Monday, June 14, 2021

● ରଜ ●

*ରଜ*"..........
      ଉତ୍କଳ ର ଗଣପର୍ବ । ଅର୍ଣ୍ଣଦାତ୍ରୀ ଙ୍କୁ ସମ୍ମାନ ପ୍ରଦାନ କରିବାର ଉତ୍ସବ ।
“ର’ ଅର୍ଥ ସଂସାର ଓ “ଜ’ ଅର୍ଥ ଯୋଚିବା ।
    ସନାତନ ଧର୍ମ ରେ କୌଣସି ନାରିର ଋତୁସ୍ରାବ ପ୍ରଥମ ତିନିଦିନ  ଯଥାକ୍ରମେ- ଚାଣ୍ଡାଳି, ବ୍ରହ୍ମଘାତିନୀ, ଓ ରଜକୀ ହୋଇଥାଏ  । ଚତୁର୍ଥ ଦିନରେ ଶୁଦ୍ରା ଓ ପଞ୍ଚମ ଦିନରେ ରମଣ ଯୋଗ୍ୟ ହୋଇଥାଏ  । ଭୂମି ଙ୍କୁ ଦେବୀ ରୂପେ ଗ୍ରହଣ କରାଯାଇଛି । ଏହା ହିଁ ରଜ ପର୍ବର ଶାସ୍ତ୍ରୀୟ ଆଧାର । 
 "ବନସ୍ତେ ଡାକିଲା ଗଜ........", ଓଡିଆ ଘର ର ଝିଅ ଭୂଆଷୁଣି ମାନଙ୍କର ରଜ ରେ ବହୁ ଚର୍ଚ୍ଚିତ ଲୋକ ଗୀତ । ଏହା ମୂଳ ରେ ନିହିତ ଅଛି ଜଗନ୍ନାଥୀ ପରମ୍ପରା । ସଂସାର ଏକ ବନସ୍ତ ବା ଜଙ୍ଗଲ, ଏଥିରେ ହସ୍ତି ସ୍ବୟଂ ନୀଳବ୍ରହ୍ମରାଶି ପରଂବ୍ରହ୍ମ ଶ୍ରୀଜଗନ୍ନାଥ । ରତ୍ନ ସଂହାସନ ର ଭୂଦେବୀ ରଜସ୍ଫଳା ହେବେ, ତିନି ଦିନ ପରେ ପ୍ରକୃତି-ପୁରୁଷଙ୍କର ମିଳନ ହେବ । ସତରେ କେଡେ ନିଆରା ଓ ମହାନ ଆମ ପ୍ରଥା , ପରମ୍ପରା । ମହାନ ଆମ ସଂସ୍କୃତି , ସଭ୍ୟତା । ପବିତ୍ର ଆମ ପର୍ବପର୍ବାଣି ।                        
   
               ରଜ ଓଡ଼ିଶାର ଏକ ପାରମ୍ପାରିକ ପର୍ବ ଓ ରାଜ୍ୟର ଗଣପର୍ବ । ଏହା ତିନିଦିନ ଧରି ପାଳନ କରାଯାଇଥାଏ । ଏହାର ଦ୍ୱିତୀୟ ଦିନରେ ମିଥୁନ ମାସର ଆରମ୍ଭ ଓ ଏହା ପରେ ବର୍ଷା ଋତୁ ଆରମ୍ଭ ହୁଏ । ରଜ ସଂକ୍ରାନ୍ତିର ପୂର୍ବଦିନ ପହିଲି ରଜ, ଦ୍ୱିତୀୟ ଦିବସ ହେଉଛି ରଜ ସଂକ୍ରାନ୍ତି, ତୃତୀୟ ଦିବସ ହେଉଛି ଭୂମିଦାହ ବା ଭୂମି ଦହନ, ଚତୁର୍ଥ ତଥା ଅନ୍ତିମ ଦିବସ ହେଉଛି ବସୁମତୀ ସ୍ନାନ । ଏହା ଚାଷର ଆରମ୍ଭକୁ ସୂଚାଇଥାଏ । ରଜ ଶବ୍ଦର ଆକ୍ଷରିକ ଅର୍ଥ ରଜବତୀ ହେବା, ଯାହା ପୃଥିବୀକୁ ମାତା ଭାବରେ ବିବେଚନା କରି ବର୍ଷାର ଆଗମନରେ ସେ ରଜସ୍ୱଳା ହେବାର ଓ ନୂଆ ଶସ୍ୟ ଜନ୍ମ ହେବାର ସାଙ୍କେତିକ ଭାବ ବହନ କରିଥାଏ । ଏହି ଦିନରେ ଚାଷୀମାନେ ବସୁମତୀ ତଥା ହଳଲଙ୍ଗଳ ପୂଜନ କରିବା ସହ ଚାଷ କାମରୁ ତିନି ଦିନ ପାଇଁ ବିରତି ନେଇଥାନ୍ତି । ରଜରେ ପୋଡ଼ ପିଠା ଓ ପାନ ଖିଆ ସହିତ ଝିଅମାନଙ୍କ ରଜ ଦୋଳି ଓ ପୁଚି ଖେଳ ସହ ପୁଅମାନଙ୍କ ଲୁଡୁ, ତାସ, ବାଗୁଡ଼ି ଆଦି ଖେଳି ଏହି ଦିବସଟି ପାଳନ କରାଯାଇଥାଏ ।
   
            ଆଷାଢ ମାସ ଚତୁର୍ମାସ୍ୟା ବ୍ରତର ପ୍ରଥମ ମାସ । ଏ ଚାରି ମାସ ମୁନି ଋଷି ଓ ସାଧବମାନେ ସେମାନଙ୍କ ପରିଭ୍ରମଣ ତ୍ୟାଗ କରି ଏକସ୍ଥାନରେ ନିବିଷ୍ଟ ହୋଇ ସାଧନା କରିଥା'ନ୍ତି । ଏହି ମାସକୁ ଦାମ୍ପତ୍ୟ ଜୀବନର ସର୍ବଶ୍ରେଷ୍ଠ ସମ୍ଭୋଗର ମାସ ବୋଲି ଗ୍ରହଣ କରାଯାଏ । ବିରହ, ବିଧୂର ଯକ୍ଷର ପ୍ରିୟା ଉଦ୍ଦେଶ୍ୟରେ ମେଘ ମାଧ୍ୟମରେ ପ୍ରେରିତ ବାର୍ତ୍ତାକୁ ନେଇ ମହାକବି କାଳିଦାସଙ୍କ ରଚିତ "ମେଘଦୂତ' ମହାକାବ୍ୟ ଏକ ଅନବଦ୍ୟ ସାଂସ୍କୃତିକ ବୌଦ୍ଧିକ ପ୍ରତିଲିିପି ଓ ଇତିକଥା । ଆଷାଢ଼ ମାସରେ ପ୍ରଥମ ବର୍ଷାର ଆଗମନରେ ମେଘ ଓ ମାଟିର ମିଳନ ହୁଏ । ମାଟି ମା' ହୁଏ ରଜସ୍ୱଳା । କୃଷିପ୍ରଧାନ ଦେଶ ଭାବେ ଖ୍ୟାତି ଲାଭ କରିଥିବା ଆମଦେଶରେ ମାଟି ମା' ବହୁ କିସମର ଫସଲ ଫଳାଇ ଆମରି ହାତରେ ଅଜାଡ଼ି ଦିଏ । ମା'ଟିଏ ଯେମିତି ପ୍ରଜନନ ପୂର୍ବରୁ ବିଶ୍ରାମ ଆବଶ୍ୟକ କରେ, ସେମିତି ପ୍ରଜନନକ୍ଷମ ହେବାକୁ ଯାଉଥିବା ମାଟି ମା'କୁ ରଜ ତିନିଦିନ ବିଶ୍ରାମ ଦିଆଯାଏ ବୋଲି ବିଶ୍ୱାସ ଅଛି । ପହିଲି ରଜରେ ଆରମ୍ଭ ହୁଏ ପ୍ରସ୍ତୁତି ପର୍ବ । ତିନିଦିନ ଧରି ଧରଣୀ ମାତାକୁ ବିଶ୍ରାମ ଦିଆଯାଏ, ଯେଉଁଥିପାଇଁ ଭୂ-ଖନନ ବାରଣ କରାଯାଇଥାଏ । ମାତୃଜାତି ମଧ୍ୟରେ ଉତ୍ସାହ, ଉନ୍ମାଦନା ଓ ନୂତନ ଶକ୍ତି ଜାଗ୍ରତ କରିବା ପାଇଁ ପାଳନ କରାଯାଇଥାଏ ରଜପର୍ବ । କୁମାରୀମାନଙ୍କ ପାଇଁ ରଜପର୍ବ ହେଉଛି ତାଲିମ ପ୍ରଦାନକାରୀ ପର୍ବ । ଆଷାଢ଼ର ପହିଲି ବର୍ଷାରେ ମାଟି ମା'ର ପ୍ରଜନନ ଶକ୍ତି ଜାଗ୍ରତ ହୋଇଥାଏ, ଏହି କାରଣରୁ ଧରଣୀମାତାକୁ ରଜସ୍ୱଳା ସ୍ତ୍ରୀ ସହିତ ତୁଳନା କରାଯାଏ । ଅବିବାହିତା ଝିଅଙ୍କ ପାଇଁ ଗର୍ଭଧାରଣ କ୍ଷମତା ପ୍ରାପ୍ତିର ଏକ ସାଙ୍କେତିକ ପର୍ବ ହେଉଛି ରଜ । ଜଣେ ନାରୀଭାବେ ଆଗାମୀ ଦିନରେ କିପରି କର୍ତ୍ତବ୍ୟ ସମ୍ପାଦନ କରିବାକୁ ହେବ, ତାହା କୁମାରୀ ମାନଙ୍କୁ ଶିଖିବାକୁ ପଡ଼ିଥାଏ, ଏହି ରଜ ପର୍ବ ପାଳନ ଅବସରରେ । କୁମାରୀମାନେ ରଜପର୍ବର ମଉଜ ଭିତରେ ଜଣେ ନାରୀର ଚଳଣି, ଆଚାରସଂହିତାକୁ ବିଧିଭାବେ ପାଳିଥାଆନ୍ତି ଏବଂ ଭବିଷ୍ୟତରେ ଯେତେବେଳେ ଝିଅଟିଏ ନାରୀଭୂମିକାରେ ଅବତୀର୍ଣ୍ଣ ହୋଇ କର୍ତ୍ତବ୍ୟ ସମ୍ପାଦନ କରେ, ଏହି ଆଚାରସଂହିତା ତାକୁ ସହାୟ ହୋଇଥାଏ । ରଜ ତିନିଦିନ ଧରି ରଜସ୍ୱଳା ନାରୀଭାବେ ଧରଣୀମାତାକୁ କଷ୍ଟ ନ ଦେଇ ଭୂମି କର୍ଷଣ ନ କରି ବିଶ୍ରାମ ଦେଲାଭଳି କଟା, ବଟା ଆଦି ଗୃହକର୍ମ ନ କରି କୁମାରୀମାନେ ବିଶ୍ରାମ କରନ୍ତି । ଧରଣୀ ମାତା ଶସ୍ୟଶ୍ୟାମଳାପୂର୍ଣ୍ଣ ହେବା ପାଇଁ ପ୍ରାଥମିକ ପ୍ରସ୍ତୁତି ଭାବେ ରଜ ତିନିଦିନ ବିଶ୍ରାମ ମିଳିଥାଏ ତାଙ୍କୁ । ଠିକ ସେହିପରି ଝିଅବୋହୂମାନଙ୍କ ଭବିଷ୍ୟତ ସାଂସାରିକ ଜୀବନ ସୁଖମୟ କରିବାକୁ ରଜପର୍ବର କଳ୍ପନା କରାଯାଇଛି । ରଜପର୍ବର ବିଧିବିଧାନକୁ ସେମାନେ ନିଜେ ପାଳନ କରି ଜଣେ ମାତାର କର୍ତ୍ତବ୍ୟକୁ ସୁଚାରୁରୂପେ ତୁଲାଇପାରିବେ ଏବଂ ଭବିଷ୍ୟତରେ ନିଜ ଝିଅମାନଙ୍କୁ ସ୍ୱଅନୁଭୂତିରୁ ଶିଖି ସଂସାର ନିୟମ ଶିଖାଇବେ ।
            ପରମ୍ପରା ଅନୁସାରେ ଏହି ଦିନ ଭୂମି ଉପରେ ଖାଲିପାଦରେ ଚାଲିବାକୁ ମନା କରାଯାଇଥାଏ । କୁମାରୀମାନେ ଖାଲି ପାଦରେ ଚାଲନ୍ତି ନାହିଁ, ଅଧିକାଂଶ ସମୟ ଦୋଳିରେ ଝୁଲନ୍ତି ଏବଂ ଗୁଆ ଖୋଳପା କିମ୍ବା ଚପଲ ପିନ୍ଧି ଚଳପ୍ରଚଳ ହୁଅନ୍ତି ।

          ବସୁମତୀ ସ୍ନାନ ହେଉଛି ରଜ ପର୍ବର ଅନ୍ତିମ ଦିବସ । ଏହା ବସୁଧାମାତାଙ୍କ ଶୁଦ୍ଧ ସ୍ନାନ । ଏହା ଧରାସ୍ନାନ, ମହାଲକ୍ଷ୍ମୀ ସ୍ନାନ, ମହାଲକ୍ଷ୍ମୀ ଗାଧୁଆ ଓ ଶୁଦ୍ଧ ସ୍ନାନ ରୂପେ ପ୍ରଖ୍ୟାତ । ବଡ଼ି ସକାଳୁ ଶିଳପୁଆରେ ହଳଦୀ କନା ଗୁଡ଼ାଇ ସିନ୍ଦୂର, କଜଳ ଦେଇ ଧରଣୀ ମାତାଙ୍କ ସ୍ୱରୂକୁ ସଜାଇ ପିଢ଼ା ଉପରେ ସ୍ଥାପନା କରି କଳସ ଆମ୍ବଡ଼ାଳ ରଖି କ୍ଷୀର ଦେଇ ସ୍ନାନ କରାଯାଏ । ମାସିକ ଧର୍ମର ବିଧି ଅନୁଯାୟୀ ଧରଣୀ ମାତା ତିନିଦିନ ବିଶ୍ରାମ ପରେ ସ୍ନାନ କରି ଶୁଦ୍ଧ ପବିତ୍ର ହୋଇଥା’ନ୍ତି । 
          
              ମାର୍ଗଶୀର ଶେଷ ଗୁରୁବାରଦିନ ବନ୍ଦ ହୋଇଥିବା ମହାଲକ୍ଷ୍ମୀ ପେଡ଼ି ଏହି ଦିନ ଖୋଲାଯାଇଥାଏ । ରଜସ୍ୱଳାନାରୀ ସଦୃଶ ତିନିଦିନ ଅସ୍ପୃଶ୍ୟ ହୋଇ ରହିବାପରେ ଚତୁର୍ଥ ଦିନ ପ୍ରାତଃ କାଳରେ ଏହି ଶୁଦ୍ଧ ସ୍ନାନ ପର୍ବ । ଏହି ଦିନ ରଜପର୍ବର ଆନନ୍ଦ ଉଲ୍ଲାସ ମଉଳି ଯାଇ ଆଧ୍ୟାତ୍ମିକତା ସ୍ଥାନ ନେଇଥାଏ । ଏହି ବସୁମତୀ ସ୍ନାନ ଦିବସରେ ଧରଣୀ ମାତା ପ୍ରତି ଭକ୍ତିଭାବ ଜାଗ୍ରତ ହୋଇଥାଏ । ବସୁମାତା ରଜସ୍ୱଳା ହୋଇ ଶୁଦ୍ଧସ୍ନାନ ପରେ ସୃଜନ କ୍ଷମତାଶୀଳା ଅର୍ଥାତ ଶସ୍ୟ ବୀଜ ଧାରଣକାରିଣୀ ହୋଇପାରିଥାନ୍ତି ।
           
          ଏହି ପର୍ବରେ ବୋଲାଯାଉଥିବା ଜଣାଶୁଣା ଗୀତ ଯାହା ଆଗେ ଗାଆଁ ଗହଳିରେ ଜନ୍ମ ନେଇଥିଲା ଏବଂ ଲୋକ ମୁଖରେ ବୋଲାଯାଉଥିଲା ପୁରୁଷ ପୁରୁଷ ଧରି ଓ ଧିରେ ଧିରେ ତାହା ଓଡ଼ିଆ ସାହିତ୍ୟ ଭିତରକୁ ଆସିଲା ।
          
“ବନସ୍ତେ ଡାକିଲା ଗଜ,
ବରଷକେ ଥରେ ଆସିଛି ରଜ,
ଆସିଛି ରଜ ଲୋ
ଘେନି ନୂଆ ସଜବାଜ ॥

ରଜ ଦୋଳି କଟ କଟ,
ମୋ ଭାଇ ମଥାରେ ସୁନା-ମୁକୁଟ,
ସୁନା ମୁକୁଟ ଲୋ
ଦିଶୁଥାଏ ଝଟମଟ ॥

       ଝିଅ ମାନଙ୍କର ଖୁବ୍ ମନୋଖୋଲା ଗୀତ ଏହି ପର୍ବରେ ବେଶ ରୁଚିପୂର୍ଣ୍ଣ  । ସେହି ଗୀତରୁ କିଛି   
         ରଜଦୋଳି ଗୀତ :

ବନସ୍ତେ ଡାକିଲା ଗଜ, 
ବରଷକେ ଥରେ ଆସିଛି ରଜ ଲୋ,
      ଘେନି ନୂଆ ସଜବାଜ ।
ରାଶିରୁ ଛାଡ଼ିଲା ଚୋପା,
 ଗୋଡ଼ରେ ନାଇଛୁ ସରୁ ଅଳତା ଲୋ, 
    ମଥାରେ ସିନ୍ଦୂର ଟୋପା ।
ଉଡ଼ିଲା ଶୁଆ ନାହାକା, 
ଦୋଳିଟା କାହିଁକି ଲାଗୁଛି ଏକା ଲୋ, 
     କାହା ବିନା ଏକା ଏକା ।
ପାଚିଲା ବଇଁଚ କୋଳି, 
   ବେକରେ ନାଇଚି ଗଜରା ମାଳି ଲୋ, 
        ଝୁଲାଅ ରଜର ଦୋଳି ।
ପଣସ ପାଚିଲା ବନେ, 
ବନ ପୋଡ଼ିଗଲେ ଦୁନିଆ ଜାଣେ ଲୋ, 
     ମନକଥା କିଏ ଜାଣେ ।
ଶଙ୍ଖ ମଲମଲ ଗିନା, 
  ଦରଦ ଜାଣେଲୋ ଦରଦୀ ସିନା ଲୋ, 
     ବଣିଆ ଚିହ୍ନେଟି ସୁନା ।
ନିମ୍ବର ବୁକେ ଚନ୍ଦନ, 
ଦେବତା ଗଢ଼ାଇଲା ନାରୀ ଜୀବନ ଲୋ, 
    ଦେଲା ତହିଁ ଯଉବନ ।
ଢମଣା ଛାଡ଼ିଲା କାତି, 
ପୁରୁଷ ସିନାଲୋ ଭ୍ରମର ଜାତି ଲୋ,
     ନୂଆ ଖୋଜୁଥାନ୍ତି ନିତି ।
ଚାନ୍ଦରେ କଳଙ୍କ ଚିହ୍ନ, 
   ନବ ଯଉବନି କିଆଁ ଗୁମାନ ଲୋ, 
      ଆସିଲେଣି ଜୀବ ଧନ ।
ପୋଖରୀ ତୁଠ ପଥର, 
ତତେ ଦେଖିଥିଲି ବାଲି ବନ୍ଧରେ ଲୋ,
     ଆଖି ଥିଲା ଏଣେ ତୋର ।
ସାହାଡ଼ା ଗଛର ଛାଇ, 
ସେଦିନ କଥାକି ତୋ ମନେ ନାଇଁ ଲୋ, 
     ଏତେ ଆନମନା କାହିଁପାଇଁ ।
ଖୋସାରେ ଖୋସିଲି ଫୁଲ, 
କେତେ ଦେଖାଉଛୁ ନୁଖୁରା ଗେଲରେ, 
      ଭାଙ୍ଗି ଦେବି ତୋର ଗାଲ ।
ନଈର ଶୁଖିଲା ବାଲି,
 କେତେ ଫୁଲି ହେଉ ପୁଚୁକିଗାଲି ଲୋ, 
      ଦେଖାଉଛୁ କେତେ ବେଲି ।
ବାଜିଲା ତେଲିଙ୍ଗି ବାଜା, 
ରସିକ ଯେ ଜାଣେ ସ୍ନେହର ମଜା ରେ, 
      ସେ ସିନା ମୋ'ମନ ରଜା ।
ଲୁଚିଗଲା ମେଘେ ଚାନ୍ଦ, 
ଦୋଳି କଟକଟ କରେ ଶବଦ ଲୋ, 
     ବହନ୍ତେ ପବନ ମନ୍ଦ ।
ଦୋଳି ହୁଏ ରଟରଟ, 
ମୋ ଭାଇ ମୁଣ୍ଡରେ ସୁନା ମୁକୁଟ ଲୋ, 
      ଦିଶୁଥାଏ ଝଟଝଟ ।
ପରବତେ ଜଳେ ନିଆଁ, 
ପହଞ୍ଚାଇ ଦୋଳି ତେଣେ ନ ଚାହାଁ ଲୋ,
     ପୁଣି ହେବ ବାଆଁ ଡାଁ ।
ଉତୁରି ପଡ଼ିଲା ଦୁଧ, 
ଉଙ୍କି ମାରି ମାରି ଅନାଉ ଥାଏ ଲୋ,
      ନନ୍ଦର ଉଦିଆ ଚାନ୍ଦ ।
ଛତରା ବଜାର ହାଟ, 
ଛକି ବସିଥିବ ଚଗଲା କାହ୍ନୁଲୋ,
     ଛନ୍ଦରେ ମାଗିବ ଘାଟ ।
ଥୋଡ଼ମଞ୍ଜା କଲି ରାଇ, 
କଣ ନ କଲେ କଳା କହ୍ନାଇ ଲୋ, 
      ମୁହଁକୁ ଯା ନ ଅନାଇ ।
କରମଙ୍ଗା କଲି ରାଇ, 
ମଥୁରାକୁ ଗଲେ କଳା କହ୍ନାଇ ଲୋ, 
    କଣ୍ଟ ଦେଇ ଗଲେ କାହିଁ ।
ସାଉଁଟିଲି ବିଲ ଘଷି, 
କିମ୍ପାଇଁ ରାଧିକା ବସିଲା ରୁଷି ଲୋ, 
   ଫୁଲ ଶେଜ ହେଲା ବାସି ।
କଟକଟ ହୁଏ ଦୋଳି, 
ଭାଉଜଙ୍କ ମନ ଯାଇଛି ଜଳି ଲୋ, 
    ଭାଇ ବିଦେଶୁ ନଇଁଲେ ବୋଲି ।
ଗରଜେ କଳା ବଉଦ, 
ମୋତେ ତ ବରଷ ହେଲା ଚଉଦ ଲୋ, 
     ଗଲାଣି ପିଲା ସୁଆଦ ।
ବଇଁଶୀ ବାଜିଲା କୁଞ୍ଜେ, 
ବଡ଼କଥା ବଡ଼ ଲୋକଙ୍କୁ ସାଜେ ଲୋ,
    ଛୋଟ କଲେ ଛାଟ ବାଜେ ।
ଲାଞ୍ଜ ଟେକିଗଲା ବାଘ, 
ନଇଁ ଚାଲୁଥିବ ବଡ଼ଙ୍କ ଆଗେ ଲୋ,
     ଲାଗିବ ନାହିଁଟି ଦାଗ ।
ଛତୁ ଫୁଟେ ବରଷାରେ, 
ଛତରାଟା କେତେ ଛଇ ଦେଖାଉ ରେ,
     ଅଛି କି ତୋ ଭରଷାରେ ।
କରଡ଼ି ଖସିଲା ଆମ୍ବ, 
ପର କାହୁଁ ଘର ପରାଣୀ ହେବେ ରେ, 
    ମନ ଜାଣି ଖଞ୍ଜି ଦେବ ।
ବିରାଡ଼ି ଛିଙ୍କିଲା ବଣେ, 
 ଆଗରେ ଯାଉଛି ନାଗର ଜଣେ ଲୋ, 
      ମୁଣ୍ଡି ଝାଡୁ ଖାଲି ପଣେ ।
ଅଦିନେ ପଣସ ସିଠା, 
ବଚନରେ ଯାର ନଥଏ ମିଠା ଲୋ, 
    ସେଟା ବାଡ଼ ପକା କଣ୍ଟା ।
ପାହାନ୍ତି ରାବିଲେ ପେଚା, 
ଯିଏ ହୋଇଥିବ ସିଂହର ବଚା ଲୋ, 
       ନ ଦେବ ପଛଘୁଞ୍ଚା ।
ମଇଁଷି ଶିଙ୍ଗରେ ଖସା, 
ମଉସା ପୁଆଟା ଏଡ଼େ ସହସା ଲୋ,
      ମତେ କଲା ଲୋକହସା ।
ଜାରା ମାରିଦେଲା ବାଣ , 
ଯାହାଠାରେ ଯାର ମିଶିଛି ମନ ଲୋ, 
    ସେହି ଜାଣେ ତାର ଗୁଣ ।
କାଟି ଗଲି କଳା ଦୁବ, 
ଝିଅ ଜନମରେ ଏତିକି ଲାଭ ଲୋ, 
     ବନ୍ଧୁ ଘର ଅରଜିବ ।
କାଳୀଗାଇ ଦୁଧ କ୍ଷୀରି, 
ନୂଆ ପୀରତିରେ ମଉଜ ଭାରି ଗୋ, 
    ପୁରୁଣାଟି ନିମ୍ବ ପରି ।
ଆମ୍ବ ପତ୍ର ଗହଳିଆ,
 ପ୍ରୀତି ପଙ୍କେ ତୁହି ହେବୁ ଗୋଳିଆ ଲୋ, 
    ତୋଫା ହେବଟି ଧୁଳିଆ ।
ଥିରି ଥିରି ଚାଲେ ହାତୀ,
 ଥୟ ନ ହେଉଛି କିମ୍ପା ଏ ଛାତି ଲୋ,
     ଥକା ଦୋଳି ହେଲା ରାତି ।

