କେଉଁ ନିର୍ଦ୍ଦିଷ୍ଟ କାଳରୁ ଏହି କ୍ଷେତ୍ର ପ୍ରାଧାନ୍ୟ ଲାଭ କରିଛି କିମ୍ବା ପ୍ରଥମେ କେବେ ଶ୍ରୀଜଗନ୍ନାଥଙ୍କ ମନ୍ଦିର ନିର୍ମାଣ କରାଗଲା, ତାହାର ନିର୍ଦ୍ଦିଷ୍ଟ ଓ ସର୍ବଗ୍ରାହ୍ୟ ତଥ୍ୟ ଏଯାବତ୍ ଉପଲବ୍ଧ ହୋଇ ନାହିଁ। ପ୍ରାଚୀନ ଧର୍ମଗ୍ରନ୍ଥ ଓ ପୁରାଣମାନଙ୍କରେ ପୁରୁଷୋତ୍ତମ ଧାମ ବା ପୁରୁଷୋତ୍ତମ ଜଗନ୍ନାଥଙ୍କ ସଂପର୍କରେ ରହିଥିବା ବର୍ଣ୍ଣନା ବା ସୂଚନାକୁ ଭିତ୍ତିକରି କୁହାଯାଇ ପାରିବ ଯେ, ଏହି ପବିତ୍ର କ୍ଷେତ୍ର ଓ ତା'ର ଅଧିଷ୍ଠାତା ଦେବତା ଅତି ପ୍ରାଚୀନ । କେତେକ ପୁରାଣର ନିର୍ଦ୍ଦିଷ୍ଟ ରଚନାକାଳ ନିରୂପଣ ଅବଶ୍ୟ କଷ୍ଟସାଧ୍ୟ ବ୍ୟାପାର । ଅଧିକାଂଶ ପୁରାଣରେ ପ୍ରକ୍ଷେପାଂଶ ରହିଅଛି । ପ୍ରକ୍ଷେପାଂଶ ସାଧାରଣତଃ ଅର୍ବାଚୀନ । ନିମ୍ନରେ କେତେକ ପ୍ରସିଦ୍ଧ ପୁରାଣର ଆନୁମାନିକ ରଚନା ଅବଧି ଦର୍ଶାଗଲା ।
| ଅଗ୍ନି ପୁରାଣ | (ଖ୍ରୀଷ୍ଟାବ୍ଦ ୭୦୦-୯୦୦) | |
| ବ୍ରହ୍ମ ପୁରାଣ | (ଖ୍ରୀଷ୍ଟାବ୍ଦ ୯୦୦-୧୫୦୦) | |
| ପଦ୍ମ ପୁରାଣ | (ଉତ୍ତର ଖଣ୍ଡ) | (ଖ୍ରୀଷ୍ଟାବ୍ଦ ୬୦୦-୭୦୦) |
| (ମତାନ୍ତରେ ୯୫୦-୧୪୦୦) | ||
| ନାରଦୀୟ ପୁରାଣ | (ଖ୍ରୀଷ୍ଟାବ୍ଦ ୬୦୦-୭୦୦) | |
| ମତ୍ସ୍ୟ ପୁରାଣ | (ଖ୍ରୀଷ୍ଟାବ୍ଦ ୨୦୦-୪୦୦) | |
| (ମତାନ୍ତରେ ୪୦୦-୧୨୫୦) | ||
| ସ୍କନ୍ଦ ପୁରାଣ | (ବୈଷ୍ଣବ ଖଣ୍ଡ) | (ଖ୍ରୀଷ୍ଟାବ୍ଦ ୮୦୦-୯୦୦) |
| (ମତାନ୍ତରେ ୮୦୦-୧୩୦୦) | ||
| କପିଳ ପୁରାଣ/ କପିଳ ସଂହିତା | (ଖ୍ରୀଷ୍ଟାବ୍ଦ ୧୩୦୦) | |
| ବ୍ରହ୍ମାଣ୍ଡ ପୁରାଣ | (ଖ୍ରୀଷ୍ଟାବ୍ଦ ୫୦୦-୬୦୦) |
