ଏକ ସମୀକ୍ଷା ମୂଳକ ଆଲୋଚନା ⬇️
" ବୋହୂ ଚାଲି ନ ଜାଣଇ ଗୋ .....
ପାଦ ପଡୁଥାଏ ବଙ୍କା
ଯେଉଁ ଦିନ ବୋହୂ ସଳଖି ଚାଲିବ ,,
ଘରେ ପଡ଼ିଯିବ ଡକା " ......
● ପ୍ରଥମ ପଦ :-
ବୋହୂ ଚାଲି ନ ଜାଣଇ ଗୋ
ପାଦ ପଡୁଥାଏ ବଙ୍କା
ଯେଉଁ ଦିନ ବୋହୂ ସଳଖି ଚାଲିବ
ଘରେ ପଡ଼ିଯିବ ଡକା
ଏହା ରଘୁନାଥ ଦାସଙ୍କ ତତ୍ତ୍ବପୂର୍ଣ୍ଣ ଭଜନ । ସମାଜକୁ ଏକ ଦିଗଦର୍ଶନ କହିଲେ ଅତ୍ୟୁକ୍ତି ହେବନାହିଁ ।
● ଭାବାର୍ଥ :- କବି ଏଠାରେ ପ୍ରାଣବାୟୁ କୁ ଏକ ନବାଗତ ବଧୁ ସହିତ ତୁଳନା କରିଛନ୍ତି । ଏ ଶରୀର ରୂପକ ଘରର ବୋହୂ ହେଉଛି ପ୍ରାଣବାୟୁ । ଶରୀରରେ ପାଞ୍ଚ ବାୟୁ ପ୍ରବାହିତ । ସେମାନେ ହେଲେ ପ୍ରାଣ , ଅପାନ , ସମାନ , ବ୍ୟାନ ଓ ଉଦାନ । ପ୍ରାଣବାୟୁ ବାମ ନାସାପୁଟ , ଦକ୍ଷିଣ ନାସାପୁଟ ରେ ପ୍ରବାହିତ । ଏହାକୁ ଚନ୍ଦ୍ରାୟଣ , ସୂର୍ଯ୍ୟାୟଣ କୁହାଯାଏ । ନିଶ୍ବାସ , ପ୍ରଶ୍ବାସର ଗତିକୁ ପ୍ରାଣବାୟୁ କୁହାଯାଏ । ଏହାର ସ୍ବାଭାବିକ ଗତି ବାର ଆଙ୍ଗୁଳ । ନିଶ୍ବାସରେ ଯାଏ ଦ୍ବାଦଶ ଆଙ୍ଗୁଳ ଆଉ ପ୍ରଶ୍ବାସରେ ଆସେ ଦ୍ବାଦଶ ଆଙ୍ଗୁଳ । ଶରୀରର ଭିନ୍ନ ଭିନ୍ନ କ୍ରିୟାରେ ଭିନ୍ନ ଭିନ୍ନ ଆଙ୍ଗୁଳ ପ୍ରାଣବାୟୁ ପ୍ରବାହିତ ହୁଏ । ବୋହୂର ପାଦ ସୀମିତ ବ୍ୟବଧାନରେ ବାର ଆଙ୍ଗୁଳ ମଧ୍ଯରେ ବଙ୍କେଇ ବଙ୍କେଇ ଚାଲୁଥାଏ ପାଦକୁ ଥାପି ଥାପି । ମାତ୍ର ଯେତେବେଳେ ସିଧା ଚାଳନା କରେ ସେତେବେଳେ ଆମେ କହୁ ଗୋଟିକିଆ ପକାଇଲାଣି ଉର୍ଦ୍ଧ ନିଶ୍ବାସ ନେଲାଣି ଶେଷ ସମୟ ହେଲାଣି ବୋଲି କହିଥାଉ ତାହା ହେଲା ପ୍ରାଣବାୟୁର ବେଗ ବଢିଯାଏ ଅର୍ଥାତ୍ ସଳଖି ଚାଲି ବାର ଆଙ୍ଗୁଳ ରୁ ତେର ଆଙ୍ଗୁଳ ହୋଇଯାଏ ଆଉ ସେତେବେଳେ ଶରୀର ଛାଡି ପ୍ରାଣବାୟୁ ଚାଲିଯାଏ । ଆତ୍ମୀୟ ସ୍ବଜନ ମାନେ ଡକା ପକାନ୍ତି ଅର୍ଥାତ୍ ବାହୁନି ବାହୁନି କ୍ରନ୍ଦନ ବା ବିଳାପ କରନ୍ତି ।
