Sunday, July 7, 2024

■ ପୁରାଣରେ ଶ୍ରୀକ୍ଷେତ୍ର ■


ପୁରାଣରେ ଶ୍ରୀକ୍ଷେତ୍ର 
   ଲେଖକ : ମହୀ ମୋହନ ତ୍ରିପାଠୀ 

କେଉଁ ନିର୍ଦ୍ଦିଷ୍ଟ କାଳରୁ ଏହି କ୍ଷେତ୍ର ପ୍ରାଧାନ୍ୟ ଲାଭ କରିଛି କିମ୍ବା ପ୍ରଥମେ କେବେ ଶ୍ରୀଜଗନ୍ନାଥଙ୍କ ମନ୍ଦିର ନିର୍ମାଣ କରାଗଲା, ତାହାର ନିର୍ଦ୍ଦିଷ୍ଟ ଓ ସର୍ବଗ୍ରାହ୍ୟ ତଥ୍ୟ ଏଯାବତ୍ ଉପଲବ୍‌ଧ ହୋଇ ନାହିଁ। ପ୍ରାଚୀନ ଧର୍ମଗ୍ରନ୍ଥ ଓ ପୁରାଣମାନଙ୍କରେ ପୁରୁଷୋତ୍ତମ ଧାମ ବା ପୁରୁଷୋତ୍ତମ ଜଗନ୍ନାଥଙ୍କ ସଂପର୍କରେ ରହିଥିବା ବର୍ଣ୍ଣନା ବା ସୂଚନାକୁ ଭିତ୍ତିକରି କୁହାଯାଇ ପାରିବ ଯେ, ଏହି ପବିତ୍ର କ୍ଷେତ୍ର ଓ ତା'ର ଅଧିଷ୍ଠାତା ଦେବତା ଅତି ପ୍ରାଚୀନ । କେତେକ ପୁରାଣର ନିର୍ଦ୍ଦିଷ୍ଟ ରଚନାକାଳ ନିରୂପଣ ଅବଶ୍ୟ କଷ୍ଟସାଧ୍ୟ ବ୍ୟାପାର । ଅଧିକାଂଶ ପୁରାଣରେ ପ୍ରକ୍ଷେପାଂଶ ରହିଅଛି । ପ୍ରକ୍ଷେପାଂଶ ସାଧାରଣତଃ ଅର୍ବାଚୀନ । ନିମ୍ନରେ କେତେକ ପ୍ରସିଦ୍ଧ ପୁରାଣର ଆନୁମାନିକ ରଚନା ଅବଧି ଦର୍ଶାଗଲା ।

ଅଗ୍ନି ପୁରାଣ(ଖ୍ରୀଷ୍ଟାବ୍ଦ ୭୦୦-୯୦୦)
ବ୍ରହ୍ମ ପୁରାଣ(ଖ୍ରୀଷ୍ଟାବ୍ଦ ୯୦୦-୧୫୦୦)
ପଦ୍ମ ପୁରାଣ(ଉତ୍ତର ଖଣ୍ଡ)(ଖ୍ରୀଷ୍ଟାବ୍ଦ ୬୦୦-୭୦୦)
(ମତାନ୍ତରେ ୯୫୦-୧୪୦୦)
ନାରଦୀୟ ପୁରାଣ(ଖ୍ରୀଷ୍ଟାବ୍ଦ ୬୦୦-୭୦୦)
ମତ୍ସ୍ୟ ପୁରାଣ(ଖ୍ରୀଷ୍ଟାବ୍ଦ ୨୦୦-୪୦୦)
(ମତାନ୍ତରେ ୪୦୦-୧୨୫୦)
ସ୍କନ୍ଦ ପୁରାଣ(ବୈଷ୍ଣବ ଖଣ୍ଡ)(ଖ୍ରୀଷ୍ଟାବ୍ଦ ୮୦୦-୯୦୦)
(ମତାନ୍ତରେ ୮୦୦-୧୩୦୦)
କପିଳ ପୁରାଣ/ କପିଳ ସଂହିତା(ଖ୍ରୀଷ୍ଟାବ୍ଦ ୧୩୦୦)
ବ୍ରହ୍ମାଣ୍ଡ ପୁରାଣ(ଖ୍ରୀଷ୍ଟାବ୍ଦ ୫୦୦-୬୦୦)

ଉଲ୍ଲଖିତ ସଂସ୍କୃତ ପୁରାଣ ବ୍ୟତୀତ ଆଉ କେତୋଟି ସଂସ୍କୃତ ଧର୍ମଶାସ୍ତ୍ର, ଯଥା-ତନ୍ତ୍ର ଯାମଳ,ରୁଦ୍ର ଯାମଳ, କାଳିକା ପୁରାଣ, ବାମଦେବ ସଂହିତା, ନୀଳାଦ୍ରି ମହୋଦୟ, ମହାପୁରୁଷ ବିଦ୍ୟା ଇତ୍ୟାଦିରେ ଏହି କ୍ଷେତ୍ର ଓ ଦେବଦେବୀଙ୍କ ସଂପର୍କରେ ବର୍ଣ୍ଣନା ଅଛି।

ବ୍ରହ୍ମପୁରାଣର ଆରମ୍ଭରୁ ୬୯ଟି ଅଧ୍ୟାୟ ଯାଏ ପୁରୁଷୋତ୍ତମ କ୍ଷେତ୍ର ଓ ଅନ୍ୟାନ୍ୟ କ୍ଷେତ୍ରର ବର୍ଣ୍ଣନା ଅଛି। କୋଣାର୍କର ମଧ୍ୟ ଉଲ୍ଲେଖ ଅଛି । ଏଥିରେ 'ଗୁଣ୍ଡିଚା' ଶବ୍ଦର ମଧ୍ୟ ପ୍ରୟୋଗ ହୋଇଛି । ଏହି ପୁରାଣ ତ୍ରୟୋଦଶ ଶତାବ୍ଦୀ ପରେ ରଚିତ ବୋଲି କେହି କେହି ମତବ୍ୟକ୍ତ କରିଛନ୍ତି । ପଦ୍ମପୁରାଣର 'ଉତ୍ତର ଖଣ୍ଡ'ରେ ନାନା ତୀର୍ଥସ୍ଥାନର ବର୍ଣ୍ଣନା ସହିତ ପୁରୁଷୋତ୍ତମ କ୍ଷେତ୍ର ବିଷୟରେ ବର୍ଣ୍ଣନା ହୋଇଛି । ଏହାର 'ପାତାଳ ଖଣ୍ଡ'ରେ ମଧ୍ୟ ପ୍ରଭୁ ଜଗନ୍ନାଥଙ୍କ କଥା ଅଛି । ନାରଦୀୟ ପୁରାଣରେ ପୁରୁଷୋତ୍ତମ କ୍ଷେତ୍ର ମାହାତ୍ମ୍ୟ ସ୍ଥାନ ପାଇଛି । ମାତ୍ର ସ୍କନ୍ଦ ପୁରାଣର

ପୁରୁଷୋତ୍ତମ କ୍ଷେତ୍ର ମାହାତ୍ମ୍ୟଠାରୁ ବିଷୟ ସଂଯୋଜନା ଦୃଷ୍ଟିରୁ ଏହା ଅସ୍ପଷ୍ଟ ଓ ପ୍ରାଚୀନ ମନେହୁଏ ବୋଲି ପ୍ରଖ୍ୟାତ ଗବେଷକ ତଥା ସଂସ୍କୃତ ପ୍ରଫେସର ଗୋପୀନାଥ ମହାପାତ୍ର ମତ ଦେଇଛନ୍ତି । ମତ୍ସ୍ୟପୁରାଣରେ ବିଭିନ୍ନ ତୀର୍ଥ ବର୍ଣ୍ଣନାରେ ପୁରୀର ମାହାତ୍ମ୍ୟ ଅଛି । ଏଥିରେ ଲେଖାଅଛି- "ଗଙ୍ଗାୟାଂ ମଙ୍ଗଳା ନାମ ବିମଳା ପୁରୁଷୋତ୍ତମେ ।" ସ୍କନ୍ଦ ପୁରାଣ ଅଷ୍ଟାଦଶ ପୁରାଣ ମଧ୍ୟରେ ବୃହତ୍ତମ । ଏହି ପୁରାଣ ଅନ୍ତର୍ଗତ ବିଷ୍ଣୁଖଣ୍ଡ ବା ବୈଷ୍ଣବ ଖଣ୍ଡରେ 'ଶ୍ରୀପୁରୁଷୋତ୍ତମ ମାହାତ୍ମ୍ୟ' ସ୍ଥାନ ପାଇଛି । ପ୍ରଫେସର ଗୋପୀନାଥ ମହାପାତ୍ରଙ୍କ ମତରେ ବୈଷ୍ଣବ ଖଣ୍ଡର ରଚନାକାଳ ୮ମ ଓ ୯ମ ଶତକ । ଆଚାର୍ଯ୍ୟ ବଳଦେବ ଉପାଧ୍ୟାୟ କହିଛନ୍ତି ଯେ, ସମୁଦାୟ ସ୍କନ୍ଦ ପୁରାଣ ଖ୍ରୀଷ୍ଟୀୟ ସପ୍ତମ ଶତକଠାରୁ ନବମ ଶତକ ମଧ୍ୟରେ ଲେଖାଯାଇଛି । ଅନ୍ତତଃ ତୃତୀୟ ଶତକ ବେଳକୁ ସ୍କନ୍ଦ ପୁରାଣର ସ୍ୱରୂପ ଥିଲା, ଯଦିଓ ଦଶମ ଓ ଏକାଦଶ ଶତକ ଯାଏଁ ବିଭିନ୍ନ ଖଣ୍ଡ ଲେଖାଯାଇ ଏହି ପୁରାଣର ଅନ୍ତର୍ଗତ କରାଯାଇଥିଲା । ସ୍କନ୍ଦ ପୁରାଣର ଅନେକ ଅଂଶ ସପ୍ତମ ଶତକର ଲେଖା । ବ୍ରହ୍ମାଣ୍ଡ ପୁରାଣରେ ଗଂଜାମର ମହେନ୍ଦ୍ର ପର୍ବତର ଉଲ୍ଲେଖ ଅଛି । ପରବର୍ତ୍ତୀ କାଳରେ ଏଥିରେ ଅନେକ ଅଂଶ ଲେଖାଯାଇ ଅନ୍ତର୍ଭୁକ୍ତ କରାଯାଇଛି । ବାଲ୍ମୀକି ରାମାୟଣରେ ଏହି କ୍ଷେତ୍ର ସଂପର୍କରେ ଉଲ୍ଲେଖ ନାହିଁ । କିନ୍ତୁ ଏହାର 'ଉତ୍ତରାକାଣ୍ଡ'ରେ ପ୍ରଭୁ ଶ୍ରୀରାମ ଶ୍ରୀଜଗନ୍ନାଥଙ୍କୁ ଉପାସନା କରିବାକୁ ବିଭୀଷଣକୁ ଉପଦେଶ ଦେଇଛନ୍ତି ।

"କିଂ ଚାନ୍ୟବକ୍ତୁ ମିଚ୍ଛାମି ରାକ୍ଷସେନ୍ଦ୍ର ମହାବଳ
ଆରାଧୟ ଜଗନ୍ନାଥମିକ୍ଷାକୁ କୁଳଦୈବତମ୍‍ ।"

ଏଥିରେ ନିଜ ବଂଶ (ଇକ୍ଷ୍ୱାକୁ)ର କୁଳ ଦେବତା ଜଗନ୍ନାଥଙ୍କୁ ପୂଜା କରିବାକୁ ଶ୍ରୀରାମଚନ୍ଦ୍ର କହିଛନ୍ତି । ତେବେ 'ଉତ୍ତରାକାଣ୍ଡ' ବାଲ୍ମୀକିଙ୍କ ରଚନା ନୁହେଁ ବୋଲି ଜଣାଯାଏ ।

ବ୍ୟାସଦେବଙ୍କ ମହାଭାରତରେ ସର୍ବପାପ ବିନାଶିନୀ ବୈତରଣୀ ନଦୀ ଓ ବିରଜା କ୍ଷେତ୍ରର ବର୍ଣ୍ଣନା ରହିଥିବା ବେଳେ ଶ୍ରୀକ୍ଷେତ୍ର ସଂପର୍କରେ କୌଣସି ଉଲ୍ଲେଖ ନାହିଁ । କିନ୍ତୁ ବୈତରଣୀ ନଦୀ ଓ ମହେନ୍ଦ୍ର ପର୍ବତ ମଧ୍ୟରେ ଏକ ଦିବ୍ୟ ଅରଣ୍ୟରେ ବିଶ୍ୱକର୍ମା ଯଜ୍ଞ କରିଥିବା ଏବଂ ଏକ ପବିତ୍ର ବେଦୀ ରହିଥିବା ଉଲ୍ଲେଖ ଅଛି । ବନବାସ ସମୟରେ ପାଣ୍ଡବମାନେ ଏହି ଅଞ୍ଚଳ ଦେଇ ମହେନ୍ଦ୍ରଗିରିକୁ ଯାଇଥିଲେ । ଯିବାବେଳେ ଜ୍ୟେଷ୍ଠ ପାଣ୍ଡବ ଯୁଧିଷ୍ଠିର ସମୁଦ୍ରରେ ସ୍ନାନ କରି ଉକ୍ତ ବେଦୀ ଆରୋହଣ କରିଥିଲେ । ମନେହୁଏ, ଏହି ପବିତ୍ର ଯଜ୍ଞସ୍ଥଳ ଓ ବେଦୀ ଥିବା ଅଞ୍ଚଳ ଏବର ଶ୍ରୀକ୍ଷେତ୍ର । କଳିଙ୍ଗ ତଥା ଶ୍ରୀକ୍ଷେତ୍ର (ନୀଳାଚଳ)କୁ ପଞ୍ଚପାଣ୍ଡବ ଓ ଦ୍ରୌପଦୀ ଆସିଥିବା କଥା ଯାହା ମହାଭାରତରୁ ସୂଚନା ମିଳେ, ତାହା ଅନୁଧ୍ୟାନ କଲେ ବିଶ୍ୱାସଯୋଗ୍ୟ ମନେହୁଏ ।