            ରଜରେ ପିଠାପଣା ବ୍ୟତୀତ  ପାନଖିଆ ଏକ ପୁରୁଣା ଓଡ଼ିଆ ପରମ୍ପରା । ପ୍ରୀତିର ବନ୍ଧନ ହେଉଛି ପାନ । ପ୍ରୀତି, ପ୍ରେମ, ବନ୍ଧୁତାର ଛ'ଲକ୍ଷଣ ଏ ଦେଶରେ ନିର୍ଦ୍ଧାରିତ କରାଯାଇଛି । ଦିଏ, ନିଏ, ଖାଏ, ଖୁଆଏ, ଗୋପନ କଥା କହେ ଓ ପଚାରେ, ଏ ଛ'ଟି ଆନ୍ତରିକତା ଓ ନିବିଡ଼ତାର କଥା । ଭୋଜନ ଶେଷରେ ତାମ୍ବୁଳ ସେବା ଏକ ପ୍ରାଣମୟ ବ୍ୟବସ୍ଥା । ଓଡ଼ିଆଙ୍କ ଠାକୁର ବଡ଼ଠାକୁର ଜଗନ୍ନାଥ ପ୍ରତିଦିନ ଭୋଜନାନ୍ତେ ତାମ୍ବୁଳ ସେବା କରି ନିଦ୍ରା ଯାଆନ୍ତି । ପାନ ହେଉଛି ମୁଖବାସ, ପରିତୋଷ । ରଜ ସହିତ ପାନ ଯୋଡ଼ିହେବା ପଛରେ କଥା ଅଛି, ଏଡା ବନ୍ଧୁତାର ଡେ଼ାରିକୁ ସୁଦୃଢ କରିବ । ରଜରେ ଝିଅମାନେ ସମସ୍ତଙ୍କୁ ପାନ ଦବାନବା କରିଥାନ୍ତି । ଆୟୁର୍ବେଦ ଶାସ୍ତ୍ର ଅନୁସାରେ ପାନ ଜୀର୍ଣ୍ଣକାରକ ଏବଂ କୃମିନାଶକ । ପାନରେ ଦିଆଯାଉଥିବା ଚୂନ ଲୌହଶକ୍ତି ପୂର୍ଣ୍ଣ (କ୍ୟାଲସିଅମ) ଓ ଖଇର ଦାନ୍ତକୁ ମଜଭୁତ କରିଥାଏ । ପାନ ଖାଇଲା ବେଳେ ପତ୍ରରୁ ଶିରା ଛେଦନ କରାଯାଇଥାଏ କାରଣ ପାନଶିରା ହେଉଛି ବୁଦ୍ଧି ବିନାଶିନୀ । ରଜପାନର ଚମକ ଓ ମହକ ସାରାବର୍ଷର ପାନକୁ ବଳିଯାଏ, ରଜ ଆଭୂଷଣକୁ ଆହୁରି ମୁଗ୍ଧକର କରିଦିଏ । ରଜପାନରେ ଗୁଆ, ଅଳେଇଚ, ଗୁଜୁରାତି, ଭଜା ଧଣିଆ, ଚାଉଳ ଓ ନଡିଆ ଖଣ୍ଡ, ଚେରି, ଲବଙ୍ଗ, କବାବଚିନି, ଚୁଆ, ପାନ ମହୁରି, ସୁବାସିତ ଜାଫ୍ରାନ କେଶର, ଖଇର ପରି ୧୦ରୁ ୧୨ ପ୍ରକାର ମସଲା ବ୍ୟବହୃତ ହୁଏ । ଏହାକୁ ବିଭିନ୍ନ ଢଙ୍ଗରେ ତ୍ରିଭଙ୍ଗି, ଚଉଭଙ୍ଗି ଆକୃତି ଦେଇ ଉପରେ ଲବଙ୍ଗ ଖୋସି ଅତି ସୁନ୍ଦର ଭାବେ ଥାଳିରେ ସଜାଇ ଦିଆଯାଏ । ସାଧାରଣ ଦିନର ପାନଠାରୁ ରଜପାନର ସ୍ୱାଦ ସ୍ୱତନ୍ତ୍ର ।

         ଓଡ଼ିଆଙ୍କ  ପର୍ବପର୍ବାଣୀ ଖୁବ୍ ନିଆରା ଏଥିରେ ସ୍ନେହ ବନ୍ଧନ ସହ ପ୍ରକୃତି ତଥା ଓଡ଼ିଆଙ୍କ ଭକ୍ତି, କଳାନିପୁଣତା ସ୍ପଷ୍ଟ ବାରିହୋଇପଡେ । 
      
   ✍ ସନ୍ତୋଷ ପଟ୍ଟନାୟକ , ଗଞ୍ଜାମ ।

Friday, June 11, 2021

● ଜହ୍ନ ଓ କଇଁ ●

               ଜହ୍ନ ଓ କଇଁ
              ***********
ଶୀତ ପରେ ଆଜି ବସନ୍ତର ଆଗମନ
ନଭସୂତ ବୋହି ଆଣୁଛି ଫୁଲର ମଧୁର ବାସ୍ନା। ଓଃ..... କି ଶାନ୍ତି..... ଏଇତ ଫୁଲଋତୁର ଅପେକ୍ଷା ଥିଲା । ପୃଥିବୀ ତାର କୋଳରେ ତୋଳି ଧରିଲା ଅନେକ ପ୍ରକାର ଫୁଲ। ବସନ୍ତର ଆଗମନରେ ସମସ୍ତେ ଖୁସି ହେଲେ ଏ କଣ କଇଁ ମନ ଉଦାସ !!

              ଯେତେ ଫୁଲର ବାସ୍ନା ପବନ ବହିଲେ ମଧ୍ୟ ତାର ମନ ଖୋଜେ ଆଉ କାହାକୁ। ଅମା ଅନ୍ଧକାରରେ ତାର ଖୁସି ଯେପରି ଲୁଚି ଯାଇଛି। ହଜିଯାଇଛି ତା ଦେହର ସୁଗନ୍ଧ। ଅନ୍ଧକାରର ଭୟରେ ସେ ପାଦ ଥାପିବାକୁ ମଧ୍ୟ ସାହସ କରୁନାହିଁ। ସେହି ଅନ୍ଧକାରର ଭାବନା ତାକୁ କେଉଁ ଅବନା ଆରଣ୍ୟକୁ ଟାଣି ନେଉଛି। ସେ ଖୋଜେ ଜ୍ୟୋତ୍ସ୍ନା। ସତରେ କଣ ଏତେ ଶକ୍ତି ସେହି ଜ୍ୟୋତ୍ସ୍ନାର ! ଯାହାପାଇଁ କଇଁ ଚାହିଁ ରହିଛି ପୂର୍ଣ୍ଣମାକୁ  ??  

             କି ଆଶ୍ଚର୍ଯ୍ୟ ଜହ୍ନ କେବେ କଇଁକୁ କି କଇଁ କେବେ ଜହ୍ନକୁ  ସ୍ପର୍ଶ କରିନାହାନ୍ତି ସତ। ହେଲେ କେବଳ ଦୁହେଁ ଦୁହିଁଙ୍କୁ ଅନୁଭବ କରିପାରନ୍ତି ସେହି ଜ୍ୟୋତ୍ସ୍ନାରେ ଯାହା ଜହ୍ନରୁ ବାହାରି କଇଁ ଉପରେ ପଡ଼େ।ହେଲେ ତାଙ୍କ ପ୍ରେମ ଶାଶ୍ଵତ ସେଇ ଟିକକ ସ୍ପର୍ଶ ପାଇବାକୁ କଇଁ କାହିଁ କେବେଠୁ ଅପେକ୍ଷାରତ ରହିଛି। ତାର ଆଲୋକ ଦେଖି ସେ ବାହାରି ଆସେ। ସେହି ଆଲୋକର ସ୍ପର୍ଶରେ ସେ ଉତ୍ଫୁଲ୍ଲିତ ହୋଇଉଠେ। ସେଥିରେ ସେ ନିଜକୁ ସଜାଏ ଓ ଲାଜେଇ ଲାଜେଇ ଜହ୍ନକୁ ଚାହେଁ। ସତରେ ଏ ଆକାଶ ଓ ମାଟି, କଇଁ ଆଉ ଜହ୍ନର ପ୍ରେମ କେତେ ଅଜବ, କେତେ ଶାଶ୍ଵତ ଟିକିଏ ସ୍ପର୍ଶ ପାଇଁ ସେମାନେ ଅପେକ୍ଷାରତ। ମାଟି ଓ ଆକାଶ ଯେପରି ଚାହିଥାନ୍ତି ବର୍ଷାକୁ , କଇଁ ଓ ଜହ୍ନ ଚାହିଁଥାନ୍ତି ପୂର୍ଣ୍ଣମାକୁ। ଏଇତ ଏକମାତ୍ର ମାଧ୍ୟମ । ସେହି ପୂର୍ଣ୍ଣମାରେ ଜହ୍ନ ପହଞ୍ଚେ କଇଁ ପାଖରେ। ତାର ଆଗମନରେ କଇଁ  ମନରେ ତ ଅସରନ୍ତି ଆଶା ନେଇ ସେ ନିଜକୁ ସଜେଇ ହୁଏ। ତାର ବାସ୍ନାରେ ଭ୍ରମର ମଧ୍ୟ ପାଗଳ ପାଲଟି ଯାଏ। ପୁଣି ଯେତେବେଳେ ଅନ୍ଧକାର ହୋଇଉଠେ ତାର ହୃଦ ତରଳି ଉଠେ। ମନେ ମନେ ସେ ସେହି ବାଦଲକୁ ଗାଳିକରେ ଓ ଧରଣୀର କୃଷ୍ଣସାର ପରି ଦୂର ଆକାଶକୁ ଚାହିଁ ରୁହେ ।
                         ~୦~
                 ✍   ଲିଜା ରାଣୀ ପାଇଟାଳ 
              (ରାହାଣ, ଜଗତସିଂହପୁର)

● #ବୋଉ #ଶବ୍ଦ_ଗୋଟିଏ_କଥା_ଅନେକ ●

           ✍ ଶିିିଶିର ସାାହୁ ମନୋଜ {ଭାଷା ସୁୁୁରକ୍ଷାର ଜାଗ୍ରତ ପ୍ର୍ରହରୀ}

ଚୀନଦେଶୀୟ ଭାଷାଗୁଡି଼କରେ ମାଆ ବାପାଙ୍କୁ ସମ୍ବୋଧନ ହେତୁ ଅନେକ ଶବ୍ଦ ରହିଛି । ଆଜିକାଲି ଵିଶ୍ଵର ଅନୁକରଣ କରିଵାକୁ ଯାଇ ଶିକ୍ଷିତ ଚୀନାଲୋକେ ମାଆଙ୍କୁ  妈妈(māmā) ତଥା ବାପାଙ୍କୁ 爸爸(bàbà) ଡାକନ୍ତି । 

ତେଵେ କିଛି ଶହ  ଵର୍ଷ ପୂର୍ଵେ ସେମାନେ ମାଆଙ୍କୁ 母亲(mǔqīn) ଓ ବାପାଙ୍କୁ 父亲(fùqīn) ଡାକୁଥିଲେ । ଆଜି ବି ଏ ଶବ୍ଦ ଦ୍ଵୟ ପ୍ରଚଳିତ ତେଵେ  ଚୀନଦେଶୀୟ ଲିଖିତ ସାହିତ୍ୟରେ ହିଁ ଏହାର ଵ୍ଯଵହାର ସୀମିତ ହୋଇଯାଇଛି ।  ‌ସେଇଭଳି ଏଠାକାର ଗ୍ରାମୀଣ ଅଞ୍ଚଳରେ ମାଆଙ୍କୁ 娘(niáng)ଓ ବାପାଙ୍କୁ 爹(diē)ସମ୍ବୋଧନ କରାଯାଏ କିନ୍ତୁ ଧିରେ ଧିରେ ଏହି ପରମ୍ପରା ଦୃତ ସହରୀକରଣ ଯୋଗୁଁ ଲୁପ୍ତ ହେଵାକୁ ବସିଲାଣି । 

ଆମ ପୂର୍ଵାଞ୍ଚଳରେ ଯେମିତି ଅନ୍ଯର ମାତା ଓ ପିତାଙ୍କୁ ସମ୍ମାନର ସହିତ ମଉସା ଓ ମାଉସୀ ସମ୍ବୋଧନ କରାଯାଏ ସମାନ ପରମ୍ପରା ଚୀନଦେଶରେ ମଧ୍ୟରେ ରହିଛି । ତେଵେ ସେଠାକାର ଲୋକେ ଅଧିକ ଆଵଶ୍ଯକ ହେଲେ ହିଁ ଅନ୍ଯର ମାତାଙ୍କୁ  令堂(lìngtáng)ଓ ଆନର ପିତାଙ୍କୁ  令尊(lìngzūn) ସମ୍ବୋଧନ କରିଥାନ୍ତି ‌। ଆମ ଗଞ୍ଜାମ ଅଞ୍ଚଳର ଲୋକେ ଆଉ ପାଦେ ଆଗେଇ ପରର ପିତାମାତାଙ୍କୁ ମଧ୍ୟ ଶ୍ରଦ୍ଧାରେ ମାଆ ଓ ବାପା ସମ୍ବୋଧନ କରୁଥିଵା ଦୃଷ୍ଟିଗୋଚର ହୁଏ । ତେଵେ ପୂର୍ଵାଞ୍ଚଳର ଲୋକେ ଵିଶେଷତଃ ପୁରୁଷମାନେ ନିଜ ଝିଅ,ଝିଆରୀ ଓ ଭାଣିଜୀମାନଙ୍କୁ ‘ମାଆ’ ତଥା ସ୍ତ୍ରୀଲୋକେ ଛୋଟ ବାଳକଙ୍କୁ ବାପ,ବାପା,ବାବା,ବାବୁ,
ପୁଅ,ପୋଅ ଆଦି ସମ୍ବୋଧନ କରୁଥିଵା ଦେଖାଯାଏ । 

ଚୀନଦେଶୀୟ ଲୋକେ ତାଙ୍କ ମାତାପିତାଙ୍କୁ ପତ୍ର ଲେଖିଲାଵେଳେ ତଥା ସାହିତ୍ୟରେ ମାଆଙ୍କ ପାଇଁ  家母(jiāmǔ)ଓ  家慈(jiācí)ଏଵଂ ପିତାଙ୍କ ପାଇଁ 家父(jiāfù)ଓ 家严(jiāyán)ଶବ୍ଦର ଵ୍ଯଵହାର କରିଥାନ୍ତି ଯାହା ଚୀନରେ ଅତ୍ୟନ୍ତ ଆଦରସୂଚକ ମାନାଯାଏ । 

ତେଵେ ଅତିପ୍ରାଚୀନ କାଳରେ ଚୀନଦେଶର ଲୋକେ 
ଆଜିଭଳି ମାମା ବାବା ଶବ୍ଦ ଵ୍ଯଵହାର କରୁନଥିଲେ । ଏହି ଉଭୟ ଶବ୍ଦ ପଶ୍ଚିମ ଵିଶ୍ଵ ତଥା ଭାରତ ସହିତ ସାଂସ୍କୃତିକ ସଂପର୍କ ବୃଦ୍ଧି ପରେ ପରେ ପ୍ରଚଳିତ ହୋଇଥିଵା ଅନେକ ଚୀନୀ ଭାଷାଵିତ୍ ମତ ଦିଅନ୍ତି । 

ପ୍ରାୟ ୨୦୦୦ ଵର୍ଷ ପୂର୍ଵର ଅନେକ ପ୍ରାଚୀନ ଚୀନୀ ଗ୍ରନ୍ଥରେ  ମାତାଙ୍କୁ  妣(bǐ)ଓ ପିତାଙ୍କୁ 考(kǎo) ସମ୍ବୋଧନ କରାଯାଉଥିଵାର ପୁରାତନ ଲିଖିତ ପ୍ରମାଣ ରହିଛି । ତେଵେ ଆଜିକାଲି 妣(bǐ)ଶବ୍ଦର ଵ୍ଯଵହାର ମରଣୋତ୍ତର ମାତାଙ୍କୁ ସମ୍ବୋଧନ ହେତୁ ସଭା ସମିତି ଦୂରଦର୍ଶନ ସମ୍ବାଦପତ୍ର ଆଦିରେ ଵ୍ଯଵହୃତ ହୋଇଥାଏ । 

ଆମ ଭାରତରେ ଯେମିତି ଭାଷା ଭେଦରେ ମାତାଙ୍କୁ ଭିନ୍ନ ଭିନ୍ନ ଶବ୍ଦ ଦ୍ଵାରା ସମ୍ବୋଧନ କରାଯାଏ ଠିକ୍ ସେଇଭଳି ଚୀନଦେଶରେ ମଧ୍ୟ ଵିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ଶବ୍ଦ ଚଳୁଅଛି । ନିମ୍ନରେ ସେଇଭଳି କିଛି ଉଦାହରଣ ଦିଅଗଲା ଯେଉଁ ଶବ୍ଦଗୁଡି଼କୁ ଚୀନଦେଶରେ ମାତାଙ୍କୁ ସମ୍ବୋଧନାର୍ଥେ ପ୍ରୟୋଗ କରାଯାଏ । 

✓母親 (móuhchàn)
✓媽媽 (màhmà) 
✓阿母 (a mā) 
✓母親 (mu1-cin1)
✓媽媽 (ma5-ma3)
✓阿母 (a1-me1)
✓母親 (mǔqīn) 
✓妈妈 [媽媽] (māma) 
✓母親 (bó-chhin)
✓阿母 (a-bó)
✓俺娘 (án-niâ)

ଏଠାରେ ପ୍ରଦତ୍ତ 阿母 (a-bó) ଶବ୍ଦଟି ଜାପାନୀ ଭାଷାରେ ମଧ୍ୟ ଚଳୁଅଛି ତେଵେ ଏହାର ଵ୍ଯଵହାର ଜାପାନର କେତେକ ଜନଜାତି ମଧ୍ୟରେ ସୀମିତ ରହିଯାଇଛି । 

ଚୀନଦେଶୀୟ ଭାଷାଗୁଡି଼କରେ ଏହି 阿母 (a-bó)
ଶବ୍ଦର ଭିନ୍ନ ଭିନ୍ନ ଅଞ୍ଚଳରେ ଵିଭିନ୍ନ ଅର୍ଥରେ ଵ୍ୟଵହାର ରହିଛି । 
ଯଥା—

✓ଚୀନର Min Nanଭାଷାରେ 阿母 (a-bó) ଶବ୍ଦର ଅର୍ଥ ‘ମାଆ’ 

✓Cantonese ଭାଷାରେ ଭାଉଜଙ୍କୁ 
阿母 (a-bó) କୁହାଯାଏ । 

✓Dongguan Cantonese ଉପଭାଷାରେ
ମାଇଁଙ୍କୁ 阿母 (a-bó) କୁହନ୍ତି । 

✓ଚୀନଦେଶର କେତେକ ଶୈଳୀରେ 
ନର୍ସମାନଙ୍କୁ 阿母 (a-bó) କୁହାଯାଇଥାଏ ।

ଚୀନଦେଶରେ a-bó  ଶବ୍ଦର ଅଞ୍ଚଳ ଭେଦରେ ଵିଭିନ୍ନ ଅର୍ଥ ରହିଛି ପୁଣି ମାଆଙ୍କୁ ସମ୍ବୋଧନାର୍ଥେ ଵିଭିନ୍ନ ଚୀନଦେଶୀୟ ଭାଷାରେ  ଭିନ୍ନ ଭିନ୍ନ ଶବ୍ଦ ଚଳୁଅଛି । କିନ୍ତୁ ସେମାନେ ଆମ ଭାରତୀୟଙ୍କ ପରି ସମ୍ବୋଧନ ଵାଚକ ଶବ୍ଦକୁ ନେଇ ପରସ୍ପରରେ କାଦୁଅ ଫିଙ୍ଗାଫିଙ୍ଗି ହେଉଥିଵାର ଦେଖାଯାଏ ନାହିଁ । 

 ଚୀନ ଦେଶ କଥା ଛାଡ଼ନ୍ତୁ ଆମ ଭାରତରେ ପ୍ରଚଳିତ ପଞ୍ଜାବୀ ଭାଷାରେ ପ୍ରଚଳିତ ଏମିତି କେତେଗୋଟି ଶବ୍ଦର ମଧ୍ୟ ଏଠାରେ ଉଦାହରଣ ଦିଆଯାଇପାରେ ।  ପଞ୍ଜାବୀମାନେ ତାଙ୍କ ମାତାଙ୍କୁ ਭਾੱਥੋ(BHÁBBO) ସମ୍ବୋଧନ କରନ୍ତି । ତେଵେ ପଞ୍ଜାବୀର କେତେକ ଶୈଳୀରେ ଭାଉଜଙ୍କୁ ସମ୍ବୋଧନ ପାଇଁ ବି ଏ ଶବ୍ଦ ଵ୍ଯଵହାର ହୋଇଥାଏ । ପଞ୍ଜାବୀର କେତେକ ଶୈଳୀରେ ਬੋਬੀ(BOBÍ) ଓ ਬੋਬੋ(BOBO) ଶବ୍ଦଦ୍ଵୟର ଅର୍ଥ ମାଆ ହୋଇଥିଵା ଵେଳେ ଅନ୍ୟତ୍ର ଏ ଶବ୍ଦ ଭଉଣୀମାନଙ୍କୁ ସମ୍ବୋଧନାର୍ଥେ ପ୍ରୟୋଗ ହୁଏ । “ଭାଇ ମାୟା ସିଂ” ଙ୍କ ଦ୍ଵାରା ସଂକଳିତ “the punjabi dictionary”ରେ ଏହି ତଥ୍ଯ ରହିଛି । 

ଓଡ଼ିଆ ଭାଷାରେ ଓ ଓଡ଼ିଶା ଭୂଇଁରେ ସେହିପରି ଵର୍ଗ୍ୟ ବ ଵର୍ଣ୍ଣ ଆଦ୍ୟରେ କେତେକ ସମ୍ପର୍କଵାଚକ ଶବ୍ଦ ପ୍ରଚଳିତ । ତନ୍ମଧ୍ୟରୁ ବୋଉ,ବଉ ଓ ଵୋହୂ ଵା ଵଉ ଶବ୍ଦକୁ ନେଇ ନିକଟ ଅତୀତରେ ଓଡ଼ିଶାର ବୁଦ୍ଧିଜୀଵିଙ୍କ ମଧ୍ୟରେ ମହାଭାରତ ଯୁଦ୍ଧ ସଂଗଠିତ ହୋଇଯାଇଥିଲା ।  ହେଲେ କିଛି ଵର୍ଷ ତଳେ ଆମ ଓଡ଼ିଶାର ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ଜଣେ ତଥାକଥିତ କଵି ଯେଉଁଭଳି ଭାବେ ଦାଣ୍ଡରେ ଡ଼ାକବାଜି ଲଗାଇ ଓଡ଼ିଆ ଭାଷାର ମୌଳିକ ବୋଉ ଶବ୍ଦର ଚୀରହରଣ କରିଥିଲେ ସେଭଳି ପାଗଳାମୀ ଚୀନା କି ପଞ୍ଜାବୀମାନେ କେବେ ବି କରିଥିଵା ଜଣାଯାଏ ନାହିଁ । ସେଠାରେ ମଧ୍ୟ ଓଡ଼ିଶାର ବେଈ,ଵଧୂ,ଵୋହୂ,ବୋଉ,ବଉ,ଆବୋଉ,ଆଉବୋଉ ଇତ୍ୟାଦି ଵିଭିନ୍ନ ଅର୍ଥରେ ଭିନ୍ନ ଭିନ୍ନ ଅଞ୍ଚଳରେ 阿母 (a-bó) ଓ ବେବ୍ଵୋ,ବେବ୍ଵେ,ବାବ୍ଵେ ଭଳି ଶବ୍ଦ ଵ୍ୟଵହୃତ ହୋଇଥାଏ କିନ୍ତୁ ସେଠାକାର ଲୋକ ଆମର ତଥାକଥିତ ମହାପେଣ୍ଡୁଳି କଵିରାଜଙ୍କ ପରି ଆଞ୍ଚଳିକଵାଦୀ ନୁହନ୍ତି କି ହୋଇନାହାନ୍ତି ।

କିନ୍ତୁ ତଥାକଥିତ ମହାକଵି ସମ୍ଭଵତଃ ଜାଣିନଥିଲେ ଯେ କେଵଳ ଓଡ଼ିଆ ଭାଷା ହିଁ ନୁହେଁ ଆସାମର ଆହମିୟା ଭାଷାରେ ମଧ୍ୟ ମାଆ ଶବ୍ଦର ଏକ ପ୍ରତିଶବ୍ଦ ‘ବୌ’ ଅଟଇ । ଅହମିୟା ଭାଷାର ଚନ୍ଦ୍ରାକାନ୍ତା ଅଭିଧାନରେ ଏହି କଥା ଉଲ୍ଲେଖ କରାଯାଇଛି । ଉକ୍ତ ଅଭିଧାନର ୭୦୪ ପୃଷ୍ଠାରେ ବୌ ଶବ୍ଦର ଯେଉଁ ଦୁଇଗୋଟି ଅର୍ଥ ମୁଦ୍ରିତ ହୋଇଅଛି ତାହା ଅକ୍ଷରସଃ ଏଠାରେ ଉଦ୍ଧାର କରାଗଲା...

ବୌ/ଵୌ
୧)ଵ।ଧୂ ଶବ୍ଦଜ ଵୌ — କକାଇର ଭାର୍ଯ୍ଯା

2)ବୌ/ବୌବି—ଆଇ; ପୁତ୍ରଇ ମାକକ କରା ସମ୍ବୋଧନ

ପ୍ରକାଶ ଥାଉକି ପ୍ରାଚୀନ ଓଡ଼ିଆରେ ପୂର୍ଵେ ଆଈ ଶବ୍ଦ ମାତାଙ୍କୁ ସମ୍ବୋଧନାର୍ଥେ ପ୍ରୟୋଗ ହେଉଥିଲା ଅଧୁନା ମାତାମହୀଙ୍କୁ ଆଈ ସମ୍ବୋଧନ କରାଯାଇଥାଏ । ତେବେ ଆସାମ ଓ ମହାରାଷ୍ଟ୍ରରେ ଆଈ ଶବ୍ଦ ଆଜି ବି ମାତା ଅର୍ଥରେ ପ୍ରୟୋଗ ହେଉଅଛି । ଏଠାରେ ଆଈ ଶବ୍ଦ ଵିଷୟରେ ସାମାନ୍ୟ ଆଲୋଚନା କରିଵା ଉଚିତ୍ ହେଵ । ଏକ ଲୋକପ୍ରିୟ ମତାନୁସାରେ ଆର୍ଯ୍ୟ ଓ ଆର୍ଯ୍ୟା ଶବ୍ଦରୁ ଅଜା ଓ ଆଈ ଶବ୍ଦ ଆସିଥିଵା ଅନେକ ବୁଦ୍ଧିଜୀଵୀ ମତ ଦିଅନ୍ତି ମାତ୍ର ଓଡ଼ିଶାର ଅନେକ ଆଷ୍ଟ୍ରିକ ଓ ଦ୍ରାଵିଡ଼ ଭାଷାରେ ମଧ୍ୟ ଆଈ ଶବ୍ଦ ସହ ସମସାଦୃଶ୍ୟ ଅନେକ ଶବ୍ଦ ଚଳୁଅଛି ଉଦାହରଣ ସ୍ୱରୂପ 
🔰ଗଦଵା ଵା ଗୁତଵ ଭାଷାରେ ମାଆଙ୍କୁ ଇୟଂ କୁହାଯାଏ 
🔰ଓରାଓଁରେ ଆୟାଙ୍ ,
🔰କିସାନ୍ ଵା କୁଣାହାଁରେ ଆୟା/ଆୟାଂ ଓ ଆୟାଙ୍ଗ
🔰କୁଈ ତଥା କୁଭି ଭାଷାରେ ଆଜି
🔰କୋୟା ଭାଷାରେ ୟାୟା ଓ ୟାୱା
🔰ଗୋଣ୍ଡୀ ଭାଷାରେ ୟାୟା
🔰ଦେଶିଆ ଓଡ଼ିଆରେ ଆୟା
🔰ବଣ୍ଡା ଭାଷାରେ ୟଂ ଓ ଇୟଂ
🔰ଭୁଂଜିଆରେ ଓୟା 
🔰ସଉରାରେ ୟାଙ୍
🔰ସାଦ୍ରୀରେ ଆୟୋ
🔰ସାନ୍ତାଳୀରେ ଏଙ୍ଗା ଓ ଅୟୋ
🔰ଡିଡାୟୀରେ ଇଆଁଙ୍ଗ୍
🔰ପରଜୀ ଭାଷାରେ ଇୟ୍'ୟା 
🔰 ଭତ୍ରୀ ଓ ହଲଵୀ ଓଡ଼ିଆରେ ଆୟା
ଇତ୍ୟାଦି ଇତ୍ୟାଦି ...

ଅର୍ଥାତ୍ ଓଡ଼ିଆ ଭାଷାରେ ପୂର୍ଵେ ମାତା ଅର୍ଥରେ ପ୍ରଚଳିତ ଥିଵା ଆଈ ଶବ୍ଦଟି ସମ୍ଭଵତଃ ଜନଜାତୀୟ ମୂଳର କିଂଵା ଓଡ଼ିଆ ପ୍ରାଚୀନ ଓଡ଼ିଆ ଭାଷାରେ ଆର୍ଯ୍ୟା ଶବ୍ଦଜ ଆଈ ଶବ୍ଦର ବହୁଳ ଵ୍ୟଵହାରରୁ ପ୍ରଭାଵିତ ହୋଇ ଵିଭିନ୍ନ କଳିଙ୍ଗୀ ଜନଜାତୀୟ ଭାଷା ମଧ୍ୟରେ ଆଈ ଶବ୍ଦ ଭିନ୍ନ ଭିନ୍ନ ରୂପରେ ପ୍ରଚଳିତ ହୋଇଅଛି । ପୂର୍ଵେ ଓଡ଼ିଆ ଭାଷାରେ ଆଈ ଶବ୍ଦଟି ମାତା ଅର୍ଥରେ ପ୍ରୟୋଗ ହେଉଥିଵାରୁ ଅନେକ ପ୍ରାଚୀନ ସାହିତ୍ୟିକ କୃତିରେ ଏ ଶବ୍ଦଟି ମାତା ଶବ୍ଦର ଏକ ପ୍ରତିଶବ୍ଦ ଭାବେ ଵ୍ୟଵହୃତ ହେଇଥିଲା । ଉଦାହରଣ ସ୍ୱରୂପ...

କଵି ଵିଶ୍ଵନାଥ କୃତ ଵିଚିତ୍ରରାମାୟଣରେ ଆଈ ଶବ୍ଦକୁ ମାତା ଅର୍ଥରେ ପ୍ରୟୋଗ କରିଛନ୍ତି

“ଦଶରଥ ସୂତ, ଜଗତେ ଵିଦିତ,
 କୈକେୟୀ ମୋହର ଆଈ।”
 
ଓଡ଼ିଆ ରାମାୟଣର “ଲକ୍ଷ୍ମଣ ଶକ୍ତିଭେଦରେ ଶ୍ରୀରାମଙ୍କ ଶୋକ” 
ଅଧ୍ୟାୟରେ ରାମଚନ୍ଦ୍ର ନିଜ ମାତାଙ୍କୁ ଆଈ କହୁଛନ୍ତି । 

“ଅର୍ଥଭାଗ ବାଣ୍ଟି ଯେ ନିଅନ୍ତି ଭାଇମାନେ ।
କଷ୍ଟ ପାଇବ ବୋଲି ଅଇଲା ଘୋରବନେ । 
ଆରେ ଆରେ ଲକ୍ଷ୍ମଣ ତୁ ମୋ ପ୍ରାଣ ସ୍ବରୂପ । 
କାହିଁ ବସି ବାକୁ ତୁ ଅର୍ଜିଲୁ ଏଡ଼େ ପାପ ।
ସର୍ବ ସୁଲକ୍ଷଣ ତୁହିଁ ଅଟୁ ମୋର ଭାଇ ।
ଘରକୁ ଗଲେ ଯେ ମୋତେ କି ବୋଲିବେ ଆଈ ।”

ସେଇମିତି ଜଗନ୍ନାଥ ଦାସ ତାଙ୍କ ଓଡ଼ିଆ ଭାଗଵତରେ ମଧ୍ୟ ଆଈ ଶବ୍ଦକୁ ମାତା ଅର୍ଥରେ ଵ୍ୟଵହାର କରିଯାଇଛନ୍ତି ...

“ଏମନ୍ତେ ପାହିଲା ରଜନୀ 
ଦେଵକୀ ମୁଖ ଚାହିଁ ଭଣି ।।୧୯୧।।
ତୋର ଉଦରେ ଜଗନ୍ନାଥ ।
ଜଗତ ରଖିଵେ ତୋ ସୁତ ।।୧୯୨।।
ଶୁଦ୍ଧ ଚୈତନ୍ୟ ରୂପ ଘେନି ।
ପ୍ରକାଶ ହୋଇଵେ ମେଦିନୀ ।।୧୯୩।।
କଂସର ଭୟ ଛାଡ଼ ଆଈ । 
ଯାହାର ନାମେ ଦୁଃଖ ନାହିଁ ।।୧୯୪।।”

ଅର୍ଥାତ୍ ଏକ ସମୟରେ ଓଡ଼ିଶାରେ ମାତା ଅର୍ଥରେ ମାଆ ଓ ଆଈ  ଏହି  ଦୁଇଟି ଶବ୍ଦ ଚଳୁଥିଲା କିନ୍ତୁ ଆଜିକାଲି ଯେପରି ପିତାମହୀ ଓ ମାତାମହୀଙ୍କୁ ଆଧୁନିକ ଵାଳକ ଵାଳିକାମାନେ ମାଆ ଡାକୁଛନ୍ତି ପୂର୍ଵେ ସେହିପରି ମାଆଙ୍କ ମାଆଙ୍କୁ ଆଈ ଡାକିଵା ଆରମ୍ଭ କରିଦେଇଥିଵେ ଫଳତଃ ଆଈ ଶବ୍ଦଟି ପରେ ମାତାମହୀଙ୍କ ପ୍ରତି ଵ୍ୟଵହୃତ ହେଵାକୁ ଲାଗିଲା । 

 ପ୍ରାଚୀନ ଓଡ଼ିଆ ସାହିତ୍ୟରେ ଆଈ ଓ ମାତା ଇତ୍ୟାଦି ଶବ୍ଦ ମାଆ ଅର୍ଥରେ ପ୍ରୟୋଗ ହୋଇଥିଵା ଜଣାଯାଏ । କିନ୍ତୁ ବୋଉ ଶବ୍ଦଟି ତିନିଶହ ଵର୍ଷ ପୂର୍ଵଵର୍ତ୍ତୀ କୌଣସି ଓଡ଼ିଆ ସାହିତ୍ୟରେ ମାଆ ଅର୍ଥରେ ପ୍ରୟୋଗ ହୋଇଥିଵା ଦେଖାଯାଏ ନାହିଁ । ସମ୍ଭଵତଃ ଉକ୍ତ ସମୟରେ ଆଈ ଓ ମାଆ ଶବ୍ଦଦ୍ଵୟ ଓଡ଼ିଶାର ଅଧିକାଂଶ ଲୋକେ ତାଙ୍କର ମାତାଙ୍କୁ ସମ୍ବୋଧନାର୍ଥ ଵ୍ୟଵହାର କରୁଥିଲେ ଏଵଂ ବୋଉ ଶବ୍ଦଟି ଏକ ସୀମିତ ମାନଵଗୋଷ୍ଠୀ କିଂଵା ଅଞ୍ଚଳରେ ପ୍ରଚଳିତ ଥିଲା । ଯେତେବେଳେ ଆଈ ଶବ୍ଦଟି ମାଆଙ୍କର ମାଆଙ୍କୁ ସମ୍ବୋଧନାର୍ଥ ଚଳିଵାକୁ ଲାଗିଲା ସେତେବେଳେ ଏହି ବୋଉ ଶବ୍ଦଟି ଧୀରେ ଧୀରେ ଓଡ଼ିଶାରେ ତାହାର ସ୍ଥାନ ଅଧିକାର କରିନେଇଥାଇପାରେ । ସେତେବେଳେ କେତେକ ଅଞ୍ଚଳରେ ବେଈ ଶବ୍ଦର ଵ୍ୟଵହାରରେ ଜେଜେମା ଓ ଆଈଙ୍କୁ ସମ୍ବୋଧନ କରାଗଲା ଅନ୍ୟତ୍ର ଆପଣା କନ୍ୟାକୁ ବୁଈ ଡକାଗଲା ଏଵଂ ଆଉ କେତେକ ଅଞ୍ଚଳରେ ବୋଉ ଶବ୍ଦଟି ମାତାଙ୍କ ପ୍ରତି ପ୍ରୟୋଗ ହେଵାକୁ ଲାଗିଲା । 

ପଵର୍ଗର 'ମ' ଓ 'ବ' ଏହି ଦୁଇଟି ଵର୍ଣ୍ଣରେ ଓଡ଼ିଆ ଭାଷାରେ ଅନେକ ସମ୍ବୋଧନଵାଚକ ଶବ୍ଦ ରହିଛି  କିନ୍ତୁ ଅନ୍ୟ ଵର୍ଣ୍ଣରେ ସେତେ ସମ୍ବୋଧନଵାଚକ ଶବ୍ଦ ଦୃଶ୍ୟ ହୁଏନାହିଁ । 

ଓଡ଼ିଆ ଭାଷାରେ ଵ୍ୟଵହୃତ ବୋଉ ଶବ୍ଦଟି ଅଯଥା ଵିଵାଦିତ ହୋଇଗଲା । କିଛିଲୋକ ଆପଣା ଆଞ୍ଚଳିକଵାଦୀ ଚିନ୍ତାଧାରାକୁ ଲୋକଲୋଚନକୁ ଆଣିଵାର ହୀନ ପ୍ରଚେଷ୍ଟାରେ ବୋଉ ଶବ୍ଦଟିକୁ 
ଅଯଥା ଵିଵାଦୀୟ କରିଦେଲେ । ସେମାନଙ୍କ ପ୍ରଶ୍ନ ଥିଲା ଏହି ବୋଉ 
ଶବ୍ଦଟି ଉପକୂଳିଆ କେଉଁଠୁ ଆଣିଲେ !!!

ଓଡ଼ିଶାର ବୁଦ୍ଧିଜୀଵୀମାନେ ଏହାର ଉତ୍ତର ଉଣ୍ଡିଵାରେ ଲାଗିପଡି଼ଲେ ।  ତହିଁପରେ ବୋଉ ଶବ୍ଦର  ନାନାଦି ନିରୁକ୍ତିମତ ଵିଭିନ୍ନ ଲୋକେ ଉପସ୍ଥାପନ କରିଅଛନ୍ତି । 

କିଛି ଲୋକଙ୍କ ଅନୁସାରେ ଵଧୂ ଵା ଵୋହୂ ଶବ୍ଦରୁ ବୋଉ ଶବ୍ଦ ସୃଷ୍ଟି ହୋଇଅଛି । ସେମାନଙ୍କ ଅନୁସାରେ ପୂର୍ଵେ କୌଣସି ଵାଳକର ମାଆକୁ ଯେତେବେଳେ ତାହାର ଜେଜେମା ଵୋହୂ ବୋଲି ଡାକିଥିଵ ଉକ୍ତ ଵାଳୁତ ପିଲାଟି  ସେହି ସମ୍ବୋଧନଵାଚକ ଶବ୍ଦର ଅନୁକରଣରେ ବୋଉ ଉଚ୍ଚାରଣ କରି ତା ମାଆକୁ ଡାକିଥିଵ । ଏଇଠାରୁ ବୋଉ ଶବ୍ଦଟି ପ୍ରଚଳିତ ହୋଇଅଛି ।

ତେବେ ଓଡ଼ିଆ ଭାଷାରେ ସିନା ଵୋହୂ ଓ ଵଧୂ ଶବ୍ଦ ବହୁପ୍ରଚଳିତ କିନ୍ତୁ ଅହମିଆ ଭାଷାରେ ତ ଏ ଉଭୟ ଶବ୍ଦ ଏତେ ଲୋକପ୍ରିୟ ନୁହେଁ ସେ ଭାଷାରେ ମାତା ପାଇଁ ପ୍ରଚଳିତ ବୌ ଶବ୍ଦ କୁଆଡୁ଼ ଆସି ପ୍ରଚଳିତ ହେଲା ? 

ସପ୍ତମ ଅଷ୍ଟମ ଶତାବ୍ଦୀ ସମୟରେ  ଓଡ଼ିଶା ସହିତ ଆସାମର ରାଜନୈତିକ ସମ୍ପର୍କ ବଢି଼ଥିଲା ସମ୍ଭଵତଃ ସେ ସମୟରେ ଆସାମରୁ ବୌ ଶବ୍ଦଟି ଆସି ଓଡ଼ିଶାର କିଛି ଅଞ୍ଚଳର କେତେକ ପରିଵାରରେ ପ୍ରଚଳିତ ହୋଇଥିଲା ।

କିଛି ଲୋକଙ୍କ ଅନୁସାରେ ଆଗେ ମାଳୟ ଜାଭା ବୋର୍ଣ୍ଣିଓ ଇଣ୍ଡୋନେସିଆ ଫିଲିପାଇନସ ଆଦି ପୂର୍ଵ ଭାରତୀୟ ଦ୍ଵୀପପୁଞ୍ଜରେ ଓଡ଼ିଶାର ଉପନିଵେଶ ଗଢିଉଠିଥିଲା । ସେଠାକାର ଅନେକ ଭାଷାରେ ବୋଉ ଶବ୍ଦ ସମସାଦୃଶ୍ୟ ଅନେକ ସମ୍ବୋଧନଵାଚକ ଶବ୍ଦ ପ୍ରଚଳିତ । ଯଥା— ଇଣ୍ଡୋନେସିଆରେ ମାଆଙ୍କୁ ଆଜି ବି Ibu ଡକାଯାଇଥାଏ । ଜାଭାଭାଷାରେ ମଧ୍ୟ ଏହି ଇବୁ ଶବ୍ଦ ଚଳୁଅଛି । ମାଳୟ ଭାଷାରେ ସେହିପରି bu ଓ ibu ଏ ଉଭୟ ଶବ୍ଦ ମାତାଙ୍କୁ ସମ୍ବୋଧନ ପାଇଁ ଵ୍ୟଵହାର ହୋଇଥାଏ । ବୋଧହୁଏ ସେ ଅଞ୍ଚଳର ସଂସ୍କୃତିଦ୍ଵାରା ପ୍ରଭାଵିତ ହୋଇ ଓଡ଼ିଆ ଭାଷାରେ ବୋଉ ଶବ୍ଦଟି ଉପକୂଳର କେତେକ ଅଞ୍ଚଳରେ ଚଳିଅଛି । 

ଆଉ କେତେକ ଲୋକ କୁହନ୍ତି ସଂସ୍କୃତ ବନ୍ଧୁ ଶବ୍ଦର ଏକ ଅର୍ଥ ମାତା ଏଵଂ ଏହି ଶବ୍ଦରୁ ବୋଉ ଶବ୍ଦଟି ସୃଷ୍ଟି ହୋଇଅଛି । କିନ୍ତୁ ଏହି ମତ ପ୍ରଦାତାମାନେ ବନ୍ଧୁ ଶବ୍ଦ କେମିତି କିପରି ବୋଉ ଶବ୍ଦରେ ପରିଣତ ହେଲା ତାହାର ନିରୁକ୍ତି ଇତିହାସ ପ୍ରଦାନ କରିଵାରେ ଅସମର୍ଥ ହୁଅନ୍ତି । 

