ଶ୍ରମିକଙ୍କ ଶ୍ରମ ବଳୀଦାନ ନେଇ
ସମ୍ଭ୍ରାନ୍ତ ଉଡାଏ ଛତ୍ର
ଶ୍ରମକୁ ଆଦରି ଶ୍ରମିକ ପାଉଚି
ଦାଦନ ଉପାଧି ପତ୍ର.....
ଲୋକ ଦେଖାଣିଆ ଶୁଭେଚ୍ଛା ଢାଳନ୍ତି
ପାଶ୍ଚ୍ୟାତ ଲୋଭି ନିର୍ଲଜ
ଶ୍ରମିକ ଦିଅନ୍ତା ଉଚିତ୍ ଜବାବ
ଭୋକ କରେ ଦହଗଞ୍ଜ....
- ସନ୍ତୋଷ ପଟ୍ଟନାୟକ
ଶବ୍ଦ ଏ ଦାଦନ ସୁଖର ସନ୍ଧାନ
ଗରିବର ଚୁଲି ଚାଳ
ତୁମ ମତେ ବେଠି କିନ୍ତୁ ଖାଏ ଖଟି
ତୁଣ୍ତେ ମାରି ମୁଣ୍ତ ଝାଳ
ତୁମେ ରାଜକୋଷ ଲୁଟୁଛ ସର୍ବସ୍ୱ
ଉଲୁରେଇ ଆତ୍ମଗ୍ଲାନି
ଖଟଇ ଦାଦନ ସେ ବିବେକବାନ
ସ୍ୱଭାବରେ ସ୍ୱାଭିମାନୀ
ଦାଦନ ଦାଦନ କାହିଁ ପ୍ରହସନ
ଫୁଟାଣି ମାରୁଛ ମିଛ
ତୁମ କେଳେଙ୍କାରି ଶୁଣ କାନ ଡେରି
ଯେସନେ ଖଜୁରୀ ଗଛ
- ଦାଶରଥି ସାହୁ
ହେ ମହା ନାୟକ ହଳଧର ପ୍ରଭୁ
ବଳରାମ ବଳବାନ
ଲଙ୍ଗଳ ମୁନରେ ବସୁଧାକୁ ଚିରି
ବିଶ୍ବକୁ ଯୋଗାଅ ଅର୍ଣ୍ଣ
କୂଳ ବେଉସାକୁ ଛାଡ଼ି ଅର୍ଥ ପାଇଁ
କୃଷକ ସାଜେ ଦାଦନ
ଅଭାବ ପାଇଁ ତାସ୍ବଭାବ ଛାଡ଼ିଛି
କରହେ ଶକ୍ତି ପ୍ରଦାନ
‐ ରାଧା କୃଷ୍ଣ ବାୟକ
ଛାଡ଼ି ଭିଟାମାଟି ଦୁଃଖକୁ ସାଉଁଟି
ମନରେ ସପନ ନେଇ
କର୍ମର ସନ୍ଧାନେ ପ୍ରବାସୀ ହୁଅଇ
ପରିବାର ସୁଖ ପାଇଁ
ଅଳପ ଅର୍ଜନ ଅନେକ କଷଣ
ବୁଝେ ନାହିଁ କିଛି କେହି
କରନ୍ତି କେତେକ ତାଙ୍କୁ ଉପହାସ
ଦାଦନ ନାମଟେ ଦେଇ
- ଟୁକୁନା ସାହୁ
ଏ ସଭ୍ୟ ସମାଜେ ଦାଦନ ବିଚରା
ଖଟି ଖଟି ମରିଥାଏ
ସକାଳ ରୁ ସଞ୍ଜ ସଞ୍ଜ ରୁ ସକାଳ
ନିଜ ଲୁହ ନିଜେ ପିଏ
ଭାଗ୍ୟକୁ ଆଦରି କର୍ମେ ଚଳି ଯାଏ
ଦୁଃଖର ଭାରକୁ ବହି
ଅଭାବି ସଂସାରେ ଦହଗଞ୍ଜ ହୋଇ
ଯନ୍ତ୍ରଣାକୁ ଯାଏ ସହି
- ରାମ ଚନ୍ଦ୍ର ପ୍ରଧାନ
ସକାଳରୁ ସଞ୍ଜ କରୁଅଛି ଶ୍ରମ
ନାହିଁ ଟିକିଏ ବିଶ୍ରାମ
ଦାରିଦ୍ରତା ଭରା ଜୀବନଟା ଯୋଗୁଁ
ହୁଏ ଯାହା ହୀନିମାନ
ଦାଦନ ବୋଲି କହୁଛ ଯାହାକୁ
ଅଛି ତାର ସ୍ବାଭିମାନ
ଚୋରି କରୁନାହିଁ ଲୁଟୁନି କାହାର
କରୁଅଛି ଶ୍ରମଦାନ
- ଜଗବନ୍ଧୁ ସାହୁ
ଦା‐ଦାରିଦ୍ର୍ଯ ରାଜ୍ୟରୁ ଦୂର କରିବାକୁ
ଦୂରକୁ ଆସିଲୁ ଆମେ
ଦୂରେ ରହି ଖଟି ପେଟ ପୋଷୁ ବୋଲି
ଡାକୁଛ ଦାଦନ ନାମେ
ଦ‐ଦରମରା ମନେ କର୍ମ କରୁ ଏଠି
ଝାଳରେ ବତୁରେ ମୁଖ
ଦରଦ ଦେଉଛି ଦାଦନ ନାମଟି
ତୁମେକି ବୁଝିବ ଦୁଃଖ ?
ନ‐ନଜରେ ଏମିତି ନ ଦେଖ ଆମକୁ
ଆମର ବି ଅଛି ମାନ
କର୍ମ କରୁ ଏଠି କରୁନାହିଁ ବେଠି
କର୍ମ ହିଁ ତ ଭଗବାନ....
- ରବିନ୍ଦ୍ର ସାହୁ
No comments:
Post a Comment