କାଳିଦାସ ଙ୍କ ଶିକ୍ଷା
=========== ✍ ପ୍ରମୋଦ କୁମାର ମହାନ୍ତି
ପ୍ରଶଂସା ପ୍ରଶସ୍ତି ମାନପତ୍ର ସମ୍ବର୍ଦ୍ଧନା
ଜ୍ଞାନ ବିଦ୍ୟା ପାଣ୍ଡିତ୍ୟ ରେ ନବ ଉନ୍ମାଦନା
ମତ୍ତ ହୋଇ, ମହାକବି ଖ୍ୟାତ କାଳିଦାସ
ଦିନେ ତାଙ୍କୁ ଗର୍ବ ଅହଙ୍କାର କଲା ଗ୍ରାସ ll
ପ୍ରଦର୍ଶନ ପାଇଁ ନୂଆ ରାଜ୍ୟ କଲେ ଗସ୍ତ
ଅଚିହ୍ନା ଅଜଣା ହୋଇ ପହଞ୍ଚି ଗଲେ ତ
ଗର୍ବ ଅହଙ୍କାର କଲା ତାଙ୍କ ବୁଦ୍ଧି ଭ୍ରଷ୍ଟ
ରାଜା ଙ୍କ ବିନା ସାହାଯ୍ୟ ରେ ପାଆନ୍ତି କଷ୍ଟ ll
ଏମିତି ଅଜ୍ଞାତ ଭାବେ ଜନପଥ ପରେ
ପଦବ୍ରଜରେ ତୃଷାର୍ତ୍ତ, ଜଳ ଆଶା ଘାରେ
ଦେଖିଲେ ଜନପଥେ ବସିଛି ଏକ ବୃଦ୍ଧା
ପାରାଙ୍କୁ ଦାନାପାଣି ଦେଇ କରୁଛି ଶ୍ରଦ୍ଧା ll
ପାଣି ମୁନ୍ଦେ ଦିଅ ବୋଲି କଲେ ଅନୁନୟ
ବୃଦ୍ଧା କହେ: କିଏ ତୁ ଆଗେ ଦେ ପରିଚୟ
କାଳିଦାସ: ତୃଷାର୍ତ୍ତ 'ପଥିକ' ଟି ମୁଁ କ୍ଲାନ୍ତ
ଦୟାକରି ଜଳ ଦାନେ ପ୍ରାଣ କର ଶାନ୍ତ ll
ବୃଦ୍ଧା: ପଥିକ ତ ଜଗତ ରେ ଦୁଇଜଣ
ଗନ୍ତବ୍ୟ ନିଷ୍ଠ ସେମାନେ ସୂର୍ଯ୍ୟ ଚନ୍ଦ୍ର ଜାଣ
ହେଇ ନପାରେ ଆଉ କେ' ତୃତୀୟ ପଥିକ
ସତ ପରିଚୟ ଦିଅ ଆହେ ଆଗନ୍ତୁକ ll
କାଳିଦାସ: ମୁଁ ଏକ 'ଅତିଥି', ମାଗେ ଜଳ
ପ୍ରବଳ ତୃଷା ରେ ପ୍ରାଣ ଡହଳ ବିକଳ
ବୃଦ୍ଧା: ଦୁଇ ଅତିଥି ତ ଧନ ଓ ଯୌବନ
ସତ କହ କିଏ ତୁ, କରିବୁ ଜଳପାନ ll
ବ୍ୟସ୍ତ କ୍ଲାନ୍ତ କାଳିଦାସ: ମୁଁ 'ସହନଶୀଳ'
ଦୟାକରି ଏବେ ମତେ ଦିଅ ଟୋପେ ଜଳ
ବୃଦ୍ଧା: ମିଥ୍ୟାବାଦୀ, ସହନଶୀଳ ତ ଦୁଇ
ବସୁଧା ଓ ବୃକ୍ଷ ବୋଲି ତତେ ଜଣାନାହିଁ? ll
ବସୁଧା ମୁଣ୍ଡେଇଛି ପାପ ଓ ପୂଣ୍ୟ ବୋଝ
ତା' ବକ୍ଷଦେଶ ଚିରି ରୋପଣ ହୁଏ ବୀଜ
ପଥର ମାରିଲେ ବି ସହିଥାଏ ସେ ବୃକ୍ଷ
ମିଷ୍ଟ ଫଳ ଦିଏ କଷ୍ଟ ନକରି ଭ୍ରୂକ୍ଷେପ ll
ଭୟାର୍ତ୍ତ କାଳିଦାସ: ମୁଁ 'ଉଗ୍ର', ଦିଅ ଜଳ
ତୃଷା ରେ କଣ୍ଠ ଶୁଷ୍କ, ପ୍ରାଣ ହୁଏ ବିକଳ
