Sunday, August 1, 2021

● ରଙ୍ଗ ହୀନ ଜଗନ୍ନାଥ ●

ରଙ୍ଗହୀନ ଜଗନ୍ନାଥ
     - - - - - - - - -- - - - - -
ତୁମେ ତ ଚାହିଁ ଥିଲ ମୋ ପାଖରୁ
ଚାଳ ଛପର କୁଡ଼ିଆ ଘର
ବାର ହାତ ଲମ୍ବର କସ୍ତାଶାଢ଼ୀ
ମାଟିର ସିନ୍ଦୂର ଫରୁଆ 
ଦୁଇ ମୁଠା ପାଣିକାଚ ଚୁଡି .....

ତୁମେ ତ ଅଳି କରିଥିଲ ସେଦିନ
ମୋ ପାଖରେ
କେଉଁ ଏକ ଅଝଟ ପଣରେ
ମୋ ଝାଟି ମାଟି କାନ୍ଥରେ 
ଅଙ୍କାଯାଇଥିବା 
ରଙ୍ଗ ହୀନ ଜଗନ୍ନାଥଙ୍କୁ
ରଙ୍ଗେଇବା ପାଇଁ
ମାଗି ଥିଲ ରଙ୍ଗ ଆଉ ତୁଳି .....

ସେଦିନ  ସିନା ଥିଲା 
ମୋ ଭଙ୍ଗା କୁଡ଼ିଆରେ 
ତୁମ ମୁଣ୍ଡ ବାଜି 
ରକ୍ତ ଝରିବାର ଭୟ 
ହେଲେ ତୁମେତ ଆଜି
କେଉଁ ରାଜ ଉଆଁସର ରାଣୀ 
ଚତୁର୍ଦିଗେ ଶୁଭେ ଖାଲି
ତୁମରି ହିଁ ଜୟ ଜୟ କାର......

ଚିହ୍ନି ପାରୁଛ ରାଣୀ ମା 
ମୁଁ ' ସାରିଆ '
ପଦନ ପୁରର ସାରିଆ '
ନୁଆଁଣିଆ ଚାଳ ଘର
ଝାଟି ମାଟି କାନ୍ଥ 
ରଙ୍ଗ ହୀନ ଜଗନ୍ନାଥ......

ହେଲେ  ରାଣୀ ମା
ଆଜି ଏ କଣ ଦେଖୁଛି ମୁଁ
ତୁମ ଆଖିରେ
ଶତ ଶ୍ରାବଣର  ଧାର
ଲୁହରେ ଲହଡି ଭାଙ୍ଗୁଛି
ତୁମ  ରାଣୀ ଅନ୍ତପୁର ......

ଆଉ କାନ୍ଦନା ରାଣୀ ମା
ତା ନହେଲେ 
ତୁମ ଆଖିର ଲୁହରେ
ଖଣ୍ଡ ଖଣ୍ଡ ହୋଇ ବତୁରୀ ପଡିବ
ଏଇ ସାରିଆର
ଆଦରର ଝାଟି ମାଟି କାନ୍ଥ
ବିବର୍ଣ୍ଣ ଦିଶୁଥିବା 
ତା  ରଙ୍ଗହୀନ ଜଗନ୍ନାଥ
ତା ରଙ୍ଗହୀନ ଜଗନ୍ନାଥ ........
                               ପ୍ରବୀର ମଲ୍ଲିକ୍ 
                            ଶାରଳା ପୀଠ ,ଝଙ୍କଡ଼
                               ଜଗତସିଂହପୁର

No comments:

Post a Comment

ଦେଶ ନାସ୍ତି ମହୀତଳେ

ଦେଶ ନାସ୍ତି ମହୀତଳେ ତୁଙ୍ଗ-ଶିଖରୀ, କୁଞ୍ଜ-କାନନ, ପୁଣ୍ୟ-ଜଳଧି ର ତ୍ରିବେଣୀ ସଂଗମ ଆମ ଉତ୍କଳ l ପୂତ ପୟୋନିଧି ର ପବିତ୍ର ଜଳ ସ୍ପର୍ସ ରେ ପ୍ରତିଧୂଳି କଣା...