📙ଷଢେ଼ଇକଳା ଓ ଖରସୁଆଁ ମିଶ୍ରଣ ପ୍ରସଙ୍ଗ 📙
📚🖋️🖋️🖋️ ଦୀନବନ୍ଧୁ ମିଶ୍ର🖊️🖊️🖊️📚
🔵🔵 ଭାଗ—୧ 🔵🔵
ବହୁଵର୍ଷ ଧରି ଓଡ଼ିଶାଵାସୀ ଷଢେଇକଳା ଓ ଖରସୁଆଁ ମିଶ୍ରଣର ଦାବି ଆଗତ କରି ଆସୁଛନ୍ତି। ଵର୍ତ୍ତମାନ ‘ଵନାଞ୍ଚଳ ରାଜ୍ୟଗଠନ ପ୍ରସଙ୍ଗରେ ଏହି ଦାବୀ ପୁନର୍ଵାର ଉତ୍ଥାପିତ ହୋଇଅଛି । ୧୯୪୭ ମସିହା ଡିସେମ୍ବର ଦଶ ତାରିଖ ଦିନ ସରଦାର ବଲ୍ଲଭଭାଇ ପଟେଲଙ୍କ ଉପସ୍ଥିତିରେ ଗଡଜାତ ମିଶ୍ରଣ ପାଇଁ ଭାରତ ସରକାର ଓ ଗଡ଼ଜାତର ରାଜାମାନଙ୍କ ମଧ୍ୟରେ ଏକ ଚୁକ୍ତିନାମା ସାକ୍ଷରିତ ହେଲା, ୧୯୪୮ ମସିହା ଜାନୁୟାରୀ ସୁଦ୍ଧା ମୟୂରଭଞ୍ଜକୁ ଛାଡି଼ଦେଲେ ଅନ୍ୟ ସମସ୍ତ ଗଡ଼ଜାତର ଓଡ଼ିଶା ସହ ମିଶ୍ରଣ ହେଲା ଓ ତତ୍ ସଙ୍ଗେ ସଙ୍ଗେ ଷଢେଇକଳା ଓ ଖରସୁଆଁକୁ ବିହାରରୁ ଆଣି ଓଡିଶା ସହ ମିଶାଇ ଦିଆଗଲା। କିନ୍ତୁ ୧୯୪୮ ମସିହା ମେ ମାସରେ ଭାରତ ସରକାର ଏକ ଘୋଷଣାନାମାରେ ଷଢେ଼ଇକଳା ଓ ଖରସୁଆଁକୁ ଓଡି଼ଶାରୁ ନେଇ ବିହାର ସହିତ ମିଶାଇ ଦେଵାପାଇଁ ଘୋଷଣା କଲେ ଏବଂ ୧୯୪୯ ମସିହା ଅଗଷ୍ଟ ମାସରୁ ଏହାକୁ ଆଇନତଃ ବିହାର ସହିତ ମିଶାଇ ଦିଆଗଲା । ଏହି ପରିପ୍ରେକ୍ଷୀରେ ଆମର କହିଵା କଥା ଯେ, ୧୮୨୧ ମସିହାରେ ଯେତେବେଳେ ଇଂରେଜମାନେ ପ୍ରଥମେ ସିଂହଭୂମକୁ ଦଖଲ ନେଵାକୁ ଗଲେ ସେତେବେଳେ ସେମାନେ ମୁଖ୍ୟତଃ ଆଦିଵାସୀମାନଙ୍କର ପ୍ରତିରୋଧର ସମ୍ମୁଖୀନ ହେଲେ । ପରିଶେଷରେ ସେମାନଙ୍କର ଆଦିଵାସୀମାନଙ୍କ ସହ ବୁଝାମଣା ହୋଇ ଯେଉଁ ଚୁକ୍ତିନାମା ହୋଇଥିଲା ସେଥିରେ ଆଦିଵାସୀମାନଙ୍କ ତରଫରୁ ଏକ ସର୍ତ୍ତ ଦିଆଯାଇଥିଲା ଯେ, ଇଂରାଜୀ ସରକାର କେଵଳ ଓଡିଆକୁ ଏହି ଅଞ୍ଚଳର ଯୋଗସୂତ୍ରକାରୀ ଆଞ୍ଚଳିକ ଭାଷାରୂପେ ସ୍ୱୀକାର କରିଵେ । କାରଣ ସ୍ଥାନୀୟ ଆଦିଵାସୀମାନେ ସେମାନଙ୍କର ନିଜସ୍ବ ଭାଷା ପରସ୍ପର ମଧ୍ୟରେ ଵ୍ୟଵହାର କରୁଥିଲେ ମଧ୍ୟ ଅନ୍ୟ ଆଦିଵାସୀ ତଥା ଅଣଆଦିଵାସୀ ମାନଙ୍କ ସହ ଯୋଗସୂତ୍ରକାରୀ ଭାଷା ହିସାବରେ ଓଡିଆ ଢାଞ୍ଚା ଓ କିଛି ଓଡିଆ ଲୌକିକ ଶବ୍ଦର ଵ୍ୟଵହାର ସେମାନଙ୍କ ଭାଷାରେ ଦେଖାଯାଇଥାଏ, ଯଥା— ଏନାମେତେ (ଆଦିଵାସୀ)- ଏ ନିମନ୍ତେ(ଓଡିଆ), ଚିନାମେନ୍ତେ(ଆଦିଵାସୀ)-କି ନିମନ୍ତେ(ଓଡିଆ) ।
ଏହି ସ୍ଥାନୀୟ ଆଦିଵାସୀମାନେ ପରମ୍ପରାକ୍ରମେ ଓଡିଶାର ଅନ୍ୟ ଆଦିଵାସୀମାନଙ୍କ ସହିତ ବନ୍ଧୁବାନ୍ଧଵ ସମ୍ପର୍କରେ ପ୍ରତିଷ୍ଠିତ ହୋଇଆସିଛନ୍ତି । ଇଂରାଜୀ ଶାସନରେ ଓଡିଶାକୁ ଖଣ୍ଡ ଖଣ୍ଡ କରି ଵିଭିନ୍ନ ପ୍ରଦେଶ ସହିତ ମିଶାଇଦେଵା ସମୟରେ ଏହି ଅଞ୍ଚଳ ବିହାର ଅନ୍ତର୍ଗତ ହୋଇ ରହିଗଲା। ମଧୁବାବୁଙ୍କର ଦେଶମିଶ୍ରଣ ଦାବୀ ସମୟରୁ ଷଢେଇକଳା ଓ ଖରସୁଆଁର ଓଡିଶା ସହ ମିଶ୍ରଣ ଦାବୀ ହୋଇଆସୁଥିଲା । ଗୋପବନ୍ଧୁଙ୍କର ‘ଭାଷାସୂତ୍ରରେ ପ୍ରଦେଶ ଗଠନ’ ନୀତି ୧୯୨୦ ମସିହାରେ ନାଗପୁର କଂଗ୍ରେସରେ ଗୃହୀତ ହୋଇ ଭାଷାସୂତ୍ରରେ କଂଗ୍ରେସର ସାଂଗଠନିକ ମାନଚିତ୍ରରେ ପରିଵର୍ତ୍ତନ ହେଲା । ସିଂହଭୂମ ଓଡିଆଭାଷୀବହୁଳ ଅଞ୍ଚଳ ହୋଇଥିଵାରୁ ସେଠାରେ ଉତ୍କଳ କଂଗ୍ରେସର ଏକ ଶାଖା ସ୍ଥାପନ କରାଗଲା। ଅଵଶ୍ୟ ବିହାରୀମାନେ ଏହାର ପ୍ରତିଵାଦ କରିଥିଲେ ଓ ଜାତୀୟ କଂଗ୍ରେସ ତରଫରୁ ଭୋଟ ନିଆଯାଇ ଦେଖାଗଲା ଯେ, ଓଡିଆଙ୍କର ଭୋଟସଂଖ୍ୟା ବହୁ ଅଧିକ । ବିହାରୀମାନେ କିନ୍ତୁ ସମାନ୍ତରାଳ ବିହାର କଂଗ୍ରେସ ଶାଖା ଚାଲୁ ରଖିଥିଲେ । ୧୯୨୧ ମସିହାରେ ଗୋପବନ୍ଧୁ ଚାଇବସାଠାରେ ଏକ କଂଗ୍ରେସର ସଭାରେ ରାଜେନ୍ଦ୍ରପ୍ରସାଦଙ୍କ ସହ ଉଦଵୋଧନ ଦେଇଥିଲେ । ସଭାପୂର୍ଵରୁ ରାଜେନ୍ଦ୍ରପ୍ରସାଦଙ୍କ ସହ ତାଙ୍କର ଷଢେ଼ଇକଳା ଓ ଖରସୁଆଁ ତଥା ବିହାରରେ ଥିଵା ଅନ୍ୟାନ୍ୟ ଓଡି଼ଶା ଅଞ୍ଚଳ ସମ୍ବନ୍ଧରେ ଘଣ୍ଟାଏ କାଳ ଆଲୋଚନା ହୋଇଥିଲା । ଉକ୍ତ ସଭାରେ ରାଜେନ୍ଦ୍ରପ୍ରସାଦ ଭାଷଣ ପ୍ରସଙ୍ଗରେ କହିଥିଲେ ଯେ, ଏହି ସ୍ଥାନର ଅଧିଵାସୀମାନେ ମୁଖ୍ୟତଃ ଓଡି଼ଆ ଏବଂ ବିହାରୀମାନେ ଏଠାରେ ଉପନିଵେଶ ମାତ୍ର ସ୍ଥାପନ କରିଛନ୍ତି । ସେମାନେ ଓଡିଆଙ୍କ ସହିତ ସୁସମ୍ପର୍କ ସ୍ଥାପନକରି ଶାନ୍ତିରେ ସହାଵସ୍ଥାନ କରିଵା ଉଚିତ । କିନ୍ତୁ ସ୍ଥାନୀୟ ବିହାରୀ ନେତାମାନଙ୍କର ଆସ୍ଥାନ ସୁଦୃଢ କରିଵାପାଇଁ ପରୋକ୍ଷରେ ସେ ପରାମର୍ଶ ଦେଉଥିଲେ। କ୍ରମେ ବହୁ ବିହାରୀ ପରିଵାର ସେହି ଅଞ୍ଚଳକୁ ଆସି ସ୍ଥାୟୀ ଵସତି ସ୍ଥାପନ କଲେ । କିନ୍ତୁ ଏହା ସତ୍ତ୍ବେ ଅଦ୍ୟାଵଧି ସେହି ଅଞ୍ଚଳର ଓଡିଆମାନେ ସଂଖ୍ୟାଗରିଷ୍ଠ ଥାଇ ଓଡିଆ ଭାଷା ଓ ସଂସ୍କୃତି ପ୍ରଚଳିତ ରହିଛି।
(ଉଦାହରଣ ସ୍ଵରୂପ ‘ଚାଇଁବସା’, ‘ଚାରିବସା’ ଶବ୍ଦର ଅପଭ୍ରଂଶ ମାତ୍ର । ସେହି ଅଞ୍ଚଳର ଓଡିଆ ରାଜା ପୁରୀ ଅଞ୍ଚଳରୁ ଚାରୋଟି ବ୍ରାହ୍ମଣ ପରିଵାରକୁ ନେଇ ସେଠାରେ ସ୍ଥାପନ କରିଥିଵା ହେତୁ ସେହି ଅଞ୍ଚଳକୁ ‘ଚାରିବସା’ ନାମରେ ନାମିତ କରାଯାଇଥିଲା।)