ବୃଦ୍ଧା: ମିଥ୍ୟା, ଉଗ୍ର ତ କେବଳ ଦୁଇ ଜଣ
ଜଗତେ ତାହା କେଶ ଓ ନଖ ବୋଲି ଜାଣ ll
ଯେତେ କାଟିଲେ ବି ସେ ବଢନ୍ତି ହୋଇ ଉଗ୍ର
କହ ତୁ କିଏ ତ? ଜଳ ପାଇଁ ଯଦି ବ୍ୟଗ୍ର
ତୃଷା ଜର୍ଜ୍ଜରିତ କାଳିଦାସ: ମୁଁ ତ 'ମୂର୍ଖ'
ଦୟାକରି ଜଳଦାନେ ମୋ ଜୀବନ ରଖ ll
ବୃଦ୍ଧା: ପୁଣି ଅସତ୍ୟ? କେବେ ନୁହେଁ ତୁ ମୂର୍ଖ
ମୋ ଜାଣତ ରେ ଜଗତେ ଦୁଇ ଜଣ ମୂର୍ଖ
ଅଯୋଗ୍ୟ ରାଜା ଓ ଚାଟୁକାର ରାଜଗୁରୁ
ରାଜ୍ୟ ହୁଏ ରସାତଳ, ତାଙ୍କ ମୂର୍ଖାମୀ ରୁ ll
କୁଶାସନ ରେ ରାଜା କରେ ପ୍ରଜା ଶୋଷଣ
ଚଟୁଳ କଥା-ତର୍କ ରେ ରାଜଗୁରୁ କ୍ଷୀଣ
ଏବେ କହ ସତ, କଣ ତୋର ପରିଚୟ
ଜଳପାନ ପାଇଁ ଯଦି ତୁ ହେଉ ଅଥୟ ll
ସବୁଶୁଣି ମହାକବି ପ୍ରାୟ ସଂଜ୍ଞାହୀନ
କିଏ ଏହି ବୃଦ୍ଧା ଯାହା ପାଖେ ଏତେ ଜ୍ଞାନ
ଅବାରିତ ଅଶ୍ରୁପାତେ କଲେ ମଥା ନତ
କ୍ଷମାକର ମତେ ମାତା, କୁହ ଏବେ ସତ ll
ଦେଖିଲେ ବୃଦ୍ଧାଙ୍କ ସ୍ଥାନେ ସ୍ୱୟଂ ସରସ୍ବତୀ
ଆଶୀର୍ବାଦ ମୁଦ୍ରାରେ ସେ ମନୋହର ଅତି
କୋଳେଇନେଲେ କାଳିଦାସ ଙ୍କୁ କରି ସ୍ନେହ
ତତେ ପରୀକ୍ଷା କରିବି: ନେଲି ବୃଦ୍ଧା ଦେହ ll
ଶିକ୍ଷା ଦୀକ୍ଷା ଜ୍ଞାନ ବୁଦ୍ଧି ପାଣ୍ଡିତ୍ୟ ଲକ୍ଷଣ
ଅହଙ୍କାର ଶୂନ୍ୟ ହେଲେ ସଭିଙ୍କ କଲ୍ୟାଣ
ଯେବେଠୁଁ ହେଲୁ ତୁ ମାନ ପ୍ରତିଷ୍ଠା ରେ ବଶ
ଗର୍ବ ଅହଙ୍କାର କଲା ତୋର ବୁଦ୍ଧିନାଶ ll
ସବୁଠୁଁ ଗେଲ୍ହା ପୁଅ ତୁ ମୋ' ହେ 'କାଳିଦାସ'
ଜନ୍ମ ତୋର ବିଶ୍ୱ କୁ କରିବାକୁ ସରସ
'ସରସ ରେ ସରସ୍ବତୀ' ସଦା ହୋଇ ପ୍ରୀତ
ଅସାମାନ୍ୟ ଜ୍ଞାନ କରିଥାନ୍ତି ଛାଏଁ ଦତ୍ତ ll
ଧୋଇଦେଉ ଅଶ୍ରୁ ଜଳ ସବୁ ତୋ କଳୁଷ
ଗର୍ବ ଅହଙ୍କାର ସବୁ ହୋଇଯାନ୍ତୁ ନାଶ
ସୂର୍ଯ୍ୟ ଭଳି ଜାଜ୍ଜ୍ୱଲ୍ୟମାନ ହେଉ ପାଣ୍ଡିତ୍ୟ
'କାଳିଦାସ ଶ୍ରେଷ୍ଠ' ବୋଲି ମାନିବ ଜଗତ ll
No comments:
Post a Comment