#କଣ୍ଡରାସାହିର_ବରକୋଳି
(ବିନୋଦ କାନୁନ୍'ଗୋ)
ମାମୁଙ୍କ ଘରର ଡାହାଣ ପଟ ପୋଖରୀ ସେପଟେ ଦୁଇଟି ବା ତିନିଟି କଣ୍ଡରା ଘର । କଣ୍ଡରା ସାହିକୁ ଅାମ ପିଲାମାନଙ୍କର ଯିବାର ଗୋଟିଏ ବଡ଼ ଆକର୍ଷଣ ହେଲା ବରକୋଳି ଗଛ । ସେହି ଗଛଟି “ପାଲୁଣୀ ମା” ଘର ସାମନାରେ । କୋଳିଟାମାନ ଯେମିତି ବଡ଼ ବଡ଼ ସେଇ ତୁଳନାରେ ମିଠା । ପାଚିଲେ ଅତି ସୁଅାଦିଅା ଲାଗେ । ଅାମେ ଯାଉ ଖରାବେଳେ । ସେ ସମୟରେ ଛୁଅାଁ ଅଛୁଅାଁ ଭାବ ଅତି ଉତ୍କଟ ଥିବାରୁ ଗୋଟିଏ ଅସୁବିଧା ଅାମପାଇଁ ଥାଏ । କୋଳିଟା ତଳେ ପଡ଼ିଗଲେ ଗୋଟାଇ ଖାଇବେ ନାହିଁ । କାରଣ କଣ୍ଡରା ଛୁଅାଁ ପାଣି ହୁଏତ ସେଠି ପଡ଼ିଥିବ କେତେବେଳେ । ଅଛୁଁଅା କଣ୍ଡରାଙ୍କ ଗୋଡ଼ ଧୂଳି ତ ନିଶ୍ଚୟ ପଡ଼ିଥିବ । ଗଛରେ ଚଢ଼ି ଯେତିକି କୋଳି ପାରିବ ସେତିକି ହିଁ ଖାଇବାର କଥା । ଗଛରେ ଚଢ଼ିବା ବୟସ ଅନ୍ନଦା, ବରଦା, ନନ୍ଦମାମୁ ବା ମୋର ହୋଇ ନଥାଏ । ଅାମେ ସବୁ ସାତ ଅାଠ ବର୍ଷ ବା ତା 'ଠୁ କମ୍ ବୟସର ପିଲା । ସାରଦା ଭାଇ, ଗୋବିନ୍ଦ ଭାଇ ଗଛ ଚଢ଼ି ପାରନ୍ତି । ସେମାନେ ଅାଗେ ଖାଇବେ । ଅାମ ଅାଡ଼କୁ ଗୋଟିଏ ଗୋଟିଏ ପକାଇବେ । ଯିଏ ଉପରକୁ ପାଟି କରି ରହିବ ତା'ରି ପାଟିକୁ ଲକ୍ଷ୍ୟ କରି ଅାମେ ପକାଇବୁ ବୋଲି ସେ ଦି'ଜଣ କହି ଅାମକୁ ଡହଳ ବିକଳ ଅବସ୍ଥାରେ ରଖି ଦିଅନ୍ତି ।
ବହୁତ କିଛି ଖୁସାମତ କଲେ ମେଲା କାନି ଭିତରକୁ ପକାନ୍ତି । ଏ କଥାଟିକୁ ଥରେ ଦି'ଥର ପରେ ପାଲୁଣୀ ମା' ଲକ୍ଷ୍ୟ କଲା । ତା' ଚେହେରାଟି ଏବେ ମଧ୍ୟ ମୋର ମନେଅଛି । ଅାମକୁ ସବୁ ଦେଖିଲେ ତା'ର କି ଖୁସି ! ସେ ବେଶ୍ ମୋଟାମୋଟି । ହାତରେ ମଜବୁତିଅା ମୋଟା ଖଡ଼ୁ- ପିତ୍ତଳର ବୋଧହୁଏ, କଂସାର ବି ହୋଇଥିବ । ଯାହାକୁ କୁହନ୍ତି ନାହିଁ- ସେ କହିଲା ଖଡୁମୁଷାଏ ଦେଲେ ତୋ ମୁଣ୍ଡ ଫାଟି ଦି'ଫାଳ ହୋଇଯିବ । ସେହି କଥାର ଯଥାର୍ଥତା ପ୍ରମାଣ କରେ ପାଲୁଣୀ ମା' ହାତର ଖଡୁ । ଅାମ ଛୋଟ ପିଲାଙ୍କ ପ୍ରତି ତା'ର ଦୟା ହେଲା । ଅାମର ସୁବିଧା ହେବ ବୋଲି ସେ ଗୋଟାଏ କଥା କହିବା ଅାରମ୍ଭ କରିଦେଲା । ଗଛ ତଳେ ବଡ଼ ଅରାଏ ସ୍ଥାନ ଦିନ ଏଗାରଟା ବାରଟା ବେଳେ ସେ ଗୋବର ପକାଇ ଭଲକରି ଲିପି ଦେଇଥାଏ । ତା' ପିଲାଙ୍କୁ ଓ ଅନ୍ୟ କଣ୍ଡରା ପିଲାଙ୍କୁ ତାଗିଦ୍ କରି ଦେଇ ଥାଏ, ଯେମିତି ଲିପା ଜାଗା କେହି ମାଡ଼ିବେ ନାହିଁ । ସେଇଠି କୋଳି ଝଡ଼ିଲେ ବା ପଡ଼ିଲେ ଅାମେ ସବୁ ଅାନନ୍ଦରେ ଗୋଟାଇ ନେଇ ଖାଉ । ସାରଦା ଭାଇ ଗଛ ଡାଳକୁ ଜୋର୍ରେ ହଲାଇ ଦେଲେ ପାକଲା ଦର ପାକଲା କୋଳି ଝଡ଼ିପଡ଼େ । ପାଛିଅାଏ ଲେଖାଁ ଘରକୁ ନେଇ ଅାସୁ । ସେ ଅାପତ୍ତି ତ କରେ ନାହିଁଓଲଟି କହେ,
"ଅାଉରି ନିଅ ।" ତା' ବିଷୟରେ ଗୋଟିଏ କଥା ଅାଜି ମଧ୍ୟ ମୋ ମନରେ ଲାଖି ରହିଛି । ସେ ଖୁବ୍ ଗରିବ । ଘରେ ବାସନ ବୋଲି କିଛି ନଥାଏ । ସେ ଯୁଗରେ ଅାଲୁମିନିୟମ୍ ବାସନର ପ୍ରଚଳନ ନ ଥିଲା । କଂସା ବାସନ ଥିଲା ତା' ପାଇଁ ସ୍ୱପ୍ନ । ବରଗଛ ମୂଳେ ଟିକିଏ ଦୂରରେ ମାଟିରେ ଗୋଲାଳିଅା ଗାତଟିଏ ଖୋଳିଥାଏ । ତା' ଭିତରଟିକୁ ଅତି ଚିକ୍କଣ କରି ଲିପି ଦେଇଥାଏ । ତାଅାରି ଭିତରେ ଖଣ୍ଡିଏ କଅଁଳିଅା କଦଳୀ ପତ୍ର ଖଞ୍ଜିଲା ଭଳି କରିଦିଏ । ସେଇଥିରେ ପଖାଳ ଭାତ ଅଜାଡ଼ି ଦିଏ । ଭାତ ଖାଇ ସାରିଲେ ମୁହଁକୁ ସେ ଗାତ ଉପରେ ତଳକୁ ଲଗାଇଲା ଭଳି କରି ତୋରାଣି ପିଏ । ଯେତେବେଳେ ମୁହଁଟି ଅାଉ ଖାଲ ଭିତରେ ତୋରାଣିରେ ଲାଗେନାହିଁ ସେ ହାତରେ ଚଳ ଚଳ କରି ପିଏ । ଶେଷରେ ପତରଟିକୁ କାଢ଼ିଅାଣି ଯେତକ ଭାତ ବଳିଥାଏ ଖାଇଦିଏ ।
