Monday, August 2, 2021

● ଡୋରା ●

#ଡୋରା 

          ଏକ ନିଘଞ୍ଚ ଜଙ୍ଗଲ। କିଚିରି ମିଚିରି ଶବ୍ଦରେ ଫାଟି ପଡୁଥିଲା ପୁରା ବନ ପ୍ରଦେଶ। ସେ ଭିତରେ ଶୁଣା ଯାଉଥିଲା ଆଉ ଗୋଟେ ସ୍ବର। କାହାର କାନ୍ଦିବାର ସ୍ବର। ଗୋଟେ ଝରଣା କୂଳରେ ଗୋଟେ ଟୋକେଇରେ ଗୋଟେ ନବ ଜାତ ଶିଶୁଟି ଶୋଇ ଭାରି ଆକୁଳରେ କାନ୍ଦୁଛି। 

         ସେହି ଝରଣା ପାଖ ଜଙ୍ଗଲରେ ଦଳେ ସିମ୍ପାଞ୍ଜି ରୁହନ୍ତି। ମନ ଆନନ୍ଦରେ ଡାଳକୁ ଡାଳ ଡେଇଁ ଖେଳି ବୁଲି ରୁହନ୍ତି। ସେମାନଙ୍କ ସାଙ୍ଗରେ ଆଉ କିଛି ହରୀଣ ଆଉ ହାତୀ ବି ରୁହନ୍ତି। ନିତି ସିମ୍ପାଞ୍ଜିମାନେ ସେଇ ଝରଣାକୁ ପାଣି ପିଇବା ପାଇଁ ଯା'ନ୍ତି । ସେଇ ଝରଣାର ପାଣି ଭାରି ମିଠା ଆଉ ଭାରି ଥଣ୍ଡା। ପାଣି ବି ପିଅନ୍ତି ଆଉ ତା'ର ପାଣିର ବର୍ଷାରେ କେବେ କେବେ ବି ଖେଳି ଆସନ୍ତି। 

         ସେଦିନ ଗୋଟେ ମାଇ ସିମ୍ପାଞ୍ଜି ସେହି ଝରଣାକୁ ପାଣି ପିଇବାକୁ ଯାଇଥାଏ। ସେ ସେଠି ପହଞ୍ଚିବା କ୍ଷଣି ଛୁଆ କାନ୍ଦିବାର ସ୍ବର ଶୁଣାଗଲା। ସେ ଆଶ୍ଚର୍ଯ୍ୟ ଭାବରେ ଥରେ ଚତୁର୍ଦିଗ ଆଖି ବୁଲେଇ ଆଣିଲା। ହେଲେ ତା' ଆଖିରେ କିଛି ପଡିଲା ନାହିଁ। ବାରମ୍ବାର ଯେତେବେଳେ ସେଇ କାନ୍ଦିବାର ସ୍ବର ଖାଲି ଶୁଣାଗଲା ସେ ପୁଣି ଖୋଜିବାକୁ ଲାଗିଲା। ଶେଷରେ ସେ ଯେଉଁ ପାଖରେ ଥିଲା ତାର ଆର ପାଖରେ ଗୋଟେ ଟୋକେଇରେ ଗୋଟେ ନବଜାତ ଶିଶୁଟି ଶୋଇ ଭାରି ଜୋରରେ କାନ୍ଦୁଛି।ନିରୀହ ଆଖି ଦୁଇଟିକୁ ଦେଖି ମାଇ ସିମ୍ପାଞ୍ଜିର ମାତୃ ହୃଦୟ ତରଳିଗଲା। ସେ ତାକୁ ଟୋକେଇରୁ ଉଠେଇ ହାତରେ ଧରିବା ହେଲେ ସିମ୍ପାଞ୍ଜିକୁ ଦେଖି ଛୁଆଟି ଭୟରେ ଆହୁରି କାନ୍ଦିବାକୁ ଲାଗିଲା। ସିମ୍ପାଞ୍ଜି ତାର କାନ୍ଦ ବନ୍ଦ କରିବା ପାଇଁ ସବୁପ୍ରକାର ଚେଷ୍ଟା କଲା ହେଲେ ସେ ପିଲାଟି ଚୁପ୍ ହେଉ ନଥାଏ । ତା'ପରେ ସେଇ ଝରଣା ପାଣିରୁ ଟିକେ ପାଣି ଆଣି ତାକୁ ପିଆଇବାକୁ ଦେବାରୁ ସେ ପୁରା ଚୁପ୍ ହୋଇଗଲା। ଏହାପରେ ସିମ୍ପାଞ୍ଜିଟି ତାକୁ ତା' ବସାକୁ ନେଇଗଲା । ସେଠି ଅନ୍ୟ ସିମ୍ପାଞ୍ଜି ମାନେ ଏହି ମଣିଷ ଛୁଆଟିକୁ ଦେଖି ଭାରି ଆଶ୍ଚର୍ଯ୍ୟ ହେଲେ। ତା' କଅଁଳ ମୁହଁକୁ ଦେଖି ସମସ୍ତେ କିନ୍ତୁ ଖୁସି ହୋଇଗଲେ। ମାଇ ସିମ୍ପାଞ୍ଜିଟି ତା' ନିଜ ଛୁଆ ପରି ଲାଳନ ପାଳନ କରିବାକୁ ଲାଗିଲା। ଆଉ ଅନ୍ୟମାନେ ବି ତାକୁ ଏଥିରେ ଖୁବ୍ ସାହାଯ୍ୟ କଲେ। ସବୁବେଳେ ତା' ପାଖେ ପାଖେ ରହି ତାର ଖୁବ୍ ଯତ୍ନ ନେଲେ। ତା'ର ନା'ଦେଲେ "ଡୋରା"। ସେହି ଜଙ୍ଗଲର ପାଣି ପବନରେ ଧିରେ ଧିରେ ସେହି ଛୁଆଟି ବଡ ହେବାକୁ ଲାଗିଲା। 

