ସମର୍ପଣ
~~~~୦~~~~
ମରମର କଥା ମରମେ ମରିଲା
ଶରଣଟା ସାର ହେଲା
ଦରଶନ ପାଇଁ ଭାବେ ଅଛି ଚାହିଁ
ତବକୃପା କିବା ନୋହିଲା !!
ଆକୁଳିତ ଅଶ୍ରୁ ପରାଣ ବିନୟେ
ତୁମରି ପ୍ରତୀକ୍ଷା କଲା
ମମଇଛା ପୂର୍ଣ୍ଣ କରହେ ଠାକୁରେ
ସମର୍ପଣେ ଶିର ନଇଁଲା.....
✍ ସନ୍ତୋଷ ପଟ୍ଟନାୟକ
କୃପା ନିଧାନହେ ତୁମରି ବିଧାନେ
ଭରଷାକି ଜୀବନକୁ !!
ତୁମରି ନିର୍ଦ୍ଦେଶେ କଲା କର୍ମ ସବୁ
ସମର୍ପି ଦେଲି ତୁମକୁ.....
ସମର୍ପଣେ ଭାବ କଲି ଭାବଗ୍ରାହୀ
ହର ମୋ ଅଜ୍ଞାନତାକୁ,
ଅଜର ଅମର ଇଛୁନାହିଁ ମୁହିଁ
ଆଶ୍ରାଖାଲି ଶ୍ରୀ ପୟରକୁ.....
✍ ଦାଶରଥି ସାହୁ
ବାସ୍ତବତା ପ୍ରେମ ପବିତ୍ର ସମାନ
ଆମେ ତା ଉଦାହରଣ
ଅଟେ ମୁଁ ଶରୀର ତୁମେ ଆତ୍ମା ମୋର
ସ୍ବୟଂ ଦୁହେଁ ସମର୍ପଣ
ନିଜ ସ୍ବାର୍ଥ ତ୍ୟାଗୀ ନିଜକୁ ଉତ୍ସଗୀ
ଦେଇ ପ୍ରେମ ବଳୀଦାନ
ଏହି ସୃଷ୍ଟି ଅନ୍ତେ କଲ୍ୟାଣ ନିମନ୍ତେ
ରଚିଲେ ପ୍ରେମ ମହାନ .....
✍ ରବିନ୍ଦ୍ର ସାହୁ
ସକାଳୁ ଉଠି ମୁଁ' ନିତ୍ଯକର୍ମ ସାରି
ନିଇତି କରୁଛି ତର୍ପଣ
ଜଗବନ୍ଧୁ ଆଉ ରବି, ରାଧା କୃଷ୍ଣ
ସଭିଙ୍କୁ ପ୍ରବିର ଅର୍ପଣ
ଦାସର ମୁଁ ଦାସ ଏମନ ସନ୍ତୋଷ
ଆତ୍ମା କରିଲି ସମର୍ପଣ
ପରମାତ୍ମା ଯଦି ମିଳିଯିବେ ଥରେ
ଦୁର ହେବ ସବୁ କଷଣ .....
✍ ରାଧା କୃଷ୍ଣ ବାୟକ
ସମର୍ପଣ ଦେବା ବିଭୁ ପଦେ ପ୍ରାଣ
ସମର୍ପି ବିବେକ ଜ୍ଞାନ
ସମର୍ପଣ ବିନା ମଣିଷ ଜୀବନ
ଶୂନ୍ୟ ଖାଲି ମହା ଶୂନ୍ୟ
ସମର୍ପଣ ଭାଵ କରେ ଯେଉଁ ଜନ
ସଂସାରେ ଅଟେ ମହାନ
ସମର୍ପଣ ଭାଵ ଯାହା ହୃଦେ ନାହିଁ
ବୃଥା ସେ ମଣିଷ ଜନ୍ମ
✍ ପ୍ରବିର ମଲ୍ଲିକ୍ .....
ସମର୍ପିତ ଏଇ ଜୀବନ ମୋହର
ତୁମରି ଚରଣେ ପ୍ରଭୁ
ହରି ନିଅ ମନୁ କ୍ରୋଧ ମୋହ ମାୟା
ପ୍ରଣାମ ଘେନ ହେ ବିଭୁ
ସମର୍ପିଲି ଆଜି ତୁମରି ଚରଣେ
ହୃଦ ମନ ଆଉ ପ୍ରାଣ
ତୁମ୍ଭବିନା ଗତି ନାହିଁ ଏ ଜୀବନେ
ପୟରେ ଦିଅ ଶରଣ ......
✍ ଜଗବନ୍ଧୁ ସାହୁ
No comments:
Post a Comment