● ଧର୍ମପତ୍ନୀ - 116
ସାତ କଳସ କୁ ଆଠ ଦୀପ ସାକ୍ଷୀ
ଦଶ ଦିଗପାଳ ବରଣ
ଦଶ ଦୋଷ ଯେତେ କ୍ଷମା କରିପୁଣି
କଲି ଯା ପାଣି ଗ୍ରହଣ
ଧର୍ମପତ୍ନୀ ରୂପେ ସହଧର୍ମିଣୀ ସେ
ଗୃହ ଲକ୍ଷ୍ମୀ ଅର୍ଦ୍ଧାଙ୍ଗୀନୀ
ସୁଖରେ ଦୁଃଖରେ ସହ ଭାଗୀତାରେ
ସେ ହୁଏ ଅଙ୍କଶାୟିନୀ
- ପ୍ରବୀର ମଲ୍ଲିକ୍
ବିଶ୍ୱାସ ଭରସା ସାହସ ଯୋଗାଇ
ଦୂରେ ଯେ' ସକଳ ବ୍ୟଥା
ଧର୍ମପତ୍ନୀ ପରା ଅଟଇ ତ' ସିଏ
ଏକଥା ନୁହେଁ ଅନ୍ୟଥା
ଅର୍ଦ୍ଧାଙ୍ଗିନୀ ସାଜି ସଜାଏ ଜୀବନ
ନ ରଖି ଛନ୍ଦ କପଟ
ସାତ ଜନମର ସାଥିଟିଏ ହୋଇ
ଚାଲେ ଏ ସଂସାର ବାଟ
- ରାମ ଚନ୍ଦ୍ର ପ୍ରଧାନ
ଅଗ୍ନି ସାକ୍ଷୀ ଥାଇ ଧରିଛି ହାତ
ଜୀବନ ସାଥୀ ସେ ମାନ-ମହତ
କରମେ ଧରମେ ସେ ଏକା ସାଥି
ତେଣୁ ବୋଲାଏ ସେ ଧରମପତ୍ନୀ
ଓଷା ବ୍ରତ ଫଳ ସ୍ବାମୀକୁ ଦେଇ
ଧରମର ପଥେ ଠିଆ କରଇ
ଅର୍ଦ୍ଧାଙ୍ଗିନୀ ସିଏ ଏହି ଜନ୍ମର
ସାତ ଜନ୍ମ ଯାଏଁ ସାଥି ଆମର
- ସନ୍ତୋଷ ପଟ୍ଟନାୟକ
ଧର୍ମ କାର୍ଯ୍ୟ କରେ ସାଥେ
ବୋଲାଇ ସହଧର୍ମିଣୀ
ଗୃହ କାର୍ଯ୍ୟ କରେ ନିତ୍ୟ
ନାମ ତାହାର ଘରଣୀ
ଅର୍ଦ୍ଧ ଅଙ୍ଗ ପ୍ରାୟ ସେହୁ
ନାମ ତାର ଅର୍ଦ୍ଧାଙ୍ଗିନୀ
ବଂଶଜ୍ବଳେ କୂଳବଧୂ
ଗୃହର କର୍ମେ ଗୃହିଣୀ
- ଟୁକୁନା ସାହୁ
ଧରମ ଧାରାରେ ଧନ ଏ ଧରରେ
ଧରିତ୍ରୀ ପରାଏ ଜଣେ
ଧର୍ଯ୍ଯ ସହକାରେ ଭାରକୁ ଆବୋରେ
ଧନ୍ଯ ଧର୍ମପତ୍ନୀ ପଣେ
ଧାବମାନ କେବେ ଧିରସ୍ଥିର ଭବେ
ଧିମାଏ ନାହିଁ ଧାରଣା
ଧନ ନୁହେଁ ବଳ ଧରମ ସକଳ
ଧନ୍ୟ ବିହିଙ୍କ ଭିଆଣା
- ଦାଶରଥି ସାହୁ
ସମ୍ପର୍କ ଅମର ଯୁଗ ଯୁଗାନ୍ତର
ଯୋଡ଼ି ରାମ ସୀତାଙ୍କର
ଧୃତରାଷ୍ଟ୍ର ସହଧର୍ମିଣୀ ଗାନ୍ଧାରୀ
ମୁକସାକ୍ଷୀ ଯେ ଦ୍ବାପର
ସୁଖରେ ଦୁଃଖରେ ସମ ଭାଗିଦାରୀ
ନଥିଲା ହେ ଅହଙ୍କାର
ଧର୍ମପତ୍ନୀ ଯଦି ମିଳେ ଗୁଣମତୀ
ଘର ହେବ ସ୍ବର୍ଗପୁର
- ରାଧା କୃଷ୍ଣ ବାୟକ
ଦଶ ଦିଗପାଳ ସାଥେ ଅଗ୍ନି ସାକ୍ଷୀ
ଦଶ ଦୋଷ କ୍ଷମା ବିଧି
ଜନ୍ମ ଜନ୍ମାନ୍ତର ସାଥି ହୁଏ ପୁଣି
ତ୍ୟାଗଇ ଆପଣା ନିଧି
ମାଟି ବେଦୀ ପରେ ସାତଟି କଳସୀ
ବ୍ରାହ୍ମଣ ପଢ଼ଇ ମନ୍ତ୍ର
ନୂତନ ଜୀବନ ପ୍ରାରମ୍ଭ ନିମନ୍ତେ
ଅଟେ ଏ ବିଧି ସ୍ବତନ୍ତ୍ର
- ଜଗବନ୍ଧୁ ସାହୁ
ସଂସାର ଗାଡିକୁ ଆଗକୁ ନେବାକୁ
ସାଥୀ ହୋଇ ଯିଏ ଆସେ
ସୁଖରେ ଦୁଃଖରେ ବିପଦେ ଆପଦେ
ସଦା ରହେ ଯିଏ ପାଶେ
ଆଜୀବନ ଯିଏ ଦେବତା ବୋଲିକା
ସ୍ବାମୀକୁ ହୃଦୟୁ ପୂଜେ
ମମତା ବରଷି ସ୍ନେହକୁ ପରଷି
ସ୍ବାମୀର ମନକୁ ବୁଝେ
ଧର୍ମପଥେ ପଥ ପ୍ରଦର୍ଶିକା ହୋଇ
ମଙ୍ଗଳ ପାଞ୍ଚଇ ନିତି
ଧର୍ମ ସାଥେ ଥାଏ ବୋଲି ଧର୍ମପତ୍ନୀ
ଆଜୀବନ ରଖେ ପ୍ରୀତି
- ରବିନ୍ଦ୍ର ସାହୁ
No comments:
Post a Comment