Thursday, November 24, 2022

■ ଗଞ୍ଜାମ ଢଗ ଢମାଳି ■

.        ଗଞ୍ଜାମ ଡାମରା ଢଗ ଢମାଳି 

       ଏନ୍ତୁଡ଼ି ଶାଳରୁ ମଶାଣି ପର୍ଯ୍ୟନ୍ତ
                     ଯାଆ ଆସ କଲେ କୁଣିଆ  ।
        କିଏ ଚିହ୍ନୁ ଥିଲା କୋମଳ ହୃଦୟ
                        କିଏ ଚିହ୍ନୁ ଥିଲା ମାଣିଆ ।

                 ଭଲ ତୁମ ବନ୍ଧୁ ପଣିଆ !

           ଗୁଡ ଉଖୁଡ଼ାକୁ ପାଳୁଅ ବଢିଆ
                           ମହୁରକୁ ମାଛ ଗଣିଆ ।

ପ୍ରୟୋଗ କ୍ଷେତ୍ର :- ଢମାଳିଟିର ରଚନାରେ କିଛି ପ୍ରତ୍ୟକ୍ଷ ଓ କିଛି ପରୋକ୍ଷ ଭାବାର୍ଥ ରହିଛି । ଢମାଳିଟିର ପ୍ରୟୋଗ କ୍ଷେତ୍ର ନିମ୍ନରେ ବର୍ଣ୍ଣନା କରାଯାଇଛି ।
ପ୍ରଥମ ଧାଡି:-  ଜନ୍ମ ରୁ ମୃତ୍ୟୁ ପର୍ଯ୍ୟନ୍ତ ଅନେକ ଲୋକ ସମ୍ପର୍କରେ ଆସି ଥାଆନ୍ତି । ଯାହାକୁ 
ଢମାଳିରେ ବର୍ଣ୍ଣନା ଯାଇଛି :-
       " ଏନ୍ତୁଡ଼ି ଶାଳରୁ ମଶାଣି ପର୍ଯ୍ୟନ୍ତ
                      ଯାଆ ଆସ କଲେ କୁଣିଆ ।"
ଦ୍ଵିତୀୟ ଧାଡ଼ି:- କିନ୍ତୁ ସମସ୍ତଙ୍କର କିଛି ନା କିଛି 
ଉଦ୍ଦେଶ୍ଯ ଥାଏ । କାହାର ଭଲ ତ କାହାର ଖରାପ ଚିନ୍ତାଧାରା ଥାଏ । ହୃଦୟବାନ୍‌ ଲୋକ ହୃଦୟ ଚିହ୍ନି ବନ୍ଧୁତା ସ୍ଥାପନ କରି ଥାଆନ୍ତି ଯେଉଁ ମାନେ କି ଦୁଃଖ ସୁଖର ସାଥି ।
                କଥାରେ ଅଛି "ସମ୍ପଦ ବେଳେ ସର୍ବେ ସଖା ବିପଦେ ନ ଦିଅନ୍ତି ଦେଖା ।" ଏଭଳି ଚରିତ୍ରର ଅନେକ ଲୋକ ଅଛନ୍ତି ଯେଉଁ ମାନେ ଧନକୁ  (ଆଜି କାଲି ଯାହାକୁ ମାଣିଆ ବୋଲି କୌତୁକରେ କହୁଛନ୍ତି) ଦେଖି ବନ୍ଧୁ ବାନ୍ଧି ଥାଆନ୍ତି । ଯାହାକୁ  ଢମାଳି ରେ ବର୍ଣ୍ଣନା କରା ଯାଇକି :-
          "କିଏ ଚିହ୍ନୁ ଥିଲା କୋମଳ ହୃଦୟ
                          କିଏ ଚିହ୍ନୁ ଥିଲା ମାଣିଆ ।"
ତୃତୀୟ ଧାଡ଼ି:- ମାଣିଆ ପ୍ରଲୋଭନରେ ଯେଉଁ ଲୋକ ବନ୍ଧୁ ବାନ୍ଧିଥାଏ , ତାକୁ ତାତ୍ସଲ୍ୟ କରି ଢମାଳିରେ ବର୍ଣ୍ଣନା କରାଯାଇଛି:-
                     "ଭଲ ତୁମ ବନ୍ଧୁ ପଣିଆ !"
ଚତୁର୍ଥ ଧାଡି:- ଗୁଡ ଉଖୁଡା ଓ ପାଳୁଅ ସାଧାରଣତଃ ମୃତ୍ୟୁ ଜନିତ ଶୁଦ୍ଧିକ୍ରିୟା ପଣା ନିମନ୍ତେ ରନ୍ଧନ କରାଯାଏ । ସେହି ଭଳି ଗଣିଆ ମାଛର ମହୁର (ମାଛ ଛିଞ୍ଚଡ଼ା)  ମଙ୍ଗଳ ଭୋଜି ରେ ରୋଷେଇ କରାଯାଏ । ହୃଦୟ ବନ୍ଧୁ ଶୁଦ୍ଧିକ୍ରିୟାରେ ଗୁଡ ଉଖୁଡ଼ା ଓ ପାଳୁଅ ସେବନ କଲା ବେଳେ ମାଣିଆ ଲୋଭୀ ବନ୍ଧୁ  ମଙ୍ଗଳ ଭୋଜି କାର୍ଯ୍ୟରେ ଗଣିଆ ମାଛ ମହୁର ଭୋଜନ କରିଥାଏ । ଗୁଡ ଉଖୁଡ଼ା କୁ ଯେମିତି ପାଳୁଅ ବଢିଆ ସେହିପରି ହୃଦୟବାନ୍ ବନ୍ଧୁଙ୍କୁ ହୃଦୟ ବଢିଆ । ମାଛ ମହୁର କୁ ଯେମିତି ଗଣିଆ ମାଛ ବଢଆ ସେହିଭଳି ମାଣିଆ ବନ୍ଧୁଙ୍କୁ ମାଣିଆ ବଢିଆ । କେତେକ ବନ୍ଧୁ ବିପଦର ସାଥୀ ଓ କେତେକ ବନ୍ଧୁ ସମ୍ପଦର ସାଥୀ । ଯାହାକୁ ଢମାଳିରେ ବର୍ଣ୍ଣନା କରାଯାଇଛି :-
       "ଗୁଡ ଉଖୁଡ଼ାକୁ ପାଳୁଅ ବଢିଆ
                      ମହୁରକୁ ମାଛ ଗଣିଆ ।"
ମାଣିଆ ବନ୍ଧୁଙ୍କ କ୍ଷେତ୍ରରେ ଢମାଳିଟି ପ୍ରୟୋଗ କରାଯାଇ ପାରିବ ।

ରଚନା :- ବ୍ରଜରାଜ ମିଶ୍ର (ରାନୁ)
             ଖଲ୍ଲିକୋଟ, ଗଞ୍ଜାମ ।
             (ବର୍ତ୍ତମାନ ରାୟଗଡ଼ା)

ସମର୍ପଣ (topic - 124 ଭଗବାନ) quote #quot

ଭଗବାନ  - 124

ମେଦିନୀ ପାତାଳ ଅନ୍ତର୍କ୍ଷ୍ଯେ ସବୁଠି
ବିଦ୍ଯମାନ ଭଗବାନ 
ସେହି ପରଂବ୍ରହ୍ମ ସେହି ନିରାକାର
ସେହି ଅନନ୍ତ ଗଗନ ।
ତାଙ୍କରି ଆଦେଶେ ସୂର୍ଯ୍ଯ,ଚନ୍ଦ୍ର,ତାରା
ଆତଯାତ ବ୍ରହ୍ମାଣ୍ତରେ 
ରୂପ ବିହୀନ ବିଶ୍ବରୁପି ବିହାରୀ
ଅଣୁରେ ପରମାଣୁରେ ।
             ‐ ରାଧା କୃଷ୍ଣ ବାୟକ

ଭୂମି ଗଗନ ବାୟୁ ଆଉ ନୀର 
ଏ ଚାରି ହିଁ ବାସ୍ତବ ଭଗବାନ
ସୁନ୍ଦର ଗିରି ବନ ତପୋବନ 
ସର୍ବ ପରିବାର ଛାତ ଗଗନ 
ଦେହକୁ ଜରୁରୀ ପାଣି ପବନ
ଗଗନ ଅଟଇ ତାର ସର୍ଜନ  
ସବୁରି ଆଧାର ଏ ଚାରିଜଣ 
ଏଣୁ ନ୍ୟାୟମନ୍ତେ ଏ ଭଗବାନ 
         - ସନ୍ତୋଷ ପଟ୍ଟନାୟକ

ଭବ ସାଗରରେ ଭରଷା ଭିତ୍ତିରେ
      ଭିଆଣା ହେ ଭିନ୍ନରୂପି 
ଗନ୍ତର୍ବ୍ୟର ସ୍ଥଳ ବ୍ରହ୍ମାଣ୍ତ ଅଖିଳ
       ଗଗନ ପବନ ବ୍ୟାପୀ
ବାକ୍ୟେ ବଖାଣିବା ବିଚିତ୍ର ବିଭବା
      ବିନ୍ଧାଣି ବିରଳ ବିଶ୍ୱେ
 ନମଁଇ ଚରଣେ ଆହେ ଆର୍ତ୍ତତ୍ରାଣେ
        ନିରୁପାୟୀ ମୁଁ ନିଃଶ୍ୱେ
                 - ଦାଶରଥି ସାହୁ

କେମିତିକା ରୂପ  ରଙ୍ଗ ପ୍ରଭୁ ତୁମ
       ଦେଖି ନାହିଁ ବାସ୍ତବରେ
ଭଗବାନ ବୋଲି  ତୁମକୁ ହୃଦୟେ
        ପୂଜୁଥାଏ ନିରନ୍ତରେ
ନିରାକାର ବୋଲି  ତୁମେ ଭଗବାନ
       ଶୁଣିଛି ମୁଁ ଯାହା କର୍ଣ୍ଣେ
ତେଣୁ ଯେ ତୁମକୁ  ଦୁଃଖି ହୃଦ ବନେ
        ଖୋଜୁଥାଏ ମନେ ମନେ
                    - ଜଗବନ୍ଧୁ ସାହୁ

ନିୟତି ନିୟମ ମୋର ସର୍ବ କର୍ମ 
କେବଳ ତୁମରି ଶ୍ରେୟ 
ରକ୍ତ ମାଂସେ ଗଢା ଏ'ତୁଚ୍ଛ ଶରୀର 
 କରିଛ ତୁମେ ସକ୍ରିୟ 
କରମ କଷଣ ସହି ପ୍ରତିକ୍ଷଣ 
ସଂସ୍କାର ଦେଇଛ ମୋତେ 
ମୋହର ଆରାଧ୍ୟ ଭଗବାନ ତୁମେ 
ପିତା ନାମେ ଏ ଜଗତେ  ।
            - ଟୁକୁନା ସାହୁ

ଏ ବିଶ୍ୱ ବ୍ରହ୍ମାଣ୍ଡ  ଚାଲେ ଯା' ଇଙ୍ଗିତେ
ବୁଣି ଅଦୃଶ୍ୟ ଉପାଦାନ
ଆକାର ବିହୀନ ସେଇ ଶୂନ୍ୟ ବ୍ରହ୍ମ
ଅଟନ୍ତି ସ୍ୱୟଂ ଭଗବାନ 
ହେଉ ସ୍ୱର୍ଗ ମର୍ତ୍ତ୍ୟ  ଅବା ରସାତଳ
ସବୁଠି ବୋଲାନ୍ତି ରାଜନ
ଭୂମି ଠାରୁ ଭୂମା  ସିଏ ସର୍ବେଶ୍ୱର
ତାଙ୍କ ପାଦେ କୋଟି ନମନ ....
          - ରାମ ଚନ୍ଦ୍ର ପ୍ରଧାନ

ଭକତ ଆଖିରେ  ନାଚୁଥାଏ ସଦା
       ଯାହାର ସୁନ୍ଦର ଛବି
ଯାହାର ଗାରିମା ରଚି ଯାଇଛନ୍ତି
      କେତେ ମୁନୀ ମହାକବି
ଯାହାରି ଦର୍ଶନେ ସକାଳ ଆରମ୍ଭ
      ପୂର୍ଣ୍ଣହୁଏ ଅଭିଯାନ
ଭାବକୁ ନିକଟ ଅଭାବକୁ ଦୂର
      ସେହି ଏକା ଭଗବାନ
                  -  ରବିନ୍ଦ୍ର ସାହୁ

ଭାବକୁ ନିକଟ ଅଭାବକୁ ଦୂର
   ଯିଏ ଡାକେ ଯେଉଁ ଭାବେ
ଭଗବାନ ଙ୍କର ଲୀଳା ଖେଳା ସଦା 
     ଉପସ୍ଥିତି ଯୁଗେ ଯୁଗେ 
ଭଗବାନ ଦିନେ ଭକତ ପ୍ରୀତିରେ 
     ଖାଇଥିଲେ ଖୁଦଭଜା 
ଭଗବାନ ପୁଣି କାଞ୍ଚି ଅଭିଯାନେ 
       ଉଡ଼ାଇଲେ ଜୟ ଧ୍ୱଜା
             - ପ୍ରବୀର ମଲ୍ଲିକ

Tuesday, November 22, 2022

● ହାସ୍ୟ କଲ୍ଲୋଳ ●

#ହାସ୍ଯ_କଲ୍ଲୋଳ_କଵିସୂର୍ଯ୍ୟ_ବଳଦେଵ_ରଥ ●

ଭୂୟୋ ନମଃ କୌତୁକଲମ୍ପଟାୟ ଭାନୂଦ୍ଭବାରମ୍ୟତଟୀନଟାୟ
ଘଟସ୍ତନୀନାଂ ପଟଳୀବିଟାୟ କୃଷ୍ଣାୟ ବଦ୍ୟୁଦ୍‌ବିଲସତ୍‌ପଟାୟ ॥
ମନ୍ଦାର ବୃନ୍ଦାରକବନ୍ଦିତାଂଘ୍ରଂ ନନ୍ଦାଳୟେନ୍ଦ୍ରୋତ୍ପଳନୀଳ ଲକ୍ଷ୍ମୀମ୍‌
ବୃନ୍ଦାବନବ୍ୟୋମବିହାରଚନ୍ଦ୍ରଂ କୁନ୍ଦାବଦାତାସିତମୀଶମୀଡ଼େ ॥

ଏ ହେଲା ହୋ, ସେ ହେଲା ହୋ,
ଏକ ଯେ ମହାରାଜ୍ୟ ଥିଲା ।
ସେ ରାଜ୍ୟର ନାମ ରହସ୍ୟ ଘୋଷ ।
ଦେଶ ପାଞ୍ଚଶ ଉଣା ପଞ୍ଚାଶ କୋଶ ।
ଅତ୍ର ଗୁଣବନ୍ତ ସମସ୍ତ ଦୋଷ ।
ଗୁଣଜ୍ଞ ଦେଖିଲେ ହୁଅନ୍ତି ରୋଷ ।
ଗୋସାଇଁମାନଙ୍କ ରୋଷାୟା ଘୋଷ ।
ଚଣା ଚୋବାଇଲେ ନିବର୍ତ୍ତେ ଶୋଷ ।
ସାଧୁଙ୍କୁ ନିନ୍ଦିଲେ ମନରେ ତୋଷ ।
ଘୁଷିରି ଦେଖିଲେ ବୋଲନ୍ତି ହାତୀ ।
ଜାଣି ନ ପାରନ୍ତି କେ କେଉଁ ଜାତି ।
ବ୍ରାହ୍ମଣମାନଙ୍କ ହାତରେ କାତି ।
ଭକ୍ତିରେ ଗୁରୁବୈଷ୍ଣବ-ଘାତି ।
କଉଡ଼ିମାଳିଆ ସବୁଙ୍କ ଛାତି ।
ହାଣ୍ଡି ନ କରନ୍ତି ମଲେ ହେଁ ଜ୍ଞାତି ।
ଦାଣ୍ଡେ ନ ଜାଣନ୍ତି ଖରାର ତାତି ।
ସମସ୍ତଙ୍କ ଇଷ୍ଟଦେବତା ଖ୍ୟାତି ।
କୋତରା ଅଖା ପଲଙ୍କସୁପାତି ।
ଏକାନ୍ତ କଥାକୁ ବଜାରେ ଖ୍ୟାତି ।
ଥୁଆଥୋଇ ହୋନ୍ତି ଆଈକି ନାତି ।
ମହାଶର ଯହିଁ ବାଉଁଶ ପାତି ।
ରଜନୀ ଦିବସ, ଦିବସ ରାତି ।

ସ୍ୱପତ୍ନୀ-ସ୍ନେହରେ ନ ଥାନ୍ତି ମାତି ।
କୁଳ କୁଟୁମ୍ୱରେ ଳମ୍ପଟ ଥାନ୍ତି ।
କୋଟିଏ ଉଣା ଅୟୁତେ ପାଦାନ୍ତି ।

ସେ ରାଜ୍ୟ ମହାଜନ ମହାସାମନ୍ତ ।
ଦୋକାନେ ବସି ଖାଇ ବିଶା ବିଶା ଅନ୍ତ ।
ବଡ଼ଲୋକେ ସଂପାଦନ୍ତି ମେଣ୍ଢା ଛେଳି ଦନ୍ତ ।
କୋଦୁଅ ପେଜ ହାଣ୍ଡିରେ ହାପୁରୁଥାନ୍ତି ମାଣ୍ଡିରେ ।
ମନ ଥାଇ ଭାଣ୍ଡରେ ।
ଅଠର ଗଣ୍ଠିଆ କମ୍ୱଳ କନା ପିନ୍ଧି ବୁଲନ୍ତି ଦାଣ୍ଡରେ ।
ହାଡ଼ି ବାଉରି ଗୋର୍ଜି ଠି ।
ଫାଳିଆ ସଢ଼ାଇ ଖୋଜି ଟି ।
ଭେଣ୍ଡିଆମାନଙ୍କ ଭୋଜିଟି ।
କରନ୍ତି କୋଳଥ ଗଜା ।
କରଞ୍ଜ ତେଲରେ ଭଜା ।
ସେ ରାଜ୍ୟ ଠାକୁରଙ୍କ ପୂଜା ।

ଗୁଡ଼ିଆଣୀଟି କୁଜୀ ଟି ।
ଗୋଟିଏ ନୟନ ବୁଜିଟି ।
ସେହି ରୂପେ ଗୋଲା ଗୋଲୁଣୀ,
ପାଲିଆ ପାଲିଆଣୀ, ସାଲିଆ ସାଲିଆଣୀ,
କାମ୍ପ କାମ୍ପୁଣୀ, କୁଡ଼ୁମ କୁଡ଼ୁମଣୀ,
ବଳାସୀ ବଳାସୁଣୀ, ଆଳିଆ ଆଳିଆଣୀ,
ଆରୁଆ ଆରୁଆଣୀ, କାରୁଆ କାରୁଆଣୀ,
କେଉଟ କେଉଟୁଣୀ, କୁମୁଟି କୁମୁଟିଆଣୀ ।