ଏତଦଵ୍ୟତୀତ ଓଡ଼ିଶାର  ବୁଦ୍ଧିଜୀଵୀଙ୍କ ମଧ୍ୟରେ ଏକ  ଵର୍ଗ ବୋଉ ଶବ୍ଦର ଅନ୍ୟ ଏକ ନିରୁକ୍ତି ମତ ପ୍ରଦାନ କରନ୍ତି । ସେମାନଙ୍କ ଅନୁସାରେ ବୋଉ ଶବ୍ଦଟି ଏକ ଆଷ୍ଟ୍ରୋଏସୀୟ ଶବ୍ଦ ‘ବୁ’ ର ଆଧୁନିକ ରୂପ ଏଵଂ  ଆଷ୍ଟ୍ରୋଏସୀୟ ଭାଷାପରିଵାରର ଵିଭିନ୍ନ ଭାଷାରେ ମାତୃଜାତି ସମ୍ବନ୍ଧୀୟ ସମ୍ପର୍କଵାଚକ ଶବ୍ଦଗୁଡ଼ିକ ମଧ୍ୟରେ ଅନେକ ଵର୍ଗ ବ ଵର୍ଣ୍ଣ ଯୁକ୍ତ ହୋଇଥାଏ । ଇଣ୍ଡୋନେସିଆରେ ଭାରତରୁ ଯାଇ ଆଷ୍ଟ୍ରିକ ଜାତୀୟ ଲୋକେ ଵସଵାସ କଲାରୁ ସେଠାରେ ସେମାନଙ୍କ ଭାଷାରେ ଚଳୁଥିଵା ବୁ ଵା ବୋ ଶବ୍ଦଟି ଇବୁ ଓ ବୁ ରେ ପରିଣତ ହୋଇଛି ଏଵଂ ଏଯାଵତ୍ ପ୍ରଚଳିତ ଅଛି । 

କିନ୍ତୁ ଆଧୁନିକକାଳର ଭାଷାଵିଦ୍ ମତ ଦିଅନ୍ତି ଯେ ନନା,ଦଦା,ଦାଦୀ,ମାଆ,ବୋଉ,ବୁଆ ଆଦି ଯେତେ ଯେତେ 
ସମ୍ବୋଧନାର୍ଥକ ପାରିଵାରିକ ସମ୍ପର୍କ ସମ୍ବନ୍ଧୀୟ ଶବ୍ଦ ରହିଛି ସେ ସବୁର ସୃଷ୍ଟି child babblingରୁ ହୋଇଅଛି । 

 ଶିଶୁମାନଙ୍କ ଦ୍ଵାରା ସୃଷ୍ଟି ହେଉଥିଵା ଧ୍ଵନିକୁ child babbling କୁହାଯାଏ । ଶିଶୁମାନେ ସୃଷ୍ଟି କରୁଥିଵା ଵ୍ଯଞ୍ଜନ ଧ୍ଵନିଗୁଡି଼କ ନିମ୍ନଲିଖିତ ମଧ୍ୟରୁ ଯେକୌଣସିଟି ହୋଇପାରେ
ଯଥା ―
■p(ପପ୍/ପାପା,ପିତା,ପା),
■b(ବୋଉ/ବାବା/ବା/ବାପା/ବୁଇ/ବୁଆ/ବାଈ/ବେଈ/ବେବେ/ବାବ୍ୱେ/ବବା/ବନ୍ଧୁ-ସଂସ୍କୃତ/ବିଜୀ; ହିନ୍ଦୀ/ବା; ଗୁଜରାଟୀ/)
■t(ତାତ/ତାଉ)
■d(ଦଦା/ଦାଦା/ଦାଦୀ/ଦିଦି/ଦେଈ/ଦେଠେଇ/ଦଦେଇ)
■k(କାକା/କକା/କାକୀ/କକେଇ)
■g( ଜେଜେ,ଜେଜି/ଜେଈ/ଜେପା/ଜେଜ)
■m(ମାଆ/ମାତା/ମାଇଁ/ମମା/ମାମା/ମାମୁଁ)
■n(ନନା/ନାନା/ନାନୀ)
■s( ?)
■h (ହା ହା ―ଜାପାନୀ; ମାଆ)
■w ( ?)
■j (ଯା= ମାତା(ସଂ))

 ପୁଣି ଫୋନୋଲୋଜିକାଲ୍ ବିକାଶ ସମୟରେ ନିମ୍ନଲିଖିତ ଧ୍ୱନିଗୁଡ଼ିକ ମଧ୍ୟ ପିଲାଏ ଵେଳେ ଵେଳେ ଉତ୍ପନ୍ନ କରିଥାଆନ୍ତି 
ଯଥା―

■/ f(ଫୁପା/ଫୁଫୀ-ହିନ୍ଦୀ) v, θ, ð, ʃ, tʃ, dʒ, l, r, ŋ / ■

ଅଦ୍ୟପି ଭାରତୀୟ ଭାଷାଗୁଡି଼କରେ ଦ୍ଵିତୀୟ ଶ୍ରେଣୀର ଵ୍ଯଞ୍ଜନ ଧ୍ଵନି ଆଧାରିତ ସମ୍ଵୋଧନଵାଚକ ଶବ୍ଦ କ୍ଵଚିତ ଦେଖିଵାକୁ ମିଳିଥାଏ ।
ତେଣୁ ସଂକ୍ଷେପରେ କହିଲେ ମାଆ,ବୋଉ,ନନା ଓ ଦଦା ଇତ୍ୟାଦି ଶବ୍ଦଗୁଡି଼କର ଆଦ୍ଯ ମୂଳ ଦ୍ରାଵିଡ଼,ଆଷ୍ଟ୍ରୋଏସୀୟ କି ସଂସ୍କୃତ ନୁହେଁ ଵରଂ child babbling ଅଟେ । ଅଵଶ୍ୟ ଏହା ସତ୍ୟ ଯେ ଵିଶ୍ଵରେ ପିଲାଏ ପ୍ରଥମେ ସ୍ଵରଵର୍ଣ୍ଣ ଓ ତତ୍ପରେ ପ ଵର୍ଗର ପ,ଭ,ମ ଓ ବ ଇତ୍ୟାଦି ଧ୍ଵନି ସହଜରେ ଉଚ୍ଚାରଣ କରିପାରନ୍ତି । ପିଲାଟିଏ ଜନ୍ମ ପରର ପ୍ରାରମ୍ଭିକ ମାସଗୁଡି଼କରେ ଯେଉଁ ଶିଶୁସୁଲଭ ଶବ୍ଦ ସୃଷ୍ଟି କରିଥାଏ ତନ୍ମଧ୍ୟରେ ସ୍ଵରଵର୍ଣ୍ଣ ପ୍ରଥମେ ଓ ପରେ ପଵର୍ଗର ମ ଓ ବ ଵର୍ଣ୍ଣ ହୋଇଥାଏ । 

ଭାରୋପୀୟ ଭାଷାପରିଵାରଟି ବଡ଼ ହୋଇଥିଵାରୁ ତଥା ଇଂରାଜୀ, ସଂସ୍କୃତ,ଲାଟିନ୍ ଇତ୍ୟାଦି କିଛି ଭାଷା ପୃଥିଵୀରେ ଵିଭିନ୍ନ ସମୟରେ ଅନ୍ୟାନ୍ୟ ଭାଷାପରିଵାର ଉପରେ ଆପଣା ପ୍ରଭାଵ ପକାଇଥିଵାରୁ ଏଵଂ ମ ଵର୍ଣ୍ଣ ପିଲାଏ ସହଜରେ ଉଚ୍ଚାରଣ କରିପାରୁଥିଵାରୁ ମ ଆଦ୍ଯର ମାତା ସମ୍ବୋଧନ ଵାଚକ ପ୍ରତିଶବ୍ଦ ଵିଶ୍ଵର ଅନେକ ଭାଷାରେ ଦୃଶ୍ୟ ହୋଇଥାଏ । ମାତ୍ର ଏହା ଏକ ଭ୍ରମ ଧାରଣା ଯେ ପୃଥିଵୀରେ ପ୍ରଚଳିତ ଅନ୍ୟାନ୍ୟ ଭାଷାଗୁଡି଼କରେ ମାଆଙ୍କୁ କେଵଳ ମ ଆଦ୍ୟ ଵର୍ଣ୍ଣର ସମ୍ବନ୍ଧଵାଚକ ଶବ୍ଦ ଦ୍ଵାରା ସମ୍ବୋଧନ କରାଯାଏ । ନିମ୍ନରେ ଵିଶ୍ଵରେ କେତେକ ଭାଷାରେ ମାଆଙ୍କୁ କ'ଣ ଡକାଯାଏ ତାହା ଉଲ୍ଲେଖ କରାଯାଉଛି ।

ଆରବୀରେ ମାଆଙ୍କୁ “Ahm” କୁହାଯାଏ Finnish ଭାଷାରେ  “Aiti”,äiskä ଓ äippä ଶବ୍ଦଗୁଡ଼ିକର ଅର୍ଥ ମାତା ଅଟଇ । 
Hungarian ଭାଷାରେ ମାଆଙ୍କୁ “Anya” କୁହାଯାଏ ପୁଣି ଏଠାକାର ଲୋକ ମାଆଙ୍କୁ  “Fu” ବି ସମ୍ବୋଧନ୍ତି । Turkish ଲୋକେ ତାଙ୍କର ମାତାଙ୍କୁ ସମ୍ବୋଧନ ହେତୁ  “Anne,” “Ana”  “Valide” ଆଦି ଶବ୍ଦ ଵ୍ଯଵହାର କରନ୍ତି । ସେହିପରି Azeriରେ Ana,Lao ଭାଷାରେ ແມ່(aem),Frisian ଭାଷାରେ Ã ଓ iti ଇତ୍ୟାଦି ଶବ୍ଦ ଵ୍ୟଵହାର ପୂର୍ବକ ମାତାଙ୍କୁ ସମ୍ବୋଧନ କରାଯାଏ । 

koreanରେ ମାଆଙ୍କୁ 어머니(eomeoni),Mangolianରେ ээж(eej),Yorubaରେ iya,Cebuanoରେ inahan,
Ilongo ଭାଷାରେ Iloy; Nanay ଓ Nay,Japanese: “Okaasan”, “Haha” ଓ abo ଶବ୍ଦ ଵ୍ଯଵହାର ହୁଏ । 
Hausa ଭାଷାରେ ମାଆଙ୍କୁ uwar ଡକାଯାଇଥାଏ । 
ଆଫ୍ରିକାର Zulu ଭାଷୀ ତାଙ୍କ ମାଆଙ୍କୁ unina ଡାକିଥାଆନ୍ତି । 
Tao ଭାଷାରେ କ ଵର୍ଣ୍ଣ ଆଦ୍ୟର ká,ká’ȕ,łá’ȕ ଆଦି ଶବ୍ଦ ମାଆଙ୍କୁ ସମ୍ବୋଧନାର୍ଥ ପ୍ରୟୋଗ କରାଯାଏ । Ossetianରେ ମାଆଙ୍କୁ гыцци(gycci) ଡାକନ୍ତି । ଏ ଭାଷାରେ ମାଆଙ୍କୁ 
 нана(nana) ଓ мамӕ(mamæ) ଶବ୍ଦର ମଧ୍ୟ ଡକାଯାଏ । Samoan ଭାଷାରେ ମାଆଙ୍କୁ “Tina” ଓ Aymara ଭାଷାରେ Taica ସମ୍ବୋଧନ କରାଯାଏ । Caló ଭାଷାରେ ମାଆଙ୍କୁ Bata ଓ Dai ଡାକନ୍ତି ।  ଭାରତରେ ମଧ୍ୟ ଆୟାଙ୍କୁ ଦାଈମା ଡକାଯାଇଥାଏ । ସେହିପରି Georgian ଭାଷାରେ დედა(Deda),დედიკო(dediḳo) ଶବ୍ଦ ମାଆର ମୁଖ୍ୟ ପ୍ରତିଶବ୍ଦ ଅଟଇ । ପୃଥିଵୀର ଅନେକ ଭାଷାରେ ନ ଆଦ୍ୟର ଅନେକ ମାତା ସମ୍ବନ୍ଧିତ ସମ୍ବୋଧନଵାଚକ ଶବ୍ଦ ଚଳୁଅଛି ।  ଯଥା Albanianରେ “Nene” ,Galician ରେ nai,Hmongରେ niam,Chechenରେ Nana ଓ ପାର୍ସୀରେ Nane (   ننه   ) ଇତ୍ୟାଦି ଇତ୍ୟାଦି । ପୁଣି Hungerian ଭାଷାରେ ମାଆଙ୍କୁ fu
ଡକାଯାଇଥାଏ । ପୃଥିଵୀର ଅନେକ ଭାଷାରେ ପୁଂଵାଚକ ସମ୍ବୋଧନାର୍ଥକ ଶବ୍ଦ ରୂପେ ବାବା ଶବ୍ଦ ପ୍ରଚଳିତ କିନ୍ତୁ avar: ଭାଷାରେ ମାଆଙ୍କୁ баба (baba) ଡକାଯାଇଥାଏ । ଏ ଭାଷାରେ ମାଆଙ୍କୁ эбел(èbel) ମଧ୍ୟ ଡାକିଥାଆନ୍ତି । Malagasyରେ ମାଆଙ୍କୁ reny ସମ୍ବୋଧନ କରାଯାଏ ସେହିପରି Lunfardo ଭାଷାରେ Vieja ଡକାଯାଏ ସଂସ୍କୃତ ଭାଷାରେ ମଧ୍ୟ ମାତା ଶବ୍ଦର ଅଵର୍ଗ୍ୟ ଵ ଵର୍ଣ୍ଣ ଆଦ୍ୟର ଅନେକ ପ୍ରତିଶବ୍ଦ ପ୍ରଚଳିତ । ଏହିପରି ପୃଥିଵୀରେ ଅନେକ ଭାଷା ରହିଛି ଯହିଁରେ ମାଆଙ୍କୁ ସମ୍ବୋଧନ କରିଵା ପାଇଁ ମ ଵର୍ଣ୍ଣ ଛଡ଼ା ଅନ୍ୟ ଵର୍ଣ୍ଣ ଆଦ୍ୟର ପ୍ରତିଶବ୍ଦ ପ୍ରଚଳିତ। 
ସେମାନେ ତାଙ୍କ ମାଆଙ୍କୁ ଏ ସବୁ ଶବ୍ଦ ପ୍ରୟୋଗ କରି ଡାକିଦେଇ ଛୋଟ ଵିଵେଚିତ ହେବେ କି ?

ସଂସ୍କୃତ ଭାଷା ଵିଶ୍ଵର ଶ୍ରେଷ୍ଠତମ ଵୈଜ୍ଞାନିକ ଭାଷା । ଏ ଭାଷା ମଧ୍ୟ ମାତୃ କିଂଵା ମାତା ଶବ୍ଦ ମଧ୍ୟରେ ସୀମିତ ରହିଯାଇନାହିଁ ଵରଂ ସଂସ୍କୃତଭାଷାରେ ଵିଭିନ୍ନ ଵର୍ଣ୍ଣ ଆଦ୍ୟର ମାତା ଶବ୍ଦର ଅନେକ ପ୍ରତିଶବ୍ଦ ରହିଛି ।  ଅମ୍ବାଳୀ,ଅଜ୍ଜୂ,ଅରଣୀ,ଅମ୍ବା
,ଅମ୍ବାଳିକା,ଅମ୍ବାଦା,ଅମ୍ବିକା,ଅବ୍ବା,ଅମ୍ବି,ଅମ୍ବାଳା,ଅକ୍କା,ଅତ୍ତା
,ଅମ୍ବୟା,ଅଲ୍ଲା,ଅନସ୍ ,ଅର୍ଣ୍ଣୋଦ,କରଵୀରୀ,ଗୁର୍ଵୀ,ଗୋ,ଜନ୍ମପ୍ରତିଷ୍ଠା
,ଜନୀ,ଜନନୀ,ଜାତୃ,ଜାନୀ,ଜନିକା,ଜ୍ଯା,ଜନିତ୍ରୀ,ଜନ୍ମଦାତ୍ରୀ,
,ଜନିତ୍ଵା,ଜା,ଜନ୍ଯା,ଧାତ୍ରୀ,ନନା,ପ୍ରଂସଵିନୀ,ପ୍ରସଵିତ୍ରୀ,ପ୍ରସୂ
,ପ୍ରକୃତି,ପିଣ୍ଡଦା,ପ୍ରଜନିକା,ପ୍ରସଵସ୍ଥଳି,ବନ୍ଧୁ,ମାତୃ,ମାତୃକା,ଵିଜାତା
,ଵରାରଣି,ଵାଶ୍ର,ଶୁଶ୍ରୂ,ଶିଫ,ଶିଫା ,ସଵିତ୍ରୀ,ସୃତ୍ଵରୀ,ସୂ
ଓ ସଷଣା ଇତ୍ୟାଦି ଶତାଧିକ ଭାରତୀୟ ଶବ୍ଦ ସହସ୍ରାଧିକ ଵର୍ଷ ଧରି ଭାରତଵର୍ଷର ମାନକ ଶାସ୍ତ୍ରୀୟ ଭାଷା ସଂସ୍କୃତର ସାହିତ୍ୟରେ ପ୍ରୟୋଗ ହୋଇ ଆସିଛି । 

ସ୍ପଷ୍ଟ ହୁଏ ଯେ ଆମ ଭାରତୀୟ ପୂର୍ଵଜମାନେ କେବେ ବି କେଵଳ ମାତା ଶବ୍ଦ ଶ୍ରେଷ୍ଠ ବୋଲି ଵିଚାର କରି ବସିଯାଇନଥିଲେ କିଂଵା କେହି ସଂସ୍କୃତ ଭାଷାରେ ମାତା ଅର୍ଥରେ ଜନନୀ,ଧାତ୍ରୀ,ନନା,ଅମ୍ବା,ପ୍ରକୃତି କିଂଵା ଶିଫା ଇତ୍ୟାଦି ଶବ୍ଦ ଵ୍ୟଵହାର କଲେ ତାକୁ ହୀନ ନୀଚ କହି ତାତ୍ସଲ୍ୟ କରିନାହାନ୍ତି । 

ତାହେଲେ ଆମ୍ଭେମାନେ ତାଙ୍କରି ଵର୍ତ୍ତମାନ ଵଂଶଜ ହୋଇ ବି ବେବ୍ୱେ ,ବୋଉ,ବୌ,ବାଈ,ବେଈ ଭଳି ମାତୃଵାଚକ ଶବ୍ଦକୁ ଆଧାରକରି ପରସ୍ପରକୁ ଅପମାନିତ କରିଵା କେତେଦୂର ସମୀଚିନ ଓ ଯୁକ୍ତିସଙ୍ଗତ ଅଟଇ ?

Wednesday, June 9, 2021

● ସାବିତ୍ରୀ ●

☆☆☆ ସାଵିତ୍ରୀ☆☆☆

ଓଡି଼ଶାର ଘରେ ଘରେ ଜ୍ଯେଷ୍ଠ କୃଷ୍ଣ ଚତୁର୍ଦ୍ଦଶୀର ପରଦିନକୁ ସାଵିତ୍ରୀ ଅମାଵାସ୍ୟା ଵା ସାଵିତ୍ରୀ ଵ୍ରତ ନାମରେ ସ୍ତ୍ରୀଲୋକମାନେ ପାଳିଥାନ୍ତି । ସ୍ତ୍ରୀମାନେ 'ସାବିତ୍ରୀ' ଙ୍କ ପରି ଆଜୀବନ ସଧଵା ହେଵା ପାଇଁ ଏ ବ୍ରତ କରନ୍ତି। ଏ ଦିନ ସତ୍ଯଵାନ ଓ ସାଵିତ୍ରୀଙ୍କୁ ପୂଜା କରାଯାଏ । ଆମ ଦେଶରେ ସ୍ତ୍ରୀମାନେ ଏ ଦିନ ଉପବାସ କରନ୍ତି, ଅନ୍ନ ଗ୍ରହଣ କରନ୍ତି ନାହିଁ ଓ ଅପରାହ୍ନରେ ପୂଜା ଶେଷ ହେଲେ ଧୂଆମୁଗ, ନାରିକେଳ, ପକ୍ବଆମ୍ର, ପଣସ, ରମ୍ଭା, ସପୁରୀ, ତାଳସଜ ଆଦି ଫଳାହାର କରନ୍ତି । ଏହି ଵ୍ରତ ଚତୁର୍ଦ୍ଦଶ ଵର୍ଷ ସାଧ୍ଯ । ଏହି ଵ୍ରତ ଗ୍ରହଣ ୧୪ ବର୍ଷ ପରେ ଏହାର ଉଦ୍ୟାପନ କରାଯାଏ। ଏ ଵ୍ରତ ରାତ୍ରରେ କର୍ତ୍ତବ୍ଯ, ଦିନଯାକ ଉପବାସ ରହି ରାତ୍ରରେ ପୂଜା କରି ସାବିତ୍ରୀ ଉପାଖ୍ଯାନ ଶୁଣି ତତ୍ପରେ ନୈବେଦ୍ଯ ଭୋଜନ କରାଯାଏ । "ଶ୍ରୀଁ, ହ୍ରୀଁ, କ୍ଲୀଁ, ସାବିତ୍ର୍ଯୈ ସ୍ବାହା" ଏହା ସାବିତ୍ରୀ ପୂଜାର ମନ୍ତ୍ର ଅଟେ ।

★★★ସାଵିତ୍ରୀ ଉପାଖ୍ୟାନ ....

