★ 'ସାଧବଝିଅ' ଓ କବି ଡଃ ମାୟାଧର ମାନସିଂହ ★
----------------------------------------------------------
(ଧାରାବାହିକ ଭାଗ - ୫)
ଏଥର ମାଳୁଣୀ ଚଳିଯାଇଛି ସାଧବଝିଅ ପାଖକୁ। ସାଗର ତଟାବଲମ୍ଵୀ ସେ, ତେଣୁ ତୃଷାର୍ତ୍ତ। ସାଧବପୁଅର ହୃଦୟାବେଗ ଅବବୋଧ କରିଛନ୍ତି। ଆଉ, ସେତେବେଳେ ମାଲୁଣୀର ଚର୍ଚ୍ଚା ନଗରୀର ତରୁଣ ତରୁଣୀଙ୍କ ମାନସପଟ୍ଟଳରେ ପ୍ରତ୍ୟହ ଦିଶିଥାଏ। ମଧ୍ୟଯୁଗୀୟ କାବ୍ଯରେ ପ୍ରେମିକ-ପ୍ରେମିକାର ମିଳନ ପାଇଁ ମାଳୁଣୀକୁ ଏକ ଅପରିହାର୍ଯ୍ୟ ଚରିତ୍ର ରୂପେ ବିବେଚିତ କରାଯାଉଥିଲା।
ମାଲୁଣୀ କେବଳ ଫୁଲ ବିକେନା, ରାଜକନ୍ୟାଙ୍କ ମନ କଥା ସେମାନଙ୍କ ଅଳିଅର୍ଦ୍ଦଳି ବୁଝିବା ପାଇଁ ମାଲୁଣୀର ଭୂମିକା ବଡ଼ । ଏପରିକି ରାଜ-ନଅରର ନିଷିଦ୍ଧ ସ୍ଥାନକୁ ବି ମାଲୁଣୀ ମାନେ ପ୍ରବେଶ କରିପାରନ୍ତି। ମାଲୁଣୀ ପାଖରେ ଜାତିଗତ ବୈଷମ୍ୟ ନାହିଁ, ସବୁଠାରୁ ବିଶ୍ଵସ୍ତା ସେ। ଓଡ଼ିଆ ମାଟିରେ ଅନେକ ଶତାବ୍ଦୀ ଧରି ଏହି ମାଲୁଣୀ ଚରିତ୍ର ବିଶ୍ଵାସ ଓ ମିଳନର ପ୍ରତୀକ।
ଏବେ ମାଲୁଣୀ ତ ଏକାକିନୀ ସାଧବ ଝିଅ ପାଖକୁ ଯାଇଛି। ସାଧବଝିଅର ଦୁଃଖ ବୋଇଲେ ସେହି ଏକାକିନୀ ହୋଇ ବିରହ ରହିବାର ବେଦନା -
ରାଜା ପୁଅ ବଡ଼ ହଟିଆ
ଏବେ କରିଛି ହଟ
ସାଧବସୁତାକୁ ଉଆସେ
ନେବ, ଏଇ ତା' କଣ୍ଟ।
ସାତ ରାଣୀଙ୍କର ଏକ ସେ
ପୁଅ, ନୃପତି-ଆଖି,
ଅତି ସେରନ୍ତାରେ ସରିଛି,
ମନ୍ଦ ନାହିଁ ଛି ବାକି।
ଯାହା ସେ ଚାହିଁବ, ପାଇବ
ଯାହା କହିବ ହେବ,
ନାହିଁ କରି ହେବ ବଇରି
ଏତେ ଦମ୍ଭ କା ଥିବ ?
ଗର୍ଭିଣୀକୁ ଚିରି ଦେଖିଛି
ଶିଶୁ ଖେଳେ କିପରି,
ଅଟାଳିରୁ ଫିଙ୍ଗି ମନିଷ
ଦେଖେ ପତନ-ଶିରୀ,
କୁଳବାଳା ତ୍ରାସ ନଗରେ
କଟୁଆଳ ତା' ଭୟେ,
ନିଜେ ଦିଏ ପାପ ଆହାର
ଅବା ନୀରବ ରହେ।
ପାରିଧିକି ଯାଉଁ କେବେ ସେ
ନଈ-ତୁଠେ ଦେଖିଲା,
ସାଧବଝିଅର ସଙ୍ଗିନୀ ସଙ୍ଗେ
ସ୍ନାହାନ ଲୀଳା।
ପରିଚୟ ବୁଝି ଫେରି ସେ
ଘରେ ଧରିଛି ହଟ
ବିଭା ହେବ ତାକୁ, ନଚେତ
ନିଶ୍ଚେ ଛାଡିବ ଘଟ।
ସାଧବକୁ ଡାକି ରାଜନ
ପୁଚ୍ଛା କରନ୍ତେ ମାନେ
କହିଲେ ସେ ଆଜ୍ଞା - " ଆଜ୍ଞା ଆମେ କି
ଯୋଗ୍ୟ ରାଜଗହଣେ ?
ମାଆ ତାର କଥା ଦେଇଛି
ଆଗୁଁ ଶ୍ରୀନୀଳାଚଳେ
ଚେଳିତାକୁ ପୁର ସାଧବ-
ଶ୍ରେଷ୍ଠୀ-ସୁତ ସଙ୍ଗରେ।
ସେ ଥାନୁ ବୋଇତ ଆସିଛି
ଖୋଜି ବୁଝିବି ଠିକ,
କିମ୍ପାଇ ଏ ମଲା କାଳେ ମୋ-
କଥା ହେବ ଅଳୀକ ? "
ଏ କଥା କାନରେ ପହଞ୍ଚୁ
ଗରଜିଲା କୁମାର,
ଦେଖିବି, କିଏ ସେ ପୁରୁଷ
କେତେ ସାହସ ତାର !
ମୋ ଆଖି ଆଗରୁ ଘେନି ସେ
ଯିବ ନାରୀ-ମାଣିକ,
ସିଂହ ଥାଉଁ ହେବ କାନନେ
ବିଲୁଆ କି ମାଲିକ ?
ପୁରପାଳେ ଡାକି ବରଗି
ଦେଲା ପାଇକ ଶତ,
ଛକି ଦେଖିବେ ସେ ସାଧବ-
ଘର ଗତ ଆଗତ,
ସୁତା ତା'ର କାହିଁ ଯିବାରେ
ହେଲେ ସନ୍ଦେହ କାଳେ,
ତତକାଳେ ଦେବେ ସମ୍ବାଦ
ଧାଇଁ ରାଜକୁମାରେ।
(କ୍ରମଶଃ.... )
ଉପସ୍ଥାପନା : ଅମ୍ରିତେଶ ଖଟୁଆ
No comments:
Post a Comment