● ଦ୍ବିତୀୟ ପଦ :-
ଯେଉଁଦିନ ବୋହୂ ବାପ ଘର ଠାରୁ
ଅଇଲା ଶଶୁର ଘରକୁ
ଆପଣା ପତିର ସଙ୍ଗେ ସଙ୍ଗ ନାହିଁ
ରସରେ ରସାଏ ପରକୁ
● ଭାବାର୍ଥ :- ଜୀବାତ୍ମା ମାତୃ ଗର୍ଭରେ ଥିଲା । ଏହା ହିଁ ବୋହୂର ବାପଘର । ବିଶ୍ବପତି ତାକୁ ମାତୃ ଗର୍ଭରେ ସ୍ଥାନ ଦେଲେ । ମାତୃ ଗର୍ଭରେ ଜୀବ ଥିଲା ବେଳେ ପରମାତ୍ମାଙ୍କୁ ଭଜୁଥିଲା ଓ କହୁଥିଲା ହେ ପ୍ରଭୁ , ଯଦି ମୋତେ ମର୍ତ୍ତ୍ୟ ମଣ୍ଡଳରେ ଜନ୍ମ ଦେବାର ସୁଯୋଗ ଦିଅନ୍ତି , ତେବେ ମୁଁ ଆପଣଙ୍କୁ ନିରନ୍ତର ଭଜୁଥିବି । ଜୀବ ଯେବେ ଶଶୁର ଘରକୁ ବୋହୂ ହୋଇ ଆସିଲା ଅର୍ଥାତ୍ ମର୍ତ୍ତ୍ୟରେ ଜନ୍ମ ଲାଭ କଲା , ସେତେବେଳେ ସେ ମାତୃ ଗର୍ଭରେ ଆପଣା ପତି ଅର୍ଥାତ୍ ପରମାତ୍ମାଙ୍କୁ ଦେଇଥିବା କଥା ଭୁଲିଗଲା । ସାଂସାରିକ ବନ୍ଧନରେ ବାଂଧି ହୋଇ ସମସ୍ତଙ୍କର ଆନନ୍ଦର କାରଣ ହେଲା ଓ ଆପଣା ପତିର ସଙ୍ଗେ ସଙ୍ଗ ଛାଡ଼ି ଅର୍ଥାତ୍ ନିଜ ପତି ବା ପରମାତ୍ମାଙ୍କୁ ଭୁଲି ସେ ସଂସାର ମୋହ ମାୟାରେ ପଡ଼ି ପରକୁ ଅର୍ଥାତ୍ ସଂସାରର ଲୋକମାନଙ୍କୁ ରସରେ ରସାଇଲା ଓ ନିଜର ଇଷ୍ଟଦେବ ସ୍ବାମୀଙ୍କୁ ସମ୍ପୂର୍ଣ୍ଣ ଭୁଲିଗଲା ।
● ତୃତୀୟ ପଦ :-
ପାଞ୍ଚ ଭଲ ଲୋକ ବୁଝାଇ କହିଲେ
ନ ବୁଝିଲା ବୋହୂ ତିଳେ
ଅନ୍ନ ପାଣି ବୋହୂ କିଛି ନ ଖାଇଣ
ରହିଛି ଶୂନ୍ୟ ଆହାରେ
● ଭାବାର୍ଥ :- ଗାଆଁର ପାଞ୍ଚ ଜଣ ଭଦ୍ର ଲୋକ ଆସି ବୋହୂକୁ ବୁଝାସୁଝା କଲେ, ଅର୍ଥାତ୍ ସେଇ ପାଞ୍ଚ ଭଦ୍ରଲୋକ ହେଲେ ପାଞ୍ଚ ମନ । ସେମାନେ ହେଲେ ମନ , ଅମନ , ବିମନ , କୁମନ ଓ ସୁମନ । ଶରୀର ରୂପକ ବୃକ୍ଷରେ ଆତ୍ମା ଓ ପରମାତ୍ମା ତଥା ଜୀବ ଓ ପରମ ରୂପରେ ଦୁଇଟି ପକ୍ଷୀ ବାସ କରନ୍ତି ଓ ଜାବ ଭୋକ୍ତା ରୂପେ କର୍ମଫଳ ଭୁଞ୍ଜୁଥାଏ । ଏ ପାଞ୍ଚ ମନ ଯେତେ ଚେଷ୍ଟା କଲେ ମଧ୍ଯ ବୋହୂ ସେମାନଙ୍କ କଥାକୁ ହେୟ କରିଥାଏ । ଅନ୍ନ ପାଣି ବୋହୂ ନ ଖାଇଣ ତଥା ଶୂନ୍ୟ ଆହାରେ ମାନେ ପରମାତ୍ମା ନିଲିପ୍ତ , ନିର୍ବିକାର ଓ ଅନଶନ ରହି ଜୀବର ଗତିବିଧି ଲକ୍ଷ୍ୟ କରନ୍ତି । ଭୋଗ , ଲାଳସା , କାମନା , ବାସନା ଆଦି ସାଂସାରିକ ମାୟା ତାକୁ ସ୍ପର୍ଶ କରି ପାରେ ନାହିଁ ।
ଏହି ଅର୍ଥରେ ଅତିବଡି ଜଗନ୍ନାଥ ଦାସ ଭାଗବତରେ ଲେଖିଲେ
"ଏକଇ ବୃକ୍ଷେ ହଂସ ଦୁଇ / ବସନ୍ତି ମିତ୍ର ଭାବ ବହି
ସମାନ ବୃକ୍ଷେ ସେ ବସନ୍ତି / ଏବେ ଆରକେ ନ ଦେଖନ୍ତି
ସେ ବୃକ୍ଷେ ଯେତେ ଫଳ ଫଳେ / ଏକ ଭୁଞ୍ଜଇ କର୍ମ ବଳେ
ଆରକେ ଥାଏ ଭବବାସେ / ନିର୍ଲିପ୍ତ ନିରଞ୍ଜନ ଆଶେ "
● ଚତୁର୍ଥ ପଦ :-
ପଚିଶ ନଣନ୍ଦ ଜଞ୍ଜାଳ କରନ୍ତି
ବୋହୂ ମୋର ବାରୁଆଳୀ
ବୋହୂ ଦୁରୁ ଦଣ୍ଡୀ ସହି ନ ପାରଇ
ବୁଲଇ ପଡ଼ିଶା ଓଳି
● ଭାବାର୍ଥ :- ଜୀବାତ୍ମା ରୂପୀ ବୋହୂର ପଚିଶ ନଣନ୍ଦ ହେଲେ , ପଚିଶ ପ୍ରକୃତି । ଅର୍ଥାତ୍ ଏକାଦଶ ଇନ୍ଦ୍ରିୟ + ଏକାଦଶ ବିଷୟ + ବୁଦ୍ଧି + ଅହଂ + ମହତ୍ = ୨୫ ପ୍ରକୃତି । ଏମାନେ ହେଲେ :- ନିଦ୍ରା , କ୍ଷୁଧା , ତୃଷ୍ଣା , ଆଳସ୍ୟ , ଆହାର , କ୍ରୋଧ , ଲୋଭ , କାମ , ହାସ୍ୟ , ଲଜ୍ଜା , ହିଂସା , ବୀରତ୍ବ , ବିଚାର , ବିଚଳିତ , ଶାନ୍ତି , ଅଶାନ୍ତି , କୁଟ , ଗନ୍ଧ , ରସ , ସ୍ପର୍ଶ , ବିତୃଷ୍ଣା , ଭୟ , ଅଭିମାନ , ଲାଳସା ଓ ମୈଥୁନ । ଏହି ନଣନ୍ଦ ମାନେ ବୋହୂକୁ ବାରୁଆଳୀ କରି ଆକ୍ଷେପ କରନ୍ତି । କିନ୍ତୁ ସେ ଦୁର୍ଦ୍ଦଣ୍ଡୀ ବୋହୂ ଏମାନଙ୍କ କଥାକୁ ଭ୍ରୁକ୍ଷେପ ନକରି ମୁକ୍ତ ଭାବେ ସବତ୍ର ଭ୍ରମଣ କରେ । ଅର୍ଥାତ୍ ଆତ୍ମା ଏକ ନିର୍ଦ୍ଧିଷ୍ଟ ଶରୀର ରୂପକ ଘରେ ଆବଦ୍ଧ ନ ରହି ଘଟରୁ ଘଟାନ୍ତର , ଦେହରୁ ଦେହାନ୍ତର ବୁଲୁଥାଏ ।
● ପଞ୍ଚମ ପଦ :-
