#ଦଶ ଅବତାର
ବୈଷ୍ଣବବାଦ ଯାହାକୁ ବିଷ୍ଣୁ ପୂଜନର ମୂଳ ଆଧାର ବୋଲି ଗ୍ରହଣ କରାଯାଇଥାଏ । ବିଷ୍ଣୁ ଅବତାରୀ ପୁରୁଷ , ଭାଗବତ ଅନୁଯାୟୀ ବିଷ୍ଣୁ ଚବିଶଟି ଅବତାର ଧାରଣ କରିଛନ୍ତି।
■#ମତ୍ସ୍ଯ_ଅବତାର
ଏହି ଅବତାରରେ ବିଷ୍ଣୁ ମହାପ୍ରଳୟ ସମୟରେ ଅତଳ ଗଭୀର ସମୁଦ୍ର ମଧ୍ୟରେ ବୁଡ଼ି ଯାଇଥିବା ‘ବେଦ’ ଗ୍ରନ୍ଥକୁ ଉଦ୍ଧାର କରିଥିଲେ ।
■#କଚ୍ଛପ_ଅବତାର
ଦ୍ୱିତୀୟ ଅବତାରରେ କଚ୍ଛପ ରୁପେ ଆବିର୍ଭୁତ ହୋଇ ସମୁଦ୍ର ମନ୍ଥନ ବେଳେ ମନ୍ଦର ପର୍ବତକୁ ନିଜ ପୃଷ୍ଠରେ ଧାରଣ କରିଥିଲେ । ଦୁର୍ବାସାଙ୍କ ଶାପରୁ ଇନ୍ଦ୍ର ଶ୍ରୀହୀନ ହେବାରୁ ଲକ୍ଷ୍ମୀ ସ୍ୱର୍ଗରୁ ଯାଇ ସମୁଦ୍ର ଗର୍ଭରେ ବାସ କଲେ । ବ୍ରହ୍ମାଙ୍କ ଉପଦେଶ ଅନୁସାରେ ମନ୍ଦର ପର୍ବତକୁ ମନ୍ଥନ ଦଣ୍ଡ ଓ ବାସୁକୀକୁ ମନ୍ଥନ ରଜ୍ଜୁ କରି ରଜ୍ଜୁର ଏକ ପାଖକୁ ଦେବତାଗଣ ଓ ଅନ୍ୟ ପାଖକୁ ଅସୁର ମାନେ ଟାଣି ସମୁଦ୍ରକୁ ମୋହିଁଲେ । ମନ୍ଥନ ଫଳରେ ପ୍ରଥମେ ହଳାହଳ ବିଷ ବାହାରିଲା । ଏ ବିଷର ଜ୍ୱାଳାରେ ସମସ୍ତେ ଅସ୍ଥିର ହୋଇ ମହାଦେବଙ୍କୁ ସ୍ତବ କରିବାରୁ ସେ ସନ୍ତୁଷ୍ଟ ହୋଇ ଉକ୍ତ ବିଷକୁ ପାନ କଲେ । ତତ୍ପରେ ପୁଣି ମନ୍ଥନ କରିବାରୁ ସମୁଦ୍ର ମଧ୍ୟରୁ ଚନ୍ଦ୍ର, ପାରିଜାତ, ଉଚ୍ଚୈଃଶ୍ରବା ଅଶ୍ୱ, ଐରାବତ ଗଜ, ସୁରଭୀ ଗାଈ, ଲକ୍ଷ୍ମୀ ଓ ଧନ୍ୱନ୍ତରୀ ଅମୃତଭାଣ୍ଡ ସହିତ ବାହାରିଲେ । ଅସୁରମାନେ ଅମୃତଭାଣ୍ଡ ହରଣ କରିବାକୁ ଉଦ୍ୟତ ହେବାରୁ ବିଷ୍ଣୁ ମୋହିନୀରୂପ ଧରି ଅସୁରମାନଙ୍କୁ ବଞ୍ଚନା କରି ଦେବତାମାନଙ୍କୁ ଉକ୍ତ ଅମୃତ ଦେଲେ । ଏଥିଯୋଗୁଁ ଦେବ ଓ ଅସୁରମାନଙ୍କ ମଧ୍ୟରେ ଭୟଙ୍କର ଯୁଦ୍ଧ ଲାଗିଲା । ନାରଦ ସେହି ଯୁଦ୍ଧ ନିବାରଣ କରିଥିଲେ । ଦେବତାମାନଙ୍କଦ୍ୱାରା ହତ ଅସୁରମାନଙ୍କୁ ଅସୁରଗୁରୁ ଶୁକ୍ରାଚାର୍ଯ୍ୟ ବଞ୍ଚାଇଥିଲେ ।
■#ବରାହ_ଅବତାର
