Sunday, January 10, 2021

●ବାଇଶି ପାହାଚ ●

     ବାଇଶି ପାହାଚ :  

ବଉଳମାଳା ମାଙ୍କଡ଼ା ପଥରରେ ତିଆରି ବାଇଶି ପାହାଚର ନିର୍ମାଣ ସମ୍ପର୍କରେ ଏକ କିମ୍ବଦନ୍ତି ପ୍ରଚଳିତ। କିମ୍ବଦନ୍ତୀ ମତେ ନିଃସନ୍ତାନ ରାଜା ଭାନୁଦେବ ଜମ୍ବେଶ୍ଵରଙ୍କୁ ଆରାଧନା କରି ପୁତ୍ର ସନ୍ତାନଟିଏ ଲାଭକଲେ।  ଜାତକରୁ ରାଜା ଜାଣିଲେ ତାଙ୍କ ପୁତ୍ରର ଆୟୁଷ କେବଳ ୨୨ବର୍ଷ। ଏହା ଜାଣିପାରି ରାଜା ଭାନୁଦେବ ପୁନଶ୍ଚ ଜମ୍ବେଶ୍ଵରଙ୍କୁ ଆରାଧନା କଲେ। ଜମ୍ବେଶ୍ଵର ରାଜାଙ୍କ ଭକ୍ତିରେ ସନ୍ତୁଷ୍ଟ ହୋଇ ଶ୍ରୀ-ମନ୍ଦିର ଭିତରେ ବାଇଶି ପାହାଚ ନିର୍ମାଣ କରିବାକୁ ଆଜ୍ଞା ଦେଲେ। ରାଜା ବାଇଶି ପାହାଚ ନିର୍ମାଣ କରି ତାଙ୍କ ସନ୍ତାନର ଆୟୁ ବୃଦ୍ଧି ପାଇଁ ସେହି ବାଇଶି ପାହାଚରେ ଗଡ଼ାଇ ଦେଇଥିଲେ। ଶ୍ରଦ୍ଧାଳୁମାନେ ସେଥିପାଇଁ ନିଜ ନିଜ ପିଲାମାନଙ୍କର ଆୟୁଷ ବୃଦ୍ଧି ନିମନ୍ତେ ବାଇଶି ପାହାଚରେ ଗଡ଼ାଇ ଦେଇଥାନ୍ତି। 

(କ) ବାଇଶି ପାହାଚରେ ପିତୃ-ପୁରୁଷଙ୍କୁ ଶ୍ରାଦ୍ଧ ଦିଆଯାଏ।
 (ଖ) ଭକ୍ତମାନେ ବର୍ଷତମାମ ବାଇଶି ପାହାଚ ବାଟଦେଇ ଶ୍ରୀ-ଜୀଉମାନଙ୍କୁ ଦର୍ଶନ କରିବାକୁ ଯାଆନ୍ତି।
(ଗ)  ଆଷାଢ଼ ଶୁକ୍ଳ ଦ୍ଵିତୀୟା ଦିନ ଶ୍ରୀ-ଜୀଉମାନେ ଶ୍ରୀ-ମନ୍ଦିରର ରତ୍ନସିଂହାସନ ଛାଡ଼ି ବାଇଶି ପାହାଚ ବାଟ ଦେଇ ବଡ଼ଦାଣ୍ଡରେ ଥିବା ରଥକୁ ଆସିଥାନ୍ତି।

ଜଗନ୍ନାଥଙ୍କ ଦର୍ଶନ କରିବାକୁ ହେଲେ ବାଇଶି ପାହାଚ ଅତିକ୍ରମ କରି ଯିବାକୁ ପଡ଼ିଥାଏ। ତେଣୁ ଏହି "ବାଇଶି ପାହାଚ" ହେଉଛି ତତ୍ତ୍ଵମୟ ଓ ପବିତ୍ରମୟ।

ବିଶ୍ଵାସ ଅଛି ଯେ : ପ୍ରତ୍ୟେକ ମଣିଷ ୨୨ ପ୍ରକାର ପାପରୁ ମୋକ୍ଷ ନିମନ୍ତେ ୨୨ ପାହାଚ ଅତିକ୍ରମ କରିବା ଆବଶ୍ୟକ।
ବାଇଶି ପାହାଚ ଯୋଗ ବିଦ୍ୟା ବର୍ଣ୍ଣିତ ୨୨ଟି ସ୍ତରର ପ୍ରତୀକ।
ବାଇଶି ପାହାଚରେ ଦ୍ଵିତୀୟ ସୋପାନରେ ରହିଛି 'ଯମଶିଳା'।ଶ୍ରଦ୍ଧାଳୁମାନେ ଏହି ଶିଳାକୁ ସ୍ପର୍ଶ କରି ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କଲେ ଅକାଳ ମୃତ୍ୟୁ ହୁଏ ନାହିଁ ଓ ସମସ୍ତ ପାପ ନାଶ ହୋଇ ଜୀବ ବୈକୁଣ୍ଠଗାମୀ ହୁଏ ବୋଲି ବିଶ୍ଵାସ ରହିଛି। ବାଇଶି ପାହାଚର ତାତ୍ତ୍ଵିକ ମାହାତ୍ମ୍ୟ ଉପରେ ଅନେକ ବିଶ୍ଵାସ ପ୍ରଚଳିତ, ଯଥା :👇

