ଏମିତି ଏ ବାଟ କେତେ ଅଙ୍କାବଙ୍କା
ବାଟୋଇ ଏକା ଜାଣିଛି
ଚଲାପଥେ ତା'ର ସ୍ମୃତି ବିସ୍ମୃତିର
କଥା ଯେ ମନେ ପଡୁଛି
ବାଟୋଇ ତ କେବେ ହିସାବ କରେନା
ବାଟ ତା'ର କେତେ ଦୂର
ସବୁ ବୁଝି ସିଏ ନ ବୁଝିଲା ପରି
ରହିଥାଏ ନିରୁତ୍ତର l
- ରାମ ଚନ୍ଦ୍ର ପ୍ରଧାନ
ଜୀବନର ଏଇ ଚଲାବାଟରେ ଯେ
କେବେ କିଏ ଭେଟ ହୁଏ
ଅଚିହ୍ନା ମୁହିଁଟି ଲାଗେ ଚିହ୍ନା ଚିହ୍ନା
ପ୍ରେମ ଯେବେ ହୋଇ ଯାଏ
ମନେ ପଡେ ନିତି ବାଟୋଇ ଦେଖିଲେ
ପଛ ଦିନର ସେ'କଥା
ଦରଦୀ ହୃଦୟେ ବେଦରଦୀ ହେଲେ
ମନେ ଭରିଯାଏ ବ୍ଯଥା
- ଜଗବନ୍ଧୁ ସାହୁ
ଭୂଗୋଳର ନକ୍ଶା ବଦଳି ଯାଇଛି
ମାଟିରୁ ପକ୍କା ସଡ଼କ
ଅଙ୍କାବଙ୍କା ବାଟ ଦୁଇ ପାର୍ଶ୍ବେ ବୃକ୍ଷ
ବାଟୋଇକୁ ଛାଇ ସୁଖ
ଯାନ ବାହାନବି ବଦଳି ଯାଇଛି
ନାହିଁସେ ଶଗଡ଼ ଗାଡ଼ି
ବାଟୋଇଙ୍କ ହାତେ ଫଟଫଟିଆଯେ
ଯାଏ କଳା ଧୂଆଁ ଛାଡ଼ି
‐ ରାଧା କୃଷ୍ଣ ବାୟକ
ଜୀବନ ବାଟରେ ବାଟୋଇ ଟିଏ ମୁଁ
ଚଲା ବାଟ କଣ୍ଟକିତ
କେବେ ମରୁବାଲି କେବେ ଫଗୁ ହୋଲି
କେବେ ଫୁଲର ମହକ
ଚାଲୁଛି ଚାଲିବି ଜୀବନ ସଂଗ୍ରାମେ
ପଥ ମୋ ଅନେକ ବାକି
ଦୁଃଖର ଗଣ୍ଠିଲି ବୋହି ମୁଁ ଚାଲୁଛି
ତଥାପି ଯାଇନି ଥକି
- ପ୍ରବୀର ମଲ୍ଲିକ୍
ଯନ୍ତ୍ରଣା ପୂରିତ ଦୁଃଖ ଜର୍ଜରିତ
ଚକ୍ରବ୍ୟୁହ ଏ ସମୟ
ବଞ୍ଚିବାର ରାହା ଅଶ୍ରୁ ପୂର୍ଣ୍ଣ ଆହା
ସତରେ ଭାରି ନିର୍ଦ୍ଦୟ
ନୀରବ ନିଶ୍ଚଳ ନାହିଁ କୋଳାହଳ
ପ୍ରକୃତି ଆଜି ଦାରୁଣ
ଚାଲିବାକୁ ହେବ ମିଛ ସଂସାରରେ
ବାକି ବନ୍ଧୁ କିଛି କ୍ଷଣ
- ଟୁକୁନା ସାହୁ
ପରମାତ୍ମାଙ୍କର ସଂସାର ହାଟରେ
ଆମେ ସଭିଏଁ ବାଟୋଇ
ଦରକାର ଧର୍ମ ସ୍ବଳ୍ପ ସ୍ନେହ ପ୍ରେମ
ବାଟ ପାରି ହେବା ପାଇଁ
ସହଯାତ୍ରୀ ପରି ପୁଣ୍ୟକୁ ସଞ୍ଚିଥା
ଉନ୍ମାଦନା କରି ପଛ
ବାଟର ବାଟୋଇ ଯେହ୍ନେ ଆଦରଇ
ପାଦପର ଦାନ-ଗୁଚ୍ଛ
- ସନ୍ତୋଷ ପଟ୍ଟନାୟକ
ଅସରା ବାଟର ବାଟୋଇ ସାଜି ମୁଁ
ଏକା ଆଜି ଚାଲେ ବାଟ
କିଛି ବୁଝି କିଛି ଜାଣିବା ଆଗରୁ
ପଢୁଛି ଦୁଃଖର ପାଠ
ଦୁଃଖର ସବାରି କାନ୍ଧେ ମୋର ଧରି
ହେଉଥାଏ ଦହଗଞ୍ଜ
ଜାଣେନା କୋ'ଦିନ କେଉଁଠି ମୋ ଘର
ଆସିଲେତ ମାଡି ସଞ୍ଜ
ପାଦ ଦୁଇ ମୋର ଥକିବା ଆଗରୁ
ଚାଲୁଥାଏ ନିରନ୍ତର
ନାହିଁ ମୋ'ନିଜର ନିହାତି ଇତର
ଶବ୍ବରେ ମୁଁ ଯାଯାବର.....,,,
‐ ରବିନ୍ଦ୍ର ସାହୁ
ବାଟର ବାଟୋଇ କେବେ ଖରା ଛାଇ
ଝୁଣ୍ଟୁଥାଏ ଖାଲ ଢିପେ
ଜୀବନେ ଯନ୍ତ୍ରଣା ସୁଖର ଭରଣା
ତ୍ରାହିମାମ୍ ସଖା ଜପେ
ପଡେନାହିଁ ଥକି ଚାଲେ ମାପିଚୁପି
ଅସରା ଜାଣିଛି ବାଟ
ବିଶ୍ରାମ ଦିଘଡି ଚାଲଇ ଦହଡି
କଳ୍ପନାରେ କଳ୍ପବଟ
- ଦାଶରଥି ସାହୁ
No comments:
Post a Comment