            ଚାହୁଁ ଚାହୁଁ ବିତିଗଲା ଦଶ ବର୍ଷ। ଥରେ ଜଙ୍ଗଲକୁ ଦଳେ ଲୋକମାନେ ଆସିଥା'ନ୍ତି । ବୁଲିବା ବାହାନାରେ ଅନ୍ୟ କିଛି ଉଦ୍ଦେଶ୍ୟ ନେଇ ଆସିଥା'ନ୍ତି। ସେମାନେ ସମସ୍ତେ ଥିଲେ ଗୋଟେ ସର୍କସ୍ ଦଳର ଲୋକମାନେ। ବିଭିନ୍ନ ଜୀବଜନ୍ତୁଙ୍କୁ ଜାଲ ଫଶେଇ ନେଇ ଯା'ନ୍ତି ଆଉ ସେମାନଙ୍କୁ ତାଲିମ୍ ଦେଇ ସର୍କସ୍ ଦେଖାନ୍ତି। 

            ସେଦିନ ବି ଏମିତି କିଛି ଉଦ୍ଦେଶ୍ୟରେ ଜଙ୍ଗଲରେ ବିଛେଇଥିଲେ କିଛି ଜାଲ। ସେଦିନ ଡୋରା ଜଙ୍ଗଲ ଭିତରେ ବୁଲୁଥାଏ। ବୁଲୁ ବୁଲୁ ତା'ର ପାଦ ଏହି ଜାଲରେ ଛନ୍ଦି ହୋଇଗଲା । ଆଉ ରସିରେ ତା' ପାଦ ବାନ୍ଧି ହୋଇ ଗଛରେ ଓଲଟା ଲଟକି ଗଲା। ସେ ସିମ୍ପାଞ୍ଜିଙ୍କ ଦଳ ଠାରୁ ବହୁତ ଦୂରକୁ ପଳେଇ ଆସିଥିବାରୁ ଯେତେ ଶବ୍ଦ କଲେ ମଧ୍ୟ କେହି ଶୁଣିଲେ ନାହିଁ। ଏଣେ ଲୋକମାନେ କିଛି ଗୋଟେ ଭଲ ପଶୁଟେ ତାଙ୍କ ହାବୁଡରେ ପଡିଛି ବୋଲି ଭାବି ଆସି ଯେବେ ଦେଖନ୍ତି ତ ଡୋରିକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। ଏ ଜଙ୍ଗଲରେ ଏ ଅଦ୍ଭୁତ ପିଲାକୁ ଦେଖି । ଡୋରା ବି ସେମାନଙ୍କୁ ଦେଖି ଆଶ୍ଚର୍ଯ୍ୟ ହେଉଥାଏ। ଖାଲି ମଟ ମଟ କରି ଚାହିଁଥାଏ। ତାକୁ ଓହ୍ଲାନ୍ତେ ଡୋରା ପରି ହିଂସ୍ର ପରି ସେମାନଙ୍କୁ ଆକ୍ରମଣ କରିବାକୁ ଚେଷ୍ଟା କଲା ହେଲେ ସମସ୍ତେ ମିଶି ତାକୁ କାବୁ କରିନେଲେ ଆଉ ଯନ୍ତାରେ ଭର୍ତ୍ତି କରି ସହରକୁ ନେଇଗଲେ। 