ଉଲ୍ଲଖିତ ସଂସ୍କୃତ ପୁରାଣ ବ୍ୟତୀତ ଆଉ କେତୋଟି ସଂସ୍କୃତ ଧର୍ମଶାସ୍ତ୍ର, ଯଥା-ତନ୍ତ୍ର ଯାମଳ,ରୁଦ୍ର ଯାମଳ, କାଳିକା ପୁରାଣ, ବାମଦେବ ସଂହିତା, ନୀଳାଦ୍ରି ମହୋଦୟ, ମହାପୁରୁଷ ବିଦ୍ୟା ଇତ୍ୟାଦିରେ ଏହି କ୍ଷେତ୍ର ଓ ଦେବଦେବୀଙ୍କ ସଂପର୍କରେ ବର୍ଣ୍ଣନା ଅଛି।
ବ୍ରହ୍ମପୁରାଣର ଆରମ୍ଭରୁ ୬୯ଟି ଅଧ୍ୟାୟ ଯାଏ ପୁରୁଷୋତ୍ତମ କ୍ଷେତ୍ର ଓ ଅନ୍ୟାନ୍ୟ କ୍ଷେତ୍ରର ବର୍ଣ୍ଣନା ଅଛି। କୋଣାର୍କର ମଧ୍ୟ ଉଲ୍ଲେଖ ଅଛି । ଏଥିରେ 'ଗୁଣ୍ଡିଚା' ଶବ୍ଦର ମଧ୍ୟ ପ୍ରୟୋଗ ହୋଇଛି । ଏହି ପୁରାଣ ତ୍ରୟୋଦଶ ଶତାବ୍ଦୀ ପରେ ରଚିତ ବୋଲି କେହି କେହି ମତବ୍ୟକ୍ତ କରିଛନ୍ତି । ପଦ୍ମପୁରାଣର 'ଉତ୍ତର ଖଣ୍ଡ'ରେ ନାନା ତୀର୍ଥସ୍ଥାନର ବର୍ଣ୍ଣନା ସହିତ ପୁରୁଷୋତ୍ତମ କ୍ଷେତ୍ର ବିଷୟରେ ବର୍ଣ୍ଣନା ହୋଇଛି । ଏହାର 'ପାତାଳ ଖଣ୍ଡ'ରେ ମଧ୍ୟ ପ୍ରଭୁ ଜଗନ୍ନାଥଙ୍କ କଥା ଅଛି । ନାରଦୀୟ ପୁରାଣରେ ପୁରୁଷୋତ୍ତମ କ୍ଷେତ୍ର ମାହାତ୍ମ୍ୟ ସ୍ଥାନ ପାଇଛି । ମାତ୍ର ସ୍କନ୍ଦ ପୁରାଣର
ପୁରୁଷୋତ୍ତମ କ୍ଷେତ୍ର ମାହାତ୍ମ୍ୟଠାରୁ ବିଷୟ ସଂଯୋଜନା ଦୃଷ୍ଟିରୁ ଏହା ଅସ୍ପଷ୍ଟ ଓ ପ୍ରାଚୀନ ମନେହୁଏ ବୋଲି ପ୍ରଖ୍ୟାତ ଗବେଷକ ତଥା ସଂସ୍କୃତ ପ୍ରଫେସର ଗୋପୀନାଥ ମହାପାତ୍ର ମତ ଦେଇଛନ୍ତି । ମତ୍ସ୍ୟପୁରାଣରେ ବିଭିନ୍ନ ତୀର୍ଥ ବର୍ଣ୍ଣନାରେ ପୁରୀର ମାହାତ୍ମ୍ୟ ଅଛି । ଏଥିରେ ଲେଖାଅଛି- "ଗଙ୍ଗାୟାଂ ମଙ୍ଗଳା ନାମ ବିମଳା ପୁରୁଷୋତ୍ତମେ ।" ସ୍କନ୍ଦ ପୁରାଣ ଅଷ୍ଟାଦଶ ପୁରାଣ ମଧ୍ୟରେ ବୃହତ୍ତମ । ଏହି ପୁରାଣ ଅନ୍ତର୍ଗତ ବିଷ୍ଣୁଖଣ୍ଡ ବା ବୈଷ୍ଣବ ଖଣ୍ଡରେ 'ଶ୍ରୀପୁରୁଷୋତ୍ତମ ମାହାତ୍ମ୍ୟ' ସ୍ଥାନ ପାଇଛି । ପ୍ରଫେସର ଗୋପୀନାଥ ମହାପାତ୍ରଙ୍କ ମତରେ ବୈଷ୍ଣବ ଖଣ୍ଡର ରଚନାକାଳ ୮ମ ଓ ୯ମ ଶତକ । ଆଚାର୍ଯ୍ୟ ବଳଦେବ ଉପାଧ୍ୟାୟ କହିଛନ୍ତି ଯେ, ସମୁଦାୟ ସ୍କନ୍ଦ ପୁରାଣ ଖ୍ରୀଷ୍ଟୀୟ ସପ୍ତମ ଶତକଠାରୁ ନବମ ଶତକ ମଧ୍ୟରେ ଲେଖାଯାଇଛି । ଅନ୍ତତଃ ତୃତୀୟ ଶତକ ବେଳକୁ ସ୍କନ୍ଦ ପୁରାଣର ସ୍ୱରୂପ ଥିଲା, ଯଦିଓ ଦଶମ ଓ ଏକାଦଶ ଶତକ ଯାଏଁ ବିଭିନ୍ନ ଖଣ୍ଡ ଲେଖାଯାଇ ଏହି ପୁରାଣର ଅନ୍ତର୍ଗତ କରାଯାଇଥିଲା । ସ୍କନ୍ଦ ପୁରାଣର ଅନେକ ଅଂଶ ସପ୍ତମ ଶତକର ଲେଖା । ବ୍ରହ୍ମାଣ୍ଡ ପୁରାଣରେ ଗଂଜାମର ମହେନ୍ଦ୍ର ପର୍ବତର ଉଲ୍ଲେଖ ଅଛି । ପରବର୍ତ୍ତୀ କାଳରେ ଏଥିରେ ଅନେକ ଅଂଶ ଲେଖାଯାଇ ଅନ୍ତର୍ଭୁକ୍ତ କରାଯାଇଛି । ବାଲ୍ମୀକି ରାମାୟଣରେ ଏହି କ୍ଷେତ୍ର ସଂପର୍କରେ ଉଲ୍ଲେଖ ନାହିଁ । କିନ୍ତୁ ଏହାର 'ଉତ୍ତରାକାଣ୍ଡ'ରେ ପ୍ରଭୁ ଶ୍ରୀରାମ ଶ୍ରୀଜଗନ୍ନାଥଙ୍କୁ ଉପାସନା କରିବାକୁ ବିଭୀଷଣକୁ ଉପଦେଶ ଦେଇଛନ୍ତି ।
"କିଂ ଚାନ୍ୟବକ୍ତୁ ମିଚ୍ଛାମି ରାକ୍ଷସେନ୍ଦ୍ର ମହାବଳ
ଆରାଧୟ ଜଗନ୍ନାଥମିକ୍ଷାକୁ କୁଳଦୈବତମ୍ ।"
ଏଥିରେ ନିଜ ବଂଶ (ଇକ୍ଷ୍ୱାକୁ)ର କୁଳ ଦେବତା ଜଗନ୍ନାଥଙ୍କୁ ପୂଜା କରିବାକୁ ଶ୍ରୀରାମଚନ୍ଦ୍ର କହିଛନ୍ତି । ତେବେ 'ଉତ୍ତରାକାଣ୍ଡ' ବାଲ୍ମୀକିଙ୍କ ରଚନା ନୁହେଁ ବୋଲି ଜଣାଯାଏ ।
ବ୍ୟାସଦେବଙ୍କ ମହାଭାରତରେ ସର୍ବପାପ ବିନାଶିନୀ ବୈତରଣୀ ନଦୀ ଓ ବିରଜା କ୍ଷେତ୍ରର ବର୍ଣ୍ଣନା ରହିଥିବା ବେଳେ ଶ୍ରୀକ୍ଷେତ୍ର ସଂପର୍କରେ କୌଣସି ଉଲ୍ଲେଖ ନାହିଁ । କିନ୍ତୁ ବୈତରଣୀ ନଦୀ ଓ ମହେନ୍ଦ୍ର ପର୍ବତ ମଧ୍ୟରେ ଏକ ଦିବ୍ୟ ଅରଣ୍ୟରେ ବିଶ୍ୱକର୍ମା ଯଜ୍ଞ କରିଥିବା ଏବଂ ଏକ ପବିତ୍ର ବେଦୀ ରହିଥିବା ଉଲ୍ଲେଖ ଅଛି । ବନବାସ ସମୟରେ ପାଣ୍ଡବମାନେ ଏହି ଅଞ୍ଚଳ ଦେଇ ମହେନ୍ଦ୍ରଗିରିକୁ ଯାଇଥିଲେ । ଯିବାବେଳେ ଜ୍ୟେଷ୍ଠ ପାଣ୍ଡବ ଯୁଧିଷ୍ଠିର