👉 ନରତ୍ବଂ ଦୁର୍ଲ୍ଲଭଂ ଲୋକେ ବିଦ୍ୟାତତ୍ର ସୁଦୁର୍ଲ୍ଲଭା
କବିତ୍ବଂ ଦୁର୍ଲଭଂ ଲୋକେ ଶକ୍ତିସ୍ତତ୍ର ସୁଦୁର୍ଲ୍ଲଭା ।। 👈
*************************************
ସଂସାରରେ ସବୁଠାରୁ ଦୁର୍ଲ୍ଲଭ ହେଉଛି କବିତ୍ବ ଶକ୍ତି ।ଯେଉଁ ଶକ୍ତି ବଳରେ କବି ସାମାନ୍ୟରେ ବିଶେଷତ୍ବ ବା ସାଧାରଣରେ ଅସାଧାରଣତ୍ବର ଦର୍ଶନ କରିପାରନ୍ତି ।ଏହିଭଳି ପ୍ରତିଭା ସଂପନ୍ନ ବ୍ୟକ୍ତିତ୍ବ ବା କବି ହେଉଛନ୍ତି -କଟକ ଜିଲ୍ଲାର ବାଙ୍କୀ,ଡମପଡା ନିବାସୀ ଭକ୍ତକବି -ନଟବର ଧଳ ସାମନ୍ତ ।
ପିତା-କୃପାସିନ୍ଧୁ ଧଳ ସାମନ୍ତ, ମାତା-ଚନ୍ଦ୍ରମଣୀ ଦେବୀଙ୍କ ଗର୍ଭରୁ ୧୮୭୬ ଖ୍ରୀଷ୍ଟାବ୍ଦରେ ଜନ୍ମଗ୍ରହଣ କରିଥିଲେ ।ଡମପଡାର ତତ୍ କାଳୀନ ରାଜା ସାହେବ ବ୍ରଜେନ୍ଦ୍ର ଭ୍ରମରବର ରାୟଙ୍କ ରାଜ ପରିବାରରେ ଗୃହଶିକ୍ଷକ ଥିବାରୁ ରାଜ ପରିବାରରେ ତାଙ୍କର ଘନିଷ୍ଠ ସଂପର୍କ ଥିଲା । ରାଜା ସାହିତ୍ୟ ପ୍ରେମୀ ଥିବାରୁ ରାଜ ଦରବାରରେ ବହୁ ସମୟରେ ବିଭିନ୍ନ କବି ,ବିଦ୍ବାନଙ୍କ ମେଳରେ ସାହିତ୍ୟ ଚର୍ଚ୍ଚା ହେଉଥିଲା ।ବର୍ଷସାରା ଗୋଟିପୁଅନାଚ, ଦାସକାଠିଆ,ପାଲା,ସୁଆଙ୍ଗ,ଦୁଆରୀ ନାଚ,ମାନ ଭଞ୍ଜନ ଇତ୍ୟାଦି ମାଧ୍ୟମରେ ସାହିତ୍ୟ ଚର୍ଚ୍ଚା ଲାଗି ରହୁଥିଲା ।
ଅନୁମାନ କରାଯାଏ,ଗାୟକ ମାନଙ୍କ ଖାଇବା ପାଇଁ ରନ୍ଧନ କରାଯାଉଥିବା ବ୍ୟଞ୍ଜନରେ ବ୍ୟବହୃତ ପରିବା ଯେକି କଖାରୁ ମଞ୍ଜି ଫିଙ୍ଗି ଦେବାପରେ ସେହି ମଞ୍ଜିରୁ ଗଛ ଉଠି କଖାରୁ ଫଳ ଫଳି ପୁଣି ଗାୟକ ମାନଙ୍କ ଖାଇବା ପାଇଁ ରନ୍ଧନ କାର୍ଯ୍ୟରେ ଲାଗୁଥିଲା ।
ଦରବାରରେ ଯେଉଁ ସାହିତ୍ୟ ଚର୍ଚ୍ଚା ହେଉଥିଲା,ତାହା ଥିଲା ସ୍ବତନ୍ତ୍ର । କିପରି ?? ପ୍ରତିଦିନ ଆସରରେ ନୂଆଗୀତ ପରିବେଷଣ । ଯାହା ନଟବର ଧଳ ସାମନ୍ତଙ୍କୁ କବିତା ଲେଖିବା ପାଇଁ ଉଦ୍ ବେଳିତ କଲା ଓ ତାଙ୍କ ଲେଖନୀରୁ ଝରି ଆସିଲା ନାନା ଛନ୍ଦ,ରାଗରାଗିଣୀର କବିତା ।
