଗଠନ ଓଡ଼ିଆ ଵିରୋଧୀ ଲୋକଙ୍କୁ ତଥା ଓଡ଼ିଆ ଭାଷା କଳୁଷିତ କରିଥିଵା ସାହିତ୍ୟିକଙ୍କୁ ସମ୍ମାନିତ କରି ଓଡ଼ିଆ ଭାଷା ଦୂଷିତ ରୂପ ଅଗ୍ନିକୁଣ୍ଡରେ ଘୃତ ଅର୍ପଣ ସମ କାର୍ଯ୍ୟ କରୁଛନ୍ତି । 

#ଲିପି_ସମ୍ବନ୍ଧୀୟ_ଷଡ଼ଯନ୍ତ୍ର:

ଓଡ଼ିଆ ଭାଷାର ଲିପିରୁ କେତେକ ଲିପୀମ ଓ ଵର୍ଣ୍ଣ ଉଠାଇ ଦେଵାର ଷଡ଼ଯନ୍ତ୍ର ଵିଗତ ଶତାଧିକ ଵର୍ଷ ଧରି ଚାଲୁଛି ।ଈ,ଊ,ୠ,ଷ,ସ,ୱ,ଵ ଇତ୍ୟାଦି ଵର୍ଣ୍ଣ ମାରି ଦେଵା ତଥା ଯୁକ୍ତାକ୍ଷର ଉଠାଇ ଦେଇ 'ଂ' ଵ୍ୟଵହାର କରିଵାକୁ କିଛି ଲୋକ ପ୍ରଵର୍ତ୍ତାଉଛନ୍ତି । ପ୍ରକୃତରେ ଏମାନେ ଷଡ଼ଯନ୍ତ୍ରକାରୀ ଓ ଷଡ଼ଯନ୍ତ୍ରକାରୀଙ୍କ ଦ୍ଵାରା ମତିଭ୍ରମିତ ହୋଇଥିଵା ଲୋକ ଅଟନ୍ତି । ଅନ୍ୟ ଏକ ଦିଗରେ ଓଡ଼ିଶାର ସୀମାନ୍ତ ଅଞ୍ଚଳର ଲୋକଙ୍କୁ ଓଡ଼ିଆ ଲିପି ଛାଡ଼ି ବଙ୍ଗଳା, ତେଲୁଗୁ ଓ ଦେଵନାଗରୀ ଲିପିରେ ଲେଖିଵାକୁ ପ୍ରଵର୍ତ୍ତାଯାଉଛି । ଏତଦ୍ଵାରା ଓଡ଼ିଆ ଭାଷା ଵିଲୁପ୍ତି ସହଜ ହୋଇଯିଵ ବୋଲି ଆମ ବିହାରୀ,ବଙ୍ଗାଳୀ, ମାରୁଆଡ଼ି,ପଞ୍ଜାବୀ ଓ ତେଲେଙ୍ଗା ପଡ଼ୋଶୀଙ୍କର ବିଲୁଆ ଵିଚାର ! 

#ଶୈଳୀ_ସମ୍ବନ୍ଧୀୟ_ଷଡ଼ଯନ୍ତ୍ର:

ଅଧୁନା ବଙ୍ଗାଳୀ, ତେଲେଙ୍ଗା ଓ ଵିଶେଷକରି ହିନ୍ଦିଆମାନେ ସୀମାନ୍ତ ଅଞ୍ଚଳରେ ପ୍ରଚଳିତ ଓଡ଼ିଆ ଶୈଳୀଗୁଡି଼କୁ ନିଜ ଭାଷାର ଶୈଳୀ ବୋଲି ଦାବି କରୁଥିଵା ଦେଖାଯାଉଛି । ହିନ୍ଦୀଭାଷୀ ଏ ଦିଗରେ ଆଂଶିକ ସଫଳ ବି ହେଲେଣି ଓ କୁଡ଼ମଲୀ,ସାଦ୍ରୀ ତଥା ଲରିଆ ଭାଷାକୁ ନିଜ ହିନ୍ଦୀ ଭାଷାର ଉପଭାଷା  ବୋଲି ପ୍ରମାଣ କରିଵାକୁ ବହୁଵର୍ଷରୁ ଚେଷ୍ଟା ଚଳାଇଛନ୍ତି । ଏ ଦିଗରେ ଏବେ ହିନ୍ଦୀଭାଷୀଙ୍କ ଲୋଲୁପଦୃଷ୍ଟି ଷଡ଼ସୀ,ଭତ୍ରୀ,ହଲବୀ, ସମ୍ବଲପୁରୀ ଓ ଦେଶିଆ ଆଦି କଥିତ ଓଡ଼ିଆ ଶୈଳୀ ଉପରେ ରହିଛି ଏଵଂ ଏହିସବୁ ଭାଷାଶୈଳୀଗୁଡ଼ିକୁ ହାତେଇଵାକୁ ସ୍ଥାନୀୟ ଲୋକଙ୍କ ମନରେ ଓଡ଼ିଆ ଭାଷା ଵିରୋଧୀ ଵିଚାର ପୁରେଇ ସେମାନଙ୍କୁ ଓଡ଼ିଆ ଵିଦ୍ଵେଷୀ କରାଯାଉଛି । 