ସାଵିତ୍ରୀ ମଦ୍ର ଦେଶର ରାଜା ଅଶ୍ବପତିଙ୍କର ଏକମାତ୍ର ଦୁହିତା ଓ ପିତାମାତାଙ୍କର ଅତ୍ଯନ୍ତ ସ୍ନେହାସ୍ପଦ ଥିଲେ । ଯୁଵତୀ ହେଵା ପରେ ଏହାଙ୍କ ପାଇଁ ଉପଯୁକ୍ତ ଵର ନ ମିଳିବାରୁ ଏ ପିତା— ମାତାଙ୍କ ଅନୁମତିକ୍ରମେ ଅମାତ୍ଯଗଣ ସମଭିଵ୍ୟାହାରରେ ଗୋଟିଏ ଅନୁରୂପ ବର ଖୋଜିବାକୁ ବାହାରି ବହୁ ଦେଶ ବୁଲି ବୁଲି ଶେଷରେ ଗୋଟିଏ ତପୋଵନରେ ପହଞ୍ଚିଲେ । ସେଠାରେ ସ୍ବରାଜ୍ଯରୁ ନିର୍ଵାସିତ ଶାଲ୍ବ ଦେଶର ରାଜା ଦ୍ଯୁମତ୍ ସେନ୍ ଓ ତାଙ୍କ ରାଣୀଙ୍କ ସହ ଵାସ କରୁଥିଵା ରାଜପୁତ୍ର ସତ୍ଯଵାନଙ୍କ ଉପରେ ରାଜକନ୍ୟା ସାଵିତ୍ରୀଙ୍କ ଦୃଷ୍ଟି ପଡ଼ିଲା । ଶାଲ୍ବଦେଶର ରାଜା ଦ୍ଯୁମତ୍ସେନଙ୍କ ଔରସରେ ତତ୍ପତ୍ନୀ ଶୈବ୍ଯାଙ୍କ ଗର୍ଭରୁ ସତ୍ୟଵାନ ଜନ୍ମଗ୍ରହଣ କରିଥିଲେ । ଦୈଵଦୁର୍ଵିପାକରୁ ସତ୍ଯଵାନଙ୍କ ଶୈଶଵାଵସ୍ଥାରେ ଦ୍ଯୁମତ୍ସେନ ଅନ୍ଧ ହୋଇଗଲେ ଓ ଭ୍ରଷ୍ଟରାଜ୍ଯ ହୋଇ ପତ୍ନୀ ଓ ପୁତ୍ରଙ୍କ ସହିତ ଵନଵାସୀ ହୋଇଥାନ୍ତି । ସତ୍ଯଵାନ୍ ଵନରେ ଫଳମୂଳ ଖାଇ ମୁନିବୃତ୍ତି ଅଵଲମ୍ବନ କରି ଭକ୍ତିସହକାରେ ପିତାମାତାଙ୍କର ସେଵା କରୁଥାଆନ୍ତି । ସତ୍ଯଵାନଙ୍କର ଅସୀମ ପିତୃଭକ୍ତି ଓ ଧର୍ମପରାୟଣତା ଓ ରୂପରେ ମୁଗ୍ଧା ହୋଇ ଐଶ୍ବର୍ଯ୍ୟ ଭୋଗଲାଳସା ତ୍ଯାଗକରି ଏହାଙ୍କ ସଙ୍ଗରେ ଵନରେ ମୁନିବୃତ୍ତି ଓ ଦାରିଦ୍ର୍ଯକୁ ଚିରସହଚର କରି ଜୀବନଯାପନ କରିବା ପାଇଁ ସଂକଳ୍ପ କରି ଏହାଙ୍କୁ ପତିରୂପେ ମନରେ ଵରଣ କରି ରାଜଧାନୀକୁ ଫେରି ଆସି ପିତାଙ୍କୁ ସମସ୍ତ କଥା ଜଣାଇଲେ । ଏହି ସମୟରେ ଦେଵର୍ଷି ନାରଦ ଅଶ୍ବପତିଙ୍କ ନିକଟରେ ଉପସ୍ଥିତ ହୋଇ ଏ ଵିଵାହରେ ମତ ନ ଦେବା ପାଇଁ ଅଶ୍ବପତିଙ୍କୁ ଅନୁରୋଧ କଲେ । କାରଣ, ନାରଦ ତପୋଵଳରେ ଜାଣିପାରିଲେ ଯେ, ସତ୍ଯଵାନଙ୍କ ପରମାୟୁ ଆଉ ଏକ ବର୍ଷ ମାତ୍ର ଅଛି । ମାତ୍ର ସାଵିତ୍ରୀ ଏ ପ୍ରସ୍ତାଵରେ କର୍ଣ୍ଣପାତ ନ କରି କହିଲେ—“ମୁଁ ଯାହାଙ୍କୁ ପତିରୂପେ ବରଣ କରିସାରିଛି, ସେହି ମୋର ପତି, ଓ ତାଙ୍କ ଛଡ଼ା ଅନ୍ଯ କେହି ମୋର ସ୍ବାମୀ ହୋଇ ନ ପାରନ୍ତି । ଶେଷରେ ଉଭୟ ପକ୍ଷଙ୍କ ପିତାମାତାଙ୍କ ଅନୁମତିକ୍ରମେ ଏ ଦୁହିଁଙ୍କର ଵିଵାହ କାର୍ଯ୍ୟ ସମ୍ପନ୍ନ ହେଲା ।

ଵିଵାହ ପରେ ସାଵିତ୍ରୀ ପିତୃଗୃହର ରାଜ ସମ୍ଫଦ, ଵିଳାସ ଓ ଦାସଦାସୀଵର୍ଗଙ୍କୁ ତ୍ଯାଗ କରି ସ୍ବାମୀଙ୍କ ସହିତ ତପୋଵନରେ କୁଟୀରରେ ଏକା ରହି ଶାଶୁ ଓ ଶ୍ବଶୁରଙ୍କ ସେଵାରେ ଲାଗିଲେ । ବିବାହର ଏକ ବର୍ଷ ପୂରିବାକୁ 3 ଦିନ ବାକି ଅଛି ସାବିତ୍ରୀ ତ୍ରିରାତ୍ର—ଵ୍ରତ ଅଵଲମ୍ବନ କଲେ ।

ତଦନନ୍ତର ଯେଉଁ ଦିନ ଏକ ଵର୍ଷ ପୂର୍ଣ୍ଣ ହେଵ ଓ ସତ୍ଯଵାନଙ୍କର ପରମାୟୁ ଶେଷ ହେବ, ସେ ଦିନ ସତ୍ଯଵାନ ଫଳ ମୂଳ ଓ ସମିଧ ଆହରଣ କରିବାକୁ ଵନକୁ ଯିଵାବେଳେ ସାଵିତ୍ରୀ ତାଙ୍କ ସଙ୍ଗରେ ଗଲେ । ସତ୍ଯଵାନ ଫଳ ଆହରଣ କରିବା ସମୟରେ ଗୋଟାଏ ଗଛର ଡ଼ାଳ ତାଙ୍କ ମୁଣ୍ଡରେ ବାଜିଲା ଓ ସେ ଅଶାନ୍ତି ବୋଧ କରିବାରୁ ଵନ ମଧ୍ଯରେ ଗୋଟିଏ ଵୃକ୍ଷ ମୂଳେ ସାଵିତ୍ରୀଙ୍କ କୋଳରେ ମୁଣ୍ଡ ରଖି ନିଦ୍ରାଗଲେ ଓ ତାହାହିଁ ତାଙ୍କର ମହାନିଦ୍ରା (ମୃତ୍ଯୁ) ହେଲା । କିନ୍ତୁ ସାବିତ୍ରୀ ମୃତ ସ୍ବାମୀଙ୍କ ମସ୍ତକକୁ ନିଜ କ୍ରୋଡ଼ରେ ରଖି ସେହି ଗଛ ମୂଳରେ ବସି ରହିଲେ । ଏହି ସମୟରେ ଯମଦୂତମାନେ ସତ୍ଯଵାନଙ୍କ ଆତ୍ମାକୁ ନେବାକୁ ସେଠାକୁ ଆସିଲେ; ମାତ୍ର ସାଵିତ୍ରୀଙ୍କ ପରି ସାଧ୍ବୀଙ୍କ ଅଙ୍ଗକୁ ସ୍ପର୍ଶ କରି ତାଙ୍କ କୋଳରୁ ମୃତ ପତିଙ୍କୁ ଛଡ଼ାଇ ନେବାକୁ ସାହସ କଲେ ନାହିଁ। ଯମଦୂତମାନେ ମୃତ ଆତ୍ମାକୁ ନ ନେଇ ଫେରି ଗଲେ ଏଵଂ ଯମରାଜଙ୍କୁ ସଂଵାଦ ଦେଲେ। ଶେଷକୁ ଯମରାଜ ନିଜେ ଉପସ୍ଥିତ ହେଲେ। ସାଵିତ୍ରୀ ସେହିପରି ମୃତ ସ୍ବାମୀଙ୍କ ମସ୍ତକକୁ କୋଳରେ ଧରି ଅଚଳା ଅଟଳା ହୋଇ ବସି ଥାଆନ୍ତି। ଯମଙ୍କୁ ଦେଖି ସାଵିତ୍ରୀ ତାଙ୍କୁ ସ୍ତଵ କରିବାରେ ଲାଗିଲେ । ଯମ ସ୍ତଵରେ ସନ୍ତୁଷ୍ଟ ହୋଇ ସତ୍ଯଵାନଙ୍କ ଜୀବନ ଛଡ଼ା ଅନ୍ଯ ଯେ କୌଣସି ଵର ମାଗିବା ପାଇଁ ସାଵିତ୍ରୀଙ୍କୁ କହିଲେ । ବୁଦ୍ଧିମତୀ ସାଵିତ୍ରୀ ଶତ ପୁତ୍ର ପାଇଵା ପାଇଁ ପ୍ରାର୍ଥନା କଲେ। ଯମରାଜ ଏ ଵରର ଭେଦ ହଟାତ୍ ବୁଝିନପାରି ସେଥିରେ 'ହଁ' ଭରିସାରି ସତ୍ଯଵାନଙ୍କୁ ଛାଡ଼ିଦେଵା ହେତୁରୁ ସାବିତ୍ରୀଙ୍କୁ ନିର୍ଦ୍ଦେଶ ଦିଅନ୍ତେ
ସାବିତ୍ରୀ କହିଲେ ―
“ହେ ଯମରାଜ ! ମୁଁ ସତୀ; ଆପଣ ମୋ ସ୍ବାମୀଙ୍କୁ ନେଇଗଲେ ମୁଁ କିପରି ଶତପୁତ୍ର ପାଇବି?” 
ଏହା ଶୁଣି ଅଗତ୍ଯା ଯମରାଜା ,ସତ୍ଯଵାନଙ୍କୁ ପୁନଃ ଜୀବିତ କରିଵା ସହ ତାଙ୍କ ପିତାଙ୍କ ନଷ୍ଟ ଚକ୍ଷୁ ଓ ହୃତ ରାଜ୍ଯ ପୁନଃପ୍ରାପ୍ତ ହେଵାର ଆଶିର୍ଵାଦ ପ୍ରଦାନ କରି ସ୍ଵଧାମ ବାହୁଡି଼ ଗଲେ । ସାବିତ୍ରୀ ସତ୍ଯବାନଙ୍କ ସହିତ ସୁଖରେ ବାସ କରି ଅପତ୍ଯାଦି ଲାଭ କରି ବହୁ ବର୍ଷ ସୁଖରେ କଟାଇ ପ୍ରାଣତ୍ଯାଗ କଲେ।

ସାବିତ୍ରୀଙ୍କ ସତୀତ୍ବ ପୃଥିବୀର ଆଦର୍ଶ ହୋଇ ରହି ଅଛି । ସାବିତ୍ରୀ ସାଧ୍ବୀ ନାରୀଙ୍କର ଆଦର୍ଶ; ତେଣୁ ଅଦ୍ଯାବଧି ମଧ୍ୟ ଏ ଦେଶର ଵିଶେଷତଃ ଓଡ଼ିଶାର ଅନେକ ସଧଵା ସ୍ତ୍ରୀମାନେ ସାଵିତ୍ରୀଙ୍କ ପରି ସାଧ୍ବୀ ହେଵେ ବୋଲି ସାଵିତ୍ରୀ ଅମାବାସ୍ଯା ଦିନ ନିରାହାର ରହି ସାଵିତ୍ରୀ ଵ୍ରତ ପାଳନ କରିଥାନ୍ତି। ଏ ଦିନ କାଚ ଓ ସିନ୍ଦୂର ଆଦି ଦ୍ରଵ୍ୟର ମହତ୍ତ୍ଵ ଅଧିକ ରହିଥିଵା ହେତୁରୁ ଗଞ୍ଜାମରେ ସାଵିତ୍ରୀ ଅମାଵାସ୍ୟାକୁ ‛କାଚ ଅମାଵାସ୍ୟା’ ମଧ୍ୟ କୁହାଯାଏ । ଓଡ଼ିଶାରେ ସାଵିତ୍ରୀ ଵ୍ରତ ପାଳନ ପରି ଗୁଜରାଟର ମହିଳାମାନେ ଵଟସାଵିତ୍ରୀ ଵ୍ରତ ରଖିଥାନ୍ତି । 

ତେବେ ସାଵିତ୍ରୀ ଶବ୍ଦର ଅର୍ଥ କଣ କେଵଳ ସାଵିତ୍ରୀ ଉପାଖ୍ୟାନର ସତୀ ସାଧ୍ଵୀ ସାଵିତ୍ରୀ ଙ୍କ ନାମ ଵିଶେଷ ଅଟେ କି ? 

ଏକ ଵ୍ୟକ୍ତିଵାଚକ ଶବ୍ଦ ଭାଵରେ ସାଵିତ୍ରୀ ଶବ୍ଦ ବହୁଲୋକପ୍ରିୟ ଓ ପୁରାଣ ପ୍ରସିଦ୍ଧ ଅଟେ । 
ପୁରାଣରେ ଅନେକ ସାଵିତ୍ରୀଙ୍କ ନାମୋଲ୍ଲେଖ ମିଳେ ଯଥା-
★ ସାଵିତ୍ରୀ―ସୂର୍ଯ୍ୟମଣ୍ଡଳର ଅଧିଷ୍ଠାତ୍ରୀ ଦେଵୀ—

★ସାଵିତ୍ରୀ―ବେଦମାତା; ଗାୟତ୍ରୀମନ୍ତ୍ରାଧିଷ୍ଠାତ୍ରୀ ଦେବୀଙ୍କର ଦ୍ବି ପ୍ରହରକାଳୀନ ଧ୍ଯେୟରୂପ । ଏ ଯୁବତୀ, ଶୁକ୍ଲଵର୍ଣ୍ଣା. ଚାରୁରୂପା, ଚତୁର୍ଭୁଜା, ଶୁକ୍ଲାମ୍ବରଦ୍ବୟୋପେତା, ଗରୁଡ଼ସ୍କନ୍ଧସଂସ୍ଥିତା, ଶଙ୍ଖଚକ୍ରଗଦାପଦ୍ମଧାରିଣୀ ଓ ବିଷ୍ଣୁ ବା ଦେବୀ ବୈଷ୍ଣବୀ  ଅଟନ୍ତି। ବ୍ରାହ୍ମଣମାନେ ମଧ୍ଯାହ୍ନ ସନ୍ଧ୍ଯା ସମୟରେ ଗାୟତ୍ରୀ ଜପିବା ପୂର୍ବରୁ ଏହାଙ୍କୁ ଧ୍ଯାନ କରନ୍ତି। ଏ ବ୍ରହ୍ମାଙ୍କ ପତ୍ନୀ। ପୁରାଣ କହେ ସବିତା (ସୂର୍ୟ୍ଯ)ଙ୍କ ଔରସରେ ତତ୍ପତ୍ନୀ ପୃଶ୍ନୀଙ୍କ ଗର୍ଭରୁ ଏ ଜନ୍ମିଥିଲେ । ଏହାଙ୍କୁ ଵେଦମାନଙ୍କର ଜନନୀ ଵିଶ୍ଵାସ କରାଯାଇଛି । ଏହାଙ୍କର ଅନ୍ଯ ନାମ ଶତରୂପା, ଗାୟତ୍ରୀ, ସରସ୍ବତୀ, ବ୍ରହ୍ମାଣୀ । ଭାରତର ଭିନ୍ନ ଭିନ୍ନ ତୀର୍ଥରେ ଏ ଵୈଦିକ ଦେଵୀ ଭିନ୍ନ ଭିନ୍ନ ନାମରେ ପୂଜିତ ହେଉଅଛନ୍ତି। 
ଯଥା—ପୁଷ୍କରରେ ସାଵିତ୍ରୀ, ଵାରାଣସୀରେ ଵିଶାଳାକ୍ଷୀ, ପ୍ରୟାଗରେ ଲଳିତା, ଏକାମ୍ର କାନନରେ କୀର୍ତ୍ତିମତୀ, ବିନ୍ଧ୍ଯାଚଳରେ ସୀତା, ପୁରୀକ୍ଷେତ୍ରରେ ଵିମଳା ଇତ୍ଯାଦି। 

★ସାଵିତ୍ରୀ―ଦେଵୀ ଦୁର୍ଗା ଵା ପାର୍ଵତୀଙ୍କର ଏକ ନାମ ମଧ୍ୟ ସାଵିତ୍ରୀ ଅଟେ ।

★ସାଵିତ୍ରୀ ― ଧର୍ମଙ୍କ ପତ୍ନୀ ଓ ଦକ୍ଷଙ୍କ କନ୍ଯା 
★ସାଵିତ୍ରୀ―କଶ୍ଯପଙ୍କ ସ୍ତ୍ରୀ
★ସାଵିତ୍ରୀ―ଅଷ୍ଟାବକ୍ର ଋଷିଙ୍କ କନ୍ଯା 
★ସାଵିତ୍ରୀ―ସୂର୍ଯ୍ୟଦେଵଙ୍କ କନ୍ୟା ଯମୁନା(ନଦୀ)ଙ୍କର ଅନ୍ୟ ନାମ । 
★ସାଵିତ୍ରୀ―ସରସ୍ବତୀ ନଦୀର ଏକ ନାମ

★ସାଵିତ୍ରୀ―ପୁରାଣୋକ୍ତ ପ୍ଲକ୍ଷ ଦ୍ବୀପର ଏକ ନଦୀର ନାମ 
★ସାଵିତ୍ରୀ―ଧାରା ନଗରୀର ରାଜା ଭୋଜଙ୍କ ସ୍ତ୍ରୀ 
★ସାଵିତ୍ରୀ―ତୀର୍ଥବିଶେଷ;ଏକ ତୀର୍ଥର ନାମ

××××××××××××××××××××××××
××××××××××××××
××××××××

■ସାଵିତ୍ରୀ ଗଛ■
●ଅଅଁଳା ଗଛର ଏକ ନାମ ସାଵିତ୍ରୀ ଅଟେ 
●ଶଉପ ଜାତୀୟ ଏକପ୍ରକାର ଗୁଳ୍ମକୁ ବି ସାଵିତ୍ରୀ କୁହାଯାଏ । ଏ ଗଛର ପତ୍ର ସୁଵାସିତ ଏଥିର ଫଳପୁଷ୍ପାଦି ଶଉପ ପରି । ଏହି ଫଳ ଵା ମଞ୍ଜି ତୁଣ ତରକାରୀ ଆଦିରେ ମସଲାରୂପେ ଵ୍ୟଵହୃତ ହୁଏ। ଏଥିର ପତ୍ର ଦ୍ବାରା କାଞ୍ଜି ଆଦି ବଘରା ଯାଏ । ଆରବୀ ଭାଷାରେ ଶଉପକୁ 'ଶୀବ୍ବତ' କୁହନ୍ତି । 

×××××××××××××××××××××
×××××××××××
×××××

ଦ୍ବିଜବାଳକର ଉପନୟନକୁ ବି ସାଵିତ୍ରୀ କୁହାଯାଏ । ଆଗେ ଲୋକଵିଶ୍ଵାସ ଥିଲା ଯେ ଏହି ସଂସ୍କାର କରା ନ ଗଲେ ବ୍ରାହ୍ମଣ, କ୍ଷତ୍ରିୟ ଓ ବୈଶ୍ଯ ବ୍ରାତ୍ଯ ବା ପତିତ ହୁଅନ୍ତି । ଉପନୟନକାଳରେ ଦ୍ବିଜବାଳକ ସାଵିତ୍ରୀ ମନ୍ତ୍ରର ଦୀକ୍ଷା ଗ୍ରହଣ କରେ, ଏଥିପାଇଁ ଏ ସଂସ୍କାରର ନାମ ସାଵିତ୍ରୀ। ବ୍ରାହ୍ମଣର ଷୋଡ଼ଶ ଵର୍ଷ, କ୍ଷତ୍ରିୟର ଦ୍ବାବିଂଶତି ଵର୍ଷ ଓ ବୈଶ୍ଯର ଚତୁବିଂଶତି ଵର୍ଷ ପର୍ଯ୍ୟନ୍ତ ଉପନୟନ ସଂସ୍କାରକାଳ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି। ଏହି ବୟସ ମଧ୍ଯରେ ସାଵିତ୍ରୀ ସଂସ୍କାର ନ ହେଲେ ଉକ୍ତ ଜନ୍ମତଃ ଦ୍ବିଜବାଳକକୁ ଵ୍ରାତ୍ଯ ବୋଲାଯାଏ। ତତ୍ପରେ ଉପନୟନ ସଂସ୍କାର କରାଗଲେ ଯାଥାଵିଧାନ ଵ୍ରାତ୍ଯ—ପ୍ରାଯଶ୍ଚିତ୍ତ କରିବାକୁ ହୁଏ। ଦ୍ବିଜଵର୍ଣ୍ଣକ୍ରୟ ଉପନୟନ ପରେ ପ୍ରତିଦିନ ତ୍ରିସନ୍ଧ୍ଯାରେ ସାବିତ୍ରୀ (ଗାୟତ୍ରୀ) ଜପ କରିବେ। ମନୁସଂହିତା ୨ୟ ଅଧ୍ଯାୟ ୭୬ ଶ୍ଲୋକଠାରୁ ୮୩ ଶ୍ଲୋକ ପର୍ଯ୍ୟନ୍ତ ସାଵିତ୍ରୀ ଜପର ଵର୍ଣ୍ଣନା ଅଛି। ପ୍ରଣବ (ଓଁ), ଵ୍ୟାହୃତି (ଭୁଃ, ଭୁଵଃ, ସ୍ବଃ) ସହିତ ସାଵିତ୍ରୀ (ତତ୍ ସଵିତୁର୍ଵରେଣ୍ଯଂ ଭର୍ଗୋ ଦେଵସ୍ଯ ଧୀମହିଃ ଧୀୟୋୟୋନଃ ପ୍ରଚୋଦୟାତ୍) ତ୍ରିସନ୍ଧ୍ଯାରେ ଦ୍ବିଜମାତ୍ରେ ଜପ କରିବେ । ଦେବୀ ଭାଗଵତ (୯/୨୬/୩— ୪)ରେ ଲେଖାଅଛି ଯେ, ଥରେ ମାତ୍ର ସାବିତ୍ରୀ ଜପ କଲେ ଦିନକୃତ ପାପ, ଦଶଵାର ଜପରେ ଅହୋରାତ୍ରକୃତ ପାପ, ଶତଵାର ଜପରେ ମାସାର୍ଜିତ ପାପ, ସହସ୍ରଵାର ଜପରେ ସମ୍ବତ୍ସରାର୍ଜିତ ପାପ, ଲକ୍ଷ ଜପରେ ଇହଜନ୍ମାର୍ଜିତ ପାପ, ଦଶ ଲକ୍ଷ ଜପରେ ଅନ୍ଯ ଜନ୍ମର ପାପ, ଶତ ଲକ୍ଷ ଜପରେ ସର୍ଵଜନ୍ମର ପାପ ଵିନଷ୍ଟ ହୁଏ ଓ ଦଶଶତ ଲକ୍ଷ ଜପ କଲେ ମୋକ୍ଷଲାଭ ହୁଏ ।

(ମୂଳ ତଥ୍ୟ― ପୂର୍ଣ୍ଣଚନ୍ଦ୍ର ଭାଷାକୋଷ/ ସମ୍ପାଦନା―ଶିଶିର ସାହୁ ମନୋଜ ଓ କଵି ସନ୍ତୋଷ ପଟ୍ଟନାୟକ)

◼️◼️ 🔴 କାଉ ଓ ପେଚାମାନଙ୍କର ଶତ୍ରୁତା 🔴◼️◼️

◼️◼️◼️ 🔴🔴 କାଉ ଓ ପେଚାମାନଙ୍କର ଶତ୍ରୁତା🔴🔴
◼️◼️◼️
             ଉପସ୍ଥାପନା ; ✍ ଶିଶିର ସାହୁ ମନୋଜ
 
ଅତି ପ୍ରାଚୀନ କାଳରେ  ପେଚାମାନେ  ବହୁତ ହିଂସ୍ର ଥିଲେ ଏଵଂ ଦଳବଦ୍ଧ ହୋଇ ରହୁଥିଲେ । ସେମାନେ  ଯେକୌଣସି ଜୀଵକୁ ମାରି ଖାଇଵାକୁ ପଛାଉ ନଥିଲେ । ଏକତା ଓ ହିଂସ୍ର ସ୍ଵଭାଵ ତାଙ୍କ ଜାତିର ପରିଚୟ ହୋଇଯାଇଥାଏ । ସଂସାରରେ କାଉମାନେ ନୂଆ ଥିଲେ ,ସେମାନେ ପେଚାମାନଙ୍କ ପରି ସେତେ ସଙ୍ଗଠିତ ନଥିଲା ।
ଦୁର୍ଭାଗ୍ୟକୁ ପେଚା ଓ କାଉମାନେ ଗୋଟିଏ ଗଛରେ ବସା ବାନ୍ଧିଥିଲେ । ସେ ଗଛଟି ଵିଶାଳ ଓ ଝାଙ୍କାଳିଆ ଥିଲା । ଗଛର ଉପରିଭାଗରେ ପେଚାମାନଙ୍କର ବସା ଥିଲା ଏଵଂ ତଳେ କାଉମାନେ ଵସାକରି ରହୁଥିଲେ । 
 