ଋଗ୍‍ବେଦର ନିମ୍ନୋକ୍ତ ମନ୍ତ୍ରରେ ଥିବା 'ଦାରୁ'କୁ ଦାରୁବ୍ରହ୍ମ ଶ୍ରୀଜଗନ୍ନାଥ ବୋଲି କେତେକ ଜଗନ୍ନାଥ ତତ୍ତ୍ୱଦର୍ଶୀ ପ୍ରତିପାଦନ କରନ୍ତି । ମନ୍ତ୍ରଟି ହେଲା;

"ଅଦୋ ଯଦ୍ଦାରୁ ପ୍ଳବତେ ସିନ୍ଧୋ ପାରେ ଅପୁରୁଷମ୍‍ ।
ତଦା ରଭସ୍ୱ ଦୁର୍ହଣୋ ତେନଗଚ୍ଛ ପରସ୍ତରମ୍‍ ।।
(୧୦-୧୫୫:୩)


ଅର୍ଥାତ୍‍, ହେ ଦୁର୍ଭିିକ୍ଷରୁ ନିବାରଣ ଚାହୁଁଥିବା ମଣିଷଗଣ । ଏହି ଯେଉଁ କାଷ୍ଠମୟୀ ନୌକା, ସମୁଦ୍ର ବା ନଦୀକୁ ପାରି ହେବାପାଇଁ ବିନା କୌଣସି ମଣିଷଦ୍ୱାରା ଜଳ ଉପରେ ବିଦ୍ୟମାନ ଅଛି, ତାକୁ ଅବଲମ୍ବନ କର । ତା' ମାଧ୍ୟମରେ ଦୂରଦେଶ ବା ଦ୍ୱୀପକୁ ଚାଲିଯାଅ । ଏହାକୁ ସାୟଣାଚାର୍ଯ୍ୟ (୧୪ଶ ଶତାବ୍ଦୀ) ତାଙ୍କ ଭାଷ୍ୟରେ ଲେଖିଛନ୍ତି- "ବର୍ତ୍ତମାନ ସମୁଦ୍ରରେ ପୁରୁଷୋତ୍ତମ ନାମ ଦେବତା ଶରୀର ଜଳ ଉପରେ ଭାସୁଛି । ନିର୍ମାଣ ରହିତ ଯୋଗୁଁ ସେ ଅପୌରୁଷ । ଏହି ଦାରୁମୟ ଦେବତାଙ୍କୁ ଉପାସନା କରିବା ଲୋକ ବୈଷ୍ଣବ ଲୋକକୁ ଗମନ କରନ୍ତି ।" ପରବର୍ତ୍ତୀ କାଳରେ ଉପରୋକ୍ତ ମନ୍ତ୍ରଟି ସ୍କନ୍ଦ ପୁରାଣରେ ପରିବର୍ତ୍ତିତ ରୂପରେ ସ୍ଥାନ ପାଇଛି:

"ଅହୋ ତବାୟଂଖଳୁ ଭାଗ୍ୟରାଶି
ର୍ଯେନା ବିରାସୀଦ୍‍ଭୁ ବି ଦାରୁ ମୂର୍ତ୍ତିି
ଯସ୍ୟାପ୍ୟୁପାସ୍ତିଂ ଶ୍ରୁତିରାହ ମୁକ୍ତି
ପ୍ରଦାନ ମାସ୍ୱଜ୍ଞ ବିମୋହିତ ନାମ
ଯ(ସ) ଏଷ ପ୍ଳବତେ ଦାରୁଃ-ସିନ୍ଧୁପାରେ ହ୍ୟୁ ପୌରୁଷଃ
ତମୁପାସ୍ୟ ଦୁରାରାଧଂ ମୁକ୍ତିଂ ଯାତି ସୁଦୁର୍ଲଭମ୍‍ ।" (୨୧ ଅଧ୍ୟାୟ)


ଅର୍ଥାତ୍‍ ହେ ନରପତି ! ତୁମର ଭାଗ୍ୟରାଶି ଅତି ଆଶ୍ଚର୍ଯ୍ୟ । ପୁରୁଷୋତ୍ତମ ଭଗବାନ ଜଗତରେ ଦାରୁମୂର୍ତ୍ତିି ଧାରଣ କରି ଆବିର୍ଭୂତ ହୋଇଥିଲେ । ଶ୍ରୁତି (ବେଦ)ରେ କୁହାଯାଇଛି ,ଏହାଙ୍କୁ ଉପାସନା କଲେ ଆତ୍ମଜ୍ଞାନ ବିମୋହିତ ବ୍ୟକ୍ତିମାନଙ୍କର ମଧ୍ୟ ମୋକ୍ଷ ଲାଭ ହୁଏ । (ଶ୍ରୁତି ବର୍ଣ୍ଣିିତ) ସେହି ଅପୌରୁଷେୟ ଦାରୁ ସମୁଦ୍ରତୀରରେ ଭାସମାନ ହେଉଛନ୍ତି । ଏ ଦୁରାରାଧ୍ୟ । ଏହାଙ୍କୁ ଉପାସନା କଲେ ଦୁର୍ଲଭ ମୁକ୍ତି ପ୍ରାପ୍ତ ହୁଏ ।

ଋଗ୍‌ବେଦର ଉଲ୍ଲିଖିତ ମନ୍ତ୍ର ସହିତ ଦାରୁବ୍ରହ୍ମ ପୁରୁଷୋତ୍ତମଙ୍କ ସଂପର୍କ ନାହିଁ ବୋଲି କହିଛନ୍ତି ଗବେଷକ ଡକ୍ଟର ଗୌରାଙ୍ଗ ଚରଣ ନାୟକ, ଡକ୍ଟର ସତ୍ୟନାରାୟଣ ରାଜଗୁରୁ, ଡକ୍ଟର ଉମେଶ ପତ୍ରୀ, ସଚ୍ଚିଦାନନ୍ଦ ମିଶ୍ର ଓ ଟି.ଏନ୍‍ ଧର୍ମାଧିକାରୀ ପ୍ରମୁଖ । ଡକ୍ଟର ରାଜଗୁରୁ ଲେଖିଛନ୍ତି- "ଭୁଲରେ ଏହି ସୂତ୍ରଟି ଶ୍ରୀଜଗନ୍ନାଥଙ୍କ ଦାରୁବ୍ରହ୍ମ ପ୍ରତି ପ୍ରଯୁଜ୍ୟ କରି ନିଜେ ମଧ୍ୟ ତାହା ସନ୍ଦେହ କରିଥିବା ତାଙ୍କ (ସାୟଣାଚାର୍ଯ୍ୟଙ୍କ) ଭାଷ୍ୟରୁ ଜଣାଯାଏ । କାରଣ ଶଂସିତ ବୈଦିକ ସୂତ୍ରଟି ଅନ୍ୟ ପ୍ରସଙ୍ଗର ଅର୍ଥବୋଧ କରୁଛି ।" ଡକ୍ଟର ପତ୍ରୀ କହନ୍ତି- "ପ୍ରକୃତରେ ଋଗ୍‌ବେଦର ସେହି ମନ୍ତ୍ରଟି କ'ଣ ଶ୍ରୀଜଗନ୍ନାଥଙ୍କୁ ପ୍ରତିପାଦନ କରୁଛି ? ଏହି ଅଲକ୍ଷ୍ମୀ ସୂକ୍ତରେ ପାଞ୍ଚଟି ମନ୍ତ୍ର ଅନୁଷ୍ଟୁପ ଛନ୍ଦରେ ପରସ୍ପର ସହିତ ଛନ୍ଦାୟିତ ହୋଇ ସଂରଚିତ ହୋଇଛି । ପୂର୍ବାପର ସଂପର୍କକୁ ନ ଜାଣିଲେ କେବଳ ଗୋଟିଏ

ମନ୍ତ୍ରରୁ ପ୍ରତିପାଦ୍ୟ ବିଷୟ ଜଣାପଡ଼ିବ ନାହିଁ ।" 'ଦାରୁ' ଶବ୍ଦ ଦେଖି ତାକୁ ଜଗନ୍ନାଥଙ୍କ ଦାରୁମୂର୍ତ୍ତିି ବୋଲି ଧରିନେବା ଯୁକ୍ତିଯୁକ୍ତ ନୁହେଁ । ବେଦରେ ଅଲକ୍ଷ୍ମୀକୁ ସମୁଦ୍ରରେ ଭାସୁଥିବା ଗୋଟିଏ ଦାରୁ ବା କାଷ୍ଠ ଉପରେ ବସି ଅନ୍ୟତ୍ର ଚାଲିଯିବାପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଆହୁରି ମଧ୍ୟ କୁହାଯାଇଛି,କୌଣସି ବ୍ୟକ୍ତି ଯଦି ଧନ ବା ଲକ୍ଷ୍ମୀବିହୀନ ହୋଇ ଜୀବନ ଯାପନ କରୁଥାନ୍ତି, ତେବେ ସେ ଋଗ୍‍ ବେଦ ଦଶମ ମଣ୍ଡଳର୧୫୫ ତମ ସୂକ୍ତର ପାଞ୍ଚଗୋଟି ମନ୍ତ୍ରକୁ ନିତ୍ୟ ପ୍ରାତଃ କାଳରେ ସ୍ନାନ କରିବା ପରେ ୧୦୧ ଥର ଜପ କରନ୍ତୁ । ଏହି ଜପ ପୂର୍ବରୁ ଓ ପରେ ଗାୟତ୍ରୀ ମହାମନ୍ତ୍ରର ଗୋଟିଏ ମାଳା ଜପ ଆବଶ୍ୟକ । (ଯୁଗଶକ୍ତି ଗାୟତ୍ରୀ,ଜାନୁଆରି,୨୦୦୫)

ବୌଦ୍ଧ ବଜ୍ରଯାନର ପ୍ରସିଦ୍ଧ ଗ୍ରନ୍ଥ 'ଜ୍ଞାନସିଦ୍ଧି'ରେ ଉଲ୍ଲେଖ ଅଛି: 'ପ୍ରଣିପତ୍ୟ ଜଗନ୍ନାଥଂ ସର୍ବଜିନ ବରାର୍ଚ୍ଚିତମ୍‍ । ସର୍ବ ବୁଦ୍ଧମୟଂସିଦ୍ଧି ବ୍ୟାପିନଂ ଗଗନୋପମମ୍‍ ।।" (୧/୧)। ଏହି ଗ୍ରନ୍ଥର ପ୍ରଣେତା ଖ୍ରୀ: ସପ୍ତମ/ଅଷ୍ଟମ ଶତାବ୍ଦୀର ସମ୍ବଳକ (ଏବର ସମ୍ବଲପୁର)ର ରାଜା ଇନ୍ଦ୍ରଭୂତି । ଏହି ଗ୍ରନ୍ଥର ମଙ୍ଗଳାଚରଣ ପାଠକରି କେତେଜଣ ଲେଖକ ତଥା ଗବେଷକ ମତ ଦିଅନ୍ତି ଯେ, ଏଥିରେ ପ୍ରଥମଥରପାଇଁ 'ଜଗନ୍ନାଥ' ଶବ୍ଦ ବ୍ୟବହୃତ ହୋଇଛି ଓ ତାହା ଶ୍ରୀକ୍ଷେତ୍ରର ଜଗନ୍ନାଥ ମହାପ୍ରଭୁଙ୍କୁ ବୁଝାଉ ଅଛି । ଏହି ଗ୍ରନ୍ଥରୁ ଉଦାହରଣ ଦେଇ ବୌଦ୍ଧ ଏପରିକି ଜୈନମାନେ ମଧ୍ୟ ଜଗନ୍ନାଥ ମହାପ୍ରଭୁଙ୍କୁ ଯଥାକ୍ରମେ ବୁଦ୍ଧ ଓ ଜୀନନାଥ ମନେକରନ୍ତି ।

ନୀଳାଚଳ ଧାମର ପ୍ରସିଦ୍ଧି ଖ୍ରୀ: ଅଷ୍ଟମ ବା ନବମ ଶତାବ୍ଦୀରେ ଥିବା କଥା ମୁରାରି କବିଙ୍କ 'ଅନର୍ଘ ରାଘବ' ନାଟକରୁ ପ୍ରତିପାଦିତ ହୁଏ ବୋଲି ସତ୍ୟନାରାୟଣ ରାଜଗୁରୁ ଲେଖିଛନ୍ତି । କିନ୍ତୁ ମୁରାରିଙ୍କ ସମୟ ଏକାଦଶ ଶତାବ୍ଦୀ ବୋଲି ଐତିହାସିକ ନବୀନ କୁମାର ସାହୁ ମତ ଦେଇଛନ୍ତି । ପ୍ରଫେସର ସାହୁ ଆହୁରି କହିଛନ୍ତି ଯେ, ଚୋଡ଼ଗଙ୍ଗଦେବଙ୍କ ଉତ୍କଳ ଅଧିକାର ପୂର୍ବରୁ ପୁରୀଠାରେ ପୁରୁଷୋତ୍ତମ ଜଗନ୍ନାଥଙ୍କର ଏକ ମନ୍ଦିର ଥିବା କଥା ପ୍ରାଚୀନ ଗ୍ରନ୍ଥ ଓ ଅଭିଲେଖଗୁଡ଼ିକରୁ ଜଣାଯାଏ । ଏହି ସବୁ ଗ୍ରନ୍ଥ ଓ ଅଭିଲେଖରୁ ଗୋଟିଏ ସୁଦ୍ଧା ଏକାଦଶ ଶତାବ୍ଦୀର ପୂର୍ବବର୍ତ୍ତୀ ନୁହେଁ । 'ଅନର୍ଘ ରାଘବ'ର ଚରୟିତା ମୁରାରିଙ୍କ ସମୟ ଏକାଦଶ ଶତାବ୍ଦୀ, କୃଷ୍ଣମିଶ୍ରଙ୍କ ରଚିତ 'ପ୍ରବୋଧ ଚନ୍ଦ୍ରୋଦୟ' ନାଟକର ସମୟ ଖ୍ରୀଷ୍ଟାବ୍ଦ ୧୦୭୩ରୁ ୧୦୭୬ ମଧ୍ୟରେ । 'ଭାସ୍ୱତି' ଓ 'କୃତ୍ୟ କଳ୍ପତରୁ' ଗ୍ରନ୍ଥ ଯଥାକ୍ରମେ ୧୧୦୦ ଓ ୧୧୧୦ ଖ୍ରୀଷ୍ଟାବ୍ଦରେ ରଚିତ । 'ବ୍ରହ୍ମ ଯାମଳ ତନ୍ତ୍ର' ଏକାଦଶ ଶତାବ୍ଦୀର ପୂର୍ବବର୍ତ୍ତୀ ନୁହେଁ ।

