Thursday, July 11, 2024

■ ଓଡ଼ିଆ ଭାଗବତ ■

ଓଡ଼ିଆ ଭାଗବତ 
✍🏼 ଜଗନ୍ନାଥ ଦାସ 
ପ୍ରଥମ ସ୍କନ୍ଧ, ପ୍ରଥମ ଅଧ୍ୟାୟ
ଓଁ ନମୋ ଭଗବତେ ବାସୁଦେବାୟ ।
ବାଗୀଶା ଯସ୍ୟ ବଦନେ ଲକ୍ଷ୍ମୀର୍ଯସ୍ୟ ଚ ବକ୍ଷସି ।
ଯସ୍ୟାସ୍ତେ ହୃଦୟେ ସମ୍ୱିତ୍ ତଂ ନୃସିଂହ‌ମହଂ ଭଜେ ॥୧
ବିଶ୍ୱସର୍ଗବିସର୍ଗାଦିନବଲକ୍ଷଣଲକ୍ଷିତମ୍
ଶ୍ରୀକୃଷ୍ଣାଖ୍ୟଂ ପରଂଧାମ ଜଗଦ୍ଧାମ ନମାମି ତ‌ତ୍ ॥୨
ମାଧବୋ ମାଧବାବୀଶୌ ସର୍ବସିଦ୍ଧିବିଧାୟିନୌ ।
ବନ୍ଦେ ପରସ୍ପରାତ୍ମାନୌ ପରସ୍ପରନତିପ୍ରିୟୌ ॥୩
ମୂକଂ କରୋତି ବାଚାଳଂ ପଙ୍ଗୁଂ ଲଙ୍ଘ‌ୟତେ ଗିରିମ୍ ।
ଯତ୍ କୃପା ତମ‌ହଂ ବନ୍ଦେ ପରମାନନ୍ଦ ମାଧବମ୍ ॥୪
ଯଂ ବ୍ରହ୍ମାବରୁଣେନ୍ଦ୍ରରୁଦ୍ରମରୁତଃ ସ୍ତୁନ୍ୱନ୍ତି ଦିବ୍ୟୈଃ ସ୍ତବୈ ।
ର୍ବେଦୈଃ ସାଙ୍ଗପଦକ୍ରମୋପନିଷଦୈ ର୍ଗାୟନ୍ତି ଯଂ ସାମଗାଃ ।
ଧ୍ୟାନାବସ୍ଥିତ‌ତଦ୍‌ଗତେନ ମନସା ପଶ୍ୟନ୍ତି ଯଂ ଯୋଗିନୋ
ଯସ୍ୟାନ୍ତଂ ନ ବିଦୁଃ ସୁରାସୁରଗଣା ଦେବାୟ ତସ୍ମୈ ନମଃ ॥୫
ନାରାୟଣଂ ନମସ୍କୃତ୍ୟ ନରଂ ଚୈବ ନରୋତ୍ତମ‌ମ୍ ।
ଦେବୀଂ ସ‌ରସ୍ୱତୀଂ ବ୍ୟାସଂ ତ‌ତୋ ଜୟମୁଦୀରୟେତ୍ ॥୬
ଜନ୍ମାଦ୍ୟସ୍ୟ ଯତୋଽନ୍ୱୟାଦିତରତଶ୍ଚାର୍ଥେଷ୍ୱଭିଜ୍ଞଃ ସ୍ୱରାଟ୍
ତେନେ ବ୍ରହ୍ମହୃଦା ଯ ଆଦିକବୟୋ ମୁହ୍ୟନ୍ତି ଯତ୍ ସୁରୟଃ ।
ତେଜୋ ବାରିମୃଦାଂ ଯଥା ବିନିମୟୋ ଯତ୍ର ତ୍ରିସର୍ଗୋଽମୃଷା
ଧାମ୍ନା ସ୍ୱେନ ସଦା ନିରସ୍ତକୁ‌ହକଂ ସତ୍ୟଂ ପରଂ ଧୀମହି ॥୭
ଧର୍ମଃ ପ୍ରୋଜ୍‌ଝିତକୈତବୋଽତ୍ର ପରମୋ ନିର୍ମତ୍ସରାଣାଂ ସତାଂ
ବେଦ୍ୟଂ ବାସ୍ତବମତ୍ର ବସ୍ତୁ ଶିବଦଂ ତାପତ୍ରୟୋନ୍ମୂଳନ‌ମ୍ ।
ଶ୍ରୀମଦ୍‌ଭାଗବତେ ମହାମୁନିକୃତେ କିମ୍ୱା ପରୈରୀଶ୍ୱରଃ
ସଦ୍ୟୋ ହୃଦ୍ୟବରୁଧ୍ୟତେଽତ୍ର କୃତିଭିଃ ଶୁଶ୍ରୂଷୁଭିସ୍ତ‌ତ୍‌କ୍ଷଣାତ୍ ॥୮