ପେଚାମାନଙ୍କର ମୁଖିଆ ନିଇତି କୌଣସି ନା କୌଣସି କୁଆକୁ ମାରି ଖାଇଯାଏ । କାଉମାନେ ସେମାନଙ୍କ ଅତ୍ୟାଚାରରେ ଅତିଷ୍ଠ ହୋଇ ଶେଷରେ ଅନ୍ୟ ଵିକଳ୍ପ ଉଣ୍ଡିଵାକୁ ଲାଗିଲେ । ଜଣେ ପ୍ରୌଢ଼ କୁଆ କହିଲା ଚାଲ ଏ ଜଙ୍ଗଲ ଛାଡ଼ି ଅନ୍ୟତ୍ର ଚାଲିଯିଵା କାରଣ କଥାରେ ଅଛି ପରା ଆପେ ବଞ୍ଚିଲେ ବାପର ନାଆଁ ,ଆଉ ଜଣେ ଯୁଵକାକ କହିଲା ପେଚାମାନେ ଅଵଶ୍ୟ ଶକ୍ତିଶାଳୀ କିନ୍ତୁ ଆମ ଜାତି ଵୀରମାନଙ୍କର ଜାତି ! ପଳାୟନ କରିଵା କୌଣସି ଵୀରକୁ ଆଦୌ ଶୋଭା ଦିଏନା ଚାଲ ଆମେ ଵରଂ ଯୁଦ୍ଧ କରିଵା । ପାଖରେ ବୁଢ଼ା ଡାମରା କାଉଟେ ଥିଲା ।  ସେ କହିଲା ଧେତ୍ ମାଟିମାଆକୁ କିଏ କ'ଣ ଛାଡ଼ି ଯିଵା କଥା ଆମେ ଏଇଠି ଜନମିଛେ ଏଇଠି ମରିଵା କିନ୍ତୁ ଅଯଥା ଯୁଦ୍ଧରେ ଗୁଡା଼ଏ ପ୍ରାଣହାନି ହେଵ । ତୁମେମାନେ ଗୋଟେ କାମ କର ଦୁଇ ଦଳ ହୋଇ କଳି ଝଗଡ଼ା ଲାଗ । ଏ ବରଗଛକୁ ଦଳେ ଅଶ୍ଵତ୍ଥ ଗଛ ବୋଲି କହି ଡେଇଁଵ ଆଉ ଦଳେ ଵିରୋଧୀ ସାଜି ବରଗଛ ସପକ୍ଷରେ ରହି ସେମାନଙ୍କର ଵିରୋଧ କରିଵ । ଗଛ ଉପରେ ଥାଇ ପେଚାଯାକ ତୁମ ପାଲା ଦେଖୁଥିଵେ ଏଵଂ ମନେ ମନେ ଭାବୁଥିଵେ ତମ ମଧ୍ୟରେ ଆଉ ଆଗଭଳି ଏକତା ନାହିଁ । କାଉମାନେ ସେଇଆ କଲେ । ସେ ଠକାର କଳି ଦେଖି କିନ୍ତୁ ଗଛ ଉପରେ ରହୁଥିଵା ପେଚାମାନେ କୁହାକୁହି ହେଉଥାନ୍ତି...
ଏଗୁରା କି ଉଦୁରମତା ହେଉଛନ୍ତି କିହୋ ! ଯାଗା ଆମର ଗଛ ଆମର ଏ ଶଳେ କାଉଗୁରା ଏଇ କିଛି ଵର୍ଷ ହେଵ କୁଆଡ଼ୁ ଚାଲି ଆସି ଆମ ଯାଗାରେ ରହି ଆମ ଯାଗାକୁ  ଆମର ଆମର ଗାଇ ହେଉଛନ୍ତି । 

କିନ୍ତୁ ପେଚାମାନେ କାଉମାନଙ୍କର କୂଟ କପଟ ଜାଣିପାରିଲେ ନାହିଁ । ସେମାନେ ଭାବିଲେ ଏଗୁଡା଼ ପରସ୍ପରରେ ମାଡ଼ ହୋଇ ମଲେ ଵରଂ ଆମର ଲାଭ । ଏକେ ତ ଗୁଡା଼ଏ ଖାଦ୍ୟ ଵିନା ଶ୍ରମରେ ମିଳୁଥିଵ ପୁଣି ଶତ୍ରୁମାନେ ମଧ୍ୟ ଦୁର୍ଵଳ ରହିଥିଵେ । ଏମନ୍ତ ଵିଚାର କରି ପେଚାମାନେ ନିଶ୍ଚିନ୍ତରେ ରହିଲେ । 

ଏଣେ କାଉମାନେ ପେଚାମାନଙ୍କର ମନୋଭାବ ଜାଣିପାରି ଆପଣା ଭଵିଷ୍ୟତ ଯୋଜନା କାର୍ଯ୍ୟକାରୀ କରିଵାକୁ ଲାଗିପଡି଼ଥାନ୍ତି । 

ପେଚାମାନେ ତ ରାତ୍ରିଚର ଏଵଂ ଦିନରେ ଶୋଇଥାନ୍ତି କାଉମାନେ ଏହାର ସୁଯୋଗ ନେଇ ଦିନରେ ତାଙ୍କ ବଡ଼ ବସା ଚାରିପାଖ ଡାଳରେ ଗୁଡା଼ଏ କାଠିକୁଟା ଗଦେଇଵାକୁ ଲାଗିଲେ । ସନ୍ଧ୍ୟା ସୁଦ୍ଧା ପେଚାମାନଙ୍କର ବସା ଚାରିପଟେ ଗୁଡା଼ଏ କାଠିକୁଟା ଗଦା ହୋଇଯାଇଥାଏ । ଏପଟେ କେତୁଟା କାଉ ନିଆଁ ଆଣିଵାକୁ ଆଗ୍ନେୟଗିରି ନିକଟସ୍ଥ ଜଙ୍ଗଲକୁ ଯାଇଥାନ୍ତି । ସେଠାରେ ପ୍ରାୟ ନିଆଁ ଲାଗେ ତେଣୁ ସେମାନେ ସେଠାରେ ଜଳୁଥିଵା  ଖଣ୍ଡେ ଜଳନ୍ତା କାଠି ଉଠେଇ ଆଣି ସନ୍ଧ୍ୟା ପୂର୍ଵରୁ ଫେରି ଆସିଲେ । 

ଯୋଜନା ଅନୁସାରେ ପେଚାମାନେ ଚେଇଁଵା ଆଗରୁ ତାଙ୍କ ବସା ଚାରିପଟେ ନିଆଁ ଲଗେଇ ଦିଆଗଲା । ନିଆଁ ଧାସ ବାଜି ପେଚାମାନଙ୍କର ନିଦ ଭାଙ୍ଗିଗଲା । ସେମାନେ ନିଆଁରୁ ଵର୍ତ୍ତିଵା ପାଇଁ 
ଆପ୍ରାଣ ଉଦ୍ୟମ କଲେ କିନ୍ତୁ ଅଧିକାଂଶ ପୋଡ଼ି ମରିଗଲେ । ଆଉ କାଉ ମାନେ ? ସେମାନେ ତ ପେଚାମାନଙ୍କର ସର୍ଵନାଶ କରିଵା ଚେଷ୍ଟାରେ ନିଆଁ ଲଗାଇ ସମ୍ପୂର୍ଣ୍ଣ ବରଗଛଟିକୁ ଵିପଦରେ ପକାଇଦେଲେ ଏଵଂ ନିଜ ବସା ମଧ୍ୟ ହରାଇଲେ ।  ସେଇଦିନଠାରୁ ପେଚାମାନେ ଏକତ୍ର ରହିଵା ଛାଡି଼ଦେଲେ କିନ୍ତୁ କାଉ ଓ ପେଚାମାନଙ୍କର ଶତ୍ରୁତା ଆଜି ବି ଯଥାଵତ୍ ରହିଛି । ସେମାନଙ୍କ ମଧ୍ୟରେ ରହ ଯିଏ ଯେତେବେଳେ ସୁଵିଧା ପାଉଛି ଅନ୍ୟ ଉପରେ ଦାଉ ସାଧୁଛି । 

 ⬛⬛⬛⬛⬛⬛⬛⬛⬛⬛⬛⬛⬛
   🔵◾◾◾ଵିଶେଷ ଦ୍ରଷ୍ଟଵ୍ୟ◾◾◾🔵

                           🔴ଆଧାର🔴
ଆଜକୁ ପ୍ରାୟ ଷାଠିଏ ମିଲିୟନ ଵର୍ଷ ପୂର୍ଵେ 
ମଧ୍ୟ-ପେଲେଓସନ୍( Middle Paleoceon) ଯୁଗରେ ଷ୍ଟ୍ରିଗିଫର୍ମସ୍(Strigiformes) ଵା ପେଚା ଜାତୀୟ ପକ୍ଷୀମାନେ ଵିଵର୍ତ୍ତନ ଯୋଗୁଁ ଜାତ ହୋଇଥିଲେ  । ତାହାର ପାଞ୍ଚ ମିଲିୟନ ଵର୍ଷ ପରେ ପ୍ରାରମ୍ଭିକ ଇଓସେନ୍(Eocen) ଯୁଗରେ Passeriformes(ଶୁକ,କାକ) ଜାତୀୟ ପକ୍ଷୀ ଜାତ ହେଵାକୁ ଲାଗିଲେ । ତେଣୁ ସଂସାରକୁ ପେଚାମାନେ ଆସିଵାର ଅନେକ ଵର୍ଷ ପରେ କାକମାନଙ୍କର ସୃଷ୍ଟି ହୋଇଥିଲା ।

                          🔴ମୂଳ ଗଳ୍ପ🔴
ଏହି ଗଳ୍ପଟି ପଞ୍ଚତନ୍ତ୍ରର ଏକ ଗଳ୍ପ ଆଧାରରେ ରଚିତ ହୋଇଅଛି । ମୂଳ ଗଳ୍ପରେ ଗୋଟିଏ ବୁଢ଼ା କାଉ ପେଚାମାନଙ୍କର ଵିଶ୍ଵାସ ଜିତି ସେମାନଙ୍କ ସହିତ ଯାଇ ରହୁଛି । ସେ କାଉଟି ପେଚାମାନଙ୍କର ଜଗୁଆଳି କାମ କଲା ଏଵଂ  କାଠି କୁଟା ମଧ୍ୟ ସଂଗ୍ରହ କରି ପେଚାମାନଙ୍କ ବସା ପାଖରେ ରଖିଲା ।  । ପେଚାମାନେ ତାକୁ ସେ କୁଟାକାଠି ଵିଷୟରେ ପଚାରିଵାରୁ ସେ ନିଜପାଇଁ ବସାଟିଏ କରିଵାକୁ ଏସବୁ ଯୋଗାଡ଼ କରୁଛି ବୋଲି ଜଣାଇଲା । ଦିନେ ଅନେକ କୁଟାକାଠି ଯୋଗାଡ଼ ହୋଇଗଲାରୁ କାଉମାନେ ଏକାଠି ହୋଇ ପେଚାମାନଙ୍କର ବସାରେ ନିଆଁ ଲଗାଇଦେଲେ ଏଵଂ ସେ ନିଆଁରେ ଜଳିପୋଡି଼ ଅନେକ ପେଚା ମରିଗଲେ । 
         
         🔴କାଉ-ପେଚାଙ୍କ ଶତ୍ରୁତାର ପ୍ରକୃତ କାରଣ🔴
ପେଚାମାନେ ରାତ୍ରିଚର ଏଵଂ ରାତିରେ କାଉମାନଙ୍କ ଉପରେ ଅତର୍କିତ ଆକ୍ରମଣ କରି ମାରି ଦେଉଥିଵା ହେତୁ କାଉମାନେ ପେଚାଙ୍କୁ ଦେଖିଲେ ମାରି ଗୋଡା଼ନ୍ତି । 

                    🔴ଗଳ୍ପର  ଶିକ୍ଷା🔴
ଶତ୍ରୁକୁ କେବେ ବି ଦୁର୍ଵଳ ଭାବିଵା ଉଚିତ୍ ନୁହେଁ । ଅନ୍ଯର କ୍ଷତି କରିଵା ଚେଷ୍ଟାରେ ନିଜର ମଧ୍ୟ କ୍ଷତି ହୋଇପାରେ । ଶତ୍ରୁତାକୁ ପ୍ରତିଶୋଧ ନେଇ କେବେବି ଶେଷ କରାଯାଇ ପାରେନାହିଁ । 

               🔴ଗଳ୍ପର ଗୁପ୍ତ ସନ୍ଦେଶ🔴
ଓଡ଼ିଆ ଜାତି ମଧ୍ୟ ଓଡ଼ିଶାର ଵିଚ୍ଛିନ୍ନତାଵାଦୀଙ୍କୁ ଦୁର୍ଵଳ ନଭାବି ସେମାନଙ୍କର ଉଭୟ ଅସି ଓ ମସି ଚାଳନାଦ୍ଵାରା ସର୍ଵନାଶ କରିଵା ଵିହିତ କର୍ତ୍ତଵ୍ୟ ଅନ୍ୟଥା ପେଚାମାନଙ୍କ ପରି ଓଡ଼ିଆ ଜାତିର ମଧ୍ୟ ଅଶେଷ କ୍ଷତି ଘଟିଵାର ସମ୍ଭାଵନା ରହିଛି । 
⬛⬛⬛⬛⬛⬛⬛⬛⬛⬛⬛⬛⬛⬛⬛

Saturday, June 5, 2021

● #ବୋଉ #ଶବ୍ଦ_ଗୋଟିଏ_କଥା_ଅନେକ ●

✍ ଶିିଶିର ସାାହୁ ମନୋଜ { ଭାଷା ସୁୁରକ୍ଷାର ଜାଗ୍ର୍ରତ ପ୍ର୍ରହରୀ }

ଚୀନଦେଶୀୟ ଭାଷାଗୁଡି଼କରେ ମାଆ ବାପାଙ୍କୁ ସମ୍ବୋଧନ ହେତୁ ଅନେକ ଶବ୍ଦ ରହିଛି । ଆଜିକାଲି ଵିଶ୍ଵର ଅନୁକରଣ କରିଵାକୁ ଯାଇ ଶିକ୍ଷିତ ଚୀନାଲୋକେ ମାଆଙ୍କୁ  妈妈(māmā) ତଥା ବାପାଙ୍କୁ 爸爸(bàbà) ଡାକନ୍ତି । 

ତେଵେ କିଛି ଶହ  ଵର୍ଷ ପୂର୍ଵେ ସେମାନେ ମାଆଙ୍କୁ 母亲(mǔqīn) ଓ ବାପାଙ୍କୁ 父亲(fùqīn) ଡାକୁଥିଲେ । ଆଜି ବି ଏ ଶବ୍ଦ ଦ୍ଵୟ ପ୍ରଚଳିତ ତେଵେ  ଚୀନଦେଶୀୟ ଲିଖିତ ସାହିତ୍ୟରେ ହିଁ ଏହାର ଵ୍ଯଵହାର ସୀମିତ ହୋଇଯାଇଛି ।  ‌ସେଇଭଳି ଏଠାକାର ଗ୍ରାମୀଣ ଅଞ୍ଚଳରେ ମାଆଙ୍କୁ 娘(niáng)ଓ ବାପାଙ୍କୁ 爹(diē)ସମ୍ବୋଧନ କରାଯାଏ କିନ୍ତୁ ଧିରେ ଧିରେ ଏହି ପରମ୍ପରା ଦୃତ ସହରୀକରଣ ଯୋଗୁଁ ଲୁପ୍ତ ହେଵାକୁ ବସିଲାଣି । 

ଆମ ପୂର୍ଵାଞ୍ଚଳରେ ଯେମିତି ଅନ୍ଯର ମାତା ଓ ପିତାଙ୍କୁ ସମ୍ମାନର ସହିତ ମଉସା ଓ ମାଉସୀ ସମ୍ବୋଧନ କରାଯାଏ ସମାନ ପରମ୍ପରା ଚୀନଦେଶରେ ମଧ୍ୟରେ ରହିଛି । ତେଵେ ସେଠାକାର ଲୋକେ ଅଧିକ ଆଵଶ୍ଯକ ହେଲେ ହିଁ ଅନ୍ଯର ମାତାଙ୍କୁ  令堂(lìngtáng)ଓ ଆନର ପିତାଙ୍କୁ  令尊(lìngzūn) ସମ୍ବୋଧନ କରିଥାନ୍ତି ‌। ଆମ ଗଞ୍ଜାମ ଅଞ୍ଚଳର ଲୋକେ ଆଉ ପାଦେ ଆଗେଇ ପରର ପିତାମାତାଙ୍କୁ ମଧ୍ୟ ଶ୍ରଦ୍ଧାରେ ମାଆ ଓ ବାପା ସମ୍ବୋଧନ କରୁଥିଵା ଦୃଷ୍ଟିଗୋଚର ହୁଏ । ତେଵେ ପୂର୍ଵାଞ୍ଚଳର ଲୋକେ ଵିଶେଷତଃ ପୁରୁଷମାନେ ନିଜ ଝିଅ,ଝିଆରୀ ଓ ଭାଣିଜୀମାନଙ୍କୁ ‘ମାଆ’ ତଥା ସ୍ତ୍ରୀଲୋକେ ଛୋଟ ବାଳକଙ୍କୁ ବାପ,ବାପା,ବାବା,ବାବୁ,
ପୁଅ,ପୋଅ ଆଦି ସମ୍ବୋଧନ କରୁଥିଵା ଦେଖାଯାଏ । 

ଚୀନଦେଶୀୟ ଲୋକେ ତାଙ୍କ ମାତାପିତାଙ୍କୁ ପତ୍ର ଲେଖିଲାଵେଳେ ତଥା ସାହିତ୍ୟରେ ମାଆଙ୍କ ପାଇଁ  家母(jiāmǔ)ଓ  家慈(jiācí)ଏଵଂ ପିତାଙ୍କ ପାଇଁ 家父(jiāfù)ଓ 家严(jiāyán)ଶବ୍ଦର ଵ୍ଯଵହାର କରିଥାନ୍ତି ଯାହା ଚୀନରେ ଅତ୍ୟନ୍ତ ଆଦରସୂଚକ ମାନାଯାଏ । 

ତେଵେ ଅତିପ୍ରାଚୀନ କାଳରେ ଚୀନଦେଶର ଲୋକେ 
ଆଜିଭଳି ମାମା ବାବା ଶବ୍ଦ ଵ୍ଯଵହାର କରୁନଥିଲେ । ଏହି ଉଭୟ ଶବ୍ଦ ପଶ୍ଚିମ ଵିଶ୍ଵ ତଥା ଭାରତ ସହିତ ସାଂସ୍କୃତିକ ସଂପର୍କ ବୃଦ୍ଧି ପରେ ପରେ ପ୍ରଚଳିତ ହୋଇଥିଵା ଅନେକ ଚୀନୀ ଭାଷାଵିତ୍ ମତ ଦିଅନ୍ତି । 

ପ୍ରାୟ ୨୦୦୦ ଵର୍ଷ ପୂର୍ଵର ଅନେକ ପ୍ରାଚୀନ ଚୀନୀ ଗ୍ରନ୍ଥରେ  ମାତାଙ୍କୁ  妣(bǐ)ଓ ପିତାଙ୍କୁ 考(kǎo) ସମ୍ବୋଧନ କରାଯାଉଥିଵାର ପୁରାତନ ଲିଖିତ ପ୍ରମାଣ ରହିଛି । ତେଵେ ଆଜିକାଲି 妣(bǐ)ଶବ୍ଦର ଵ୍ଯଵହାର ମରଣୋତ୍ତର ମାତାଙ୍କୁ ସମ୍ବୋଧନ ହେତୁ ସଭା ସମିତି ଦୂରଦର୍ଶନ ସମ୍ବାଦପତ୍ର ଆଦିରେ ଵ୍ଯଵହୃତ ହୋଇଥାଏ । 

ଆମ ଭାରତରେ ଯେମିତି ଭାଷା ଭେଦରେ ମାତାଙ୍କୁ ଭିନ୍ନ ଭିନ୍ନ ଶବ୍ଦ ଦ୍ଵାରା ସମ୍ବୋଧନ କରାଯାଏ ଠିକ୍ ସେଇଭଳି ଚୀନଦେଶରେ ମଧ୍ୟ ଵିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ଶବ୍ଦ ଚଳୁଅଛି । ନିମ୍ନରେ ସେଇଭଳି କିଛି ଉଦାହରଣ ଦିଅଗଲା ଯେଉଁ ଶବ୍ଦଗୁଡି଼କୁ ଚୀନଦେଶରେ ମାତାଙ୍କୁ ସମ୍ବୋଧନାର୍ଥେ ପ୍ରୟୋଗ କରାଯାଏ । 

✓母親 (móuhchàn)
✓媽媽 (màhmà) 
✓阿母 (a mā) 
✓母親 (mu1-cin1)
✓媽媽 (ma5-ma3)
✓阿母 (a1-me1)
✓母親 (mǔqīn) 
✓妈妈 [媽媽] (māma) 
✓母親 (bó-chhin)
✓阿母 (a-bó)
✓俺娘 (án-niâ)

ଏଠାରେ ପ୍ରଦତ୍ତ 阿母 (a-bó) ଶବ୍ଦଟି ଜାପାନୀ ଭାଷାରେ ମଧ୍ୟ ଚଳୁଅଛି ତେଵେ ଏହାର ଵ୍ଯଵହାର ଜାପାନର କେତେକ ଜନଜାତି ମଧ୍ୟରେ ସୀମିତ ରହିଯାଇଛି । 

ଚୀନଦେଶୀୟ ଭାଷାଗୁଡି଼କରେ ଏହି 阿母 (a-bó)
ଶବ୍ଦର ଭିନ୍ନ ଭିନ୍ନ ଅଞ୍ଚଳରେ ଵିଭିନ୍ନ ଅର୍ଥରେ ଵ୍ୟଵହାର ରହିଛି । 
ଯଥା—

✓ଚୀନର Min Nanଭାଷାରେ 阿母 (a-bó) ଶବ୍ଦର ଅର୍ଥ ‘ମାଆ’ 

✓Cantonese ଭାଷାରେ ଭାଉଜଙ୍କୁ 
阿母 (a-bó) କୁହାଯାଏ । 

✓Dongguan Cantonese ଉପଭାଷାରେ
ମାଇଁଙ୍କୁ 阿母 (a-bó) କୁହନ୍ତି । 

✓ଚୀନଦେଶର କେତେକ ଶୈଳୀରେ 
ନର୍ସମାନଙ୍କୁ 阿母 (a-bó) କୁହାଯାଇଥାଏ ।

ଚୀନଦେଶରେ a-bó  ଶବ୍ଦର ଅଞ୍ଚଳ ଭେଦରେ ଵିଭିନ୍ନ ଅର୍ଥ ରହିଛି ପୁଣି ମାଆଙ୍କୁ ସମ୍ବୋଧନାର୍ଥେ ଵିଭିନ୍ନ ଚୀନଦେଶୀୟ ଭାଷାରେ  ଭିନ୍ନ ଭିନ୍ନ ଶବ୍ଦ ଚଳୁଅଛି । କିନ୍ତୁ ସେମାନେ ଆମ ଭାରତୀୟଙ୍କ ପରି ସମ୍ବୋଧନ ଵାଚକ ଶବ୍ଦକୁ ନେଇ ପରସ୍ପରରେ କାଦୁଅ ଫିଙ୍ଗାଫିଙ୍ଗି ହେଉଥିଵାର ଦେଖାଯାଏ ନାହିଁ । 

