✍ ଉପସ୍ଥାପନା ; ରାଧାକୃଷ୍ଣ ବାୟକ
ପବିତ୍ର କାର୍ତ୍ତିକ ମାସରେ ଅନେକ ମଠ, ମନ୍ଦିର ତଥା ବ୍ୟକ୍ତି ବିଶେଷ ସ୍ଥାନରେ ବିଭିନ୍ନ ଧାର୍ମିକ ଅନୁଷ୍ଠାନ ଆୟୋଜନ କରାଯାଇଥାଏ। ଯେପରି ପ୍ରଭାତ କୀର୍ତ୍ତନ, ଭାଗବତ , ଶ୍ରୀରାମଚରିତ ମାନସ, ଗୀତା ଓ ଅନ୍ୟାନ୍ୟ ପୁରାଣ ଆଦିର ପାରାୟଣ ଅନୁଷ୍ଠିତ ହୋଇଥାଏ। ସେହିପରି ମାସବ୍ୟାପି ଆକାଶଦୀପ ପ୍ରଜ୍ଵଳିତ ମଧ୍ୟ ହୋଇଥାଏ। ତେବେ କାହିଁକି ଲଗାଯାଇଥାଏ ଆକାଶଦୀପ ଓ ଏହାର କଣ ରହିଛି କାରଣ ଆସନ୍ତୁ ଜାଣିବା :-
ସାଧାରଣତଃ କାର୍ତ୍ତିକ ମାସରେ ବିଭିନ୍ନ ମଠ, ମନ୍ଦିର ତଥା ଧାର୍ମିକ ସ୍ଥଳରେ ଆକାଶଦୀପ ଲଗାଯାଇଥାଏ। ବିଶ୍ବାସ ରହିଛି ଏହି ଆକାଶଦୀପ ଉର୍ଦ୍ଧ୍ବରେ ଲାଗିଲେ ଜୀବ ଉର୍ଦ୍ଧ୍ବମୁଖୀ ହୋଇ ଭଗବଦ ଚରଣାରବିନ୍ଦକୁ ପ୍ରାପ୍ତ କରିଥାଏ। ଏହାସହ ନିଜ ଭିତରେ ଜ୍ଞାନଗ୍ନି ପ୍ରଜ୍ଵଳିତ ହୋଇଥାଏ। ଏହାସହ ପିତୃଲୋକଙ୍କୁ ମଧ୍ୟ ଆଲୋକ ଓ ଶାନ୍ତି ପ୍ରାପ୍ତହୋଇ ଅମୃତ ଲୋକକୁ ଯିବାର ପଥ ପରିଷ୍କାର ହୋଇଥାଏ ବୋଲି ବିଶ୍ୱାସ କରାଯାଏ । ଯହେତୁ କାର୍ତ୍ତିକ ମାସ ହେଉଛି ସବୁ ମାସ ଠାରୁ ଶ୍ରେଷ୍ଠ ମାସ, ସେଥିପାଇଁ ଏହି କାର୍ତ୍ତିକ ମାସରେ ଏହି ଆକାଶଦୀପ ଲଗାଯାଇଥାଏ।
ସାଧାରଣ ଦୀପ ଲଗେଇବା ଠାରୁ ଆକାଶଦୀପ ଲଗେଇବା ଭିନ୍ନ ପ୍ରକାରର ହୋଇଥାଏ। ଏକ ମାଟି ହାଣ୍ଡିରେ କେତେକ ଛିଦ୍ର କରିବା ପରେ ସେଥିରେ ବାଲି ରଖାଯାଇଥାଏ। ଏହି ବାଲି ଉପରେ ଏକ ଦୀପ ରଖାଯାଇ ଅଗ୍ନି ସଂଯୋଗ କରାଯାଇଥାଏ। ଏହାପରେ ଏକ ମାଟି ଢାଙ୍କୁଣୀ ଦ୍ବାରା ଢଙ୍କଯାଇ ଶିକାରେ ରଖାଯାଏ।
ଏହି ଦୀପ ଶିକାକୁ ଏକ ଉଚ୍ଚ ବାଉଁଶରେ ବାନ୍ଧି ଉପରକୁ ଉଠାଯାଏ। ସାଧାରଣତଃ ଏହାକୁ ଏକ ରଶି ସାହାର୍ଯ୍ୟରେ ଉପରକୁ ଭିଡାଯାଏ। କାରଣ ପୁଣି ତେଲ ସରିଗଲେ ସେହି ରଶି ଦ୍ବାରା ଦୀପକୁ ତଳକୁ ଖସାଯାଇଥାଏ। ଏହା ପୁରା ରାତିସାରା ଜଳିବାର ବିଧି ରହିଛି।