ସେ ଦେଶରେ ଅଛନ୍ତି ପୁଣି ।
ବହୁତ ରାଣୀ ଓ ବହୁତ କାଣୀ । ରାଣି
କେଉଁମାନେ ଏବଂ କାଣୀ କେଉଁମାନେ ?
ପାଇକାଣୀ, ବାରିକାଣୀ, ନାୟକାଣୀ,
ରେଡ଼ିକାଣୀ; କାଣୀ ଏମାନେ ।
ରାଣୀ କେଉଁମାନେ ତାହା କହିବା ।
ବେହେରାଣୀ, ମାଗୁରାଣୀ, କନ୍ଦରାଣୀ,
କୁନ୍ଦୁରାଣୀ, ଖଡ଼ୁରାଣୀ, ବାଉରାଣୀ,
ପାଟରାଣୀ; ଏମାନେ ରାଣୀ ଅଟନ୍ତି ।

ପୁନରପି ସେ ରାଜ୍ୟରେ ଚମତ୍କାର ଅଛି ।
କି କି ଅଛି କି ? ଗୁଣ୍ଡିଆ ଭିତରେ ମରମ ଅଛି ।
କପାଳ ଭିତରେ କରମ ଅଛି ।
ବାଟ ଚାଲିବାରେ ଶରମ ଅଛି ।
ଜୀବର ଭିତରେ ପରମ ଅଛି ।
ସୂର୍ଯ୍ୟମଣ୍ଡଳରେ ଧରମ ଅଛି ।
ଗ୍ରୀଷ୍ମ ସମୟରେ ଘରମ ଅଛି ।
ତପତ ପାଣିରେ ଗରମ ଅଛି ।
ଜନ୍ତୁଙ୍କ ଦେହରେ ଚରମ ଅଛି ।
ନାରୀ ସଙ୍ଗମରେ ନରମ ଅଛି ।
ମୁହଁ ବୁଲାଇଲେ ଭରମ ଅଛି ।

        ନ ଥିବାର କି କି ନାହିଁ, ତାହା କହିବା ।
ଯୋଗୀର ଥାଳ ନାହିଁ । ଶୋଇବାକୁ ସାଳ ନାହିଁ ।
ବସିବାକୁ ପାଳ ନାହିଁ । ଘରରେ ଚାଳ ନାହିଁ ।
ମୁଣ୍ଡରେ ବାଳ ନାହିଁ । ଧାତୁରେ ଝାଳ ନାହିଁ ।
ପୁଣ୍ୟକୁ କାଳ ନାହିଁ । ଦେହରେ ବଳ ନାହିଁ ।
ରଇତର ହଳ ନାହିଁ । ନିନ୍ଦିଲେ ଛଳ ନାହିଁ ।
ଚାଲିବାକୁ ଥଳ ନାହିଁ । ସମ୍ୱନ୍ଧକୁ କୁଳ ନାହିଁ ।
ଫରିର ଠୁଳ ନାହିଁ । ନଡ଼ିଆର ଚୂଳ ନାହିଁ ।

ଏପରିରେ ସେ ରାଜ୍ୟରେ ଗୋଟିଏ ଊଣା ଦଶ ହଜାର ଫଉଜକୁ ମହାବାହାଦୂର ଦଶ ଦଶ ସରଦାର । କେଉଁ କେଉଁମାନେ ? କାଞ୍ଜି ବୈରିଗଞ୍ଜନ, ତୋଡ଼ି ଭାରୋଇମଲ୍ଲ, କୁଣ୍ଡା ଶତ୍ରୁଶଲ, ଗନ୍ଧସାର ରଣହାନ୍ଦୋଳା, ମଦରଙ୍ଗା ମେଦିନୀରାୟ, କଳମ୍ୱ ବଳିଆର ସିଂହ, କଳିଆର ବଳିଆରାଜ, ନାଲିଆଟାରେ ଭାଳିଆରାଜ । ଯୁଦ୍ଧ ଦେଖିଲେ ପଛଘୁଞ୍ଚା ଦିଅନ୍ତି । ଛୁରି ଦେଖିଲେ ହୁରି କରନ୍ତି । କାତି ଦେଖିଲେ ଛାତି କମ୍ପାନ୍ତି । ଖଣ୍ଡା ଦେଖିଲେ ଦଣ୍ଡା ହୋଇ ଶୁଅନ୍ତି । ଫରି ଦେଖିଲେ ସରି ଯାଆନ୍ତି । ଛାଟ ଦେଖିଲେ କୀଟରୁ ବଳନ୍ତି । ନଳି ଦେଖିଲେ ଗଳି ଯାଆନ୍ତି । ପଟା ଦେଖିଲେ ଛଟା ଗାଳନ୍ତି । ଗଦା ଦେଖିଲେ ପଦାରୁ ପଳାନ୍ତି । କୁନ୍ତ ଦେଖିଲେ ଅନ୍ତରେ ସଢ଼ନ୍ତି । ପ୍ରାସ ଦେଖିଲେ ତ୍ରାସରେ ଥରନ୍ତି । ସାପ ଦେଖିଲେ ବାପ ବୋଲନ୍ତି । ଏତେ କଥାରେ କି ଅଛି, ଲୁହାଧରାକୁ ଦେଖିଲେ ଜୁହାର ବୋଲି ପଳାନ୍ତି ।
ସେ ଦେଶର ବେଶ୍ୟା କିପରି କି ? ଲେଭିଡ଼ୀ ଲୀଳାବତୀ, ଥୋବଡ଼ୀ ଜଗାନ୍ନୋହିନୀ, ଲେସଡ଼ୀ କଳାବତୀ, ଭେଷଡ଼ୀ ଇନ୍ଦୁବଦନା, ଦାନ୍ତୁଡ଼ୀ କୁନ୍ଦରଦନା । ଏପରି ତାଙ୍କ ନାମ । ଅନୁକୂଳକୁ ସେ ବାମ । ଦେଖିଲେ ନିବର୍ତ୍ତଇ କାମ । ନେତ୍ରରେ ନରକ ୫୩ ଧାମ । କଣ୍ଠରେ କଉଡ଼ି-ଦାମ । ପହଣ୍ଡେ ଚାଲିକି ଝାମ । କେନ୍ଦୁକାଠ ପରି ଶ୍ୟାମ ।

ଆକୁଆ ଟାକୁଆ ଗାଲ । ଭାତୁଡ଼ି ଭରତି ଭାଲ । ଭୁଲୁତା ମଧ୍ୟରେ ଖାଲ । ଆଖିରେ ପରଳ ଜାଲ । ଶ୍ରବଣ ଅଳପ କାଲ । କୋତରା ଅଖା ସାଲ । ଖଟ ଶେଯ ଛେଳିଛାଲ । ଏପରି ଅର୍ଜନ୍ତି ମାଲ; - କପା ହେଲେ ପଳେ । ମୁଢ଼ି ହେଲେ କଳେ । କଉଡ଼ି ହେଲେ କଡ଼ାଏ । କୋଳଥ ହେଲେ ଅଡ଼ାଏ । କୋତ ହେଲେ ଯୋଡ଼ାଏ । କୟାଁ ହେଲେ ଫଡ଼ାଏ । ନାଗରମାନେ ଦେବାର ଏହା ।
ସଂସାରୀମାନଙ୍କ ବଡ଼ ମରଜି । କେତେ କହିବା ଗରଜି ଗରଜି । ସ୍ତ୍ରୀ-ପୁରୁଷ ଯୋଡ଼ିଏ ଜାତି । ବାଟେ ଘାଟେ ଯେବେ ଭେଟାଭେଟି ହୋନ୍ତି । ପୂର୍ବ ପରିଚୟ ନୋହେ କାହାର କେହି । ମୁଲାକାତ ହେବା କ୍ଷଣେ ସମ୍ଭାଷଣା ଏହି; - ତୁମ୍ଭେ କିଏ ସେ ? ନା, ତୁମେ କିଏ ସେ ? ଆମ୍ଭେ ପୁରୁଷ । ନା, ଆମ୍ଭେ ସ୍ତ୍ରୀ; ତୁମ୍ଭେ ତ ପୁରୁଷ ଆମ୍ଭେ ତ ସ୍ତ୍ରୀ, ତୁମ୍ଭେ ଆମ୍ଭେ ସଙ୍ଗ ହେବା କି ? ଭଇଁଚ ଲଟାକୁ ଯିବା କି ? ରତିକି ସଭା, ସୌନ୍ଦର୍ଯ୍ୟକୁ ଗଭା ।
ଏ ରୂପେ ପ୍ରଭୁତାରୁ ସେ ରାଜ୍ୟ ରାଜାଙ୍କର ଶୌର୍ଯ୍ୟ, ସୌନ୍ଦର୍ଯ୍ୟ, ବୀର୍ଯ୍ୟ, ଧୈର୍ଯ୍ୟ, ଚାତୁର୍ଯ୍ୟାଦି ଗୁଣମାନଙ୍କୁ କହିବା । ଉଳ୍ଲାତକର୍ଣ୍ଣ ବୋଲି ସେ ରାଜ୍ୟର ମହାରାଜା । ଯାହାର ସିଂହଦୁଆରେ ଘୁମୁରା ବୀରରାଜା । ସେ ମହାରାଜା ମହାଦୀପ୍ତିମାନ । ତାଙ୍କର ନୀତି କିପରି ? ଜନକ ରାଜାଙ୍କର ନ ଥିଲା । ଯୁଧିଷ୍ଠିରଙ୍କର ନ ଥିଲା । ଭୋଜ ରାଜାଙ୍କର ନ ଥିଲା । ମାନଧାତା ଚକ୍ରବର୍ତ୍ତୀଙ୍କର ନ ଥିଲା । ବୀର ବିକ୍ରମାଦତ୍ୟ ମହାରାଜାଙ୍କର ନ ଥିଲା । ତେଣୁ କରି ମାଗଧମାନଙ୍କ ସଙ୍ଗେ ଧୂଳି ସୁପାତିରେ ପହୁଡ଼ ହୁଏ । ସୂର୍ଯ୍ୟୋଦୟକୁ ଘେନି ବେଳ ଦୁଇ ଘଡ଼ି ପର୍ଯ୍ୟନ୍ତେ ଅନ୍ତଃପୁରେ ବିଜେ ହୁଅନ୍ତି । ଏହି ସମୟରେ ଖନ୍ଦା ଫରମାସି ହୁଅଇ;--ଚୁଚୁନ୍ଦ୍ରା ମାଂସ ପଲାଉକୁ ପେଚାପକ୍ଷୀ ଝୋଳ । ନ ଅଣ୍ଟିଲା ପରି ମହାସୁଆରକୁ ଖନ୍ଦାଫରମାସି ହୁଅଇ । କଳିକତୀ ଗଞ୍ଜାଇ ପତ୍ରର ସେରେ ଚୂର୍ଣ୍ଣ ପ୍ରସାଦ ସେବା ହୁଅଇ । ଲିଆ ପରାୟେ ଲଘୁ ଆହାର ହୁଅଇ ।

ସୁକୁମାର ମଣୋହି ବଢ଼ିଲା ଶେଯରେ ଅନାଚାର ଆଚମନ ବଢ଼ଇ । ଶୁଦ୍ଧ ଖତକୁଡ଼ରୁ ଆସିଥିବା ଚଣ୍ଡାଳଚର୍ବିତ ଗୁଣ୍ଡି ଗୁଆ ବିଡ଼ିଆ ଲାଗି ସମୟରେ ପୁରୋହିତ ଅକଲ୍ୟାଣ ମହାପାତ୍ର ଗୋସାଇଁ ଆସି ଅମଙ୍ଗଳାରୋପଣ ସାରି ଏପରି ଆଶୀର୍ବାଦ ଦିଅନ୍ତି । କି ରୂପେ କି;--
ରାସଭସ୍କନ୍ଧମାରୂଢ଼ୌ ଗୁଧ୍ରଗୋମାୟୁ ଭକ୍ଷତାମ୍‌ ।
କୁଟୁମ୍ୱଃ କ୍ଷୀଣତାଂ ଯାତୁ ଯୋଷିତ୍‌ ଭ୍ରଷ୍ଟା ତବାସ୍ତୁ ହି ।
ଆଶୀର୍ବାଦଃ ଶିରଶ୍ଛେଦଃ ପତ୍ନୀଭ୍ରଷ୍ଟଃ ତଥୈବ ଚ ।
ପୁତ୍ରପୌତ୍ରାଃ କ୍ଷୟଂ ଯାନ୍ତୁ ନିଷ୍କଟୁମ୍ୱାସୁଖୀ ଭବ ।

ଏପରି ଦୀର୍ଘାୟୁ ପ୍ରତିପତ୍ତିକୁ ଆଶୀର୍ବାଦ ଗ୍ରହଣାନ୍ତରେ ରାଜାଙ୍କର ଥିବା ପ୍ରତିକୂଳ ଜୌତିଷରତ୍ନେ ଦିନାଦି ପାଞ୍ଜିପଞ୍ଚାଙ୍ଗ ଜଣାନ୍ତି । କିପରି କି ;---
ତୈଳାଙ୍ଗା ଯବନୀ ପୁଳିନ୍ଦଗୃହିଣୀ ପୋଟା ବହିର୍ଦାସିକା
ଲାଜା ସର୍ପ ବିଲୋଚନା ଚ ଶବରୀ ହୀନମ୍ୱର ଯୋଷିତା ।
ଏତେ ନାଶପ୍ରଦାଶ୍ଚତେ ନରପତେ ଦତ୍ୱାଶିଷଂ ସର୍ବଦା
ଗୋଧାଗୃଧ୍ରପକ୍ଷୀ ଚ ପେଚକପକ୍ଷୀ କୁର୍ବନ୍ତୁ ଚାମଙ୍ଗଳମ୍ ।

ମହାରାଜ ! ମଙ୍ଗଳବାର ପନ୍ଦର ଦଣ୍ଡ ପାଇଁ ଶୁକ୍ରବାର ପ୍ରବେଶ ହେବ । ତିଥି ପୂର୍ବାଷାଢ଼ା ଅଣଚାଶ ଦଣ୍ଡ । ଆୟୁଷ୍ମାନ ନକ୍ଷତ୍ର ବୟାଳିଶ ଦଣ୍ଡ । ଦୁଇପାଦ ଚନ୍ଦ୍ର ପନ୍ଦର ଦଣ୍ଡ । ବୃଷ କରଣ ଷାଠିଏ ଦଣ୍ଡ । ରବି ଚଉଦ ଅଂଶ ପଞ୍ଚତ୍ରିଂଶ କଳାକୁ ମାସର ସାତଦିନ ଭୋଗ ହେଲା । ତାର ସପ୍ତମ, ଚନ୍ଦ୍ର ଅଷ୍ଟମ । ଦିନଯାକ ବିଷ୍ଟି କରଣ । ମହାରାଜ, ସମସ୍ତ ଶୁଭ ହୋଇ ଅଛନ୍ତି । ବାମ ପାଖ ଶ୍ରୀଅଙ୍ଗ ମଧ୍ୟ ସ୍ଫୁରୁଥିବ । ଦକ୍ଷିଣ ଦିଗକୁ ଯାତ୍ରା । ଆଜ ଅର୍ଦ୍ଧରାତ୍ର ସମୟରେ ପନିଅର ଲାଗିକି ଉତ୍ତମ ଯୋଗାଉଛି । ଯେ ଦିବ୍ୟ ଅବଧାନକୁ ଆସିବ ।

ଏପରି ପଞ୍ଚାଙ୍ଗ ଶ୍ରବଣ ବଢ଼ିଲା ଉତ୍ତାରୁ ଦନ୍ତଧାବନ ସୁଳେଇ ଏକାବେଳେକେ ବଢ଼ିଲା । ଦ୍ୱାଦଶାଙ୍ଗୁଳ ସ୍ଥୂଳ ଅଷ୍ଟାଦଶଙ୍ଗୁଳ ଦୀର୍ଘ ଚିତ୍ରକିଳାସନ ଉପରେ ଦେବାର୍ଚ୍ଚନ ବଢ଼ିଲା । ନିରକ୍ଷର ବାହିନୀପତି ପୁରାଣପଣ୍ଡା ଗୋସାଇଁ ଶୁଣାଇବାର ପୁରାଣ କିପରି ବୋଲନ୍ତେ;--
(ପୁରାଣ)
ଗୁଡ଼ସେଠୀ ପୁରୁଷାୟ ଛୋକରାଣି ଚ ଶେଖରମ୍‌ ।
ଖରଂ ଚ ମନସି ଧ୍ୟାତ୍ୱା ତତୋ ଜୟମୁଦୀରୟେତ୍‌ ।।
କୁଳଟାନାଂ ନିସର୍ଗୀୟ ନମସ୍ତସ୍ମୈ ଦୟାଳବେ ।
ଯେନ ତାଃ ସ୍ୱପତିଂ ହତ୍ୱା ପାଳୟନ୍ତି ପରାପରମ୍‌ ।।

ଶ୍ରୀ କୁଳଟାୟୈ ନମଃ
କଦାଚ ବ୍ରହ୍ମହତ୍ୟୟାଂ କଳିଂ ପପ୍ରଚ୍ଛ ଦୁର୍ଣ୍ଣୟଃ ।
କେନୋପାୟେନ ସଂସାରାତ୍‌ ତରିଷ୍ୟନ୍ତୀତି ଦେହିନଃ ।।
ସର୍ବୋଚ୍ଛାଦନ-ଚାତୁର୍ଯ୍ୟଂ ଧୂରୀଣାସି ମହାମତେ ।
ବପ୍ରବେଶା ମହାଶିକ୍ଷା ଯତ୍ତୋକ୍ଷା ମଟିସ୍ୱତିଃ ।

ଓଁ କଳିରୁବାଚ
କଥୟାମି ପରଂତତ୍ତ୍ୱଂ ଶୃଣୁ ବହେ ସମାହିତଃ ।
ଅନୁଗ୍ରହ ସମେ ପାତଂ ଯତୋଽସି ମୟି ଭକ୍ତିମାନ୍‌ ।।
ପାପାତ୍ସଂବର୍ଦ୍ଧତେ ଲକ୍ଷ୍ମୀଃ ପାପାତ୍ସଂବର୍ଦ୍ଧତେ ଯଶଃ ।
ପାପାଦ୍ଦୀର୍ଘଂ ଭବେଦାୟୁଃ ପାପାତ୍‌ ନାସ୍ତ୍ୟଧିକଂ ବ୍ରତମ୍‌ ।
ସେବ୍ୟତାଂ ପାପକର୍ମାଣି ତ୍ୟଜ୍ୟତାଂ କୃତିନୋ ଜନାଃ ।
ସର୍ବପାତକ କର୍ତ୍ତୃଣାଂ ସ୍ଥାନକ୍ଷେତ୍ରମୁଦାହୃତମ୍‌ ।।
ଏକସ୍ତେ ବଧ ସଂବ୍ରାତ ବ୍ରାହ୍ମଣଂ ଚ ବିଶେଷତଃ ।
ତିରସ୍କାରଂ ଚ ସତ୍ସ୍ୱିଦଂ ନାନା ଜାତି ସମୁଦ୍ଭବମ୍‌ ।
ନ ପିବେସ୍ୱପଚେବସ୍ୟ (?) ନାପିତାନ୍‌ ବ୍ରାହ୍ମାଣାନ୍‌ ଭଜେତ୍‌ ।
ବିବିଧା ଚିନ୍ତୟା ଶାନ୍ତି ଯାବନ୍ନ ଚରଣ ଦ୍ୱୟମ୍‌ ।
ଗଙ୍ଗାୟାଂ ଶ୍ଳାଘ୍ୟମାଲୋକ୍ୟ ବିନା ସ୍ନାନଂ ଗୃହଂ ବ୍ରଜେତ୍‌ ।
ଦୁଷ୍ଟ୍ୱା ଗୋବ୍ରହ୍ମହନ୍ତାରଂ କର୍ତ୍ତାନୃଣ୍ୟଂ ବିମୁଚ୍ୟତାମ୍‌ ।
ଲବ୍‌ଧ ବିତ୍ତଂ ନ ଭୁଞ୍ଜିତୋ ବିତଯୁତଃ ଦିବୋତ୍ତମଃ ।
ଚୌର୍ଯ୍ୟୈଃ ସୌର୍ବର୍ଜିତୈର୍ବିର୍ତ୍ତୈଃ ଶରୀରଂ ପାଳୟ ସ୍ୱକମ୍‌ ।
ସଂପର୍କଂ ପଣ୍ଡିତୈଃ କୃତ୍ୱା ତାତ କ୍ଷୋଭଃ ଭବିଷ୍ୟତି ।
ଅକ୍ଷରାଙ୍କେନ ସଂଗ୍ରନ୍ଥା ଶକାରୈଃ ତତ୍ର ଯୈଃ ନିତ୍ୟମ୍‌
ଇଦଂ ରହସ୍ୟମାୟୁଷଂ ମୁକ୍ତିସ୍ନେହାତ୍ତବାଗ୍ରତଃ ।
ଅନେକ କର୍ମଣାଂ ନାଶଃ ପରତ୍ରେହ ଚ ଯାସ୍ୟତି ।

ଓଁ ହରି ତତ୍‌ସତ୍‌ । ଇତି ଶ୍ରୀ ବିଧୁତ ନାନା ପାପାତନୋର୍ହିତଃ ମୃଳସ୍ୱତାମିପତ୍ରାବନ ତତ୍ପତି କଂସାହାତି ନରକଚୟ ପରିଚୟୋ ଚାତୁର୍ଯ୍ୟ ପ୍ରତିପାଦକେ କୌତୁକାର୍ଣ୍ଣବେ ମହାପୁରାଣେ କଳି ଦୁର୍ଣ୍ଣୀତି ସମ୍ୱାଦେ ତ୍ରୟୋଦଶୋଽଧ୍ୟାୟଃ ।
ଅମଙ୍ଗଳଂ ମହାପୂର୍ବ ଜଗତୁ ପ୍ରଳୟଂ ଯାତୁ
ଶିଶିରେ ବର୍ଷତୁ ମେଘୋଽଶୁଭ ବିପ୍ରା କୃଷିକ୍ଷୀଣା ।
ପୁରାଣପଣ୍ଡା ଗୋସାଇଁ ଏପରି ପାରାୟଣ ସାରି, ପୋଥି ବାନ୍ଧି, ପୋଥି ଶ୍ରୀ ମହାରାଜାଙ୍କ ନାକରେ ଛୁଆଁଇ ପ୍ରସାଦ ବିଛୁଆତି-ଦଳ ଚକ୍ଷୁରେ ଘଷି ଦେଇ ଶ୍ରୀ ମହାରାଜାଙ୍କଠାରୁ ଆଶୀର୍ବାଦ ଘେନି ବିଦା ହୋଇଗଲା ଉତ୍ତାରୁ ଦିବାନ ଆଦିଦୁର୍ବୋଧ ଧୁରନ୍ଧର ବେହିଆ ମହାପାତ୍ରେ ଆସି ଶ୍ରୀଛାମୁରେ ପଞ୍ଛାଶ ଜଣ ବାଉରି ଭଲଲୋକ ଥିବାରେ ଅତି ଏକାନ୍ତରେ ଅତି ଧୀର କରି ମେଘ-ଗର୍ଜିତ ସାମାନ୍ୟ ସ୍ୱରରେ ପିଠିଆଡ଼ ଛାମୁରେ ଯାଇ ରହି କହନ୍ତି । କି ରୂପେ କି; --‘‘ହେ ମହାରାଜ, ସଦାନନ୍ଦ ବ୍ରହ୍ମଚାରୀ ଗୋସାଇଁଙ୍କର ଝିଅ ଗୋଟିଏ, ସନ୍ନ୍ୟାସୀ ଅଶମ୍ଭୁ ତୀର୍ଥସ୍ୱାମୀମାନଙ୍କର ଝିଅ ଗୋଟିଏ, ରାଜଗୁରୁ ଗୋସାଇଁଙ୍କର ଝିଅ ଗୋଟିଏ, ପୁରୋହିତ ଗୋସାଇଁଙ୍କର ଝିଅ ଗୋଟିଏ ଏପରି ଚାରି କନ୍ୟାଙ୍କର ନାକନା ଭଳି ସମୟରେ ଉଚିତ ହେବାର ଦୁର୍ବାକ୍ଷତ ବିଧି ବିଚାରି ନ ପାରିବାରୁ ଏହି ନଜିକରେ ଚାରି କନ୍ୟାଯାକ ପିତୃତର୍ପଣ ତୀର୍ଥରେ ପୁଷ୍ପବତୀ ହେଲେ ।

ଦେଉ ତ ଗଧପତି, ସାକ୍ଷାତ୍‌ ଅଧର୍ମ ଅବତାର, ଭୂମି-ଶବର ପରି ମହାରାଜତ୍ୱ କରି ଆଜ୍ଞା ଦେଉ ଅଛନ୍ତି; ମହାପ୍ରଭୁ ପାରଂପର୍ଯ୍ୟ ପ୍ରକ୍ରମରେ ମହାରାଜାଙ୍କ ଦରବାରରେ ଚଳି ଆସୁଥିବା ନ୍ୟାୟକୁ ବିଚାରିଲେ ସେ ଚାରି କନ୍ୟାଙ୍କୁ ସରକାରକୁ ଆଣିବାକୁ ହେବ । ନୋହିଲେ, ରାତି ସହରରେ ରୋଜ ବୁଲିବାର କଟୁଆଳ ଅବା ପଠାଣ ପାଇକେ ନେବାର ମର୍ଯ୍ୟାଦା । ଭାଇ ନ ଥିବା ପକ୍ଷକୁ ମାମୁଁ ଭୋଗ କରିବାର ପସନ୍ଦ । ଏବେ ମହାରାଜାଙ୍କ ପରା ପରମାବିବେକ ଶ୍ରୀ ଖାମିନ୍ଦ ବିଜେ ଅବସ୍ଥାନ କରୁ କରୁ ରାଜ୍ୟ ଅରାଜକ ହେଲା ପରିରେ । ସେ କନ୍ୟାମାନଙ୍କୁ ପୂର୍ବରୁ ବିବାହ ହୋଇଥିବା ଅଣ୍ଡିରାମାନେ ଆସି ଘେନିଯିବାକୁ ନାନା ହେଙ୍ଗମା କରୁଛନ୍ତି । ଏଥକୁ ରାଜ ଆଜ୍ଞା ହେଲେ ସେ କନ୍ୟାମାନଙ୍କର ମାଆମାନଙ୍କୁ  ବଦଳି ଦିଆଯାଇ ସମୁଜାଇ ଦେବାକୁ ପଡ଼ିବ । ମହାରାଜ ! ଲୋକେ କହିବାରେ ବିବାହ ପୁଣି ଠିକଣା ନାହିଁ । ଛାମୁଣ୍ଡିଆ ଉପରେ ବେଦୀ ତଳରେ, ପୁରୋହିତ ପୁଣି କର୍ମ କରି ହସ୍ତଗ୍ରନ୍ଥି ପକାଇ ଦେଇ ବାହାରିଗଲେ । ମହାରାଜ ! ଯଥାବିଧିରେ ଯେ ଟି । ନଦୀ ତଟରେ ହେଲେ ହୁଅଇ, ତୋଟା ମାଳରେ ହେଲେ ହୁଅଇ, ଭଗ୍ନ ଦେବାଳୟରେ ହେଲେ ହୁଅଇ, ଏପରି ସିନା ବଡ଼ଲୋକମାନଙ୍କର ମର୍ଯ୍ୟାଦା । ପୁରୋହିତ ବାକ୍ୟ ପଢ଼ି ପଢ଼ି ହସ୍ତଗ୍ରନ୍ଥି ପକାଇ ଦେଇଯିବାର କିପରିରେ ହେଲା ? ଏ ସକାଶରୁ ମୁଁ ପ୍ରାନ୍ତରୁ ଜଣାଇଲା ପରି ହୁକୁମ ହେବାର ଅଛି । ନୋହିଲେ ରାଜଧର୍ମକୁ ବହୁତ ଅସୁନ୍ଦର ଦିଶିବ । ଦିବ୍ୟ ଅବଧାନକୁ ଆସିବ । ମହାପ୍ରଭୁ ! ଏ ସଂଶୟ ତ ଏପରି, ଆଉ ଗୋଟିଏ ବିଷୟ ଏହିପରି;- ଗୋଟିଏ ଅବିଦ୍ୟା ଭଲଲୋକ ଜଣଙ୍କ ଘରେ ଜାତ ହେଲାବୋଲି ଶୁଣାଯାଉଅଛି । ଏମନ୍ତ ଅନ୍ୟାୟ ପ୍ରବର୍ତ୍ତିଥିଲେ ମୁଲକକୁ ଅମଙ୍ଗଳ ହେବ । ଆଜ୍ଞା ! ପୁରୋହିତେ ଲକ୍ଷ ଲକ୍ଷ ଭରଣ ଲୁଣ, ଅନେକ ମାଛ, ସହସ୍ର ସହସ୍ର ବୋଝ ସାରୁ ଅମଳ କରିଥିବାରୁ ଉତ୍କୃଷ୍ଟ କୁଳରେ ସମୁତ୍ପନ୍ନ ଅଟନ୍ତି ।
ବାପେ ଯେବେ ଦଶବିଂଶ ବର୍ଷ ଭେଣ୍ଡିଆ ଥାନ୍ତେ, ମାଏ ଗ୍ରନ୍ଥ ପର୍ଯ୍ୟନ୍ତ ବ୍ୟାପିବାର ଅଖଣ୍ଡ ପାଣ୍ଡିତ୍ୟ ସଂପାଦିଥାନ୍ତେ ତେବେ କହନ୍ତେ । ଏବେ ହେଲେ ପଦେ ପଦେ ମନୁଷ୍ୟ ଭାଷା ପରି ପ୍ରତୀତ ହୋଇ ଯାଉଥିବାର କଥା କହିବା ପରି ପରା ଶକ୍ତ ଅଛନ୍ତି । ଏପରି ଜ୍ଞାତସାରରେ ଅଛନ୍ତି, ବୃଦ୍ଧି ଅଛନ୍ତି । ଆପଣ ପୁଣି ଠିଆ ନୋହି ବସି ପ୍ରସା କରି ପାଣି ଘେନି ପକାଇଲେ ! ମହାରାଜା ତ ବ୍ରାହ୍ମଣ ଭକ୍ତ; ପ୍ରଭୁ, ସେ ତ ବ୍ରାହ୍ମଣ । ତାଙ୍କଠାରୁ କଉଡ଼ି ଜରିମାନା ଚାଙ୍ଗଡ଼ା ଘରକୁ ଆସିବ ନାହିଁ । ଆଜ୍ଞା ହେଲେ, ଶହେ ବିସା ସାବଳା ଶୁଖୁଆ ଜରିମାନା ଘେନାଇ ଠାକୁରଘରମାନଙ୍କୁ ଦିଆଇବାକୁ ପଡ଼ିବ । ଏଥି ଉତ୍ତାରୁ, ମହାରାଜ, ସମସ୍ତ ଗଡ଼ିଆ ଧାଙ୍ଗଡ଼ାମାନେ, ସମସ୍ତ ଚାଷର ରଇତମାନେ, ସିପାଇ ଭଲ ଭଲ ଲୋକେ, ଭାଇ ଦାଦିମାନେ ମଧ୍ୟ ଅନ୍ନବସ୍ତ୍ର ନ ମିଳିବାରୁ ଏବେ ରହି ନ ପାରନ୍ତି । ପାପଡ଼ା,ଚାକୁଣ୍ଡା,ସଲପ ଏପରି ମିଳୁଥିବା ସୁଭିକ୍ଷ ଜାଗାମାନଙ୍କୁ ଯାଇ ଜୀଇ ଘେନିବୁ ବୋଲି ଦୁଃଖ ଗୋଚର କରିବାରୁ ସମସ୍ତଙ୍କୁ ବାହା ଟେକି ଆଜ୍ଞା ହେଲେ, ରାଜ୍ୟ ବାହାର କରାଇ ଦେଲେ । ପ୍ରଭାତରୁ ଦେଶନ୍ୟାୟ ନିମିତ୍ତରେ ଯିବାକୁ ତୁଚ୍ଛା ମାଠିଆ, ଭାଲିଆ ପଲମ, ତଷୁ ଛେଲୁଆ, ତୈଳ କଳସୀ, ବାଳବିଧବା ସ୍ତ୍ରୀ,ନାଗସାପ,କପାମଞ୍ଜି,କଳାବିରାଡ଼ି ଏପରି ସମସ୍ତ ଅନୁକୂଳ-ସମ୍ଭାର ରଖି ଓଟକୁ ଜିନିସ ଦିଆଇବା ସମୟରେ ଆମ୍ଭ ତାଳୁକା କଳମ୍ୱମୁଠା ସମ୍ୱନ୍ଧ ଜନଶୂନ୍ୟପଡ଼ା ଗ୍ରାମରେ ଧାନୁଟା ଭିତରେ ଚାଉଳଟାଏ ବାହାରିବାର ମହାଉତ୍ପାତ ଖବର ଶୁଣି ପ୍ରୟାଣୋଦ୍ୟମ ମକୁବ କରାଇ ଫେରି ଶ୍ରୀଛାମୁକୁ ବାହାରି ଆସିଲି ।
ଏପରି ନିତ୍ୟନିତ୍ୟ ହକିକତ ଗୋଚର କରି ଦିବାନାଦି ମେଲାଣି ହୋଇ ବଣକୁ ଯିବା ଉତ୍ତାରୁ ଚାରିପାଖରେ ଚାରିଜଣ ଲମତା ରହି ବିପରୀତ ‘ରାମ’ ନାମ ଶୁଣାଉଥିବା ସମୟରେ ବହିର୍ବାସୀ ହେବା ପୁଳିନ୍ଦୀ ଦାସୀମାନେ ଆଣି ହାଜର କରିବାର ଦିବ୍ୟ ଶୁଦ୍ଧୋଦକରେ ଦେହପାଣି ବଢ଼ାଯାଏ ।
ଏମନ୍ତ ସମୟରେ ପ୍ରାଣାନ୍ତକ ବୈଦ୍ୟଚନ୍ଦ୍ର ଆସି ଶ୍ରୀହସ୍ତ ଦେଖି ଜଣାଇବାର କିପରିରେ ବୋଲନ୍ତେ—ମହାପ୍ରଭୁ, ବାତ କଫ ବିକାର ହୋଇ ଆଜ ଶ୍ରୀଅଙ୍ଗ ଉତ୍ତମ ସୁଖ ଅଛି । ଲେମ୍ୱୁରସ, କର୍ପୂର, ପଇଡ଼ପାଣି ମଣୋହି ହେବ । ସାୟଂକାଳ ସରିକି ମହାଦେଈଙ୍କ ଛାମୁରେ ଭେଟଆଜ୍ଞା ହେବ । ଏପରି ଜଣାଇ ପ୍ରାଣାନ୍ତକ ବୈଦ୍ୟଚନ୍ଦ୍ର ଭେଟି ଘେନି ମେଲାଣି ଦେଇକରି ଗଲା ଉତ୍ତାରୁ ଘୁମୁରା, ଚାଙ୍ଗୁ, ଢୋଲ, ଢୁମ୍ପା, ଢାମ୍ପ ଇତ୍ୟାଦି ମହାରାଜସଭା ସଞ୍ଚିତ ହେବାର ବାଦ୍ୟମାନ ବାଜିଲା । ଗାନ୍ଧର୍ବ ରାଜସଭା ପରି ସଙ୍ଗୀତ ପ୍ରବର୍ତ୍ତିଲା । ସେ ମହାରାଜା ତ ସଙ୍ଗୀତ ବିଦ୍ୟାରେ ପ୍ରବୀଣ; ସିତାର ଧରି ରାଜ୍ୟାନ୍ତରରୁ ଆସି ଛାମୁରେ ମୁଲାକାତ ହେବା ଶୁଣି କି ଆଜ୍ଞା କଲେ—ସିତାର ତ ଆଣିଛୁ ଚାମର ଆଣିନାହୁଁ କି ? ବୋଲି ପଚାରି ଆଜ୍ଞା କଲେ । ଏପରିରେ ସେ ରାଜଧାନୀରେ ସମସ୍ତ ଗୁଣ ସମ୍ପତ୍ତି ପୂରି ଅଛନ୍ତି । ଆହୁରି ଗୋଟିଏ ଗୁଣ ମାତ୍ରକ ଅଳ୍ପ ଅଛି; କେଉଁ ଗୁଣ କି ସେ—ରାଜା, ଦିବାନ, ରାଜଗୁରୁ, ପୁରୋହିତ, ଦଶ ସରଦାର, ପଟ୍ଟନାୟକମାନେ, ସହର କଟୁଆଳ, ଖନ୍ଦାବ୍ରାହ୍ମଣମାନେ, ଲମତାମାନେ, ଦତ୍ତପରୀଛା ଏମାନେ ଅଳ୍ପ କାଲା ।
ଏକ ଦିନକରେ ଏକା ପୁରୋହିତଙ୍କୁ ଛାଡ଼ି ସମସ୍ତେ ଥିବାରେ ଶ୍ରୀ ମହାରାଜଙ୍କ ଖରଶେଖର ବୋଲାଇବାର ଆଣ୍ଠୁଏ ଉଚ୍ଚ ଘୋଡ଼ା ଆଗପିଛା ଦଉଡ଼ି ଛିଣ୍ଡାଇ ବୋଡ଼ାସାପ ପରି ଜଲଦି ସେ ଘୋଡ଼ା ଫିଟି ପଶି ଖନ୍ଦା ମାରା କରିବାରୁ ଦଉଡ଼ି ପରୀଛା ପହଞ୍ଚି ପୁରୋହିତଙ୍କୁ ଧରି ପକାଇ ଖୁବୁ କରି ଟାଙ୍କେ ଛେଚି ଦେଲା । ପୁରୋହିତେ ଆସି ମହାରାଜାଙ୍କୁ ଆଜ୍ଞା କଲେ । ‘‘ମୋତେ ମନୁଷ୍ୟ ମାଇଲା’’ ବୋଲି ଫିରାଦ କରିବାରୁ, ରାଜଗୁରୁଙ୍କୁ ଚାହିଁ ପଚାରି ଆଜ୍ଞା କଲେ ‘‘ଗୋସାଇଁ ! ପୁରୋହିତେ କି କହୁ ଅଛନ୍ତି?’’

