Saturday, December 18, 2021

ସମର୍ପଣ (topic - 115 ବଣମଲ୍ଲୀ ) quote #quot


ବଣର ମଲ୍ଲୀ ମୁଁ ବଣରେ ଫୁଟିଲି
      ଚହଟିଲି ଚଉଦିଗ 
ନାହିଁ କା ନଜର ନୁହେ ମୁଁ କାହାର
    ନାହିଁ ମୋର ଅହୋଭାଗ୍ଯ 
କିଏ କାହିଁ ମୋତେ ଭାବିବ ନିଜର
       ନାହିଁ କାହା ପ୍ରତି ରୋଷ  
ସୁମନଙ୍କ ମଧ୍ୟେ ନିଆରା ଗୁଣଟି
     ବାଣ୍ଟିଚାଲେ ମୋ ସୁବାସ 
               ‐ ରାଧା କୃଷ୍ଣ ବାୟକ

ମଲ୍ଲୀ,ଗୋଲାପର ସମ ନୁହେଁ ମୁହିଁ
       ବଣଫୁଲ ବଣମଲ୍ଲୀ ,
ହୃଦ ଉପବନ  ସୁମନ ସବୁକୁ
      ସମର୍ପିତ କରି ଦେଲି 
ହୃଦୟର ଭାଷା ଭାବ ଓ ଭାବନା
     ଲେଖୁଅଛି ଲେଖୁଥିବି
ବାଣ୍ଟୁଛି ବାଣ୍ଟିବି ମୋହରି ମହକ
       ଇଶ୍ଵରଙ୍କ ପଦ ସେବି 
           - ସନ୍ତୋଷ ପଟ୍ଟନାୟକ

ଦେହର ଦେଉଳ ଧୋଉବ ଧାଉଳ
      ଧରାରେ ପସରା ମେଲି
ବାସେ ମନ ଜିଣି ନିହାତି ନିଖୁଣି
       ବିମୋହିତି ବଣମଲ୍ଲୀ
ଅହଙ୍କାର ପଣ  ତୋର ମନ ପ୍ରାଣ
        ନଛୁଉଁ ବୋଲି ବିଧାତା
 ନୁହେଁ ଲୋକାରଣ୍ୟ  ଆଶ୍ରୟ ଅରଣ୍ୟ
         କାଳେ କାଳେ ଏହି କଥା
                  ‐ଦାଶରଥି ସାହୁ

ବାସ ଚହଟାଇ ସାଜୁ ପ୍ରାଣ ସହି 
      ଅରଣ୍ୟେ ତୁ ପ୍ରିୟ ବଲ୍ଲୀ 
ଲୋକ ଲୋଚନକୁ ଆସିବା ଆଗରୁ 
      ବଣେ ଲୋଟୁ ବଣମଲ୍ଲୀ
ତଥାପି ତୋହର ବାସ୍ନାରେ ବିଭୋର 
      ଲଭୁ କୋଟି ଜନ ମନ 
ପ୍ରକୃତି କାନନେ ଶୁଭ୍ର କାନ୍ତି ଦେଇ
      ଗଢ଼ିଲେ ସେ ବିଶ୍ୱପ୍ରାଣ 
             - ପ୍ରବୀର ମଲ୍ଲିକ

ଧବଳ ବର୍ଣ୍ଣ  ଅତି ସୁନ୍ଦର 
    ସୁବାସ ମନୋହର 
ବନ ବାସୀଙ୍କ  ଅତ୍ୟନ୍ତ ପ୍ରିୟ 
   ବଣମଲ୍ଲୀ ନା' ତାର 
ଉଠଇ ଫୁଟି କାନନ ମଧ୍ୟେ 
    ଅଧରେ ନେଇ ହସ 
ପଡ଼ଇ ଲୋଟି ମଧ୍ୟାହ୍ନ ହେଲେ 
     ଜୀବନ  ହୁଏ ନାଶ 
               - ଟୁକୁନା ସାହୁ

ସଭ୍ୟ ସମାଜକୁ ଆସିବା ଆଗରୁ
     ଫୁଟି ଯେ' ମଉଳି ଯାଏ
ବଣମୁଲକର ବାସ୍ନାୟିତ ଫୁଲ
      ବଣମଲ୍ଲୀ ପରା ସିଏ 
ଅଲୋଡ଼ା ଆଦରେ  ସଦା ହସୁଥାଏ
     କୋଟି ଜନ ମନ କିଣି
ପ୍ରକୃତି କାନନେ ମହକ ସେ' ବାଣ୍ଟେ
       ସୌନ୍ଦର୍ଯ୍ୟ ପସରା ବୁଣି 
               - ରାମ ଚନ୍ଦ୍ର ପ୍ରଧାନ

ବାରିବାକୁ ନାହିଁ  ବାସନା କିଏ ମୋ
       ତୋଳିବାକୁ ନାହିଁ ମାଳି
ଦେବା-ଦେବୀ କାର୍ଯ୍ଯେ ଲାଗିବା ପାଇଁକା
      ଆସେନା କେବେ ମୋ ପାଳି
ବଣରେ ଫୁଟି ମୁଁ'  ବଣରେ ମଉଳେ
         ପବନରେ ହଲି ହଲି
ଆଲୋଡା  ଅଖୋଜା ଅଭାଗିନୀ ମୁହିଁ
          ନାଆଁ ମୋର ବଣମଲ୍ଲୀ 
                      - ରବିନ୍ଦ୍ର ସାହୁ

ଧୋବ ଫର ଫର ରୂପଟି ମୋହର
       ନାମ ମୋର ବଣମଲ୍ଲୀ
ସକାଳରୁ ଫୁଟି   ମଧ୍ଯାହ୍ନ ବେଳକୁ 
         ବଣରେ ଯାଏ ମଉଳି
ଅଲୋଡ଼ା ଜୀବନ  ନାହିଁ ଜନାଦୃତ 
     ନାହିଁ ମନେ ମୋର ଗର୍ବ 
କେଉଁ ଅଭିଶାପେ ନାହିଁ ବିଭୁ ସେବା 
      ପ୍ରକୃତିକୋଳ ମୋ' ସ୍ବର୍ଗ
                - ଜଗବନ୍ଧୁ ସାହୁ

No comments:

Post a Comment

ଦେଶ ନାସ୍ତି ମହୀତଳେ

ଦେଶ ନାସ୍ତି ମହୀତଳେ ତୁଙ୍ଗ-ଶିଖରୀ, କୁଞ୍ଜ-କାନନ, ପୁଣ୍ୟ-ଜଳଧି ର ତ୍ରିବେଣୀ ସଂଗମ ଆମ ଉତ୍କଳ l ପୂତ ପୟୋନିଧି ର ପବିତ୍ର ଜଳ ସ୍ପର୍ସ ରେ ପ୍ରତିଧୂଳି କଣା...