(କ) କେତେକଙ୍କ ମତରେ ଦଶ ଅବତାର ଗୁଡ଼ିକର ଗୋଡ଼ ସଂଖ୍ୟା ମିଶି ବାଇଶି ହୋଇଥିବାରୁ ସେହି ଅନୁସାରେ ବାଇଶି ପାହାଚ ହୋଇଛି।

(ଖ) ଦ୍ଵିତୀୟତଃ ପରଂବ୍ରହ୍ନ ହିରଣ୍ୟ ଗର୍ଭରେ ପଦ୍ମାସନରେ ଥାଆନ୍ତି। ଏହି ରତ୍ନବେଦୀ ନିକଟକୁ ଯିବାକୁ ହେଲେ ଅଷ୍ଟ ବୈକୁଣ୍ଠ ଓ ଚଉଦ ଭୁବନ ଦେଇ ଯିବାକୁ ହୁଏ। 

"ଅଷ୍ଟ ବୈକୁଣ୍ଠ" ହେଉଛି :👇
 
ଶ୍ରୀବୈକୁଣ୍ଠ,
କୌବଲ୍ୟ ବୈକୁଣ୍ଠ
କାରଣାର୍ଣ୍ଣବ ବୈକୁଣ୍ଠ,
ଶେଷଶାୟୀ ବୈକୁଣ୍ଠ,
ଶ୍ଵେତଦୀପ ବୈକୁଣ୍ଠ,
ପରବେଶ୍ୟାମ ବୈକୁଣ୍ଠ,
ଗଭୌଦକ ଶାୟୀ ବୈକୁଣ୍ଠ
 କୈଳାସ ବୈକୁଣ୍ଠ।

ଏହି ଅଷ୍ଟ ବୈକୁଣ୍ଠ ନିମ୍ନରେ ଚଉଦ ଭୁବନ ବିଦ୍ୟମାନ। ଚଉଦ ଭୁବନ ହେଉଛି :👇

ସପ୍ତ ଭୁବନ ମର୍ତ୍ତ୍ୟରେ ଅଛି ; ଯଥା
ଭୁମ୍ଫା,ଭୁବ,ସ୍ଵା,ମହ,ଜନ,ତପ ଓ ସତ୍ୟ।
ସପ୍ତ ଭୁବନ ପାତାଳରେ ଅଛି ; ଯଥା ଅତଳ,ସ୍ଵତଳ,ବିତଳ,ତଳାତଳ, ମହୀତଳ,ରସାତଳ ଓ ପାତାଳ। ତେଣୁ ଅଷ୍ଟ ବୈକୁଣ୍ଠ ଓ ଚଉଦ ଭୁବନ (ସପ୍ତ ମର୍ତ୍ତ୍ୟ ଓ ସପ୍ତ ପାତାଳ) ମିଶି ବାଇଶି ; ଯାହାକି ବାଇଶି ପାହାଚର ପ୍ରତୀକ ରୂପେ ସୂଚିତ ହୋଇଛି।

(ଗ) ଭାଗବତ ହେଉଛି ଜଗନାଥଙ୍କ ହୃଦୟର ଭାଷା ସ୍ଵରୂପ।ଏହି ଦ୍ଵାଦଶ (୧୨) ଖଣ୍ଡ ଭାଗବତରେ ବାସୁଦେବ ଚରିତ ଓ  ନୃସିଂହ, ରାମକୃଷ୍ଣ, ନାରାୟଣ,ଗୋବିନ୍ଦ,ମାଧବ, ମଦନମୋହନ,ଶ୍ରୀଦେବୀ,ଭୂଦେବୀ, କମଳା ଓ ଭୁବନେଶ୍ଵରୀ(ବାରଖଣ୍ଡ ଭାଗବତ ଓ ଦଶ ଦେବାଦେବୀ)ଙ୍କୁ ମିଶାଇ "ବାଇଶି ସଂଖ୍ୟା" ହେଉଛି ବାଇଶି ପାହାଚର ପ୍ରତିଫଳନ।

(ଘ) ପଞ୍ଚମାତ୍ରା,ପଞ୍ଚଭୂତ,ପଞ୍ଚବୀଜ, ପଞ୍ଚଦେବଙ୍କ ସହିତ ଜୀବ ଓ ପରମ (କୋଡିଏ ସହ ଦୁଇ ମିଶି) ବାଇଶି ; ଏହାର ପ୍ରତୀକାମୂକ ହେଉଛି ବାଇଶି ପାହାଚ ।