କବିଙ୍କର କବିତା ଏତେ ଉଚ୍ଚ କୋଟୀର ହେଲା ଯେ ,ତାହା ଆବାଳବୃଦ୍ଧ ବନିତା ସବୁରୀ କଣ୍ଠରେ ଝଙ୍କୃତ ହୋଇ ଉଠିଲା । କିନ୍ତୁ,ଦୁଃଖ ଓ ପରିତାପର ବିଷୟ ତାଙ୍କର ଅନେକ କାବ୍ୟ କବିତା ଲୋକ ଲୋଚନ ଅନ୍ତରାଳରେ ରହିଗଲା ।ଏହାର ସୁଯୋଗ ନେଇ କେତେକ ମନ୍ଦାଭିଳାଷୀ ନୀଚ୍ଚମନା ଲୋକ ତାଙ୍କ କବିତାକୁ ସ୍ବନାମରେ ପ୍ରକାଶ କରି ଜନ ସମାଜରେ କବିର ଡିଣ୍ଡିମ ବଜାଇ ବାହାସ୍ଫୋଟ ମାରୁଛନ୍ତି ।
କବି ରଚନା କରିଥିବା 'କ'ଠାରୁ 'କ୍ଷ' ଅକ୍ଷର ପର୍ଯ୍ୟନ୍ତ "କାଳିକା ସ୍ତବଲତା"ଯାହା ଅମୁଦ୍ରିତ । ଡମପଡା ରାଜା ସାହେବ ବ୍ରଜେନ୍ଦ୍ର ଭ୍ରମର ବର ରାୟଙ୍କ ରାଜବାଟୀର ଗୃହଶିକ୍ଷକ ହୋଇ ନଟବର ଧଳ କବିତା ଲେଖିବା ପାଇଁ କାହିଁକି ମନ ବଳାଇଲେ !
ରାଜଦରବାରରେ ହେଉଥିବା ସାହିତ୍ୟ ଆଲୋଚନା,ଛାନ୍ଦ ,ଓଡିଶୀ ଶୁଣି ତାଙ୍କ ମନରେ 'କବି'ହେବାର ପ୍ରତିକ୍ରିୟା ସୃଷ୍ଟି ହେଲା । ହେଲେ ଏ ଶକ୍ତି ପାଇବା ପାଇଁ ଦୈବୀଶକ୍ତିର ଆଶୀର୍ବାଦ ଆବଶ୍ୟକ । ଏହା ଚିନ୍ତା କରି ମାଆ କନକ ଦୁର୍ଗାଙ୍କ ପାଖରେ ପ୍ରାର୍ଥନା କଲେ । ଦିନକର ଘଟଣା ।ରାଜାଙ୍କ ପାଇଁ କ୍ଷୀର ନେଇ ଆସୁଥିବା ବାଟରେ ଜନୈକ ଜରାଜୀର୍ଣ୍ଣ ବୃଦ୍ଧା ନାରୀ ତାଙ୍କ ପଥରୋଧ କରି ଜଳ ମାଗିଲେ । ନଟବର ଧଳ ଆଣିଥିବା କ୍ଷୀର ସେ ମାଆ ଟିକୁ ପ୍ରଦାନ କରିବା ପରେ ସ୍ବରୂପ ପ୍ରକଟ କରି ବର ଯାଚଜ୍ଞା କଲେ ।ନଟବର ମାଆଙ୍କୁ ପ୍ରାର୍ଥନା କରି ମନର କଥା ନିବେଦନ କରିବା ପରେ ମାଆ ତାଙ୍କୁ ଭଲ କବିଟିଏ ହୁଅ କହି ଅପ୍ରକଟ ହେଲେ । ସେହିଦିନ ଠାରୁ ନଟବର ଧଳଙ୍କ ଲେଖନୀ ଚାଲୁ ରହିଲା ।....ତାଙ୍କ କୃତିତ୍ବ ତାଙ୍କ କୃତିତ୍ବ ("କାଳିକା ସ୍ତବଲତାର ) କିୟଦଂଶ......