ନିଗମକଳ୍ପତରୋର୍ଗଳିତଂ ଫଳଂ ଶୁକମୁଖାଦମୃତଦ୍ରବସଂଯୁତମ୍ ।
ପିବତ ଭାଗବତଂ ରସମାଳୟଂ ମୁହୁରହୋ ରସିକା ଭୁବି ଭାବୁକାଃ ॥୯

ଗୋବିନ୍ଦ ଗୋବିନ୍ଦ ଗୋବିନ୍ଦ। ପଦୁ ଗଳୁଛି ମକରନ୍ଦ॥
ସେ ମକରନ୍ଦ ପାନ କରି। ଏଣେ ତରିଲେ ବ୍ରଜ ନାରୀ॥
ସେ ବ୍ରଜ ନାରୀଙ୍କ ପୟରେ। ମନ ମୋ ରହୁ ନିରନ୍ତରେ॥
ମନ ମୋ ନିରନ୍ତରେ ଥାଉ। ହା କୃଷ୍ଣ ବୋଲି ଜୀବ ଯାଉ॥
ହା କୃଷ୍ଣ ବୋଲି ଯାଉ ଜୀବ। ମୋତେ ଉଦ୍ଧର ବାସୁଦେବ॥

#ଶ୍ରୀ_ଗଣେଶାୟ_ନମଃ 

ନମଇଁ ନୃସିଂହ ଚରଣ । ଅନାଦି ପରମ କାରଣ ॥୧
ଯା ବିନୁ ଆଦି ମଧ୍ୟ ଅନ୍ତ । ବିଚାରେ ନ ଘଟେ ଜଗତ ॥୨
ଇନ୍ଦ୍ରିୟ ଅର୍ଥ ଯେ ଜାଣଇ । ସ୍ୱତେଜେ ନିତ୍ୟ ପ୍ରକାଶଇ ॥୩
ଆନନ୍ଦମନେ ବେଦସାର । ବ୍ରହ୍ମାଣ୍ଡେ ଯେ କଲା ବିସ୍ତାର ॥୪
ଯାର ସ୍ୱରୂପ ହୃଦେ ଚିନ୍ତି । ବେଦପୁରୁଷେ ନ ଜାଣନ୍ତି ॥୫
ମୃତ୍ତିକା ବିକାର ଯେମନ୍ତ । ଜଳରେ ହୁଅଇ କଳ୍ପିତ ॥୬
ଜଳେ ଉପଳ ବୁଦ୍ଧି କରି । ମୃଗତୃଷ୍ଣାରେ ଯେହ୍ନେ ବାରି ॥୭
ରୂପ ଅରୂପ ସ୍ଥିତି ତିନି । ଯାର ଗୋଚରେ ଅନୁମାନି ॥୮
ସ୍ୱଭାବେ ନୋହେ ସେ ଏମନ୍ତ । ଏ ସାଂଖ୍ୟଯୋଗୀଙ୍କର ମତ ॥୯
ଆତ୍ମ ପ୍ରକାଶେ ସଦା ଥାଇ । ନିରସ୍ତ କୁହକ ବୋଲାଇ ॥୧୦
ସତ୍ୟପରମାନନ୍ଦ ହରି । ଯାହାର ଭାବେ ଭବୁ ତରି ॥୧୧
ଏମନ୍ତେ ସତ୍ୟ ରୂପ ଯାର । ତା ପାଦେ ମୋର ନମସ୍କାର ॥୧୨
ତାର ଚରଣେ ନିତ୍ୟେ ଧ୍ୟାନ । କରି ତରନ୍ତି ସର୍ବଜନ ॥୧୩
ସେ କୃଷ୍ଣପାଦ ହୃଦେ ଧରି । ପ୍ରବନ୍ଧେ ଗୀତନାଦ କରି ॥୧୪
ଅଶେଷ ଜଗତର ହିତେ । ବର୍ଣ୍ଣଇ ଦାସ ଜଗନ୍ନାଥେ ॥୧୫
ନିର୍ମଳ ମୁନିଙ୍କର ମତେ । ହରି-ଚରିତ ଭାଗବତେ ॥୧୬
କହିବି ଅଛି ଯେତେ ଗୁଣ । ସୁଜନେ ସାବଧାନେ ଶୁଣ ॥୧୭