(ଙ) ଅନ୍ୟ କେତେକଙ୍କ ମତରେ : ବାଇଶିଟି ତୀର୍ଥ ଭୂମିର ସ୍ୱରୂପ/ବାଇଶି ତତ୍ତ୍ଵର ପ୍ରତୀକ/ବାଇଶିଟି ଭାବର ପ୍ରତୀକ ହେଉଛି ବାଇଶି ପାହାଚ।

(ଚ) ପଞ୍ଚରସ,ଅଷ୍ଟାତାଳ୍ପିକ ଭାବ,ତ୍ରିବୀଜ, ତ୍ରିଶକ୍ତି,ତ୍ରିଗୁଣର ସମାହାର ହେଉଛି ବାଇଶି ; ଯାହାକି ବାଇଶି ପାହାଚରେ ପ୍ରତିଫଳିତ ବୋଲି କେତେକ କହନ୍ତି।

ତେଣୁ ବାଇଶି ପାହାଚ ହେଉଛି ଅତ୍ୟନ୍ତ ତତ୍ତ୍ଵପୂର୍ଣ୍ଣ ଓ ରହସ୍ୟମୟ।

"ବାଇଶି ପାହାଚ" କୁହାଯାଉଥଲେ ମଧ୍ୟ ତାହା ବାସ୍ତବରେ ୨୦ଟି ପାହାଚ ରହିଛି।
(ଛ) ପୁରୁଣା ବା ମୂଳ ସିଂହଦ୍ଵାରଠାରୁ ନୂଆ ସିଂହଦ୍ଵାର ପର୍ଯ୍ୟନ୍ତ ଲାଗିଥିବା ଏହି ପାହାଚକୁ "ବାଇଶି ପାହାଚ" ବୋଲି କୁହାଯାଏ।

ଶ୍ରୀ-ମନ୍ଦିର ସ୍ଵତ୍ତ୍ଵଲିପି ଅନୁଯାୟୀ ଶ୍ରୀ-ମନ୍ଦିର ପ୍ଳଟ ନଂ୧୫୭ (କ)ରେ ଏହା ଅବସ୍ଥିତ। ପୂର୍ବରୁ ଏଠାରେ ମହାପ୍ରସାଦ ବିକ୍ରି ହେଉଥଲା। ଭକ୍ତମାନେ ମହାପ୍ରସାଦ ଓ କୈବଲ୍ୟ ପାଉଥଲେ।  ସେଥପାଇଁ କବି ସମ୍ରାଟ ଉପେନ୍ଦ୍ରଭଞ୍ଜ ଲେଖିଛନ୍ତି :👇

ବାଇଶି ପାବଚ୍ଛ ଗଲି ସୁଖେ,
କୈବଲ୍ୟ ପସରା ବେନି ପାଖେ।
ଚାଣ୍ଡାଳୁ ବ୍ରାହ୍ମଣ ଶୁଦ୍ର ପରିଯନ୍ତେ, କୈବଲ୍ୟ ଭୂଞ୍ଜନ୍ତି ମୁଖେ ମୁଖେ।

ବାଇଶି ପାହାଚରେ ପ୍ରତି ପାହାଚର ଉଚ୍ଚ ୬ରୁ ୭ଇଞ୍ଚ, ଓସାର ୬ଫୁଟ ଓ ଲମ୍ବ ୭୦ଫୁଟ ରହିଛି। ଏହାର ଅଷ୍ଟାଦଶ ପାହାଚଟିର ପ୍ରସ୍ଥ ୧୫ ଫୁଟ ; ଆନନ୍ଦବଜାର ପ୍ରବେଶ ମାର୍ଗରେ ଏହାର ୧୯ ଓ ୨୦ ତମ ପାହାଚ ରହିଛି ;  ଯାହା ଅର୍ଦ୍ଧଗୋଲାକାର । ଏହାର ପ୍ରବେଶ ମାର୍ଗର ତୃତୀୟ ପାହାଚରେ କାଶୀବିଶ୍ଵନାଥ ମନ୍ଦିର ରହିଛି।  ଜନଶ୍ରୁତି ଅନୁଯାୟୀ ରାଜା ଭାନୁଦେବ ବାଇଶି ପାହାଚ ନିର୍ମାଣ କରିଥଲେ। ବାଇଶି ପାହାଚ ନିର୍ମାଣ କରିଥିବାରୁ ତାଙ୍କ ପୁତ୍ର ବିପଦମୁକ୍ତ ହୋଇଥବା କୁହଯାଏ ।

     ଜୟ ଜଗନ୍ନାଥ 🙏🙏🙏

No comments:

Post a Comment

ଦେଶ ନାସ୍ତି ମହୀତଳେ

ଦେଶ ନାସ୍ତି ମହୀତଳେ ତୁଙ୍ଗ-ଶିଖରୀ, କୁଞ୍ଜ-କାନନ, ପୁଣ୍ୟ-ଜଳଧି ର ତ୍ରିବେଣୀ ସଂଗମ ଆମ ଉତ୍କଳ l ପୂତ ପୟୋନିଧି ର ପବିତ୍ର ଜଳ ସ୍ପର୍ସ ରେ ପ୍ରତିଧୂଳି କଣା...