କହିଵାକୁ ଗଲେ ଷଢେ଼ଇକଳା ଓ ଖରସୁଆଁର ବିହାର ସହିତ ମିଶ୍ରଣ ଓଡି଼ଶା ବିରୁଦ୍ଧରେ ଏକ ସୁପରିକଳ୍ପିତ ଓ ସଂଗଠିତ ଚକ୍ରାନ୍ତ ଥିଲା ଏବଂ ଓଡି଼ଶାର ନେତାମାନଙ୍କ ମଧ୍ୟରେ କ୍ଷମତା ଓ ଅହଂକାରର ସଂଘର୍ଷ ହେତୁ ଓଡ଼ିଶାର ସ୍ବାର୍ଥରକ୍ଷା ପାଇଁ ଦୃଢ ଓ ଐକ୍ୟବଦ୍ଧସ୍ୱର ଉତ୍ତୋଳିତ ହୋଇପାରି ନ ଥିଲା । ପ୍ରଥମେ ନ୍ୟସ୍ତସ୍ବାର୍ଥ ବିହାରୀମାନଙ୍କ ଉଦ୍ୟମରେ ଆଦିଵାସୀମାନଙ୍କ ମଧ୍ୟରେ ଓଡ଼ିଶା ସହ ମିଶ୍ରଣ ଵିରୁଦ୍ଧରେ ଆନ୍ଦୋଳନ ସୃଷ୍ଟି କରାଯାଇ ଜାତୀୟ ସ୍ତରରେ ମିଶ୍ରଣ ଵିରୁଦ୍ଧରେ ମିଥ୍ୟାଗୁଜବମାନ ରଟନା କରାଗଲା । ଷଢେ଼ଇକଳାର ରାଜା ମଧ୍ୟ ପ୍ରଥମାଵସ୍ଥାରେ ଓଡିଶା ସହ ମିଶ୍ରଣର ଵିରୋଧ କରିଥିଲେ। ବିହାର ସରକାରଙ୍କ ସହାୟତାରେ ଏକ ଗୋଷ୍ଠୀ ବାରମ୍ବାର କେନ୍ଦ୍ର ସରକାରଙ୍କ ଉପରେ ଓଡିଶା ସହ ମିଶ୍ରଣ ଵିରୁଦ୍ଧରେ ଚାପ ପ୍ରୟୋଗ କରୁଥିଲେ । ଏଣୁ ଷଢେ଼ଇକଳା ଓ ଖରସୁଆଁ ସମସ୍ୟାର ନିଷ୍ପତ୍ତି ନେଵା ନିମନ୍ତେ କେନ୍ଦ୍ର ସରକାର ବମ୍ବେ ହାଇକୋର୍ଟର ତତ୍କାଳୀନ ଵିଚାରପତି ବାଭେଦକରଙ୍କୁ ଟ୍ରିବ୍ୟୁନାଲ ଭାବରେ ନିଯୁକ୍ତ କରିଥିଲେ । କିନ୍ତୁ ବାଭେଦକର ଯଥାସମୟରେ ଉପସ୍ଥିତ ନ ରହିଵାରୁ କେନ୍ଦ୍ର ସରକାର ଉଭୟ ପ୍ରଦେଶର ମତାମତ ଶୁଣି ଷଢେ଼ଇକଳା ଓ ଖରସୁଆଁର ବିହାରରେ ମିଶ୍ରଣ ସପକ୍ଷରେ ନିଷ୍ପତ୍ତି ନେଇଥିଲେ । କେନ୍ଦ୍ର ସରକାରଙ୍କ ମତରେ ସେତେବେଳେ ମୟୂରଭଞ୍ଜ ଜିଲାର ଓଡି଼ଶା ସହ ମିଶ୍ରଣ ନ ହୋଇ ବିହାରରେ ରହିଥିଵାରୁ ଓ ଓଡି଼ଶାରୁ ଷଢେ଼ଇକଳା ଓ ଖରସୁଆଁକୁ ଯିଵାକୁ ହେଲେ ବିହାର ମଧ୍ୟଦେଇ ଯିଵାକୁ ହେଉଥିଲା ଏବଂ ଉପରୋକ୍ତ ଅଞ୍ଚଳ ବିହାରର ସିଂହଭୂମ ଜିଲ୍ଲା ମଧ୍ୟରେ ଏକ ଓଡିଶା ଶାସିତ ଦ୍ଵୀପାଞ୍ଚଳ ପରି ରହିଥିଲା। ଏଣୁ ଶାସନଗତ ସୁଵିଧା ଦୃଷ୍ଟିରୁ ଏହାକୁ ବିହାର ସହ ମିଶାଇ ଦିଆଗଲା । ୧୯୪୯ ମସିହାରେ ମୟୂରଭଞ୍ଜ ରାଜ୍ୟର ଓଡିଶା ସହ ମିଶ୍ରଣ ହେଵା ଫଳରେ ଓଡି଼ଶାରୁ ଷଢେଇକଳା ଓ ଖରସୁଆଁକୁ ସିଧାସଳଖ ପହଞ୍ଚିଵାରେ ଆଉ କିଛି ଅସୁଵିଧା ରହିଲା ନାହିଁ । ଏହା ପରେ ଷଢେ଼ଇକଳାର ରାଜା ନିଜ ପୂର୍ଵମତର ପରିଵର୍ତ୍ତନ କଲେ । ଦୁଇଟି ରାଜ୍ୟର ଓଡି଼ଶା ସହ ମିଶ୍ରଣ ଦାବୀକରି ସୁପ୍ରିମକୋର୍ଟରେ ଏକ ମକଦ୍ଦମା ଆଗତ କଲେ । ୧୯୫୩ ମସିହାରେ କେନ୍ଦ୍ର ସରକାର ସୟିଦଫଜଲ ଅଲ୍ଲୀଙ୍କର ସଭାପତିତ୍ବରେ ଏକ ରାଜ୍ୟ ପୁନର୍ଗଠନ କମିଶନ ନିଯୁକ୍ତ କଲେ । ଓଡିଶା ସରକାରଙ୍କ ତରଫରୁ କମିଶନକୁ ଯୁକ୍ତି ଦିଆଯାଇ କୁହାଗଲା ଯେ, ଭାରତ ସରକାର ଗ୍ରହଣ କରିଥିବା ‘ଭାଷାସୂତ୍ରରେ ପ୍ରଦେଶ ଗଠନ’ ନୀତି ଦୃଷ୍ଟିରୁ ଵିଚାରକରି ଷଢେଇକଳା ଓ ଖରସୁଆଁ ଓଡି଼ଆଭାଷୀବହୁଳ ଅଞ୍ଚଳ ହୋଇଥିଵାରୁ ଏବଂ ଭୌଗୋଳିକ, ଅର୍ଥନୈତିକ ସାଂସ୍କୃତିକ ଦୃଷ୍ଟିକୋଣରୁ ଓଡି଼ଶା ସହ ଅଙ୍ଗାଙ୍ଗୀଭାବେ ଜଡିତ ଥିଵାରୁ ଏହାକୁ ଓଡି଼ଶା ସହ ମିଶାଇ ଦିଆଯିଵା ଉଚିତ । କିନ୍ତୁ ଏହି ସମସ୍ତ ଯୁକ୍ତି ସତ୍ତ୍ବେ କେନ୍ଦ୍ର ସରକାର ସିଂହଭୂମର ‘ପୋଡା଼ହାଟ’ ରାଜ୍ୟ ସହିତ ଷଢେ଼ଇକଳା ଓ ଖରସୁଆଁର ଐତିହାସିକ ସାମଞ୍ଜସ୍ୟ ଥିଵାରୁ ଏବଂ ସିଂହଭୂମ ଜିଲ୍ଲା ବିହାରର ଛୋଟନାଗପୁର ଡିଭିଜନର ଶାସନାଧିନ ଥିଵାରୁ ଏହି ଅଞ୍ଚଳକୁ ବିହାର ସହିତ ମିଶାଇଦେଵା ପାଇଁ ନିଷ୍ପରି ଗ୍ରହଣ କଲେ । ଏହି ପରିପ୍ରେକ୍ଷୀରେ ଆମର କହିଵା କଥା ଯେ ସିଂହଭୂମରେ ଓଡ଼ିଆମାନଙ୍କର ସଂଖ୍ୟାଗରିଷ୍ଠତା ଗୋପବନ୍ଧୁ ବହୁପୁର୍ଵରୁ ପ୍ରମାଣ କରିଥିଲେ। ସିଂହଭୂମ ଇଂରାଜୀଶାସନ ପୂର୍ଵରୁ ଶହ ଶହ ଵର୍ଷ ଧରି ଓଡ଼ିଶା ଅନ୍ତର୍ଗତ ଥିଵାରୁ ତାହାର କୌଣସି ଅଂଶରେ ଓଡି଼ଶାର ଏକ ଅଞ୍ଚଳ ସହିତ ସାମଞ୍ଜସ୍ୟ ରହିଵାରେ କିଛି ଅସ୍ବଭାଵିକତା ନାହିଁ । ଏଣୁ ଐତିହାସିକ ସାମଞ୍ଜସ୍ୟ ଦୃଷ୍ଟିରୁ ଷଢେଇକଳା ଓ ଖରସୁଆଁକୁ ବିହାର ସହିତ ମିଶାଇଦେଵା ପରିଵର୍ତ୍ତେ ସିଂହଭୂମକୁ ଓଡି଼ଶାରେ ମିଶାଇ ଦିଆ ନଗଲା କାହିଁକି ?
କ୍ରମଶଃ...
(ଅଭିମତ— ଓଡ଼ିଶାରେ ଏହି ଅଗଷ୍ଟ ଏକ ତାରିଖଟିକୁ କଳାଦିଵସ ଭାବେ ପାଳନ କରିଯିଵା ଉଚିତ୍ । ଷଢେ଼ଇକଳା ଓ ଖରସୁଆଁ ପ୍ରସଙ୍ଗରେ ଅଧିକାଂଶ ଓଡ଼ିଆ ଲୋକେ କିଛି ବି ଜାଣିନାହାନ୍ତି । କଂଗ୍ରେସର ବିହାରୀ ଵିଶ୍ଵାସଘାତକ ନେତା ଓ ଅପାରଗ ଓଡ଼ିଆ ନେତାମାନଙ୍କର କୂଟ ଚକ୍ରାନ୍ତ ଯୋଗୁଁ ଓଡ଼ିଶା ତାହାର ଭୂଭାଗ ହରେଇଲା ଏହା ଲୋକେ ଜାଣିଲେ ଦଳର କ୍ଷତି ହେଵ ତେଣୁ କଂଗ୍ରେସ ଯଥା ସମ୍ଭଵ ଲୋକଙ୍କୁ ଏ ଵିଷୟରେ ଜାଣିଵାର ସୁଯୋଗ ଦେଇନଥିଲା । ମୋତେ ଆଶ୍ଚର୍ଯ୍ୟ ଲାଗେ ଏଡ଼େ ବଡ଼ ଵୀର ଜାତି କାହିଁକି କେଜାଣି ସତୁରୀ ଵର୍ଷ ଧରି ଏତେ ବଡ଼ ଅନ୍ୟାୟକୁ ସହନ କରି ଶୋଇ ରହିଛି ! )
No comments:
Post a Comment