◆ 'ସାଧବଝିଅ' ଓ କବି ଡଃ ମାୟାଧର ମାନସିଂହ ◆
---------------------------------------------------------
(ଧାରାବାହିକ ଭାଗ - ୬)
ମାଲୁଣୀ ସିନା ଯାଇଛି ଦୁଇ ମନର କଥା ଧରି, ହେଲେ ଏଥିରେ ଗୋଟିଏ ପ୍ରତିନାୟକ ସାଜିଛି - ଏକ ଅତ୍ୟାଚାରୀ ରାଜପୁତ୍ର। ସେ ବି ସାଧବଝିଅର ଦର୍ଶନରେ ପାଗଳ। ସେ ବି ସମାନ ଭାବରେ ହଟ ଲଗେଇଛି । ସାଧବଝିଅକୁ ସେ ନିଜ ରାଜ ଉଆସକୁ ଆଣିବ , ନଚେତ୍, ସେ ଏ ପ୍ରାଣ ଛାଡିଦେବ ବୋଲି ତାଗିଦା ଶୁଣାଇଦିଏ।
ରାଜାଙ୍କ ସାତରାଣୀରେ ସେ ଗୋଟିଏ ବୋଲି ପୁଅ। ହେଲେ ରାଜପରିବାରର ଏକମାତ୍ର ଖଳପୁରୁଷ ଥିଲା। କେତେବେଳେ ଅନ୍ୟର ପତନ କରାଇ ଆନନ୍ଦ ପାଇଛି ତ ଅନ୍ୟକୁ ନିର୍ଯ୍ୟାତନା ଦେଇ ସନ୍ତୋଷ ପାଏ। ତା' ଭୟରେ କୁଳବଧୂମାନେ ସନ୍ତ୍ରସ୍ତ, ନଗରର କଟୁଆଳମାନେ ବି କରନ୍ତି ଭୟ। ହେଲେ, ରାଜପୁତ୍ରଙ୍କ ଅତ୍ୟାଚାର ଭୟରେ ସେମାନେ ତାଙ୍କ ଅପରାଧ ଦେଖି ନୀରବଦ୍ରଷ୍ଟା ସାଜିଥାଆନ୍ତି।
ହେଲେ, ସାଧବ ରାଜାଙ୍କ ପ୍ରସ୍ତାବ ଅପେକ୍ଷା ନିଜ ପୂର୍ବ ପ୍ରତିଶ୍ରୁତି ଜଣାଇଛନ୍ତି ରାଜାଙ୍କୁ। ଝିଅର ମା ନୀଳାଚଳ ଧାମରେ କଥା ଦେଇ ଆସିଛି ଯେ ସେହି ଚେଳିତୋଳାର ସାଧବ ଶ୍ରେଷ୍ଠୀସୁତ ସହ କନ୍ୟାର ପାଣିଗ୍ରହଣ କରାଇବ। ଏବେ ତ ଚେଳିତୋଳାର ବୋଇତ ଆସିଛି, ଏ ପରିଣତ ସମୟରେ ସତ୍ୟଭଗ୍ନ ଅବା କାହିଁକି କରିବ ? ଏ କଥାରେ ରାଜା ନୀରବ ରହିଲେ ସିନା, ରାଜପୁତ୍ର ହିଂସ୍ର ହେଇଗଲେ।
ସେ ପଟେ ବ୍ୟାକୁଳ ସାଧବ ପୁଅ -
"ବୋଇତରେ, ଘରେ, ବେଳାଭୂମେ
ଦେଖୁଥିଲି ସପନ ଯାହାର,
ଦରିଆ ମୁଁ କାଟି କାଟି ଆଜି
ଆସିଅଛି ନିକଟେ ତାହାର।
ଚାରି ଆଖି ହେବି କି ତା' ସାଥେ
ଉତ୍ତର କି ଦେବ ସେ ଆଖିରେ ?
ଫେରିବି ବା ବିଫଳ ବାସନା
ଯହୁଁ ଆସିଥିଲି ସେହି ତୀରେ ?
ବନ୍ଦାଇ କି ନଯାଏ ବୋଇତ
ବେଳାକୁ ସେ ଭାଇଙ୍କ ଗହଣେ
ନଦୀଘାଟେ ସଖିଗଣ ସାଥେ
ନଯାଏ କି ସେ ଅବଗାହନେ ?
କାହିଁ ହେଲେ ଦେଖିବି ମୁଁ ଥରେ
କ୍ଷଣେ ହେଲେ ସେହି ରୂପଶିଖା
ଆସିଛି ମୁଁ ବହୁ ଦେଶ ଡେଇଁ
ଏହି ମୋର ହୃଦୟର ଭିକ୍ଷା।
ମୁଁ ଯେ ତା'ର ଅତି ଅଭାଜନ,
ଏ କଥା କି ବତାଇବ କିଏ?
ମୁଁ ଯେ ହୀନ ଖତଗଦା କୀଟ
ରୂପବତୀ ପ୍ରଜାପତି ସିଏ।
ତା ଚରଣ ଦାସ ହେବି ଯଦି
ଏ ଜୀବନ ସଫଳ ମଣିବି
ତା ତନୁର ମୃଦୁ ସ୍ଵେଦବାରି
ବିଞ୍ଛି ଧୀରେ ଅଲକ୍ଷ୍ୟେ ହରିବି।
ତାହାଲାଗି ଅଗୁରୁ ଚନ୍ଦନ
ବାଟି ଗୋଳି ରଖିବି ଯତନେ,
ତାହା ଲାଗି କୁସୁମ-ଭୂଷଣ
ରଚିବି ମୁଁ ଭକତର ମନେ।
ବସନ୍ତର ନିଶୀଥ ମଳୟେ
ତା ତନୁର ମୃଗମଦ-ରାଗ
ଭାସି ଯେବେ ଆସୁଥିବ, ମୁଁ କି
ନ ପାଇବି ସେ ଦାନର ଭାଗ ?
ଅଲକ୍ତକ ଚରଣେ ଫୁଟାଇ
କୋକନଦ, ଚାଲିବାର ବାଟେ
ଚାଲିଯିବ ଯେବେ ସେ ମେଲାଇ
ମୁକ୍ତ-ବେଣୀ-ମେଘ ସ୍ନାନଘାଟେ,
ଧରି ପଛେ ପ୍ରସାଧନ ତାର
ଯିବାକୁ କି ନୋହିବି ଭାଜନ
ମୋଠାରୁ କି ଭଲ ସେବା ଦେବେ
ତା ଘରର ଯେତଜ ଭୃତ୍ୟଜନ ?
ମାଳୁଣୀ ତୁ ଦିଏ ଏ ମାଳାଟି
ଆଜି ନେଇ କିଶୋରୀକି ତୋର,
ଯଦି ତାର ହୋଇବ ପସନ୍ଦ
କହିବୁ ମୁଁ ମାଳୀ କଳିଙ୍ଗର।
ସଞ୍ଜ ଆସି ହୋଇଗଲା ଏବେ
ଫୁଟିଲେଣି ତାରକା ଗଗନେ
ଆରତିର ବାଜଣା ବାଜଇ
ନଗରର ଦେଉଳ ପ୍ରାଙ୍ଗଣେ।
ରତନର ଦୀପ ଜଳିବଣି
ସାଧବର କିଶୋରୀର ଘରେ
ଶୋଇଥିବ ଅଳସେ ପରା ସେ
ତନୁ ଫିଙ୍ଗି ହଂସୁଲି ଶେଯରେ।
ଦୀପାଲୋକେ ଦୀପ୍ତି ଶ୍ରୀଅଙ୍ଗର
ଜଳୁଥିବ ଅଗ୍ନିଶିଖା ସମ,
ତାର ତନୁ ପରଶରେ ଯେହ୍ନେ
ବାସଭୂଷା ଦିଶେ ମନୋରମ।
ଲମ୍ଵ ନେତ୍ରେ ଏଣେ ତେଣେ ଚାହିଁ
ସଖୀ କା'ରେ କହୁଥିବ କଥା,
ସ୍ମିତ ମୁକ୍ତା ପଡୁଥିବ ବିଞ୍ଚି
ଉପାଧାନ ଚୁମ୍ବୁଥିବ ମଥା।
ଅବା କର ଥୋଇ କପାଳରେ,
ନିରଜନେ ଭାବୁଥିବ କା'ରେ
କିଏ ସେହି ଭାଗ୍ୟଧର ଭବେ ?
ମୁଁ କି, ― ମୁଁ କି, ― ମୁଁ କି ହୋଇପାରେ ?"
(କ୍ରମଶଃ .... )
ଉପସ୍ଥାପନା : ଅମ୍ରିତେଶ ଖଟୁଆ।
No comments:
Post a Comment