Sunday, July 7, 2024

■ ପୁରାଣରେ ଶ୍ରୀକ୍ଷେତ୍ର ■


ପୁରାଣରେ ଶ୍ରୀକ୍ଷେତ୍ର 
   ଲେଖକ : ମହୀ ମୋହନ ତ୍ରିପାଠୀ 

କେଉଁ ନିର୍ଦ୍ଦିଷ୍ଟ କାଳରୁ ଏହି କ୍ଷେତ୍ର ପ୍ରାଧାନ୍ୟ ଲାଭ କରିଛି କିମ୍ବା ପ୍ରଥମେ କେବେ ଶ୍ରୀଜଗନ୍ନାଥଙ୍କ ମନ୍ଦିର ନିର୍ମାଣ କରାଗଲା, ତାହାର ନିର୍ଦ୍ଦିଷ୍ଟ ଓ ସର୍ବଗ୍ରାହ୍ୟ ତଥ୍ୟ ଏଯାବତ୍ ଉପଲବ୍‌ଧ ହୋଇ ନାହିଁ। ପ୍ରାଚୀନ ଧର୍ମଗ୍ରନ୍ଥ ଓ ପୁରାଣମାନଙ୍କରେ ପୁରୁଷୋତ୍ତମ ଧାମ ବା ପୁରୁଷୋତ୍ତମ ଜଗନ୍ନାଥଙ୍କ ସଂପର୍କରେ ରହିଥିବା ବର୍ଣ୍ଣନା ବା ସୂଚନାକୁ ଭିତ୍ତିକରି କୁହାଯାଇ ପାରିବ ଯେ, ଏହି ପବିତ୍ର କ୍ଷେତ୍ର ଓ ତା'ର ଅଧିଷ୍ଠାତା ଦେବତା ଅତି ପ୍ରାଚୀନ । କେତେକ ପୁରାଣର ନିର୍ଦ୍ଦିଷ୍ଟ ରଚନାକାଳ ନିରୂପଣ ଅବଶ୍ୟ କଷ୍ଟସାଧ୍ୟ ବ୍ୟାପାର । ଅଧିକାଂଶ ପୁରାଣରେ ପ୍ରକ୍ଷେପାଂଶ ରହିଅଛି । ପ୍ରକ୍ଷେପାଂଶ ସାଧାରଣତଃ ଅର୍ବାଚୀନ । ନିମ୍ନରେ କେତେକ ପ୍ରସିଦ୍ଧ ପୁରାଣର ଆନୁମାନିକ ରଚନା ଅବଧି ଦର୍ଶାଗଲା ।

ଅଗ୍ନି ପୁରାଣ(ଖ୍ରୀଷ୍ଟାବ୍ଦ ୭୦୦-୯୦୦)
ବ୍ରହ୍ମ ପୁରାଣ(ଖ୍ରୀଷ୍ଟାବ୍ଦ ୯୦୦-୧୫୦୦)
ପଦ୍ମ ପୁରାଣ(ଉତ୍ତର ଖଣ୍ଡ)(ଖ୍ରୀଷ୍ଟାବ୍ଦ ୬୦୦-୭୦୦)
(ମତାନ୍ତରେ ୯୫୦-୧୪୦୦)
ନାରଦୀୟ ପୁରାଣ(ଖ୍ରୀଷ୍ଟାବ୍ଦ ୬୦୦-୭୦୦)
ମତ୍ସ୍ୟ ପୁରାଣ(ଖ୍ରୀଷ୍ଟାବ୍ଦ ୨୦୦-୪୦୦)
(ମତାନ୍ତରେ ୪୦୦-୧୨୫୦)
ସ୍କନ୍ଦ ପୁରାଣ(ବୈଷ୍ଣବ ଖଣ୍ଡ)(ଖ୍ରୀଷ୍ଟାବ୍ଦ ୮୦୦-୯୦୦)
(ମତାନ୍ତରେ ୮୦୦-୧୩୦୦)
କପିଳ ପୁରାଣ/ କପିଳ ସଂହିତା(ଖ୍ରୀଷ୍ଟାବ୍ଦ ୧୩୦୦)
ବ୍ରହ୍ମାଣ୍ଡ ପୁରାଣ(ଖ୍ରୀଷ୍ଟାବ୍ଦ ୫୦୦-୬୦୦)

ଉଲ୍ଲଖିତ ସଂସ୍କୃତ ପୁରାଣ ବ୍ୟତୀତ ଆଉ କେତୋଟି ସଂସ୍କୃତ ଧର୍ମଶାସ୍ତ୍ର, ଯଥା-ତନ୍ତ୍ର ଯାମଳ,ରୁଦ୍ର ଯାମଳ, କାଳିକା ପୁରାଣ, ବାମଦେବ ସଂହିତା, ନୀଳାଦ୍ରି ମହୋଦୟ, ମହାପୁରୁଷ ବିଦ୍ୟା ଇତ୍ୟାଦିରେ ଏହି କ୍ଷେତ୍ର ଓ ଦେବଦେବୀଙ୍କ ସଂପର୍କରେ ବର୍ଣ୍ଣନା ଅଛି।

ବ୍ରହ୍ମପୁରାଣର ଆରମ୍ଭରୁ ୬୯ଟି ଅଧ୍ୟାୟ ଯାଏ ପୁରୁଷୋତ୍ତମ କ୍ଷେତ୍ର ଓ ଅନ୍ୟାନ୍ୟ କ୍ଷେତ୍ରର ବର୍ଣ୍ଣନା ଅଛି। କୋଣାର୍କର ମଧ୍ୟ ଉଲ୍ଲେଖ ଅଛି । ଏଥିରେ 'ଗୁଣ୍ଡିଚା' ଶବ୍ଦର ମଧ୍ୟ ପ୍ରୟୋଗ ହୋଇଛି । ଏହି ପୁରାଣ ତ୍ରୟୋଦଶ ଶତାବ୍ଦୀ ପରେ ରଚିତ ବୋଲି କେହି କେହି ମତବ୍ୟକ୍ତ କରିଛନ୍ତି । ପଦ୍ମପୁରାଣର 'ଉତ୍ତର ଖଣ୍ଡ'ରେ ନାନା ତୀର୍ଥସ୍ଥାନର ବର୍ଣ୍ଣନା ସହିତ ପୁରୁଷୋତ୍ତମ କ୍ଷେତ୍ର ବିଷୟରେ ବର୍ଣ୍ଣନା ହୋଇଛି । ଏହାର 'ପାତାଳ ଖଣ୍ଡ'ରେ ମଧ୍ୟ ପ୍ରଭୁ ଜଗନ୍ନାଥଙ୍କ କଥା ଅଛି । ନାରଦୀୟ ପୁରାଣରେ ପୁରୁଷୋତ୍ତମ କ୍ଷେତ୍ର ମାହାତ୍ମ୍ୟ ସ୍ଥାନ ପାଇଛି । ମାତ୍ର ସ୍କନ୍ଦ ପୁରାଣର