ନାହିଁ ତାହାଙ୍କ ଅହଙ୍କାର । ସହିଷ୍ଣୁ ଭୂତେ ଦୟାପର ॥୧୮
କପଟ ଧର୍ମ ଯାର ନାହିଁ । ସ୍ୱଭାବେ ଶାସ୍ତ୍ର ସେ ବୋଲାଇ ॥୧୯
ସେ ସାଧୁଜନଙ୍କର ଧର୍ମ । ମାୟାବର୍ଜିତ ଶୁଦ୍ଧକର୍ମ ॥୨୦
ତାଙ୍କ ବିଚାରେ ଧର୍ମ ଯେତେ । ଶୁଣ କହିବା ଦୃଢ଼ଚିତ୍ତେ ॥୨୧
ଲକ୍ଷ୍ୟ ଅଲକ୍ଷ୍ୟ ଯେତେ ପ୍ରାଣୀ । ବୋଧ ବିଚାରେ ପରିମାଣି ॥୨୨
ସେ ଧର୍ମ ଯହିଁ ଅନୁମାନି । ଏଣେ ସଂସାରେ ଯେତେ ଜ୍ଞାନୀ ॥୨୩
ସେ ବସ୍ତୁ ଅଛି ଯହିଁ ପୂରି । ଯାହା ଚିନ୍ତନ୍ତି ବ୍ରହ୍ମଚାରୀ ॥୨୪
ଶ୍ରବଣ ମାତ୍ରେ ମୋକ୍ଷ ପାଇ । ତାପତ୍ରିତପ କ୍ଷୟ ଯାଇ ॥୨୫
ହୃଦୟେ ବସଇ ତକ୍ଷଣ । ଅନାଦି ପ୍ରଭୁ ନାରାୟଣ ॥୨୬
ଏଣୁ ଅଧିକ ଅନ୍ୟ ଗ୍ରନ୍ଥେ । କି ପ୍ରୟୋଜନ ଏ ଜଗତେ ॥୨୭
ଏଣୁ ଏ ଭାଗବତ ଯେହି । ଶ୍ରବଣମାତ୍ରେ ଭକ୍ତି ହୋଇ ॥୨୮
ଏ ଭାଗବତର ମହିମା । କେ ଚିନ୍ତି ପାରେ ଗୁଣସୀମା ॥୨୯
ସକଳ ଶାସ୍ତ୍ରଫଳ ଏହି । ଶ୍ରୀଭାଗବତ ନାମ ଯେହି ॥୩୦
ସକଳ ବେଦ ହୋଇ ବୃକ୍ଷେ । ଫଳ ଫଳିଲେ ଅନ୍ତରୀକ୍ଷେ ॥୩୧
କେତେହେଁ ଦିନେ ପାଚି ତଳେ । ବୃକ୍ଷୁ ପଡ଼ିଲେ ବାୟୁବଳେ ॥୩୨
ଶୁକ ଧାଇଁଲେ ତାହା ଦେଖି । ପକ୍ଷୀଙ୍କ ସଙ୍ଗତ ଉପେକ୍ଷି ॥୩୩
ତୋଷେ ଅଧର କ୍ଷତ କଲା । ଭିତରେ ସୁରଙ୍ଗ ଦିଶିଲା ॥୩୪
ତହୁଁ ଗଳିଲା ରସସାର । କି ଅବା ଦେବା ପଟାନ୍ତର ॥୩୫
ଅମୃତ ନିନ୍ଦେ ସ୍ୱାଦୁ ପଣେ । ସୁଜନେ ପିବ ଅନୁକ୍ଷଣେ ॥୩୬
ଆନନ୍ଦେ କର ସୁଧାପାନ । ଯେଣେ ପାଇବ ଦିବ୍ୟଜ୍ଞାନ ॥୩୭
ଏ ଚାରିବେଦଙ୍କର ମୂଳ । ନିଗମବୃକ୍ଷର ଏ ଫଳ ॥୩୮
ପିବ ଜୀବନ ଅନ୍ତଯାଏ । ଯେବେ ବଞ୍ଚିବ ମାୟାମୋହେ ॥୩୯
ଏବେ ହୋ ଶୁଣ ସାଧୁଜନେ । ହରିଚରିତ ଶୁଦ୍ଧମନେ ॥୪୦
ସର୍ବଦେବଙ୍କ ରମ୍ୟସ୍ଥାନ । ନାମ ଯେ ନୈମିଷଅରଣ୍ୟ ॥୪୧