 ଚୀନ ଦେଶ କଥା ଛାଡ଼ନ୍ତୁ ଆମ ଭାରତରେ ପ୍ରଚଳିତ ପଞ୍ଜାବୀ ଭାଷାରେ ପ୍ରଚଳିତ ଏମିତି କେତେଗୋଟି ଶବ୍ଦର ମଧ୍ୟ ଏଠାରେ ଉଦାହରଣ ଦିଆଯାଇପାରେ ।  ପଞ୍ଜାବୀମାନେ ତାଙ୍କ ମାତାଙ୍କୁ ਭਾੱਥੋ(BHÁBBO) ସମ୍ବୋଧନ କରନ୍ତି । ତେଵେ ପଞ୍ଜାବୀର କେତେକ ଶୈଳୀରେ ଭାଉଜଙ୍କୁ ସମ୍ବୋଧନ ପାଇଁ ବି ଏ ଶବ୍ଦ ଵ୍ଯଵହାର ହୋଇଥାଏ । ପଞ୍ଜାବୀର କେତେକ ଶୈଳୀରେ ਬੋਬੀ(BOBÍ) ଓ ਬੋਬੋ(BOBO) ଶବ୍ଦଦ୍ଵୟର ଅର୍ଥ ମାଆ ହୋଇଥିଵା ଵେଳେ ଅନ୍ୟତ୍ର ଏ ଶବ୍ଦ ଭଉଣୀମାନଙ୍କୁ ସମ୍ବୋଧନାର୍ଥେ ପ୍ରୟୋଗ ହୁଏ । “ଭାଇ ମାୟା ସିଂ” ଙ୍କ ଦ୍ଵାରା ସଂକଳିତ “the punjabi dictionary”ରେ ଏହି ତଥ୍ଯ ରହିଛି । 

ଓଡ଼ିଆ ଭାଷାରେ ଓ ଓଡ଼ିଶା ଭୂଇଁରେ ସେହିପରି ଵର୍ଗ୍ୟ ବ ଵର୍ଣ୍ଣ ଆଦ୍ୟରେ କେତେକ ସମ୍ପର୍କଵାଚକ ଶବ୍ଦ ପ୍ରଚଳିତ । ତନ୍ମଧ୍ୟରୁ ବୋଉ,ବଉ ଓ ଵୋହୂ ଵା ଵଉ ଶବ୍ଦକୁ ନେଇ ନିକଟ ଅତୀତରେ ଓଡ଼ିଶାର ବୁଦ୍ଧିଜୀଵିଙ୍କ ମଧ୍ୟରେ ମହାଭାରତ ଯୁଦ୍ଧ ସଂଗଠିତ ହୋଇଯାଇଥିଲା ।  ହେଲେ କିଛି ଵର୍ଷ ତଳେ ଆମ ଓଡ଼ିଶାର ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ଜଣେ ତଥାକଥିତ କଵି ଯେଉଁଭଳି ଭାବେ ଦାଣ୍ଡରେ ଡ଼ାକବାଜି ଲଗାଇ ଓଡ଼ିଆ ଭାଷାର ମୌଳିକ ବୋଉ ଶବ୍ଦର ଚୀରହରଣ କରିଥିଲେ ସେଭଳି ପାଗଳାମୀ ଚୀନା କି ପଞ୍ଜାବୀମାନେ କେବେ ବି କରିଥିଵା ଜଣାଯାଏ ନାହିଁ । ସେଠାରେ ମଧ୍ୟ ଓଡ଼ିଶାର ବେଈ,ଵଧୂ,ଵୋହୂ,ବୋଉ,ବଉ,ଆବୋଉ,ଆଉବୋଉ ଇତ୍ୟାଦି ଵିଭିନ୍ନ ଅର୍ଥରେ ଭିନ୍ନ ଭିନ୍ନ ଅଞ୍ଚଳରେ 阿母 (a-bó) ଓ ବେବ୍ଵୋ,ବେବ୍ଵେ,ବାବ୍ଵେ ଭଳି ଶବ୍ଦ ଵ୍ୟଵହୃତ ହୋଇଥାଏ କିନ୍ତୁ ସେଠାକାର ଲୋକ ଆମର ତଥାକଥିତ ମହାପେଣ୍ଡୁଳି କଵିରାଜଙ୍କ ପରି ଆଞ୍ଚଳିକଵାଦୀ ନୁହନ୍ତି କି ହୋଇନାହାନ୍ତି ।

କିନ୍ତୁ ତଥାକଥିତ ମହାକଵି ସମ୍ଭଵତଃ ଜାଣିନଥିଲେ ଯେ କେଵଳ ଓଡ଼ିଆ ଭାଷା ହିଁ ନୁହେଁ ଆସାମର ଆହମିୟା ଭାଷାରେ ମଧ୍ୟ ମାଆ ଶବ୍ଦର ଏକ ପ୍ରତିଶବ୍ଦ ‘ବୌ’ ଅଟଇ । ଅହମିୟା ଭାଷାର ଚନ୍ଦ୍ରାକାନ୍ତା ଅଭିଧାନରେ ଏହି କଥା ଉଲ୍ଲେଖ କରାଯାଇଛି । ଉକ୍ତ ଅଭିଧାନର ୭୦୪ ପୃଷ୍ଠାରେ ବୌ ଶବ୍ଦର ଯେଉଁ ଦୁଇଗୋଟି ଅର୍ଥ ମୁଦ୍ରିତ ହୋଇଅଛି ତାହା ଅକ୍ଷରସଃ ଏଠାରେ ଉଦ୍ଧାର କରାଗଲା...

ବୌ/ଵୌ
୧)ଵ।ଧୂ ଶବ୍ଦଜ ଵୌ — କକାଇର ଭାର୍ଯ୍ଯା

2)ବୌ/ବୌବି—ଆଇ; ପୁତ୍ରଇ ମାକକ କରା ସମ୍ବୋଧନ

ପ୍ରକାଶ ଥାଉକି ପ୍ରାଚୀନ ଓଡ଼ିଆରେ ପୂର୍ଵେ ଆଈ ଶବ୍ଦ ମାତାଙ୍କୁ ସମ୍ବୋଧନାର୍ଥେ ପ୍ରୟୋଗ ହେଉଥିଲା ଅଧୁନା ମାତାମହୀଙ୍କୁ ଆଈ ସମ୍ବୋଧନ କରାଯାଇଥାଏ । ତେବେ ଆସାମ ଓ ମହାରାଷ୍ଟ୍ରରେ ଆଈ ଶବ୍ଦ ଆଜି ବି ମାତା ଅର୍ଥରେ ପ୍ରୟୋଗ ହେଉଅଛି । ଏଠାରେ ଆଈ ଶବ୍ଦ ଵିଷୟରେ ସାମାନ୍ୟ ଆଲୋଚନା କରିଵା ଉଚିତ୍ ହେଵ । ଏକ ଲୋକପ୍ରିୟ ମତାନୁସାରେ ଆର୍ଯ୍ୟ ଓ ଆର୍ଯ୍ୟା ଶବ୍ଦରୁ ଅଜା ଓ ଆଈ ଶବ୍ଦ ଆସିଥିଵା ଅନେକ ବୁଦ୍ଧିଜୀଵୀ ମତ ଦିଅନ୍ତି ମାତ୍ର ଓଡ଼ିଶାର ଅନେକ ଆଷ୍ଟ୍ରିକ ଓ ଦ୍ରାଵିଡ଼ ଭାଷାରେ ମଧ୍ୟ ଆଈ ଶବ୍ଦ ସହ ସମସାଦୃଶ୍ୟ ଅନେକ ଶବ୍ଦ ଚଳୁଅଛି ଉଦାହରଣ ସ୍ୱରୂପ 
🔰ଗଦଵା ଵା ଗୁତଵ ଭାଷାରେ ମାଆଙ୍କୁ ଇୟଂ କୁହାଯାଏ 
🔰ଓରାଓଁରେ ଆୟାଙ୍ ,
🔰କିସାନ୍ ଵା କୁଣାହାଁରେ ଆୟା/ଆୟାଂ ଓ ଆୟାଙ୍ଗ
🔰କୁଈ ତଥା କୁଭି ଭାଷାରେ ଆଜି
🔰କୋୟା ଭାଷାରେ ୟାୟା ଓ ୟାୱା
🔰ଗୋଣ୍ଡୀ ଭାଷାରେ ୟାୟା
🔰ଦେଶିଆ ଓଡ଼ିଆରେ ଆୟା
🔰ବଣ୍ଡା ଭାଷାରେ ୟଂ ଓ ଇୟଂ
🔰ଭୁଂଜିଆରେ ଓୟା 
🔰ସଉରାରେ ୟାଙ୍
🔰ସାଦ୍ରୀରେ ଆୟୋ
🔰ସାନ୍ତାଳୀରେ ଏଙ୍ଗା ଓ ଅୟୋ
🔰ଡିଡାୟୀରେ ଇଆଁଙ୍ଗ୍
🔰ପରଜୀ ଭାଷାରେ ଇୟ୍'ୟା 
🔰 ଭତ୍ରୀ ଓ ହଲଵୀ ଓଡ଼ିଆରେ ଆୟା
ଇତ୍ୟାଦି ଇତ୍ୟାଦି ...

ଅର୍ଥାତ୍ ଓଡ଼ିଆ ଭାଷାରେ ପୂର୍ଵେ ମାତା ଅର୍ଥରେ ପ୍ରଚଳିତ ଥିଵା ଆଈ ଶବ୍ଦଟି ସମ୍ଭଵତଃ ଜନଜାତୀୟ ମୂଳର କିଂଵା ଓଡ଼ିଆ ପ୍ରାଚୀନ ଓଡ଼ିଆ ଭାଷାରେ ଆର୍ଯ୍ୟା ଶବ୍ଦଜ ଆଈ ଶବ୍ଦର ବହୁଳ ଵ୍ୟଵହାରରୁ ପ୍ରଭାଵିତ ହୋଇ ଵିଭିନ୍ନ କଳିଙ୍ଗୀ ଜନଜାତୀୟ ଭାଷା ମଧ୍ୟରେ ଆଈ ଶବ୍ଦ ଭିନ୍ନ ଭିନ୍ନ ରୂପରେ ପ୍ରଚଳିତ ହୋଇଅଛି । ପୂର୍ଵେ ଓଡ଼ିଆ ଭାଷାରେ ଆଈ ଶବ୍ଦଟି ମାତା ଅର୍ଥରେ ପ୍ରୟୋଗ ହେଉଥିଵାରୁ ଅନେକ ପ୍ରାଚୀନ ସାହିତ୍ୟିକ କୃତିରେ ଏ ଶବ୍ଦଟି ମାତା ଶବ୍ଦର ଏକ ପ୍ରତିଶବ୍ଦ ଭାବେ ଵ୍ୟଵହୃତ ହେଇଥିଲା । ଉଦାହରଣ ସ୍ୱରୂପ...

କଵି ଵିଶ୍ଵନାଥ କୃତ ଵିଚିତ୍ରରାମାୟଣରେ ଆଈ ଶବ୍ଦକୁ ମାତା ଅର୍ଥରେ ପ୍ରୟୋଗ କରିଛନ୍ତି

“ଦଶରଥ ସୂତ, ଜଗତେ ଵିଦିତ,
 କୈକେୟୀ ମୋହର ଆଈ।”
 
ଓଡ଼ିଆ ରାମାୟଣର “ଲକ୍ଷ୍ମଣ ଶକ୍ତିଭେଦରେ ଶ୍ରୀରାମଙ୍କ ଶୋକ” 
ଅଧ୍ୟାୟରେ ରାମଚନ୍ଦ୍ର ନିଜ ମାତାଙ୍କୁ ଆଈ କହୁଛନ୍ତି । 

“ଅର୍ଥଭାଗ ବାଣ୍ଟି ଯେ ନିଅନ୍ତି ଭାଇମାନେ ।
କଷ୍ଟ ପାଇବ ବୋଲି ଅଇଲା ଘୋରବନେ । 
ଆରେ ଆରେ ଲକ୍ଷ୍ମଣ ତୁ ମୋ ପ୍ରାଣ ସ୍ବରୂପ । 
କାହିଁ ବସି ବାକୁ ତୁ ଅର୍ଜିଲୁ ଏଡ଼େ ପାପ ।
ସର୍ବ ସୁଲକ୍ଷଣ ତୁହିଁ ଅଟୁ ମୋର ଭାଇ ।
ଘରକୁ ଗଲେ ଯେ ମୋତେ କି ବୋଲିବେ ଆଈ ।”

ସେଇମିତି ଜଗନ୍ନାଥ ଦାସ ତାଙ୍କ ଓଡ଼ିଆ ଭାଗଵତରେ ମଧ୍ୟ ଆଈ ଶବ୍ଦକୁ ମାତା ଅର୍ଥରେ ଵ୍ୟଵହାର କରିଯାଇଛନ୍ତି ...

“ଏମନ୍ତେ ପାହିଲା ରଜନୀ 
ଦେଵକୀ ମୁଖ ଚାହିଁ ଭଣି ।।୧୯୧।।
ତୋର ଉଦରେ ଜଗନ୍ନାଥ ।
ଜଗତ ରଖିଵେ ତୋ ସୁତ ।।୧୯୨।।
ଶୁଦ୍ଧ ଚୈତନ୍ୟ ରୂପ ଘେନି ।
ପ୍ରକାଶ ହୋଇଵେ ମେଦିନୀ ।।୧୯୩।।
କଂସର ଭୟ ଛାଡ଼ ଆଈ । 
ଯାହାର ନାମେ ଦୁଃଖ ନାହିଁ ।।୧୯୪।।”

ଅର୍ଥାତ୍ ଏକ ସମୟରେ ଓଡ଼ିଶାରେ ମାତା ଅର୍ଥରେ ମାଆ ଓ ଆଈ  ଏହି  ଦୁଇଟି ଶବ୍ଦ ଚଳୁଥିଲା କିନ୍ତୁ ଆଜିକାଲି ଯେପରି ପିତାମହୀ ଓ ମାତାମହୀଙ୍କୁ ଆଧୁନିକ ଵାଳକ ଵାଳିକାମାନେ ମାଆ ଡାକୁଛନ୍ତି ପୂର୍ଵେ ସେହିପରି ମାଆଙ୍କ ମାଆଙ୍କୁ ଆଈ ଡାକିଵା ଆରମ୍ଭ କରିଦେଇଥିଵେ ଫଳତଃ ଆଈ ଶବ୍ଦଟି ପରେ ମାତାମହୀଙ୍କ ପ୍ରତି ଵ୍ୟଵହୃତ ହେଵାକୁ ଲାଗିଲା । 

 ପ୍ରାଚୀନ ଓଡ଼ିଆ ସାହିତ୍ୟରେ ଆଈ ଓ ମାତା ଇତ୍ୟାଦି ଶବ୍ଦ ମାଆ ଅର୍ଥରେ ପ୍ରୟୋଗ ହୋଇଥିଵା ଜଣାଯାଏ । କିନ୍ତୁ ବୋଉ ଶବ୍ଦଟି ତିନିଶହ ଵର୍ଷ ପୂର୍ଵଵର୍ତ୍ତୀ କୌଣସି ଓଡ଼ିଆ ସାହିତ୍ୟରେ ମାଆ ଅର୍ଥରେ ପ୍ରୟୋଗ ହୋଇଥିଵା ଦେଖାଯାଏ ନାହିଁ । ସମ୍ଭଵତଃ ଉକ୍ତ ସମୟରେ ଆଈ ଓ ମାଆ ଶବ୍ଦଦ୍ଵୟ ଓଡ଼ିଶାର ଅଧିକାଂଶ ଲୋକେ ତାଙ୍କର ମାତାଙ୍କୁ ସମ୍ବୋଧନାର୍ଥ ଵ୍ୟଵହାର କରୁଥିଲେ ଏଵଂ ବୋଉ ଶବ୍ଦଟି ଏକ ସୀମିତ ମାନଵଗୋଷ୍ଠୀ କିଂଵା ଅଞ୍ଚଳରେ ପ୍ରଚଳିତ ଥିଲା । ଯେତେବେଳେ ଆଈ ଶବ୍ଦଟି ମାଆଙ୍କର ମାଆଙ୍କୁ ସମ୍ବୋଧନାର୍ଥ ଚଳିଵାକୁ ଲାଗିଲା ସେତେବେଳେ ଏହି ବୋଉ ଶବ୍ଦଟି ଧୀରେ ଧୀରେ ଓଡ଼ିଶାରେ ତାହାର ସ୍ଥାନ ଅଧିକାର କରିନେଇଥାଇପାରେ । ସେତେବେଳେ କେତେକ ଅଞ୍ଚଳରେ ବେଈ ଶବ୍ଦର ଵ୍ୟଵହାରରେ ଜେଜେମା ଓ ଆଈଙ୍କୁ ସମ୍ବୋଧନ କରାଗଲା ଅନ୍ୟତ୍ର ଆପଣା କନ୍ୟାକୁ ବୁଈ ଡକାଗଲା ଏଵଂ ଆଉ କେତେକ ଅଞ୍ଚଳରେ ବୋଉ ଶବ୍ଦଟି ମାତାଙ୍କ ପ୍ରତି ପ୍ରୟୋଗ ହେଵାକୁ ଲାଗିଲା । 

ପଵର୍ଗର 'ମ' ଓ 'ବ' ଏହି ଦୁଇଟି ଵର୍ଣ୍ଣରେ ଓଡ଼ିଆ ଭାଷାରେ ଅନେକ ସମ୍ବୋଧନଵାଚକ ଶବ୍ଦ ରହିଛି  କିନ୍ତୁ ଅନ୍ୟ ଵର୍ଣ୍ଣରେ ସେତେ ସମ୍ବୋଧନଵାଚକ ଶବ୍ଦ ଦୃଶ୍ୟ ହୁଏନାହିଁ । 

ଓଡ଼ିଆ ଭାଷାରେ ଵ୍ୟଵହୃତ ବୋଉ ଶବ୍ଦଟି ଅଯଥା ଵିଵାଦିତ ହୋଇଗଲା । କିଛିଲୋକ ଆପଣା ଆଞ୍ଚଳିକଵାଦୀ ଚିନ୍ତାଧାରାକୁ ଲୋକଲୋଚନକୁ ଆଣିଵାର ହୀନ ପ୍ରଚେଷ୍ଟାରେ ବୋଉ ଶବ୍ଦଟିକୁ 
ଅଯଥା ଵିଵାଦୀୟ କରିଦେଲେ । ସେମାନଙ୍କ ପ୍ରଶ୍ନ ଥିଲା ଏହି ବୋଉ 
ଶବ୍ଦଟି ଉପକୂଳିଆ କେଉଁଠୁ ଆଣିଲେ !!!

ଓଡ଼ିଶାର ବୁଦ୍ଧିଜୀଵୀମାନେ ଏହାର ଉତ୍ତର ଉଣ୍ଡିଵାରେ ଲାଗିପଡି଼ଲେ ।  ତହିଁପରେ ବୋଉ ଶବ୍ଦର  ନାନାଦି ନିରୁକ୍ତିମତ ଵିଭିନ୍ନ ଲୋକେ ଉପସ୍ଥାପନ କରିଅଛନ୍ତି । 

କିଛି ଲୋକଙ୍କ ଅନୁସାରେ ଵଧୂ ଵା ଵୋହୂ ଶବ୍ଦରୁ ବୋଉ ଶବ୍ଦ ସୃଷ୍ଟି ହୋଇଅଛି । ସେମାନଙ୍କ ଅନୁସାରେ ପୂର୍ଵେ କୌଣସି ଵାଳକର ମାଆକୁ ଯେତେବେଳେ ତାହାର ଜେଜେମା ଵୋହୂ ବୋଲି ଡାକିଥିଵ ଉକ୍ତ ଵାଳୁତ ପିଲାଟି  ସେହି ସମ୍ବୋଧନଵାଚକ ଶବ୍ଦର ଅନୁକରଣରେ ବୋଉ ଉଚ୍ଚାରଣ କରି ତା ମାଆକୁ ଡାକିଥିଵ । ଏଇଠାରୁ ବୋଉ ଶବ୍ଦଟି ପ୍ରଚଳିତ ହୋଇଅଛି ।

ତେବେ ଓଡ଼ିଆ ଭାଷାରେ ସିନା ଵୋହୂ ଓ ଵଧୂ ଶବ୍ଦ ବହୁପ୍ରଚଳିତ କିନ୍ତୁ ଅହମିଆ ଭାଷାରେ ତ ଏ ଉଭୟ ଶବ୍ଦ ଏତେ ଲୋକପ୍ରିୟ ନୁହେଁ ସେ ଭାଷାରେ ମାତା ପାଇଁ ପ୍ରଚଳିତ ବୌ ଶବ୍ଦ କୁଆଡୁ଼ ଆସି ପ୍ରଚଳିତ ହେଲା ? 