'କ' ଅକ୍ଷର ,ରାଗ-କାମୋଦୀ ।।
କହେ କେଉଁ ପତିତ ହୋଇ ଅତି ବିନୀତ
ଚଣ୍ଡୀ ଶ୍ରୀପଦେ ମଣ୍ଡି ଚିତ୍ତ ।
କପାଳୀ କୁଳ ପାଳୀ କୃପା ସାଗର କାଳୀ
କର ଗୋ କରୁଣା କିଞ୍ଚିତ ,
ଗୋ ମାହେଶ୍ବରୀ, କଳି କଳୁଷ ନାଶ କର
କ୍ଳୀବିଷ କୁଜ୍ଝଟୀ ଭାସ୍କର ,
କାମନା କଳ୍ପଲତା କନକା ଚଳ ସୂତା
ଜନ କାର୍ଯ୍ୟରେ ତତ୍ପର ।।(କ)।।
👇
ଖଳ କୂଳ ସଂକୁଳ ବୁଡାଇ ଦେଲୁ କୁଳ
ପାଣି ମାନସେ ତପେ ତୋଷି ।
ଖଣ୍ଡା ଖର୍ପର କାତି ଦିବ୍ୟ ପ୍ରଚଣ୍ଡ ଜ୍ୟୋତି
ବାଜେକ୍ର ବ୍ୟାଜ ରାଶି ନାଶି,
ଗୋ ମାହେଶ୍ବରୀ, ଖଣ୍ଡିବା ନିମନ୍ତେ ପ୍ରମାଦ
ଖଟନ୍ତି ସୁର ମୁନି ପଦ
ଖେଦ ସାଗରୁ ରଖ ଡାକୁଅଛି ଅରକ୍ଷ
ଅତି ଆକୁଳେ କରି ମୋଦ ।।(ଖ)।।
👇
ଗଜ ଗଣ୍ଡ ମୁକୁତା ମାଳା ଗଳା ମଣ୍ଡିତା
ବିଳାସ କଇଳାସ ଧାମେ ,
ଗମନ ସୁମନରେ ମୃଗେନ୍ଦ୍ର ବାହନରେ
ସୁମନ ଭ୍ରାନ୍ତି ଯାର ନାମେ ,
ଗୋ ମାହେଶ୍ବରୀ, ଗରିବ ବିଳାପ କଳାପ
ଗତାର୍ଥେ କରି ବିପ୍ରଳାପ
ଗହ ଗହ ଭାସିନୀ ଟହ ଟହ ହାସିନୀ
ବିହ ବେଦନା ଅନୁତାପ ।।(ଗ)।।
👇
ଘେରିଛି ଘୋର ବ୍ୟାଧି ହଜୁଛି ମୋର ବ୍ୟାଧି
ଅଧୀର ଭାବେ ମୁଁ ଭଜୁଛି,
ଘେନ ଦୀନ ଅରଜ ବିମଳୀନ ସରଜ
ଲୋଚନା ସୁଚନା ଗଞ୍ଜୁଛି,
ଗୋ ମାହେଶ୍ବରୀ, ଘଟଣା ଦୁର୍ଘଟଣା ହତେ
ଘୃଣା ନ ବହ ଅନୁଗତେ,
ଘୋଷୁଛି ଦିବାରାତି ବିଧୁନ୍ତୁଦ ଅରାତି
ଖଣ୍ଡ ମଣ୍ଡନା ଅନ୍ତର୍ଗତେ ।।(ଘ)।।
👇
ନବ ପଞ୍ଚ ଭୂବନ ନଗ ନଗର ବନ
ବାସୀଏ ଜାଣନ୍ତି ସକଳେ,
ନ ଜାଣି ନାହିଁ କେହି ଜାଣି ମୁଁ ତ୍ରାହି ତ୍ରାହି
ଡାକୁଛି ରଖ ମା' ବିକଳେ,
ଗୋ ମାହେଶ୍ବରୀ, ନିକଟ ହୋଇଲା ସଙ୍କଟ
ନିଶ୍ଚୟ ହଟା ମୋ ଆକଟ,
ନାଟକରେ ବିସ୍ତାର ମଙ୍ଗଳା ନାମ ଯାର
କାକଟ ପୁରରେ ପ୍ରକଟ ।।(ଙ)।।
👇
ଚନ୍ଦ୍ର ଚନ୍ଦନ ସାର ଚର୍ଚ୍ଚିତ ଅଙ୍ଗେ ମାର
ପର ପରମ ତୋଷ ଚାହିଁ ।
ଚରା ଚର ବନ୍ଦନ ଗଜ ବକ୍ତ୍ର ନନ୍ଦନ
ଯାର ବିଦ୍ୟା ଅନ୍ତ ନାହିଁ ।
ଗୋ ମାହେଶ୍ବରୀ ,ଚୁରି ପକାଅ ଚିନ୍ତା ଗିରି
ଚାରି ଦିଗରେ ହେଉ ହୁରି ।
ଚଣ୍ଡ ମୁଣ୍ଡ ମାଳିକା ଗଳା ଭୂଷା କାଳିକା
ଦଣ୍ଡନା ଖଣ୍ଡ ଖେଦ ଭାରି ।।(ଚ) ।।
👇
ଛାତିକି ଚିନ୍ତା କାତି ପକାଉଛି ନିପାତି
ଧାତିକାରେ ମା' ରଖ ଆସି ।
ଛାଡି ସକଳ ଆଶା କରିଅଛି ଭରସା
ଦରଶାଇ ମୋ ଦୁଃଖ ରାଶି ।
ଗୋ ମାହେଶ୍ବରୀ ,ଛଦ୍ମ ନ ମଣ ପଦ୍ମ ଗନ୍ଧା
ଛାର ମଣିଛି ଭବ ଧନ୍ଦା ।
ଛନକା ଜଗତ ହୋଇ ମନ କାହିଁରେ ନାହିଁ
କନକାଙ୍ଗୀ ଶ୍ରୀପଦେ ବନ୍ଧା ।।(ଛ)।।
👇
ଜଗତରେ ଭକତି କରିକେତେ ଅଗତି
କି ଗତି ଲଭି ହେଲେ ବୁଦ୍ଧ ।
ଜପି କେତେ କବିଜ୍ଞ. ଭାବି କାହିଁ ଅବିଜ୍ଞ
ହେଲେ ସର୍ବଜ୍ଞ ପ୍ରାଣେ ସିଦ୍ଧ ।
ଗୋ ମାହେଶ୍ବରୀ ,ଜାଣିଛି ଶୁଣିଛି ମହିମା
ଜଞ୍ଜାଳ ଏଣୁ ଗିରି ଜେମା
ଜମ୍ଭା ରାତି ମଉଳି ମୁକୁଟ କରେ କେଳି
ଯା ପାଦେ ହରାଇ ଗାରିମା ।।(ଜ) ।।
👇
ଝୀନ ବସନା ଗୋପୀ ପୀନ ସ୍ତନାଏ କଳ୍ପି
ପୁଜିଲେ ଶ୍ୟାମ ପ୍ରେମ ଛଳେ ।
ଝଟକ ତେଜେ କଂସ କଟକରେ ପ୍ରକାଶ
ଛଟକେ ଗୋପୀ ହେଲୁ ବଳେ ।
ଗୋ ମାହେଶ୍ବରୀ ,ଝଙ୍କାରୁ କରକଞ୍ଜେ ଖଣ୍ଡା
ଝଡିଲେ ଦୌଡ ଗଣ୍ଡା ଗଣ୍ଡା
ଝାଡନା ଭଣ୍ଡିଦେଇ ତବ ପଦରେ ମୁହିଁ
ମଣ୍ଡିଛି ମନ ପୁଷ୍ପ ଧଣ୍ଡା ।।(ଝ)।।
👇
ନିରକ୍ଷ ନରପତି ରଖ ରଖ ପାର୍ବତୀ
(ପର୍ବ) ଅର୍ଦ୍ଧ ଚନ୍ଦ୍ରମା ପ୍ରଭାନନୀ
ନିଶିଥରେ ସୁଖରେ ଅଶୀ ଧରି ଶ୍ରୀକରେ
ଭ୍ରମୁ ମା' ପ୍ରଲମ୍ବ କେଶିନୀ ।
ଗୋ ମାହେଶ୍ବରୀ ,ନାହିଁ କାହାକୁ ଚିତ୍ତେ ଶଙ୍କା
ନିଶାଚରଙ୍କ ରଣେ ରଙ୍କା ।
ନିଃଶେଷ କାମନାରେ ନର କେ ସୁମନାରେ
ଦିଅନ୍ତି କାଚ କାଛ ଶଙ୍ଖା ।।(ଞ)।।
👇
ଟାକିଛି କାଳକୁଟ କପଟେ କରିନାଟ
ଟେକି ନେବଟି ବିନା ଦୋଷେ ,
ଟାଣ ପଣେ କୃପାଣ. ଭୂଷା ନିକ୍ଷେପି ବାଣ
ହାଣ ତା କଉଶଳ ରୋଷେ ,
ଗୋ ମାହେଶ୍ବରୀ ,ଟିକାଏ କରୁଣା ପ୍ରସରୁ
ଟଳୁଛି ଜୀବ ଅବଶରୁ ,
ଟାହି ନ ମଣ ମୋର. କହିବା ସମାଚାର
ଅହିତ ଯଶା ଅପସରୁ ।।(ଟ)।।
👇
ଠାକୁରାଣୀ ସମାଜ. ଶିରୋମଣୀ ଗୋ ରାଜ
ନନ୍ଦିନୀ ତ୍ରିପୁର ବନ୍ଦିନୀ ,
ଠାଣିରେ ନାହିଁ ନାହିଁ ଆଣିରେ କେହି କାହିଁ
ବାଣୀରେ ସୁଧା ଗର୍ବ ହାନୀ ,
ଗୋ ମାହେଶ୍ବରୀ ,ଠାକିଛି ଆଖି ତବ ଧ୍ୟାନେ
ଠାବତ ନାହିଁ ଅନ୍ୟ ସ୍ଥାନେ
ଠୁଳ ବିପତ୍ତି ରାଶି ଦେଉଅଛି ଗରାଶି
ସୁଦୟା ହେଉ ଏ ଅଜ୍ଞାନେ ।।(ଠ)।।
👇
ତୀକ୍ଷ୍ଣ ନାରାଚ ହସ୍ତା ହୋଇଅଛି ପ୍ରଶସ୍ତା
ତ୍ରିନେତ୍ର ଜ୍ୟୋତି ବ୍ୟତିହୋତ୍ର ।
ତୀବ୍ର କୋପେ ଆରକ୍ତ ହୋଇଅଛି ବିରକ୍ତ
ଦଳିଲୁ ରକ୍ତ ବୀର୍ଯ୍ୟା ଗାତ୍ର ।
ଗୋ ମାହେଶ୍ବରୀ ,ତ୍ରିଦଶ ଦର୍ଶନରେ ଚିତ୍ର
ତ୍ରିପୁର ହିତେ ପୁଲକିତ ।
ତବ ତତ୍ତ୍ବ ନ ଜାଣେ ନାମାକ୍ଷରକୁ ଗୁଣେ
କର ମା ବିଗ୍ରହ ପବିତ୍ର ।।(ତ)।।
👇
ଥୟ ନ ପାନ୍ତି ଯାର ସୁରମୁନି କିନ୍ନର
ଉତ୍ପତ୍ତି ସ୍ଥିତି ଯା ହୃଦରେ ।
ଥାଉଁ ଥାଉଁ ଜନନୀ କରି କ୍ରନ୍ଦନ ଧ୍ବନୀ
ନନ୍ଦନ ସରେ ଅନାଦରେ ।
ଗୋ ମାହେଶ୍ବରୀ ,ସ୍ଥିତ ଯେ ପ୍ରାପ୍ତ ମୋ ହୃଦରେ
ସ୍ଥାନ ନ ପାଇ ଯାଉ ଦୂରେ ।
ଥରପ ପୂର୍ବ ହୃଦ ନ କର ଇ ଛେଦ ଖେଦ
ପାଦପ କୃପା କୃପାଣରେ ।।(ଥ)।।
👇
ଦୁର୍ଦ୍ଦଶା ରାହୁ ଆସି ଜ୍ଞାନଚନ୍ଦ୍ରକୁ ଗ୍ରାସି
ଦେଉଛି ନାଶ ଚକ୍ର ମାରି ।
ଦମ୍ଭ ଦ୍ରୁମ ଅଟଳ ହୈଉଛି ଟଳ ଟଳ
ମାୟା ପଟଳ ଅଙ୍ଗେ ଘେରି ।
ଗୋ ମାହେଶ୍ବରୀ ,ଦଣ୍ଡନା ପଦ ସେବକରେ
ଦୂଷଣ ଦୃଶ୍ୟ ବିବେକରେ ।
ଦୁଃଖି ଦୁଃଖ ମୋଚନ କରିବାରେ କାଞ୍ଚନ
ସଂଯୁକ୍ତ ନୁହଁ ଲାଞ୍ଛନରେ ।।(ଦ)।।
👇
ଧ୍ରୁମ ଲୋଚନ ତେଜ ଦେଖି ଅମର ରାଜ
ଦର୍ପ ହରାଇ ଅପସରି ।
ଧାତିକାରେ ଅସୁର ବୀର ଗର୍ବ କୁଞ୍ଜର
ଦଳନେ ହୋଇଲୁ କେଶରୀ ।
ଗୋ ମାହେଶ୍ବରୀ ,ଧୂର୍ଜ୍ଜଟୀ ସ୍ନେହାନୁବନ୍ଧରେ
ଧୃତି ସମ୍ପାଦି ନିର୍ବନ୍ଧରେ ।
ଧ୍ୟାନ ନିବେଶି ଧିରେ ଗଙ୍ଗା ମଣ୍ଡନ ଶିରେ
ସାଧିଲୁ ତପସ୍ୟା କନ୍ଦରେ ।।(ଧ) ।।