ପୁରୁଷୋତ୍ତମ କ୍ଷେତ୍ର ମାହାତ୍ମ୍ୟଠାରୁ ବିଷୟ ସଂଯୋଜନା ଦୃଷ୍ଟିରୁ ଏହା ଅସ୍ପଷ୍ଟ ଓ ପ୍ରାଚୀନ ମନେହୁଏ ବୋଲି ପ୍ରଖ୍ୟାତ ଗବେଷକ ତଥା ସଂସ୍କୃତ ପ୍ରଫେସର ଗୋପୀନାଥ ମହାପାତ୍ର ମତ ଦେଇଛନ୍ତି । ମତ୍ସ୍ୟପୁରାଣରେ ବିଭିନ୍ନ ତୀର୍ଥ ବର୍ଣ୍ଣନାରେ ପୁରୀର ମାହାତ୍ମ୍ୟ ଅଛି । ଏଥିରେ ଲେଖାଅଛି- "ଗଙ୍ଗାୟାଂ ମଙ୍ଗଳା ନାମ ବିମଳା ପୁରୁଷୋତ୍ତମେ ।" ସ୍କନ୍ଦ ପୁରାଣ ଅଷ୍ଟାଦଶ ପୁରାଣ ମଧ୍ୟରେ ବୃହତ୍ତମ । ଏହି ପୁରାଣ ଅନ୍ତର୍ଗତ ବିଷ୍ଣୁଖଣ୍ଡ ବା ବୈଷ୍ଣବ ଖଣ୍ଡରେ 'ଶ୍ରୀପୁରୁଷୋତ୍ତମ ମାହାତ୍ମ୍ୟ' ସ୍ଥାନ ପାଇଛି । ପ୍ରଫେସର ଗୋପୀନାଥ ମହାପାତ୍ରଙ୍କ ମତରେ ବୈଷ୍ଣବ ଖଣ୍ଡର ରଚନାକାଳ ୮ମ ଓ ୯ମ ଶତକ । ଆଚାର୍ଯ୍ୟ ବଳଦେବ ଉପାଧ୍ୟାୟ କହିଛନ୍ତି ଯେ, ସମୁଦାୟ ସ୍କନ୍ଦ ପୁରାଣ ଖ୍ରୀଷ୍ଟୀୟ ସପ୍ତମ ଶତକଠାରୁ ନବମ ଶତକ ମଧ୍ୟରେ ଲେଖାଯାଇଛି । ଅନ୍ତତଃ ତୃତୀୟ ଶତକ ବେଳକୁ ସ୍କନ୍ଦ ପୁରାଣର ସ୍ୱରୂପ ଥିଲା, ଯଦିଓ ଦଶମ ଓ ଏକାଦଶ ଶତକ ଯାଏଁ ବିଭିନ୍ନ ଖଣ୍ଡ ଲେଖାଯାଇ ଏହି ପୁରାଣର ଅନ୍ତର୍ଗତ କରାଯାଇଥିଲା । ସ୍କନ୍ଦ ପୁରାଣର ଅନେକ ଅଂଶ ସପ୍ତମ ଶତକର ଲେଖା । ବ୍ରହ୍ମାଣ୍ଡ ପୁରାଣରେ ଗଂଜାମର ମହେନ୍ଦ୍ର ପର୍ବତର ଉଲ୍ଲେଖ ଅଛି । ପରବର୍ତ୍ତୀ କାଳରେ ଏଥିରେ ଅନେକ ଅଂଶ ଲେଖାଯାଇ ଅନ୍ତର୍ଭୁକ୍ତ କରାଯାଇଛି । ବାଲ୍ମୀକି ରାମାୟଣରେ ଏହି କ୍ଷେତ୍ର ସଂପର୍କରେ ଉଲ୍ଲେଖ ନାହିଁ । କିନ୍ତୁ ଏହାର 'ଉତ୍ତରାକାଣ୍ଡ'ରେ ପ୍ରଭୁ ଶ୍ରୀରାମ ଶ୍ରୀଜଗନ୍ନାଥଙ୍କୁ ଉପାସନା କରିବାକୁ ବିଭୀଷଣକୁ ଉପଦେଶ ଦେଇଛନ୍ତି ।

"କିଂ ଚାନ୍ୟବକ୍ତୁ ମିଚ୍ଛାମି ରାକ୍ଷସେନ୍ଦ୍ର ମହାବଳ
ଆରାଧୟ ଜଗନ୍ନାଥମିକ୍ଷାକୁ କୁଳଦୈବତମ୍‍ ।"

ଏଥିରେ ନିଜ ବଂଶ (ଇକ୍ଷ୍ୱାକୁ)ର କୁଳ ଦେବତା ଜଗନ୍ନାଥଙ୍କୁ ପୂଜା କରିବାକୁ ଶ୍ରୀରାମଚନ୍ଦ୍ର କହିଛନ୍ତି । ତେବେ 'ଉତ୍ତରାକାଣ୍ଡ' ବାଲ୍ମୀକିଙ୍କ ରଚନା ନୁହେଁ ବୋଲି ଜଣାଯାଏ ।

ବ୍ୟାସଦେବଙ୍କ ମହାଭାରତରେ ସର୍ବପାପ ବିନାଶିନୀ ବୈତରଣୀ ନଦୀ ଓ ବିରଜା କ୍ଷେତ୍ରର ବର୍ଣ୍ଣନା ରହିଥିବା ବେଳେ ଶ୍ରୀକ୍ଷେତ୍ର ସଂପର୍କରେ କୌଣସି ଉଲ୍ଲେଖ ନାହିଁ । କିନ୍ତୁ ବୈତରଣୀ ନଦୀ ଓ ମହେନ୍ଦ୍ର ପର୍ବତ ମଧ୍ୟରେ ଏକ ଦିବ୍ୟ ଅରଣ୍ୟରେ ବିଶ୍ୱକର୍ମା ଯଜ୍ଞ କରିଥିବା ଏବଂ ଏକ ପବିତ୍ର ବେଦୀ ରହିଥିବା ଉଲ୍ଲେଖ ଅଛି । ବନବାସ ସମୟରେ ପାଣ୍ଡବମାନେ ଏହି ଅଞ୍ଚଳ ଦେଇ ମହେନ୍ଦ୍ରଗିରିକୁ ଯାଇଥିଲେ । ଯିବାବେଳେ ଜ୍ୟେଷ୍ଠ ପାଣ୍ଡବ ଯୁଧିଷ୍ଠିର ସମୁଦ୍ରରେ ସ୍ନାନ କରି ଉକ୍ତ ବେଦୀ ଆରୋହଣ କରିଥିଲେ । ମନେହୁଏ, ଏହି ପବିତ୍ର ଯଜ୍ଞସ୍ଥଳ ଓ ବେଦୀ ଥିବା ଅଞ୍ଚଳ ଏବର ଶ୍ରୀକ୍ଷେତ୍ର । କଳିଙ୍ଗ ତଥା ଶ୍ରୀକ୍ଷେତ୍ର (ନୀଳାଚଳ)କୁ ପଞ୍ଚପାଣ୍ଡବ ଓ ଦ୍ରୌପଦୀ ଆସିଥିବା କଥା ଯାହା ମହାଭାରତରୁ ସୂଚନା ମିଳେ, ତାହା ଅନୁଧ୍ୟାନ କଲେ ବିଶ୍ୱାସଯୋଗ୍ୟ ମନେହୁଏ ।

ଋଗ୍‍ବେଦର ନିମ୍ନୋକ୍ତ ମନ୍ତ୍ରରେ ଥିବା 'ଦାରୁ'କୁ ଦାରୁବ୍ରହ୍ମ ଶ୍ରୀଜଗନ୍ନାଥ ବୋଲି କେତେକ ଜଗନ୍ନାଥ ତତ୍ତ୍ୱଦର୍ଶୀ ପ୍ରତିପାଦନ କରନ୍ତି । ମନ୍ତ୍ରଟି ହେଲା;

"ଅଦୋ ଯଦ୍ଦାରୁ ପ୍ଳବତେ ସିନ୍ଧୋ ପାରେ ଅପୁରୁଷମ୍‍ ।
ତଦା ରଭସ୍ୱ ଦୁର୍ହଣୋ ତେନଗଚ୍ଛ ପରସ୍ତରମ୍‍ ।।
(୧୦-୧୫୫:୩)