#ଭାଷା_ଵିଭାଜନ_ଷଡ଼ଯନ୍ତ୍ର

ଓଡ଼ିଆ ଭାଷାର ସମସ୍ତ ଶୈଳୀଗୁଡି଼କୁ ଓଡ଼ିଆ ଭାଷାଠାରୁ ଭିନ୍ନ ବୋଲି ହିନ୍ଦୀ, ବଙ୍ଗଳା ଓ ତେଲେଙ୍ଗା ଏଵଂ ସେମାନଙ୍କ ବଂଶୋଦ୍ଭଵମାନଙ୍କ ଦ୍ଵାରା ଦୀର୍ଘ ଦିନ ଧରି ପ୍ରଚାର ପ୍ରସାର ଯୋଗୁଁ ଵର୍ତ୍ତମାନ ଓଡ଼ିଶାର ସୀମାଞ୍ଚଳର ଲୋକେ ନିଜ ଭାଷାକୁ ଓଡ଼ିଆ ତଥା ନିଜକୁ ଓଡ଼ିଆ ଜାତିର ଦାୟାଦ ବୋଲି ପରିଚୟ ଦେଵାକୁ ପଶ୍ଚାତପଦ ହେଉଛନ୍ତି ଘୃଣା କରୁଛନ୍ତି । ଆମ ପଡ଼ୋଶୀ ଵିଶେଷତଃ  ହାଣ୍ଡିଆମାନଙ୍କ ଵିଚାରରେ ଓଡ଼ିଆ ଭାଷାର ଗୋଟିଏ ଗୋଟିଏ ଶୈଳୀକୁ ଭିନ୍ନ କହି ପ୍ରଚାର ପ୍ରସାର କଲେ ଏ ଭାଷାର ପ୍ରଚଳନ ଭୂକ୍ଷେତ୍ର ସୀମା ଧିରେ ଧିରେ ଛୋଟ ହୋଇ ହୋଇ ଯିଵ ଫଳତଃ ଓଡ଼ିଶାରେ ଓଡ଼ିଆ ଭାଷା ଲୁପ୍ତ ହୋଇଗଲେ ହିନ୍ଦୀ ଭାଷାର ପ୍ରଚଳନ ସହଜ ହୋଇଯିଵ । ପରେ କଥିତ ଓଡ଼ିଆ ଶୈଳୀଗୁଡି଼କୁ ହିନ୍ଦୀର ଉପଭାଷା କହିଲେ ବି କେହି ଵିରୋଧ କରିଵାକୁ ନଥିବେ । 

#ଵୈଷୟିକ_ଷଡ଼ଯନ୍ତ୍ର

ଵିଗତ ଅନେକ ଵର୍ଷ ଧରି ଜାଣିଶୁଣି ଓଡ଼ିଆ ଭାଷାକୁ  ଅନ୍ତର୍ଜାଲର ଅନେକ ଜାଲସ୍ଥଳରେ ସ୍ଥାନ ଦିଆଯାଉନାହିଁ । ଅଧିକାଂଶ ଜାଲସ୍ଥଳରେ ଅଣଓଡ଼ିଆ ଵିଶେଷ କରି ବଙ୍ଗାଳୀ ଓ ହିନ୍ଦିଆ କାର୍ଯ୍ୟ କରୁଥିଵାରୁ ଏଵଂ ସେମାନେ ଓଡ଼ିଆ ଭାଷାକୁ ଘୃଣା କରୁଥିଵାରୁ ଏସବୁ ଜାଲସ୍ଥଳରେ ଓଡ଼ିଆ ଭାଷାକୁ ସ୍ଥାନ ଦେଵାକୁ କୁଣ୍ଠିତ ହୋଇଥାନ୍ତି । ପୁଣି ଯଦିଵା ଓଡ଼ିଆ ଭାଷାରେ କୌଣସି ଅଣଓଡ଼ିଆ ସଂସ୍ଥା,ସଂଗଠନ କିଛି ଲେଖା ପ୍ରକାଶିତ କରୁଛନ୍ତି ତାହା ଭୁଲ୍ ବନାନ ଯୁକ୍ତ ହୋଇଥାଉଛି । ଫଳତଃ ଏଭଳି କାର୍ଯ୍ୟ ଦ୍ଵାରା ଓଡ଼ିଆ ଭାଷାଭାଷୀଙ୍କୁ ତାଙ୍କ ଭାଷାରେ ବନାନ ତ୍ରୁଟି କରିଵାକୁ ପରୋକ୍ଷରେ ପ୍ରଵର୍ତ୍ତାଯାଉଛି । 
କେତେକ ସମ୍ବାଦପତ୍ର, ଦୂରଦର୍ଶନ ସଂସ୍ଥାରେ ବନାନ ତ୍ରୁଟି ପ୍ରତି ଆଦୌ ଧ୍ୟାନ ଦିଆଯାଉନାହିଁ ଏପରିକି ଷଡ଼ଯନ୍ତ୍ର କରି ଓଡ଼ିଆ ଅକ୍ଷର,କାର ଓ ଫଳା ଆଦି ଭିନ୍ନ ଭିନ୍ନ ରୂପରେ ପ୍ରଚଳିତ କରାଇଵାକୁ ଚେଷ୍ଟା କରାଯାଉଛି । ଏତଦ୍ଵାରା ଓଡ଼ିଆ ଲୋକେ ଦ୍ଵନ୍ଦ୍ଵରେ ପଡ଼ି ଓଡ଼ିଆ ଲିପି ଛାଡ଼ି ଦେବେ ବୋଲି ଷଡ଼ଯନ୍ତ୍ରକାରୀମାନେ ଵିଚାର କରିଅଛନ୍ତି । 