👇
ନକଲେ ଅନୁକଂପା ଗଲିଟି ସରି କୃପା
ଦାୟିନୀ ଖେଦ ଅକୂପାରେ ।
ନଜର କର ଦର ଭୂଷଣା ଖେଦ ଘୋର
ଦହୁଛି ତବ ଅକୃପାରେ ।
ଗୋ ମାହେଶ୍ବରୀ ,ନିଖିଳ ନେତ୍ର ସୁଖ ଦାନୀ
ନିରାଶ ଆଶାରେ ମୁଁ ଗ୍ଳାନି ।
ନିହାର କର ଭୂଷା ବିହାରିଣୀ ସୁଦୃଶା
ସାହା ହୁଅ ମା' ମୁଁ ଅଜ୍ଞାନୀ ।।(ନ) ।।
👇
ପୂର୍ବ ଦେବତା ଗଣ ଗର୍ବ ଚଣା ଚର୍ବଣ
କରିଲୁ ସର୍ବ ସିମନ୍ତିନୀ ।
ପର୍ବ ପୂଜାରେ ସର୍ବ ନୃପତି ଖର୍ବ ଖର୍ବ
ବଳୀ ଦିଅନ୍ତି ବ୍ରତେ ମାନି ।
ଗୋ ମାହେଶ୍ବରୀ ,ପାରିନ୍ଦ୍ର ପ୍ରଭୁ ସିଦ୍ଧେଶ୍ବରୀ ,
ପ୍ରମାଦ ଦୁକୁଳ କତୁରୀ ।
ପୂର୍ଣ୍ଣ କର କାମନା ଚୂର୍ଣ୍ଣ ବର ସୁମନା
ମୋର ନାହିଁକେ ରକ୍ଷାକାରୀ ।।(ପ)।।
👇
ଫଣୀ ଭୂଷା ରମଣୀ କାମିନୀ ଶିରୋମଣୀ
ଯାମିନୀ ଧରାରେ ଭ୍ରମଣୀ ।
ଫୁଲ ମନ୍ଦାର ଆଣି ଅମରୀ ଇନ୍ଦ୍ର ରାଣୀ
ବନ୍ଦାନ୍ତି ପଦେ ମଣ୍ଡି ପାଣି ।
ଗୋ ମାହେଶ୍ବରୀ ,ଫେଡୁ ଜଡପ ଅପଘନୁ,
ସ୍ଫୁରୁ ପ୍ରବନ୍ଧ ମୋର ମନୁ ।
ଫଡକା ଉଡେ ଦଶ ଦିଗରେ ତବ ଯଶ
ଘୋଷଣା ଉଠଇ ଭୂବନୁ ।।(ଫ) ।।
👇
ବଳୟ ଭୂଷା ଆଶ ଲତା ଚାରୁ ବିଶେଷ
ମହିମା ମଳୟ ମରୁତ ।
ବିପକ୍ଷ କୁଳ ଅର- ବିନ୍ଦ ବନ ତୁଷାର
କିଂପା ନ ସାର ମୋ ଦୂରିତ ।
ଗୋ ମାହେଶ୍ବରୀ ,ବିଦ୍ୟାଦାୟିନୀ ଭଗବତୀ
ବିହ ସୁଜ୍ଞାନ ଇଭଗତି ।
ବିଦ୍ୟ ଦିଶନ୍ତେ ଯାର ଦିବ୍ୟ ଜ୍ୟୋତି ନିକର
ସେବ୍ୟ ସେ ପଦେ ମୁଁ ଦୁର୍ମତୀ ।। (ବ)।।
👇
ଭ୍ରାନ୍ତି ହରଣେ ଶାନ୍ତି ବିହବାରେ ପାର୍ବତୀ
ଦହଇ ପାପ ଦାବାନଳ ।
ଭର୍ଗପୁର ମଣ୍ଡନା ଭୃତ୍ୟଜନ ଦଣ୍ଡନା
ବରଷ ଅନୁକଂପା ଜଳ ।
ଗୋ ମାହେଶ୍ବରୀ ,ଭୃତ୍ୟ ଜନରେ କର ରକ୍ଷା
ଭଙ୍ଗୁରେ ହେଉ ଶତ୍ରୁ କକ୍ଷା,
ଭାଗୁଛି ପରଦ୍ବେଷ ରାଗୁଛି କି ମାନସ
ମାଗୁଛି ଅପବର୍ଗ ଭିକ୍ଷା ।। (ଭ) ।।
👇
ମହନ୍ତେ ଯାର ସ୍ତୁତି ସୁମନରେ ଗୁଣନ୍ତି
ଶୁଣନ୍ତି ନରେ ପ୍ରମୋଦରେ ।