ପୌଷ ଅମାବାସ୍ୟା ବା ବକୁଳ ଅମାବାସ୍ୟା ଦିନ ତୃତୀୟ ଅବତାର ବରାହ ରୁପେ ଆବିର୍ଭୁତ ହୋଇଥିଲେ । ହିରଣ୍ୟାକ୍ଷ ନାମକ ଦୈତ୍ୟ ବ୍ରହ୍ମାଙ୍କ ବରରେ ଅତ୍ୟାଚାରୀ ହୋଇ ଦେବତାମାନଙ୍କୁ ପରାସ୍ତ କରି ପୃଥିବୀକୁ ନେଇ ପାତାଳରେ ପ୍ରବେଶ କରିଥିଲେ (ଧରଣୀ ଜଳତଳେ ନିମଗ୍ନ ଥିଲା)। ବିଷ୍ଣୁ ବରାହରୂପରେ ହିରଣ୍ୟାକ୍ଷକୁ ନିପାତ କରି ପୃଥିବୀକୁ ଜଳମଧ୍ୟରୁ ଦନ୍ତଦ୍ୱାରା ଉତ୍ତୋଳନ କରିଥିଲେ । ଏହାଙ୍କ ଔରସରେ ଧରଣୀଙ୍କ ଗର୍ଭରୁ ନରକାସୁର ଜାତ ହୋଇଥିଲେ ।
■#ନରସିଂହ_ନୃସିଂହ_ଅବତାର
ନରସିଂହ: ମୁଣ୍ଡରୁ କଟି ଦେଶ ପର୍ଯ୍ୟନ୍ତ ସିଂହାକୃତି ଓ ଅବଶିଷ୍ଟ ଅର୍ଦ୍ଧାଙ୍ଗ ନରାକୃତି । ବୈଶାଖ ଶୁକ୍ଳ ଚତୁର୍ଦ୍ଦଶୀ ଦିନ ଆବିର୍ଭୁତ ହୋଇଥିଲେ । ଏ ଅବତାରରେ ବିଷ୍ଣୁ ହିରଣ୍ୟକଶିପୁ ଓ ମୁରାସୁରକୁ ବଧ କରିଥିଲେ ।
■#ବାମନ_ଅବତାର
ଭାଦ୍ରବ ଶୁକ୍ଳଦ୍ୱାଦଶୀ ଦିନ ଅଦିତିଙ୍କ ଗର୍ଭରୁ ଆବିର୍ଭୁତ ହୋଇଥିଲେ । ଏ ଅବତାରରେ ବିଷ୍ଣୁ ଗୋଟିଏ ଖର୍ବକାୟ ବ୍ରାହ୍ମଣ ରୂପ ଧରି ବଳିରାଜାଙ୍କୁ ଦାନ ମାଗି ତାଙ୍କୁ ନିଜ ଶରୀରରୁ ନିର୍ଗତ ତୃତୀୟ ପାଦରେ ପାତାଳପୁରକୁ ଚାପିଥିଲେ । ରାଜା ବଳି ଅତ୍ୟଧିକ ଦାନ କରୁଥିବାରୁ ତାଙ୍କର ଅଂହ ଭାବ ଜାତ ହାେଇଥିଲା।
■#ପର୍ଶୁରାମ_ଅବତାର
ବିଷ୍ଣୁଙ୍କ ଷଷ୍ଠ ଅବତାର ରୂପେ ଋଷି ଜମଦଗ୍ନିଙ୍କ ଔରସରୁ ରେଣୁକାଙ୍କ ଗର୍ଭରୁ ଜାତ ହୋଇଥିଲେ । ଏହାଙ୍କର ଅସ୍ତ୍ର ପରଶୁ (କୁଠାର) ଅଟେ। ଏ ଅବତାରରେ ପୃଥିବୀକୁ ୨୧ ବାର ନିକ୍ଷତ୍ରିୟ କରିଥିଲେ । ଏ ପିତ୍ରାଦେଶରେ ସ୍ୱୀୟ ମାତା ରେଣୁକାଙ୍କୁ ବଧ କରିଥିଲେ ଓ ପରେ ପିତାଙ୍କୁ ସନ୍ତୁଷ୍ଟ କରି ମାତାଙ୍କୁ ପୁରରୁଜ୍ଜୀବିତା କରାଇଥିଲେ । ଏହାଙ୍କ ପିତୃହନ୍ତା କାର୍ତ୍ତବୀର୍ଯ୍ୟାର୍ଜୁନ ବା ସହସ୍ରାର୍ଜୁନଙ୍କୁ ଏ ବଧ କରିଥିଲେ । ରାମଚନ୍ଦ୍ର ବିବାହ ହେଇସାରି ସୀତାଙ୍କୁ ଘେନି ମିଥିଳାରୁ ଫେରିବା ସମୟରେ ଏ ତାଙ୍କୁ ଭେଟି ଧନୁ ପରିକ୍ଷା ନିମନ୍ତେ ରାମଚନ୍ଦ୍ରଙ୍କୁ ଆହ୍ୱାନ କରିଥିଲେ । ରାମଚନ୍ଦ୍ର ଏହାଙ୍କ ହାତରୁ ଧନୁ ନେବା ସମୟରେ ଏହାଙ୍କ ଦେହରେ ଥିବା ବିଷ୍ଣୁ ତେଜଃ ରାମଚନ୍ଦ୍ରଙ୍କ ଦେହରେ ପ୍ରବେଶ କଲା ଓ ଏ ହତପ୍ରଭ ହୋଇ ତପସ୍ୟା କରିବାକୁ ଗଲେ । ଏହାଙ୍କର ଅନ୍ୟ ଚାରିଭାଇଙ୍କ ନାମ ସମନ୍ୱାନ, ସୁଷେଣ, ବସୁ ଓ ବିଶ୍ୱାବସୁ ।
■#ରାମ_ଅବତାର
ବିଷ୍ଣୁଙ୍କ ସପ୍ତମ ଅବତାର ରୂପେ ତ୍ରେତାଯୁଗରେ ଅଯୋଧ୍ୟାରେ ଦଶରଥଙ୍କର ଜ୍ୟେଷ୍ଠ ପୁତ୍ରରୂପେ କୌଶଲ୍ୟାଙ୍କ ଗର୍ଭରୁ ଜନ୍ମଗ୍ରହଣ କରିଥିଲେ । ଏହାଙ୍କ ବିଷୟ ରାମାୟଣରେ ବର୍ଣ୍ଣିତ । ବଶିଷ୍ଠ ଋଷି ଏହାଙ୍କ ଗୁରୁ । ଏ ବାଳକ ଥିବାବେଳେ ବିଶ୍ୱାମିତ୍ର ଏହାଙ୍କୁ ଓ ଏହାଙ୍କ ବୈମାତ୍ର ଭାଇ ଲକ୍ଷ୍ମଣଙ୍କୁ ଯାଗରକ୍ଷା କରିବାକୁ ତାଙ୍କ ଆଶ୍ରମକୁ ସାଙ୍ଗରେ ନେଇଥିଲେ ଓ ସେଠାରେ ଏ ଯଜ୍ଞବିଘ୍ନକାରୀ ବହୁ ରାକ୍ଷାସଙ୍କୁ ବଧ କରିଥିଲେ । ଯଜ୍ଞର ନିର୍ବିଘ୍ନ ସମାପ୍ତି ହେବା ପରେ ବିଶ୍ୱାମିତ୍ରଙ୍କ ସଙ୍ଗେ ଏ ଦୁଇଭାଇ ରାଜା ଜନକଙ୍କ ରାଜଧାନୀକୁ ସୀତାଙ୍କ ସ୍ୱୟମ୍ବର ସଭାକୁ ଯାଇଥିଲେ ଓ ଶିବଧନୁକୁ ଭାଙ୍ଗି ସୀତାଙ୍କ ପାଣିଗ୍ରହଣ କଲେ। ବିମାତା ରାଣି କୈକେୟୀଙ୍କ ଅନୁଜ୍ଞା ଅନୁସାରେ ଏ ପିତୃସତ୍ୟ ପାଳନ କରିବାକୁ ଲକ୍ଷ୍ମଣ ଓ ସୀତାଙ୍କୁ ସଙ୍ଗେ ନେଇ ୧୪ବର୍ଷ ବନବାସ କରିଥିଲେ । ବନବାସ କାଳରେ ଦଣ୍ଡକାରଣ୍ୟରେ ରାବଣ ସୀତାଙ୍କୁ ହରଣ କଲା । ଏ ବାନର ରାଜା ସୁଗ୍ରୀବ ଓ ହନୁମାନ ତଥା ବାନର ସୈନ୍ୟଙ୍କ ସହାୟତାରେ ଲଙ୍କା ଆକ୍ରମଣ କରି ରାବଣକୁ ମାରି ସୀତାଙ୍କୁ ଉଦ୍ଧାର କଲେ ଓ ଅଗ୍ନିପରୀକ୍ଷା ପରେ ସୀତାଙ୍କୁ ଗ୍ରହଣ କଲେ । ୧୪ ବର୍ଷ ବନବାସର କାଳ ପୂରିବାରୁ ସୀତାଙ୍କ ସହ ଅଯୋଧ୍ୟାକୁ ଆସି ରାଜତ୍ୱ କଲେ । କିଛିଦିନ ପରେ ରାବଣହୃତା ସୀତାଙ୍କ ସତୀତ୍ୱ ବିଷୟରେ ପ୍ରଜାଙ୍କ ମନରେ ସନ୍ଦେହ ହେବା ଅବଗତ ହୋଇ ଅନ୍ତଃସତ୍ୱା ସୀତାଙ୍କୁ ଏ ନିର୍ବାସିତା କଲେ । ନିର୍ବାସନ କାଳରେ ବାଲ୍ମୀକି ଆଶ୍ରମରେ ସୀତାଙ୍କଠାରୁ ଲବ ଓ କୁଶ ନାମକ ଯମଜ କୁମାର ଜନ୍ମ ହେଲେ । ତତ୍ପରେ ପିତା ଓ ପୁତ୍ରଦ୍ୱୟଙ୍କର ମିଳନ ହେଲା । ସୀତାଙ୍କୁ ଗ୍ରହଣ କରିବା ପାଇଁ ରାମଚନ୍ଦ୍ର ପୁଣି ଅଗ୍ନିପରିକ୍ଷା ପ୍ରସ୍ତାବ କରିବାରୁ ସୀତା ଏଥିରେ ଅସମ୍ମତା ହୋଇ ନିଜର ମାତା ପୃଥିବୀଙ୍କ ଗର୍ଭରେ ଲୀନ ହେଲେ । ପରେ ଏ ପୁତ୍ରଦ୍ୱୟଙ୍କ ମଧ୍ୟରୁ କୁଶଙ୍କୁ କୋଶଳ ରାଜ୍ୟର ଏବଂ ଲବଙ୍କୁ ଉତ୍ତର କୋଶଳ ରାଜ୍ୟର ଅଧିପତି ପଦରେ ପ୍ରତିଷ୍ଠାପିତ କରି ସରଯୁ ନଦୀରେ ପ୍ରବେଶ ପୂର୍ବକ ଯୋଗାଲମ୍ବନରେ ତନୁ ତ୍ୟାଗ କଲେ ।
■#ବଳରାମ_ଅବତାର
ବିଷ୍ଣୁଙ୍କ ଅଷ୍ଟମ ଅବତାର ରୂପେ ଦ୍ୱାପର ଯୁଗରେ ଶ୍ରୀକୃଷ୍ଣଙ୍କର ବୈମାତୃକ ବଡ଼ ଭାଇ ଭାବେ ଶ୍ରାବଣ ପୁର୍ଣ୍ଣମୀ ଦିନ ଆବିର୍ଭୁତ ହୋଇଥିଲେ ।
■#ବୁଦ୍ଧ_ଅବତାର
ବର୍ତ୍ତମାନ ବିଷ୍ଣୁଙ୍କର ବୁଦ୍ଧ ଅବତାର । ପୁରୀରେ ଜଗନ୍ନାଥ ସେହି ଅବତାର ବୋଲି ଅନେକଙ୍କ ମତ ।
■#କଳ୍କି_ଅବତାର
ପୃଥିବୀରେ ଅଧର୍ମ ଅତି ବେଶି ହେଲେ, ବିଷ୍ଣୁ କଳ୍କି ଅବତାର ଗ୍ରହଣ କରି ମ୍ଳେଚ୍ଛସଂହାରାର୍ଥ ଖଡ୍ଗଧାରଣ କରିବେ – ଏହା ମାଳିକାରେ ଲିଖିତ ତଥା ପଣ୍ଡିତମାନଙ୍କର ବିଶ୍ୱାସ ।
ପ୍ରଚଳିତ ବିଶ୍ୱାସମତେ ପୂର୍ବୋକ୍ତ ଦଶ ଅବତାର ଛଡ଼ା ବିଷ୍ଣୁ ଅନ୍ୟାନ୍ୟ ଅନେକ ଅବତାର ଧରି ଥିଲେ । (ଭାଗବତରେ ବର୍ଣ୍ଣିତ ବିଷ୍ଣୁଙ୍କର #ଚବିଶଟି_ଅବତାର ହେଲା: ବରାହ, ହରି, କପିଳ, ଦତ୍ତାତ୍ରେୟ, ଚତୁଃସନକ, କଚ୍ଛପ, ନୃସିଂହ, ବାମନ, ହିଂସା, ମନୁ, ଧନ୍ୱନ୍ତରୀ, ପର୍ଶୁରାମ, ରାମ, କୃଷ୍ଣ, ବଳରାମ, ବ୍ୟାସ, ବୁଦ୍ଧ, କଳ୍କୀ, ଧୃବ ପାଇଁ ଓ ଗଜ ଉଦ୍ଧାରଣ ପାଇଁ ଦୁଇ ଅବତାର ।
ସଂଗୃହୀତ : ସମର୍ପଣ ପରିବାର
No comments:
Post a Comment