ବୋହୂ ଗୋଟିକ ମୁଁ କରି ଆଣିଥିଲି
କାଉନ୍ଦା ଘରର ଝିଅ
ବାଞ୍ଝ କରକଟୀ ନୁହଁଇ ଲମ୍ପଟୀ
ବୋହୂ ଆଡେ ତିନି ପୁଅ
● ଭାବାର୍ଥ :- ମାତୃଜର ରୂପକ କାଉନ୍ଦା ଘରୁ ବୋହୂ ଆସିଛି । ସେ ବନ୍ଧ୍ୟା ବା ବାଞ୍ଝ ନୁହେଁ କି ମୃତ ବତ୍ସା ନୁହେଁ କି ଦୋଚାରୁଣୀ ବା ବ୍ୟାଭିଚାରଣୀ ମଧ୍ଯ ନୁହେଁ । କାରଣ ସେ ସତ୍ତ୍ବ ( ସାତ୍ତ୍ଵିକ ) ତମ ( ତାମସିକ ) ଓ ରଜ ( ରାଜସିକ ) ନାମକ ତିନି ସନ୍ତାନର ଜନନୀ । ପ୍ରତ୍ୟେକ ଜୀବର ଏହି ତିନୋଟି ଗୁଣ ଥାଏ । ଭାଗବତରେ ଏହାକୁ ତିନୋଟି ଦଉଡି ବୋଲି କୁହାଯାଇଛି । ଯେଉଁ ଦଉଡ଼ିକୁ ଧରି ପରମାତ୍ମା ଜୀବାତ୍ମାକୁ ନଚାଉଛନ୍ତି ।
" ତ୍ରିଗୁଣ ରଜୁ କରେ ଧରି / ମୃଗୀ ଚରାଏ ନରହରି "
● ଷଷ୍ଠ ଓ ଶେଷପଦ :-
ପୁଅ ବୋହୂ ଦୁହେଁ ଏକତ୍ର ହୋଇଲେ
ଚତୁବର୍ଗ ଫଳ ପାଇ
ରଘୁନାଥ ଦାସ ଭରସା କରିଛି
ବୋହୂକୁ ଭେଟିବା ପାଇଁ
● ଭାବାର୍ଥ :- ପୁଅ ବୋହୂଙ୍କର ମନ ମିଳିଲେ ଘର ବୈକୁଣ୍ଠରେ ପରିଣତ ହୋଇଯାଏ । ପୁଅ ବୋହୂଙ୍କର ଏକତ୍ର ଭେଟ ହେବା ଅର୍ଥ ଜୀବାତ୍ମା ସହ ପରମାତ୍ମାଙ୍କ ମିଳନ ହେବା । ଏହି ମିଳନ ହେଲେ ଚତୁବର୍ଗ ଫଳ ପ୍ରାପ୍ତି ହୋଇଥାଏ । ଅର୍ଥାତ୍ ଧର୍ମ , ଅର୍ଥ , କାମ ମୋକ୍ଷ ଲାଭ ହୋଇଥାଏ । ଏହାକୁ ପୁରୁଷାର୍ଥ ମଧ୍ଯ କୁହାଯାଏ । ମଣିଷ ଜନ୍ମ ସାର୍ଥକ ହୋଇଥାଏ । ବୋହୂକୁ ଭେଟିବା ପାଇଁ ଅପେକ୍ଷାରେ କବି ଅର୍ଥାତ୍ କବି ରଘୁନାଥ ଆତ୍ମସାକ୍ଷାତକାର ପାଇଁ ଆଶାୟୀ ହୋଇଛନ୍ତି । ଆତ୍ମା ପରମାତ୍ମା ମିଳନ ହୋଇଗଲେ ସେମାନେ ପୁରୁଣା ଘର ( ଶରୀର ) କୁ ଛାଡ଼ି ନୂଆ ଘର ( ନବକଳେବର ) କୁ ଚାଲିଯାଆନ୍ତି ।
" ଜୀବ ପରମ ଦୁହିଁଙ୍କର ବିଚାର / ଚାଲ ଏ ଘରୁ ହୋଇଯିବା ବାହାର "
~~~●~~~
✍ ସନ୍ତୋଷ ପଟ୍ଟନାୟକ ,ଗଞ୍ଜାମ ।
No comments:
Post a Comment