ଅର୍ଥାତ୍‍, ହେ ଦୁର୍ଭିିକ୍ଷରୁ ନିବାରଣ ଚାହୁଁଥିବା ମଣିଷଗଣ । ଏହି ଯେଉଁ କାଷ୍ଠମୟୀ ନୌକା, ସମୁଦ୍ର ବା ନଦୀକୁ ପାରି ହେବାପାଇଁ ବିନା କୌଣସି ମଣିଷଦ୍ୱାରା ଜଳ ଉପରେ ବିଦ୍ୟମାନ ଅଛି, ତାକୁ ଅବଲମ୍ବନ କର । ତା' ମାଧ୍ୟମରେ ଦୂରଦେଶ ବା ଦ୍ୱୀପକୁ ଚାଲିଯାଅ । ଏହାକୁ ସାୟଣାଚାର୍ଯ୍ୟ (୧୪ଶ ଶତାବ୍ଦୀ) ତାଙ୍କ ଭାଷ୍ୟରେ ଲେଖିଛନ୍ତି- "ବର୍ତ୍ତମାନ ସମୁଦ୍ରରେ ପୁରୁଷୋତ୍ତମ ନାମ ଦେବତା ଶରୀର ଜଳ ଉପରେ ଭାସୁଛି । ନିର୍ମାଣ ରହିତ ଯୋଗୁଁ ସେ ଅପୌରୁଷ । ଏହି ଦାରୁମୟ ଦେବତାଙ୍କୁ ଉପାସନା କରିବା ଲୋକ ବୈଷ୍ଣବ ଲୋକକୁ ଗମନ କରନ୍ତି ।" ପରବର୍ତ୍ତୀ କାଳରେ ଉପରୋକ୍ତ ମନ୍ତ୍ରଟି ସ୍କନ୍ଦ ପୁରାଣରେ ପରିବର୍ତ୍ତିତ ରୂପରେ ସ୍ଥାନ ପାଇଛି:

"ଅହୋ ତବାୟଂଖଳୁ ଭାଗ୍ୟରାଶି
ର୍ଯେନା ବିରାସୀଦ୍‍ଭୁ ବି ଦାରୁ ମୂର୍ତ୍ତିି
ଯସ୍ୟାପ୍ୟୁପାସ୍ତିଂ ଶ୍ରୁତିରାହ ମୁକ୍ତି
ପ୍ରଦାନ ମାସ୍ୱଜ୍ଞ ବିମୋହିତ ନାମ
ଯ(ସ) ଏଷ ପ୍ଳବତେ ଦାରୁଃ-ସିନ୍ଧୁପାରେ ହ୍ୟୁ ପୌରୁଷଃ
ତମୁପାସ୍ୟ ଦୁରାରାଧଂ ମୁକ୍ତିଂ ଯାତି ସୁଦୁର୍ଲଭମ୍‍ ।" (୨୧ ଅଧ୍ୟାୟ)


ଅର୍ଥାତ୍‍ ହେ ନରପତି ! ତୁମର ଭାଗ୍ୟରାଶି ଅତି ଆଶ୍ଚର୍ଯ୍ୟ । ପୁରୁଷୋତ୍ତମ ଭଗବାନ ଜଗତରେ ଦାରୁମୂର୍ତ୍ତିି ଧାରଣ କରି ଆବିର୍ଭୂତ ହୋଇଥିଲେ । ଶ୍ରୁତି (ବେଦ)ରେ କୁହାଯାଇଛି ,ଏହାଙ୍କୁ ଉପାସନା କଲେ ଆତ୍ମଜ୍ଞାନ ବିମୋହିତ ବ୍ୟକ୍ତିମାନଙ୍କର ମଧ୍ୟ ମୋକ୍ଷ ଲାଭ ହୁଏ । (ଶ୍ରୁତି ବର୍ଣ୍ଣିିତ) ସେହି ଅପୌରୁଷେୟ ଦାରୁ ସମୁଦ୍ରତୀରରେ ଭାସମାନ ହେଉଛନ୍ତି । ଏ ଦୁରାରାଧ୍ୟ । ଏହାଙ୍କୁ ଉପାସନା କଲେ ଦୁର୍ଲଭ ମୁକ୍ତି ପ୍ରାପ୍ତ ହୁଏ ।

ଋଗ୍‌ବେଦର ଉଲ୍ଲିଖିତ ମନ୍ତ୍ର ସହିତ ଦାରୁବ୍ରହ୍ମ ପୁରୁଷୋତ୍ତମଙ୍କ ସଂପର୍କ ନାହିଁ ବୋଲି କହିଛନ୍ତି ଗବେଷକ ଡକ୍ଟର ଗୌରାଙ୍ଗ ଚରଣ ନାୟକ, ଡକ୍ଟର ସତ୍ୟନାରାୟଣ ରାଜଗୁରୁ, ଡକ୍ଟର ଉମେଶ ପତ୍ରୀ, ସଚ୍ଚିଦାନନ୍ଦ ମିଶ୍ର ଓ ଟି.ଏନ୍‍ ଧର୍ମାଧିକାରୀ ପ୍ରମୁଖ । ଡକ୍ଟର ରାଜଗୁରୁ ଲେଖିଛନ୍ତି- "ଭୁଲରେ ଏହି ସୂତ୍ରଟି ଶ୍ରୀଜଗନ୍ନାଥଙ୍କ ଦାରୁବ୍ରହ୍ମ ପ୍ରତି ପ୍ରଯୁଜ୍ୟ କରି ନିଜେ ମଧ୍ୟ ତାହା ସନ୍ଦେହ କରିଥିବା ତାଙ୍କ (ସାୟଣାଚାର୍ଯ୍ୟଙ୍କ) ଭାଷ୍ୟରୁ ଜଣାଯାଏ । କାରଣ ଶଂସିତ ବୈଦିକ ସୂତ୍ରଟି ଅନ୍ୟ ପ୍ରସଙ୍ଗର ଅର୍ଥବୋଧ କରୁଛି ।" ଡକ୍ଟର ପତ୍ରୀ କହନ୍ତି- "ପ୍ରକୃତରେ ଋଗ୍‌ବେଦର ସେହି ମନ୍ତ୍ରଟି କ'ଣ ଶ୍ରୀଜଗନ୍ନାଥଙ୍କୁ ପ୍ରତିପାଦନ କରୁଛି ? ଏହି ଅଲକ୍ଷ୍ମୀ ସୂକ୍ତରେ ପାଞ୍ଚଟି ମନ୍ତ୍ର ଅନୁଷ୍ଟୁପ ଛନ୍ଦରେ ପରସ୍ପର ସହିତ ଛନ୍ଦାୟିତ ହୋଇ ସଂରଚିତ ହୋଇଛି । ପୂର୍ବାପର ସଂପର୍କକୁ ନ ଜାଣିଲେ କେବଳ ଗୋଟିଏ

ମନ୍ତ୍ରରୁ ପ୍ରତିପାଦ୍ୟ ବିଷୟ ଜଣାପଡ଼ିବ ନାହିଁ ।" 'ଦାରୁ' ଶବ୍ଦ ଦେଖି ତାକୁ ଜଗନ୍ନାଥଙ୍କ ଦାରୁମୂର୍ତ୍ତିି ବୋଲି ଧରିନେବା ଯୁକ୍ତିଯୁକ୍ତ ନୁହେଁ । ବେଦରେ ଅଲକ୍ଷ୍ମୀକୁ ସମୁଦ୍ରରେ ଭାସୁଥିବା ଗୋଟିଏ ଦାରୁ ବା କାଷ୍ଠ ଉପରେ ବସି ଅନ୍ୟତ୍ର ଚାଲିଯିବାପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଆହୁରି ମଧ୍ୟ କୁହାଯାଇଛି,କୌଣସି ବ୍ୟକ୍ତି ଯଦି ଧନ ବା ଲକ୍ଷ୍ମୀବିହୀନ ହୋଇ ଜୀବନ ଯାପନ କରୁଥାନ୍ତି, ତେବେ ସେ ଋଗ୍‍ ବେଦ ଦଶମ ମଣ୍ଡଳର୧୫୫ ତମ ସୂକ୍ତର ପାଞ୍ଚଗୋଟି ମନ୍ତ୍ରକୁ ନିତ୍ୟ ପ୍ରାତଃ କାଳରେ ସ୍ନାନ କରିବା ପରେ ୧୦୧ ଥର ଜପ କରନ୍ତୁ । ଏହି ଜପ ପୂର୍ବରୁ ଓ ପରେ ଗାୟତ୍ରୀ ମହାମନ୍ତ୍ରର ଗୋଟିଏ ମାଳା ଜପ ଆବଶ୍ୟକ । (ଯୁଗଶକ୍ତି ଗାୟତ୍ରୀ,ଜାନୁଆରି,୨୦୦୫)

ବୌଦ୍ଧ ବଜ୍ରଯାନର ପ୍ରସିଦ୍ଧ ଗ୍ରନ୍ଥ 'ଜ୍ଞାନସିଦ୍ଧି'ରେ ଉଲ୍ଲେଖ ଅଛି: 'ପ୍ରଣିପତ୍ୟ ଜଗନ୍ନାଥଂ ସର୍ବଜିନ ବରାର୍ଚ୍ଚିତମ୍‍ । ସର୍ବ ବୁଦ୍ଧମୟଂସିଦ୍ଧି ବ୍ୟାପିନଂ ଗଗନୋପମମ୍‍ ।।" (୧/୧)। ଏହି ଗ୍ରନ୍ଥର ପ୍ରଣେତା ଖ୍ରୀ: ସପ୍ତମ/ଅଷ୍ଟମ ଶତାବ୍ଦୀର ସମ୍ବଳକ (ଏବର ସମ୍ବଲପୁର)ର ରାଜା ଇନ୍ଦ୍ରଭୂତି । ଏହି ଗ୍ରନ୍ଥର ମଙ୍ଗଳାଚରଣ ପାଠକରି କେତେଜଣ ଲେଖକ ତଥା ଗବେଷକ ମତ ଦିଅନ୍ତି ଯେ, ଏଥିରେ ପ୍ରଥମଥରପାଇଁ 'ଜଗନ୍ନାଥ' ଶବ୍ଦ ବ୍ୟବହୃତ ହୋଇଛି ଓ ତାହା ଶ୍ରୀକ୍ଷେତ୍ରର ଜଗନ୍ନାଥ ମହାପ୍ରଭୁଙ୍କୁ ବୁଝାଉ ଅଛି । ଏହି ଗ୍ରନ୍ଥରୁ ଉଦାହରଣ ଦେଇ ବୌଦ୍ଧ ଏପରିକି ଜୈନମାନେ ମଧ୍ୟ ଜଗନ୍ନାଥ ମହାପ୍ରଭୁଙ୍କୁ ଯଥାକ୍ରମେ ବୁଦ୍ଧ ଓ ଜୀନନାଥ ମନେକରନ୍ତି ।

ନୀଳାଚଳ ଧାମର ପ୍ରସିଦ୍ଧି ଖ୍ରୀ: ଅଷ୍ଟମ ବା ନବମ ଶତାବ୍ଦୀରେ ଥିବା କଥା ମୁରାରି କବିଙ୍କ 'ଅନର୍ଘ ରାଘବ' ନାଟକରୁ ପ୍ରତିପାଦିତ ହୁଏ ବୋଲି ସତ୍ୟନାରାୟଣ ରାଜଗୁରୁ ଲେଖିଛନ୍ତି । କିନ୍ତୁ ମୁରାରିଙ୍କ ସମୟ ଏକାଦଶ ଶତାବ୍ଦୀ ବୋଲି ଐତିହାସିକ ନବୀନ କୁମାର ସାହୁ ମତ ଦେଇଛନ୍ତି । ପ୍ରଫେସର ସାହୁ ଆହୁରି କହିଛନ୍ତି ଯେ, ଚୋଡ଼ଗଙ୍ଗଦେବଙ୍କ ଉତ୍କଳ ଅଧିକାର ପୂର୍ବରୁ ପୁରୀଠାରେ ପୁରୁଷୋତ୍ତମ ଜଗନ୍ନାଥଙ୍କର ଏକ ମନ୍ଦିର ଥିବା କଥା ପ୍ରାଚୀନ ଗ୍ରନ୍ଥ ଓ ଅଭିଲେଖଗୁଡ଼ିକରୁ ଜଣାଯାଏ । ଏହି ସବୁ ଗ୍ରନ୍ଥ ଓ ଅଭିଲେଖରୁ ଗୋଟିଏ ସୁଦ୍ଧା ଏକାଦଶ ଶତାବ୍ଦୀର ପୂର୍ବବର୍ତ୍ତୀ ନୁହେଁ । 'ଅନର୍ଘ ରାଘବ'ର ଚରୟିତା ମୁରାରିଙ୍କ ସମୟ ଏକାଦଶ ଶତାବ୍ଦୀ, କୃଷ୍ଣମିଶ୍ରଙ୍କ ରଚିତ 'ପ୍ରବୋଧ ଚନ୍ଦ୍ରୋଦୟ' ନାଟକର ସମୟ ଖ୍ରୀଷ୍ଟାବ୍ଦ ୧୦୭୩ରୁ ୧୦୭୬ ମଧ୍ୟରେ । 'ଭାସ୍ୱତି' ଓ 'କୃତ୍ୟ କଳ୍ପତରୁ' ଗ୍ରନ୍ଥ ଯଥାକ୍ରମେ ୧୧୦୦ ଓ ୧୧୧୦ ଖ୍ରୀଷ୍ଟାବ୍ଦରେ ରଚିତ । 'ବ୍ରହ୍ମ ଯାମଳ ତନ୍ତ୍ର' ଏକାଦଶ ଶତାବ୍ଦୀର ପୂର୍ବବର୍ତ୍ତୀ ନୁହେଁ ।

ଓଡ଼ିଆ ସାହିତ୍ୟରେ ଆଦି କବି ସାରଳା ଦାସ (୧୫ଶ ଶତାବ୍ଦୀ)ଙ୍କ ମହାଭାରତରେ ପ୍ରଥମ କରି ଶ୍ରୀଜଗନ୍ନାଥଙ୍କ ସଂପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରାଯାଇଛି । ପରବର୍ତ୍ତୀ 'ପଞ୍ଚସଖା' ସାହିତ୍ୟରେ ଅର୍ଥାତ୍‍ ଜଗନ୍ନାଥ ଦାସ, ଅଚ୍ୟୁତାନନ୍ଦ, ଯଶୋବନ୍ତ, ଅଚ୍ୟୁତ ଓ ଅନନ୍ତ ଦାସଙ୍କ ରଚନାରେ ଶ୍ରୀଜଗନ୍ନାଥଙ୍କ ମାହାତ୍ମ୍ୟ ବର୍ଣ୍ଣିିତ ହୋଇଅଛି ।

ପଣ୍ଡିତ ନୀଳମଣି ମିଶ୍ର ଲେଖିଛନ୍ତି, ଆଦିମ ଯୁଗର 'ଦାରୁ ଦେବତା' ହିଁ ପରବର୍ତ୍ତୀ କାଳରେ

ଶ୍ରୀଜଗନ୍ନାଥ ନାମରେ ରୂପାୟିତ ହୋଇଛନ୍ତି । ଏହି ବିଗ୍ରହଙ୍କ ପ୍ରଶସ୍ତି ଇନ୍ଦ୍ରଭୂତିଙ୍କ ପ୍ରଣୀତ ଜ୍ଞାନସିଦ୍ଧି, ମୁରାରିଙ୍କ ଅନର୍ଘରାଘବ, ଶତାନନ୍ଦଙ୍କ ରତ୍ନମାଳା, ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ସ୍ତୋତ୍ର ଆଦି ପ୍ରାଚୀନ ଗ୍ରନ୍ଥ ତଥା ସ୍ତୁତି ସ୍ତୋତ୍ରରେ ଦେଖିବାକୁ ମିଳେ । ତେଣୁ ସପ୍ତମ-ଅଷ୍ଟମ ଶତାବ୍ଦୀ ବେଳକୁ ଶ୍ରୀଜଗନ୍ନାଥ ବିଶ୍ୱବିଶ୍ରୁତ ବିଗ୍ରହ ରୂପେ ପ୍ରତିଷ୍ଠା ଲାଭ କରିସାରିଥିଲେ ।

Saturday, August 26, 2023

ଲୁହ

ଅଟକୁନି ଲୁହ 
ବୋହି ଚାଲୁଛି ଅନବରତ
ଆଖିବି ନିଜର କରି ରଖି ପାରୁନି 
ଏ ଲୁହକୁ,,,,
ବାସ୍ ଝରି ଯାଉଛି
ଟୋପା ଟୋପା ହୋଇ!

ମନର ବ୍ୟଥା 
ହୃଦୟର କୋହ 
ସତରେ ଭାଙ୍ଗି ଦେଉଛି ଶକ୍ତିକୁ
ଧର୍ଯ୍ୟହରା ହୋଇଗଲାଣି ଏ ଜୀବନ
ବଞ୍ଚିବାକୁ ଇଚ୍ଛା ହେଉନି,,,
ମରିବାକୁ ବି ସାହସ ହେଉନି!