ସମୁଦ୍ରରେ ସ୍ନାନ କରି ଉକ୍ତ ବେଦୀ ଆରୋହଣ କରିଥିଲେ । ମନେହୁଏ, ଏହି ପବିତ୍ର ଯଜ୍ଞସ୍ଥଳ ଓ ବେଦୀ ଥିବା ଅଞ୍ଚଳ ଏବର ଶ୍ରୀକ୍ଷେତ୍ର । କଳିଙ୍ଗ ତଥା ଶ୍ରୀକ୍ଷେତ୍ର (ନୀଳାଚଳ)କୁ ପଞ୍ଚପାଣ୍ଡବ ଓ ଦ୍ରୌପଦୀ ଆସିଥିବା କଥା ଯାହା ମହାଭାରତରୁ ସୂଚନା ମିଳେ, ତାହା ଅନୁଧ୍ୟାନ କଲେ ବିଶ୍ୱାସଯୋଗ୍ୟ ମନେହୁଏ ।
ଋଗ୍ବେଦର ନିମ୍ନୋକ୍ତ ମନ୍ତ୍ରରେ ଥିବା 'ଦାରୁ'କୁ ଦାରୁବ୍ରହ୍ମ ଶ୍ରୀଜଗନ୍ନାଥ ବୋଲି କେତେକ ଜଗନ୍ନାଥ ତତ୍ତ୍ୱଦର୍ଶୀ ପ୍ରତିପାଦନ କରନ୍ତି । ମନ୍ତ୍ରଟି ହେଲା;
"ଅଦୋ ଯଦ୍ଦାରୁ ପ୍ଳବତେ ସିନ୍ଧୋ ପାରେ ଅପୁରୁଷମ୍ ।
ତଦା ରଭସ୍ୱ ଦୁର୍ହଣୋ ତେନଗଚ୍ଛ ପରସ୍ତରମ୍ ।।
(୧୦-୧୫୫:୩)
ଅର୍ଥାତ୍, ହେ ଦୁର୍ଭିିକ୍ଷରୁ ନିବାରଣ ଚାହୁଁଥିବା ମଣିଷଗଣ । ଏହି ଯେଉଁ କାଷ୍ଠମୟୀ ନୌକା, ସମୁଦ୍ର ବା ନଦୀକୁ ପାରି ହେବାପାଇଁ ବିନା କୌଣସି ମଣିଷଦ୍ୱାରା ଜଳ ଉପରେ ବିଦ୍ୟମାନ ଅଛି, ତାକୁ ଅବଲମ୍ବନ କର । ତା' ମାଧ୍ୟମରେ ଦୂରଦେଶ ବା ଦ୍ୱୀପକୁ ଚାଲିଯାଅ । ଏହାକୁ ସାୟଣାଚାର୍ଯ୍ୟ (୧୪ଶ ଶତାବ୍ଦୀ) ତାଙ୍କ ଭାଷ୍ୟରେ ଲେଖିଛନ୍ତି- "ବର୍ତ୍ତମାନ ସମୁଦ୍ରରେ ପୁରୁଷୋତ୍ତମ ନାମ ଦେବତା ଶରୀର ଜଳ ଉପରେ ଭାସୁଛି । ନିର୍ମାଣ ରହିତ ଯୋଗୁଁ ସେ ଅପୌରୁଷ । ଏହି ଦାରୁମୟ ଦେବତାଙ୍କୁ ଉପାସନା କରିବା ଲୋକ ବୈଷ୍ଣବ ଲୋକକୁ ଗମନ କରନ୍ତି ।" ପରବର୍ତ୍ତୀ କାଳରେ ଉପରୋକ୍ତ ମନ୍ତ୍ରଟି ସ୍କନ୍ଦ ପୁରାଣରେ ପରିବର୍ତ୍ତିତ ରୂପରେ ସ୍ଥାନ ପାଇଛି:
"ଅହୋ ତବାୟଂଖଳୁ ଭାଗ୍ୟରାଶି
ର୍ଯେନା ବିରାସୀଦ୍ଭୁ ବି ଦାରୁ ମୂର୍ତ୍ତିି
ଯସ୍ୟାପ୍ୟୁପାସ୍ତିଂ ଶ୍ରୁତିରାହ ମୁକ୍ତି
ପ୍ରଦାନ ମାସ୍ୱଜ୍ଞ ବିମୋହିତ ନାମ