              ଏଣେ ଅନେକ ସମୟ ଯାଏଁ ଡୋରାକୁ ନ ପାଇବାରୁ ସିମ୍ପାଞ୍ଜି ଭାରି ବ୍ୟସ୍ତ ହୋଇ ଏଣେ ତେଣେ ଖୋଜିବାକୁ ଲାଗିଲେ । ହେଲେ ପାଇଲା ନାହିଁ। ଅନ୍ୟ ସାଥୀମାନେ ବି ତା'ସାଙ୍ଗରେ ଜଙ୍ଗଲ ସାରା ବହୁତ ଖୋଜିବାକୁ ଲାଗିଲେ। ହେଲେ ବି ଫଳ ଶୁନ୍। ଖୋଜୁ ଖୋଜୁ ସିମ୍ପାଞ୍ଜିଟି ସେଇ ଫାଶ ପାଖରେ ଆସି ପହଞ୍ଚିଲା, ଯେଉଁଠି ଡୋରା ଫଶି ଯାଇଥିଲା। ଆଉ ଛିଣ୍ଡା ଦଉଡିକୁ ଦେଖି ସିମ୍ପାଞ୍ଜି ସବୁ ବୁଝିପାରିଲା। ଆଉ ନିରାଶ ହୋଇ ସେହି ଛିଣ୍ଡା ଦଉଡିକୁ ଦେଖୁ ଦେଖୁ ସେଇଠି ବସି ପଡିଲା। କଷ୍ଟରେ ତା' ଆଖିରୁ ଦୁଇ ଟୋପା ଲୁହ ଝରି ପଡିଲା। ସେଇ ନୃଶଂସ ମଣିଷ ମାନେ ଯେ ତା' ଡୋରାକୁ ନେଇ ଯାଇଛନ୍ତି, ଏ କଥା ଭାବି ଭାରି କଷ୍ଟରେ କାନ୍ଦିବାକୁ ଲାଗିଲା। ଆଉ ନିଜ ମନର କୋହ ସମ୍ଭାଳି ନ ପାରି ଚିତ୍କାର କରି ଉଠିଲା। ଖୁବ୍ ଜୋର୍ ରେ ତା'ର ଏ କରୁଣ ଚିତ୍କାର ଶୁଣି ଅନ୍ୟ ସିମ୍ପାଞ୍ଜିମାନେ ଏକାଠି ହୋଇଗଲେ। ଆଉ ତାକୁ କୁଣ୍ଢେଇ ଧରି ତାକୁ ସାନ୍ତ୍ବନା ଦେବାକୁ ଲାଗିଲେ। ହେଲେ ବି ସେ ବେଦନା ସମ୍ଭାଳି ହେଉ ନଥାଏ। ପୁରା ସିମ୍ପାଞ୍ଜି ମହଲରେ ଗୋଟେ ଶୋକର ଛାଇ ଖେଳିଗଲା। ସବୁ ଜାଣିପାରି ବି ସେମାନେ ନିରାଶ। କିଛି କରିପାରୁ ନଥିଲେ କି ଡୋରାକୁ ଫେରାଇ ଆଣିବା ଅସମ୍ଭବ ଭଳି ମନେ ହେଲା।

