● ଝିଅ ଜନ୍ମ ଶାଶୁଘରକୁ ● {{ ପ୍ରଥମ ଭାଗ }}
^^^^^^^^^^^^^^^^^^^^^^^^^^^^^^^^^^^^^^
ଦଇବ ଦଉଡି ମଣିଷ ସେ ଗାଈ
ଜେଣିକି ଟାଣିଲେ ଯାଇ
ସମାଜ ନିୟମେ ବନ୍ଧା ଝିଅ ଜନ୍ମ
ଶାଶୁ ଘର ଯିବା ପାଇଁ ।।
କୋଳେଲ କାଖେଇ ବଡ଼ ହେଲାପରେ
ଚାଲିଯିବୁ ଶାଶୁ ଘର
ଭଲ ଭାବେ ଜାଣୁ ତଥାପି ଏ'ମନ
ନକରେ ତାକୁ ସ୍ୱୀକାର ।।
ଛୋଟ ଥିଲାବେଳେ ଦୋରଟି ଭାଷାରେ
କହୁଥିଲୁ କେତେ କଥା
ଗୋଟି ଗୋଟି କରି ମନେ ପଡି ତାହା
ଦେଉଛି କେବଳ ବ୍ୟଥା।।
ବାବା ବୋଉ ତଥା ଭାଇଙ୍କ ଭିତରେ
ଥିଲୁ ସିନା ଅଲିଅଳି
ଏକାକି ଏବେ ତୁ' ସବୁ ସମସ୍ୟାକୁ
ନିଜେ ହିଁ ନେବୁ ସମ୍ଭାଳି ।।
କେବେ ଜାଣି ନାହୁଁ ଭାଇଙ୍କ ନିକଟେ
ଅନୁରୋଧ କରିବାର
ସବୁବେଳେ କହୁ ଭାଇଙ୍କ ନିକଟେ
ନାହିଁ କି ମୋ ଅଧିକାର ।।
ଦେହ ଭଲ ମନ୍ଦେ ଭାଙ୍ଗି ପଡୁ ତୁହି
ମନେ ପଡ଼େ ସେହି କଥା
ଆଉଁସି ଅଣ୍ଡାଳି ମୁଣ୍ଡ ଚିପି ଦେଉ
କୋଳେ ରଖି ତାଙ୍କ ମଥା ।।
ବାହୁନି କହିଣ ଭାଇଙ୍କ ମୁଣ୍ଡରେ
ଘଷି ଦେଉଥାଉ ତେଲ
ମିଛ କଥା କହି ଚିଡାଉ ଥାନ୍ତି ସେ
କରିବାକୁ ତୋତେ ଗେଲ ।।
କିଣିବାକୁ କିଛି ଅଳି କରୁ ଯେବେ
କରିଦେଉ ଆମେ ମନା
ମାତ୍ର ଭାଇମାନେ ସଙ୍ଗେ ସଙ୍ଗେ ପୁରା
କରନ୍ତି ମନ କାମନା ।।
ବାପଘର ଛାଡି ଶାଶୁ ଘର ଯିବୁ
ବଦଳି ଯିବ ଜୀବନ
ନୂଆଁ ପରିବେଶ ନୂଆ ଲୋକ ମଧ୍ୟେ
କାଟିବାକୁ ହେବ ଦିନ ।।
ଶାଶୁ ଶଶୁରଙ୍କ ମୁହଁରେ ଯଦିତୁ
ବୋଉ ବାବା ଙ୍କୁ ଦେଖିବୁ
ସବୁ ଦୁଃଖ ଯିବ ତାଙ୍କରି ସେବାରେ
ହେଳା କେବେ ନକରିବୁ ।।
ଶାଶୁ ଶଶୁରଙ୍କ ସେବା କରୁଥିବୁ
ତାଙ୍କ ମନ କଥା ଜାଣି
ସମୟକୁ ଜାଣି ତାଙ୍କ ପାଖେବସି
ଦେଉଥିବୁ ଚାହା ପାଣି ।।
ବୃଦ୍ଧ-ବୃଦ୍ଧା କାଳେ ସେମାନେ ଚାହାଁନ୍ତି
ତୁମଠୁ ସେବା ଅଧିକ
ଅବହେଳା କଲେ ତୁମ ବୁୁଦ୍ଧି ଯାହା
ଗଣା ହେବ ଅବିବେକ ।।
http://sammarpana.blogspot.com
No comments:
Post a Comment