ରାଜଗୁରୁ ଜଣାଇଲେ, ‘‘ମହାରାଜ, ସ୍ମାର୍ତ୍ତ ବୈଷ୍ଣବ ଦୁଇ ପକ୍ଷରେ ନିଶାମଙ୍ଗଳବାର ରବିବାର ପରଦିନ ଶୁକ୍ରବାର ପୂର୍ବଦିନ ଦ୍ୱିବିଧ ହେଉଅଛି । ରବିବାର ବୈଷ୍ଣବମାନେ ପାଳିବେ, ଶୁକ୍ରବାର ସ୍ମାର୍ତ୍ତମାନେ ପାଳିବେ । ପୁରୋହିତେ ଜାଣନ୍ତି, ସ୍ମୃତି ଭଲ କରି ନ ବିଚାରି ଜଣାଇ ଅଛନ୍ତି । ମହାରାଜ ! ଅମୁକ ନାମା ସ୍ମୃତି ଉଚ୍ୟତେ—ମାରିଷ ବିଭିନ୍ନ ପାଳଙ୍ଗ ଭିନ୍ନତ୍ୱେ ସନ୍ତି କୋଶଳାର୍ଥା ନ ତିରନିର୍ଷା ତୋତଡ଼୍‌ତା ସମ୍ୱନ୍ଧାବଚ୍ଛିନ୍ନ ଗନ୍ଧାବଚ୍ଛିନ୍ନ ଗନ୍ଧସା ଜଳକତାଦଛେଦକତ୍ୱଂ ଶ୍ରୁତିତ୍ୱଂ । ଶ୍ରୁତିବଦର୍ଥ ସଜ୍ଞାନସ୍ୟ ଶ୍ରୁତିବତ୍ସଳ ଜ୍ଞାନସ୍ୟ ଚ । ଚମତ୍କୃତି ଜନକତୟା ଲେଉଟିଆ ବିଷ୍ଣୁ, ଚମତ୍କୃତି ଜନକତୟା କୋଶଳା ମାରିଷୟୋ ବିଷିୟତା ସମ୍ୱନ୍ଧେନାବଛେଦକତ୍ୱାତ୍‌ । ପାଳଙ୍ଗ ଗନ୍ଧଣା ଧାନ୍ୟଂ ତରକିଷ୍ଣାବଚ୍ଛେଦ ଜିତାୟୁ ସ୍ମୃତେ । ତପ୍ୟଦଳତ୍ୱା ଲକ୍ଷଣଂ ସମଂପନ୍ୟାୟଃ । ପାଳଙ୍ଗ ଭିନ୍ନତ୍ୱାନିବେଶଃ ପାଳଙ୍ଗବଦର୍ଥ । ଜ୍ଞାନସ୍ୟ ଚମତ୍କୃତି କନକ-ଜାବଚ୍ଛେଦକତ୍ୱାତ୍ତସ୍ୟା । ସୃତତ୍ୱା ନ ଭୂପଗମେନ ତତ୍ରତ୍ୟ ବ୍ୟାପ୍ତିଃ କାରଣାୟା ପାଳଙ୍ଗ ଭିନ୍ନତ୍ୱାନିବେଶଃ ମାରିଷ ବସୁତେରପି କୋଶଳା ପ୍ରଭେଦୟୋ କୋଶଳାବଲ୍ଲେଭଟିଆଃ । ଅବ୍ୟାନ୍ତି କାରଣାୟ ମାରିଷଃ ଭିନ୍ନତ୍ୱାନିବେଶଃ ମାରିଷ ବସ୍ତୁତେରପି କୋଶଳା ପ୍ରଭେଦୟୋ କୋଶଳାବଲ୍ଲେଭଟିଆଃ।’’
ଏପରି ମୁଖହସ୍ତାଭିନୟରୁ ରାଜଗୁରୁ କି କହୁ ଅଛନ୍ତି ବୋଲି ମହାରାଜା ଦେବାନଙ୍କୁ ପଚାରିବାରୁ ସେ ଜଣାଇଲେ ‘‘ମଣିମା ! ରାଜଗୁରୁ ଗୋସାଇଁଙ୍କର ସାତଶ ଊଣା ଅଢ଼ାଇଶ ଭରଣ ପର୍ବତ ଶିଖରେ ଦିବ୍ୟ ନଦୀତଟ ଭୂମି ଅଛି । ସାହାଡ଼ା, ବାହାଡ଼ା, ଭଇଁଚ, ରାହାଢ଼ି କୁରାଢ଼ିଭଙ୍ଗା, ବାବଲ, କରଞ୍ଜ, କୋଚିଲା ଇତ୍ୟାଦି ନାନା ପ୍ରକାର ଖନ୍ଦ ହୋଇଅଛି ।
ଖୁଲାସ ପନ୍ଦର ବଖରା ଡିହରୁ ପାଞ୍ଚ ବଖରା ଅଧକେ କୁଟୁମ୍ୱ ରଖି ବାକି ତେର ବଖରା ଦୁଇପା’ରେ ଦିବ୍ୟ ଦୁଦୁରା, ଓଡ଼ଶମାରି ବୁଣାଇ ଅଛନ୍ତି । ଏପରି ପନ୍ଦର ବଖରାକୁ ଏଥି ଉତ୍ତାରୁ  ଯେବେ କାର୍ଯ୍ୟ ନ ଚଳିଲା ବୋଲି ଜଣାଉ ଅଛନ୍ତି, ମହାରାଜା କଳ୍ପଦ୍ରୁମ ସାକ୍ଷାତ୍‌ ଆଖୁପର୍ବ ତ, ଆଉ ଦଶ ଗଛ ଦୁଦୁରାକୁ ମହାରାଜା ଆଜ୍ଞା କଲେ କିଏ ସେ ନାହିଁ କରିବ, ଏଥିକି ଯେ ରାଇ ।
ପ୍ରଧାନ ସରଦାର କାଞ୍ଜି ବୈରିଗଞ୍ଜନ । ସେ ଗୋଡ଼ ଯୋଡ଼ି ପିଠି ଆଡ଼ କରି ଜଣାଇଲେ । ‘‘ଦେଉ ! ଗଧପତି ! ଶ୍ରୀଛାମୁରେ ଯେ ପୁରୋହିତ ଜଣାଇ ଅବଧାନ କଲେ । କଟୁଆଳର ଟିଣା କଥା ସରଦାରମାନଙ୍କର ନ ଗଲା ବୋଲି, ମହାପ୍ରଭୁ, ଆମେ ବୋଲିବାର କଥା ଏତିକି – ହଇହୋ କଟୁଆଳ ! ଚଟିଆଟିଏ ମାରି ସରକାରଙ୍କୁ ଫଡ଼ିଆ ଦିଅ । ପାତ୍ରମାନଙ୍କର ପୁଡ଼ା ନ ପହୁଞ୍ଚିଲା । ଦଶ ଘରଯାକ ତିନିଦିନ ପର୍ଯ୍ୟନ୍ତ ମାଂସ ଖାଇ ପ୍ରିୟାପ୍ରୀତି ଘରମାନଙ୍କୁ ପଠିଆଇଲେ ବୋଲି ଧୋକା ହେବାକୁ ପାଇଲୁ । ଚାଳିଶ ତିରିଶ ବର୍ଷର ନିପଟ ପିଲାମାନେ ପ୍ରାଣ ମୂର୍ଚ୍ଛି କରି ବଡ଼ ଖରାରେ ତେଡ଼େ ଚଟିଆ ଲାଛି ଶଗଡ଼ରେ ପକାଇ ଆଣି ଛାମୁରେ ଦୃଶ୍ୟ କରାଇଲେ । କଟୁଆଳ ଖାମିନ୍ଦ ହୋଇ କରି ଯେ ଥିଲା, ଭଲା କିଛି ନୋହିଲେ ହେଲେ, ଲୁଗାପଟା ନ ମିଳିଲା ବୋଲି ଦିଗପଟା ଯେହେଲେ ଦିଆଇ ପାରିଲା ନାହିଁ ? ମହାପ୍ରଭୁ, ଏତିକି ବୋଲିବାରୁ ପାଏ ପଡ଼ି ଶୋଇ ଯେତେ ଫଜିତ କଲା ପୁରୋହିତ ଗୋସାଇଁ ଆସି ଆଦ୍ୟରୁ ଗୋଚର କରିଅଛନ୍ତି । ଆମେ ଆଉ ପାଦୁକାରେ କିସ ଗୋଚର କରିବୁ ?’’

ତହିଁରୁ ଲମତାମାନେ କି ଠଉରାଇଲେ କି, ଛାମୁ ଦିଗକୁ ଗୋଡ଼ ଯୋଡ଼ି ଓ ସାଷ୍ଟାଙ୍ଗ ହୋଇ ପାଏ ପଡ଼ି ଜଣାଇଲେ, ‘‘ମହାପ୍ରଭୁ ! ଏ କଥା ଯେବେ ସତ ତେବେ ନିୟମଟାଏ କରି ଆଜ୍ଞା ହୁଅନ୍ତୁ । ହାରି ଦେବା ଦିନ ଆମ୍ଭଙ୍କୁ ସଭା ବେହରଣରେ ଏକା ଜଗାଇ ଆଜ୍ଞା ହୁଅନ୍ତୁ । ପୁରାଣପଣ୍ଡା ଗୋସାଇଁ ତ ନିତି ବସୁ ଅଛନ୍ତି, ଆମର ଦିନେ । ହେଲେ ହେଲା, ତହିଁକି କି ହେଲା ? ସରଦାରମାନେ ବଡ଼ଲୋକଗୁଡ଼ାକ ହୋଇ ସେବା କଲା ଚାକର ଗୁଡ଼ାକ ନାମରେ ଉଡ଼ାଇ କରି ଏଡ଼େ କଥାଟାଏ କହିଲେ ! ଆଉ କାହିଁକି ପୃଥିବୀରେ ଅଗ୍ନି ବରଷିବ ? ମହାରାଜା ! ଲେଖାରେ ବଡ଼ ପରୀଛା ଆମ୍ଭର ଦାଦା ହେବେ ତାଙ୍କର ଆଈ ଆମ୍ଭର ଦଇବରେ ଶାଳୀ ହୁଅନ୍ତି । ତାଙ୍କୁ ଆମ୍ଭର ଟାପରା କି ରୁପରେ ହେଲେ । ମହାପ୍ରଭୁ ! ରତ୍ନକଠାଉ ତଳେ କହିଲେ କିପରି ? ଏକଦିନେ ଦଉଡ଼ି ପରୀଛାର ଝିଅଟା ପରା, ଆମ୍ଭର ବଡ଼ ବହୂ ହେବେ, ତାଙ୍କୁ ମାତ୍ର ଧରି ପାଞ୍ଚ କି ଏଗାର କ୍ଲୀବ ଜଳି ଆରପାଖକୁ ଚାକୁଣ୍ଡାବଣ ଭିତରକୁ ଯାଇଥିଲୁ ।’’
ଏଥିରୁ କି ଜାଣି ଖନ୍ଦା – ବ୍ରାହ୍ମଣ ଜଣାଇଲେ କି, ‘‘ଆଜ୍ଞା ! ଏ କଥା ସତ । ମୁଠା – ଚାମର, ଝରୀଚାଦର, ପାନଭାଙ୍ଗି ତବକ ଇତ୍ୟାଦି ସେବା ତ ଆମ୍ଭର ନିଯୋଗ । ଶ୍ରୀଦଦା ଦେଉ ମହାରାଜା ତ ମହା ବ୍ରାହ୍ମଣ୍ୟ ସାକ୍ଷାତ ହତଶ୍ରୀ ଥିଲେ । ପଇତା ଦେଖି ବିସୁଖ ପାଇବାରୁ ଏ ପାଞ୍ଚ ସେବା ଆମ୍ଭଙ୍କୁ ଅନୁଗ୍ରହ କରି – ଆଜ୍ଞା ହେଲେ ।’’
ଏଥିରୁ କି ଘେନି ଚିଆଉ-ପଟ୍ଟନାୟକ ଚଳି ଉଠି ଜଣାଇଲେ, ‘‘ମହାପ୍ରଭୁ ! ଚାଙ୍ଗଡ଼ାଘରେ କେହି ନ ଥିବା ସମୟରେ ମୁଁ ରଖିଥିବା ଲେଭଡ଼ୀ ଲୀଳାବତୀ ନିମନ୍ତେ ମାଗି ନେବାର ସାତ ହଜାର ବାହାରେ ଯେବେ ଦାଢ଼େ କଉଡ଼ି ଖାଇଥିବୁ ତେବେ ପଚାଶ ଲୋକରେ ଏକା ମୁଦୁଦି ବୋଲି ଫଜିତ କରି ଆଜ୍ଞା ହେବେ । ଚିତ୍ରଗୁପ୍ତ ପରି ସମର୍ଥ ଚାରୋଟି ପଟ୍ଟନାୟକ ଯାକ ରାତ୍ରଦିବସରେ ମିଶାଇବାରେ ପାଞ୍ଚତିରିକି ପଞ୍ଚାଣୋଇ ହେଲା ଯେ, ମହାରାଜ, ଆଉ ହୁଡ଼ କି ରୂପେ ହେଲା ? ’’

ଏମନ୍ତ ସମୟରେ ତଡ଼ାଉ ଦେଶରୁ ସାରଙ୍ଗ ଯନ୍ତ୍ରଟିଏ ଘେନି ଶ୍ରୀବୈଷ୍ଣବ ଷଷ୍ଠଦୈତ୍ୟ ଚ୍ୟାପଲ ଗନ୍ଧର୍ବରାଇଲୁ ବୋଲି ଏକ ସଙ୍ଗୀତ ପ୍ରବୀଣ ଆସି ମାର୍ଗଜ୍ଞାନ ଭାବରୁ ବଣା ହୋଇ ସେ ସ୍ଥଳେ ପ୍ରବେଶ ହୋଇ ରାଜାଙ୍କ ଛାମୁରେ ମୁଲାକାତ କରି ଯନ୍ତ୍ର ତାରରେ ଧନୁରାକାର କରଦଣ୍ଡ ଚଳାଇବାକୁ ଆରମ୍ଭିବାର ଦେଖି ରାଜା ହୁରିଆକୁ ଆଜ୍ଞା କଲେ,
‘‘ପରିବା ବଡ଼ ପାକଳ ହୋଇଅଛି ଏଥିରେ କଟାଯିବ ନାହିଁ । ସରକାରରୁ ପନିକି ଆଣି ଦିଅ’’ ବୋଲିବାରୁ, ଏହା କିପରି ସେ ଗୁଣୀ ଜାଣି ଜଣାଇଲା, ‘‘ମହାପ୍ରଭୁ, ସଙ୍ଗୀତାନିକି ବହୁତ ପରିସ୍ତୁନ୍ଦି । ସାରଙ୍ଗ ଯନ୍ତ୍ର ଅନେକ ଲିବିକାୟା ଗାତୁଣ୍ଡ।’’ ତହିଁକି ରାଜା ଆଜ୍ଞା କଲେ ‘‘ଆମ୍ଭର ଖନ୍ଦାରେ ଆମ୍ୱିଳ ପଡ଼ୁନାହିଁ । ଭଜା, ସନ୍ତୋଳା, ରାଇ, ମହୁର, ଏପରି ତିଅଣ । ଏହା ପରିବା ହୋଇଥିଲେ ଆମ୍ଭର ଘୋଡ଼ାଦାନା ଖନ୍ଦା କରିବାର ସୁଆରଶେଖରକୁ ବଢ଼ାଇ ଦିଅ।’’
ଏମନ୍ତ ସମୟରେ ବର୍ଣ୍ଣବୈରି କପିରାଜ ଗୋସାଇଁ ଆସି ଆଶିର୍ବାଦ କରି ଶ୍ରୀ ମହାରାଜା କୀର୍ତ୍ତିପ୍ରତାପ ପ୍ରଶଂସାରେ କଳ୍ପନା କରିଥିବାର କବିତା ଶୁଣାଇଲେ । କିପରିରେ କି;--
କୀର୍ତ୍ତି ଧନାସିଝା-ହାଣ୍ଡି ମଣ୍ଡଳା ଭୂମି ମଣ୍ଡନ
ପ୍ରତାପ ଅସ୍ତଚନ୍ଦୁ ପରି ଚୋବାଉଛି ଚିମୁଟି ଚିମୁଟି
ଏପରି ଶ୍ରୀଛାମୁରେ ଅନ୍ନ ନିମନ୍ତେ ପେଟ ଦେଖାଇ କହି,
ଆନ୍ନଂ ତାନେକୁ ଲେଦୁ
ଖରଚକୁ ନ ମିଳିଲେ ୱହି ବାମା କ୍ୟା କରୁଙ୍ଗା । ଏ ଶ୍ଲୋକାର୍ଥ କହିବା ସମୟରେ ସନ୍ତୋଷ ହୋଇ ପଚାରି-ଆଜ୍ଞା କଲେ, ‘‘ଗୋସାଇଁ, ଆଉ ପ୍ରାକୃତରେ ଚଉପଦୀ ହେରିକା ବୋଲା ଯାଇଅଛି କି ?’’

କପିରାଜ ଜଣାଇଲେ, ‘‘ମଣିମା ! ଲଙ୍କାମରିଚ ରାଗ, କଳାହାଣ୍ଡିଆ ତାଳ, ପିଲାମାନଙ୍କର ମାଆ ନ ଥାଇ ଲୟେ, କଳ୍ପ-ପ୍ରେମାଳଙ୍କାରରେ ଦତ୍ତ ସରସ ଚଉପଦୀ ବୋଲା ଯାଉଅଛି । ଦିବ୍ୟ ଚିତ୍ତକୁ ଆସୁ । ନାକରେ ସାବଧାନ ହୋଇ ଶୁଣିବାକୁ ଆଜ୍ଞା ହୁଅନ୍ତୁ ।’’
ଗୀତ;--
ଚ ଚ ଚ  ଉ ଉ ଉ ପ ପ ପ ଦୀ ଦୀ ଦୀ ଗୀ ଗୀ ଗୀ ତ ତ ତ
ହେଲାରେ, ଛ ଲାତ ଯୋଗ୍ୟ ହେଲା ରେ,
ନରପାଳ ଭଲ୍ଲାତକର୍ଣ୍ଣ ଭଣିଲେ ରେ ॥
ଏପରି ଗନ୍ଧର୍ବ ଯଶକାରୀ ପ୍ରତୀତ କରାଇବାର ସଙ୍ଗୀତ ସମାପ୍ତ ହେଲା । ତଡ଼ାଉ ଦେଶର ଗୁଣୀକି, କପିରାଜକୁ ମଧ୍ୟ, ମୂନ ଥିବାର ସହସ୍ରେ ଷୋଳ ଲେଖାରେ ସୁନିଆ ଲଛା; ମୂନ ଥିବାର ମୁକୁତା ବହୁମାନ ଦିଆଗଲା । ଚୁପ୍‌ ଚୁପ୍‌ କରି ଚୋପଦାର ଡାକିଲା, ଧାଙ୍ଗଡ଼ୀ ପଟୁଆର ହେଲା । ବେହରଣ ବରଖାସ୍ତ ହେଲା ମଥାରେ ମହାରାଜା ଉଭା ହେଲେ । ରାଜଗୁର୍ବାଦି ସମସ୍ତେ ମେଲାଣି ଦେଲେ । ମଥାରେ ତେଲ ଲଗାଇ ଶ୍ରୀ ମହାରାଜା ଅନ୍ତଃପୁରାଭିମୁଖ ହୋଇ ବିଜେ କଲା ସମୟରେ ପ୍ରଥମ ଦ୍ୱାରୁ ଦିବାନାଦି, ଦ୍ୱିତୀୟ ଦ୍ୱାରୁ ଭାଇଦାଦିମାନେ, ତୃତୀୟ ଦ୍ୱାରୁ ସିପାଇ ଭଲଲୋକେ ଚତୁର୍ଥ ଦ୍ୱାରୁ ନିଯୋଗ ଭଲଲୋକେ, ଭିତର ଦ୍ୱାରୁ ତୁଡ଼ୁକ ସିପାଇମାନେ ଜୂହାର ହୋଇଗଲେ । ଅନ୍ତଃପୁରରେ ବିଜେ ହେଲେ । ପୂର୍ବାହ୍‌ଣ ପ୍ରକାରରେ ମଣୋହି ବଢ଼ାଇ ପଟ୍ଟଦେବୀ ସାମନ୍ତାଣୀଙ୍କ ଅନ୍ତଃପୁରରେ ପହୁଡ଼ ହେଲା ।
ଶ୍ରୀ ଦ୍ୱୈତ ବିଦ୍ୟାବତାର ତୀର୍ଥଭୂତ ଧ୍ୱଜାତ୍ୱପୁତ
କୃତ ଚାର୍ବାକ ଗର୍ବ-ପର୍ବତ ଧ୍ୱଂସ ଦମ୍ଭୋଳି
ପାଷାଣ୍ଡମଣ୍ଡଳ ମଣ୍ଡଳାନ୍ଧକାର ପର୍ବ-ଶର୍ବରୀଶ
ବୀର ଶ୍ରୀ କୃଷ୍ଣ ଚୈତନ୍ୟଚନ୍ଦ୍ର ଗୁରୁ ଚରଣାରବିନ୍ଦ
ନିଃସ୍ୟନ୍ଦମାନାମନ୍ଦ ମକରନ୍ଦ ବିନ୍ଦୁ ସନ୍ଦୋହ
ଚତୁରକ୍ତେ ଚୂଡ଼ାଳିକାରଣଂ ବାବହବହଳ ।
ବହ୍ୱନାଶ ସୁଧା ଧବଳିତ ବର୍ଗ ପ୍ରସାଦ
ସଙ୍ଗୀତ-ସାହିତ୍ୟ-ରତ୍ନାକର କରୁଣାନିଧାନ
ଧାରଣବିହୀନ ବଦାନ୍ୟ ଗୁଣ ସମ୍ୱର୍ଦ୍ଧି ମୂର୍ଦ୍ଧନ୍ୟ ।
ଚଣ୍ଡୀମଣ୍ଡିତରାତି ରାଜବ୍ରଜାଷ୍ଟ ପୂର୍ବରାଷ୍ଟାଧିନାଥ
ଶରଣପଞ୍ଜର ମାନଉଦ୍ଧାରଣ ରମଣୀ ରଣରଣରଣ ରଣରଙ୍କ
ପତ୍ରାମରମ ପୁରୁଷା ପୁରଃସର ଶ୍ରୀ ବାଲୁଙ୍କେଶ୍ୱର ଶରଣ
ହରିଚନ୍ଦନ ଶ୍ରୀ ଜଗଦ୍ଦେବ ମହୀମହେନ୍ଦ୍ର ଦେବକେଶ୍ୱରାବଶର
କଲ୍ୟତୋ ହାସ୍ୟକଲ୍ଲୋଳମ୍‌ । ୯ ।

© କବିସୂର୍ଯ୍ୟ ବଳଦେବ ରଥ

Thursday, November 10, 2022

ସମର୍ପଣ (topic - 123 ) quote #quot


ମାଟିର ମଣିଷ ମୁଁ ପରା କୁମ୍ଭାର
  ମାଟି ଅଟେ ମୋ ଜୀବନ 
ମାଟିକୁ ଚକଟି ଗଢ଼ିଛି ମାଠିଆ
   ମାଟିକୁ କରି ଯତନ 
ମାଟିରୁ ଜୀବିକା ନିର୍ବାହ କରୁଛି
   ମାଟି ଅମୂଲ୍ଯ ରତନ 
ମାଟି ପାତ୍ର ଆଜି ଅଲୋଡ଼ା ପଦାର୍ଥ
   ମାଟିକୁ ନ'କର ହୀନ .....
        ‐  ରାଧା କୃଷ୍ଣ ବାୟକ

ମାଟିରେ ଜୀବନ ମାଟିରେ ମରଣ 
     ମାଟି ପରା ଆମ ମାଆ 
ଜୀବନ୍ତ କରଇ ଯେଉଁ ନର ତାକୁ 
     କୁମ୍ଭାର ତାହାର ନାଆଁ
ଗଢଇ ପଲମ ଖେଳନା କଣ୍ଢେଇ
    ନାନା ଜାତି ମାଟି ପାତ୍ର 
ଖୁସିରେ ତାହାର ପରିବାର ପୋଷେ 
      ସେହୁ ପରା ମାଟି ପୁତ୍ର ......
             - ଟୁକୁନା ସାହୁ

କର୍ମ ଗୁଣେ ଗଢ଼ା ନାନା ଜାତି ମାନ 
 ତନ୍ମଧ୍ୟରେ ଅଛି ଜାତି କୁମ୍ଭାର
ଜୀବନ ଚର୍ଯ୍ୟାର ଆବଶ୍ୟକ ଚିଜ 
 ଗଢ଼ିଥାଏ ସିଏ କେତେ ସୁନ୍ଦର   
ମାଟି ସାଥେ ମାଟି ପରି ଲାଗିଥାଏ 
  ଶ୍ରମକୁ ନଥାଏ ଟିକେ ଖାତର 
ଜଗତନାଥଙ୍କ ପାଇଁକି କୁଡୁଆ 
  ଗଢ଼ିକି ଧନ୍ୟ ଜୀବନ ତାର .....
         - ସନ୍ତୋଷ ପଟ୍ଟନାୟକ

ସକାଳରୁ ସଞ୍ଜ ମାଟି ବାସନାରେ
   ଘର ଯା'ର ବାସୁ ଥାଏ
ମାଟି କାଦୁଅରେ ତା' ଜୀବନ ଗଢ଼ା
    ସେ ପରା କୁମ୍ଭାରଟିଏ 
ମାଟିରେ ଜନମ ମାଟିରେ ମରଣ
    ମାଟିର ସେ କାରିଗର
ମମତା ଛୁଆଁରେ ମାଟିକୁ ଚକଟି
      ଯତନେ ଗଢ଼େ କୁମ୍ଭାର .....
         - ରାମ ଚନ୍ଦ୍ର ପ୍ରଧାନ

ମାଟି ମୂଲକର ଶ୍ରେଷ୍ଠ ସୂତ୍ରଧର
     ମାପଚୁପ ମୁଲଚାଲ
କରଇ ଜୀବନ୍ତ ସାଧନା ସ୍ୱତନ୍ତ୍ର
       ଅବନେ ଅମୁଲ ମୂଲ
କଠିନ ତା ଶ୍ରମ କୁମ୍ଭାରର କର୍ମ
       ପେଶା ନିଶା ପୃଥି ପରେ
 ପାରିଲା ପଣର ହୄଦୟ ତାହାର
         ନମେ ଅନନ୍ତ ଅନ୍ତରେ.....
                 - ଦାଶରଥି ସାହୁ

ଯା ହାତ ପରଶେ ମାଟି ପୁଣି ହସେ 
     ନାଆ ତାର କୁମ୍ଭକାର
ମାଟି ପାତ୍ର ଠାରୁ  ଦିଅଁ ଦେବତାଙ୍କୁ 
     ମାଟିରେ ଦିଏ ଆକାର  
 ଆଧୁନିକ ଯୁଗେ ବିପର୍ଯୟ ପଥେ
       ଏଇ ଶିଳ୍ପୀ କାରିଗର
ବିଲୁପ୍ତ ଦ୍ୱାରରେ କୁମ୍ଭକାର କଳା 
      ବୃତ୍ତିରେ ଆସୁ ସୁଧାର .....
               - ପ୍ରବୀର ମଲ୍ଲିକ

ମାଟି ମହକକୁ ମଣେ ଯେ ଅତର
     ମାଟିକୁ ମଣଇ ଫୁଲ
ମାଟିକୁ ଚକଟି ଲଗାଇ ଶକତି
   ପାଉଥାଏ ସିଏ ମୂଲ
ହାଣ୍ତି,କୁମ୍ଭ,ସରା,ମାଟିଦୀପ, ଗରା
    ଗଢଇ ଭଳିକି ଭଳି
ସେ ଅଟେ କୁମ୍ଭାର  ପୋଷେ ପରିବାର
    ନିଆଁ ଧାସେ ଜଳି ଜଳି .....
               - ରବିନ୍ଦ୍ର ସାହୁ

ମାଟିକୁ ଚକଟି କେତେ ଯତନରେ
         ଦିଅଇ ତାକୁ ଆକାର
ସଂସାର ମଧ୍ଯରେ   ଭିନ୍ନ ଏକ ଜାତି
        ନାମଟି ତାର କୁମ୍ଭାର
ସଂସାର ମଧ୍ଯରେ  ତାର ଅବଦାନ
         ଅଟଇ କେତେ ମହାନ
ଶୁଭ-ଅଶୁଭରେ  ଲୋଡା ପଡିଥାଏ
         ତାର କୁମ୍ଭ ସରା ମାନ ......
                   - ଜଗବନ୍ଧୁ ସାହୁ 

Saturday, October 29, 2022

● ଅକାରଣେ ନିନ୍ଦିତ ଗଜପତି ପ୍ରତାପରୁଦ୍ର ●

1479ର କଥା l  ପରମହଂସନାଥ ମହାଦେବଙ୍କ ଦର୍ଶନ ନିମିତ୍ତ ଓଡିଶା ଗଜପତି ପୁରୁଷୋତ୍ତମ ଦେବ ଆସନ୍ନ ପ୍ରସବା ପଦ୍ମାବତୀ ପାଟ ମହାଦେଈଙ୍କ ସହ ଯାଉଛନ୍ତି l ମନ୍ଦିର ନିକଟରେ ପାଟମହାଦେଈଙ୍କ ପ୍ରସବ ବେଦନା l ପୁତ୍ରବଧୂତୁଲ୍ୟା ପାଟମହାଦେଈଙ୍କ ଉଲଗ୍ନ ଶରୀର ଦେଖିବେ ନାହିଁ ବୋଲି ପ୍ରଭୁ ପାତାଳି ହୋଇଗଲେ l ସେଇଠି ଜନ୍ମ ହେଲେ ଓଡ଼ିଶାର ଭାବୀ ଗଜପତି... ପୁରୁଷୋତ୍ତମ ଦେବ ଶ୍ରଦ୍ଧାରେ ନାମ ଦେଲେ ପ୍ରତାପ ଜେନାମଣି l