#ଜାତିକୁଦରିଦ୍ରକରଭାଷାଆପେମରିଯିଵ 

ଏହା ହେଉଛି ଓଡ଼ିଶା, ଓଡ଼ିଆ ଜାତି ତଥା ଓଡ଼ିଆ ଭାଷା ପ୍ରତି କରାଯାଉଥିଵା ସବୁଠାରୁ ବଡ଼ ଷଡ଼ଯନ୍ତ୍ର । ଏ ଷଡ଼ଯନ୍ତ୍ର ଫଳରେ ଦୀର୍ଘ ୪୦୦ ଵର୍ଷ ଧରି ଭାରତରେ ଓଡ଼ିଆ ଜାତି ଶୋଷିତ, ନିଷ୍ପେସିତ ହୋଇ ଆସିଛି । ଅଣଓଡ଼ିଆଙ୍କ ପ୍ରତ୍ୟକ୍ଷ ଓ ପରୋକ୍ଷ ଶୋଷଣ ଯୋଗୁଁ ଓଡ଼ିଆ ଜାତି ଆଜି ଦରିଦ୍ର ହୋଇଛି ଫଳତଃ ଏ ଜାତିର ଲୋକେ ସ୍ଵାଭିମାନହୀନ ହୋଇଗଲେଣି ଏଵଂ ସେମାନଙ୍କର ଶାସ୍ତ୍ରୀୟ ଓଡ଼ିଆ ଭାଷା ଵିଲୁପ୍ତି ପଥରେ ଅଗ୍ରସର ହେଲାଣି । 

#ଓଡ଼ିଶାରେଆନଭାଷାରପ୍ରଚାରପ୍ରସାରଷଡ଼ଯନ୍ତ୍ର

ବହୁତ ଦିନରୁ ଓଡ଼ିଶାରେ ଏହାର ୩୦୦୦ରୁ ୫୦୦୦ ଵର୍ଷ ପୁରାତନ  ରାଷ୍ଟ୍ରଭାଷା ଓଡ଼ିଆ ଭାଷାକୁ ମହତ୍ତ୍ଵ ନଦିଆଯାଇ ଵୈଦେଶିକ ହିନ୍ଦୀ ଓ ଇଂରାଜୀ ଭାଷାର ଅଧିକ  ପ୍ରଚାର ପ୍ରସାର କରାଯାଉଛି । ଏହାର ଫଳସ୍ଵରୂପ ଆଜି ନଗରାଞ୍ଚଳର ଯୁଵପିଢୀ଼ ଓଡ଼ିଆ ଭାଷାରେ କଥା ନହୋଇ ଇଂରାଜୀ ଚୋଵାଉଛନ୍ତି ଓ ହିନ୍ଦୀ ବାନ୍ତି କରୁଛନ୍ତି । ଓଡ଼ିଆଙ୍କ ଦେଶରେ ଓଡ଼ିଆ ଭାଷାକୁ ସ୍ଥାନ ନମିଳୁଥିଲାବେଳେ ପୁରୀ ବଡ଼ଦାଣ୍ଡରେ ହିନ୍ଦୀ ବଙ୍ଗାଳୀଙ୍କ ଭାଷାରେ ନାମଫଳକ ଲାଗିଥିଵାର ଅନେକ ଉଦାହରଣ ରହିଛି । ବାଟଘାଟରେ ଅଯଥା ଦେଵନାଗରୀ ଲିପିରେ ଓଡ଼ିଶାର ସ୍ଥାନଗୁଡି଼କର ନାମ ଲେଖା ରହୁଛି ଫଳତଃ ପରୋକ୍ଷରେ ଓଡ଼ିଆ ଲୋକେ ଓଡ଼ିଆ ଲିପି ଛାଡ଼ି ଦେଵନାଗରୀରେ ଲେଖନ୍ତୁ ବୋଲି ଦିଲ୍ଲୀ ପକ୍ଷରୁ ଷଡ଼ଯନ୍ତ୍ର ହେଉଛି । 