କଳିର ଆଗମନ ଦେଖି । ମୁନିଏ ସ୍ଥାନ ଉପଲକ୍ଷି ॥୪୨
ଶୌନକ ଆଦି ମୁନିଗଣେ । ମିଳିଲେ ନୈମିଷ ଅରଣ୍ୟେ ॥୪୩
କଳି-କଳୁଷ ଭୟ କରି । ମୁନିଏ ଏକାନ୍ତେ ବିଚାରି ॥୪୪
ସଂକଳ୍ପ କରି ଏତ ତୁଲେ । ସହସ୍ର-ଯଜ୍ଞ ଆରମ୍ଭିଲେ ॥୪୫
ଜାଣନ୍ତି ଶୁଭପ୍ରଦ ବାଞ୍ଛା । ସ୍ୱର୍ଗାଦିଲୋକେ କଲେ ଇଚ୍ଛା ॥୪୬
ସକଳେ ମିଳି ପ୍ରାତଃକାଳେ । କର୍ମ ସମ୍ପାଦିଲେ ଅନଳେ ॥୪୭
ସୂତମୁନିଙ୍କି ପୂଜା କରି । ବସିଲେ ସକଳେ ଆବୋରି ॥୪୮
ସକଳମୁନି ଶୁଦ୍ଧମନେ । ପୁଚ୍ଛିଲେ ଅମୃତ-ବଚନେ ॥୪୯
ଋଷିଗଣ ଉବାଚ
ହେ ସୂତ ଶୁଣ ସାବଧାନେ । ତୁମ୍ଭ ମହିମା ଅନୁମାନେ ॥୫୦
ସର୍ବ-ପୁରାଣ ଇତିହାସ । ଶୁଣିଲୁ ତୁମ୍ଭର ସକାଶ ॥୫୧
ସଂସାରେ ଧର୍ମଶାସ୍ତ୍ର ଯେତେ । ସର୍ବ ଗୋଚର ତୁମ୍ଭମତେ ॥୫୨
ବେଦବିଦଙ୍କ ମଧ୍ୟେ ଶ୍ରେଷ୍ଠ । ଯେ ବ୍ୟାସମୁନି ତପୋନିଷ୍ଠ ॥୫୩
ତାହାଙ୍କ ଶିଷ୍ୟ ଅଟ ତୁମ୍ଭେ । ଏ କଥା ଭଲେ ଜାଣୁ ଆମ୍ଭେ ॥୫୪
ପୂର୍ବେ ଯେ ଥିଲେ ବ୍ରହ୍ମମୁନି । ତାଙ୍କ ବଚନ ତୁମ୍ଭେ ଶୁଣି ॥୫୫
ସକଳ ଶାସ୍ତ୍ର ତୁମ୍ଭ ତହିଁ । ବେଦପୁରାଣେ ଯେତେ କହି ॥୫୬
ବ୍ୟାସଙ୍କ ଅନୁଗ୍ରହ ଘେନି । ସକଳ ଶାସ୍ତ୍ରେ ତୁମ୍ଭେ ଜ୍ଞାନୀ ॥୫୭
ଦଇବେ ଅଛି ଏହି ମତ । ଯେ ଶିଷ୍ୟ ଗୁରୁରେ ଭକତ ॥୫୮
ଶିଷ୍ୟ ଭକ୍ତିରେ ଦୟା ବହେ । ସକଳ ଗୂଢ଼ତତ୍ତ୍ୱ କହେ ॥୫୯
ଏଣୁ ବ୍ୟାସଙ୍କ ଶିକ୍ଷା ଯେତେ । ପ୍ରକାଶ ଆମ୍ଭର ଅଗ୍ରତେ ॥୬୦
ନିଶ୍ଚେ ଏକାନ୍ତ ଶ୍ରେୟ ଯେତେ । ଏ ଜୀବ ତରିବ ଯେମନ୍ତେ ॥୬୧
ଯେଣେ ତୁଟଇ ବିଷ୍ଣୁ ମାୟା । କହ ଆମ୍ଭଙ୍କୁ ଯେବେ ଦୟା ॥୬୨
ଏ କଳିଯୁଗେ ଯେତେ ପ୍ରାଣୀ । ଅଳ୍ପ ଆୟୁଷ ପରିମାଣି ॥୬୩
ସ୍ୱଭାବେ ମନ୍ଦମତି ହୋନ୍ତି । ପ୍ରାଣୀଙ୍କ ଉପଦ୍ରବ ଚିନ୍ତି ॥୬୪