                ଏଣେ ଡୋରାକୁ ସର୍କସ୍ ବାଲା ନେଇ ତାକୁ ବିଭିନ୍ନ ଯନ୍ତ୍ରଣା ଦେଇ ସେମାନଙ୍କ ନିୟନ୍ତ୍ରଣକୁ ନେଇ ଆସିଲେ। ଆଉ ତା' ପରେ ତା'ର ତାଲିମ୍ ଆରମ୍ଭ କଲେ । ଦିନ ଦିନ ପରେ ଗଡି ଚାଲିଥାଏ। ଆଉ ତାଲିମ୍ ମଧ୍ୟ କଠିନରୁ କଠିନ ହୋଇ ଚାଲିଥାଏ। ଡୋରା କିନ୍ତୁ ମନେ ମନେ ତା'ର ସିମ୍ପାଞ୍ଜି ମା' କୁ ଖୁବ୍ ଝୁରେ। ରାତିରେ ତାକୁ ମନେ ପକାଇ ଖୁବ୍ କାନ୍ଦେ। ଆଉ ତେଣେ ସିମ୍ପାଞ୍ଜି ମା' ଟି ମଧ୍ୟ ଖୁବ୍ ମନେ ପକାଏ। ଆଉ ସେ ଜାଗାକୁ ଯାଏ ଯେଉଁଠୁ ଡୋରାକୁ ଫସେଇ ନେଇଯାଇଥିଲେ। ସେଠି ଯାଇ ସେ ବସେ। ଡୋରା କଥା ମନେ ପକାଇ ଖୁବ୍ କାନ୍ଦେ। ଆଉ ମନ ବୁଝିଲା ପରେ ଫେରି ଆସେ। 

              ୟା ଭିତରେ ଡୋରା ସଂପୂର୍ଣ୍ଣ ତାଲିମ୍ ପ୍ରାପ୍ତ ଜୋକର୍ ହୋଇଯାଇଥାଏ। ସେ ଏବେ ଗୋଟେ ପରେ ଗୋଟେ ସର୍କସ୍ ରେ ଯାଇ ତାର ଚମତ୍କାର ପ୍ରଦର୍ଶନରେ ଲୋକମାନଙ୍କର ମନ ମୋହି ନିଏ। ଆଉ ଏତେ ମାତ୍ରାରେ ଦର୍ଶକମାନେ ପସନ୍ଦ କରନ୍ତି ଯେ ସେ ସର୍କସ୍ ଦଳର ଚାହିଦା ବି ଦିନକୁ ଦିନ ବଢିବାରେ ଲାଗିଥାଏ ଆଉ ସେମାନଙ୍କର ବେପାର ବି । ଏମିତି ଦିନ ପରେ ଦିନ ବିତି ଚାଲିଥାଏ। 

             ଥରେ ଗୋଟେ ସର୍କସ୍ ରେ ଶ୍ରୀ ନିଶିକାନ୍ତ ଚୌଧୁରୀ ନାମକ ବଡ ବ୍ୟବସାୟୀ ବସି ଦେଖୁଥା'ନ୍ତି। ସେଥର ମଧ୍ୟ ଡୋରା ତାର ଖେଳ ଦେଖାଉଥାଏ। ତାର ପ୍ରଦର୍ଶନରେ ଚୌଧୁରୀ ବାବୁ ଏତେ ମାତ୍ରାରେ ପ୍ରଭାବିତ ହୋଇଗଲେ ଯେ ସଂପୂର୍ଣ୍ଣ ବିଭୋର ହୋଇଗଲେ। ସର୍କସ୍ ସରିବା ପରେ ଚୌଧୁରୀ ବାବୁ ଯାଇ ସେହି ସର୍କସ୍ ର ମାଲିକଙ୍କୁ ଦେଖାକଲେ। ଆଉ ଡୋରାକୁ ସଂପୂର୍ଣ୍ଣ ରୂପେ ନିଜ ଘରକୁ ନେବା ପାଇଁ ପ୍ରସ୍ତାବ ଦେଲେ। ହେଲେ ସେ ମାଲିକଟି ସହଜରେ ରାଜି ହେଲା ନାହିଁ। ଏହାପରେ ଚୌଧୁରୀ ବାବୁ ମୋଟା ଅଙ୍କର ଟଙ୍କାର ପ୍ରଲୋଭନ ଦେଖାଇଲେ। ତଥାପି ବି ସେ ଲୋଭି ମାଲିକଟି ଗୋଟେ ସର୍ତ୍ତରେ ରାଜି ହେବ ବୋଲି ରାଜି ହେଲା। ଆଉ ସେ ସର୍ତ୍ତ ଥିଲା କି ଡୋରା ପ୍ରତି ସପ୍ତାହରେ ଗୋଟେ ଦିନ ଡୋରା ତାଙ୍କ ସର୍କସ୍ ରେ ଖେଳ ଦେଖାଇବ ଆଉ ଡୋରା କୁ ନେବା ବଦଳରେ ୧୦ ଲକ୍ଷ ଟଙ୍କା ନଗଦ ଦେବା ପାଇଁ ଚୁକ୍ତି ହେଲା। ଶେଷରେ ଚୌଧୁରୀ ବାବୁ ସେହି ଚୁକ୍ତି ପତ୍ରରେ ଦସ୍ତଖତ କରି ଡୋରାକୁ ସାଥୀରେ ନେଇଆସିଲେ। 