    ପଞ୍ଚଦଶ ଶତାବ୍ଦୀର କଥା lଗଙ୍ଗମାନଙ୍କ ଶିଥିଳ ହସ୍ତରୁ ନିଜ ବଜ୍ରମୁଷ୍ଟି ଦ୍ଵାରା ଓଡ଼ିଶା ଅଧିକାର କରିଥିଲେ 'ବୀରଶ୍ରୀ ଗଜପତି ଗୌଡ଼େଶ୍ୱର ନବ କୋଟି କର୍ଣ୍ଣାଟ କଳବର୍ଗେଶ୍ୱର ବିରାଧୀବୀରବର ଶ୍ରୀ ଶ୍ରୀ ଶ୍ରୀ କପିଳେନ୍ଦ୍ର ଦେବ ' l ପୂର୍ବରେ ଗଙ୍ଗା ଠାରୁ ଦକ୍ଷିଣରେ ରାମେଶ୍ୱର ପଶ୍ଚିମରେ ୱାରଙ୍ଗଲ କଳବର୍ଗ ପର୍ଯ୍ୟନ୍ତ ବିଜୟର ଜୈତ୍ର ଯାତ୍ରା ଉଡ଼ାଇ ଥିବା ଦିଗବିଜୟୀ ସମ୍ରାଟ l ପୁତ୍ର ପୁରୁଷୋତ୍ତମ ଦେବ ସେ ସାମ୍ରାଜ୍ୟର ବହୁଳାଂଶ ରକ୍ଷା କରିପାରିଥିଲେ l କେବଳ ବିଜୟନଗର ରାଜା ଶାଲ୍ୱ ନରସିଂହ ଦେବ ଓ ଗୋଲକୁଣ୍ଡା ସୁଲତାନଙ୍କ ସହ ସଂଘର୍ଷ ଛଡ଼ା ବାକି ସମୟ ସେ ନିରୂପଦ୍ରଵ ଭାବେ କାଟିଥିଲେ l
  1497ରେ ପିତାଙ୍କ ଅଚାନକ ମୃତ୍ୟୁ ପରେ ବିଶାଳ ସେ ଗଜପତି ସାମ୍ରାଜ୍ୟର ଦାୟିତ୍ୱ ନେଇଥିଲେ ମାତ୍ର ଅଠର ବର୍ଷର ସୁନ୍ଦର ସୁଯୋଦ୍ଧା ସାହିତ୍ୟିକ ଗଜପତି ପ୍ରତାପ ରୁଦ୍ର ଦେବ l ପାଞ୍ଚଶହ ପଚିଶ ବର୍ଷ ପରେ ମଧ୍ୟ ଐତିହାସିକ ସମାଲୋଚକଙ୍କ ଦୃଷ୍ଟିରେ ନିନ୍ଦିତ, ଅପାଙକ୍ତେୟ,ଶ୍ରୀଚୈତନ୍ୟପ୍ରୀତିରେ ଓଡ଼ିଶାର ସର୍ବନାଶକାରୀ ଭାବେ ଚିନ୍ହିତ  l ଶ୍ରୀଚୈତନ୍ୟ  ଓଡ଼ିଶାର ନାମ ସଂକୀର୍ତ୍ତନ ପ୍ରଚାର କଲେ ଓ ଶିଷ୍ୟ ପ୍ରତାପ ରୁଦ୍ର ସମ୍ପୂର୍ଣ୍ଣ ସହଯୋଗ କରି ଓଡିଶାର ସାମରିକ ସଂସ୍କୃତି ଧ୍ବଂସ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ବୋଲି ମତ ଦେଉଥିବା ସମାଲୋଚକ ମାନଙ୍କ ତଥ୍ୟର ମୁଖ୍ୟ ଆଧାର "ଶ୍ରୀ ଚୈତନ୍ୟ ଚରିତାମୃତ " ଓ ଅନ୍ୟାନ୍ୟ ଭାକ୍ତିକ କାବ୍ୟ ଗ୍ରନ୍ଥ ଏବଂ ଶ୍ରୀ ଚୈତନ୍ୟଙ୍କ ଏକ ନାମ 'ଗଜପତି ପ୍ରତାପରଦ୍ର ସନ୍ତ୍ରାତା "l କିନ୍ତୁ ଭାକ୍ତିକ କାବ୍ୟ ସମୂହ ପ୍ରକୃତ
ଇତିହାସ ବର୍ଣ୍ଣନା ନୁହେଁ l
  ସବୁ ସମୟ ସମାନ ନୁହେଁ l ଗଜପତି କପିଳେନ୍ଦ୍ରଙ୍କ ସୁଦକ୍ଷ ସହଯୋଗୀ ଥିଲେ ପୁତ୍ର କଳା ହମ୍ବୀର ଦେବ, ଓଡ଼ିଶାର ସର୍ବକାଳୀନ ଶ୍ରେଷ୍ଠ ସେନାପତି l ପୁରୁଷୋତ୍ତମଙ୍କ ସମୟ  ନିରୁପଦ୍ରଵ ସୀମାନ୍ତ lପୁରୁଷୋତ୍ତମ ଦେବଙ୍କ ନିଷ୍କ୍ରିୟତା ସମ୍ଭବତଃ ଓଡ଼ିଆ ସୈନ୍ୟଙ୍କୁ ଧୀରେ ଧୀରେ ନିଷ୍କ୍ରିୟ କରି ଦେଇ ଥିଲା l ଗଜପତି ପ୍ରତାପରୁଦ୍ର 1509ରେ ଦକ୍ଷିଣକୁ ଯୁଦ୍ଧ ଯାତ୍ରାରେ ଯାଇଥିବା ବେଳେ ବଙ୍ଗର ଇସମାଇଲ ଗାଜୀ ପୁରୀ ପର୍ଯ୍ୟନ୍ତ ମାଡ଼ି ଆସିଥିଲା ଯେ ଶ୍ରୀ ଜଗନ୍ନାଥଙ୍କୁ କୋକଲ ଗଡ଼ ନିଆ ଯାଇଥିଲା l ଏ ଘଟଣା ଶୁଣି ଗଜପତି ଦ୍ରୁତ ଗତିରେ ଫେରି ଆସି ଇସମାଇଲ ଗାଜୀକୁ ମନ୍ଦାରଣ ପର୍ଯ୍ୟନ୍ତ ଘଉଡ଼ି ନେଇ ଥିଲେ l ମନେ ରଖିବା ଉଚିତ କୃଷ୍ଣା ନଦୀ ତୀରରୁ ଗଙ୍ଗା ତୀର ପ୍ରାୟ 1600 କିଲୋ ମିଟର lଏ ଘଟଣା ପ୍ରମାଣ କରୁଛି ଯେ ସେନାପତି ଓ ସୈନ୍ୟଙ୍କୁ ଧୀରେ ଧୀରେ ଅବଶତା ଗ୍ରାସ କରୁଥିଲା l କାରଣ ଗଜପତି ପ୍ରତାପରୁଦ୍ର ତ ଆଉ ଜୌନପୁର  ଓ ବଙ୍ଗଳା ଶତ୍ରୁତା ଭୁଲି ନଥିବେ l ତା ସହ ସେନାପତି ଗୋବିନ୍ଦ ବିଦ୍ୟାଧରଙ୍କ ବିଶ୍ୱାସ ଘାତକତା l ଏହା ମଧ୍ୟ ମନେ ରଖିବା ଉଚିତ ଯେ କଟକରୁ ଗଙ୍ଗାକୂଳ ତ୍ରିବେଣୀ ଚାରିଶହ କିଲୋମିଟର ହେଲାବେଳେ ତିରୁପତି ପାଖରେ ଥିବା ଉଦୟଗିରି ବାର ଶହ କିଲୋମିଟର ଦୂର l ରାଜଧାନୀରୁ ବାରଶହ କିଲୋମିଟର ଦୂର ପର୍ଯ୍ୟନ୍ତ ପ୍ରଶାସନିକ ଗତିବିଧି ବା ସାମରିକ ଗତି ଵିଧି ସଂଚାଳନ ଅତୀବ କଠିନ l
  ଗଜପତି ପ୍ରତାପରୁଦ୍ରଙ୍କ ଚରିତ୍ର ବୁଝିବାକୁ ହେଲେ କେତୋଟି ଚରିତ୍ର ବୁଝିବାକୁ ହେଵ l
1. ଶ୍ରୀ ଚୈତନ୍ୟ,2. କୃଷ୍ଣଦେବ ରାୟ 3. କୁମାର ବୀରଭଦ୍ର, 4. ଅଦୃଶ୍ୟ ସୂତ୍ରଧର ତିମ୍ମରସୁ,5. ରାୟ ରାମାନନ୍ଦ l
  ବିଶିଷ୍ଟ ଭକ୍ତ ରାମାନନ୍ଦ ପଟନାୟକ ଏକ ନାଟକ "ବିଦଗ୍ଧ ମାଧବ " ରଚନା କରି ଶ୍ରୀ ଜଗନ୍ନାଥ ମନ୍ଦିରରେ ଅଭିନୟ କରେଇ ଥିଲେ l ମୁଗ୍ଧ ଗଜପତି ତାଙ୍କୁ 'ରାୟ ' ଉପାଧି ଦେଇ ତାଙ୍କୁ ରାଜମହେନ୍ଦ୍ରୀର ଶାସନକର୍ତ୍ତା ଭାବେ ନିଯୁକ୍ତ କରିଥିଲେ l ରାଜମହେନ୍ଦ୍ରୀରେ ପରେ ରାୟ ରାମାନନ୍ଦ ଶ୍ରୀ ଚୈତନ୍ୟଙ୍କୁ ଐକାନ୍ତିକ ଭକ୍ତି ତତ୍ତ୍ୱର ଶିକ୍ଷା ଦେଇଥିଲେ l ସାମରିକ ଆବଶ୍ୟକତା ଦୃଷ୍ଟିରୂ ଗଜପତି ପରେ କବି ଡିଣ୍ଡିମ ଜୀବଦେବଙ୍କୁ ବାହିନୀପତି ଉପାଧି ଦେଇ ରାଜମହେନ୍ଦ୍ରୀ ଭାର ଦେଲେ ରାମାନନ୍ଦ
ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ଭାର ନେଲେ l
     ଶ୍ରୀ ଚୈତନ୍ୟଙ୍କ ଓଡିଶା ଆଗମନ 1510, ବିଭିନ୍ନ ତୀର୍ଥ କ୍ଷେତ୍ର ବୁଲି ବୁଲି  1512/13 ବେଳକୁ ପୁରୀରେ ସ୍ଥାୟୀ ଅବସ୍ଥାନ l 1534  ରେ ଦେହ ତ୍ୟାଗ ପର୍ଯ୍ୟନ୍ତ ପୁରୀରେ ଅବସ୍ଥାନ, କିନ୍ତୁ ଶ୍ରୀଜଗନ୍ନାଥ ମନ୍ଦିର ଗରୁଡ଼ ସ୍ତମ୍ଭ ଦେଇ କେବେ ଆଗକୁ ଯାଇ ନାହାନ୍ତି lସେଇ ସମୟରେ ଓଡିଶା ଉପରେ ଦୁର୍ଯୋଗର କଳା ବାଦଲ ନଇଁ ଆସୁଥିଲା l
1509 ରେ କୃଷ୍ଣଦେବ ରାୟ ବିଜୟନଗର ସାମ୍ରାଜ୍ୟ ଅଧିପତି ହେଲେ lସେ ଜଣେ ବିଚକ୍ଷଣ ଯୋଦ୍ଧା, କୁଶଳ ରଣନୀତିକାର ଓ ବାସ୍ତବବାଦୀ ରାଜନୀତିଜ୍ଞ ଥିଲେ l ତାଙ୍କ ପ୍ରଧାନମନ୍ତ୍ରୀ ତଥା ସାମରିକ ପରାମର୍ଶଦାତା ଭାବରେ ସେ ଥିଲେ ଅନ୍ୟ ଏକ ବିଚକ୍ଷଣ ବ୍ୟକ୍ତି ଦୂରଦର୍ଶୀ ତିମ୍ମରସୁ l ପର୍ତ୍ତୁଗୀଜ ମାନେ 1510 ରେ ଗୋଆ ଅଧିକାର କଲାବେଳେ ସେ ବିରୋଧ କରି ନଥିଲେ ବରଂ ବନ୍ଧୁତା କରି ସେମାନଙ୍କ ଠାରୁ ଉନ୍ନତ ଘୋଡ଼ା ଏବଂ ବନ୍ଧୁକ ପାଇଥିଲେ l
   ପୂର୍ବ ପରାଜୟ ମାନଙ୍କ ପ୍ରତିଶୋଧ ପାଇଁ ଯୋଜନାବଦ୍ଧ ଭାବେ କୃଷ୍ଣଦେବରାୟ ଓ ତିମ୍ମ ରସୁ ଓଡ଼ିଶା ବିରୋଧରେ ଯୁଦ୍ଧ ଆରମ୍ଭ କଲେ l
1512-1519 କ୍ରମାଗତ ସାତ ବର୍ଷ ବିଜୟନଗର ଓଡ଼ିଶା ଯୁଦ୍ଧ l ଉଦୟଗିରି ଠାରୁ ଆରଂଭ ସିମାଞ୍ଚଳ ପୋଟନୁରୁରେ ଶେଷ l ଉଦୟଗିରି ବର୍ଷେ, କୋଣ୍ଡାଭିଡୁ ଦେଢ଼ ବର୍ଷ ଏମିତି ପ୍ରତିରୋଧ ଥିଲା l ଉପଯୁକ୍ତ ସୈନ୍ୟବଳ ଅଭାବରୁ ଗଜପତି ଗୋଲକୁଣ୍ଡାର ସେନାପତି ସିପାତ ଖାଁର ସାହାଯ୍ୟ ମଧ୍ୟ ନେଇଥିଲେ l 1520 ରେ ଅପମାନଜନକ ସନ୍ଧି ହେଲା, ପ୍ରତାପରୁଦ୍ର କନ୍ୟା ଜଗନ ମୋହିନୀଙ୍କୁ କୃଷ୍ଣଦେବ ବିବାହ କରି ତୁକ୍କା ନାମ ଦେଲେ କିନ୍ତୁ ମଧୁଶଯ୍ୟା ରାତ୍ରିରେ ଜଗନମୋହିନୀଙ୍କ ଛୁରୀ ଦେଖି ସମ୍ପର୍କ ରଖିଲେ ନାହିଁ l ପୋଟନୁରୁ ରେ ବିଜୟସ୍ତମ୍ଭ ପ୍ରତିଷ୍ଠା କରି, ସମସ୍ତ ବିଜିତ ଅଞ୍ଚଳ ଫେରେଇ କୃଷ୍ଣଦେବ ରାୟ ଫେରିଗଲେ l
   କଥା ହଉଛି ବଙ୍ଗଳା ଵା ବିଜୟନଗର ଯେପରି ସମୃଦ୍ଧ ଥିଲା ଓଡିଶା ସେପରି ନ ଥିଲା l ପ୍ରତାପ ରୁଦ୍ର ସମୟରେ କ୍ରମାଗତ ବଢ଼ି ମରୁଡ଼ି ଓଡିଶାର ମେରୁଦଣ୍ଡ ଭାଙ୍ଗି ଦେଇଥିଲା l ଯୁଦ୍ଧ ଅଭିଯାନ ଖର୍ଚ୍ଚ ସାପେକ୍ଷ କିନ୍ତୁ ପ୍ରତାପ ରୁଦ୍ରଙ୍କ ଅବସ୍ଥା "କୋଡ଼ିଏ ବର୍ଷ ପରେ " ର ପ୍ରଥମ ଚାର୍ଲସଙ୍କ ଉକ୍ତି  ଉକ୍ତି ପରି " ତିନି ବର୍ଷ ଧରି ସାହସୀ ସ୍କଚ ମାନେ ରକ୍ତ ବିନିମୟରେ ଗୌରବ ଛଡ଼ା ଆଉକିଛି ପାଇ ନାହାନ୍ତି l"
      କେତେ ଅବା ବୟସ ହୋଇ ଥିଲା? ଅଠର ଉଣେଇଶ ବର୍ଷ ବେଳେ ବିଶାଳ ଗଜପତି ସାମ୍ରାଜ୍ୟର ସମ୍ରାଟ l ଚାଳିଶ ଏକ ଚାଳିଶ ବର୍ଷ ବେଳକୁ ପ୍ରିୟ ତମ ଯୋଗ୍ୟ ପୁତ୍ରର ଆତ୍ମ ହତ୍ୟା, ରାଣୀ ବନ୍ଦିନୀ, ଅଧା ସାମ୍ରାଜ୍ୟ ଚ୍ୟୁତ, ଅପମାନଜନକ ଭାବେ ନିଜ ଠାରୁ ବୟସ୍କ କୃଷ୍ଣଦେବ ରାୟଙ୍କୁ ନିଜ ପ୍ରିୟ କନ୍ୟା  ଜଗନମୋହିନୀ ପ୍ରଦାନ l କନ୍ୟାର ବିଡ଼ମ୍ବିତ ଦାମ୍ପତ୍ୟ ଜୀବନ l ବିବାହ ପରେ ମଧୁଶଯ୍ୟା ରାତିରେ କୃଷ୍ଣଦେବ ଜଗନମୋହିନୀଙ୍କ ଅଣ୍ଟାର ଛୁରୀ ଦେଖି ଫେରିଯାଇଥିଲେ lଏସବୁ  ଦୁର୍ଦଶା ଜଣଙ୍କ ମନୋଭାବ ଉପରେ କି ପ୍ରଭାବ ପକେଇ ଥାଇ ପାରେ ପ୍ରାୟ କୌଣସି ଐତିହାସିକ ଖୋଜିବାକୁ ଚେଷ୍ଟା କରି ନାହାନ୍ତି l ବୁଝି ଥିଲେ କୂଳବୃଦ୍ଧ ମଧୂସୁଦନ ଏଣୁ କହିଥିଲେ "ଶ୍ରେଷ୍ଠ ସୂର୍ଯ୍ୟ ବଂଶୀ ଗଜପତି " l ବୁଝିଥିଲେ ସୁରେନ୍ଦ୍ର ମହାନ୍ତି ଏଣୁ "କୃଷ୍ଣା ବେଣୀରେ ସନ୍ଧ୍ୟା " l
  କୁମାର ବୀରଭଦ୍ର ଶୌର୍ଯ୍ୟ ଅସାଧାରଣ ଥିଲା ଓ ସେ ଜଣେ ସୁଦକ୍ଷ ଖଡ୍ଗ ଚାଳକ ଥିଲେ l
  କୁମାର ଵୀରଭଦ୍ର କୋଣ୍ଡାଭିଡୁ ଯୁଦ୍ଧରେ ବନ୍ଦୀ ହେବା ପରେ ତାଙ୍କ ବୀରତ୍ୱରେ ମୁଗ୍ଧ ହୋଇ କୃଷ୍ଣଦେବ ତାଙ୍କୁ ଜଣେ ପ୍ରାଦେଶିକ ଶାସକ ନିଯୁକ୍ତ କରିଥିଲେ l ସେ ସମୟରେ ସେ କିଛି ଦାନପତ୍ର "ବୀରଶ୍ରୀ ଗଜପତି
ଗୌଡ଼େଶ୍ୱର... ଶ୍ରୀ ରୁଦ୍ର ପ୍ରତାପ ଦେବସ୍ୟ ତନୁଜ..."ଲେଖିଥିଲେ ଏହା ଦେଖି କ୍ଷୁବ୍ଧ ତିମ୍ମରସୁ ଚକ୍ରାନ୍ତ କରି ଖଣ୍ଡା ଯୁଦ୍ଧର ଆୟୋଜନ କରିଥିଲେ l ତାଙ୍କର କୃଷ୍ଣ ଦେବ ରାୟ ଉପରେ ଅଖଣ୍ଡ ପ୍ରଭାବ ଥିଲା l କୁମାର ବୀରଭଦ୍ର ସାଧାରଣ ସୈନିକ ସହ ଯୁଦ୍ଧ ନ କରି କୃଷ୍ଣଦେବରାୟଙ୍କୁ ଆହ୍ୱାନ କରିଥିଲେ l କିନ୍ତୁ କୃଷ୍ଣଦେବରାୟ ସୈନ୍ୟ ସହ ଯୁଦ୍ଧ କରିବାକୁ ଆଦେଶ ଦେବାରୁ ନିଜ ଛାତିରେ ଖଣ୍ଡା ଭୁଷି ବୀରଭଦ୍ର ଆତ୍ମହତ୍ୟା କରିଥିଲେ l
ଅବଶ୍ୟ ଗଜପତି ପ୍ରତାପ ରୁଦ୍ର ତିମ୍ମରସୁ ଉପରେ ପ୍ରତିଶୋଧ ନେଇଥିଲେ l
  1524 ରେ କୃଷ୍ଣଦେବ ନିଜ ଅବୋଧ ଶିଶୁ ତିରୁମାଲା ରାୟଙ୍କୁ ନିଜ ଉତ୍ତରାଧିକାରୀ ଘୋଷଣା କଲେ l କିନ୍ତୁ ଅଳ୍ପଦିନ ପରେ ସେ ବିଷ ପ୍ରୟୋଗ ଦ୍ଵାରା ସେ ଶିଶୁର ମୃତ୍ୟୁ ହେଲା l ସନ୍ଦେହର ସୂଚୀ କଣ୍ଟା ଘୁରିଗଲା ତିମ୍ମରସୁଙ୍କ ଆଡ଼େ l କ୍ରୁଦ୍ଧ କୃଷ୍ଣଦେବ ତାଙ୍କୁ ଅନ୍ଧ କରିଦେଇ ପେନୁକୋଣ୍ଡା ଦୁର୍ଗରେ ବନ୍ଦୀ କରିଥିଲେ l ପରେ ଏହି ଚକ୍ରାନ୍ତରେ ଗଜପତିଙ୍କ ପ୍ରୋତ୍ସାହନ ଥିଲା ବୋଲି ଜାଣି ତାଙ୍କୁ ମୁକ୍ତ କରିଥିଲେ l ଘୋର ଦାରିଦ୍ର୍ୟ ଓ ନୈରାଶ୍ୟରେ ଏଇ କୁଟିଳ ବିଚକ୍ଷଣ ପ୍ରଧାନମନ୍ତ୍ରୀଙ୍କ ଶେଷକାଳ କଟିଥିଲା l ଏପରିକି ତିରୁପତି ମନ୍ଦିରକୁ ସେ ନିଜେ ଖଞ୍ଜି ଥିବା ଭୋଗ ସେବା ମଧ୍ୟ ବିକ୍ରି କରିବାକୁ ବାଧ୍ୟ ହୋଇଥିଲେ l କୌଣସି ମନ୍ଦିର ଇତିହାସରେ ଏପରି ଘଟଣା ଘଟିନାହିଁ l
  1529 ରେ କୃଷ୍ଣଦେବ ରାୟଙ୍କ ମୃତ୍ୟୁ ପରେ ଗଜପତି ପ୍ରତାପରୁଦ୍ର ପୁନର୍ବାର ବିଜୟନଗର ଆକ୍ରମଣ କରିଥିଲେ କିନ୍ତୁ ଅଚ୍ୟୁତ ରାୟ ଏହା ପ୍ରତିହତ କରିଥିଲେ l ଏହା ପରେ ଗଜପତି ଶେଷ କିଛି ବର୍ଷ ଶାନ୍ତି ଓ ନିରୁପଦ୍ରଵ ଭାବେ ଅତିବାହିତ କରି ଆନୁମାନିକ 1536 ରେ ଧବଳେଶ୍ୱର ପୀଠରେ ଦେହତ୍ୟାଗ କରିଥିଲେ l ତାଙ୍କୁ ମହାନଦୀ କୂଳରେ ରାୟ ରାମାନନ୍ଦଙ୍କ ସମାଧି ନିକଟରେ ଦାହ କରି ସମାଧି ନିର୍ମାଣ କରାଯାଇଥିଲା l କୁଳବୃଦ୍ଧ ମଧୁସୂଦନ ସେ ଦୁଇ ସମାଧି ସଂସ୍କାର କରାଇ ଥିଲେ l ହାୟ ରାସ୍ତାର ପ୍ରଶସ୍ତିକରଣ ଆଳରେ ସେ ଚିହ୍ନ ଆଜି ବିଲୁପ୍ତ l
କିଛି ଗବେଷକ ଐତିହାସିକ 1526 ଖ୍ରୀ. ର ମଙ୍ଗଳଗିରି ଉଣ୍ଡାବଲ୍ଲୀସ୍ଥିତ ଶିଳାଲିପି ଭିତ୍ତରେ
ପ୍ରମାଣ କରିବାକୁ ଚେଷ୍ଟା କରନ୍ତି ଯେ ଯଦିଓ 1520 ସନ୍ଧି ଅନୁସାରେ କୃଷ୍ଣା ନଦୀ ଓଡିଶା ବିଜୟନଗର ସୀମା ଥିଲା ତଥାପି ଗଜପତି ପରବର୍ତୀ ସମୟରେ କୃଷ୍ଣା ଅତିକ୍ରମ କରି ଅଞ୍ଚଳ ଅଧିକାର କରି ଥିଲେ l କିନ୍ତୁ ଏଥିରେ ବଳିଷ୍ଠତା ନାହିଁ କାରଣ ଉଣ୍ଡାବଲ୍ଲୀ ଗଜପତି ସାମ୍ରାଜ୍ୟ ଅଧୀନ ବିଜୟ ୱାଡା ଠାରୁ ମାତ୍ର ସାତ କିଲୋମିଟର ଦୂରରେ ଅବସ୍ଥିତ l ଆଉ ସେ ସମୟ କୃଷ୍ଣଦେବଙ୍କ ମାନସିକ ଦୁଶ୍ଚିନ୍ତା ଓ ବାହମାନୀ ଗୋଲକୁଣ୍ଡା ସହ ଦ୍ୱନ୍ଦ୍ୱର ସମୟ l
କିଛି କହନ୍ତି ଗଜପତି ବଙ୍ଗଳା ବିରୁଦ୍ଧରେ ଯୁଦ୍ଧ  ପ୍ରସ୍ତୁତି କଲାବେଳେ ଶ୍ରୀ ଚୈତନ୍ୟ ବାରଣ କରି ଯୁଦ୍ଧ ଅସାରତା ବିଷୟରେ ବୁଝେଇ ମନା କରୁଥିଲେ l କିନ୍ତୁ ଗଜପତି ପ୍ରତାପରୁଦ୍ର କଣ ମୂର୍ଖ ଥିଲେ ? ତାଙ୍କ ପରି ଦୂରଦର୍ଶୀ ରାଜା କଣ  ଏତିକି ବୁଝିପାରିବେ ନାହିଁ ଯେ ହୀନବଳ ହୋଇ ହୋଇ ସବଳ ଶତୃକୁ ଆକ୍ରମଣ କରିବା ଠିକ ନୁହେଁ l ପରାଜିତ ହୋଇଥିଲେ ଓଡିଶା ସେତେବେଳେ ହିଁ ଆଫଗାନ ଶାସନାଧୀନ ହୋଇ ଥାଆନ୍ତା l ଯଦି ପ୍ରତାପରୁଦ୍ର ଓ ଶ୍ରୀ ଚୈତନ୍ୟ ଓଡିଶାର ସାମରିକ ଶକ୍ତି ଧ୍ବଂସ କରି ଦେଲେ ତେବେ ତାପରେ ଗୋବିନ୍ଦ ବିଦ୍ୟାଧର ଓ ମୁକୁନ୍ଦ ଦେବ ପର୍ଯ୍ୟନ୍ତ କିପରି ସମ୍ଭାଳିଲେ?
1576 ରୁ 1739 ପର୍ଯ୍ୟନ୍ତ କ୍ଷୁଦ୍ର ଖୋର୍ଦ୍ଧା ରାଜ୍ୟ କିପରି ବାରମ୍ବାର ମୋଗଲ ଆକ୍ରମଣ ସମ୍ଭାଳି ରଖିଥିଲା ?
   କିଛି କହନ୍ତି ଯେ ଭବାନନ୍ଦ ଲକ୍ଷ ଲକ୍ଷ କାହାଣ କଉଡ଼ି ଆତ୍ମସାତ କରିଥିବାରୁ ଗଜପତି ପ୍ରତାପରୁଦ୍ର ତାଙ୍କୁ ପ୍ରାଣ ଦଣ୍ଡ ଦେଇଥିଲେ କିନ୍ତୁ ଶ୍ରୀ ଚୈତନ୍ୟଙ୍କ ହସ୍ତ କ୍ଷେପ ପରେ ତାଙ୍କୁ ପୁରସ୍କୃତ କରିଥିଲେ l ତେବେ ଗଜପତି ପ୍ରତାପ ରୁଦ୍ର ତ ପୁଣି ବିଶ୍ୱାସଘାତକ ରାଜଦ୍ରୋହୀ ଗୋବିନ୍ଦ ବିଦ୍ୟାଧରଙ୍କୁ କ୍ଷମା କରିଥିଲେ l
    ଗଜପତି ପ୍ରତାପରୁଦ୍ରଙ୍କ ସମୟ ଓଡ଼ିଆ ସାହିତ୍ୟ ଅତ୍ୟନ୍ତ ଶୁଭପ୍ରଦ ସୁସମୟ ଥିଲା l ଭାଗବତକାର ଜଗନ୍ନାଥ ଦାସ ପ୍ରୋତ୍ସାହନ ପାଇ ଓଡ଼ିଆ ନବାକ୍ଷରୀ ଭାଗବତ ରଚନା କରିଥିଲେ l ଅଚ୍ୟୁତାନନ୍ଦ, ଶିଶୁ ଅନନ୍ତ, ଦାଣ୍ଡି ରାମାୟଣକାର ବଳରାମ ଦାସ, ଯଶୋବନ୍ତ ଦାସ ପ୍ରମୁଖ ଓଡ଼ିଆ ସାହିତ୍ୟକୁ ପୁଷ୍କଳ କରି ଯାଇଛନ୍ତି l ଗଜପତି ନିଜେ ମଧ୍ୟ କୌତୁକ ଚିନ୍ତାମଣି, ସରସ୍ବତୀ ବିଳାସ ପରି ଗ୍ରନ୍ଥ ରଚନା କରିଛନ୍ତି l
    କାର୍ତ୍ତିକ ଶୁକ୍ଳ ଚତୁର୍ଥୀ ତିରୋଧାନ ଦିବସ, ମାଦଳା ପାଞ୍ଜି , 29 ଅକ୍ଟୋବର l ସେ ଉପଲକ୍ଷେ ଏ ମହାନ ଗଜପତିଙ୍କୁ ଶ୍ରଦ୍ଧାଞ୍ଜଳି l
(ଏହା ମୋର ବ୍ୟକ୍ତିଗତ ମତଯେ ତତ୍କାଳୀନ ଭାରତର ଦ୍ରୁତ ପରିବର୍ତ୍ତନଶୀଳ ରାଜନୀତି ଏବଂ ନିଜ ଉପରକୁ ମାଡ଼ି ଆସୁଥିବା ଅନାଗତ ବିପତ୍ତିକୁ ନା ଓଡ଼ିଶା ନା ବିଜୟନଗର କେହି ବି ସଠିକ ଆକଳନ କରିପାରି ନଥିଲେ l ନିଜ ନିଜ ଭିତରେ ଅଶି ବର୍ଷର ରକ୍ତକ୍ଷୟୀ ଯୁଦ୍ଧର ପରିଣାମ ଏହା ଯେ 1565 ରେ ବିଜୟନଗର ଓ 1568ରେ ଓଡ଼ିଶା ସାମ୍ରାଜ୍ୟ ତୁର୍କ-ଆଫଗାନ ଆକ୍ରମଣ ହେତୁ ଧ୍ବଂସ ପାଇଗଲେ 😥😥)