ଯୁଗ ବେଭାରେ ପରିମାଣି । ସକଳ ଧର୍ମ ତୁମ୍ଭେ ଜାଣି ॥୬୫
ଏ ପ୍ରଶ୍ନ ଶୁଭ ଆମ୍ଭମତେ । ସାର ଉଦ୍ଧାରି ଦୃଢ଼ଚିତ୍ତେ ॥୬୬
କହ ସଂସାରେ ପ୍ରାଣୀଙ୍କର । ଯେମନ୍ତେ ମାୟାରୁ ନିସ୍ତାର ॥୬୭
ଯେଣେ ପ୍ରସନ୍ନ ହୋଇ ହରି । ଏ ଜୀବ ଆତ୍ମାକୁ ଉଦ୍ଧାରି ॥୬୮
କର ଏ ମାୟାରୁ ନିସ୍ତାର । ଏ ଜୀବମାନଙ୍କୁ ଉଦ୍ଧାର ॥୬୯
ତୁମ୍ଭ ପ୍ରସନ୍ନେ ଯୋଗବଳେ । ପ୍ରକାଶ କର ମହୀତଳେ ॥୭୦
କି ପ୍ରୟୋଜନ ଜଗନ୍ନାଥ । ଦେବକୀ ଉଦରେ ସମ୍ଭୂତ ॥୭୧
ସେ ହେତୁ କହ ଶୁଦ୍ଧଚିତ୍ତେ । ଆମ୍ଭେ ପଚାରୁ ଜନହିତେ ॥୭୨
ସଂସାରେ ଯାର ଅବତାର । ପ୍ରାଣୀ-ମଙ୍ଗଳ-ବୃଦ୍ଧିକର ॥୭୩
ଜଗତ ପାର ସେ ଚରିତ । ତୁମ୍ଭେ ତା ବର୍ଣ୍ଣନେ ସମର୍ଥ ॥୭୪
ଘୋର-ସଂସାରେ ପ୍ରାଣୀ ପଡ଼ି । ଆତ୍ମା-ନିସ୍ତାର-ପଥ ହୁଡ଼ି ॥୭୫
ଯାହାର ନାମ ଉଚ୍ଚାରିଲେ । ସଙ୍କଟୁ ତରିଯାନ୍ତି ଭଲେ ॥୭୬
ଯେ ଭୟ ଜୀବ ତେଜ ହରେ । ସେ ହରି ନାମ ଶୁଣି ଡରେ ॥୭୭
ଯାର ଚରଣେ ଆଶ୍ରେ କରି । ପବିତ୍ର ହୋନ୍ତି ବ୍ରହ୍ମଚାରୀ ॥୭୮
ଶୁଦ୍ଧ କରନ୍ତି ସର୍ବଜନେ । ଗଙ୍ଗା ଯେସନେ ସ୍ନାନପାନେ ॥୭୯
ଯାହାର ଯଶ ପୁଣ୍ୟଶ୍ଳୋକେ । ସୁଖେ ଗୁଣନ୍ତି ଜ୍ଞାନୀଲୋକେ ॥୮୦
କଳିକଳୁଷ ନ ଲାଗଇ । କେବା ନ ତରେ ଏହା ଗାଇ ॥୮୧
ଯା ଯଶ ଗାଇ ମୁନିଗଣେ । ସୁଖେ ତରନ୍ତି ଭବବଣେ ॥୮୨
ଯେ ହରି ବ୍ରହ୍ମାଣ୍ଡ ଭିତରେ । ଲୀଳା ସରାଗେ ଅବତରେ ॥୮୩
ବିଶ୍ୱ-ଉତ୍ପତ୍ତି-ସ୍ଥିତି-ନାଶ । କି ରୂପେ କର ତା ପ୍ରକାଶ ॥୮୪
ମତ୍ସ୍ୟାଦି ଅବତାରମାନ । ଧରିଣ ପ୍ରଭୁ ଭଗବାନ ॥୮୫
ଆତ୍ମାର ଯୋଗମାୟା ବଳେ । ବିହରେ ଅବନୀ-ମଣ୍ତଳେ ॥୮୬
ସେ ହରି ସ୍ୱଚ୍ଛ ଶୁଭ କଥା । କହ ହେ ସୂତ ଧର୍ମଜ୍ଞାତା ॥୮୭
ତାର ମହିମା ଶୁଣି ନିତ୍ୟେ । ତୋଷ ନଲଭୁ ଆମ୍ଭଚିତ୍ତେ ॥୮୮