ଓଡ଼ିଆ ସାହିତ୍ୟରେ ଆଦି କବି ସାରଳା ଦାସ (୧୫ଶ ଶତାବ୍ଦୀ)ଙ୍କ ମହାଭାରତରେ ପ୍ରଥମ କରି ଶ୍ରୀଜଗନ୍ନାଥଙ୍କ ସଂପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରାଯାଇଛି । ପରବର୍ତ୍ତୀ 'ପଞ୍ଚସଖା' ସାହିତ୍ୟରେ ଅର୍ଥାତ୍‍ ଜଗନ୍ନାଥ ଦାସ, ଅଚ୍ୟୁତାନନ୍ଦ, ଯଶୋବନ୍ତ, ଅଚ୍ୟୁତ ଓ ଅନନ୍ତ ଦାସଙ୍କ ରଚନାରେ ଶ୍ରୀଜଗନ୍ନାଥଙ୍କ ମାହାତ୍ମ୍ୟ ବର୍ଣ୍ଣିିତ ହୋଇଅଛି ।

ପଣ୍ଡିତ ନୀଳମଣି ମିଶ୍ର ଲେଖିଛନ୍ତି, ଆଦିମ ଯୁଗର 'ଦାରୁ ଦେବତା' ହିଁ ପରବର୍ତ୍ତୀ କାଳରେ

ଶ୍ରୀଜଗନ୍ନାଥ ନାମରେ ରୂପାୟିତ ହୋଇଛନ୍ତି । ଏହି ବିଗ୍ରହଙ୍କ ପ୍ରଶସ୍ତି ଇନ୍ଦ୍ରଭୂତିଙ୍କ ପ୍ରଣୀତ ଜ୍ଞାନସିଦ୍ଧି, ମୁରାରିଙ୍କ ଅନର୍ଘରାଘବ, ଶତାନନ୍ଦଙ୍କ ରତ୍ନମାଳା, ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ସ୍ତୋତ୍ର ଆଦି ପ୍ରାଚୀନ ଗ୍ରନ୍ଥ ତଥା ସ୍ତୁତି ସ୍ତୋତ୍ରରେ ଦେଖିବାକୁ ମିଳେ । ତେଣୁ ସପ୍ତମ-ଅଷ୍ଟମ ଶତାବ୍ଦୀ ବେଳକୁ ଶ୍ରୀଜଗନ୍ନାଥ ବିଶ୍ୱବିଶ୍ରୁତ ବିଗ୍ରହ ରୂପେ ପ୍ରତିଷ୍ଠା ଲାଭ କରିସାରିଥିଲେ ।

Saturday, August 26, 2023

ଲୁହ

ଅଟକୁନି ଲୁହ 
ବୋହି ଚାଲୁଛି ଅନବରତ
ଆଖିବି ନିଜର କରି ରଖି ପାରୁନି 
ଏ ଲୁହକୁ,,,,
ବାସ୍ ଝରି ଯାଉଛି
ଟୋପା ଟୋପା ହୋଇ!

ମନର ବ୍ୟଥା 
ହୃଦୟର କୋହ 
ସତରେ ଭାଙ୍ଗି ଦେଉଛି ଶକ୍ତିକୁ
ଧର୍ଯ୍ୟହରା ହୋଇଗଲାଣି ଏ ଜୀବନ
ବଞ୍ଚିବାକୁ ଇଚ୍ଛା ହେଉନି,,,
ମରିବାକୁ ବି ସାହସ ହେଉନି!

ସାମର୍ଥ୍ୟ ନାହିଁ ଆଉ ଛିଡ଼ା ହେବାକୁ
ନିଜ ଗୋଡ଼ରେ,,,
ଦୁନିଆ ଆଗରେ,,,,,
ପରିସ୍ଥିତି ଜଟିଳ କରୁଛି ସମସ୍ୟାକୁ
ଏଠି ଖାଲି ଆଖିରୁ ଲୁହ ଝରୁନି
ହୃଦୟ କୋହରେ କାନ୍ଦୁଛି!

ଜରାଜୀର୍ଣ୍ଣ ଅବସ୍ଥାରେ,,,,
ପଡ଼ି ରହୁଛି ଗୋଟେ ଘର କୋଣରେ 
ଏ ଶରୀର, ବର୍ତ୍ତମାନ, ଓ ଭବିଷ୍ୟତ
ଝୁରି ହେଉଛି ଅତୀତକୁ,,,,,

ଭାବୁଛି ତା' ପ୍ରେମକୁ ଏବଂ ହରେଇ ଥିବା 
ଆଶା,ବିଶ୍ୱାସ, ଓ ଭରଷାକୁ
ସତରେ ଏ ଜୀବନ ବହୁତ ଜଟିଳ
ବଞ୍ଚିବା ବହୁତ କଷ୍ଟ,,,,

ସତରେ ଏ ଜୀବନ କ'ଣ ଅଭିଶପ୍ତ
ନାହିଁ ଏଥିରେ,,,
ହସ, ଖୁସି, କି ସୁଖ?
ନାଆଁ ଦୁନିଆଟା ଭିନ୍ନ ମୋ ପାଇଁ
ଲଦି ଦେଉଛି ସମସ୍ତିଙ୍କର ଯନ୍ତ୍ରଣା
ଲୁହକୁ ଝରେଇବା ପାଇଁ!

✍ ସୁଶୀଲ କୁମାର ଭୋଇ

Saturday, March 11, 2023

ଉଦ୍ବୋଧନୀ

ଯେତେବେଳେ କେତେକ ବଙ୍ଗଭାଷୀଙ୍କ ଚକ୍ରାନ୍ତରେ ଓଡ଼ିଆ ଭାଷା ଖୁବ୍ ଦୁର୍ଦ୍ଦିନରେ ଗତି କରୁଥିଲା ସେତେବେଳେ ଯେଉଁ ମହାରଥୀମାନେ ଲେଖନୀଅସ୍ତ୍ର ବଳରେ ଶତ୍ରୁଙ୍କୁ ପରାହତ କରି ମାତୃଭାଷାର ସୁରକ୍ଷା କରିଥିଲେ ଏବଂ ଓଡ଼ିଆ ଜାତିକୁ ଉଦ୍‌ବୁଦ୍ଧ କରିଥିଲେ , ସେ ରଣାଙ୍ଗନରେ ସେନାପତି ସେନାପତି ଭାଵେ ଅଗ୍ରଗଣ୍ୟ ହେଲେ ବି ସୈନିକଙ୍କ ମଧ୍ୟରେ ସ୍ୱର୍ଗୀୟ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କର ନାମକୁ ଉପେକ୍ଷା କରାଯାଇ ନ ପାରେ।
             ତାଙ୍କ ଉଦ୍‌ଵୋଧନ କବିତା ଯେପରି ଭାଵଗର୍ଭକ ସେହିପରି କାନ୍ତକୋମଳପଦାବଳୀ ଯୁକ୍ତ ତଥା ଓଡ଼ିଆ ମାଟିପାଣିପବନମିଶା ପରମ୍ପରାର ସୁଗନ୍ଧ ବହନକାରୀ । ମୋ ପିଲାଦିନର ଅତି ଅନ୍ତରଙ୍ଗ ସାଥୀ ଏଇ କବିତା ଯାହାକୁ ମୁଁ ପ୍ରତି ମୁହୂର୍ତ୍ତରେ ଗୁଣୁଗୁଣୁ ହୋଇ ବୋଲୁଥିଲି ।
                         #ଉଦ୍‌ଵୋଧନ
    ତୁଙ୍ଗ-ଶିଖରୀଚୂଳ    କୁଞ୍ଜକାନନ-ମାଳ
     ପୁଣ୍ୟ ଜଳଧି-ଜଳ   ଖେଳି ଉଠେ ସଘନେ,
    ପ୍ରାଚୀଗଗନ-ଶିରେ   ଭାସି କନକ-ନୀରେ
    ଆସ ତପନ ଉଇଁ   ଏ ଉତ୍କଳ ଭୁଵନେ ।ଘୋଷା ।
    ଆଜି କି ସରଗଛବି   ରାଜେ ରୁଚିର
    କି ନବଜୀଵନେ ଭରା   କୋଟି ଅନ୍ତର
   କିବା ଏ ସମ୍ପଦ ଶିରୀ    ହୃଦେ ହୃଦେ ଆସେ ପୂରି
  କି ପୁଲକ-ଧାରା ଖେଳି   ଆସେ କୋଟି ବଦନେ ।୧।
  ଆହା ଏ ଉତ୍କଳ କିବା  ସରଗଭୂମି
ବିଲ ବନ ଶୈଳ ସିନ୍ଧୁ   ସୁଷମା ଘେନି !
ଜନମି ଏ ଦେଶେ ଆଜି  ଏ ଜନନୀ କୋଳେ ରାଜି
ଧନ୍ୟ କୋଟି ନର ନାରୀ  ମର ନର ଜୀବନେ ।୨। ଲଳିତ ଅଙ୍ଗ ବୀର   ପ୍ରତାପ ଯା'ର
ପୁଣ୍ୟ ତେଜେ ଧରାମୁଖ   କଲେ ଉଜ୍ଜ୍ୱଳ ,
ଶାସିଲେ ଅତୁଲ୍ୟବଳେ   ପାଳିଲେ ସେନେହଭରେ
ଏ ସବୁ , ଓଡ଼ିଆ ଦିନେ   ଦେଖିଛ ସେ ନୟନେ ।୩।
ବିପୁଳ ଓଡ଼ିଆ ସେନା    ବାହୁ ବିଜୟେ
ହିମାଚଳଚୂଡ଼ୁଁ ଦିନେ    କୁମାରିକା ଯାଏ
ହୃଦୟ ଶୋଣିତ ଢାଳି  ଦେଇ ନିଜ ଶିରବଳି
କୀର୍ତ୍ତିଧ୍ୱଜା ଉଡ଼ାଇଲେ   କି ପୁଲକ ପରାଣେ ।୪।
ବାରବାଟୀ ଦୁର୍ଗେ ବୀର   ଓଡ଼ିଆ ସୁତ ,
ଶତ ଶତ୍ରୁସେନା ନାଶି   କିବା ମହତ ?
ଭାଙ୍ଗିଛି ସେ ବାରବାଟୀ  ସେ ଶିରୀ ଯାଇଛି ତୁଟି
(ତେବେ)ରହିଛି ସେ ଯଶ ମିଶି ଜଳେସ୍ଥଳେ ପବନେ।୫।
   କୋଣାର୍କ-ଜୀର୍ଣ୍ଣ-ସଉଧେ   ଉତ୍କଳ-କୀର୍ତ୍ତି,
    ଦିଶେ ଦିଶେ ଆଜି କିବା   ବିକଶେ ଫୁଟି ,
     ନୀଳାଚଳେ ଜଗନ୍ନାଥ  ଯୁଗେ ଯୁଗେ ବିରାଜିତ
    ଉତ୍କଳ ମହିମା-ଘୋଷ  ଏ ଭାରତ ଭୁଵନେ ।୬।
     ବିମଳ-ଚିଲିକା-ବକ୍ଷେ   ଖେଳୁ ସେ ବୀଚି ,
     ଉଠୁ ମହୋଦଧି-ବାରି   ଅମୃତ ସିଞ୍ଚି ,
     ମହେନ୍ଦ୍ର ଶ୍ୟାମଳ ଚୂଳେ  ପୂତ ଚିତ୍ରୋତ୍ପଳା ନୀରେ
     ଢଳୁ ସେ ସମ୍ପଦ ଶିରୀ   ଗ୍ରାମ ବିଲ କାନନେ ।୭।
      ତୋ ଭଳି ଜନନୀ ଥାଉଁ,  ଜନମଭୂମି ,
     କି ଦୁଃଖ ଏ ଓଡ଼ିଆର   ପରାଣେ ପୁଣି ?
   ମୋହନ ମୂରତି ସେହି  ଦିଅ ଗୋ ମା ଆଜି ଫେଇ
    କୋଟିଏ ସନ୍ତାନ ତୋର  ପ୍ରଣମୁଁ ଏ ଚରଣେ ।୮।
                 ଜୟ ଉତ୍କଳ ଜନନୀ ।

“ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ଦିଵସ”

“ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ଦିଵସ” ଉପଲକ୍ଷେ ସମସ୍ତ ଓଡ଼ିଆଙ୍କୁ ଓଡ଼ିଆପ୍ରେମୀଙ୍କୁ ଶୁଭେଚ୍ଛା ଓ ଶୁଭକାମନା 🙏

ଓଡ଼ିଆ ଭାଷା କେଵଳ ଏକ ଭାଷା ନୁହେଁ ଵରଂ ଗୋଟିଏ ସଂଘର୍ଷର ନାମ । ଓଡ଼ିଆ ଭାଷା ତାହାର ଜନ୍ମ ସମୟରୁ ଏଯାଵତ୍ ସଂଘର୍ଷରତ । ଓଡ଼ିଆ ଭାଷା ଲୁପ୍ତ କରି ଦେଵାକୁ ଦେଶୀୟ ଵିଦେଶୀ ସମସ୍ତେ ପ୍ରଯତ୍ନ କରିଛନ୍ତି ଏଵଂ ଆଜି ମଧ୍ୟ କରୁଅଛନ୍ତି ‌ । 