ମାନ୍ତ୍ରୀକ ମହୀଶ୍ବର ଚରଣେ ପରିକର
ଶରଣ ଇଚ୍ଛନ୍ତି ଆଦରେ ।
ଗୋ ମାହେଶ୍ବରୀ ,ମହିଷାସୁରେ ହିଂସା ବହି
ମଦ ମର୍ଦିଲୁ ମହାମାୟୀ ,
ମହୀ ପରେ କଚାଡି ବକ୍ଷ ତ୍ରିଶୂଳେ ଫୋଡି
ଦୁଷ୍ଟ ବଧିଲୁ କଷ୍ଟ ସହି ।। (ମ) ।।
👇
ଯାତନା ଚୟ ହତେ ପୁତ ନାମା ଜଗତେ
ଭକତେ ଭକ୍ତି ନିରନ୍ତରେ ।
ଯଥାର୍ଥ ମୁଁ କହୁଛି ଯନ୍ତ୍ରଣା ଦହୁଅଛି
ଅନବରତେ ମୋ ଅନ୍ତରେ ।
ଗୋ ମାହେଶ୍ବରୀ ,ଯୋଗିନୀ ଗଣ ଯାର ଦାସୀ
ଯାତୁଧନକୁ ଯୁଦ୍ଧେ ପେଷି ।
ଯୁଥ ଯୁଥ ପ୍ରସଙ୍ଗେ ବିଳସି ରଣ ରଙ୍ଗେ
ଆନନ୍ଦ ତରଙ୍ଗରେ ଭାଷି ।। ( ଯ ) ।।
👇
ରଙ୍ଗ ରାଜୀବ ଧର ଢଙ୍ଗ କେଡେ ରୁଚିର
ମଙ୍ଗଳ ଦାତ୍ରୀ ଗୋ ଶଙ୍କରୀ ।
ରବି ତଳରେ କବି ଯାହା ପବିତ୍ର ଛବି
ବର୍ଣ୍ଣିଲେ ଗ୍ରନ୍ଥ ପୂର୍ଣ୍ଣ କରି ।
ଗୋ ମାହେଶ୍ବରୀ ,ରତ୍ନାଧିପତି ଜଳେଶ୍ବର
ରସାରେ ଯେତେ ନୃପବର ।
ରଟନ୍ତି ନାମ ରତେ ଖଟନ୍ତି ଦାସ ମତେ
ଲୋଟନ୍ତି ପ୍ରପଦେ ତୋହର ।। (ର) ।।
👇
ଲମ୍ବୋଦର ଜନନୀ ଅମ୍ଭୋଜ ପଦ ବେନି
ଅମୋକ୍ଷ ନର ମୋକ୍ଷ ସ୍ଥଳୀ ।
ଲକ୍ଷଣ ପରିପୂର୍ଣ୍ଣ ଇକ୍ଷଣା ନଳ ସ୍ଥାନ
ଅଘ ମର୍ଷଣେ ଦକ୍ଷ ଭାଳି ।
ଗୋ ମାହେଶ୍ବରୀ ,ଲଗାଇ ଅଛି ଧ୍ୟାନ ତହିଁ ,
ଲୋଲୁପ ଅତିଶୟ ହୋଇ ।
ଲୁଟି କର ମୋ ପାପ ସଂପଦ ତ ଅମାପ
କରୁଣା ତସ୍କର ପଠାଇ ।। (ଳ) ।।
👇
ବିରଞ୍ଚି ସୁନାଶିର ବିଧୁ କଳାପ ଶିର
ତୁଷାର ଅତୁସାର କର ।
ବହନ୍ତି ମନେ ଭ୍ରାନ୍ତି ଦେଖି ଆବହ ଜ୍ୟୋତି
ଆଉ କେ ହୋଇବ ନିଜର ।
ଗୋ ମାହେଶ୍ବରୀ ,ବିରକ୍ତି ହେଲେ ହେଉ ଜାତ
ବ୍ୟକ୍ତ କରୁଛି ମୋ ଦୁଷ୍କୃତ ।
ବିଘ୍ନ ରମ୍ଭା କାନନ ଭଂଜନେ ପ୍ରଭଂଜନ
ମହିମା ଯାହାର ବିଖ୍ୟାତ ।। (ବ)।।
👇
ଶରାଶନ ଧାରିଣୀ ଧରାଭୟ ହାରିଣୀ
ପତିତ ତାରିଣୀ ଗଉରୀ ।
ଶରଣ ଅଶରଣ ଦୁଃଖ କରେ ହରଣ
ଚରଣ ଅରବିନ୍ଦ ଶିରୀ ।
ଗୋ ମାହେଶ୍ବରୀ ,ଶୁଣି ମୋ ଆରତି ଭାରତି
ଶୁଭଦା ଶାନ୍ତ କର ମତି ।
