✍ ଚିକିତ୍ସକ ଦେବାଶିଷ ଜ୍ୟୈଷ୍ଠୀ
‘ଭ୍ରମରମାରୀ’ ହେଉଛି ଏକ ଆଶ୍ଚର୍ଯ୍ୟ ଗଛ ଯାହାର ରସ ପିଇଲେ ଭ୍ରମର ମରିଯାଏ । ପରାଗସଙ୍ଗମରେ ସହାୟକ ଭ୍ରମରକୁ ପ୍ରତ୍ୟେକ ଗଛ ମଧୁ ପରସିଵା ଵେଳେ, ‘ଭ୍ରମରମାରୀ’ ଵିଷ ଦିଏ କାହିଁକି ... କେଉଁ ଵିଵର୍ତ୍ତନ ରହସ୍ୟ (teleology)ରେ ? ରହସ୍ୟ ଉନ୍ମୋଚନ ପାଇଁ କେନ୍ଦୁଝର ଜ଼ିଲ୍ଲାର ଝମ୍ପୁରା ବ୍ଲକ୍ ତଥା ‘ଗୋନାସିକା’ ପାହାଡ଼ ଉପରକୁ ଯାଇ ଏହି ଗଛକୁ ଅନୁସନ୍ଧାନ କରୁଥିଲି ।
.
ପୂର୍ଵରୁ ଶୁଣିଥିଲି ଭଅଁରମାରୀ ଛାଲିରୁ କୁଷ୍ଠରୋଗନାଶକ ଔଷଧ ପ୍ରସ୍ତୁତ ହୁଏ ବୋଲି ଏହାର ଅନ୍ୟ ନାମ ‘କୁଷ୍ଠାରୀ’ । ଏହି ଗଛ ତଳେ ମୃତ ଭଅଁର ପଡ଼ିଥାଆନ୍ତି, ଯାହାକୁ ଦେଖି ଗଛକୁ ଚିହ୍ନି ହୁଏ । ଗୋନାସିକା ଗାଆଁର କିଛି ପୁରୁଖା ଲୋକେ କହିଲେ, ମୃତ୍ୟୁଦଣ୍ଡାଦେଶ ପାଇଥିଵା ଦୋଷୀକୁ ରାଜାମାନେ ଏହି ଭଅଁରମାରୀ ଗଛ ତଳେ ସାରାରାତି ବାନ୍ଧିଦିଅନ୍ତି , ସକାଳ ସୁଦ୍ଧା ରୋଗୀ ମରିଯାଏ । ଅର୍ଥାତ୍ ଏ' ଗଛ ଅତି ଵିଷାକ୍ତ ... କେଵଳ ଭଅଁର ପାଇଁ ହିଁ ନୁହେଁ ଵରଂ ମଣିଷମାନଙ୍କ ପାଇଁ ବି ।
ଗୋନାସିକା ପାହାଡ଼ରେ ଦିନେ ବିଜୁଳି ଘଡ଼ଘଡ଼ି ସହିତ ଭୀଷଣ ଝଡ଼ ଵର୍ଷା ହେଲା । ଫେରି ପାରିଲିନି । ରାତିରେ ବାଧ୍ୟ ହୋଇ ଆଶ୍ରୟ ନେଲି ଗୋଟିଏ ମନ୍ଦିର ବେଢ଼ାରେ । ଜଣେ ଗୋପାଳ ପରିଵାର ତାଙ୍କ ଘରୁ ଭାତ ଆଣି ମୋତେ ଖାଇଵାକୁ ଦେଲେ । ସକାଳେ ଵର୍ଷା ଥମିଯାଇଥିଲା । ଗୃହକର୍ତ୍ତା ଜଣାଇଲେ ଯେ, “ଗତକାଲିର ଵର୍ଷାରେ ପାଖ ଗଛରୁ ଗୋଟିଏ ପ୍ରାଣୀ ଛୁଆ ଖସି ପଡ଼ିଛି । ତାହାର ଆଗ ଓ ପଛ ଗୋଡ଼ ମଧ୍ୟରେ କୁଲା ପରି ଚର୍ମ ରହିଛି । ତେଣୁ ଏହା ଆମ ଗାଈ ରକ୍ତ ପିଉଥିଵା ବାଦୁଡ଼ି ଯାହାକୁ ଆମେ ଗୋପାଳନ କରୁଥିଵା ଲୋକ ଘରେ ରଖିଵା ନିଷେଧ ।” ପ୍ରାଣୀଟିର ଦାନ୍ତ ଗଠନ ପରୀକ୍ଷା କରି ଦେଖିଲି ତଥା ସେହି ଘରର କର୍ମକର୍ତ୍ତାଙ୍କୁ ବୁଝାଇଲି ଯେ ପ୍ରାଣୀଟିର ଶ୍ୱାନ ଦାନ୍ତ ନାହିଁ ଅର୍ଥାତ୍ ତାହା ଗାଈର ରକ୍ତ ଶୋଷୁଥିଵା ଚେମିଣିଆ (ଛୋଟ ବାଦୁଡ଼ି) ନୁହେଁ ଵରଂ ମୂଷା ଶ୍ରେଣୀୟ । ଅଧିକନ୍ତୁ ପ୍ରାଣୀର ଚର୍ମପକ୍ଷ ଥିଵାରୁ ନିଶ୍ଚିତ ରୂପେ ଏକ ଵିରଳ ‘ଉଡ଼ନ୍ତା-ଗୁଣ୍ଡୁଚି’ ଅଟେ । ଆକାରରେ ସାଧାରଣ ଗୁଣ୍ଡୁଚିଠାରୁ ଆଠଗୁଣ ବଡ଼ ତଥା ରଙ୍ଗରେ ବାଦାମୀ ହେଲେ ହେଁ ଏହା ରକ୍ତ ନୁହେଁ ଵରଂ ପତ୍ର ଓ ଫଳ ଖାଉଥିଵ । କିନ୍ତୁ, ଯେତେ ବୁଝାଇଲେ ବି ସେମାନେ ବୁଝିଲେନି ଏଵଂ ପ୍ରାଣୀକୁ ଫିଙ୍ଗିଵାକୁ ଉଦ୍ୟତ ହେଲେ । ପ୍ରାଣୀଟି ଏତେ ଛୋଟ ଥିଲା ଯେ ତାହାର ଆଖି ମଧ୍ୟ ଖୋଲି ନ ଥିଲା । ଟିକିଏ ବଡ଼ ହୋଇ ଆଖି ଖୋଲିଵା ତଥା ନିଜେ ପତ୍ର ଫଳ ଖାଇଵାକୁ ସକ୍ଷମ ହେଵାଯାଏ ଶାଵକକୁ ତୁଳା ଦ୍ୱାରା କ୍ଷୀର ପିଆଇଵାକୁ ହେଵ ବୋଲି ସାଙ୍ଗରେ ଧରି ଫେରିଲି ।
.
ଭଗଵାନ ବି ଅଦ୍ଭୁତ ! ଗୋଟିଏ କଥା ମାଗିଲେ ଆଉ ଗୋଟିଏ କଥା ଦେଵେ । ଯାଇଥିଲି ଵିରଳ ଗଛ ପାଇଁ ; ଫେରିଲି ଵିରଳ ପ୍ରାଣୀକୁ ଧରି । ପ୍ରତିଦିନ ରୋଗୀ ପରାମର୍ଶ ସମୟରେ ମୋ'ର ଵାମ ହାତ ପାପୁଲିରେ ଉଡ଼ନ୍ତା ଗୁଣ୍ଡୁଚିକୁ ଧରି, ଡାହାଣ ହାତରେ ନିଦାନ ଚିଠା ଲେଖୁଥିଲି । ମଝିରେ ମଝିରେ କ୍ଷୀର ପିଆଉଥିଲି । ଅଦ୍ଭୂତ ପ୍ରାଣୀକୁ ଦେଖି କେହି କେହି ରୋଗୀ ଡରୁଥିଲେ ଆଉ କେହି କେହି ହସୁଥିଲେ ।
କିଛି ସପ୍ତାହ ପରେ ଗୁଣ୍ଡୁଚିର ଆଖି ଖୋଲିଲା । ପ୍ରଥମ ଦେଖାରେ ମୋତେ ତା' ବାପା ନୁହେଁ ଵରଂ ମାଆ ବୋଲି ଚିହ୍ନିଲା । ସେ ମୋରି କୋଳରେ ଶୋଉଥିଲା, ମୋରି ଉପରେ ଝାଡ଼ା ପରିସ୍ରା କରୁଥିଲା । ଆମ୍ବ, ଅଙ୍ଗୁର ଇତ୍ୟାଦି ଫଳକୁ ଅତି ଶ୍ରଦ୍ଧାରେ ଖାଉଥିଲା । ଥରେ ନିଦରେ ଶୋଇ ସପ୍ନ ଦେଖିଲି, “ମୁଁ ଜଙ୍ଗଲରେ ବୁଲୁଚି ଆଉ ମୋ' ପାଖେ ପାଖେ ରହି ଏ' ଗୁଣ୍ଡୁଚି ଗଛରୁ ଗଛକୁ ଉଡ଼ିବୁଲୁଛି । ହଠାତ୍ ଗୋଟିଏ ନିର୍ଦ୍ଦିଷ୍ଟ ଗଛରେ ଵସିଵା ପରେ ଗୁଣ୍ଡୁଚି ମରିଯାଉଛି । ଗଛକୁ ପରୀକ୍ଷା କରି ଦେଖୁଛି ଯେ ତାହା ହିଁ ‘ଭ୍ରମରମାରୀ’ ଗଛ ! ଏତେ ଦିନ ଧରି ଖୋଜୁଥିଵା ଗଛକୁ ପାଇଵାକୁ ଯାଇ ହରାଇଲି ମୋ' ଗୁଣ୍ଡୁଚିକୁ ।” ମୋ' ନିଦ ଭାଙ୍ଗିଗଲା, ଚମକି ଉଠିଲି ମୁଁ ! ଦେଖିଲି ଯେ ମୋ' ଗୁଣ୍ଡୁଚି ମୋ' ପାଖରେ ଶୋଇଛି ଆଉ ସୁସ୍ଥ ଅଛି । ପ୍ରାଣୀଟି ପ୍ରତି ଏତେ ମାୟା ମମତା ଲାଗିଯାଇଥିଲା ଯେ ସେ କେବେ ମରିଗଲେ ମୁଁ ସହି ପାରନ୍ତିନି । ଉଡ଼ନ୍ତା ଗୁଣ୍ଡୁଚି ପରି ଵିରଳ ପ୍ରାଣୀକୁ ଘରେ ରଖିଵା ମନା କିନ୍ତୁ ପ୍ରାଣୀଟି ବଡ଼ ହେଵା ପରେ ଜଙ୍ଗଲରେ ଛାଡ଼ିଲେ ସେ କ'ଣ ଵଞ୍ଚିପାରିଵ ? ନିଜ ହୃଦୟକୁ ପଥର କରି, ଗୁଣ୍ଡୁଚିକୁ ନେଇ ତା' ଜଙ୍ଗଲରେ ଛାଡ଼ିଦେଲି ।
.
ଆମ ଉଦ୍ଭିଦଶାସ୍ତ୍ର ପ୍ରାଧ୍ୟାପକ ନଳିନୀ ମହାପାତ୍ର ମହୋଦୟଙ୍କୁ ଏହି ଗଛ ସମ୍ପର୍କରେ ପଚାରିଲି । ସେ କହିଲେ କେବେ ଜୀଵନରେ ସେ ଦେଖି ନ ଥିଵା ଏହି ଭ୍ରମରମାରୀ ହୁଏତ ଗୋଟିଏ କାଳ୍ପନିକ (hypothetical) ଗଛ ମାତ୍ର । ମୋ' ମନ କିନ୍ତୁ ମାନିଲାନି । ଭ୍ରମରମାରୀ ପରି ଓଡ଼ିଆରେ ଆଉ ଏକ ଗଛ ନାମ ରହିଛି ଓଡ଼ଶମାରୀ (Cycas) । ମୋର ଗୋଟିଏ ଭୁଲ ଧାରଣା ଥିଲା ଯେ ଓଡ଼ଶମାରୀ ଗଛ ପରି ଭ୍ରମରମାରୀ ଗଛ ମଧ୍ୟ ଗୋଟିଏ ନଗ୍ନବୀଜ (Gymnosperm) ହୋଇଥିଵ । ପ୍ରଵାଦ ଅଛି, ଯେ ମନ ଜାଣି ନ ଥିଲେ ଆଖି ଖୋଜିପାଏନି । ତେଣୁ ଗୋନାସିକାରେ କେଵଳ ନଗ୍ନବୀଜ ଗଛ ପଛରେ ପଡ଼ି ଭ୍ରମରମାରୀ ଅନ୍ୱେଷଣରେ ଵିଫଳ ହେଲି । ପ୍ରକୃତରେ ଭ୍ରମରମାରୀ ଗଛଟି ନଗ୍ନବୀଜ ନୁହେଁ ଵରଂ ଡିମିରି, ପଣସ ଇତ୍ୟାଦି ପରିଵାର (Moraceae) ରେ ଅନ୍ତର୍ଭୁକ୍ତ । ତାମିଲନାଡ଼ୁରେ ସ୍ନାତକୋତ୍ତର ପାଠ ପଢ଼ୁଥିଵା ସମୟରେ ଅୟାପକ୍କମ୍ ଗ୍ରାମ ନିକଟସ୍ଥ ରେଳଷ୍ଟେସନରେ ଗୋଟିଏ ବରଗଛ ପରି ଦ୍ରୁମ ଦେଖିଲି ଯାହାର ପତ୍ର ଅପେକ୍ଷାକୃତ ଛୋଟ ଥିଲା । ତାହାକୁ ପରୀକ୍ଷା କରି ତା'ର ନାମ ‘Antiaris toxocaria’ ବୋଲି ଜାଣିଲି । ତା'ର ସ୍ଥାନୀୟ ତାମିଳ ନାମ ଥିଲା ‘ଆରାନ୍ତେଲ୍ଲୀ’ କିନ୍ତୁ ସଂସ୍କୃତ ନାମ ଥିଲା ‘ଭ୍ରମରମାରୀ’ । ଅନ୍ୱେଷଣ ସମ୍ପୂର୍ଣ୍ଣ ହେଲା । କିନ୍ତୁ ଗୋନାସିକାରେ ଏହାକୁ ଖୋଜିଵା ଏବେ ବି ବାକି ଅଛି ।
No comments:
Post a Comment