#କଳାତ୍ମକଷଡ଼ଯନ୍ତ୍ର:

ଓଡ଼ିଆ ଦୂରଦର୍ଶନ କେନ୍ଦ୍ର, ପତ୍ରିକା ଓ ସମ୍ବାଦପତ୍ରର ଅଣଓଡ଼ିଆ ସତ୍ତାଧିକାରୀମାନେ ଜାଣିଶୁଣି ଓଡ଼ିଆ ଭାଷାକୁ ଆରବୀ ପାର୍ସୀ ତୁର୍କ ଇଂରାଜୀ ଶବ୍ଦମୟ ଦୂଷିତ କରିଦେଵାର ଷଡ଼ଯନ୍ତ୍ର ଚଳାଇଛନ୍ତି । ସେଥିପାଇଁ ଜାଣିଶୁଣି ଲୋକଙ୍କୁ ହିଙ୍ଗୋଡ଼ିଆ ଭାଷାରେ ସମାଚାର,ଧାରାଵାହିକ ଆଦି ପରିଵେଷଣ କରାଯାଉଛି । 
ଓଡ଼ିଆ ଚଳଚ୍ଚିତ୍ର ଓ ସଂଗୀତ ଜଗତ ଅନେକାଂଶରେ ହିନ୍ଦିଆ,ବଙ୍ଗାଳୀ ଓ ବଙ୍ଗାଳୀ ବଂଶୋଦ୍ଭଵମାନଙ୍କ ହାତକୁ ଚାଲିଗଲାଣି । ଅଣଓଡ଼ିଆ ପ୍ରଯୋଜକ, ନିର୍ଦ୍ଦେଶକ, ଗୀତିକାର ଓ ଅଭିନେତା ଜାଣିଶୁଣି ଚଳଚ୍ଚିତ୍ର ମଧ୍ଯରେ କଳୁଷିତ ଓଡ଼ିଆ ଭାଷାର ପରିଵେଷଣ କରି ଓଡ଼ିଆ ଭାଷାକୁ ଦୂଷିତ କରୁଅଛନ୍ତି । ସେହିପରି କିଛି ଅଣଓଡ଼ିଆ ସଂଗଠନ ଓଡ଼ିଆ ଵିରୋଧୀ ଲୋକଙ୍କୁ ତଥା ଓଡ଼ିଆ ଭାଷା କଳୁଷିତ କରିଥିଵା ସାହିତ୍ୟିକଙ୍କୁ ସମ୍ମାନିତ କରି ଓଡ଼ିଆ ଭାଷା ଦୂଷିତ ରୂପ ଅଗ୍ନିକୁଣ୍ଡରେ ଘୃତ ଅର୍ପଣ ସମ କାର୍ଯ୍ୟ କରୁଛନ୍ତି । 

#ଲିପି_ସମ୍ବନ୍ଧୀୟ_ଷଡ଼ଯନ୍ତ୍ର:

ଓଡ଼ିଆ ଭାଷାର ଲିପିରୁ କେତେକ ଲିପୀମ ଓ ଵର୍ଣ୍ଣ ଉଠାଇ ଦେଵାର ଷଡ଼ଯନ୍ତ୍ର ଵିଗତ ଶତାଧିକ ଵର୍ଷ ଧରି ଚାଲୁଛି ।ଈ,ଊ,ୠ,ଷ,ସ,ୱ,ଵ ଇତ୍ୟାଦି ଵର୍ଣ୍ଣ ମାରି ଦେଵା ତଥା ଯୁକ୍ତାକ୍ଷର ଉଠାଇ ଦେଇ 'ଂ' ଵ୍ୟଵହାର କରିଵାକୁ କିଛି ଲୋକ ପ୍ରଵର୍ତ୍ତାଉଛନ୍ତି । ପ୍ରକୃତରେ ଏମାନେ ଷଡ଼ଯନ୍ତ୍ରକାରୀ ଓ ଷଡ଼ଯନ୍ତ୍ରକାରୀଙ୍କ ଦ୍ଵାରା ମତିଭ୍ରମିତ ହୋଇଥିଵା ଲୋକ ଅଟନ୍ତି । ଅନ୍ୟ ଏକ ଦିଗରେ ଓଡ଼ିଶାର ସୀମାନ୍ତ ଅଞ୍ଚଳର ଲୋକଙ୍କୁ ଓଡ଼ିଆ ଲିପି ଛାଡ଼ି ବଙ୍ଗଳା, ତେଲୁଗୁ ଓ ଦେଵନାଗରୀ ଲିପିରେ ଲେଖିଵାକୁ ପ୍ରଵର୍ତ୍ତାଯାଉଛି । ଏତଦ୍ଵାରା ଓଡ଼ିଆ ଭାଷା ଵିଲୁପ୍ତି ସହଜ ହୋଇଯିଵ ବୋଲି ଆମ ବିହାରୀ,ବଙ୍ଗାଳୀ, ମାରୁଆଡ଼ି,ପଞ୍ଜାବୀ ଓ ତେଲେଙ୍ଗା ପଡ଼ୋଶୀଙ୍କର ବିଲୁଆ ଵିଚାର ! 

#ଶୈଳୀ_ସମ୍ବନ୍ଧୀୟ_ଷଡ଼ଯନ୍ତ୍ର:

ଅଧୁନା ବଙ୍ଗାଳୀ, ତେଲେଙ୍ଗା ଓ ଵିଶେଷକରି ହିନ୍ଦିଆମାନେ ସୀମାନ୍ତ ଅଞ୍ଚଳରେ ପ୍ରଚଳିତ ଓଡ଼ିଆ ଶୈଳୀଗୁଡି଼କୁ ନିଜ ଭାଷାର ଶୈଳୀ ବୋଲି ଦାବି କରୁଥିଵା ଦେଖାଯାଉଛି । ହିନ୍ଦୀଭାଷୀ ଏ ଦିଗରେ ଆଂଶିକ ସଫଳ ବି ହେଲେଣି ଓ କୁଡ଼ମଲୀ,ସାଦ୍ରୀ ତଥା ଲରିଆ ଭାଷାକୁ ନିଜ ହିନ୍ଦୀ ଭାଷାର ଉପଭାଷା  ବୋଲି ପ୍ରମାଣ କରିଵାକୁ ବହୁଵର୍ଷରୁ ଚେଷ୍ଟା ଚଳାଇଛନ୍ତି । ଏ ଦିଗରେ ଏବେ ହିନ୍ଦୀଭାଷୀଙ୍କ ଲୋଲୁପଦୃଷ୍ଟି ଷଡ଼ସୀ,ଭତ୍ରୀ,ହଲବୀ, ସମ୍ବଲପୁରୀ ଓ ଦେଶିଆ ଆଦି କଥିତ ଓଡ଼ିଆ ଶୈଳୀ ଉପରେ ରହିଛି ଏଵଂ ଏହିସବୁ ଭାଷାଶୈଳୀଗୁଡ଼ିକୁ ହାତେଇଵାକୁ ସ୍ଥାନୀୟ ଲୋକଙ୍କ ମନରେ ଓଡ଼ିଆ ଭାଷା ଵିରୋଧୀ ଵିଚାର ପୁରେଇ ସେମାନଙ୍କୁ ଓଡ଼ିଆ ଵିଦ୍ଵେଷୀ କରାଯାଉଛି । 

#ଭାଷା_ଵିଭାଜନ_ଷଡ଼ଯନ୍ତ୍ର

ଓଡ଼ିଆ ଭାଷାର ସମସ୍ତ ଶୈଳୀଗୁଡି଼କୁ ଓଡ଼ିଆ ଭାଷାଠାରୁ ଭିନ୍ନ ବୋଲି ହିନ୍ଦୀ, ବଙ୍ଗଳା ଓ ତେଲେଙ୍ଗା ଏଵଂ ସେମାନଙ୍କ ବଂଶୋଦ୍ଭଵମାନଙ୍କ ଦ୍ଵାରା ଦୀର୍ଘ ଦିନ ଧରି ପ୍ରଚାର ପ୍ରସାର ଯୋଗୁଁ ଵର୍ତ୍ତମାନ ଓଡ଼ିଶାର ସୀମାଞ୍ଚଳର ଲୋକେ ନିଜ ଭାଷାକୁ ଓଡ଼ିଆ ତଥା ନିଜକୁ ଓଡ଼ିଆ ଜାତିର ଦାୟାଦ ବୋଲି ପରିଚୟ ଦେଵାକୁ ପଶ୍ଚାତପଦ ହେଉଛନ୍ତି ଘୃଣା କରୁଛନ୍ତି । ଆମ ପଡ଼ୋଶୀ ଵିଶେଷତଃ  ହାଣ୍ଡିଆମାନଙ୍କ ଵିଚାରରେ ଓଡ଼ିଆ ଭାଷାର ଗୋଟିଏ ଗୋଟିଏ ଶୈଳୀକୁ ଭିନ୍ନ କହି ପ୍ରଚାର ପ୍ରସାର କଲେ ଏ ଭାଷାର ପ୍ରଚଳନ ଭୂକ୍ଷେତ୍ର ସୀମା ଧିରେ ଧିରେ ଛୋଟ ହୋଇ ହୋଇ ଯିଵ ଫଳତଃ ଓଡ଼ିଶାରେ ଓଡ଼ିଆ ଭାଷା ଲୁପ୍ତ ହୋଇଗଲେ ହିନ୍ଦୀ ଭାଷାର ପ୍ରଚଳନ ସହଜ ହୋଇଯିଵ । ପରେ କଥିତ ଓଡ଼ିଆ ଶୈଳୀଗୁଡି଼କୁ ହିନ୍ଦୀର ଉପଭାଷା କହିଲେ ବି କେହି ଵିରୋଧ କରିଵାକୁ ନଥିବେ । 

#ଵୈଷୟିକ_ଷଡ଼ଯନ୍ତ୍ର

ଵିଗତ ଅନେକ ଵର୍ଷ ଧରି ଜାଣିଶୁଣି ଓଡ଼ିଆ ଭାଷାକୁ  ଅନ୍ତର୍ଜାଲର ଅନେକ ଜାଲସ୍ଥଳରେ ସ୍ଥାନ ଦିଆଯାଉନାହିଁ । ଅଧିକାଂଶ ଜାଲସ୍ଥଳରେ ଅଣଓଡ଼ିଆ ଵିଶେଷ କରି ବଙ୍ଗାଳୀ ଓ ହିନ୍ଦିଆ କାର୍ଯ୍ୟ କରୁଥିଵାରୁ ଏଵଂ ସେମାନେ ଓଡ଼ିଆ ଭାଷାକୁ ଘୃଣା କରୁଥିଵାରୁ ଏସବୁ ଜାଲସ୍ଥଳରେ ଓଡ଼ିଆ ଭାଷାକୁ ସ୍ଥାନ ଦେଵାକୁ କୁଣ୍ଠିତ ହୋଇଥାନ୍ତି । ପୁଣି ଯଦିଵା ଓଡ଼ିଆ ଭାଷାରେ କୌଣସି ଅଣଓଡ଼ିଆ ସଂସ୍ଥା,ସଂଗଠନ କିଛି ଲେଖା ପ୍ରକାଶିତ କରୁଛନ୍ତି ତାହା ଭୁଲ୍ ବନାନ ଯୁକ୍ତ ହୋଇଥାଉଛି । ଫଳତଃ ଏଭଳି କାର୍ଯ୍ୟ ଦ୍ଵାରା ଓଡ଼ିଆ ଭାଷାଭାଷୀଙ୍କୁ ତାଙ୍କ ଭାଷାରେ ବନାନ ତ୍ରୁଟି କରିଵାକୁ ପରୋକ୍ଷରେ ପ୍ରଵର୍ତ୍ତାଯାଉଛି । 
କେତେକ ସମ୍ବାଦପତ୍ର, ଦୂରଦର୍ଶନ ସଂସ୍ଥାରେ ବନାନ ତ୍ରୁଟି ପ୍ରତି ଆଦୌ ଧ୍ୟାନ ଦିଆଯାଉନାହିଁ ଏପରିକି ଷଡ଼ଯନ୍ତ୍ର କରି ଓଡ଼ିଆ ଅକ୍ଷର,କାର ଓ ଫଳା ଆଦି ଭିନ୍ନ ଭିନ୍ନ ରୂପରେ ପ୍ରଚଳିତ କରାଇଵାକୁ ଚେଷ୍ଟା କରାଯାଉଛି । ଏତଦ୍ଵାରା ଓଡ଼ିଆ ଲୋକେ ଦ୍ଵନ୍ଦ୍ଵରେ ପଡ଼ି ଓଡ଼ିଆ ଲିପି ଛାଡ଼ି ଦେବେ ବୋଲି ଷଡ଼ଯନ୍ତ୍ରକାରୀମାନେ ଵିଚାର କରିଅଛନ୍ତି । 

#ଜାତିକୁଦରିଦ୍ରକରଭାଷାଆପେମରିଯିଵ 

ଏହା ହେଉଛି ଓଡ଼ିଶା, ଓଡ଼ିଆ ଜାତି ତଥା ଓଡ଼ିଆ ଭାଷା ପ୍ରତି କରାଯାଉଥିଵା ସବୁଠାରୁ ବଡ଼ ଷଡ଼ଯନ୍ତ୍ର । ଏ ଷଡ଼ଯନ୍ତ୍ର ଫଳରେ ଦୀର୍ଘ ୪୦୦ ଵର୍ଷ ଧରି ଭାରତରେ ଓଡ଼ିଆ ଜାତି ଶୋଷିତ, ନିଷ୍ପେସିତ ହୋଇ ଆସିଛି । ଅଣଓଡ଼ିଆଙ୍କ ପ୍ରତ୍ୟକ୍ଷ ଓ ପରୋକ୍ଷ ଶୋଷଣ ଯୋଗୁଁ ଓଡ଼ିଆ ଜାତି ଆଜି ଦରିଦ୍ର ହୋଇଛି ଫଳତଃ ଏ ଜାତିର ଲୋକେ ସ୍ଵାଭିମାନହୀନ ହୋଇଗଲେଣି ଏଵଂ ସେମାନଙ୍କର ଶାସ୍ତ୍ରୀୟ ଓଡ଼ିଆ ଭାଷା ଵିଲୁପ୍ତି ପଥରେ ଅଗ୍ରସର ହେଲାଣି । 