୧୯୪୩ରେ ବ୍ରହ୍ମପୁର କଲେଜରେ ଅାମେ ସବୁ ଅଟକବନ୍ଦୀ ଥିଲାବେଳେ ଜାତୀୟ କବି ବୀରକିଶୋର ହରିଜନମାନଙ୍କ ଦୁଃଖ ବର୍ଣ୍ଣନା କରି ଯେଉଁ ଗୀତ ଲେଖିଥିଲେ, ସେଥିରେ ତାଙ୍କ ଗାଁର ଏହିଭଳି ଏକ ଦୃଶ୍ୟ ବର୍ଣ୍ଣନା କରିଥିଲେ । ଅନେକେ କହିଲେ ଯେ, ସେ କଳ୍ପନାରୁ ଏହି ଅତିରଞ୍ଜିତ କଥା ଲେଖିଛନ୍ତି । ସେତେବେଳେ ମୁଁ ତାଙ୍କ ପକ୍ଷ ସମର୍ଥନ କରି ପାଲୁଣୀ ମା କଥା କହିଲାରୁ କେହି କେହି ଏକାବେଳକେ ବିସ୍ମିତ ହୋଇଗଲେ । ବିହାରୀଲାଲ୍ ପଠିତ ଟୀକା ସହିତ ଗୀତାର ଅନୁବାଦ ପ୍ରକାଶ କରିବେ ବୋଲି ସ୍ଥିର କଲେ । ତାଙ୍କ ଘରେ ଦୁଇ ଚାରି ଜଣ ପଠିତ ଏକତ୍ରିତ ହୁଅନ୍ତି ପ୍ରତି ସନ୍ଧ୍ୟାରେ । ଗୀତା ସାଙ୍ଗକୁ କର୍ମକାଣ୍ଡ ଉପରେ ପୁସ୍ତକ ରଚନାର କଳ୍ପନା ଥାଏ । ଏହି ଶତପଥୀଙ୍କ ଜେଜେ ସେହିମାନଙ୍କ ଭିତରୁ ଜଣେ । ରାତିରେ ଫେରିଲାବେଳେ ବିହାରୀଲାଲ୍ଙ୍କ ଘରୁ ଗୋଟିଏ ଥାଳିରେ ସିଦା ମିଳେ । ସେଥିରେ ଯେତେ ପରିମାଣରେ ଡାଲି, ଚାଉଳ ଓ ପରିବା ଥାଏ, ସେତକରେ ଶତପଥୀ ପରିବାରର ଗୋଟିଏ ଦିନ ଚଳିଯାଏ । ଏହା ସାଙ୍ଗକୁ ମାସକୁ ମାସ କିଛି ଟଙ୍କା ମଧ୍ୟ ମିଳେ । ସେଥିରେ ଅନ୍ୟ ସବୁ ଖର୍ଚ୍ଚ ଚଳିଯାଏ । ତାଙ୍କର ତ ଯଜମାନୀ ଅାୟ ରହିଛି । ଦିନେ ଶତପଥୀଙ୍କ ସିଦା ସାଙ୍ଗରେ ଚାରିଟି ଗୋଲ ଅାଳୁ ଦେଇଥିଲେ । ପଣ୍ଡିତ ଶତପଥୀ ସେଠି କିଛି କହି ନ ପାରି ଗାମୁଛାରେ ପୂରାଇ ନେଇଗଲେ । ଘରେ ଯାଇ ସେତକ ସବୁ ବାରିଅାଡ଼େ ଫୋପାଡ଼ି ଦେଇ ଘରେ ଅାସି ଗାଧୋଇଲେ । ପଇତା ବଦଳାଇଲେ । ପଣ୍ଡିତିଅାଣୀ ଅାସି ପଚାରିବାରୁ ଖାଲି ଏତିକି ଉତ୍ତର ଦେଲେ-
"ମୋତେ ସେ କଥା ପଚାର ନାହିଁ । "
ତା' ପର ଦିନ ଯେତେବେଳେ ଗଲେ ଜମିଦାର ବିହାରୀଲାଲ୍ ପଚାରିଲେ, "କାଲି ଯେଉଁ ନୂଅା ଚିଜ ଦେଇଥିଲି ତାକୁ କେମିତି ରାନ୍ଧିଲ ? କେମିତି ସୁଅାଦ ଲାଗିଲା ?"
