✍ ଉପେନ୍ଦ୍ର କୁମାର ବସ୍ତିଆ
କାହାକୁ ଖୋଜୁଛି ଖରା ବରଷାରେ
ହୃଦୟ ଝରକା ଖୋଲି
କାହା ପାଇଁ ମୋର ନିବୁଜ କୋଠରୀ
ସର୍ବଦା ଥିଲାଟି ମେଲି
ହୃଦୟେ ଲାଗଇ କ୍ଷତ
ବୁଝିଲାନି ସିଏ ଆଜି ମୁଁ ଅଲୋଡ଼ା
ହେଉଅଛି ମୃତାବତ ll
ମୋ ହୃଦ ସାଗରେ ଉଠୁଛି ଜୁଆର
ବେଳା ଭୂମି ଛୁଁଏ ନାହିଁ
ମୋ'ମନ ଆକାଶେ ଭଷା ମେଘ ଭାସେ
ନିଦାରୁଣ ମରୁଭୂଇଁ
ନୀରବେ ଗାଉଛି ଗୀତ
ମୂଲ୍ୟହୀନ ମୋର ନିରବ ରୋଦନ
ନିଜେ ହୁଏ ମର୍ମାହିତ ll
ପର କରି ଦେଇ ଚାଲିଗଲ ସହି
ମନେ ଭରି ଅଭିମାନ
ତୁଟାଇ ଦେଇଛ ଅତୀତ ଭବିଷ୍ୟ
ତା ସହିତ ବର୍ତ୍ତମାନ
ସ୍ବପ୍ନ ମୋର ଅସୁମାରୀ
କେତେବେଳେ କାହିଁ
ବୁଡ଼ିଯିବ ସେହି
ଅଭିଶପ୍ତ ଭଗ୍ନ ତରୀ ll
ସେ ଚୋରା ଚାହାଣି ଅତୀତ କାହାଣୀ
କୋକିଳର କୁହୁ ତାନ
ପ୍ରକୁତି ରାଣୀର ଶସ୍ୟ ଶ୍ୟାମଳା
ସମ୍ପଦର ମନୋରମ
ନିଃଶବ୍ଦ ସମୟ କୋଳେ
ନାଚି ଯାଉ ଥିଲା ମାନସପଟରେ
ମୃଦ୍ୟୁମନ୍ଦ ହାସ୍ୟ ରୋଳେ ll
No comments:
Post a Comment