( ସମର୍ପଣ ପରିବାର ଦ୍ବାରା ପ୍ରସ୍ତୁତ : - ୨ )
ମାଆ
~~~୦~~~
ମା'ହୃଦେ ଭରା ଅମୃତର ଧାରା,
ମୁଖେସଦା ମିଷ୍ଟଭାଷା
ସ୍ନେହ,ପ୍ରେମ,ଶ୍ରଦ୍ଧା ଏକଡୋରେ ବନ୍ଧା
ମାନସିକ ତେରଓଷା
ମା' ଅଟେ ମାଟି ମା'ପୁଣି ସୃଷ୍ଟି
ଏହା ନିଚ୍ଛକ ସତ୍ୟ
ମା'ଛଡ଼ା ଏହି ଚରାଚର ବିଶ୍ବେ
କେ ବୁଝିବ ଅନ୍ତର କ୍ଷତ !!
ମାଆ ଆଦ୍ୟ ଗୁରୁ ମାଆ ହିଁ ବେଦ
ସଂସ୍କାର ସାଧନ ପାଇଁ
ମାଆର କୋଳଟି ସଦା ତ' ଜାଗ୍ରତ
ଘାତ ପ୍ରତିଘାତ ନେଇ
ମାଆ ପାଇଁ ପୁଅ ଅନ୍ଧର ଲଉଡି
ଜୀବନର ଗଣ୍ଠିଧନ
ଧନ-ରତ୍ନ ସବୁ ତୁଛ ହୋଇଯାଏ
ପାଖେ ଥିଲେ ତା'ସନ୍ତାନ
ବିଶ୍ୱ ନିୟନ୍ତାଙ୍କ ଅପୂର୍ବ ଏ'ଦାନ
ମା' ସର୍ବ ସୁଖ ଦାୟକ
ମାଆକୁ ନଭୁଲ ବିପଦ କାଳରେ
ମାଆ ତୋ' ପରିଚାୟକ .....
✍ ସନ୍ତୋଷ ପଟ୍ଟନାୟକ
ମାଆ ମମତାର ସେନେହ ପାଉଣା
କିଏସେ ପାରିବ କହି ?
ଗଛର ଛାଇକୁ କାହିଁରେ ମାପିବ
ତ୍ୟାଗତା ତୁଳନା ନାହିଁ
ମାଆ ଶବ୍ଦ ଭାଇ ମମତା ବୋଳାରେ
ସରଗଠୁ ଲାଗେ ବଡ଼
ତା' ସ୍ନେହ ପଣତ ଭରଷାର ଛାତ
ବାଟ ହୁଡିଯାଏ ଝଡ଼ .....
✍ ଦାଶରଥି ସାହୁ
ମାଆ ଠାରୁ ବଡ ଏଇ ସଂସାରରେ
କେହିବି ନାହାନ୍ତି ଭାଇ
ମମତାରେ ଭରା ବିଶାଳ ହୃଦୟ
ହାତରେ ଦିଏ ଖୁଆଇ
ଭୁଲି ଯିବା ପଛେ ଏଇ ଦୁନିଆକୁ
ଭୁଲିବାନି କେବେ ମା' କୁ
ମାଆ ହାତ ଧରି ବାଟ ଚାଲୁଥିଲେ
ଭୟ ଯେ ନାହିଁ କାହାକୁ
✍ ଜଗବନ୍ଧୁ ସାହୁ
ସ୍ନେହ,ପ୍ରେମ,ତ୍ଯାଗ ସବୁଠି ତୁ' ଆଗ
ସବୁର ତୁ ମା" ସମଷ୍ଟି
ଧନ୍ଯ ମୋ ଜୀବନ ମଣେ ଭାଗ୍ଯବାନ
ତୋ କୋଳେ ହେଇ ମୁଁ ସୃଷ୍ଟି
ତୁହି ମୋର ଗୁରୁ ତୁହି ମୋର ଦେବୀ
ତୋ' ସେବାରେ ଏଜୀବନ
ତୋ ପାଦର ଧୂଳି ମୋ ମଥାରେ ବୋଳି
କରିବି ମଥା ଚନ୍ଦନ...