ସପ୍ତମ ଅଷ୍ଟମ ଶତାବ୍ଦୀ ସମୟରେ  ଓଡ଼ିଶା ସହିତ ଆସାମର ରାଜନୈତିକ ସମ୍ପର୍କ ବଢି଼ଥିଲା ସମ୍ଭଵତଃ ସେ ସମୟରେ ଆସାମରୁ ବୌ ଶବ୍ଦଟି ଆସି ଓଡ଼ିଶାର କିଛି ଅଞ୍ଚଳର କେତେକ ପରିଵାରରେ ପ୍ରଚଳିତ ହୋଇଥିଲା ।

କିଛି ଲୋକଙ୍କ ଅନୁସାରେ ଆଗେ ମାଳୟ ଜାଭା ବୋର୍ଣ୍ଣିଓ ଇଣ୍ଡୋନେସିଆ ଫିଲିପାଇନସ ଆଦି ପୂର୍ଵ ଭାରତୀୟ ଦ୍ଵୀପପୁଞ୍ଜରେ ଓଡ଼ିଶାର ଉପନିଵେଶ ଗଢିଉଠିଥିଲା । ସେଠାକାର ଅନେକ ଭାଷାରେ ବୋଉ ଶବ୍ଦ ସମସାଦୃଶ୍ୟ ଅନେକ ସମ୍ବୋଧନଵାଚକ ଶବ୍ଦ ପ୍ରଚଳିତ । ଯଥା— ଇଣ୍ଡୋନେସିଆରେ ମାଆଙ୍କୁ ଆଜି ବି Ibu ଡକାଯାଇଥାଏ । ଜାଭାଭାଷାରେ ମଧ୍ୟ ଏହି ଇବୁ ଶବ୍ଦ ଚଳୁଅଛି । ମାଳୟ ଭାଷାରେ ସେହିପରି bu ଓ ibu ଏ ଉଭୟ ଶବ୍ଦ ମାତାଙ୍କୁ ସମ୍ବୋଧନ ପାଇଁ ଵ୍ୟଵହାର ହୋଇଥାଏ । ବୋଧହୁଏ ସେ ଅଞ୍ଚଳର ସଂସ୍କୃତିଦ୍ଵାରା ପ୍ରଭାଵିତ ହୋଇ ଓଡ଼ିଆ ଭାଷାରେ ବୋଉ ଶବ୍ଦଟି ଉପକୂଳର କେତେକ ଅଞ୍ଚଳରେ ଚଳିଅଛି । 

ଆଉ କେତେକ ଲୋକ କୁହନ୍ତି ସଂସ୍କୃତ ବନ୍ଧୁ ଶବ୍ଦର ଏକ ଅର୍ଥ ମାତା ଏଵଂ ଏହି ଶବ୍ଦରୁ ବୋଉ ଶବ୍ଦଟି ସୃଷ୍ଟି ହୋଇଅଛି । କିନ୍ତୁ ଏହି ମତ ପ୍ରଦାତାମାନେ ବନ୍ଧୁ ଶବ୍ଦ କେମିତି କିପରି ବୋଉ ଶବ୍ଦରେ ପରିଣତ ହେଲା ତାହାର ନିରୁକ୍ତି ଇତିହାସ ପ୍ରଦାନ କରିଵାରେ ଅସମର୍ଥ ହୁଅନ୍ତି । 

ଏତଦଵ୍ୟତୀତ ଓଡ଼ିଶାର  ବୁଦ୍ଧିଜୀଵୀଙ୍କ ମଧ୍ୟରେ ଏକ  ଵର୍ଗ ବୋଉ ଶବ୍ଦର ଅନ୍ୟ ଏକ ନିରୁକ୍ତି ମତ ପ୍ରଦାନ କରନ୍ତି । ସେମାନଙ୍କ ଅନୁସାରେ ବୋଉ ଶବ୍ଦଟି ଏକ ଆଷ୍ଟ୍ରୋଏସୀୟ ଶବ୍ଦ ‘ବୁ’ ର ଆଧୁନିକ ରୂପ ଏଵଂ  ଆଷ୍ଟ୍ରୋଏସୀୟ ଭାଷାପରିଵାରର ଵିଭିନ୍ନ ଭାଷାରେ ମାତୃଜାତି ସମ୍ବନ୍ଧୀୟ ସମ୍ପର୍କଵାଚକ ଶବ୍ଦଗୁଡ଼ିକ ମଧ୍ୟରେ ଅନେକ ଵର୍ଗ ବ ଵର୍ଣ୍ଣ ଯୁକ୍ତ ହୋଇଥାଏ । ଇଣ୍ଡୋନେସିଆରେ ଭାରତରୁ ଯାଇ ଆଷ୍ଟ୍ରିକ ଜାତୀୟ ଲୋକେ ଵସଵାସ କଲାରୁ ସେଠାରେ ସେମାନଙ୍କ ଭାଷାରେ ଚଳୁଥିଵା ବୁ ଵା ବୋ ଶବ୍ଦଟି ଇବୁ ଓ ବୁ ରେ ପରିଣତ ହୋଇଛି ଏଵଂ ଏଯାଵତ୍ ପ୍ରଚଳିତ ଅଛି । 

କିନ୍ତୁ ଆଧୁନିକକାଳର ଭାଷାଵିଦ୍ ମତ ଦିଅନ୍ତି ଯେ ନନା,ଦଦା,ଦାଦୀ,ମାଆ,ବୋଉ,ବୁଆ ଆଦି ଯେତେ ଯେତେ 
ସମ୍ବୋଧନାର୍ଥକ ପାରିଵାରିକ ସମ୍ପର୍କ ସମ୍ବନ୍ଧୀୟ ଶବ୍ଦ ରହିଛି ସେ ସବୁର ସୃଷ୍ଟି child babblingରୁ ହୋଇଅଛି । 

 ଶିଶୁମାନଙ୍କ ଦ୍ଵାରା ସୃଷ୍ଟି ହେଉଥିଵା ଧ୍ଵନିକୁ child babbling କୁହାଯାଏ । ଶିଶୁମାନେ ସୃଷ୍ଟି କରୁଥିଵା ଵ୍ଯଞ୍ଜନ ଧ୍ଵନିଗୁଡି଼କ ନିମ୍ନଲିଖିତ ମଧ୍ୟରୁ ଯେକୌଣସିଟି ହୋଇପାରେ
ଯଥା ―
■p(ପପ୍/ପାପା,ପିତା,ପା),
■b(ବୋଉ/ବାବା/ବା/ବାପା/ବୁଇ/ବୁଆ/ବାଈ/ବେଈ/ବେବେ/ବାବ୍ୱେ/ବବା/ବନ୍ଧୁ-ସଂସ୍କୃତ/ବିଜୀ; ହିନ୍ଦୀ/ବା; ଗୁଜରାଟୀ/)
■t(ତାତ/ତାଉ)
■d(ଦଦା/ଦାଦା/ଦାଦୀ/ଦିଦି/ଦେଈ/ଦେଠେଇ/ଦଦେଇ)
■k(କାକା/କକା/କାକୀ/କକେଇ)
■g( ଜେଜେ,ଜେଜି/ଜେଈ/ଜେପା/ଜେଜ)
■m(ମାଆ/ମାତା/ମାଇଁ/ମମା/ମାମା/ମାମୁଁ)
■n(ନନା/ନାନା/ନାନୀ)
■s( ?)
■h (ହା ହା ―ଜାପାନୀ; ମାଆ)
■w ( ?)
■j (ଯା= ମାତା(ସଂ))

 ପୁଣି ଫୋନୋଲୋଜିକାଲ୍ ବିକାଶ ସମୟରେ ନିମ୍ନଲିଖିତ ଧ୍ୱନିଗୁଡ଼ିକ ମଧ୍ୟ ପିଲାଏ ଵେଳେ ଵେଳେ ଉତ୍ପନ୍ନ କରିଥାଆନ୍ତି 
ଯଥା―

■/ f(ଫୁପା/ଫୁଫୀ-ହିନ୍ଦୀ) v, θ, ð, ʃ, tʃ, dʒ, l, r, ŋ / ■

ଅଦ୍ୟପି ଭାରତୀୟ ଭାଷାଗୁଡି଼କରେ ଦ୍ଵିତୀୟ ଶ୍ରେଣୀର ଵ୍ଯଞ୍ଜନ ଧ୍ଵନି ଆଧାରିତ ସମ୍ଵୋଧନଵାଚକ ଶବ୍ଦ କ୍ଵଚିତ ଦେଖିଵାକୁ ମିଳିଥାଏ ।
ତେଣୁ ସଂକ୍ଷେପରେ କହିଲେ ମାଆ,ବୋଉ,ନନା ଓ ଦଦା ଇତ୍ୟାଦି ଶବ୍ଦଗୁଡି଼କର ଆଦ୍ଯ ମୂଳ ଦ୍ରାଵିଡ଼,ଆଷ୍ଟ୍ରୋଏସୀୟ କି ସଂସ୍କୃତ ନୁହେଁ ଵରଂ child babbling ଅଟେ । ଅଵଶ୍ୟ ଏହା ସତ୍ୟ ଯେ ଵିଶ୍ଵରେ ପିଲାଏ ପ୍ରଥମେ ସ୍ଵରଵର୍ଣ୍ଣ ଓ ତତ୍ପରେ ପ ଵର୍ଗର ପ,ଭ,ମ ଓ ବ ଇତ୍ୟାଦି ଧ୍ଵନି ସହଜରେ ଉଚ୍ଚାରଣ କରିପାରନ୍ତି । ପିଲାଟିଏ ଜନ୍ମ ପରର ପ୍ରାରମ୍ଭିକ ମାସଗୁଡି଼କରେ ଯେଉଁ ଶିଶୁସୁଲଭ ଶବ୍ଦ ସୃଷ୍ଟି କରିଥାଏ ତନ୍ମଧ୍ୟରେ ସ୍ଵରଵର୍ଣ୍ଣ ପ୍ରଥମେ ଓ ପରେ ପଵର୍ଗର ମ ଓ ବ ଵର୍ଣ୍ଣ ହୋଇଥାଏ । 

ଭାରୋପୀୟ ଭାଷାପରିଵାରଟି ବଡ଼ ହୋଇଥିଵାରୁ ତଥା ଇଂରାଜୀ, ସଂସ୍କୃତ,ଲାଟିନ୍ ଇତ୍ୟାଦି କିଛି ଭାଷା ପୃଥିଵୀରେ ଵିଭିନ୍ନ ସମୟରେ ଅନ୍ୟାନ୍ୟ ଭାଷାପରିଵାର ଉପରେ ଆପଣା ପ୍ରଭାଵ ପକାଇଥିଵାରୁ ଏଵଂ ମ ଵର୍ଣ୍ଣ ପିଲାଏ ସହଜରେ ଉଚ୍ଚାରଣ କରିପାରୁଥିଵାରୁ ମ ଆଦ୍ଯର ମାତା ସମ୍ବୋଧନ ଵାଚକ ପ୍ରତିଶବ୍ଦ ଵିଶ୍ଵର ଅନେକ ଭାଷାରେ ଦୃଶ୍ୟ ହୋଇଥାଏ । ମାତ୍ର ଏହା ଏକ ଭ୍ରମ ଧାରଣା ଯେ ପୃଥିଵୀରେ ପ୍ରଚଳିତ ଅନ୍ୟାନ୍ୟ ଭାଷାଗୁଡି଼କରେ ମାଆଙ୍କୁ କେଵଳ ମ ଆଦ୍ୟ ଵର୍ଣ୍ଣର ସମ୍ବନ୍ଧଵାଚକ ଶବ୍ଦ ଦ୍ଵାରା ସମ୍ବୋଧନ କରାଯାଏ । ନିମ୍ନରେ ଵିଶ୍ଵରେ କେତେକ ଭାଷାରେ ମାଆଙ୍କୁ କ'ଣ ଡକାଯାଏ ତାହା ଉଲ୍ଲେଖ କରାଯାଉଛି ।

ଆରବୀରେ ମାଆଙ୍କୁ “Ahm” କୁହାଯାଏ Finnish ଭାଷାରେ  “Aiti”,äiskä ଓ äippä ଶବ୍ଦଗୁଡ଼ିକର ଅର୍ଥ ମାତା ଅଟଇ । 
Hungarian ଭାଷାରେ ମାଆଙ୍କୁ “Anya” କୁହାଯାଏ ପୁଣି ଏଠାକାର ଲୋକ ମାଆଙ୍କୁ  “Fu” ବି ସମ୍ବୋଧନ୍ତି । Turkish ଲୋକେ ତାଙ୍କର ମାତାଙ୍କୁ ସମ୍ବୋଧନ ହେତୁ  “Anne,” “Ana”  “Valide” ଆଦି ଶବ୍ଦ ଵ୍ଯଵହାର କରନ୍ତି । ସେହିପରି Azeriରେ Ana,Lao ଭାଷାରେ ແມ່(aem),Frisian ଭାଷାରେ Ã ଓ iti ଇତ୍ୟାଦି ଶବ୍ଦ ଵ୍ୟଵହାର ପୂର୍ବକ ମାତାଙ୍କୁ ସମ୍ବୋଧନ କରାଯାଏ । 

koreanରେ ମାଆଙ୍କୁ 어머니(eomeoni),Mangolianରେ ээж(eej),Yorubaରେ iya,Cebuanoରେ inahan,
Ilongo ଭାଷାରେ Iloy; Nanay ଓ Nay,Japanese: “Okaasan”, “Haha” ଓ abo ଶବ୍ଦ ଵ୍ଯଵହାର ହୁଏ । 
Hausa ଭାଷାରେ ମାଆଙ୍କୁ uwar ଡକାଯାଇଥାଏ । 
ଆଫ୍ରିକାର Zulu ଭାଷୀ ତାଙ୍କ ମାଆଙ୍କୁ unina ଡାକିଥାଆନ୍ତି । 
Tao ଭାଷାରେ କ ଵର୍ଣ୍ଣ ଆଦ୍ୟର ká,ká’ȕ,łá’ȕ ଆଦି ଶବ୍ଦ ମାଆଙ୍କୁ ସମ୍ବୋଧନାର୍ଥ ପ୍ରୟୋଗ କରାଯାଏ । Ossetianରେ ମାଆଙ୍କୁ гыцци(gycci) ଡାକନ୍ତି । ଏ ଭାଷାରେ ମାଆଙ୍କୁ 
 нана(nana) ଓ мамӕ(mamæ) ଶବ୍ଦର ମଧ୍ୟ ଡକାଯାଏ । Samoan ଭାଷାରେ ମାଆଙ୍କୁ “Tina” ଓ Aymara ଭାଷାରେ Taica ସମ୍ବୋଧନ କରାଯାଏ । Caló ଭାଷାରେ ମାଆଙ୍କୁ Bata ଓ Dai ଡାକନ୍ତି ।  ଭାରତରେ ମଧ୍ୟ ଆୟାଙ୍କୁ ଦାଈମା ଡକାଯାଇଥାଏ । ସେହିପରି Georgian ଭାଷାରେ დედა(Deda),დედიკო(dediḳo) ଶବ୍ଦ ମାଆର ମୁଖ୍ୟ ପ୍ରତିଶବ୍ଦ ଅଟଇ । ପୃଥିଵୀର ଅନେକ ଭାଷାରେ ନ ଆଦ୍ୟର ଅନେକ ମାତା ସମ୍ବନ୍ଧିତ ସମ୍ବୋଧନଵାଚକ ଶବ୍ଦ ଚଳୁଅଛି ।  ଯଥା Albanianରେ “Nene” ,Galician ରେ nai,Hmongରେ niam,Chechenରେ Nana ଓ ପାର୍ସୀରେ Nane (   ننه   ) ଇତ୍ୟାଦି ଇତ୍ୟାଦି । ପୁଣି Hungerian ଭାଷାରେ ମାଆଙ୍କୁ fu
ଡକାଯାଇଥାଏ । ପୃଥିଵୀର ଅନେକ ଭାଷାରେ ପୁଂଵାଚକ ସମ୍ବୋଧନାର୍ଥକ ଶବ୍ଦ ରୂପେ ବାବା ଶବ୍ଦ ପ୍ରଚଳିତ କିନ୍ତୁ avar: ଭାଷାରେ ମାଆଙ୍କୁ баба (baba) ଡକାଯାଇଥାଏ । ଏ ଭାଷାରେ ମାଆଙ୍କୁ эбел(èbel) ମଧ୍ୟ ଡାକିଥାଆନ୍ତି । Malagasyରେ ମାଆଙ୍କୁ reny ସମ୍ବୋଧନ କରାଯାଏ ସେହିପରି Lunfardo ଭାଷାରେ Vieja ଡକାଯାଏ ସଂସ୍କୃତ ଭାଷାରେ ମଧ୍ୟ ମାତା ଶବ୍ଦର ଅଵର୍ଗ୍ୟ ଵ ଵର୍ଣ୍ଣ ଆଦ୍ୟର ଅନେକ ପ୍ରତିଶବ୍ଦ ପ୍ରଚଳିତ । ଏହିପରି ପୃଥିଵୀରେ ଅନେକ ଭାଷା ରହିଛି ଯହିଁରେ ମାଆଙ୍କୁ ସମ୍ବୋଧନ କରିଵା ପାଇଁ ମ ଵର୍ଣ୍ଣ ଛଡ଼ା ଅନ୍ୟ ଵର୍ଣ୍ଣ ଆଦ୍ୟର ପ୍ରତିଶବ୍ଦ ପ୍ରଚଳିତ। 
ସେମାନେ ତାଙ୍କ ମାଆଙ୍କୁ ଏ ସବୁ ଶବ୍ଦ ପ୍ରୟୋଗ କରି ଡାକିଦେଇ ଛୋଟ ଵିଵେଚିତ ହେବେ କି ?

ସଂସ୍କୃତ ଭାଷା ଵିଶ୍ଵର ଶ୍ରେଷ୍ଠତମ ଵୈଜ୍ଞାନିକ ଭାଷା । ଏ ଭାଷା ମଧ୍ୟ ମାତୃ କିଂଵା ମାତା ଶବ୍ଦ ମଧ୍ୟରେ ସୀମିତ ରହିଯାଇନାହିଁ ଵରଂ ସଂସ୍କୃତଭାଷାରେ ଵିଭିନ୍ନ ଵର୍ଣ୍ଣ ଆଦ୍ୟର ମାତା ଶବ୍ଦର ଅନେକ ପ୍ରତିଶବ୍ଦ ରହିଛି ।  ଅମ୍ବାଳୀ,ଅଜ୍ଜୂ,ଅରଣୀ,ଅମ୍ବା
,ଅମ୍ବାଳିକା,ଅମ୍ବାଦା,ଅମ୍ବିକା,ଅବ୍ବା,ଅମ୍ବି,ଅମ୍ବାଳା,ଅକ୍କା,ଅତ୍ତା
,ଅମ୍ବୟା,ଅଲ୍ଲା,ଅନସ୍ ,ଅର୍ଣ୍ଣୋଦ,କରଵୀରୀ,ଗୁର୍ଵୀ,ଗୋ,ଜନ୍ମପ୍ରତିଷ୍ଠା
,ଜନୀ,ଜନନୀ,ଜାତୃ,ଜାନୀ,ଜନିକା,ଜ୍ଯା,ଜନିତ୍ରୀ,ଜନ୍ମଦାତ୍ରୀ,
,ଜନିତ୍ଵା,ଜା,ଜନ୍ଯା,ଧାତ୍ରୀ,ନନା,ପ୍ରଂସଵିନୀ,ପ୍ରସଵିତ୍ରୀ,ପ୍ରସୂ
,ପ୍ରକୃତି,ପିଣ୍ଡଦା,ପ୍ରଜନିକା,ପ୍ରସଵସ୍ଥଳି,ବନ୍ଧୁ,ମାତୃ,ମାତୃକା,ଵିଜାତା
,ଵରାରଣି,ଵାଶ୍ର,ଶୁଶ୍ରୂ,ଶିଫ,ଶିଫା ,ସଵିତ୍ରୀ,ସୃତ୍ଵରୀ,ସୂ
ଓ ସଷଣା ଇତ୍ୟାଦି ଶତାଧିକ ଭାରତୀୟ ଶବ୍ଦ ସହସ୍ରାଧିକ ଵର୍ଷ ଧରି ଭାରତଵର୍ଷର ମାନକ ଶାସ୍ତ୍ରୀୟ ଭାଷା ସଂସ୍କୃତର ସାହିତ୍ୟରେ ପ୍ରୟୋଗ ହୋଇ ଆସିଛି । 

ସ୍ପଷ୍ଟ ହୁଏ ଯେ ଆମ ଭାରତୀୟ ପୂର୍ଵଜମାନେ କେବେ ବି କେଵଳ ମାତା ଶବ୍ଦ ଶ୍ରେଷ୍ଠ ବୋଲି ଵିଚାର କରି ବସିଯାଇନଥିଲେ କିଂଵା କେହି ସଂସ୍କୃତ ଭାଷାରେ ମାତା ଅର୍ଥରେ ଜନନୀ,ଧାତ୍ରୀ,ନନା,ଅମ୍ବା,ପ୍ରକୃତି କିଂଵା ଶିଫା ଇତ୍ୟାଦି ଶବ୍ଦ ଵ୍ୟଵହାର କଲେ ତାକୁ ହୀନ ନୀଚ କହି ତାତ୍ସଲ୍ୟ କରିନାହାନ୍ତି । 

ତାହେଲେ ଆମ୍ଭେମାନେ ତାଙ୍କରି ଵର୍ତ୍ତମାନ ଵଂଶଜ ହୋଇ ବି ବେବ୍ୱେ ,ବୋଉ,ବୌ,ବାଈ,ବେଈ ଭଳି ମାତୃଵାଚକ ଶବ୍ଦକୁ ଆଧାରକରି ପରସ୍ପରକୁ ଅପମାନିତ କରିଵା କେତେଦୂର ସମୀଚିନ ଓ ଯୁକ୍ତିସଙ୍ଗତ ଅଟଇ ?

Wednesday, June 2, 2021

● ମାରୁଛ ଆମକୁ ତୁମେ ନକ୍ସଲ ସଜାଇ ●

(ମାରୁଛ ଆମକୁ ତୁମେ ନକ୍ସଲ ସଜାଇ)

"ଏଇ ବନ ଉପବନ ପାହାଡ଼ି ଝରଣା
ଆମ ପାଇଁ ସୁଖ-ଦୁଃଖ, ଶାନ୍ତିର ବେଦନା
ତରୁଲତା ନିର୍ଜନ ଅରଣ୍ୟ ଆମ ପାଇଁ ହାସ୍ୟ-କ୍ରନ୍ଦନର ସ୍ୱର
ପର୍ବତ ମାଳାର ଗ୍ରନ୍ଥାଘରେ ଅମୂଲ୍ୟ ପଦାର୍ଥ 
ଆମର ହୋଇବି ଆମେ କରୁନାହୁଁ ଲାଭ।

                      ପୁଞ୍ଜିବାଦୀ ସରକାର ବାଣିଜ୍ୟଙ୍କ ସାଥେ
                      ଶୋଷଣ କରନ୍ତି ବସି ସାଶକଙ୍କ ହିତେ
                      ଏଇ ଜଙ୍ଗଲ ଏଇ ମାଟି ଏଇ ଖଣି, ପାଣି
                      ଲୁଟି ଲୁଟି ସାରିଦେଲ ଶୋଷକ କାରିଣୀ
                     ସର୍ବହରା କରିଦେଲ ପୁଞ୍ଜିବାଦୀ ଗୋଷ୍ଠୀ  ॥

ସାଶନ କରୁଛ ତୁମେ ଆମ ସରଳତାକୁ ନେଇ
ଆମ ସରଳତାକୁ ତୁମେ ସୁଯୋଗ ଭାବ ନାହିଁ
ଆମ ସ୍ୱପ୍ନ ନୁହଁ ବଡ଼ ଅଟାଳିକା ଘର ଦ୍ୱାର
ଆମ ସ୍ୱପ୍ନ ସୁଖ ଶାନ୍ତି ପ୍ରେମର ଭଣ୍ଡାର
ତା'କୁ ତୁମେ ସବୁବେଳେ ନେଉଛ ଛଡ଼ାଇ

                     ତଥାପି ଆମେ ସହୁଛୁ ମୁଣ୍ଡପାତି ରହି
                     ସେତିକିରେ ଶାନ୍ତି ନୁହଁ ତୁମ ମନ ଭାବ
                     ଲୁଟୁଛ, ସୋଶୁଛ ଆମ ଶରୀରରୁ ରକ୍ତ
                    କରୁଛ ଆମକୁ ତମ ଶତ୍ରୁରୁର ଭେଷ
                    ପୁଣି ଦମନ କରୁଛ ତୁମ ରଖି ସ୍ୱାର୍ଥ ଆଗ ॥

ମୁହେଁ ସ୍ୱରାଜ ମନେ ସ୍ୱାର୍ଥ ମାନ ରଖି
ନକ୍ସଲ ସଜାଇ କେବେ ଦେଶ ଦ୍ରୋହୀ କହି 
ମାରୁଛ ଆମକୁ ଆମ ଭିତରେ ଲଢ଼େଇ
ସଜାଇ କେବେ ନକ୍ସଲ ପୁଣି ଦେଶ ଦ୍ରୋହୀ କହି
ମାରୁଛ ଆମକୁ ତୁମ ନିଜ ସ୍ୱାର୍ଥ ପାଇଁ  ॥

ସୁଶୀଲ୍ କୁମାର ଭୋଇ ,ଭୁବନେଶ୍ୱର-୨।
୬୩୭୧୭୭୭୮୭୬

ଚାମଚ଼ା

#ଚାମଚ଼ା ଅଷ୍ଟାଦଶ ଶତାବ୍ଦୀର ମଧ୍ୟଭାଗରେ ବଙ୍ଗଳାର ସମୃଦ୍ଧ ସିଂହାସନ ଉପରେ ଯେତେବେଳେ ଯୁବ ନବାବ ସିରାଜ-ଉଦ୍-ଦୌଲା ଅଧିଷ୍ଠିତ ଥିଲେ, ସେତେବ...