ଯ(ସ) ଏଷ ପ୍ଳବତେ ଦାରୁଃ-ସିନ୍ଧୁପାରେ ହ୍ୟୁ ପୌରୁଷଃ
ତମୁପାସ୍ୟ ଦୁରାରାଧଂ ମୁକ୍ତିଂ ଯାତି ସୁଦୁର୍ଲଭମ୍ ।" (୨୧ ଅଧ୍ୟାୟ)
ଅର୍ଥାତ୍ ହେ ନରପତି ! ତୁମର ଭାଗ୍ୟରାଶି ଅତି ଆଶ୍ଚର୍ଯ୍ୟ । ପୁରୁଷୋତ୍ତମ ଭଗବାନ ଜଗତରେ ଦାରୁମୂର୍ତ୍ତିି ଧାରଣ କରି ଆବିର୍ଭୂତ ହୋଇଥିଲେ । ଶ୍ରୁତି (ବେଦ)ରେ କୁହାଯାଇଛି ,ଏହାଙ୍କୁ ଉପାସନା କଲେ ଆତ୍ମଜ୍ଞାନ ବିମୋହିତ ବ୍ୟକ୍ତିମାନଙ୍କର ମଧ୍ୟ ମୋକ୍ଷ ଲାଭ ହୁଏ । (ଶ୍ରୁତି ବର୍ଣ୍ଣିିତ) ସେହି ଅପୌରୁଷେୟ ଦାରୁ ସମୁଦ୍ରତୀରରେ ଭାସମାନ ହେଉଛନ୍ତି । ଏ ଦୁରାରାଧ୍ୟ । ଏହାଙ୍କୁ ଉପାସନା କଲେ ଦୁର୍ଲଭ ମୁକ୍ତି ପ୍ରାପ୍ତ ହୁଏ ।
ଋଗ୍ବେଦର ଉଲ୍ଲିଖିତ ମନ୍ତ୍ର ସହିତ ଦାରୁବ୍ରହ୍ମ ପୁରୁଷୋତ୍ତମଙ୍କ ସଂପର୍କ ନାହିଁ ବୋଲି କହିଛନ୍ତି ଗବେଷକ ଡକ୍ଟର ଗୌରାଙ୍ଗ ଚରଣ ନାୟକ, ଡକ୍ଟର ସତ୍ୟନାରାୟଣ ରାଜଗୁରୁ, ଡକ୍ଟର ଉମେଶ ପତ୍ରୀ, ସଚ୍ଚିଦାନନ୍ଦ ମିଶ୍ର ଓ ଟି.ଏନ୍ ଧର୍ମାଧିକାରୀ ପ୍ରମୁଖ । ଡକ୍ଟର ରାଜଗୁରୁ ଲେଖିଛନ୍ତି- "ଭୁଲରେ ଏହି ସୂତ୍ରଟି ଶ୍ରୀଜଗନ୍ନାଥଙ୍କ ଦାରୁବ୍ରହ୍ମ ପ୍ରତି ପ୍ରଯୁଜ୍ୟ କରି ନିଜେ ମଧ୍ୟ ତାହା ସନ୍ଦେହ କରିଥିବା ତାଙ୍କ (ସାୟଣାଚାର୍ଯ୍ୟଙ୍କ) ଭାଷ୍ୟରୁ ଜଣାଯାଏ । କାରଣ ଶଂସିତ ବୈଦିକ ସୂତ୍ରଟି ଅନ୍ୟ ପ୍ରସଙ୍ଗର ଅର୍ଥବୋଧ କରୁଛି ।" ଡକ୍ଟର ପତ୍ରୀ କହନ୍ତି- "ପ୍ରକୃତରେ ଋଗ୍ବେଦର ସେହି ମନ୍ତ୍ରଟି କ'ଣ ଶ୍ରୀଜଗନ୍ନାଥଙ୍କୁ ପ୍ରତିପାଦନ କରୁଛି ? ଏହି ଅଲକ୍ଷ୍ମୀ ସୂକ୍ତରେ ପାଞ୍ଚଟି ମନ୍ତ୍ର ଅନୁଷ୍ଟୁପ ଛନ୍ଦରେ ପରସ୍ପର ସହିତ ଛନ୍ଦାୟିତ ହୋଇ ସଂରଚିତ ହୋଇଛି । ପୂର୍ବାପର ସଂପର୍କକୁ ନ ଜାଣିଲେ କେବଳ ଗୋଟିଏ