ଶତପଥୀ ଟିକିଏ ଶଙ୍କିଯାଇ କହିଲେ,
“ଜୀବନରେ ମୁଁ କେବେହେଲେ ପକ୍ଷ୍ୟଣ୍ଡ(ପକ୍ଷୀର ଅଠା) ଛୁଇଁ ନାହିଁ । ତେଣୁ ତାକୁ ଫୋପାଡ଼ି ଦେଲି- ସିଦା ମାରା ହୋଇଯାଇଥିଲା ବୋଲି ତାକୁ ମଧ୍ୟ ଫୋପାଡ଼ି ଦେଲି ।”
ବିହାରୀଲାଲ୍ ଯେତିକି ହସିଲେ ସେତିକି ଦୁଃଖିତ ହେଲେ । ତାଙ୍କ ପରିବାରରେ ତ ରୋଷେଇ ହୋଇ ନଥିବ । ସେଥିପାଇଁ ଦୁଃଖ । ଅାଳୁକୁ ଯେ ଅଣ୍ଡା ବୋଲି ଧରିନେଲେ ସେଥିପାଇଁ ହସ । ତାଙ୍କୁ ସବୁ କଥା ବୁଝେଇ ଦେଲେ । ସେଦିନ ଡବଲ ସିଦା ଦେଲେ । ଏତକ ଶୁଣି ଅାମ ମେଳରେ ଥିବା ସମସ୍ତେ ହସିଥିଲେ । ଜଣେ କହିଲେ,
"ଅାଳୁ ସପକ୍ଷରେ ତୁମେମାନେ ଯିଏ ଯେତେ କୁହ ପଛକେ, ଅାଜି ପର୍ଯ୍ୟନ୍ତ ସେ ପରିବା ତ ଜଗନ୍ନାଥ ମନ୍ଦିରରେ ପଶିନାହିଁ ।"
ଗାନ୍ଧିଜୀ ମଧ୍ୟ କହୁଥିଲେ- ଅାମେ ବିଦେଶୀ ବସ୍ତ୍ରକୁ ସଂପୂର୍ଣ୍ଣ ବର୍ଜନ କରିବା । ପୁଣି ସେହି ଅରଟ ଚଳାଇବା, ଅାମ ତନ୍ତୀ ଲୁଗା ବୁଣିବେ । ବ୍ରିଟିଶ୍ ଜାତିର ଗୋଟାଏ ବଡ଼ ବେପାର ଲୋପ ପାଇଗଲେ ସେମାନେ ଜାଣିବେ ଯେ ଭାରତରେ ଜନଜାଗରଣ ହେଲାଣି । ଲୋକଙ୍କ ମନରେ ଏହି କଥାଟିକୁ ଭଲ ଭାବରେ ଲଗାଇ ଦେବାପାଇଁ ସେ ବମ୍ୱେଠାରେ ବିଦେଶୀ ବସ୍ତ୍ର ପୋଡ଼ା ଅାରମ୍ଭ କରିଦେଇଥିଲେ । କାଠଯୋଡ଼ି ବାଲି ସଭାରେ ବିଦେଶୀ ଲୁଗା ପୋଡ଼ାହୁଏ ସଭା ଶେଷରେ । ଦାସତ୍ୱର ଏହି ପ୍ରତୀକକୁ ପୋଡ଼ି ଭସ୍ମ କରିଦିଅ ବୋଲି ଜ୍ୱାଳାମୟୀ ଭାଷଣ ଦିଅାଯାଏ । ବୀରବାବୁଙ୍କର ଲୁଗାପୋଡ଼ା ଗୀତ ଶୁଣି ଜନସାଧାରଣ ମାତି ଉଠନ୍ତି । ସେ ଗୀତକୁ ନିରଞ୍ଜନ ଘୋଷ ବୋଲିଲା ବେଳେ ସଭାର ସମସ୍ତେ ଖଣ୍ଡେ କାମିଜ, ଗେଞ୍ଜି ବା ଚଦର ନିଅାଁକୁ ପକାଇ ଦିଅନ୍ତି । "ବିଦେଶୀ ବସ୍ତ୍ର ଦାହ ଯଜ୍ଞ" ବୋଲି ଲୋକେ କହୁଥିଲେ । କେବଳ ଭାଷଣ ଯେତେ ଦୂର ପର୍ଯ୍ୟନ୍ତ ଉତ୍ତେଜନା ସୃଷ୍ଟି କରୁଥାଏ, ତା' ଠାରୁ ଅଧିକ ଦୂରକୁ ଲୋକଙ୍କୁ ନେଇଯାଉଥାଏ ଗୋଟିଏ ଗୀତ । ସେ ଗୀତଟିକୁ ୧୯୨୧ରେ ଅସହଯୋଗର ସ୍ୱାଧୀନତା ସୈନିକ ବୀରକିଶୋର ଦାସ ଲେଖିଥାଅାନ୍ତି ଓ ବୋଲନ୍ତି ଉଦୀୟମାନ ଯୁବକ ନିରଞ୍ଜନ ଘୋଷ । ସେ ପଦେ ପଦେ ବୋଲି ପାଳି ଧରନ୍ତୁ ବୋଲି ଡାକ ଦିଅନ୍ତି । ବୁଢ଼ା ଟୋକା ସମସ୍ତେ ପାଳି ଧରନ୍ତି । ଅଷ୍ଟପ୍ରହରୀ ପରେ ନଗରକୀର୍ତ୍ତନ ହେଲାବେଳେ ଲୋକ ଯେମିତି ନାଚି ଯାଅାନ୍ତି, ଜଳୁଥିବା ଲୁଗାଗଦା ଚାରିପଟେ ସେମିତି ଲୋକ ବୁଲନ୍ତି- ବିଶେଷକରି ଅାମ ଭଳି ଅଳ୍ପ ବୟସର ଛାତ୍ରମାନେ । ଗୀତଟି ହେଲା―
“ଫିଙ୍ଗରେ ଅାଜି ପୁଲକ ପରାଣେ ବିଦେଶୀ ବସନ ଭାଇ ଅଙ୍ଗକୁ କର ପବିତ୍ର ତୁମର ଜାତୀୟ ସଂଗୀତ ଗାଇ ଦେଶବାସୀଙ୍କର ତଣ୍ଟି ଚିପା ଲୁଗା ଏ ପାପ ରାଶିରେ
ଅାଜି ନିଅାଁ ଲଗା ଦେବତା ଉଠନ୍ତୁ ଚେଇଁ ।”
ଏହି ଗୀତ ଗାଁ ଗଣ୍ଡାରେ ବୋଲା ହେଲା । ପଦେ ଲେଖାଁ ଗୀତ । ପାଞ୍ଚ ମିନିଟ୍ର ଭାଷଣ । ଏମିତିକା ଚାଲି ସରକାରଙ୍କ ବିରୁଦ୍ଧରେ ଗୋଟିଏ ସରଗରମ ବାତାବରଣ ସୃଷ୍ଟି କରିଦେଲା । ମୋର ବ୍ୟକ୍ତିଗତ ଅନୁଭୂତିରୁ ଏଭଳି ଲେଖୁଛି । ଦିନେ ସଭାକୁ ଯାଇଥିଲି ଖଣ୍ଡେ ଧୋତି, ଖଣ୍ଡେ କୁର୍ତ୍ତା ଓ ଗଞ୍ଜି ପିନ୍ଧି । ଲୁଗାପୋଡ଼ା କାମ ଅାରମ୍ଭ ହୋଇଗଲା । ଚାଲିଲା ଗୀତ । କୁର୍ତ୍ତା ଖଣ୍ଡକ କାଢ଼ି ନିଅାଁକୁ ଫୋପାଡ଼ି ଦେଲି । କିଛି ସମୟ ପରେ ଗେଞ୍ଜିଟି ଗଲା ।
"ଲୁଗା ଖଣ୍ଡକ ବି ପକାଇ ଦିଅନ୍ତି । କିଏ ଖଣ୍ଡେ ଗାମୁଛା ଦିଅନ୍ତା କି" ବୋଲି ପାଟିରୁ ବାହାରିପଡ଼ିଲା ।
ଜଣେ କିଏ ଖଣ୍ଡେ ଖଦଡ଼ର ଚାଦର ମୋ କାନ୍ଧରେ ପକାଇଦେଲେ । ସେ ଖଣ୍ଡିକୁ ଲୁଙ୍ଗି ଭଳି ପିନ୍ଧିଦେଇ ମୋ ଧୋତି ଖଠିକ ପକାଇ ଦେଲି ହୁତ୍ହୁତ୍ ହୋଇ ଜଳୁଥିବା ନିଅାଁ ଗଦାକୁ । ଟିକିଏ ପରେ ଖୋଜିଲି କିଏ ଚଦର ଦେଇଥିଲେ । ମାତ୍ର ତାଙ୍କୁ ପାଇଲି ନାହିଁ ।
●●●●●●●●●●●●●●●●●●●●●●●●●●●●
ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଓ "ଜ୍ଞାନମଣ୍ଡଳ'' ପ୍ରଣେତା ପଦ୍ମଶ୍ରୀ ବିନୋଦ କାନୁନ୍ଗୋଙ୍କ ଅାତ୍ମଜୀବନୀ
"ଋଣ ପରିଶୋଧ" ରୁ ଉଦ୍ଧୃତ ।
No comments:
Post a Comment