✍ ରବିନ୍ଦ୍ର ସାହୁ
ତୋ' ସ୍ନେହେ ଭରା ଅସୀମ
ଅମୃତର ସିନ୍ଧୁ
ତୋ' ପଣତୁ ଝରେ କୋଟି
ମମତାର ବିନ୍ଦୁ
ତୋ' କୋଳେ ଜନମୀ ମାଆ
ଜୀବନ ମୋ ଧନ୍ୟ
ପ୍ରତି ଜନ୍ମେ ହୁଅନ୍ତି କି
ମୁଁ' ତୋର ସନ୍ତାନ .....
✍ ଅଙ୍କିତା ପ୍ରିୟା
ମାଆର ତୁଳନା ନସରେ ବର୍ଣ୍ଣନା
ମାଆ ମମତା ଭଣ୍ଡାର
ଗଙ୍ଗାଜଳ ସମ ମାଆ ହୃଦ ପ୍ରେମ
କରୁଣାର ଗନ୍ତାଘର
ମାଆର ପଣତ ଶ୍ରୀମନ୍ଦିର ନେତ
ଜଗତେ ତୁଳନା ନାଇଁ
ବିପଦେ ଆପଦେ ସାହା ହୁଏ ମାଆ
ଦିଏ ତା' ପଣତ ଛାଇ ....
ଗର୍ଭ ଯନ୍ତ୍ରଣାକୁ ଭୁଲିଯାଏ ମା
ଶୁଣି ନବଜାତ କ୍ରନ୍ଦନ
ଛାତିରୁ ପିଆଏ ଅମୃତର ସୁଧା
ରଖେ ମା' ସନ୍ତାନ ଜୀବନ
ସଂସାରେ ଅଛନ୍ତି ଯେତେ ଆପଣାର
କେହି ନୁହେଁ ମା' ସମାନ
ସେଇ ମାଆକୁ ଯେ ହତାଦର କରେ
ହୁଏନା ମଙ୍ଗଳ ସାଧାନ
✍ ପ୍ରବୀର ମଲ୍ଲିକ୍
ଲୁହ ଆଉ ଲହୁ ଏକତ୍ରିତ କରି
ଜନମ ଦେଇଚି ମାଆ
ମୁଣ୍ଡର ଝାଳକୁ ତୁଣ୍ଡରେ ସେ' ମାରି
ସମାଜେ କରିଛି ଠିଆ
ତା' ବକ୍ଷକୁ ଚିରି ଦୁଗ୍ଧପାନ କରି
ହେଇଚି ମୁଁ ଅଝଟିଆ
ଯଶୋମତି ପରି ମାଆ ଯେ' ମୋହରି
କୃଷ୍ଣ ମୁଁ ' ନଟଖଟିଆ .....
✍ ରାଧାକୃଷ୍ଣ ବାୟକ
ମୋ ମାଆ ବଚନ ସବୁଠୁ ମଧୁର
ନଥାଏ ଟିକେ ଛଳନା
ହାତ ଧରି ମୋର ଚାଲି ସିଖାଇଛି
ନାହିଁ ତା ପାଖେ କଳ୍ପନା ।
ମୋ ମାଆ ପଣତ ଦୁନିଆଁ ର ଶ୍ରେଷ୍ଠ
ନାହିଁ ତାର ପଟାନ୍ତର
ଖରା ବରଷାକୁ ନଥାଏ ଖାତର
ସେ ଥିଲେ ପାଶେ ମୋହର
✍ ଟୁକୁନା ସାହୁ
ମୋ'ମାଆ ଆଶିଷ ମୋ'ପାଇଁ ଅଟଇ
ଲକ୍ଷେ ରାଜାଙ୍କ ସମ୍ବଳ
ତା'ହାତ ପରଶ ସୁଶୀତଳ ପୁଣି
ସୁକୋମଳ ସୁନିର୍ମଳ
ସେ'ମାଆ ଡାକରେ କି'ଯାଦୁ ରହିଛି
ଯାହାକୁ ଦୁନିଆ ଜାଣେ
ତା' ପାଇଁ ଆଜି ମୁଁ' ନିଜକୁ ଭାବୁଛି
ସଂସାର ଭିତରେ ଜଣେ.....
✍ ରାମ ଚନ୍ଦ୍ର ପ୍ରଧାନ
No comments:
Post a Comment