     ଉପସ୍ଥାପନା  : ଅମ୍ବିକା ପଟ୍ଟନାୟକ
ଚିତ୍ର କୃତଜ୍ଞତା - ଉଇକିପେଡ଼ିଆ ଓ ଶ୍ରୀମାନ ଦୀପକ କୁ. ନାୟକ  (ଗଜପତି ପ୍ରତାପରୁଦ୍ର )

Saturday, October 15, 2022

~: ସସେମିରା କଥା :~

●•ସସେମିରା କଥା•●  (ପୂର୍ଣ୍ଣଚନ୍ଦ୍ର ଭାଷାକୋଷ)

ଦିନେ ଭୋଜରାଜଙ୍କ ପୁତ୍ର ପାରିଧୀ କରିଵାକୁ ଯାଇଥିଲେ କିନ୍ତୁ ନଅରକୁ ଫେରି ନ ଆସି ରାତ୍ରହେଵାରୁ ନିଵିଡ଼ ଅରଣ୍ୟ ମଧ୍ୟରେ ଅଗତ୍ୟା ରହିଗଲେ ।

ରାତି ହୋଇଯିଵାରୁ ଜଙ୍ଗଲର ବିଭିନ୍ନ ହିଂସ୍ରଜନ୍ତୁଙ୍କ ଠାରୁ ରକ୍ଷା ପାଇଵା ହେତୁ ସେ ଏକ ଭାଲୁ ସହ ମିତ୍ରତା କଲେ । ରାଜପୁତ୍ର ଓ ଭାଲୁ ଦୁହେଁ ଗୋଟିଏ ଗଛ ଉପରେ ଚଢ଼ି ରାତ୍ରୀଯାପନ କଲେ । 

ରାତ୍ରୀର ପ୍ରଥମ ଅଂଶରେ ଭାଲୁ ତା ଗୋଡ଼କୁ ଲମ୍ଵେଇ ଗଛଡାଳରେ ବସିଲା ଓ ରାଜପୁତ୍ର ଭାଲୁର କୋଳରେ ସୁଖନିଦ୍ରା ଗଲେ । ଏହି ସମୟରେ ଗଛ ତଳକୁ ବାଘ ଆସି ଭାଲୁକୁ ଵିନତି କରି କହିଲା…

“ତୁ ଗୋଡ଼କୁ ଖସାଇ ଦେ;ରାଜପୁତ୍ର ତଳକୁ ପଡି଼ଗଲେ ମୁଁ ତାକୁ ଖାଇବି”

କିନ୍ତୁ ଭାଲୁ କହିଲା;

“ରାଜପୁତ୍ର ମୋର ମିତ୍ର,ମୁଁ ମିତ୍ରଦ୍ରୋହ କରିବି ନାହିଁ”

ଏହା ଶୁଣି ବାଘ ଫେରିଗଲା ହେଲେ ଗଲାବେଳେ କହିଗଲା

“ଆରେ ଦୁଇଗୋଡି଼ଆ(ମଣିଷ)ଙ୍କୁ ଭରସା ନାହିଁ”

ରାତ୍ରୀର ଶେଷାଂଶକୁ ରାଜପୁତ୍ର ଚେଇଁଵ ଓ ଭାଲୁ ଶୋଇଵ,ଏହିପରି କଥା ଆଗରୁ ଠିକ୍ ହୋଇଥିଵାରୁ ରାଜପୁତ୍ର ନିଦରୁ ଉଠି ଗଛ ଉପରେ ଗୋଡ଼ ଲମ୍ବାଇ ବସିଲା ଏଵଂ ଭାଲୁ ତା’ କୋଳରେ ଶୋଇଲା ।

କିନ୍ତୁ ବାଘର ପୂର୍ଵ କଥିତ ଉପଦେଶ ମନେରଖି ରାଜପୁତ୍ରର ଅଜ୍ଞାତସାରରେ ଆପଣା ନଖକୁ ଗଛ କୋରଡ଼ରେ ବିଦ୍ଧ କରିଦେଇଥାଏ ।

 ପାହାନ୍ତା ହେଲାବେଳକୁ ବାଘ ଆସି ରାଜାପୁଅକୁ କହିଲା

“ଆରେ ଭାଲୁ ଟା ହିଂସ୍ରଜନ୍ତୁ,ସେ ତୋତେ ଖାଇଯିଵ;ତୁ ଗୋଡ଼ ଛାଡି଼ ଦେ,ଭାଲୁ ଟା ଖସିପଡୁ଼,ମୁଁ ତାକୁ ଖାଇଯିବି !”

ରାଜାପୁଅ ଏକଥା ଶୁଣି ଗୋଡ଼ ଟା ଖସେଇ ଦେଲା ହେଲେ ଭାଲୁ ଆଗରୁ ଗଛ କୋରଡ଼ରେ ନଖ ବିଦ୍ଧ କରିଥିଵାରୁ ତଳେ ନପଡି଼ ଯାଇ ଅଳ୍ପକେ ଵର୍ତ୍ତିଗଲା ।

ସକାଳ ହେଲାରୁ ଭାଲୁ ରାଜପୁତ୍ର କୁ କହିଲା

“ତୁ ମିତ୍ରଦ୍ରୋହୀ ହେଲୁ କିନ୍ତୁ ମୁଁ ହେବି ନାହିଁ ସେଥିପାଇଁ ତୋତେ ପ୍ରାଣଦଣ୍ଡ ନଦେଇ ଛାଡ଼ି ଦେଉଛି”

ତହିଁପରେ ଭାଲୁ ରାଜପୁତ୍ର ଜିଭରେ ଚାରୋଟି ଅକ୍ଷର ଲେଖିଦେଲା

“ସ-ସେ-ମି-ରା”…

ତହୁଁ ରାଜପୁତ୍ର ପାଗଳ ହୋଇ ବୁଲିଲା…
ସେ ଖାଲି ସସେମିରା ସସେମିରା କହୁଥାଏ । 

କେତେଦିନ ପରେ ରାଜପୁତ୍ରର ସନ୍ଧାନ ପାଇ ଭୋଜରାଜ ତାକୁ ରାଜନଵରକୁ ଅଣାଇଲେ …

ହେଲେ ରାଜପୁତ୍ର ପ୍ରଗଳ୍ଭ ହୋଇଯାଇଥାଏ । ତାକୁ ଭଲ କରିଵା ପାଇଁ ବହୁଚେଷ୍ଟା କରି ଵିଫଳ ହେଲାରୁ ଶେଷରେ ରାଜା ଦେଶଯାକରେ ଘୋଷଣା କଲେ ଯେ କେହି ଯଦି ତାଙ୍କ ପୁତ୍ରକୁ ଭଲ କରିଦେଵ ତାକୁ ସେ ତାଙ୍କ ରାଜ୍ୟରୁ ଅର୍ଦ୍ଧେକ ଦେବେ…

ଏହାର ବହୁ ପୂର୍ଵରୁ ଭୋଜରାଜ ତାଙ୍କ ସ୍ତ୍ରୀଙ୍କର ଆବୃତ୍ତ ଅଙ୍ଗରେ ତିଳଚିହ୍ନ ଥିଵା ଵିଷୟକ କଥା କହିଥିଵାରୁ କାଳିଦାସଙ୍କୁ ସନ୍ଦେହ କରି ଭୋଜରାଜ ଦେଶାନ୍ତର ଦଣ୍ଡ ଦେଇଥିଲେ । କିନ୍ତୁ  ଭୋଜରାଜଙ୍କ ମନ୍ତ୍ରୀ ଗୁପ୍ତରେ ତାଙ୍କ ଗୃହରେ କାଳିଦାସଙ୍କୁ ଆଶ୍ରୟ ଦେଇଥାନ୍ତି…

ରାଜାଙ୍କ ପୁତ୍ର ଅସୁସ୍ଥ ହେଵା ତଥା ରାଜାଙ୍କ ଘୋଷଣା କଥା ଶୁଣି ମନ୍ତ୍ରୀଙ୍କୁ କାଳିଦାସ କହିଲେ ମୁଁ ନାରୀବେଶ ଧାରଣକରି ଆପଣଙ୍କ ସହିତ ନଅରକୁ ଯିବି ଆପଣ ରାଜାଙ୍କୁ କହିବେ ଏ ମୋର କନ୍ୟା ଏଵଂ ଇଏ ଆପଣଙ୍କ ପୁତ୍ର କୁ ଠିକ୍ କରିଦେଵ…

ତାହା ହିଁ ହେଲା …

ମନ୍ତ୍ରୀ ଜଣକ ସ୍ତ୍ରୀ ବେଶଧାରୀ ଅଵଗୁଣ୍ଠିତ କାଳିଦାସଙ୍କୁ ନେଇ ନଅର ପହଞ୍ଚିଲେ …

ରାଜା ସବୁ ଶୁଣି ଆଦେଶ ଦେଲାରୁ ଅଵଗୁଣ୍ଠିତ କାଳିଦାସ ରାଜପୁତ୍ର କାନରେ ‛ସସେମିରା’ର ଆଦ୍ୟ ଅକ୍ଷର ଵିଶିଷ୍ଟ ଚାରୋଟି ପୂର୍ଣ୍ଣାଵୟଵ ଶ୍ଳୋକ ବୋଲିଲେ ...

1.ସ→

●ସଦ୍ଭାବ ପ୍ରତିପନ୍ନାନାଂ ବଞ୍ଚନେ କା ଵିଦଗ୍ଧତା ।
ଅଙ୍କ ମାରୁହ୍ୟ ସୁପ୍ତାନାଂ ହନ୍ତୁଃ କିମ୍ ନାମ ପୌରୁଷମ୍ ।। ●

(ଯେଉଁ ମାନେ ଏକାନ୍ତ ଵିଶ୍ଵସ୍ତ,ସେମାନଙ୍କୁ ପ୍ରତାରଣା କରିଵା କି ପ୍ରକାରର ପାଣ୍ଡିତ୍ୟ ? ଯେଉଁ ମାନେ ଅଙ୍କକୁ ଆଶ୍ରୟ କରି ଶୋଇଥାଅନ୍ତି ତାଙ୍କୁ ମାରିଦେଲେ ହତ୍ୟାକାରୀର ପୌରୁଷ ପ୍ରକାଶ ପାଏ କି ?)

2.ସେ→
●ସେତୁଂଗତ୍ଵା ସମୁଦ୍ରସ୍ୟ ଗଙ୍ଗାସାଗରସଙ୍ଗମମ୍ ।
ବ୍ରହ୍ମହା ମୁଚ୍ୟତେ ପାପାତ୍ ମିତ୍ରଦ୍ରୋହୀ ନ ମୁଚ୍ୟତେ ।।●

(ସେତୁବନ୍ଧ ରାମେଶ୍ଵରକୁ ଗଲେ କି ଗଙ୍ଗା ସାଗରରେ ସ୍ନାନ କଲେ ବ୍ରହ୍ମହତ୍ୟା ପାପୀ ମୁକ୍ତ ହୋଇପାରେ କିନ୍ତୁ ମିତ୍ରଦ୍ରୋହୀ ମୁକ୍ତ ହୁଏ ନାହିଁ)

3.ମି→

●ମିତ୍ରଦ୍ରୋହୀ କୃତଘ୍ନଶ୍ଚ ଯେ ଚ ଵିଶ୍ଵାସଘାତକାଃ ।
ତେ ସର୍ଵେ ନରକଂ ଯାନ୍ତି ଯାଵଚ୍ଛନ୍ଦ୍ରଦିବାକରୌ ।।●

(ଯେଉଁମାନେ ମିତ୍ରଦ୍ରୋହୀ,କୃତଘ୍ନ ଓ ବିଶ୍ଵାସଘାତକ ସେମାନେ ସୂର୍ଯ୍ୟ ଚନ୍ଦ୍ର ଥିଲାଯାଏଁ ନରକଗାମୀ ହେଉଥିବେ)

4.ରା→
●ରାଜଂସ୍ତ୍ଵଂ ନିଜ ପୁତ୍ରସ୍ୟ ଯଦି କଲ୍ୟାଣମିଚ୍ଛସି ।
ଦେହି ଦାନଂ ଦ୍ବିଜାତିଭ୍ୟୋ ଦେଵତାରାଧନଂ କୁରୁ ।।●

(ହେ ରାଜନ୍ ଯେବେ ତୁମ୍ଭ ନିଜ ପୁତ୍ରର ମଙ୍ଗଳ ଇଛା କର ତେବେ (ମିତ୍ରଦ୍ରୋହୀ ପାପର ପ୍ରାୟଶ୍ଚିତ ସ୍ଵରୂପ)ବ୍ରାହ୍ମଣଙ୍କୁ ଦାନ ଦିଅ ଓ ଦେଵ ଆରାଧନା କର)

ରାଜପୁତ୍ର ,ସ୍ତ୍ରୀ ବେଶଧାରୀ କାଳିଦାସଙ୍କ ଠାରୁ ଚାରୋଟି ଅକ୍ଷରର ଚାବି ସ୍ଵରୂପ ଚାରୋଟି ଶ୍ଲୋକ ଶୁଣିଲା ମାତ୍ରକେ ତାହାର ବାତୁଳପଣ ଛାଡି଼ଗଲା । ତତ୍ ପରେ ସେ ଉକ୍ତ ଦିନ ଘଟିଥିଵା ଘଟଣାମାନ ଭୋଜରାଜଙ୍କୁ କହିବସିଲା…

ଭୋଜରାଜ ଏସବୁ ଶୁଣି ଆଶ୍ଚର୍ଯ୍ୟ ଚକିତ ହୋଇ ସ୍ତ୍ରୀ ବେଶଧାରୀ କାଳିଦାସଙ୍କୁ ଉପଲକ୍ଷ୍ୟ କରି ବୋଇଲେ

“ଗୃହେ ବସତି କୌମାରି ! ଅଟଵ୍ୟାଂ ନୈଵ ଗଚ୍ଛସିଋକ୍ଷଵ୍ୟାଘ୍ର ମନୁଷ୍ୟାଣାଂ କଥଂ ଜାନାସି ଭାଷିତଂ ।।

(ହେ କୁମାରୀ ! ତୁ ତ ଘରେ ରହୁ ଅଟଵ୍ୟା ଵା ଜଙ୍ଗଲ କୁ ଯାଉନାହିଁ ତେବେ ବାଘ ଭାଲୁ ମଣିଷ ମଧ୍ୟରେ ହୋଇଥିଵା କଥା ତୁ କେମନ୍ତେ ଜାଣିଲୁ?)