#ଓଡ଼ିଶାରେଆନଭାଷାରପ୍ରଚାରପ୍ରସାରଷଡ଼ଯନ୍ତ୍ର

ବହୁତ ଦିନରୁ ଓଡ଼ିଶାରେ ଏହାର ୩୦୦୦ରୁ ୫୦୦୦ ଵର୍ଷ ପୁରାତନ  ରାଷ୍ଟ୍ରଭାଷା ଓଡ଼ିଆ ଭାଷାକୁ ମହତ୍ତ୍ଵ ନଦିଆଯାଇ ଵୈଦେଶିକ ହିନ୍ଦୀ ଓ ଇଂରାଜୀ ଭାଷାର ଅଧିକ  ପ୍ରଚାର ପ୍ରସାର କରାଯାଉଛି । ଏହାର ଫଳସ୍ଵରୂପ ଆଜି ନଗରାଞ୍ଚଳର ଯୁଵପିଢୀ଼ ଓଡ଼ିଆ ଭାଷାରେ କଥା ନହୋଇ ଇଂରାଜୀ ଚୋଵାଉଛନ୍ତି ଓ ହିନ୍ଦୀ ବାନ୍ତି କରୁଛନ୍ତି । ଓଡ଼ିଆଙ୍କ ଦେଶରେ ଓଡ଼ିଆ ଭାଷାକୁ ସ୍ଥାନ ନମିଳୁଥିଲାବେଳେ ପୁରୀ ବଡ଼ଦାଣ୍ଡରେ ହିନ୍ଦୀ ବଙ୍ଗାଳୀଙ୍କ ଭାଷାରେ ନାମଫଳକ ଲାଗିଥିଵାର ଅନେକ ଉଦାହରଣ ରହିଛି । ବାଟଘାଟରେ ଅଯଥା ଦେଵନାଗରୀ ଲିପିରେ ଓଡ଼ିଶାର ସ୍ଥାନଗୁଡି଼କର ନାମ ଲେଖା ରହୁଛି ଫଳତଃ ପରୋକ୍ଷରେ ଓଡ଼ିଆ ଲୋକେ ଓଡ଼ିଆ ଲିପି ଛାଡ଼ି ଦେଵନାଗରୀରେ ଲେଖନ୍ତୁ ବୋଲି ଦିଲ୍ଲୀ ପକ୍ଷରୁ ଷଡ଼ଯନ୍ତ୍ର ହେଉଛି । 

#ଓଡ଼ିଶାମାଟିଚୋରିକରଭାଷାବିମରିଯିଵ

ଭାରତରେ ରହିଵା ଯୋଗୁଁ ଓଡ଼ିଶାର ଅଧା ଭୂଭାଗ ଶ୍ରୀକାକୁଲମ,ଵସ୍ତର,ମହାସମୁନ୍ଦ୍,ଯଶପୁର, ଷଡ଼ୈକଳା,ସିଂହଭୂମି,ଧଳଭୂମି ,ଖରସୁଆଁ ଓ ମେଦିନୀପୁର ଆଦି ଅଞ୍ଚଳ ଏବେ ଅଣଓଡ଼ିଆଙ୍କ ଅଧୀନସ୍ଥ ହୋଇସାରିଛି ଏଵଂ ସେସବୁ ଅଞ୍ଚଳର ଓଡ଼ିଆ ଏବେ ନିଜକୁ ପ୍ରାୟତଃ ଅଣଓଡ଼ିଆ ଅଭିହିତ କରୁଛନ୍ତି ତଥା ଓଡ଼ିଆ ଭାଷା ଛାଡ଼ି ସାରିଛନ୍ତି । ଏହି ଯୋଜନାରେ ସଫଳ ହେଵା ଦେଖି ଆମ ପଡ଼ୋଶୀମାନେ ବଞ୍ଚିଯାଇଥିଵା ଓଡ଼ିଶାର ସୀମାନ୍ତ ଅଞ୍ଚଳ ଯଥା ମୟୂରଭଞ୍ଜ, ସମ୍ବଲପୁର, କେନ୍ଦୁଝର, ଗଞ୍ଜାମ,ଗଜପତି, ରାୟଗଡ଼ା, କୋରାପୁଟ ଆଦି ଜିଲ୍ଲାରୁ ଭୂଭାଗ ନେଇଯିଵାକୁ ପୁରାପୁରି ଷଡ଼ଯନ୍ତ୍ର ଚଳାଇଛନ୍ତି । ଏପଟେ ଓଡ଼ିଆ ଭାଷାଭାଷୀ ଅଞ୍ଚଳ ଯଥା କୋରାପୁଟ, ଘୁମୁସର, ସମ୍ବଲପୁର ତଥା ମୟୂରଭଞ୍ଜ ଆଦି ଅଞ୍ଚଳର ଓଡ଼ିଶାରୁ ଵିଭାଜନ ଦ୍ଵାରା ଏସବୁ ଅଞ୍ଚଳରୁ ଓଡ଼ିଆ ଭାଷା ଓ ଏହାର ଶୈଳୀ ଵିଲୁପ୍ତ କରି ନିଜର ବଙ୍ଗାଳୀ,ତେଲୁଗୁ ଓ ହିନ୍ଦୀ ଭାଷାକୁ ପ୍ରଚଳିତ କରାଇଵା ପାଇଁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ଚେଷ୍ଟା ଚଳାଇଛନ୍ତି । 

ସବୁଠାରୁ ବଡ଼ ଦୁଃଖର ଵିଷୟ ହେଉଛି ଆମରି କିଛି ଓଡ଼ିଆ ଭାଇମାନେ ହିଁ ଆମ ପଡ଼ୋଶୀ ଷଡ଼ଯନ୍ତ୍ରକାରୀମାନଙ୍କର ଅନ୍ଧପ୍ରେମରେ ବାଇ ହୋଇ ସେମାନଙ୍କର ହାତବାରିସୀ ସାଜିଛନ୍ତି । 

ତେବେ ଏହିସବୁ ଷଡ଼ଯନ୍ତ୍ରରୁ ରକ୍ଷା ପାଇଵାର ଏକମାତ୍ର ପନ୍ଥା ସ୍ଵତନ୍ତ୍ର #କଳିଙ୍ଗଦେଶ ଗଠନ । ମନେ ରଖନ୍ତୁ ଆମେ କଳିଙ୍ଗୀମାନେ ଯେବେ ଯେବେ ସ୍ଵାଧୀନ ଥିଲେ ଆମ ଦେଶ ସମୃଦ୍ଧ ଥିଲା । ଆଉ ଆମ ଦେଶ ଯେବେ ଯେବେ ଉତ୍ତରଭାରତୀୟଙ୍କ ଦ୍ଵାରା ଶାସିତ ହୋଇଛି ,ଲୁଣ୍ଠନର ଶିକାର ହୋଇଛି । 

“ଏବେ ବି ସମୟ ଅଛି...
 ଉଠ ଜାଗ ହେ କଙ୍କାଳ ମାନେ... ନୋହିଲେ ନିଜର ଯେଉଁ ପରିଚୟ ଟିକିକ ଅଛି ତାକୁ ବି  ହରାଇ ଵିଲୁପ୍ତ ହୋଇଯିଵ ତୁମ୍ଭେମାନେ...”

Friday, March 10, 2023

● ଅଜୋକ୍ ଓ ଇନ୍ଦ ●

ଆଫ୍ରିକାର ଦକ୍ଷିଣ ସୁଡାନ ଦେଶରେ(ପୂର୍ଵ ଇକ୍ବାଟୋରିଆ ରାଜ୍ୟ ) ଓଟୁହୋ (Otuho) ବୋଲି ଏକ ଜନଜାତି ଵାସ କରନ୍ତି ଏଵଂ  ଏମାନେ "ନିଲୋଟିକ୍ ଭାଷାଗୋଷ୍ଠୀ"ର  ଓଟୁହୋ ଭାଷା ବୋଲିଥାନ୍ତି  । ଏମାନଙ୍କ ପୁରାଣଗାଥାକୁ ଲୁଟୋକୁ ପୁରାଣଗାଥା କୁହାଯାଏ । 
ଅଜୋକ(ଅନ୍ୟନାମ : ଅଦ୍ୟୋକ୍ , ନାଇଜୋକ୍) ଏମାନଙ୍କର ମୁଖ୍ୟ ଦେଵତା । ଓଟୁହୋ ଲୋକେ ଵିଶ୍ଵାସ କରନ୍ତି ଯେ ସର୍ଵଶକ୍ତିମାନ 'ଅଜୋକ୍'  ନିଜର ପ୍ରତିରୂପ ଭାବେ ମନୁଷ୍ୟମାନଙ୍କୁ ସୃଷ୍ଟି କରିଥିଲେ । 

ଲୋଟୁକୋ ପୌରାଣିକ କଥା ଅନୁଯାୟୀ 'ଆଜୋକ୍' ମାନବ ଜାତି ପାଇଁ ଏକ ପରୋପକାରୀ ଦେଵତା ଭାବରେ ଜଣାଶୁଣା କିନ୍ତୁ ସେପର୍ଯ୍ୟନ୍ତ ଯେପର୍ଯ୍ୟନ୍ତ ମନୁଷ୍ୟମାନେ  ପ୍ରାର୍ଥନା ଏଵଂ ଵଳିଦାନ ମାଧ୍ୟମରେ ତାଙ୍କର ପୂଜା କରୁଥାନ୍ତି। ନିଜର ପୂଜା ବନ୍ଦ ହେଲେ 'ଅଜୋକ୍' ଅସହିଷ୍ଣୁ ହୋଇଯାଆନ୍ତି ଏଵଂ ନାନା ଵିଘ୍ନ ସୃଷ୍ଟି କରନ୍ତି ବୋଲି 'Otuho' ଜନଜାତିର ଲୋକେ ଵିଶ୍ଵାସ କରୁଥିଲେ । 

ଆମ ଭାରତୀୟ ପୁରାଣଗାଥାଗୁଡ଼ିକରେ ମଧ୍ୟ 'ଦେଵରାଜ ଇନ୍ଦ୍ର' ଯଜ୍ଞ ନହେଲେ ରୁଷ୍ଟ ହେଵା ଏଵଂ ଓଡ଼ିଶାର ଜନଜାତୀୟ ଲୋକଙ୍କ ମଧ୍ୟରେ 'ଦର୍ଣ୍ଣି ପେନୁ'ଙ୍କୁ ଵଳି ନଦେଲେ ସେ ରାଗି ମରୁଡ଼ି କରିଵା ଆଦି ଲୋକଵିଶ୍ଵାସ ପ୍ରଚଳିତ ଥିଲା । 

ମୃତ୍ୟୁ କିପରି ଜୀବଜନ୍ତୁଙ୍କ ପାଇଁ ଏକ ସ୍ଥାୟୀ ଅଵସ୍ଥା ପାଲଟିଗଲା ତାହା ଲୋଟୁକୋ ପୁରାଣଗାଥାର ଏକ କାହାଣୀରେ ଉଲ୍ଲେଖ କରାଯାଇଛି । 

କୁହାଯାଏ ଯେ ସୃଷ୍ଟିର ପ୍ରଥମ ସ୍ତ୍ରୀ ଓ ପୁରୁଷଠାରୁ ଜନ୍ମିତ ପ୍ରଥମ ଶିଶୁର କୌଣସି କାରଣରୁ ମୃତ୍ୟୁ ଘଟିଥିଲା ଏଵଂ ଜଗତର ପ୍ରଥମ ସ୍ତ୍ରୀ ଜଣକ ନିଜ ଶିଶୁଟିକୁ ପୁର୍ନଜୀଵିତ କରିଵା ପାଇଁ ଅଜୋକ୍‌ଙ୍କ ସାହାଯ୍ୟ ଲୋଡ଼ିଥିଲା ।  ଆଜୋକ ସେ ଶିଶୁକୁ ବଞ୍ଚାଇ ଦେଲେ,କିନ୍ତୁ ସେ ସ୍ତ୍ରୀଲୋକର ସ୍ୱାମୀ ଅର୍ଥାତ୍ ଜଗତର ପ୍ରଥମ ପୁରୁଷକୁ ମହିଳା ଜଣକ ଏ ଵିଷୟରେ କିଛି ନପଚାରି ଅଜୋକ୍‌ଙ୍କୁ ସାହାଯ୍ୟ ମାଗିଥିଲେ । 

ଯେତେବେଳେ ପୁରୁଷଜଣକ ଏକଥା ଜାଣିଲା ସେ ଏଥିରେ ଭୀଷଣ  ରାଗିଗଲା । ଜଗତର ପ୍ରଥମ ପୁରୁଷଟି ବୋଧହୁଏ ଵିଚାର କରିଥିଵ ମୁଁ ବି ଅମର,ମୋର ମୃତ୍ୟୁ ହେଵାର ନାହିଁ ! ମୁଁ କ'ଣ ମଲା ପିଲାଟାକୁ ଜିଆଁଇ ଦେଇ ପାରିନଥାନ୍ତି ଯେ ଏ ଅଭାଗିନୀ ପରପୁରୁଷ ପାଖକୁ ସାହାଯ୍ୟ ମାଗିଵାକୁ ଗଲା !!! 