ଆହୁରି ମଧ୍ୟ କୁହାଯାଇଛି,କୌଣସି ବ୍ୟକ୍ତି ଯଦି ଧନ ବା ଲକ୍ଷ୍ମୀବିହୀନ ହୋଇ ଜୀବନ ଯାପନ କରୁଥାନ୍ତି, ତେବେ ସେ ଋଗ୍ ବେଦ ଦଶମ ମଣ୍ଡଳର୧୫୫ ତମ ସୂକ୍ତର ପାଞ୍ଚଗୋଟି ମନ୍ତ୍ରକୁ ନିତ୍ୟ ପ୍ରାତଃ କାଳରେ ସ୍ନାନ କରିବା ପରେ ୧୦୧ ଥର ଜପ କରନ୍ତୁ । ଏହି ଜପ ପୂର୍ବରୁ ଓ ପରେ ଗାୟତ୍ରୀ ମହାମନ୍ତ୍ରର ଗୋଟିଏ ମାଳା ଜପ ଆବଶ୍ୟକ । (ଯୁଗଶକ୍ତି ଗାୟତ୍ରୀ,ଜାନୁଆରି,୨୦୦୫)
ବୌଦ୍ଧ ବଜ୍ରଯାନର ପ୍ରସିଦ୍ଧ ଗ୍ରନ୍ଥ 'ଜ୍ଞାନସିଦ୍ଧି'ରେ ଉଲ୍ଲେଖ ଅଛି: 'ପ୍ରଣିପତ୍ୟ ଜଗନ୍ନାଥଂ ସର୍ବଜିନ ବରାର୍ଚ୍ଚିତମ୍ । ସର୍ବ ବୁଦ୍ଧମୟଂସିଦ୍ଧି ବ୍ୟାପିନଂ ଗଗନୋପମମ୍ ।।" (୧/୧)। ଏହି ଗ୍ରନ୍ଥର ପ୍ରଣେତା ଖ୍ରୀ: ସପ୍ତମ/ଅଷ୍ଟମ ଶତାବ୍ଦୀର ସମ୍ବଳକ (ଏବର ସମ୍ବଲପୁର)ର ରାଜା ଇନ୍ଦ୍ରଭୂତି । ଏହି ଗ୍ରନ୍ଥର ମଙ୍ଗଳାଚରଣ ପାଠକରି କେତେଜଣ ଲେଖକ ତଥା ଗବେଷକ ମତ ଦିଅନ୍ତି ଯେ, ଏଥିରେ ପ୍ରଥମଥରପାଇଁ 'ଜଗନ୍ନାଥ' ଶବ୍ଦ ବ୍ୟବହୃତ ହୋଇଛି ଓ ତାହା ଶ୍ରୀକ୍ଷେତ୍ରର ଜଗନ୍ନାଥ ମହାପ୍ରଭୁଙ୍କୁ ବୁଝାଉ ଅଛି । ଏହି ଗ୍ରନ୍ଥରୁ ଉଦାହରଣ ଦେଇ ବୌଦ୍ଧ ଏପରିକି ଜୈନମାନେ ମଧ୍ୟ ଜଗନ୍ନାଥ ମହାପ୍ରଭୁଙ୍କୁ ଯଥାକ୍ରମେ ବୁଦ୍ଧ ଓ ଜୀନନାଥ ମନେକରନ୍ତି ।
ନୀଳାଚଳ ଧାମର ପ୍ରସିଦ୍ଧି ଖ୍ରୀ: ଅଷ୍ଟମ ବା ନବମ ଶତାବ୍ଦୀରେ ଥିବା କଥା ମୁରାରି କବିଙ୍କ 'ଅନର୍ଘ ରାଘବ' ନାଟକରୁ ପ୍ରତିପାଦିତ ହୁଏ ବୋଲି ସତ୍ୟନାରାୟଣ ରାଜଗୁରୁ ଲେଖିଛନ୍ତି । କିନ୍ତୁ ମୁରାରିଙ୍କ ସମୟ ଏକାଦଶ ଶତାବ୍ଦୀ ବୋଲି ଐତିହାସିକ ନବୀନ କୁମାର ସାହୁ ମତ ଦେଇଛନ୍ତି । ପ୍ରଫେସର ସାହୁ ଆହୁରି କହିଛନ୍ତି ଯେ, ଚୋଡ଼ଗଙ୍ଗଦେବଙ୍କ ଉତ୍କଳ ଅଧିକାର ପୂର୍ବରୁ ପୁରୀଠାରେ ପୁରୁଷୋତ୍ତମ ଜଗନ୍ନାଥଙ୍କର ଏକ ମନ୍ଦିର ଥିବା କଥା ପ୍ରାଚୀନ ଗ୍ରନ୍ଥ ଓ ଅଭିଲେଖଗୁଡ଼ିକରୁ ଜଣାଯାଏ । ଏହି ସବୁ ଗ୍ରନ୍ଥ ଓ ଅଭିଲେଖରୁ ଗୋଟିଏ ସୁଦ୍ଧା ଏକାଦଶ ଶତାବ୍ଦୀର ପୂର୍ବବର୍ତ୍ତୀ ନୁହେଁ । 