ଏ ଶ୍ଲୋକର ପ୍ରତ୍ୟୁତ୍ତରରେ ଅଵଗୁଣ୍ଠବାନ ସ୍ତ୍ରୀ ବେଶଧାରୀ କାଳିଦାସ କହିଲେ…

“ଦେଵଦ୍ବିଜ ପ୍ରସାଦେନ ଜିହ୍ଵାଗ୍ରେ ମେ ସରସ୍ଵତୀତେନାହଂ ନୃପ ! ଜାନାମି,ଭାନୁମତ୍ୟାସ୍ତିଳଂ ଯଥା ।।”

ଭୋଜରାଜା ଯେତେବେଳେ ଜାଣିଲେ ଯେ ସ୍ତ୍ରୀ ବେଶଧାରୀ ଵ୍ୟକ୍ତି ସ୍ବୟଂ କାଳିଦାସ ସେ ତାଙ୍କ ପ୍ରତି କରିଥିଵା ନିଜ ପୂର୍ଵ ଅନ୍ୟାୟ ପାଇଁ ପଶ୍ଚାତାପ କରିଵା ସହ କାଳିଦାସଙ୍କୁ କୃତଜ୍ଞତା ଜଣାଇ ବହୁ ରତ୍ନ ପ୍ରଦାନପୂର୍ଵକ ତାଙ୍କର ଭୁରି ଭୁରି ପ୍ରଶଂସା କରିଲେ |

   ତଥ୍ୟ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ 
ଉପସ୍ଥାପନାରେ ; ✍ ଶିଶିର ସାହୁ ମନୋଜ 


Friday, August 26, 2022

❀ ଶିବ ପୁରାଣ - ପ୍ରଥମ ଖଣ୍ଡ 【ଭାଗ - ୨୧】❀

╔⏤⏤⏤╝❀╚⏤⏤⏤⏤╗
                ଶିବ ପୁରାଣ
                 ପ୍ରଥମ ଖଣ୍ଡ 
               【ଭାଗ -୨୧】                ╚⏤⏤⏤⏤╗❀╔⏤⏤⏤⏤╝
#ପ୍ରକୃତି_ଦେବୀଙ୍କ_ମାହାତ୍ମ୍ୟ_ବର୍ଣ୍ଣନ
⋆⋄✧⋄⋆⋅⋆⋄✧⋄⋆⋅⋆⋄✧⋄⋆⋅⋆⋄✧✧⋄⋆⋅⋆⋄✧⋄⋆⋅⋆⋅⋆⋄✧
ନୈମିଷା ଅରଣ୍ୟରେ ଏକତ୍ରିତ ହୋଇଥିବା ସକଳ ଋଷିମାନେ ସନତ କୁମାର ଙ୍କୁ ପଚାରିଲେ -ହେ  ମୁନିଶ୍ରେଷ୍ଠ !ଆମ ମାନଙ୍କ ମନରେ ଏକ  କଥା ଶୁଣିବାକୁ ଇଛା ହେଉଛି ।ଆମର ଭାଗ୍ୟ ଯେ ତୁମକୁ ଆମ ନିକଟରେ ପାଇଛୁ ।ହେ ଦେବ !ଆମକୁ ନିରାଶ ନକରି କୁହନ୍ତୁ ।ଶିବ ପୁରାଣ ଶୁଣି ଆମ ମାନଙ୍କ ମନ ତୋଷ ହେଉ  ।ଭୋ ଦେବ !ଶିବ ଭଗବାନ ହେଲେ  ଜଗତର ପିତା !ପାର୍ବତୀ ହେଲେ ପ୍ରକୃତି ! ଶିବ ଓ ପାର୍ବତୀ ଏହି ବ୍ରହ୍ମାଣ୍ଡର ପିତାମାତା ଅଟନ୍ତି ! ଏହି କାରଣରୁ  ପ୍ରକୃତି ଦେବୀ ଙ୍କ ମହିମା ଆମକୁ ବିସ୍ତାର କରି କୁହନ୍ତୁ ?। ଆମକୁ ତାଙ୍କ ବିଷୟରେ କହି ତୋଷ କର ବ୍ରହ୍ମା ନନ୍ଦନ ।

ଋଷିମାନଙ୍କ କଥା ଶୁଣି ଧାତା କୁମର  ଅତି ହରଷ ରେ କହିଲେ -ହେ ଯତି ମାନେ !ତୁମେ ବଡ଼ ଗହନ କଥା ପଚାରୁ ଅଛ ?। ଯେଉଁ କଥାକୁ ସ୍ୱୟଂ ବ୍ରହ୍ମା ତାଙ୍କ ଚାରି ମୁଖରେ  ବର୍ଣ୍ଣନା କରି ପାରନ୍ତି ନାହିଁ ମୁଁ ତାଙ୍କରି ସୁତ ହୋଇ ତୁମକୁ ଏସବୁ କିପରି କହିବି ?। ହେ ଋଷିଗଣ କେବଳ ଶିବ ଭଗବାନଙ୍କ ଠାରୁ ଶୁଣିଥିଲି ବୋଲି  ତୁମ ଆଗେ କହିବାକୁ ସକ୍ଷମ ହେଉଛି । ଦୟାବହି ସେ ମହାଦେବ ଏ  ବିଷୟରେ ଯାହା କହିଛନ୍ତି  ସେଥିରୁ କିଞ୍ଚିତ କହିବି ।ତୁମେମାନେ ଧୀର ସ୍ଥିର ହୋଇ  ଶୁଣ ।

ସନତ କହିଲେ -ସତ ,ରଜ ,ତମ ଗୁଣ  ହେଉଛନ୍ତି ପ୍ରକୃତି ମାତା ।ବ୍ରହ୍ମାଣ୍ଡ ଭିତରେ ସେହିଁ ଏକା କାରେଣି ଅଟନ୍ତି । ସେ ହିଁ ନାରୀ ବୋଲାନ୍ତି ଓ ସେହିଁ ପୁରୁଷ ବୋଲାନ୍ତି ।ସେହିଁ ହର ପାର୍ବତୀ ଅଟନ୍ତି ।ସେହିଁ ଅନାଦି ଓ ଆଦି  ନାମରେ ନାମିତ ହୁଅନ୍ତି ।ତାଙ୍କ ଦିବ୍ୟଜ୍ୟୋତି ସବୁଠାରେ  ବିରାଜ କରୁଥାଏ । ସେହିଁ ପ୍ରକୃତି ଠାରୁ ଜାତ ହୋଇବାରୁ  ତାଙ୍କରି ଗୁଣ କୁ ସେ ନିତି ଭୁଞ୍ଜନ୍ତି । ପ୍ରକୃତିର ବାମ ଅଙ୍ଗରୁ ନାରୀ ଜାତ ହୁଏ ।ପ୍ରକୃତିର ଦକ୍ଷିଣ ଅଙ୍ଗରୁ ପୁରୁଷ ଜାତ ହୁଏ । ସେହିଁ ଶିବଙ୍କ ମହିଷୀ ଓ ଗଣେଶ ଙ୍କ ମାତା ଅଟନ୍ତି । ଲକ୍ଷ୍ମୀ ରୁ ଯେ ବିଷ୍ଣୁଙ୍କର ସେ ବନିତା ଅଟନ୍ତି । ସେହିଁ କୃପାମୟୀ ସେହିଁ ମଙ୍ଗଳ ଦାୟିନୀ  ଅଟନ୍ତି ।ସେ ଭବାନୀ ଅଟନ୍ତି ।ସେହିଁ ସମସ୍ତଙ୍କ ମନ କାମନା 
ପୂରଣ କରନ୍ତି ।ସତ୍ୟ ଦୟା ଧର୍ମ ଯଶ ସୁଖ ରେ ସେ ମୋହ ଦାତ୍ରୀ ଅଟନ୍ତି ।ଲୋଭ  ମୋହ ଅହଙ୍କାର କାମ  ରେ  ସେ କ୍ରୋଧି ହୁଅନ୍ତି ।ସେହିଁ ପରମ ବୈଷ୍ଣବୀ ,ଛାୟା ,ମାୟା ସ୍ୱରୂପିଣୀ ଅଟନ୍ତି । ସେହିଁ କ୍ଷାନ୍ତି ,ଶାନ୍ତି ଧୃତି ଓ ପାପ ବିନାଶିନୀ ଅଟନ୍ତି । ବିଷ୍ଣୁଙ୍କ ମନ୍ଦିରରେ ସେହିଁ ନାରାୟଣୀ ଅଟନ୍ତି ।ଇନ୍ଦ୍ରପୁରରେ ସେ  ଶଚି ରୂପ ଧରନ୍ତି ।ରାଜ  ଗୃହ ମାନଙ୍କରେ ସେହିଁ  ରାଜଲକ୍ଷ୍ମୀ ଅଟନ୍ତି । ପାପୀ ଘରେ ସେହିଁ ଅଲକ୍ଷ୍ମୀ ଅଟନ୍ତି । ସୃକୃତି ଙ୍କ ଘରେ ସେ ଗୃହ ଧାରୀ ଅଟନ୍ତି । ସେହିଁ ପଣ୍ଡିତ ମାନଙ୍କ ବୁଦ୍ଧି ଅଟନ୍ତି । ଭକ୍ତ ମାନଙ୍କ ଘରେ ସେ ଶୋଭା ପାଆନ୍ତି । ମୁନି ଜନ ମାନଙ୍କୁ ସେ ମୁକ୍ତି ଲାଭ କରାନ୍ତି । ସେହିଁ ସାଧୁ ମାନଙ୍କର ଶ୍ରଦ୍ଧା ଓ କୁଳିନୀ ର ଲଜ୍ୟା  ଅଟନ୍ତି ।ଜଗତ ସାରା ସେ ମାଆ ରୂପରେ ପୂଜା ପାଆନ୍ତି । ଗାୟତ୍ରୀ ,ସାବିତ୍ରୀ ,ସତୀ ଭାରତୀ ପାର୍ବତୀ  ,ସ୍ୱାହା ,ସ୍ୱଧା , ଜାନକୀ ଅଦିତୀ  ସମସ୍ତେ ପ୍ରକୃତି ଅଂଶ ରୁ ଜାତ ହୋଇଛନ୍ତି ।ଭିନ୍ନ ଭିନ୍ନ ନାମ  ଧରି ସମସ୍ତେ ଥାଆନ୍ତି ।ହେ ଋଷି ଗଣ !ଏ ସମସ୍ତଙ୍କର ଜନ୍ମ କଥା କହୁଛି ଶୁଣ ।ଏହି ପୁଣ୍ୟମୟ ଗାଥା  ସାବଧାନ ହୋଇ ଶୁଣ ।

ପାର୍ବତୀ ଦେବୀଙ୍କ ଜନ୍ମ ହିମାଳୟ ରେ ।ଶିବ ତାଙ୍କୁ  ସ୍ନେହରେ ନିଜ ଅଙ୍ଗରେ ବହି ଥାନ୍ତି । ଜଗତ ଜନନୀ  ମାତା ସେ  ହୈମବତୀ  ଅଟନ୍ତି ।ଋଷିମାନେ ତାଙ୍କର ଅଭୟ ଚରଣ ଙ୍କୁ ବନ୍ଦନା କରନ୍ତି ।  ବେଦ ରୁ ଜନ୍ମ ହୁଅନ୍ତି ଗାୟତ୍ରୀ ,ସାବିତ୍ରୀ।ଗାୟତ୍ରୀ ଓ ସାବିତ୍ରୀ ଏ ଦୁଇଜଣ ଯୁବତୀ  ବ୍ରହ୍ମା ଙ୍କ ମନ କୁ ମୋହିଲେ । ଧବଳାଙ୍ଗୀ ସରସ୍ୱତୀ ବ୍ରହ୍ମାଙ୍କ ଝିଅ ଅଟନ୍ତି ।ଯାହାର ପାଦରେ  ତିନିପୁରର ସିଦ୍ଧ ମୁନି ମାନେ ବନ୍ଦନା କରନ୍ତି ।ଯାହାର ଆଜ୍ଞାରେ ମୂର୍ଖ ମହା ପଣ୍ଡିତ ହୁଏ ।ସେହି ଦେବୀ ନାରାୟଣ ଙ୍କ ମନ କୁ ମୋହିଥିଲେ ।ସରସ୍ୱତୀ ଯାହାକୁ  ସୁଦୟା କରନ୍ତି ତା ହୃଦୟରେ କବିତା ଲେଖିବାର ଶକ୍ତି ଆସେ । ଗୀତ ବାଦ୍ୟ 
ନାଟ୍ୟ ସୁସଙ୍ଗୀତ ଯେତେ  ତାକୁ ସବୁ ଜନହିତ ପାଇଁ ସରସ୍ୱତୀ ସୃଷ୍ଟି କଲେ ।ସରସ୍ୱତୀ ଙ୍କ ଗୁଣ ଆଲୋକିତ ଅଟେ ।

ଋଷି ସନତ କହିଲେ ହେ ତପିଗଣ !ଏବେ ଦକ୍ଷ କନ୍ୟା ମାନଙ୍କର କଥା କହୁଛି ଶୁଣ । ଦକ୍ଷ ଙ୍କ ଦୁହିତା ଥିଲେ ସ୍ୱାହା ,ଅଗ୍ନି ,ପ୍ରିୟବତୀ  ।ଯାହାଙ୍କ ନାମ ବ୍ରାହ୍ମଣ ଉଚ୍ଚାରଣ କରି  ଆହୁତି ଦିଅନ୍ତି ।ସ୍ୱାହା ବିନା ଘୃତଆହୁତି ପ୍ରଦାନ କଲେ  ସେଥିରେ ଦେବତା ମାନେ ସନ୍ତୋଷ ହୁଅନ୍ତି ନାହିଁ । ଏହି କାରଣରୁ ହୋମ ସମୟରେ ସ୍ୱାହା ନାମ ଧରି  ଇଷ୍ଟ  ଦେବତା ଙ୍କୁ ସ୍ମରଣା କରି  ଆହୁତି ଦିଅନ୍ତି । ଏହି ସ୍ୱାହା ଥିଲେ ଧର୍ମଙ୍କ ଭାରିଯା । ତାଙ୍କରି ପାଇଁ  ପ୍ରଜାମାନେ ଧର୍ମ ମାର୍ଗ ରେ ଯାଆନ୍ତି 
ଶ୍ରାଦ୍ଧ ରେ ପିତୃପୁରୁଷଙ୍କୁ ପିଣ୍ଡ ଦାନ କଲାବେଳେ  ସୁଧା ନାମ ଉଚ୍ଚାରଣ କଲେ  ସେ ପିଣ୍ଡ ପ୍ରାପ୍ତ ହୁଏ । ସ୍ୱଧା ବିନା ପିତୃକର୍ମ ନିଶ୍ଚଳ ହୁଏ ।ଏଣୁ ପିତୃକର୍ମ ବେଳେ ସ୍ୱଧା ହିଁ ମୂଳ ଅଟନ୍ତି ।

ହେ ଋଷିଗଣ !ପୁଲେମା ଅସୁର ଅଂଶ ରେ ଶଚୀ ଦେବୀ ଙ୍କ ଜନ୍ମ ହୋଇଥିଲା  ।ଶଚୀ ଦେବୀ ତାଙ୍କ ରୂପ ଓ ଗୁଣରେ ଇନ୍ଦ୍ର ଦେବଙ୍କ ଚିତ୍ତ କୁ ହରି ରାଜଲକ୍ଷ୍ମୀ  ଅମର ଭୁବନରେ ବୋଲାନ୍ତି । ଅନ୍ୟ ନାରୀ ମାନେ ତାଙ୍କ ସହ ସମାନ ହୋଇ ପାରିବେ ନାହଁ । ବୃଷଭାନୁ ଅଂଶ ରେ ପ୍ରେମମୟୀ ରାଧାଙ୍କର ଜନ୍ମ ।ସେହି ମହାମାୟୀ ଶ୍ରୀକୃଷ୍ଣ ଙ୍କୁ ମୋହ କରି ବିବାହ ହୁଅନ୍ତି ।ଜନକ କୁମାରୀ ସୀତା  ଶ୍ରୀରାମଙ୍କ ପାଟ ରାଣୀ ଅଟନ୍ତି ।ରାବଣ କୁ ମାରି ତ୍ରିଜଗତ ସେହିଁ ରକ୍ଷା କରନ୍ତି । ଦକ୍ଷ ପ୍ରଜାପତି ଙ୍କ କନ୍ୟା ଆଦିତୀ  କଶ୍ୟପ ଙ୍କୁ ବିବାହ କରି ଦେବତା ମାନଙ୍କ ମାତା ହେଲେ । କଶ୍ୟପ ଙ୍କ ଜ୍ୟେଷ୍ଠ ରାଣୀ ଙ୍କ ନାମ ଦିତି ।ଏହି ଦିତି ମଧ୍ୟ ଦକ୍ଷଙ୍କ ଝିଅ  ଓ ଅସୁରଙ୍କ ମାତା ଅଟନ୍ତି ।ହିମାଳୟ ଗିରିସୂତା ହେଲେ ପ୍ରକୃତି ।ପାପ ବିନାଶିନୀ ଓ ବିଷ୍ଣୁ ଙ୍କ ମନ ମୋହିନୀ ମଧ୍ୟ ଅଟନ୍ତି । ସେହିଁ ସଂସାର ରେ ଜନ୍ମ ହୋଇ ଗଙ୍ଗା ନାମ ରେ ନାମିତ ହେଲେ ।ଗଙ୍ଗାରେ ସ୍ନାନ କଲେ ମୁକ୍ତି ହିଁ ମିଳିଥାଏ ।ଯାହାର ଜଳ ଜଗତ କୁ ପବିତ୍ର କରେ ସେ ହେଉଛି ଗଙ୍ଗା । ଯାହାକୁ ମସ୍ତକ ରେ ବିଶ୍ଵନାଥ ବହନ କରିଛନ୍ତି । ଭୀଷ୍ମ ଙ୍କ ମାତା ହେଲେ ଶାନ୍ତନୁ ଙ୍କ ପତ୍ନୀ ।ଯାହାର ନାମ ପତିତପାବନୀ ବୋଲି ଜଗତ ରେ ଖ୍ୟାତି ଅଛି । ତୁଳସୀ ନାମରେ ଯେଉଁ ମହିଳା ଖ୍ୟାତ ସେ ହେଉଛନ୍ତି  ବିଷ୍ଣୁଙ୍କର ଗଳାମାଳା ।ଯାହାକୁ ସେବନ କଲେ ଲୋକମାନେ ମୁକ୍ତି ହୁଅନ୍ତି । 
 
ସନତ ଋଷି କହିଲେ ହେ ତପିଗଣ ବର୍ତ୍ତମାନ ମୋର ସନ୍ଧ୍ୟା ସମୟ ଆସିଗଲାଣି  ।ଏହିଠାରେ କଥା କୁ ଆଜି ପାଇଁ ବିଶ୍ରାମ ଦେବା ।

କ୍ରମଶଃ...............

✦ ❤ ✦••┈•ଓଁ ନମଃ ଶିବାୟଃ•┈••✦ ❤ ✦••┈•

ଚାମଚ଼ା

#ଚାମଚ଼ା ଅଷ୍ଟାଦଶ ଶତାବ୍ଦୀର ମଧ୍ୟଭାଗରେ ବଙ୍ଗଳାର ସମୃଦ୍ଧ ସିଂହାସନ ଉପରେ ଯେତେବେଳେ ଯୁବ ନବାବ ସିରାଜ-ଉଦ୍-ଦୌଲା ଅଧିଷ୍ଠିତ ଥିଲେ, ସେତେବ...