#ଓଡ଼ିଶାମାଟିଚୋରିକରଭାଷାବିମରିଯିଵ

ଭାରତରେ ରହିଵା ଯୋଗୁଁ ଓଡ଼ିଶାର ଅଧା ଭୂଭାଗ ଶ୍ରୀକାକୁଲମ,ଵସ୍ତର,ମହାସମୁନ୍ଦ୍,ଯଶପୁର, ଷଡ଼ୈକଳା,ସିଂହଭୂମି,ଧଳଭୂମି ,ଖରସୁଆଁ ଓ ମେଦିନୀପୁର ଆଦି ଅଞ୍ଚଳ ଏବେ ଅଣଓଡ଼ିଆଙ୍କ ଅଧୀନସ୍ଥ ହୋଇସାରିଛି ଏଵଂ ସେସବୁ ଅଞ୍ଚଳର ଓଡ଼ିଆ ଏବେ ନିଜକୁ ପ୍ରାୟତଃ ଅଣଓଡ଼ିଆ ଅଭିହିତ କରୁଛନ୍ତି ତଥା ଓଡ଼ିଆ ଭାଷା ଛାଡ଼ି ସାରିଛନ୍ତି । ଏହି ଯୋଜନାରେ ସଫଳ ହେଵା ଦେଖି ଆମ ପଡ଼ୋଶୀମାନେ ବଞ୍ଚିଯାଇଥିଵା ଓଡ଼ିଶାର ସୀମାନ୍ତ ଅଞ୍ଚଳ ଯଥା ମୟୂରଭଞ୍ଜ, ସମ୍ବଲପୁର, କେନ୍ଦୁଝର, ଗଞ୍ଜାମ,ଗଜପତି, ରାୟଗଡ଼ା, କୋରାପୁଟ ଆଦି ଜିଲ୍ଲାରୁ ଭୂଭାଗ ନେଇଯିଵାକୁ ପୁରାପୁରି ଷଡ଼ଯନ୍ତ୍ର ଚଳାଇଛନ୍ତି । ଏପଟେ ଓଡ଼ିଆ ଭାଷାଭାଷୀ ଅଞ୍ଚଳ ଯଥା କୋରାପୁଟ, ଘୁମୁସର, ସମ୍ବଲପୁର ତଥା ମୟୂରଭଞ୍ଜ ଆଦି ଅଞ୍ଚଳର ଓଡ଼ିଶାରୁ ଵିଭାଜନ ଦ୍ଵାରା ଏସବୁ ଅଞ୍ଚଳରୁ ଓଡ଼ିଆ ଭାଷା ଓ ଏହାର ଶୈଳୀ ଵିଲୁପ୍ତ କରି ନିଜର ବଙ୍ଗାଳୀ,ତେଲୁଗୁ ଓ ହିନ୍ଦୀ ଭାଷାକୁ ପ୍ରଚଳିତ କରାଇଵା ପାଇଁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ଚେଷ୍ଟା ଚଳାଇଛନ୍ତି । 

ସବୁଠାରୁ ବଡ଼ ଦୁଃଖର ଵିଷୟ ହେଉଛି ଆମରି କିଛି ଓଡ଼ିଆ ଭାଇମାନେ ହିଁ ଆମ ପଡ଼ୋଶୀ ଷଡ଼ଯନ୍ତ୍ରକାରୀମାନଙ୍କର ଅନ୍ଧପ୍ରେମରେ ବାଇ ହୋଇ ସେମାନଙ୍କର ହାତବାରିସୀ ସାଜିଛନ୍ତି । 

ତେବେ ଏହିସବୁ ଷଡ଼ଯନ୍ତ୍ରରୁ ରକ୍ଷା ପାଇଵାର ଏକମାତ୍ର ପନ୍ଥା ସ୍ଵତନ୍ତ୍ର #କଳିଙ୍ଗଦେଶ ଗଠନ । ମନେ ରଖନ୍ତୁ ଆମେ କଳିଙ୍ଗୀମାନେ ଯେବେ ଯେବେ ସ୍ଵାଧୀନ ଥିଲେ ଆମ ଦେଶ ସମୃଦ୍ଧ ଥିଲା । ଆଉ ଆମ ଦେଶ ଯେବେ ଯେବେ ଉତ୍ତରଭାରତୀୟଙ୍କ ଦ୍ଵାରା ଶାସିତ ହୋଇଛି ,ଲୁଣ୍ଠନର ଶିକାର ହୋଇଛି । 

“ଏବେ ବି ସମୟ ଅଛି...
 ଉଠ ଜାଗ ହେ କଙ୍କାଳ ମାନେ... ନୋହିଲେ ନିଜର ଯେଉଁ ପରିଚୟ ଟିକିକ ଅଛି ତାକୁ ବି  ହରାଇ ଵିଲୁପ୍ତ ହୋଇଯିଵ ତୁମ୍ଭେମାନେ...”