ଏହି ଆକାଶ ଦୀପ ପରମ୍ପରା କାହିଁ କେଉଁ କାଳରୁ ପ୍ରଚଳିତ ହୋଇ ଆସୁଛି। ସଂଧ୍ୟାବେଳେ ବୟସ୍କା ମହିଳାମାନେ ଚଉଁରା ମୂଳେ ଏହି ଆକାଶଦୀପ ସ୍ଥାପନା କରିଥାନ୍ତି। ବିଶ୍ବାସ ରହିଛି ଯେ ଯାହାର ଆକାଶଦୀପ ଯେତେ ଉଚ୍ଚା ତାହାର ପୂଣ୍ୟର ମାତ୍ର ସେତେ ଅଧିକ ହେବ।
ଏଥିସହିତ ଆକାଶଦୀପର ଆଉ ଏକ କାରଣ ରହିଛି। ତାହା ହେଲା ମହାଳୟାରେ ଆମ ପୂର୍ବ ପୁରୁଷମାନେ ପୃଥିବୀପୃଷ୍ଠକୁ ଆସିଥାନ୍ତି ବା ଆମ ପରିବାର ସହ ସମ୍ପର୍କ ରଖି ଯିବାଆସିବା କରନ୍ତି । ଦୀପାବଳି ଦିନ ଦୀପଦାନ ତଥା ପିମ୍ପେଇର (କାଉଁରିଆ କାଠି ବା ଆଖୁରେ ତିଆରି) ଆଲୋକରେ ସେମାନେ ପିତୃ ଲୋକକୁ ଗମନ କରିଥାନ୍ତି । ସେଥିପାଇଁ ବହୁ ଉଚ୍ଚରେ ଏହି ଆକାଶଦୀପ ସେମାନଙ୍କୁ ବାଟ କଢାଇଥାଏ ବୋଲି ଏକ ଲୋକ ବିଶ୍ବାସ ମଧ୍ୟ ରହିଛି।
ବହୁ ସ୍ଥାନରେ କୁମାର ପୂର୍ଣ୍ଣିମା ଠାରୁ କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ମାସ ସାରା ଏହି ଦୀପ ଲଗାଯାଇଥାଏ। କେତେକ ସ୍ଥାନରେ ଅଁଳା ନବମୀ ପରେ ଏହି ଦୀପ ଲଗାଯାଇଥାଏ। ଯେଉଁ ସାଂସାରିକ ଲୋକ କାର୍ଯ୍ୟ ବ୍ୟସ୍ତତା ହେଉ ଅବା କୌଣସି କାରଣ ବଶତଃ ହେଉ ଅଧିକାଂଶ ପଞ୍ଚୁକ ପାଞ୍ଚଦିନ ଏହି ଆକାଶଦୀପ ସ୍ଥାପନ କରିଥାନ୍ତି।
ଆକାଶଦୀପ ଉତ୍କଳୀୟ ଜନ ଜୀବନକୁ ବହୁ ଭାବରେ ପ୍ରଭାବିତ କରି ଆସିଛି। ପ୍ରାଚୀନ ସାହିତ୍ୟ ଓ ଭଣତିରେ ଏହି ଆକାଶଦୀପକୁ ନେଇ ରହିଛି ଅନେକ ରଚନା। ଗ୍ରାମାଞ୍ଚଳରେ ସାଧାରଣତଃ ବିଧବାମାନେ କାର୍ତ୍ତିକ ହବିଷ କରିବା ସହିତ ସନ୍ଧ୍ୟାରେ ଚଉରାମୂଳେ ଆକାଶଦୀପ ଜାଳିବା ଏକ ବିଧି ଏବଂ ପରମ୍ପରା। ଯେଉଁଥିପାଇଁ ସେମାନଙ୍କ ହବିଷ ବେଭାରରେ ଆକାଶଦୀପ ପାଇଁ ସ୍ୱତନ୍ତ୍ର ଅର୍ଥର ବ୍ୟବସ୍ଥା ରହିଛି। ଏହା ସେମାନଙ୍କ ପାଇଁ ଏକ ସମ୍ମାନର ପ୍ରତୀକ ବୋଲି ମନେ କରାଯାଏ।
No comments:
Post a Comment