ଜିହ୍ୱା ଯେସନ ସୁଧାରସ । ପିବନ୍ତେ ନୁହଇ ସନ୍ତୋଷ ॥୮୯
ଅନନ୍ତ ସଙ୍ଗେ ଥାଇ ହରି । ଜଗତେ ଯେତେ କର୍ମ କରି ॥୯୦
କପଟେ ନରରୂପ ଧରି । ଅତିମାନୁଷ କର୍ମ କରି ॥୯୧
କଳି ଆଗମ ଆମ୍ଭେ ଦେଖି । ସକଳ ସମ୍ପଦ ଉପେକ୍ଷି ॥୯୨
ଏ ପୁଣ୍ୟକ୍ଷେତ୍ରେ ଶୁଭକ୍ଷଣେ । କୃଷ୍ଣର କଥା ଅନୁକ୍ଷଣେ ॥୯୩
କରି ତରିବୁ ବିଷ୍ଣୁ ମାୟା । ଭୋ ମୁନି ତୁମ୍ଭେ କର ଦୟା ॥୯୪
ଆମ୍ଭର ପୂର୍ବ ପୁଣ୍ୟଫଳେ । ସଙ୍ଗ ହୋଇଲୁ ତୁମ୍ଭ ମେଳେ ॥୯୫
ଏ ଭୟଙ୍କର କଳିକାଳେ । ଆମ୍ଭେ ଯେ ଅଛୁ ଭବଜଳେ ॥୯୬
ଏ ଜଳୁ ତୁମ୍ଭେ କର ପାର । ବୋଇତେ ଯେହ୍ନେ କର୍ଣ୍ଣଧାର ॥୯୭
ଯେ ହରି ବ୍ରହ୍ମାଣ୍ଡ-ବକ୍ଷଳ । ସର୍ବଦେବଙ୍କ ଆଦିମୂଳ ॥୯୮
ଧର୍ମ-କବଚ ଯାର ଅଙ୍ଗେ । ସୁଖେ ବିହରେ ନାନାରଙ୍ଗେ ॥୯୯
କଳି ଆଗମେ ଭଗବାନ । ଗମିଲେ ଆପଣା ଭୁବନ ॥୧୦୦
ଯେ ଧର୍ମ ସଂସାର ରଖିବ । ସେ କାହିଁ ଶରଣ ପଶିବ ॥୧୦୧
ଏ କଥା କହ ମୁନିବର । ଆମ୍ଭ ସଂଶୟ ଯାଉ ଦୂର ॥୧୦୨
ଏମନ୍ତେ ନଇମିଷ ବନେ । ସର୍ବମୁନିଙ୍କ ସନ୍ନିଧାନେ ॥୧୦୩
ଶୌନକ ଆଦି ମୁନିଗଣେ । ଯେ ପ୍ରଶ୍ନ କଲେ ଜଣେ ଜଣେ ॥୧୦୪
ନିର୍ମଳ ବିଷ୍ଣୁର ଚରିତ । କୃଷ୍ଣ-ବିଷୟ ଭାଗବତ ॥୧୦୫
ସୁଜନଜନଙ୍କର ହିତେ । କହଇ ଦାସ ଜଗନ୍ନାଥେ ॥୧୦୬
ଇତି ଶ୍ରୀମଦ୍‌ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ପ୍ରଥମସ୍କନ୍ଧେ ନୈମିଷୀୟୋପାଖ୍ୟାନେ ପ୍ରଥମୋଽଧ୍ୟାୟଃ ॥

No comments:

Post a Comment

ଦେଶ ନାସ୍ତି ମହୀତଳେ

ଦେଶ ନାସ୍ତି ମହୀତଳେ ତୁଙ୍ଗ-ଶିଖରୀ, କୁଞ୍ଜ-କାନନ, ପୁଣ୍ୟ-ଜଳଧି ର ତ୍ରିବେଣୀ ସଂଗମ ଆମ ଉତ୍କଳ l ପୂତ ପୟୋନିଧି ର ପବିତ୍ର ଜଳ ସ୍ପର୍ସ ରେ ପ୍ରତିଧୂଳି କଣା...