ସାମର୍ଥ୍ୟ ନାହିଁ ଆଉ ଛିଡ଼ା ହେବାକୁ
ନିଜ ଗୋଡ଼ରେ,,,
ଦୁନିଆ ଆଗରେ,,,,,
ପରିସ୍ଥିତି ଜଟିଳ କରୁଛି ସମସ୍ୟାକୁ
ଏଠି ଖାଲି ଆଖିରୁ ଲୁହ ଝରୁନି
ହୃଦୟ କୋହରେ କାନ୍ଦୁଛି!

ଜରାଜୀର୍ଣ୍ଣ ଅବସ୍ଥାରେ,,,,
ପଡ଼ି ରହୁଛି ଗୋଟେ ଘର କୋଣରେ 
ଏ ଶରୀର, ବର୍ତ୍ତମାନ, ଓ ଭବିଷ୍ୟତ
ଝୁରି ହେଉଛି ଅତୀତକୁ,,,,,

ଭାବୁଛି ତା' ପ୍ରେମକୁ ଏବଂ ହରେଇ ଥିବା 
ଆଶା,ବିଶ୍ୱାସ, ଓ ଭରଷାକୁ
ସତରେ ଏ ଜୀବନ ବହୁତ ଜଟିଳ
ବଞ୍ଚିବା ବହୁତ କଷ୍ଟ,,,,

ସତରେ ଏ ଜୀବନ କ'ଣ ଅଭିଶପ୍ତ
ନାହିଁ ଏଥିରେ,,,
ହସ, ଖୁସି, କି ସୁଖ?
ନାଆଁ ଦୁନିଆଟା ଭିନ୍ନ ମୋ ପାଇଁ
ଲଦି ଦେଉଛି ସମସ୍ତିଙ୍କର ଯନ୍ତ୍ରଣା
ଲୁହକୁ ଝରେଇବା ପାଇଁ!

✍ ସୁଶୀଲ କୁମାର ଭୋଇ

Saturday, March 11, 2023

ଉଦ୍ବୋଧନୀ

ଯେତେବେଳେ କେତେକ ବଙ୍ଗଭାଷୀଙ୍କ ଚକ୍ରାନ୍ତରେ ଓଡ଼ିଆ ଭାଷା ଖୁବ୍ ଦୁର୍ଦ୍ଦିନରେ ଗତି କରୁଥିଲା ସେତେବେଳେ ଯେଉଁ ମହାରଥୀମାନେ ଲେଖନୀଅସ୍ତ୍ର ବଳରେ ଶତ୍ରୁଙ୍କୁ ପରାହତ କରି ମାତୃଭାଷାର ସୁରକ୍ଷା କରିଥିଲେ ଏବଂ ଓଡ଼ିଆ ଜାତିକୁ ଉଦ୍‌ବୁଦ୍ଧ କରିଥିଲେ , ସେ ରଣାଙ୍ଗନରେ ସେନାପତି ସେନାପତି ଭାଵେ ଅଗ୍ରଗଣ୍ୟ ହେଲେ ବି ସୈନିକଙ୍କ ମଧ୍ୟରେ ସ୍ୱର୍ଗୀୟ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କର ନାମକୁ ଉପେକ୍ଷା କରାଯାଇ ନ ପାରେ।
             ତାଙ୍କ ଉଦ୍‌ଵୋଧନ କବିତା ଯେପରି ଭାଵଗର୍ଭକ ସେହିପରି କାନ୍ତକୋମଳପଦାବଳୀ ଯୁକ୍ତ ତଥା ଓଡ଼ିଆ ମାଟିପାଣିପବନମିଶା ପରମ୍ପରାର ସୁଗନ୍ଧ ବହନକାରୀ । ମୋ ପିଲାଦିନର ଅତି ଅନ୍ତରଙ୍ଗ ସାଥୀ ଏଇ କବିତା ଯାହାକୁ ମୁଁ ପ୍ରତି ମୁହୂର୍ତ୍ତରେ ଗୁଣୁଗୁଣୁ ହୋଇ ବୋଲୁଥିଲି ।
                         #ଉଦ୍‌ଵୋଧନ
    ତୁଙ୍ଗ-ଶିଖରୀଚୂଳ    କୁଞ୍ଜକାନନ-ମାଳ
     ପୁଣ୍ୟ ଜଳଧି-ଜଳ   ଖେଳି ଉଠେ ସଘନେ,
    ପ୍ରାଚୀଗଗନ-ଶିରେ   ଭାସି କନକ-ନୀରେ
    ଆସ ତପନ ଉଇଁ   ଏ ଉତ୍କଳ ଭୁଵନେ ।ଘୋଷା ।
    ଆଜି କି ସରଗଛବି   ରାଜେ ରୁଚିର
    କି ନବଜୀଵନେ ଭରା   କୋଟି ଅନ୍ତର
   କିବା ଏ ସମ୍ପଦ ଶିରୀ    ହୃଦେ ହୃଦେ ଆସେ ପୂରି
  କି ପୁଲକ-ଧାରା ଖେଳି   ଆସେ କୋଟି ବଦନେ ।୧।
  ଆହା ଏ ଉତ୍କଳ କିବା  ସରଗଭୂମି
ବିଲ ବନ ଶୈଳ ସିନ୍ଧୁ   ସୁଷମା ଘେନି !
ଜନମି ଏ ଦେଶେ ଆଜି  ଏ ଜନନୀ କୋଳେ ରାଜି
ଧନ୍ୟ କୋଟି ନର ନାରୀ  ମର ନର ଜୀବନେ ।୨। ଲଳିତ ଅଙ୍ଗ ବୀର   ପ୍ରତାପ ଯା'ର
ପୁଣ୍ୟ ତେଜେ ଧରାମୁଖ   କଲେ ଉଜ୍ଜ୍ୱଳ ,
ଶାସିଲେ ଅତୁଲ୍ୟବଳେ   ପାଳିଲେ ସେନେହଭରେ
ଏ ସବୁ , ଓଡ଼ିଆ ଦିନେ   ଦେଖିଛ ସେ ନୟନେ ।୩।
ବିପୁଳ ଓଡ଼ିଆ ସେନା    ବାହୁ ବିଜୟେ
ହିମାଚଳଚୂଡ଼ୁଁ ଦିନେ    କୁମାରିକା ଯାଏ
ହୃଦୟ ଶୋଣିତ ଢାଳି  ଦେଇ ନିଜ ଶିରବଳି
କୀର୍ତ୍ତିଧ୍ୱଜା ଉଡ଼ାଇଲେ   କି ପୁଲକ ପରାଣେ ।୪।
ବାରବାଟୀ ଦୁର୍ଗେ ବୀର   ଓଡ଼ିଆ ସୁତ ,
ଶତ ଶତ୍ରୁସେନା ନାଶି   କିବା ମହତ ?
ଭାଙ୍ଗିଛି ସେ ବାରବାଟୀ  ସେ ଶିରୀ ଯାଇଛି ତୁଟି
(ତେବେ)ରହିଛି ସେ ଯଶ ମିଶି ଜଳେସ୍ଥଳେ ପବନେ।୫।
   କୋଣାର୍କ-ଜୀର୍ଣ୍ଣ-ସଉଧେ   ଉତ୍କଳ-କୀର୍ତ୍ତି,
    ଦିଶେ ଦିଶେ ଆଜି କିବା   ବିକଶେ ଫୁଟି ,
     ନୀଳାଚଳେ ଜଗନ୍ନାଥ  ଯୁଗେ ଯୁଗେ ବିରାଜିତ
    ଉତ୍କଳ ମହିମା-ଘୋଷ  ଏ ଭାରତ ଭୁଵନେ ।୬।
     ବିମଳ-ଚିଲିକା-ବକ୍ଷେ   ଖେଳୁ ସେ ବୀଚି ,
     ଉଠୁ ମହୋଦଧି-ବାରି   ଅମୃତ ସିଞ୍ଚି ,
     ମହେନ୍ଦ୍ର ଶ୍ୟାମଳ ଚୂଳେ  ପୂତ ଚିତ୍ରୋତ୍ପଳା ନୀରେ
     ଢଳୁ ସେ ସମ୍ପଦ ଶିରୀ   ଗ୍ରାମ ବିଲ କାନନେ ।୭।
      ତୋ ଭଳି ଜନନୀ ଥାଉଁ,  ଜନମଭୂମି ,
     କି ଦୁଃଖ ଏ ଓଡ଼ିଆର   ପରାଣେ ପୁଣି ?
   ମୋହନ ମୂରତି ସେହି  ଦିଅ ଗୋ ମା ଆଜି ଫେଇ
    କୋଟିଏ ସନ୍ତାନ ତୋର  ପ୍ରଣମୁଁ ଏ ଚରଣେ ।୮।
                 ଜୟ ଉତ୍କଳ ଜନନୀ ।

“ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ଦିଵସ”

“ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ଦିଵସ” ଉପଲକ୍ଷେ ସମସ୍ତ ଓଡ଼ିଆଙ୍କୁ ଓଡ଼ିଆପ୍ରେମୀଙ୍କୁ ଶୁଭେଚ୍ଛା ଓ ଶୁଭକାମନା 🙏

ଓଡ଼ିଆ ଭାଷା କେଵଳ ଏକ ଭାଷା ନୁହେଁ ଵରଂ ଗୋଟିଏ ସଂଘର୍ଷର ନାମ । ଓଡ଼ିଆ ଭାଷା ତାହାର ଜନ୍ମ ସମୟରୁ ଏଯାଵତ୍ ସଂଘର୍ଷରତ । ଓଡ଼ିଆ ଭାଷା ଲୁପ୍ତ କରି ଦେଵାକୁ ଦେଶୀୟ ଵିଦେଶୀ ସମସ୍ତେ ପ୍ରଯତ୍ନ କରିଛନ୍ତି ଏଵଂ ଆଜି ମଧ୍ୟ କରୁଅଛନ୍ତି ‌ । 

#କଳାତ୍ମକଷଡ଼ଯନ୍ତ୍ର:

ଓଡ଼ିଆ ଦୂରଦର୍ଶନ କେନ୍ଦ୍ର, ପତ୍ରିକା ଓ ସମ୍ବାଦପତ୍ରର ଅଣଓଡ଼ିଆ ସତ୍ତାଧିକାରୀମାନେ ଜାଣିଶୁଣି ଓଡ଼ିଆ ଭାଷାକୁ ଆରବୀ ପାର୍ସୀ ତୁର୍କ ଇଂରାଜୀ ଶବ୍ଦମୟ ଦୂଷିତ କରିଦେଵାର ଷଡ଼ଯନ୍ତ୍ର ଚଳାଇଛନ୍ତି । ସେଥିପାଇଁ ଜାଣିଶୁଣି ଲୋକଙ୍କୁ ହିଙ୍ଗୋଡ଼ିଆ ଭାଷାରେ ସମାଚାର,ଧାରାଵାହିକ ଆଦି ପରିଵେଷଣ କରାଯାଉଛି । 
ଓଡ଼ିଆ ଚଳଚ୍ଚିତ୍ର ଓ ସଂଗୀତ ଜଗତ ଅନେକାଂଶରେ ହିନ୍ଦିଆ,ବଙ୍ଗାଳୀ ଓ ବଙ୍ଗାଳୀ ବଂଶୋଦ୍ଭଵମାନଙ୍କ ହାତକୁ ଚାଲିଗଲାଣି । ଅଣଓଡ଼ିଆ ପ୍ରଯୋଜକ, ନିର୍ଦ୍ଦେଶକ, ଗୀତିକାର ଓ ଅଭିନେତା ଜାଣିଶୁଣି ଚଳଚ୍ଚିତ୍ର ମଧ୍ଯରେ କଳୁଷିତ ଓଡ଼ିଆ ଭାଷାର ପରିଵେଷଣ କରି ଓଡ଼ିଆ ଭାଷାକୁ ଦୂଷିତ କରୁଅଛନ୍ତି । ସେହିପରି କିଛି ଅଣଓଡ଼ିଆ ସଂଗଠନ ଓଡ଼ିଆ ଵିରୋଧୀ ଲୋକଙ୍କୁ ତଥା ଓଡ଼ିଆ ଭାଷା କଳୁଷିତ କରିଥିଵା ସାହିତ୍ୟିକଙ୍କୁ ସମ୍ମାନିତ କରି ଓଡ଼ିଆ ଭାଷା ଦୂଷିତ ରୂପ ଅଗ୍ନିକୁଣ୍ଡରେ ଘୃତ ଅର୍ପଣ ସମ କାର୍ଯ୍ୟ କରୁଛନ୍ତି । 

#ଲିପି_ସମ୍ବନ୍ଧୀୟ_ଷଡ଼ଯନ୍ତ୍ର:

ଓଡ଼ିଆ ଭାଷାର ଲିପିରୁ କେତେକ ଲିପୀମ ଓ ଵର୍ଣ୍ଣ ଉଠାଇ ଦେଵାର ଷଡ଼ଯନ୍ତ୍ର ଵିଗତ ଶତାଧିକ ଵର୍ଷ ଧରି ଚାଲୁଛି ।ଈ,ଊ,ୠ,ଷ,ସ,ୱ,ଵ ଇତ୍ୟାଦି ଵର୍ଣ୍ଣ ମାରି ଦେଵା ତଥା ଯୁକ୍ତାକ୍ଷର ଉଠାଇ ଦେଇ 'ଂ' ଵ୍ୟଵହାର କରିଵାକୁ କିଛି ଲୋକ ପ୍ରଵର୍ତ୍ତାଉଛନ୍ତି । ପ୍ରକୃତରେ ଏମାନେ ଷଡ଼ଯନ୍ତ୍ରକାରୀ ଓ ଷଡ଼ଯନ୍ତ୍ରକାରୀଙ୍କ ଦ୍ଵାରା ମତିଭ୍ରମିତ ହୋଇଥିଵା ଲୋକ ଅଟନ୍ତି । ଅନ୍ୟ ଏକ ଦିଗରେ ଓଡ଼ିଶାର ସୀମାନ୍ତ ଅଞ୍ଚଳର ଲୋକଙ୍କୁ ଓଡ଼ିଆ ଲିପି ଛାଡ଼ି ବଙ୍ଗଳା, ତେଲୁଗୁ ଓ ଦେଵନାଗରୀ ଲିପିରେ ଲେଖିଵାକୁ ପ୍ରଵର୍ତ୍ତାଯାଉଛି । ଏତଦ୍ଵାରା ଓଡ଼ିଆ ଭାଷା ଵିଲୁପ୍ତି ସହଜ ହୋଇଯିଵ ବୋଲି ଆମ ବିହାରୀ,ବଙ୍ଗାଳୀ, ମାରୁଆଡ଼ି,ପଞ୍ଜାବୀ ଓ ତେଲେଙ୍ଗା ପଡ଼ୋଶୀଙ୍କର ବିଲୁଆ ଵିଚାର ! 