Friday, March 10, 2023

● ଅଜୋକ୍ ଓ ଇନ୍ଦ ●

ଆଫ୍ରିକାର ଦକ୍ଷିଣ ସୁଡାନ ଦେଶରେ(ପୂର୍ଵ ଇକ୍ବାଟୋରିଆ ରାଜ୍ୟ ) ଓଟୁହୋ (Otuho) ବୋଲି ଏକ ଜନଜାତି ଵାସ କରନ୍ତି ଏଵଂ  ଏମାନେ "ନିଲୋଟିକ୍ ଭାଷାଗୋଷ୍ଠୀ"ର  ଓଟୁହୋ ଭାଷା ବୋଲିଥାନ୍ତି  । ଏମାନଙ୍କ ପୁରାଣଗାଥାକୁ ଲୁଟୋକୁ ପୁରାଣଗାଥା କୁହାଯାଏ । 
ଅଜୋକ(ଅନ୍ୟନାମ : ଅଦ୍ୟୋକ୍ , ନାଇଜୋକ୍) ଏମାନଙ୍କର ମୁଖ୍ୟ ଦେଵତା । ଓଟୁହୋ ଲୋକେ ଵିଶ୍ଵାସ କରନ୍ତି ଯେ ସର୍ଵଶକ୍ତିମାନ 'ଅଜୋକ୍'  ନିଜର ପ୍ରତିରୂପ ଭାବେ ମନୁଷ୍ୟମାନଙ୍କୁ ସୃଷ୍ଟି କରିଥିଲେ । 

ଲୋଟୁକୋ ପୌରାଣିକ କଥା ଅନୁଯାୟୀ 'ଆଜୋକ୍' ମାନବ ଜାତି ପାଇଁ ଏକ ପରୋପକାରୀ ଦେଵତା ଭାବରେ ଜଣାଶୁଣା କିନ୍ତୁ ସେପର୍ଯ୍ୟନ୍ତ ଯେପର୍ଯ୍ୟନ୍ତ ମନୁଷ୍ୟମାନେ  ପ୍ରାର୍ଥନା ଏଵଂ ଵଳିଦାନ ମାଧ୍ୟମରେ ତାଙ୍କର ପୂଜା କରୁଥାନ୍ତି। ନିଜର ପୂଜା ବନ୍ଦ ହେଲେ 'ଅଜୋକ୍' ଅସହିଷ୍ଣୁ ହୋଇଯାଆନ୍ତି ଏଵଂ ନାନା ଵିଘ୍ନ ସୃଷ୍ଟି କରନ୍ତି ବୋଲି 'Otuho' ଜନଜାତିର ଲୋକେ ଵିଶ୍ଵାସ କରୁଥିଲେ । 

ଆମ ଭାରତୀୟ ପୁରାଣଗାଥାଗୁଡ଼ିକରେ ମଧ୍ୟ 'ଦେଵରାଜ ଇନ୍ଦ୍ର' ଯଜ୍ଞ ନହେଲେ ରୁଷ୍ଟ ହେଵା ଏଵଂ ଓଡ଼ିଶାର ଜନଜାତୀୟ ଲୋକଙ୍କ ମଧ୍ୟରେ 'ଦର୍ଣ୍ଣି ପେନୁ'ଙ୍କୁ ଵଳି ନଦେଲେ ସେ ରାଗି ମରୁଡ଼ି କରିଵା ଆଦି ଲୋକଵିଶ୍ଵାସ ପ୍ରଚଳିତ ଥିଲା । 

ମୃତ୍ୟୁ କିପରି ଜୀବଜନ୍ତୁଙ୍କ ପାଇଁ ଏକ ସ୍ଥାୟୀ ଅଵସ୍ଥା ପାଲଟିଗଲା ତାହା ଲୋଟୁକୋ ପୁରାଣଗାଥାର ଏକ କାହାଣୀରେ ଉଲ୍ଲେଖ କରାଯାଇଛି । 