                  ଯେତେବେଳେ ଚୌଧୁରୀ ବାବୁ ଡୋରାକୁ ନେଇ ଘରେ ପହଞ୍ଚିଲେ ତାଙ୍କ ସ୍ତ୍ରୀ ଡୋରାକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ । ଆଉ ପଚାରିଲେ," ଏ କିଏ? କାହାକୁ ତୁମେ ସାଙ୍ଗରେ ନେଇ ଆସିଛ?" ଚୌଧୁରୀ ବାବୁ କହିଲେ," ତୁମ ପୁଅ ।" ଏତକ ଶୁଣି ଖୁସିରେ ବିଭୋର ହୋଇ ଶ୍ରୀମତୀ ସୁନନ୍ଦା ଡୋରାକୁ କୁଣ୍ଢେଇ ପକେଇଲେ। ନିଃସନ୍ତାନ ମାତୃ ହୃଦୟ ପ୍ରଥମ ଥର ପାଇଁ ସନ୍ତାନର ସ୍ପର୍ଶରେ ଆନନ୍ଦିତ ମନ ତାଙ୍କର ଅଶ୍ରୁରେ ଭରିଗଲା। ବହୁତ ଖୁସିରେ ଡୋରାକୁ ନିଜ ପୁଅ ପରି ସବୁ ସୁଖ ଦେଇ ପାଳନ କଲେ। ହେଲେ ଛୋଟ ବେଳୁ ଜଙ୍ଗଲରେ ହିଁ ବଢି ଆସିଥିବା ଡୋରା କେବେ କିଛି କହି ପାରେନି ଖାଲି ଯାହା ଅଦ୍ଭୁତ ଶବ୍ଦ କରେ । ହେଲେ ଏତେ ସୁଖ ପାଇ ବି କେବେ ଖୁସି ହୋଇପାରେନି। ସବୁଦିନ ପରି ସବୁ ରାତିରେ ବସି ସେ ତା' ମା' ସିମ୍ପାଞ୍ଜିକୁ ଖୁବ୍ ଝୁରେ ଆଉ ତା' ଜୀବନରେ ଘଟି ଚାଲିଥିବା ଘଟଣା ଗୁଡିକ ପାଇଁ ବି ଖୁବ୍ ମନସ୍ତାପ କରେ। 

               ଡୋରା ସବୁବେଳେ ମନ ମାରି ବସେ। ଯେତେ ଚେଷ୍ଟା କଲେ ବି ସେମାନେ ତାକୁ ଖୁସି କରାଇ ପାରନ୍ତି ନାହିଁ। ତେଣୁ ଭାବିଲେ ଡୋରାକୁ ନେଇ ବାହାରେ ବୁଲି ଆସିଲେ ବୋଧେ ତା ମନ ବଦଳିପାରେ। ଗୋଟେ ଦିନ ଚୌଧୁରୀ ବାବୁ ଆଉ ତାଙ୍କ ସ୍ତ୍ରୀ ଡୋରା ସହ ଗୋଟେ ଜଙ୍ଗଲ ବୁଲିବା ପାଇଁ ଗଲେ। ଆଉ ସେ ଜଙ୍ଗଲ ହିଁ ଥିଲା ଡୋରାର ପୂର୍ବ ଘର। ସେମାନେ ଗୋଟେ ଜିପ୍ ରେ ବସି ଜଙ୍ଗଲ ଭିତରେ ପଶିଲେ। ତା'ର ଘଡ ଘଡ ଶବ୍ଦରେ ପୁରା ନିସ୍ତବ୍ଧ ଜଙ୍ଗଲ ପ୍ରକମ୍ପିତ ହୋଇ ଯାଉଥିଲା। 