#ଶୈଳୀ_ସମ୍ବନ୍ଧୀୟ_ଷଡ଼ଯନ୍ତ୍ର:

ଅଧୁନା ବଙ୍ଗାଳୀ, ତେଲେଙ୍ଗା ଓ ଵିଶେଷକରି ହିନ୍ଦିଆମାନେ ସୀମାନ୍ତ ଅଞ୍ଚଳରେ ପ୍ରଚଳିତ ଓଡ଼ିଆ ଶୈଳୀଗୁଡି଼କୁ ନିଜ ଭାଷାର ଶୈଳୀ ବୋଲି ଦାବି କରୁଥିଵା ଦେଖାଯାଉଛି । ହିନ୍ଦୀଭାଷୀ ଏ ଦିଗରେ ଆଂଶିକ ସଫଳ ବି ହେଲେଣି ଓ କୁଡ଼ମଲୀ,ସାଦ୍ରୀ ତଥା ଲରିଆ ଭାଷାକୁ ନିଜ ହିନ୍ଦୀ ଭାଷାର ଉପଭାଷା  ବୋଲି ପ୍ରମାଣ କରିଵାକୁ ବହୁଵର୍ଷରୁ ଚେଷ୍ଟା ଚଳାଇଛନ୍ତି । ଏ ଦିଗରେ ଏବେ ହିନ୍ଦୀଭାଷୀଙ୍କ ଲୋଲୁପଦୃଷ୍ଟି ଷଡ଼ସୀ,ଭତ୍ରୀ,ହଲବୀ, ସମ୍ବଲପୁରୀ ଓ ଦେଶିଆ ଆଦି କଥିତ ଓଡ଼ିଆ ଶୈଳୀ ଉପରେ ରହିଛି ଏଵଂ ଏହିସବୁ ଭାଷାଶୈଳୀଗୁଡ଼ିକୁ ହାତେଇଵାକୁ ସ୍ଥାନୀୟ ଲୋକଙ୍କ ମନରେ ଓଡ଼ିଆ ଭାଷା ଵିରୋଧୀ ଵିଚାର ପୁରେଇ ସେମାନଙ୍କୁ ଓଡ଼ିଆ ଵିଦ୍ଵେଷୀ କରାଯାଉଛି । 

#ଭାଷା_ଵିଭାଜନ_ଷଡ଼ଯନ୍ତ୍ର

ଓଡ଼ିଆ ଭାଷାର ସମସ୍ତ ଶୈଳୀଗୁଡି଼କୁ ଓଡ଼ିଆ ଭାଷାଠାରୁ ଭିନ୍ନ ବୋଲି ହିନ୍ଦୀ, ବଙ୍ଗଳା ଓ ତେଲେଙ୍ଗା ଏଵଂ ସେମାନଙ୍କ ବଂଶୋଦ୍ଭଵମାନଙ୍କ ଦ୍ଵାରା ଦୀର୍ଘ ଦିନ ଧରି ପ୍ରଚାର ପ୍ରସାର ଯୋଗୁଁ ଵର୍ତ୍ତମାନ ଓଡ଼ିଶାର ସୀମାଞ୍ଚଳର ଲୋକେ ନିଜ ଭାଷାକୁ ଓଡ଼ିଆ ତଥା ନିଜକୁ ଓଡ଼ିଆ ଜାତିର ଦାୟାଦ ବୋଲି ପରିଚୟ ଦେଵାକୁ ପଶ୍ଚାତପଦ ହେଉଛନ୍ତି ଘୃଣା କରୁଛନ୍ତି । ଆମ ପଡ଼ୋଶୀ ଵିଶେଷତଃ  ହାଣ୍ଡିଆମାନଙ୍କ ଵିଚାରରେ ଓଡ଼ିଆ ଭାଷାର ଗୋଟିଏ ଗୋଟିଏ ଶୈଳୀକୁ ଭିନ୍ନ କହି ପ୍ରଚାର ପ୍ରସାର କଲେ ଏ ଭାଷାର ପ୍ରଚଳନ ଭୂକ୍ଷେତ୍ର ସୀମା ଧିରେ ଧିରେ ଛୋଟ ହୋଇ ହୋଇ ଯିଵ ଫଳତଃ ଓଡ଼ିଶାରେ ଓଡ଼ିଆ ଭାଷା ଲୁପ୍ତ ହୋଇଗଲେ ହିନ୍ଦୀ ଭାଷାର ପ୍ରଚଳନ ସହଜ ହୋଇଯିଵ । ପରେ କଥିତ ଓଡ଼ିଆ ଶୈଳୀଗୁଡି଼କୁ ହିନ୍ଦୀର ଉପଭାଷା କହିଲେ ବି କେହି ଵିରୋଧ କରିଵାକୁ ନଥିବେ । 

#ଵୈଷୟିକ_ଷଡ଼ଯନ୍ତ୍ର

ଵିଗତ ଅନେକ ଵର୍ଷ ଧରି ଜାଣିଶୁଣି ଓଡ଼ିଆ ଭାଷାକୁ  ଅନ୍ତର୍ଜାଲର ଅନେକ ଜାଲସ୍ଥଳରେ ସ୍ଥାନ ଦିଆଯାଉନାହିଁ । ଅଧିକାଂଶ ଜାଲସ୍ଥଳରେ ଅଣଓଡ଼ିଆ ଵିଶେଷ କରି ବଙ୍ଗାଳୀ ଓ ହିନ୍ଦିଆ କାର୍ଯ୍ୟ କରୁଥିଵାରୁ ଏଵଂ ସେମାନେ ଓଡ଼ିଆ ଭାଷାକୁ ଘୃଣା କରୁଥିଵାରୁ ଏସବୁ ଜାଲସ୍ଥଳରେ ଓଡ଼ିଆ ଭାଷାକୁ ସ୍ଥାନ ଦେଵାକୁ କୁଣ୍ଠିତ ହୋଇଥାନ୍ତି । ପୁଣି ଯଦିଵା ଓଡ଼ିଆ ଭାଷାରେ କୌଣସି ଅଣଓଡ଼ିଆ ସଂସ୍ଥା,ସଂଗଠନ କିଛି ଲେଖା ପ୍ରକାଶିତ କରୁଛନ୍ତି ତାହା ଭୁଲ୍ ବନାନ ଯୁକ୍ତ ହୋଇଥାଉଛି । ଫଳତଃ ଏଭଳି କାର୍ଯ୍ୟ ଦ୍ଵାରା ଓଡ଼ିଆ ଭାଷାଭାଷୀଙ୍କୁ ତାଙ୍କ ଭାଷାରେ ବନାନ ତ୍ରୁଟି କରିଵାକୁ ପରୋକ୍ଷରେ ପ୍ରଵର୍ତ୍ତାଯାଉଛି । 
କେତେକ ସମ୍ବାଦପତ୍ର, ଦୂରଦର୍ଶନ ସଂସ୍ଥାରେ ବନାନ ତ୍ରୁଟି ପ୍ରତି ଆଦୌ ଧ୍ୟାନ ଦିଆଯାଉନାହିଁ ଏପରିକି ଷଡ଼ଯନ୍ତ୍ର କରି ଓଡ଼ିଆ ଅକ୍ଷର,କାର ଓ ଫଳା ଆଦି ଭିନ୍ନ ଭିନ୍ନ ରୂପରେ ପ୍ରଚଳିତ କରାଇଵାକୁ ଚେଷ୍ଟା କରାଯାଉଛି । ଏତଦ୍ଵାରା ଓଡ଼ିଆ ଲୋକେ ଦ୍ଵନ୍ଦ୍ଵରେ ପଡ଼ି ଓଡ଼ିଆ ଲିପି ଛାଡ଼ି ଦେବେ ବୋଲି ଷଡ଼ଯନ୍ତ୍ରକାରୀମାନେ ଵିଚାର କରିଅଛନ୍ତି । 

#ଜାତିକୁଦରିଦ୍ରକରଭାଷାଆପେମରିଯିଵ 

ଏହା ହେଉଛି ଓଡ଼ିଶା, ଓଡ଼ିଆ ଜାତି ତଥା ଓଡ଼ିଆ ଭାଷା ପ୍ରତି କରାଯାଉଥିଵା ସବୁଠାରୁ ବଡ଼ ଷଡ଼ଯନ୍ତ୍ର । ଏ ଷଡ଼ଯନ୍ତ୍ର ଫଳରେ ଦୀର୍ଘ ୪୦୦ ଵର୍ଷ ଧରି ଭାରତରେ ଓଡ଼ିଆ ଜାତି ଶୋଷିତ, ନିଷ୍ପେସିତ ହୋଇ ଆସିଛି । ଅଣଓଡ଼ିଆଙ୍କ ପ୍ରତ୍ୟକ୍ଷ ଓ ପରୋକ୍ଷ ଶୋଷଣ ଯୋଗୁଁ ଓଡ଼ିଆ ଜାତି ଆଜି ଦରିଦ୍ର ହୋଇଛି ଫଳତଃ ଏ ଜାତିର ଲୋକେ ସ୍ଵାଭିମାନହୀନ ହୋଇଗଲେଣି ଏଵଂ ସେମାନଙ୍କର ଶାସ୍ତ୍ରୀୟ ଓଡ଼ିଆ ଭାଷା ଵିଲୁପ୍ତି ପଥରେ ଅଗ୍ରସର ହେଲାଣି । 