କୁହାଯାଏ ଯେ ସୃଷ୍ଟିର ପ୍ରଥମ ସ୍ତ୍ରୀ ଓ ପୁରୁଷଠାରୁ ଜନ୍ମିତ ପ୍ରଥମ ଶିଶୁର କୌଣସି କାରଣରୁ ମୃତ୍ୟୁ ଘଟିଥିଲା ଏଵଂ ଜଗତର ପ୍ରଥମ ସ୍ତ୍ରୀ ଜଣକ ନିଜ ଶିଶୁଟିକୁ ପୁର୍ନଜୀଵିତ କରିଵା ପାଇଁ ଅଜୋକ୍‌ଙ୍କ ସାହାଯ୍ୟ ଲୋଡ଼ିଥିଲା ।  ଆଜୋକ ସେ ଶିଶୁକୁ ବଞ୍ଚାଇ ଦେଲେ,କିନ୍ତୁ ସେ ସ୍ତ୍ରୀଲୋକର ସ୍ୱାମୀ ଅର୍ଥାତ୍ ଜଗତର ପ୍ରଥମ ପୁରୁଷକୁ ମହିଳା ଜଣକ ଏ ଵିଷୟରେ କିଛି ନପଚାରି ଅଜୋକ୍‌ଙ୍କୁ ସାହାଯ୍ୟ ମାଗିଥିଲେ । 

ଯେତେବେଳେ ପୁରୁଷଜଣକ ଏକଥା ଜାଣିଲା ସେ ଏଥିରେ ଭୀଷଣ  ରାଗିଗଲା । ଜଗତର ପ୍ରଥମ ପୁରୁଷଟି ବୋଧହୁଏ ଵିଚାର କରିଥିଵ ମୁଁ ବି ଅମର,ମୋର ମୃତ୍ୟୁ ହେଵାର ନାହିଁ ! ମୁଁ କ'ଣ ମଲା ପିଲାଟାକୁ ଜିଆଁଇ ଦେଇ ପାରିନଥାନ୍ତି ଯେ ଏ ଅଭାଗିନୀ ପରପୁରୁଷ ପାଖକୁ ସାହାଯ୍ୟ ମାଗିଵାକୁ ଗଲା !!! 

କ୍ରୋଧ ମଣିଷକୁ ଅନ୍ଧ କରିଦିଏ । ଥରେ ମନୁଷ୍ୟ କ୍ରୋଧର ଵଶଵର୍ତ୍ତୀ ହେଲେ ତାକୁ ନୀତି ଅନୀତି କିଛି ଦିଶେ ନାହିଁ ‌ । ତେଣୁ ଲୋକଟି କ୍ରୋଧାନ୍ଧ ହୋଇ ନିଜ ପତ୍ନୀଠାରୁ  ପ୍ରତିଶୋଧ ନେଵାକୁ ପର୍ନଜୀଵିତ ଶିଶୁଟିକୁ ହତ୍ୟା କରିଦେଲା(ପୁରାଣର ଅନ୍ୟ ଏକ ସଂସ୍କରଣରେ ପୁରୁଷଜଣକ ନିଜ ପତ୍ନୀକୁ ମଧ୍ୟ ସେ ହତ୍ୟା କରିଥିଲା ବୋଲି  କଥିତ ହୋଇଥାଏ)।

ଅଜୋକ୍‌ଙ୍କ ସମ୍ମୁଖରେ ଏସବୁ ଅଭାଵନୀୟ ଘଟଣା ଘଟିତ ହୋଇଗଲା ଏଵଂ ସେ ଅଵାକ୍ ହୋଇ ଏ ଘଟଣା ଦେଖୁଥାଆନ୍ତି । ଆଜୋକ୍  ପ୍ରଥମେ ମନୁଷ୍ୟମାନଙ୍କୁ ଅମର କରିଵା ପାଇଁ ଯୋଜନା କରିଥିଲେ, କିନ୍ତୁ ଯାହା ଘଟିଗଲା ତାହା ଦେଖିଵା ପରେ ସେ ପୃଥିଵୀକୁ ସଦାସର୍ଵଦା ପାଇଁ  ତ୍ୟାଗକରିଵା ସହ ଘୋଷଣା କଲେ ଯେ ଆଜିଠାରୁ  ମନୁଷ୍ୟାଦି ସବୁ ଜୀଵଙ୍କର ଜନ୍ମ ହୋଇଥିଲେ ମୃତ୍ୟୁ ମଧ୍ୟ ନିଶ୍ଚୟ ହେଵ । ବୋଧହୁଏ ପିତା ହାତରେ ସନ୍ତାନର ହତ୍ୟା ଦେଖି ଅଜୋକ୍ ବୁଝିଯାଇଥିଲେ ଯେ ଏ ଦୁଇଗୋଡ଼ିଆ ମନୁଷ୍ୟମାନଙ୍କୁ ଅମରତ୍ଵ ଦେଵା ଉଚିତ୍ ନୁହେଁ । ତେଣୁ ସେ ସେହିଦିନଠାରୁ ପୃଥିଵୀରୁ ଦୂରେଇଯାଇ ଆକାଶରେ ଅଵସ୍ଥାନ କଲେ । ଅଜୋକଙ୍କୁ ଓଟୋହୁ ଲୋକେ ଵର୍ଷାର ଅଧିଷ୍ଠାତା ଦେଵତା ରୂପେ କଳ୍ପନା କରିଛନ୍ତି । ଆମ ଭାରତଵର୍ଷର ଦେଵରାଜ ଇନ୍ଦ୍ରଙ୍କୁ ସେହିପରି ଵର୍ଷାର ଅଧିଷ୍ଠାତା ଦେଵତା ରୂପେ କଳ୍ପନା କରାଯାଇଛି ‌। 