'ଅନର୍ଘ ରାଘବ'ର ଚରୟିତା ମୁରାରିଙ୍କ ସମୟ ଏକାଦଶ ଶତାବ୍ଦୀ, କୃଷ୍ଣମିଶ୍ରଙ୍କ ରଚିତ 'ପ୍ରବୋଧ ଚନ୍ଦ୍ରୋଦୟ' ନାଟକର ସମୟ ଖ୍ରୀଷ୍ଟାବ୍ଦ ୧୦୭୩ରୁ ୧୦୭୬ ମଧ୍ୟରେ । 'ଭାସ୍ୱତି' ଓ 'କୃତ୍ୟ କଳ୍ପତରୁ' ଗ୍ରନ୍ଥ ଯଥାକ୍ରମେ ୧୧୦୦ ଓ ୧୧୧୦ ଖ୍ରୀଷ୍ଟାବ୍ଦରେ ରଚିତ । 'ବ୍ରହ୍ମ ଯାମଳ ତନ୍ତ୍ର' ଏକାଦଶ ଶତାବ୍ଦୀର ପୂର୍ବବର୍ତ୍ତୀ ନୁହେଁ ।
ଓଡ଼ିଆ ସାହିତ୍ୟରେ ଆଦି କବି ସାରଳା ଦାସ (୧୫ଶ ଶତାବ୍ଦୀ)ଙ୍କ ମହାଭାରତରେ ପ୍ରଥମ କରି ଶ୍ରୀଜଗନ୍ନାଥଙ୍କ ସଂପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରାଯାଇଛି । ପରବର୍ତ୍ତୀ 'ପଞ୍ଚସଖା' ସାହିତ୍ୟରେ ଅର୍ଥାତ୍ ଜଗନ୍ନାଥ ଦାସ, ଅଚ୍ୟୁତାନନ୍ଦ, ଯଶୋବନ୍ତ, ଅଚ୍ୟୁତ ଓ ଅନନ୍ତ ଦାସଙ୍କ ରଚନାରେ ଶ୍ରୀଜଗନ୍ନାଥଙ୍କ ମାହାତ୍ମ୍ୟ ବର୍ଣ୍ଣିିତ ହୋଇଅଛି ।
ଶ୍ରୀଜଗନ୍ନାଥ ନାମରେ ରୂପାୟିତ ହୋଇଛନ୍ତି । ଏହି ବିଗ୍ରହଙ୍କ ପ୍ରଶସ୍ତି ଇନ୍ଦ୍ରଭୂତିଙ୍କ ପ୍ରଣୀତ ଜ୍ଞାନସିଦ୍ଧି, ମୁରାରିଙ୍କ ଅନର୍ଘରାଘବ, ଶତାନନ୍ଦଙ୍କ ରତ୍ନମାଳା, ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ସ୍ତୋତ୍ର ଆଦି ପ୍ରାଚୀନ ଗ୍ରନ୍ଥ ତଥା ସ୍ତୁତି ସ୍ତୋତ୍ରରେ ଦେଖିବାକୁ ମିଳେ । ତେଣୁ ସପ୍ତମ-ଅଷ୍ଟମ ଶତାବ୍ଦୀ ବେଳକୁ ଶ୍ରୀଜଗନ୍ନାଥ ବିଶ୍ୱବିଶ୍ରୁତ ବିଗ୍ରହ ରୂପେ ପ୍ରତିଷ୍ଠା ଲାଭ କରିସାରିଥିଲେ ।
No comments:
Post a Comment