#ଓଡ଼ିଶାରେଆନଭାଷାରପ୍ରଚାରପ୍ରସାରଷଡ଼ଯନ୍ତ୍ର

ବହୁତ ଦିନରୁ ଓଡ଼ିଶାରେ ଏହାର ୩୦୦୦ରୁ ୫୦୦୦ ଵର୍ଷ ପୁରାତନ  ରାଷ୍ଟ୍ରଭାଷା ଓଡ଼ିଆ ଭାଷାକୁ ମହତ୍ତ୍ଵ ନଦିଆଯାଇ ଵୈଦେଶିକ ହିନ୍ଦୀ ଓ ଇଂରାଜୀ ଭାଷାର ଅଧିକ  ପ୍ରଚାର ପ୍ରସାର କରାଯାଉଛି । ଏହାର ଫଳସ୍ଵରୂପ ଆଜି ନଗରାଞ୍ଚଳର ଯୁଵପିଢୀ଼ ଓଡ଼ିଆ ଭାଷାରେ କଥା ନହୋଇ ଇଂରାଜୀ ଚୋଵାଉଛନ୍ତି ଓ ହିନ୍ଦୀ ବାନ୍ତି କରୁଛନ୍ତି । ଓଡ଼ିଆଙ୍କ ଦେଶରେ ଓଡ଼ିଆ ଭାଷାକୁ ସ୍ଥାନ ନମିଳୁଥିଲାବେଳେ ପୁରୀ ବଡ଼ଦାଣ୍ଡରେ ହିନ୍ଦୀ ବଙ୍ଗାଳୀଙ୍କ ଭାଷାରେ ନାମଫଳକ ଲାଗିଥିଵାର ଅନେକ ଉଦାହରଣ ରହିଛି । ବାଟଘାଟରେ ଅଯଥା ଦେଵନାଗରୀ ଲିପିରେ ଓଡ଼ିଶାର ସ୍ଥାନଗୁଡି଼କର ନାମ ଲେଖା ରହୁଛି ଫଳତଃ ପରୋକ୍ଷରେ ଓଡ଼ିଆ ଲୋକେ ଓଡ଼ିଆ ଲିପି ଛାଡ଼ି ଦେଵନାଗରୀରେ ଲେଖନ୍ତୁ ବୋଲି ଦିଲ୍ଲୀ ପକ୍ଷରୁ ଷଡ଼ଯନ୍ତ୍ର ହେଉଛି । 

#ଓଡ଼ିଶାମାଟିଚୋରିକରଭାଷାବିମରିଯିଵ

ଭାରତରେ ରହିଵା ଯୋଗୁଁ ଓଡ଼ିଶାର ଅଧା ଭୂଭାଗ ଶ୍ରୀକାକୁଲମ,ଵସ୍ତର,ମହାସମୁନ୍ଦ୍,ଯଶପୁର, ଷଡ଼ୈକଳା,ସିଂହଭୂମି,ଧଳଭୂମି ,ଖରସୁଆଁ ଓ ମେଦିନୀପୁର ଆଦି ଅଞ୍ଚଳ ଏବେ ଅଣଓଡ଼ିଆଙ୍କ ଅଧୀନସ୍ଥ ହୋଇସାରିଛି ଏଵଂ ସେସବୁ ଅଞ୍ଚଳର ଓଡ଼ିଆ ଏବେ ନିଜକୁ ପ୍ରାୟତଃ ଅଣଓଡ଼ିଆ ଅଭିହିତ କରୁଛନ୍ତି ତଥା ଓଡ଼ିଆ ଭାଷା ଛାଡ଼ି ସାରିଛନ୍ତି । ଏହି ଯୋଜନାରେ ସଫଳ ହେଵା ଦେଖି ଆମ ପଡ଼ୋଶୀମାନେ ବଞ୍ଚିଯାଇଥିଵା ଓଡ଼ିଶାର ସୀମାନ୍ତ ଅଞ୍ଚଳ ଯଥା ମୟୂରଭଞ୍ଜ, ସମ୍ବଲପୁର, କେନ୍ଦୁଝର, ଗଞ୍ଜାମ,ଗଜପତି, ରାୟଗଡ଼ା, କୋରାପୁଟ ଆଦି ଜିଲ୍ଲାରୁ ଭୂଭାଗ ନେଇଯିଵାକୁ ପୁରାପୁରି ଷଡ଼ଯନ୍ତ୍ର ଚଳାଇଛନ୍ତି । ଏପଟେ ଓଡ଼ିଆ ଭାଷାଭାଷୀ ଅଞ୍ଚଳ ଯଥା କୋରାପୁଟ, ଘୁମୁସର, ସମ୍ବଲପୁର ତଥା ମୟୂରଭଞ୍ଜ ଆଦି ଅଞ୍ଚଳର ଓଡ଼ିଶାରୁ ଵିଭାଜନ ଦ୍ଵାରା ଏସବୁ ଅଞ୍ଚଳରୁ ଓଡ଼ିଆ ଭାଷା ଓ ଏହାର ଶୈଳୀ ଵିଲୁପ୍ତ କରି ନିଜର ବଙ୍ଗାଳୀ,ତେଲୁଗୁ ଓ ହିନ୍ଦୀ ଭାଷାକୁ ପ୍ରଚଳିତ କରାଇଵା ପାଇଁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ଚେଷ୍ଟା ଚଳାଇଛନ୍ତି । 

ସବୁଠାରୁ ବଡ଼ ଦୁଃଖର ଵିଷୟ ହେଉଛି ଆମରି କିଛି ଓଡ଼ିଆ ଭାଇମାନେ ହିଁ ଆମ ପଡ଼ୋଶୀ ଷଡ଼ଯନ୍ତ୍ରକାରୀମାନଙ୍କର ଅନ୍ଧପ୍ରେମରେ ବାଇ ହୋଇ ସେମାନଙ୍କର ହାତବାରିସୀ ସାଜିଛନ୍ତି । 

ତେବେ ଏହିସବୁ ଷଡ଼ଯନ୍ତ୍ରରୁ ରକ୍ଷା ପାଇଵାର ଏକମାତ୍ର ପନ୍ଥା ସ୍ଵତନ୍ତ୍ର #କଳିଙ୍ଗଦେଶ ଗଠନ । ମନେ ରଖନ୍ତୁ ଆମେ କଳିଙ୍ଗୀମାନେ ଯେବେ ଯେବେ ସ୍ଵାଧୀନ ଥିଲେ ଆମ ଦେଶ ସମୃଦ୍ଧ ଥିଲା । ଆଉ ଆମ ଦେଶ ଯେବେ ଯେବେ ଉତ୍ତରଭାରତୀୟଙ୍କ ଦ୍ଵାରା ଶାସିତ ହୋଇଛି ,ଲୁଣ୍ଠନର ଶିକାର ହୋଇଛି । 

“ଏବେ ବି ସମୟ ଅଛି...
 ଉଠ ଜାଗ ହେ କଙ୍କାଳ ମାନେ... ନୋହିଲେ ନିଜର ଯେଉଁ ପରିଚୟ ଟିକିକ ଅଛି ତାକୁ ବି  ହରାଇ ଵିଲୁପ୍ତ ହୋଇଯିଵ ତୁମ୍ଭେମାନେ...”

ଶ୍ରୀକରଣ ଓ କରଣ

ଚତୁର୍ଥ ନରସିଂହ ଦେବଙ୍କ ରାଜସଭାରେ ଯେତେବେଳେ ବାହ୍ୟ ଆକ୍ରମଣର ଆଶଙ୍କା ଦେଖାଦେଇଥିଲା, ସେତେବେଳେ ଶ୍ରୀକରଣ ବିଶ୍ୱନାଥ ମହାସେନାପତି ନିଜ ବିଚକ୍ଷଣ ରଣନୀତି...