ତେବେ ଆଫ୍ରିକୀୟ ଲୋକମାନଙ୍କ ପୁରାଣଗାଥା ଅପେକ୍ଷା ଭାରତୀୟ ଲୋକଙ୍କର ପୁରାଣଗାଥା ଅଧିକ ସମୃଦ୍ଧ। ତେଣୁ ଵିଭିନ୍ନ ଗାଥାରେ ଇନ୍ଦ୍ରଙ୍କୁ 
 ଆକାଶ,ଵିଜୁଳି,ଜଳଵାୟୁ,ତୋଫାନ, ନଦୀର ଜଳପ୍ରଵାହ,ଵର୍ଷା ଓ ଯୁଦ୍ଧ ଆଦିର ଅଧିଷ୍ଠାତା ଦେଵ ଭାଵେ ଚିତ୍ରଣ କରାଯାଇଛି । ଭାରୋପୀୟ ଦେଵତା ସମୂହଙ୍କ ମଧ୍ୟରେ ଜୁପିଟର,ପେରୁନ୍,ପେରୁକୂନସ୍,ଜାଲମୋକ୍ସିସ୍,ତାରାନିସ୍,ଜିୟସ୍ ଓ ଥୋର୍‌ଙ୍କ ଶକ୍ତି , ସାମର୍ଥ୍ୟ ଓ ଗାଥା ସହିତ ଇନ୍ଦ୍ରଙ୍କର ଶକ୍ତିସାମର୍ଥ୍ୟ ଓ କଥାର କେତେକ ସମାନତା ଦେଖିଵାକୁ ମିଳିଥାଏ । 

“ଇନ୍ଦତୋତି । ଇଦି ପରମୈଶ୍ଵର୍ଯ୍ଯେ ତସ୍ମାତ୍ ରନ୍- ପ୍ରତ୍ଯୟଃ”

ଯେ ସ୍ଵର୍ଗରେ ଆଧିପତ୍ୟ ଵିସ୍ତାର କରିଛନ୍ତି ଓ ପରମ ଐଶ୍ଵର୍ଯ୍ୟଶାଳୀ ସେ ଇନ୍ଦ୍ର ଅଟନ୍ତି । ସେ ଅଦିତି କଶ୍ୟପଙ୍କର ପୁତ୍ର,ଶଚୀଦେଵୀଙ୍କ ପତି,ଜୟନ୍ତ,ଋଷଭ ଓ ମୀଢ୍ଵାଂଶ୍ଚଙ୍କର ପିତା ଅଟନ୍ତି ।‌ ଇନ୍ଦ୍ରଙ୍କ ଅସ୍ତ୍ର ଵଜ୍ର,ଵାହନ ଐରାଵତ,ପୁରୀ ଅମରଵାତୀ ଓ ଵନର ନାମ ନନ୍ଦନ ଵା ନନ୍ଦନକାନନ ଅଟେ । 

ଇନ୍ଦ୍ରଙ୍କର ପଚାଶରୁ ଅଧିକ ନାମ ଅଛି । ମରୁତ୍ଵାନ୍ ,ମଘଵା ,ଵିଡୋଜା,ପାକଶାସନ,ଵୃଦ୍ଧଶ୍ରଵା,ସୁନାସୀର,ପୁରୁହୂତ,ପୁରନ୍ଦର,ଜିଷ୍ଣୁ ,ଲେଖର୍ଷମ,ଶକ୍ର,ଶତମନ୍ଯୁ,ଦିଵସ୍ପତି,ସୁତ୍ରାମା,ଗୋତ୍ରଭିତ୍,ଵଜ୍ରୀ,ଵାସଵ,ଵୃତ୍ରହା,ଵୃଷା,ଵାସ୍ତୋସ୍ପତି,ସୁରପତି,ବଳାରାତି,ଶଚୀପତି,ଜମ୍ଭଭେଦୀ, ହରିହୟ,ସ୍ଵାରାଟ୍, ନମୁଚିସୂଦନ,ସଂକ୍ରନ୍ଦନ,ଦୁଶ୍ଚ୍ଯଵନ, ତୁରାଷାଟ୍,ମେଘଵାହନ,ଆଖଣ୍ଡଳ,ସହସ୍ରାକ୍ଷ,ଋଭୁକ୍ଷା,ମହେନ୍ଦ୍ର,କୌଶିକ,ପୂତକ୍ରତୁ, ଵିଶ୍ଵମ୍ଭର,ପୁରଦଂଶା,ଶତଧୃତି,ପୃତନାଷାଡ୍,ଅହିଦ୍ଵିଷ,ଵଜ୍ରପାଣି,ଦେଵରାଜ,ପର୍ଵ୍ଵତାରି,ପର୍ଯ୍ଯଣ୍ଯ,ଦେଵତାଧିପ,ନାକନାଥ,ପୂର୍ବ୍ବଦିକ୍ପତି,ପୁଲୋମାରି,ଅର୍ହ,ପ୍ରାଚୀନଵର୍ହି ଓ ତପସ୍ତକ୍ଷ ଆଦି ଇନ୍ଦ୍ରଙ୍କର ଅନେକ ନାମ ଭାରତୀୟ ପୁରାଣଶାସ୍ତ୍ରରେ ପଢି଼ଵାକୁ ମିଳିଥାଏ । 