କ୍ରୋଧ ମଣିଷକୁ ଅନ୍ଧ କରିଦିଏ । ଥରେ ମନୁଷ୍ୟ କ୍ରୋଧର ଵଶଵର୍ତ୍ତୀ ହେଲେ ତାକୁ ନୀତି ଅନୀତି କିଛି ଦିଶେ ନାହିଁ ‌ । ତେଣୁ ଲୋକଟି କ୍ରୋଧାନ୍ଧ ହୋଇ ନିଜ ପତ୍ନୀଠାରୁ  ପ୍ରତିଶୋଧ ନେଵାକୁ ପର୍ନଜୀଵିତ ଶିଶୁଟିକୁ ହତ୍ୟା କରିଦେଲା(ପୁରାଣର ଅନ୍ୟ ଏକ ସଂସ୍କରଣରେ ପୁରୁଷଜଣକ ନିଜ ପତ୍ନୀକୁ ମଧ୍ୟ ସେ ହତ୍ୟା କରିଥିଲା ବୋଲି  କଥିତ ହୋଇଥାଏ)।

ଅଜୋକ୍‌ଙ୍କ ସମ୍ମୁଖରେ ଏସବୁ ଅଭାଵନୀୟ ଘଟଣା ଘଟିତ ହୋଇଗଲା ଏଵଂ ସେ ଅଵାକ୍ ହୋଇ ଏ ଘଟଣା ଦେଖୁଥାଆନ୍ତି । ଆଜୋକ୍  ପ୍ରଥମେ ମନୁଷ୍ୟମାନଙ୍କୁ ଅମର କରିଵା ପାଇଁ ଯୋଜନା କରିଥିଲେ, କିନ୍ତୁ ଯାହା ଘଟିଗଲା ତାହା ଦେଖିଵା ପରେ ସେ ପୃଥିଵୀକୁ ସଦାସର୍ଵଦା ପାଇଁ  ତ୍ୟାଗକରିଵା ସହ ଘୋଷଣା କଲେ ଯେ ଆଜିଠାରୁ  ମନୁଷ୍ୟାଦି ସବୁ ଜୀଵଙ୍କର ଜନ୍ମ ହୋଇଥିଲେ ମୃତ୍ୟୁ ମଧ୍ୟ ନିଶ୍ଚୟ ହେଵ । ବୋଧହୁଏ ପିତା ହାତରେ ସନ୍ତାନର ହତ୍ୟା ଦେଖି ଅଜୋକ୍ ବୁଝିଯାଇଥିଲେ ଯେ ଏ ଦୁଇଗୋଡ଼ିଆ ମନୁଷ୍ୟମାନଙ୍କୁ ଅମରତ୍ଵ ଦେଵା ଉଚିତ୍ ନୁହେଁ । ତେଣୁ ସେ ସେହିଦିନଠାରୁ ପୃଥିଵୀରୁ ଦୂରେଇଯାଇ ଆକାଶରେ ଅଵସ୍ଥାନ କଲେ । ଅଜୋକଙ୍କୁ ଓଟୋହୁ ଲୋକେ ଵର୍ଷାର ଅଧିଷ୍ଠାତା ଦେଵତା ରୂପେ କଳ୍ପନା କରିଛନ୍ତି । ଆମ ଭାରତଵର୍ଷର ଦେଵରାଜ ଇନ୍ଦ୍ରଙ୍କୁ ସେହିପରି ଵର୍ଷାର ଅଧିଷ୍ଠାତା ଦେଵତା ରୂପେ କଳ୍ପନା କରାଯାଇଛି ‌। 

ତେବେ ଆଫ୍ରିକୀୟ ଲୋକମାନଙ୍କ ପୁରାଣଗାଥା ଅପେକ୍ଷା ଭାରତୀୟ ଲୋକଙ୍କର ପୁରାଣଗାଥା ଅଧିକ ସମୃଦ୍ଧ। ତେଣୁ ଵିଭିନ୍ନ ଗାଥାରେ ଇନ୍ଦ୍ରଙ୍କୁ 
 ଆକାଶ,ଵିଜୁଳି,ଜଳଵାୟୁ,ତୋଫାନ, ନଦୀର ଜଳପ୍ରଵାହ,ଵର୍ଷା ଓ ଯୁଦ୍ଧ ଆଦିର ଅଧିଷ୍ଠାତା ଦେଵ ଭାଵେ ଚିତ୍ରଣ କରାଯାଇଛି । ଭାରୋପୀୟ ଦେଵତା ସମୂହଙ୍କ ମଧ୍ୟରେ ଜୁପିଟର,ପେରୁନ୍,ପେରୁକୂନସ୍,ଜାଲମୋକ୍ସିସ୍,ତାରାନିସ୍,ଜିୟସ୍ ଓ ଥୋର୍‌ଙ୍କ ଶକ୍ତି , ସାମର୍ଥ୍ୟ ଓ ଗାଥା ସହିତ ଇନ୍ଦ୍ରଙ୍କର ଶକ୍ତିସାମର୍ଥ୍ୟ ଓ କଥାର କେତେକ ସମାନତା ଦେଖିଵାକୁ ମିଳିଥାଏ । 

“ଇନ୍ଦତୋତି । ଇଦି ପରମୈଶ୍ଵର୍ଯ୍ଯେ ତସ୍ମାତ୍ ରନ୍- ପ୍ରତ୍ଯୟଃ”

ଯେ ସ୍ଵର୍ଗରେ ଆଧିପତ୍ୟ ଵିସ୍ତାର କରିଛନ୍ତି ଓ ପରମ ଐଶ୍ଵର୍ଯ୍ୟଶାଳୀ ସେ ଇନ୍ଦ୍ର ଅଟନ୍ତି । ସେ ଅଦିତି କଶ୍ୟପଙ୍କର ପୁତ୍ର,ଶଚୀଦେଵୀଙ୍କ ପତି,ଜୟନ୍ତ,ଋଷଭ ଓ ମୀଢ୍ଵାଂଶ୍ଚଙ୍କର ପିତା ଅଟନ୍ତି ।‌ ଇନ୍ଦ୍ରଙ୍କ ଅସ୍ତ୍ର ଵଜ୍ର,ଵାହନ ଐରାଵତ,ପୁରୀ ଅମରଵାତୀ ଓ ଵନର ନାମ ନନ୍ଦନ ଵା ନନ୍ଦନକାନନ ଅଟେ । 

ଇନ୍ଦ୍ରଙ୍କର ପଚାଶରୁ ଅଧିକ ନାମ ଅଛି । ମରୁତ୍ଵାନ୍ ,ମଘଵା ,ଵିଡୋଜା,ପାକଶାସନ,ଵୃଦ୍ଧଶ୍ରଵା,ସୁନାସୀର,ପୁରୁହୂତ,ପୁରନ୍ଦର,ଜିଷ୍ଣୁ ,ଲେଖର୍ଷମ,ଶକ୍ର,ଶତମନ୍ଯୁ,ଦିଵସ୍ପତି,ସୁତ୍ରାମା,ଗୋତ୍ରଭିତ୍,ଵଜ୍ରୀ,ଵାସଵ,ଵୃତ୍ରହା,ଵୃଷା,ଵାସ୍ତୋସ୍ପତି,ସୁରପତି,ବଳାରାତି,ଶଚୀପତି,ଜମ୍ଭଭେଦୀ, ହରିହୟ,ସ୍ଵାରାଟ୍, ନମୁଚିସୂଦନ,ସଂକ୍ରନ୍ଦନ,ଦୁଶ୍ଚ୍ଯଵନ, ତୁରାଷାଟ୍,ମେଘଵାହନ,ଆଖଣ୍ଡଳ,ସହସ୍ରାକ୍ଷ,ଋଭୁକ୍ଷା,ମହେନ୍ଦ୍ର,କୌଶିକ,ପୂତକ୍ରତୁ, ଵିଶ୍ଵମ୍ଭର,ପୁରଦଂଶା,ଶତଧୃତି,ପୃତନାଷାଡ୍,ଅହିଦ୍ଵିଷ,ଵଜ୍ରପାଣି,ଦେଵରାଜ,ପର୍ଵ୍ଵତାରି,ପର୍ଯ୍ଯଣ୍ଯ,ଦେଵତାଧିପ,ନାକନାଥ,ପୂର୍ବ୍ବଦିକ୍ପତି,ପୁଲୋମାରି,ଅର୍ହ,ପ୍ରାଚୀନଵର୍ହି ଓ ତପସ୍ତକ୍ଷ ଆଦି ଇନ୍ଦ୍ରଙ୍କର ଅନେକ ନାମ ଭାରତୀୟ ପୁରାଣଶାସ୍ତ୍ରରେ ପଢି଼ଵାକୁ ମିଳିଥାଏ । 

ଗୋଟିଏ ପଟେ ପୃଥିଵୀର ଅନ୍ୟାନ୍ୟ ସଭ୍ୟତାର ପୁରାଣଗାଥାରେ କଥିତ ଦେଵତାମାନଙ୍କର ରାଜାଙ୍କର ଗୋଟିଏ ଦୁଇଗୋଟି ନାମ ଥିଲାବେଳେ ଇନ୍ଦ୍ରଙ୍କର ପଚାଶରୁ ଅଧିକ ନାମ କ'ଣ ସୂଚାଇ ଥାଏ ?

ଭାରତୀୟ ସଭ୍ୟତା ଅତି ପୁରାତନ , ଭାରତୀୟମାନଙ୍କ ପୁରାଣଗାଥା ଅନ୍ୟ ଦେଶର ଗାଥା-କଥା ଅପେକ୍ଷା ସମୃଦ୍ଧ, ସଂସ୍କୃତ ପୁରାଣ ସାହିତ୍ୟାଦି କ୍ଷେତ୍ରରେ ଭାରତ ଅନ୍ୟ ଦେଶଠାରୁ ସର୍ଵାଗ୍ରେ ସର୍ଵଶ୍ରେଷ୍ଠ ଥିଲା । ପୁଣି ୟୁରୋପ ତଥା ଆଫ୍ରିକାରେ ରହୁଥିଵା ଲୋକଙ୍କ ମୂଳ ଧର୍ମ ସେଠାକୁ ଯାଇ ପ୍ରଚଳିତ ଖିରସ୍ତାନୀ ଓ ମୁସଲିମ ଧର୍ମ ଯୋଗୁଁ ଉଧେଇ ପାରିନଥିଲାବେଳେ ୨୦୦୦ ଵର୍ଷରୁ ଅଧିକ ସମୟକାଳ ଧରି ଵୈଦେଶିକ ଆକ୍ରମଣ ସହି ମଧୂ ଭାରତରେ ପୌରାଣିକ କଥା ଗାଥା ଉପାଖ୍ୟାନର ଉତ୍ତରୋତ୍ତର ଉନ୍ନତି ସାଧିତ ହୋଇଥିଲା । ପ୍ରକୃତରେ ଆମ ଦେଶର “ସମସ୍ତ ଭାଷା, ସଂସ୍କୃତି, ସାହିତ୍ୟ, ଖାଦ୍ୟ,ଵସ୍ତ୍ର,ଜୀଵନଶୈଳୀ,ଚଳଣି, ପରମ୍ପରା, ନୃତ୍ୟ ଓ ସଂଗୀତ” ଆଦି ଏତେ ସମୃଦ୍ଧ ଵୈଜ୍ଞାନିକ ଓ ଶ୍ରେଷ୍ଠ ଯେ ଵିଦେଶୀମାନେ ଶହ ଶହ ଵର୍ଷ ଧରି ଭାରତୀୟଙ୍କୁ ପରାଧୀନ କରି ରଖିଥିଲେ ବି ସେମାନଙ୍କର ସମ୍ପୂର୍ଣ୍ଣ ଧର୍ମାନ୍ତରୀକରଣ କରିପାରିନଥିଲେ।

@ଶିଶିର ସାହୁ ମନୋଜ 

Wednesday, February 1, 2023

ସମର୍ପଣ (topic - 127 ତ୍ୟାଗ) quote #quot

ତ୍ୟାଗ  - 127

ତ୍ଯାଗ ଶବ୍ଦଟିଏ ତିନି ପୁରେ  ହାଏ
       ବଳିଷ୍ଠତାର ମାଧ୍ଯମ
ତ୍ରେତୟାରେ ରାମ ବନେ ଅନୁଗମ
       ବିଳାସେ ଦେଇ ବିରାମ
 ଦ୍ୱାପରେ ଦୋହୋରା ତ୍ଯାଗର ପସରା
         ଦେବକୀ ଯଶୋଦା ରାଇ
  ବାତ୍ସଲ୍ଯ ବନ୍ଧନ ପ୍ରେମେ ବଳିଦାନ
          ଧର୍ମ ସଂସ୍ଥାପନା ପାଇଁ
                 - ଦାଶରଥି ସାହୁ

ପୁରାଣ ବର୍ଣ୍ଣିତ  ଲକ୍ଷ୍ମଣ-ଉର୍ମିଳା 
     ତ୍ୟାଗ ଭରପୁର ଚିତ୍ତ 
ପ୍ରେମ ନୁହେଁ କେବେ ସୁଖର ସଉଦା 
        ପରଖ ଭରତ ଭାବ 
ଧରମା, ଚକରା ବକ୍ସି ଜଗବନ୍ଧୁ 
     ତ୍ୟାଗର ଆଦର୍ଶେ ଗୁନ୍ଥା 
ଇତିହାସ ସାକ୍ଷୀ ତ୍ୟାଗ ବଳିଦାନେ 
        ଓଡ଼ିଆ ମୁଖ୍ୟ ପୁରୋଧା 
         - ସନ୍ତୋଷ ପଟ୍ଟନାୟକ