ଶୁମ୍ଭ ନିଶୁମ୍ଭ ଦୈତ୍ୟ ଦମ୍ଭ କୁମ୍ଭ ତୁରିତ
ଭାଙ୍ଗିଲୁ ହୋଇ ଉଗ୍ରମୂର୍ତ୍ତୀ ।।(ଶ)।।
👇
ଷଷ୍ଟ ଅଷ୍ଟ ଭୁବନ ଦୈତ୍ୟ ଦୁର୍ଜନ ଜନ
ହୃଷ୍ଟ ଗର୍ଜନ କରିପାରୁ ।
ଷଣ୍ଡ ଧ୍ବଜ ସୁମନା ଖଳ କୁଳ ଦମନା
ତବ ମହିମା ମହାମେରୁ ।
ଗୋ ମାହେଶ୍ବରୀ ,ଷଣ୍ମୁଖ ମାତା ଜଗଦ୍ଧାତ୍ରୀ
ଷଡ୍ ବର୍ଗ ଦାନୀ ରାଜପୁତ୍ରୀ ।
ଷଣ ପୁଷ୍ପ ଦୂଷଣ କାନ୍ତି ଲକ୍ଷେ ଭୂଷଣ
ହେବ ନିଶ୍ଚୟ ତ୍ରୟ ନେତ୍ରୀ ।।( ଷ ) ।।
👇
ସଦାଶିବ ଦାୟିନୀ ସଦାଶିବ ମୋହିନୀ
ନ ଶିବ ଦାସ ଅଶିବରେ ।
ସାଧୁ ସଂସର୍ଗ ମିଶି ଯାଉଧି ପକା ନାଶି
ଖଳ ନିସର୍ଗ ଅସିବରେ ।
ଗୋ ମାହେଶ୍ବରୀ ,ସତତ ସାନନ୍ଦେ ଭାବିତ
ସମାପ୍ତି ହେଉ ମନୋରଥ ।
ସୁଧର୍ମାରେ ସୁଖ୍ୟାତି ପୂର୍ଣ୍ଣ ଯାହାର କୀର୍ତ୍ତି
ମୋ ଛାର ଦୁଃଖ କେତେ ମାତ୍ର ।।(ସ )।।
👇
ହେଳା କଲେ ମୋ ଭେଳା ବୁଡିବ ଛାଡି ବେଳା
ବଳାଇ ଜଣାଇବି କେତେ ।
ହତାଶ କଲେ ଭକ୍ତ ରକ୍ଷା କେ ନାହିଁ ରକ୍ତ
ନେତ୍ରୀ ମୋ ପରିତାପ ହତେ ।
ଗୋ ମାହେଶ୍ବରୀ,ହର୍ଯ୍ୟକ୍ଷ ଯାହା ଆଶ୍ରେ କରି
ହୋଇଛି ସେ ପଦେ ଭିକାରୀ ।
ହିତା ହିତ ନ ବାଛି ମରଜି ନିବେସିଛି
ବରଜି ସର୍ବ ସୁଖ ଶିରୀ ।।(ହ)।।
👇
କ୍ଷିପ୍ରରେ ସୁପ୍ରସନ୍ନ ମୋ ପ୍ରତି ହୋଇ ଘେନ
ଆପତିଶ ଗୋପତୀନା କାନ୍ତା ।
କ୍ଷଣେ ପ୍ରଭା ବର୍ଦ୍ଧନ କରି କର ମର୍ଦ୍ଦନ
କିଙ୍କର ଜନେ ଚିତ୍ତୁ ଚିନ୍ତା ।
ଗୋ ମାହେଶ୍ବରୀ ,କ୍ଷମତା ସର୍ବ ବିଧାନରେ ,
କ୍ଷୋଭ ଘୁଞ୍ଚାଅ ଅକାତରେ ।
କ୍ଷମା ମାଗୁଛି ମାତ ଅକ୍ଷମ ଅନୁଗତ
ନଟବର ଶ୍ରୀ ପଦାବ୍ଜରେ ।। (କ୍ଷ) ।
*******
( ସମାପ୍ତ )
ସମ୍ମାନସ୍ପଦ ଗାୟକ ଶ୍ରୀଯୁକ୍ତ ନରେନ୍ଦ୍ର ସାମଲ ମହୋଦୟଙ୍କ ପ୍ରୋତ୍ସାହନ ପାଇ କବି ନଟବର ଧଳଙ୍କର ଏ "କାଳିକା ସ୍ତବଲତା"ଟିକୁ ଉପସ୍ଥାପନା କରିଛନ୍ତି ଶ୍ରୀମତୀ ଗାୟିକା ଅମିତ୍ରା ସାମଲ । 👇
No comments:
Post a Comment