ଗୋଟିଏ ପଟେ ପୃଥିଵୀର ଅନ୍ୟାନ୍ୟ ସଭ୍ୟତାର ପୁରାଣଗାଥାରେ କଥିତ ଦେଵତାମାନଙ୍କର ରାଜାଙ୍କର ଗୋଟିଏ ଦୁଇଗୋଟି ନାମ ଥିଲାବେଳେ ଇନ୍ଦ୍ରଙ୍କର ପଚାଶରୁ ଅଧିକ ନାମ କ'ଣ ସୂଚାଇ ଥାଏ ?

ଭାରତୀୟ ସଭ୍ୟତା ଅତି ପୁରାତନ , ଭାରତୀୟମାନଙ୍କ ପୁରାଣଗାଥା ଅନ୍ୟ ଦେଶର ଗାଥା-କଥା ଅପେକ୍ଷା ସମୃଦ୍ଧ, ସଂସ୍କୃତ ପୁରାଣ ସାହିତ୍ୟାଦି କ୍ଷେତ୍ରରେ ଭାରତ ଅନ୍ୟ ଦେଶଠାରୁ ସର୍ଵାଗ୍ରେ ସର୍ଵଶ୍ରେଷ୍ଠ ଥିଲା । ପୁଣି ୟୁରୋପ ତଥା ଆଫ୍ରିକାରେ ରହୁଥିଵା ଲୋକଙ୍କ ମୂଳ ଧର୍ମ ସେଠାକୁ ଯାଇ ପ୍ରଚଳିତ ଖିରସ୍ତାନୀ ଓ ମୁସଲିମ ଧର୍ମ ଯୋଗୁଁ ଉଧେଇ ପାରିନଥିଲାବେଳେ ୨୦୦୦ ଵର୍ଷରୁ ଅଧିକ ସମୟକାଳ ଧରି ଵୈଦେଶିକ ଆକ୍ରମଣ ସହି ମଧୂ ଭାରତରେ ପୌରାଣିକ କଥା ଗାଥା ଉପାଖ୍ୟାନର ଉତ୍ତରୋତ୍ତର ଉନ୍ନତି ସାଧିତ ହୋଇଥିଲା । ପ୍ରକୃତରେ ଆମ ଦେଶର “ସମସ୍ତ ଭାଷା, ସଂସ୍କୃତି, ସାହିତ୍ୟ, ଖାଦ୍ୟ,ଵସ୍ତ୍ର,ଜୀଵନଶୈଳୀ,ଚଳଣି, ପରମ୍ପରା, ନୃତ୍ୟ ଓ ସଂଗୀତ” ଆଦି ଏତେ ସମୃଦ୍ଧ ଵୈଜ୍ଞାନିକ ଓ ଶ୍ରେଷ୍ଠ ଯେ ଵିଦେଶୀମାନେ ଶହ ଶହ ଵର୍ଷ ଧରି ଭାରତୀୟଙ୍କୁ ପରାଧୀନ କରି ରଖିଥିଲେ ବି ସେମାନଙ୍କର ସମ୍ପୂର୍ଣ୍ଣ ଧର୍ମାନ୍ତରୀକରଣ କରିପାରିନଥିଲେ।

@ଶିଶିର ସାହୁ ମନୋଜ 

ଦେଶ ନାସ୍ତି ମହୀତଳେ

ଦେଶ ନାସ୍ତି ମହୀତଳେ ତୁଙ୍ଗ-ଶିଖରୀ, କୁଞ୍ଜ-କାନନ, ପୁଣ୍ୟ-ଜଳଧି ର ତ୍ରିବେଣୀ ସଂଗମ ଆମ ଉତ୍କଳ l ପୂତ ପୟୋନିଧି ର ପବିତ୍ର ଜଳ ସ୍ପର୍ସ ରେ ପ୍ରତିଧୂଳି କଣା...