ପିତୃ ତ୍ୟାଗ କଥା ପୁରାଣେ ବର୍ଣ୍ଣିତା 
      ତ୍ୟାଗରେ ସନ୍ତୁଷ୍ଟ ମତି 
କୃଷ୍ଣ ପ୍ରେମେ ମୋହ ରାଧା ରାଣୀ କୋହ 
     ସଂସାରେ ହୋଇଛି ସ୍ତୁତି 
ରମଣୀ ରତନ ମିରବାଇ ମନ 
    କୃଷ୍ଣ ପ୍ରେମେ ହୋଇ ବାଇ 
ତେଜିଲେ ସଂସାର ମୁକତି ଲଭିଲେ 
     ସେହି ତ୍ୟାଗ ଆଜି ନାହିଁ 
               - ଟୁକୁନା ସାହୁ

ତ୍ୟାଗୀ ଏକା ବୁଝେ ତ୍ୟାଗର ମହତ୍ତ୍ୱ
      ବିବେକର ବଡ଼ପଣେ
ବାକି ସବୁ ଏଠି ସ୍ଵାର୍ଥେ ମସଗୁଲ୍
     ଦୋଷ ଦେଇ ଅକାରଣେ
ବୁଝୁ କେ' ନ ବୁଝୁ ତ୍ୟାଗର ମୂଲ୍ୟକୁ
      ପାପଭରା କଳିକାଳେ
ତ୍ୟାଗ ଯେ' ଅଟଇ ମହନୀୟ ଗୁଣ
      ଏଇ ପୁଣ୍ୟ ମହୀତଳେ l
            - ରାମ ଚନ୍ଦ୍ର ପ୍ରଧାନ

ତ୍ଯାଗ କରି ସୁଖ ଆଦରି କର୍ତ୍ତବ୍ୟ 
      ସୀତା ଗଲେ ରାମ ସଙ୍ଗେ
ବନବାସ କଷ୍ଟ    ସହିଣ ଯେ ସୀତା
       ରହିଲେ ବନେ ଆନନ୍ଦେ
ସବୁଠାରୁ ଶ୍ରେଷ୍ଠ     ଭରତଙ୍କ ତ୍ଯାଗ
      ଛାଡି ସିଂହାସନ ମୋହ
ସିଂହାସନେ ରଖି   ପାଦୁକା ପୂଜିଲେ
        କରି ରାମଙ୍କର ଜୟ
                 - ଜଗବନ୍ଧୁ ସାହୁ

ତ୍ଯାଗ ମହାନତା କେ'ଅବା ବୁଝିବ
     ମୁକସାକ୍ଷି କୋଣାରକ 
ଚୂଳୀ ମାରି ଧର୍ମା ଯଶ ରଚିଗଲା
     ଦେଖି ସର୍ବେ ହତବାକ 
ବାର ବର୍ଷ ବାଳ ରଖିଲା ଜୀବନ
      ବାରଶ ବଢ଼େଇ ମାନ 
ଯୁଗ ଯୁଗ ଧରି ଗୁଞ୍ଜରିତ ଗାଥା
         ଧନ୍ଯ ଧର୍ମପଦ ଧନ୍ଯ 
             - ରାଧା କୃଷ୍ଣ ବାୟକ

ମହର୍ଷି ଦଧିଚି ଶରୀରକୁ ତ୍ଯାଗି
       କରିଥିଲେ ଅସ୍ଥିଦାନ
ସେହି ଅସ୍ଥି ସାଜି ଇନ୍ଦ୍ର ହସ୍ତେ ବଜ୍ର
       ନେଲା ବୁତ୍ରାସୁର ପ୍ରାଣ
ତ୍ଯାଗର ମହତ୍ତ୍ଵ   ବୁଝି ସାଧୁ ସନ୍ଥ
        ଦେଇଛନ୍ତି ଆତ୍ମହୁତି
ଜଗତ କଲ୍ୟାଣେ  ନିଜକୁ ସମର୍ପି
        ଛାଡି ଯାଇଛନ୍ତି ସ୍ମୃତି
               - ରବିନ୍ଦ୍ର ସାହୁ

ତ୍ୟାଗ ଶଦ୍ଦ ସଦା ଭିନ୍ନ ଭିନ୍ନ ରୂପେ
   ହୋଇ ଅଛି ବ୍ୟବହୃତ
ତ୍ୟାଗ ବିସର୍ଜନ ତେଜ୍ୟ ବା ବର୍ଜନ
     ତ୍ୟାଗ ପରିସର ଭୁକ୍ତ
ସ୍ବାର୍ଥ ତ୍ୟାଗ ଅବା ଆତ୍ମ ତ୍ୟାଗ ପୁଣି
     ସଂସାର ତ୍ୟାଗର କଥା କ୍ରୋଧ ତ୍ୟାଗ ସାଥେ ମୋହ ତ୍ୟାଗ ପୁଣି
       ତ୍ୟାଗ ବହୁ ରୂପେ ବ୍ୟାଖ୍ୟା
               - ପ୍ରବୀର ମଲ୍ଲିକ

●● ସରସ୍ବତୀ ପୂଜା ●●

●●●ସରସ୍ବତୀ ପୂଜା●●●
      ~~~~~♤~~~~~~
ହିନ୍ଦୁଧର୍ମରେ ସରସ୍ୱତୀଙ୍କୁ ଜ୍ଞାନର ଦେବୀ ବୋଲି ପରିଗଣିତ କରାଯାଏ । ସେ ଜ୍ଞାନ, ବୁଦ୍ଧି, ବିବେକ, ବିଦ୍ୟାର ଉତ୍ସ ବା ପ୍ରକାଶରୂପ । ସେ ବ୍ରହ୍ମାଙ୍କ ସହଚରୀ ଓ ଶକ୍ତି ରୂପେ ବିଦିତ। ଅନ୍ୟ ଏକ ମତରେ ସରସ୍ବତୀ ଓ ଲକ୍ଷ୍ମୀ ଦୁଇ ସଉତୁଣୀ ଅର୍ଥାତ୍ ବିଷ୍ଣୁଙ୍କ ସହଧର୍ମିଣୀ  । ଲକ୍ଷ୍ମୀ ଠାକୁରାଣୀ ଓ ମା' ସରସ୍ବତୀଙ୍କ ମନୋମାଳିନ୍ୟ ତଥା ବଚଷା ହେତୁ ବିଷ୍ଣୁଙ୍କ  ଅନୁରୋଧ ଅନୁଯାୟୀ ମର୍ତ୍ତ୍ୟର ମଙ୍ଗଳକାମନା ସକାଶେ ଚିରସ୍ରୋତା ନଦୀ ହୋଇ  ବହି ଯାଇଛନ୍ତି ।
( କିଛି ଗବେଷକ ଶ୍ରୀପଞ୍ଚମୀକୁ କବିସମ୍ରାଟ ଉପେନ୍ଦ୍ରଭଞ୍ଜଙ୍କ ଜୟନ୍ତୀ ବୋଲି ମତ ପୋଷଣ କରିଛନ୍ତି  ) ।

 ପଶ୍ଚିମ ଓ ମଧ୍ୟ ଭାରତର ଜୈନ ଧର୍ମାବଲମ୍ବୀ, ଓ ବୌଦ୍ଧ ଧର୍ମାବଲମ୍ବୀମାନେ ମାନେ ମଧ୍ୟ ସରସ୍ୱତୀଙ୍କୁ ପୂଜା କରିଥାନ୍ତି ।
ପାରମ୍ପରିକ ରୂପରେ ସରସ୍ୱତୀ ଶୁକ୍ଳ ବସ୍ତ୍ର ପରିଧାନ କରି କର୍ଣ୍ଣରେ ରତ୍ନବିଭୂଷିତ କୁଣ୍ଡଳ ଧାରଣ କରି ଗଳାରେ ଗଜମୋତି ଏବଂ ମୁକ୍ତାହାର ପିନ୍ଧିଛନ୍ତି ଓ ହସ୍ତରେ ବୀଣା ଓ ପୁସ୍ତକ ଧାରଣ କରି ପଦ୍ମାସନରେ ଶ୍ୱେତପଦ୍ମ ଉପରେ ଅଧିଷ୍ଠାତ୍ରୀ ହୁଅନ୍ତି । ଓଡ଼ିଆ ଭାଷାରେ ତାଙ୍କୁ ବାଣୀ ବୋଲି ମଧ୍ୟ କୁହାଯାଏ । ତାଙ୍କର ଅନ୍ୟ ନାମ ସବୁ ହେଲା ବୀଣା ପୁସ୍ତକ ଧାରିଣୀ, ବାଗ୍‌ଦେବୀ ବରଦା ଇତ୍ୟାଦି ।
*ସରସ୍ୱତୀ ଶବ୍ଦର ମୂଳ ଅର୍ଥ ହେଲା - ସ୍ୱତଃ + ବତୀ*, ଅର୍ଥାତ୍ ପ୍ରସରଣ ଯାହାଙ୍କର ଅଛି । ଅଜ୍ଞାନ ଅନ୍ଧକାର ମଧ୍ୟରୁ ତେଜୋମୟ ଦିବ୍ୟଧାମକୁ ବାଟ କଢାଇ ନେବାର ସେ ହେଉଛନ୍ତି ଅଧିଷ୍ଠାତ୍ରୀ ଦେବୀ । ସରସ୍ୱତୀ ଶବ୍ଦ ସରସ (ଗତି, ପ୍ରବାହ) ଓ ବତୀ (ଅଛି, ମାନା) ଶବ୍ଦରୁ ଆସିଅଛି, ଏହାର ଅର୍ଥ ଗତିଶୀଳା ଯାହା ପ୍ରଗତିର ସୂଚକ । ସେ ସ୍ରୋତସ୍ୱତୀ ପରି ପ୍ରବହମାନା, ଜ୍ଞାନର ଅଧିଷ୍ଠାତ୍ରୀ ଦେବୀ । ସେ ହେଉଛନ୍ତି ବାକ୍ୟର ଦେବୀ ବାଗ୍‌ଦେବୀ, ବାଣୀ, ଶାରଦା । ମା ଯୋଗମାୟା ଆଦ୍ୟାଶକ୍ତିଙ୍କ କଣ୍ଠରୁ ସରସ୍ୱତୀ ସମ୍ଭୁତା । ମା ସରସ୍ୱତୀ, ମା ଲକ୍ଷ୍ମୀ ଓ ମା କାଳୀ ତିନୋଟି ସ୍ୱରୂପ ଆଦ୍ୟାଶକ୍ତିଙ୍କର ।

ହିନ୍ଦୁଧର୍ମ ବ୍ୟତୀତ ବୌଦ୍ଧ, ଜୈନ ଧର୍ମରେ ମଧ୍ୟ ଦେବୀ ସରସ୍ୱତୀଙ୍କର ଆରାଧନା ରହିଛି । ଭାରତ ବାହାରେ ତିବ୍‌ବତ, ଚୀନ ଏବଂ ଜାପାନରେ ଦେବୀ ସରସ୍ୱତୀ ବୌଦ୍ଧଦେବୀ ଭାବେ ଜନାଦୃତ । ବୌଦ୍ଧ ଧର୍ମରେ ସେ ଭିକ୍ଷୁମାନଙ୍କୁ ସୁରକ୍ଷା ପ୍ରଦାନ କରିଥାନ୍ତି ଓ ବୁଦ୍ଧଙ୍କର ଶିକ୍ଷାକୁ ରକ୍ଷା କରିଥାନ୍ତି ବୋଲି ମାନ୍ୟତା ରହିଛି । ବୌଦ୍ଧ ଧର୍ମଶାସ୍ତ୍ର 'ସାଧନମାଳା'ରେ ଉଲ୍ଲେଖ ଅଛି ଯେ ଦେବୀ ସରସ୍ୱତୀ ଭକ୍ତମାନଙ୍କୁ ଜ୍ଞାନ ଓ ବୁଦ୍ଧି ଦାନ କରନ୍ତି । ଏହି ଗ୍ରନ୍ଥରେ ସରସ୍ୱତୀ ଚତୁଃରୂପରେ ପୂଜିତା - ମହା ସରସ୍ୱତୀ, ବଜ୍ରବୀଣା ସରସ୍ୱତୀ, ବଜ୍ରଶାରଦା ଏବଂ ବଜ୍ର ସରସ୍ୱତୀ । ବୌଦ୍ଧ ଧର୍ମ ଉପରେ ପଡ଼ିଥିବା ତାନ୍ତ୍ରିକ ପ୍ରଭାବ ଯୋଗୁଁ ହିଁ ଜ୍ଞାନ ଏବଂ ବୁଦ୍ଧିମତାର ବୌଦ୍ଧଦେବୀ 'ପ୍ରଜ୍ଞା ପାରମିତା' ପରବର୍ତ୍ତୀ ସମୟରେ ସରସ୍ୱତୀ ରୂପେ ପରିଚିତ ହେଲେ ।

ମାତା ପୁତ୍ରୌ ତୁ ବାକ୍ ପ୍ରାଣୌ / ମାତା ବା ପିତରଃ ସୁତଃ ।
ସରସ୍ୱନ୍ତମିତ ପ୍ରାଣୋ ବାଚଂ / ପ୍ରାଦୁଃ ସରସ୍ୱତୀମ୍ ।
-ବୃହଦ୍ ଦେବତା ଗ୍ରନ୍ଥ  ।।