             ସବୁଦିନ ପରି ମା' ସିମ୍ପାଞ୍ଜିଟି ସେଇ ଯାଗାରେ ବସି ଡୋରାକୁ ମନେ ପକାଉଥାଏ। ହଠାତ୍ ତା' କାନରେ ଜିପ୍ ଶବ୍ଦ ଶୁଣାଗଲା। ସେ ବିଚଳିତ ହୋଇ ଉଠିଲା। ପୁଣି ଆଉ କେଉଁ ମଣିଷ ଆସି ତାଙ୍କ ସୁଖ ସଂସାରକୁ ଉଜାଡି ନ ଦେଉ ବୋଲି ରାଗରେ ଉଚ୍ଚ ଶବ୍ଦ କରି ତାର ସବୁ ସାଥୀ ମାନଙ୍କୁ ଡାକି ଏକାଠି କରାଇଦେଲା। ଆଉ ସମସ୍ତେ ମିଶି ସେଇ ଜିପ୍ କୁ ଆକ୍ରମଣ କରିବା ପାଇଁ ବାହାରିଲେ। ଯେତେବେଳେ ସେମାନେ ଡୋରାକୁ ସେଥିରେ ଦେଖିଲେ ସେଇଠି ହିଁ ସ୍ତବ୍ଧ ହୋଇଗଲା ସବୁକିଛି। ସାମ୍ନାରେ ନିଜ ମା' ସିମ୍ପାଞ୍ଜିକୁ ଦେଖି ତା' ଖୁସିର ସୀମା ରହିଲା ନାହିଁ । ସେ ଜିପ୍ ରୁ ବାହାରି ଦୌଡିଲା ତା' ମା' ସିମ୍ପାଞ୍ଜି ପାଖକୁ। ଆନନ୍ଦରେ କୁଣ୍ଢାଇ ପକାଇଲା ତାକୁ। ଅନେକ ଦିନର ଏ ବିଚ୍ଛେଦର କଷ୍ଟ ଖୁସିର ଲୁହ ହୋଇ ଝରିଗଲା ଦୁଇଜଣଙ୍କର ଆଖିରୁ। ମନ ଭରି ଗେଲ କରିଚାଲିଲା ଡୋରାକୁ ମା' ସିମ୍ପାଞ୍ଜିଟି। ବାକି ସମସ୍ତ ସିମ୍ପାଞ୍ଜି ମଧ୍ୟ ଖୁସିରେ କାନ୍ଦୁଥା'ନ୍ତି ସେ ଦୁଇଜଣଙ୍କର ଖୁସିର ମୁହୁର୍ତ୍ତକୁ ଦେଖି। ଏ ସବୁକୁ ଦେଖୁଥା'ନ୍ତି ଚୌଧୁରୀ ବାବୁ ଓ ତାଙ୍କ ସ୍ତ୍ରୀ। ଆଶ୍ଚର୍ଯ୍ୟ ଆଉ ଚକିତ । ସୁନନ୍ଦା ଦେବୀ ଏ ସବୁକୁ ସହ୍ୟ ନ କରିପାରି ଜିପ୍ ରୁ ବାହାରି ଡୋରାକୁ ଆଣିବା ପାଇଁ ଉଦ୍ୟତ ହୁଅନ୍ତେ ଅଟକାଇ ଦେଲେ ଚୌଧୁରୀ ବାବୁ। ଆଉ କହିଲେ," ତୁମେ ଏ କ'ଣ କରିବାକୁ ଯାଉଛ ସୁନନ୍ଦା???," " ଦେଖ ! ଏ ହେଉଛି ଆମ ଡୋରାର ପ୍ରକୃତ ଖୁସି। " 
          ଆନନ୍ଦ ବିଭୋରର ମୂହୁର୍ତ୍ତ ହିଁ ଥିଲା ସାମ୍ନାରେ । 

                                               -ଜ୍ୟୋତିର୍ମୟୀ ସାହୁ

No comments:

Post a Comment

ଦେଶ ନାସ୍ତି ମହୀତଳେ

ଦେଶ ନାସ୍ତି ମହୀତଳେ ତୁଙ୍ଗ-ଶିଖରୀ, କୁଞ୍ଜ-କାନନ, ପୁଣ୍ୟ-ଜଳଧି ର ତ୍ରିବେଣୀ ସଂଗମ ଆମ ଉତ୍କଳ l ପୂତ ପୟୋନିଧି ର ପବିତ୍ର ଜଳ ସ୍ପର୍ସ ରେ ପ୍ରତିଧୂଳି କଣା...