ଅର୍ଥାତ୍ ବାକ୍ ଏବଂ ପ୍ରାଣର ମାତା ଏବଂ ପୁତ୍ର ସମ୍ବନ୍ଧ । ପ୍ରସାରଣଶୀଳ ପ୍ରାଣ(ନିଶ୍ୱାସ)ର ନାମ ସରସୂତ୍ ଏବଂ ଭାଷାର ନାମ ସରସ୍ୱତୀ ।
ମଥୁରା ନିକଟସ୍ଥ କାଳୀତିକା ଜୈନ ସ୍ତୁପରୁ ଏକ ମନୋଜ୍ଞ ସରସ୍ୱତୀ ମୂର୍ତ୍ତି ମିଳିବା ଘଟଣାରୁ ଜୈନଧର୍ମରେ ସରସ୍ୱତୀଙ୍କର ପୂଜା ରହିଥିବା ସୂଚନା ଦିଏ । ଜୋରୋଆଷ୍ଟର ଧର୍ମରେ ସରସ୍ୱତୀଙ୍କୁ ସରୋଶା ନାମରେ ଜଣାଯାଏ, ଯିଏ ଏଇ ପୃଥିବୀର ରକ୍ଷା କାରିଣୀ। ସରୋଶା (ଆଜ୍ଞାବହତା) ହେଉଛନ୍ତି ଆହୁରା ମଜଦାଙ୍କର ପତ୍ନୀ ଓ ଦୂତୀ, ଯାହାଙ୍କର କାମ ହେଲା ଡାଇନାଙ୍କୁ ଶିକ୍ଷାଦେବା । ଡାଇନା ହେଉଛନ୍ତି ବିବେକ ଓ ଧର୍ମର ସଙ୍ଗମ । ମୃତ୍ୟୁ ଉପରାନ୍ତ ଜୀବନରେ ସେ ଆତ୍ମାମାନଙ୍କୁ ଆଗର ଦିଗ୍ଦର୍ଶନ ଦେଇଥାନ୍ତି। ତାଙ୍କର ଏକ ଚିହ୍ନ ମୟୁରର ଡାକ ପୂତାତ୍ମାମାନଙ୍କୁ ସେମାନଙ୍କ କର୍ତ୍ତବ୍ୟ ବିଷୟରେ ସଚେତନ କରାଇଦିଏ । ବର୍ମିଜ ଭାଷାରେ ତାଙ୍କୁ ଥୁରାଥଡି (Thurathadi), ଥାଇ ଭାଷାରେ ସୁରାସୱଦୀ (Surasawadee), ଜାପାନୀ ଭାଷାରେ ବେଞ୍ଜାଇତେନ ବୋଲି ପରିଚିତା ।

ମାଘମାସ ଶୁକ୍ଳ ପଞ୍ଚମୀକୁ ଶ୍ରୀପଞ୍ଚମୀ ବା ବସନ୍ତପଞ୍ଚମୀ ଭାବେ ପାଳନ କରାଯାଏ । ଋତୁରାଜ ବସନ୍ତ ମନ୍ଦ ମଳୟରେ ଫୁଲର ସୁରଭି ଭରି ସ୍ୱାଗତ କରେ ବିଦ୍ୟାଦାୟିନୀ ମା' ସରସ୍ୱତୀଙ୍କୁ ମାଘ ଶୁକ୍ଳ ପଞ୍ଚମୀରେ । ଶୁକ୍ଳ ପ୍ରତିପଦା ଠାରୁ ଆରମ୍ଭ ହେଇଥାଏ ଗୁପ୍ତ ନବରାତ୍ର । ଏହି ଗୁପ୍ତ ନବରାତ୍ରରେ ଦୈବୀଶକ୍ତିଙ୍କର ପୂର୍ଣ୍ଣ ପ୍ରଭାବଥାଏ । ମା' ଯୋଗମାୟା ଆଦ୍ୟାଶକ୍ତିଙ୍କ କଣ୍ଠରୁ ସରସ୍ୱତୀ ସମ୍ଭୁତା । ମା' ସରସ୍ୱତୀ, ମା' ଲକ୍ଷ୍ମୀ , ମା' କାଳୀ ତିନୋଟି ସ୍ୱରୂପ ଆଦ୍ୟାଶକ୍ତିଙ୍କର । ମାଘ ଶୁକ୍ଳ ପଞ୍ଚମୀରେ ଆଦ୍ୟାଶକ୍ତି ମହାସରସ୍ୱତୀ ସ୍ୱତନ୍ତ୍ର ରୂପରେ ପୂଜା ପାଇଥାନ୍ତି ।
ପ୍ରାଚୀନ କାଳରେ ରାଜା ମହାରାଜାମାନେ ଏହି ଦିନକୁ କୌମୁଦୀ ମହୋତ୍ସବ ରୂପେ ପାଳନ କରୁଥିଲେ । ଫୁଲରେ ରାଜଉଆସ ସଜା ହେଉଥିଲା, ଫୁଲର ଦୋଳିରେ ରାଜାରାଣୀ ଦୋଳି ଖେଳୁଥିଲେ, ପ୍ରଜାମାନେ ଆସି ରାଜ ଉଆସରେ ଭୋଜନ କରୁଥିଲେ । ମାଘ ପଞ୍ଚମୀରେ ଗୋପୀମାନେ ମଧ୍ୟ କୃଷ୍ଣଙ୍କ ସହ ରାସ ଉତ୍ସବ ମନାଉଥିଲେ ।
କେତେକ ଅଞ୍ଚଳରେ ପବିତ୍ରତାର ସହ ଉଭୟ ସ୍ୱାମୀ-ସ୍ତ୍ରୀ ମାଘ ଶୁକ୍ଳ ପଞ୍ଚମୀକୁ ପ୍ରେମ ଦିବସ ରୂପେ ପାଳନ କରିଥାନ୍ତି ।କାମଦେବ ଓ ରତିଙ୍କୁ ହଳଦିଆ ଫୁଲରେ ପ୍ରତିମା କରି ଦାମ୍ପତ୍ୟ ସୁଖପାଇଁ ପୂଜା କରିଥାନ୍ତି । ଶାସ୍ତ୍ର ଅନୁସାରେ ଶ୍ରୀପଞ୍ଚମୀ ଦିନ ବିବାହ , ନିର୍ବନ୍ଧ କାର୍ଯ୍ୟ କଲେ ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ । ଯେଉଁମାନଙ୍କର ବିବାହ ହେଇପାରୁନି , ସେମାନେ ଏହି ସମୟରେ ଶ୍ରଦ୍ଧା ଭକ୍ତିର ସହ ହଳଦୀ ଲଗାଇ ସ୍ନାନକରି ହଳଦିଆ ବସ୍ତ୍ର ପରିଧାନ କରି କୃଷ୍ଣ ଭଗବାନଙ୍କୁ ହଳଦିଆ ବସ୍ତ୍ରରେ ସଜାଇ ହଳଦିଆ ଫୁଲରେ ସଜାହେଇଥିବା ଝୁଲାରେ ଝୁଲାଇ ବସନ୍ତ ଉତ୍ସବ ପାଳନ କଲେ ବିବାହ ସହଜରେ ହୋଇଯାଏ ବୋଲି ବିଶ୍ୱାସ ରହିଛି ।
# *ପରମ୍ପରା*
 ଆମ ପାଠପଢା ବେଳେ  ସରସ୍ୱତୀ ପୂଜା ଦିନ ନଡ଼ିଆ ଖୋଜା ଓ ଦାଣ୍ଡ ମାଗୁଣି ପରମ୍ପରା ଥିଲା । ନଡ଼ିଆ ଖୋଜାରେ, ପୋଖରୀରେ ପୋତାଯାଇଥିବା ଗୋଟିଏ ନଡ଼ିଆକୁ ପିଲାମାନେ ଖୋଜୁଥିଲେ । ଦାଣ୍ଡ ମାଗୁଣିରେ, ନଡ଼ିଆ ପାଇଥିବା ପିଲାଟି ବେକରେ ଗେଣ୍ଡୁହାର ପକାଇ ଅନ୍ୟ ପିଲାଙ୍କ ମେଳରେ ଆଗେ ଆଗେ ଯାଉଥିଲା ଓ ଗୀତ ବୋଲି ଅବଧାଙ୍କ ନିମନ୍ତେ ଦକ୍ଷିଣା ଓ ବସ୍ତ୍ର ସଂଗ୍ରହ କରୁଥିଲେ । ମେଲାଣି ଶେଷରେ ଅବଧାନଙ୍କ ଘରକୁ ଯାଇ ସମସ୍ତ ସଂଗୃହିତ ପଇସା ଓ ଜିନିଷ ପହଞ୍ଚାଉଥିଲେ । ଏହି ପରମ୍ପରା ଏବେ ଆଉ ନାହିଁ  । 

ପ୍ରାଚୀନ କାଳରେ ରାଜା ମହାରାଜାମାନେ ଶ୍ରୀ ପଞ୍ଚମୀକୁ 'ରତିକାମ ମହୋତ୍ସବ' ରୂପେ ପାଳନ କରୁଥିଲେ ।
ଏହି ଦିନ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପଞ୍ଚପଲ୍ଲବ ଲାଗି ହୁଏ ଓ ରଥଯାତ୍ରା ନିମନ୍ତେ ରଥକାଠ ଅନୁକୂଳ କରାଯାଏ ।
ପୌରାଣିକ ମତରେ ଶ୍ରୀକୃଷ୍ଣ ଶ୍ରୀରାଧା ଏକତ୍ର ପୁଷ୍ପ ଆଭରଣ ମଣ୍ଡିତ ପୂର୍ବକ ଫଗୁ ବା ଚାଚେରୀ ଖେଳୁଥିବାର ସ୍ମୃତି ସ୍ୱରୂପ ବସନ୍ତ ପଞ୍ଚମୀ ପାଳିତ ହୋଇଥାଏ । ମାଘ ଶୁକ୍ଳ ପଞ୍ଚମୀରେ ଶ୍ରୀଜୀଉମାନଙ୍କର ଘୋଡ଼ବସ୍ତ୍ର କଢ଼ାଯାଇ ‘ଜାମାଲାଗି’ ବସ୍ତ୍ର ପିନ୍ଧାଯାଏ । ଉକ୍ତ ତିଥିରେ ଶ୍ରୀଜଗନ୍ନାଥଙ୍କର ପାରମ୍ପରିକ ରଥଯାତ୍ରାର ରଥ ନିର୍ମାଣ ନିମନ୍ତେ ପ୍ରଥମ କରି ରଥକାଠ ବନବିଭାଗରୁ ଶ୍ରୀକ୍ଷେତ୍ରକୁ ଆସି ରାଜନଅର ସମ୍ମୁଖରେ ତିନିବାଡ଼ର ତିନିରଥ ନିର୍ମାଣ ନିମନ୍ତେ ତିନିଗୋଟି କାଠକୁ ପାରମ୍ପରିକ ଭାବେ ପୂଜାର୍ଚ୍ଚନା କରାଯାଇ ଶୁଭ ଦିଆଯାଇଥାଏ । ସେହି ତିନିଗୋଟି କାଠଗଣ୍ଡିରେ ତିନିରଥର କୋଣଗୁଜ ନିର୍ମାଣ କରାଯାଇ ନୃସିଂହଙ୍କ ମୂର୍ତ୍ତି ଖୋଦେଇ କରାଯାଏ ।
ଶ୍ରୀ ଜୀଉ ମାଘ ଶୁକ୍ଳପଞ୍ଚମୀ ତିଥିରୁ ନିଜର ଶୀତବସ୍ତ୍ରକୁ ପରିହାର କରି ଗୈରିକ ବର୍ଣ୍ଣର ବସ୍ତ୍ର ପରିଧାନ କରନ୍ତି । *ଭୋଗବିଳାସର ଋତୁ ବସନ୍ତର ଆଗମନରେ ପ୍ରଭୁ ନିଜେ ସମସ୍ତ ବିଳାସ ତ୍ୟାଗକରି ବ୍ରହ୍ମଚାରୀ ବେଶରେ ସମୟ ଅତିବାହିତ କରିବାକୁ ଏବଂ ସଂଯମୀ ହେବାକୁ ଭକ୍ତଙ୍କୁ ଆହ୍ୱାନ ଦେଇଥାନ୍ତି* । ତେଣୁ ସେ ନିଜେ ହେଙ୍ଗୁ ଓ ହରଡ଼ ଗୁଣ୍ଡରେ ପ୍ରସ୍ତୁତ ବସନ୍ତ ପିଷ୍ଟକ ଗ୍ରହଣ କରିଥାନ୍ତି । ଶ୍ରୀମନ୍ଦିରରେ ବସନ୍ତ ଉତ୍ସବ ପାଳନ ସହ ଏହି ତିଥିରୁ ବେଣ୍ଟଯାତ୍ରା ଆରମ୍ଭ ହୋଇ ଦୋଳ ଯାଏଁ ଚାଲିଥାଏ । ବେଣ୍ଟଯାତ୍ରା ଠାକୁରଙ୍କର ଶିକାର ଯାତ୍ରା । ବୈଷ୍ଣବ ମତରେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କର ଏହା ବନଗମନ ସମୟ । ପ୍ରଭୁ ଶ୍ରୀଜଗନ୍ନାଥଙ୍କର ପ୍ରତିନିଥି ଭାବେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କର ବିଗ୍ରହ ବେଣ୍ଟପୋଖରୀ ପାଖକୁ ଶିକାରରେ ଯାଆନ୍ତି । ବେଣ୍ଟ ପୋଖରୀରେ ମୃଗ ଭାବେ ନଡ଼ିଆ ଏବଂ କସ୍ତୁରୀପୁଡ଼ିଆ ରଖାଯାଏ । ଠାକୁର ତାକୁ ବାଣ ସଂଯୋଗ କରନ୍ତି ।
ଏହି ଦିନ ଶ୍ରୀଜୀଉମାନଙ୍କର ସନ୍ଧ୍ୟାଧୂପ ପରେ ସରସ୍ୱତୀ ଦେବୀଙ୍କ ମନ୍ଦିରରେ ମାଦଳା ପାଞ୍ଜି ପୂଜା କରାଯାଏ ।

     ସଂଗ୍ରୁହିତ : ସନ୍ତୋଷ ପଟ୍ଟନାୟକ ,ଗଞ୍ଜାମ  ।

ଶ୍ରୀକରଣ ଓ କରଣ

ଚତୁର୍ଥ ନରସିଂହ ଦେବଙ୍କ ରାଜସଭାରେ ଯେତେବେଳେ ବାହ୍ୟ ଆକ୍ରମଣର ଆଶଙ୍କା ଦେଖାଦେଇଥିଲା, ସେତେବେଳେ ଶ୍ରୀକରଣ ବିଶ୍ୱନାଥ ମହାସେନାପତି ନିଜ ବିଚକ୍ଷଣ ରଣନୀତି...