Friday, December 17, 2021

■ ମୁଁ ଅଛି ଖାଲି ତୋ ପାଇଁ ■

ମୁଁ ଅଛି ଖାଲି ତୋ ପାଇଁ
---///-///---///---///---
ତୋ' ହୃଦୟର ଠିକଣା ମତେ କହିଦେ
ମୁଁ ଲେଖିଦେବି ଚିଠିଟେ ତୋ ପାଇଁ
ତୁ' କହିଯା ଆସି ତୋ'ମନ କଥା
ପୂରଣ କରିବି ମୋ' ଜୀବନ ଦେଇ
ତୋ' ପାଇଁ ଅଛି ମୁଁ ଖାଲି ତୋ' ପାଇଁ !!!

ଯେଉଁଠି ଅଛୁ ତୁ' ଭଲରେ ଥାଆ
ତୋ' ଭଲ ମୁଁ ଦେଖିବା ପାଇଁ, 
ନିତି ଖୋଜେ ବାହାନା ,,,
ତୋ' ସାଥେ ପଦେ ଗପିବା ପାଇଁ
ତୁ ଅଳସୀ କେତେ କରୁ ବାହାନା, 
କଥା କହୁ ଅନାମନା, କରୁ ମୋ ମନ ଉଣା !

ତୁ' ନୁହଁ ମରୀଚିକା 
ମନେ ଭରୁ ଅବଶୋଷ ତୃଷ୍ଣା
ହେଲେ ଧାରା ଛୁଆଁ ଦେଉନାହୁଁ 
ଦେଉ ଯନ୍ତ୍ରଣା ,,
ତୋ' ଯନ୍ତ୍ରଣା ସହିବା ମୋ ପାଇଁ ନୂଆ ନୁହଁ
ମୁଁ ହସି ସହି ସହିଯିବି, ଖାସ୍ ତୋ' ପାଇଁ

ତୁ କିଏ କହିଯା ଆସି ଥରେ 
ମୁଁ କାଇଁ ଝୁରେ ତତେ, 
ତୋ କଥା ଭାବି ଭାବି କିଛି ଲେଖା ଲେଖିଦିଏ
 ଖାଲି ତୋ ପାଇଁ ,,,
ତୁ କିଏ ଆସି ଥରେ ଦେଇଯା ତୋ ପରିଚୟ 
କହିଯା ତୋ ଠିକଣା, ମୁଁ ଅଛି ଖାଲି ତୋ ପାଇଁ !

ସକାଳୁ ଉଠିବାପରଠୁ ଭାବେ ତୋ' କଥା
ରାତିରେ ଶୋଇବା ପରେ ମନେ ଆସେ ତୋ କଥା,
ତୁ ମୋ ସ୍ୱପ୍ନରେ ଆସୁ କେବେ ବନ୍ଧୁ ହୋଇ, 
ପୁଣି କେବେ ସ୍ୱପ୍ନରେ ଆସୁ ବଧୂ ବେଶେ !
ମନ ତତେ ଚାହେଁ , ଖାଲି ତତେ ଚାହେଁ,
ହେଲେ ଲାଗେ ତୁ ନୁହଁ ମୋ ପାଇଁ 
ହେଲେ ମୁଁ ଅଛି ଖାଲି ତୋ ପାଇଁ !!!

ତୁ ଯିଏ ହ' ତତେ ଜାଣିବା ମୋର ଦରକାର ନାହିଁ,
ତୁ ମତେ ଭଲ ଲାଗୁ ବାସ୍ ମୁଁ ଖୁସିଅଛି ତୋ ପାଇଁ, 
ତୁ ମତେ ଯାହା ଭାବେ ହେଲେ ମୁଁ ଖାଲି ଚାହେଁ ତତେ,
ତୁ ଦେଇଯା ତୋ' ଠିକଣା ମୁଁ ଚାଲିଯିବି ତୋ' ପାଇଁ
ତୁ ଏତିକି ଜାଣେ ମୁଁ ଅଛି ଖାଲି ତୋ ପାଇଁ !!!

ସୁଶୀଲ୍ କୁମାର ଭୋଇ, ଭୁବନେଶ୍ୱର-୨
(ଲେଖକ ଓ ସାମାଜିକ କର୍ମୀ)

Thursday, December 16, 2021

ସମର୍ପଣ (topic - 114 ଅଭିଶପ୍ତ ଜୀବନ ) quote #quot

ଅସହ୍ଯ ଯନ୍ତ୍ରଣା ଜୀବନେ ଭରିଛ
    କଣ୍ଟକିତ ଚଲାପଥ 
କାହାକୁ କହିବି ଅନ୍ତରର ବ୍ଯଥା
      ଶୁଣ ପ୍ରଭୂ ଜଗନ୍ନାଥ 
ସୁନାକୁ ଧରିଲେ ମାଟି ପାଲଟୁଛି
    ସତେକି ଦୁର୍ଭାଗ୍ୟ ମୋର 
ଅଭିଶପ୍ତ ଭରା ଜୀବନ କାହାଣି
        ରକ୍ଷାକର ଚକ୍ରଧର 
          - ରାଧା କୃଷ୍ଣ ବାୟକ

ଅବହେଳିତର  ଅରଗଳି ଧାରେ
    ଧରାପରେ ଧିରସ୍ଥିର
କୁତ୍ସିତ କଥନ  ଆଦ୍ୟ ଆବାହନ
      କଦାକାରରେ କିନ୍ନର
ହାଏରେ ବିଧାତା ଅପ୍ରଯ୍ୟାପ୍ତ ବ୍ୟଥା
        ଜୀବନ କି ଅଭିଶପ୍ତ !
କର ଶେଷ ଧ୍ଯାୟ  ନିଆରା ନିର୍ଣ୍ଣୟ
       ମଞ୍ଜୁରି ହେ ଦରଖାସ୍ତ
              - ଦାଶରଥି ସାହୁ 

କଷଣର ଧାରେ ସଢୁଛି ଜୀବନ  
       ଆଶା ମୋର ଅସୁମାରୀ
 ମୂଲ୍ୟହୀନ ଆଜି ନିରବ ରୋଦନ
          ପ୍ରାରବ୍ଧ କର୍ମ ସୁମରି 
 ଭିଟାମାଟି ପରେ ବାସହୀନ ମୁହିଁ 
        ବିଧି ନିର୍ଦ୍ଦେଶ ଆଦରି 
 ଶେଷ ଚିନ୍ତା ଏକା  ଚିନ୍ତାମଣି ପଦ
            ଧରମ ସଉଦା ଧରି ..... 
             - ସନ୍ତୋଷ ପଟ୍ଟନାୟକ

ଜଞ୍ଜାଳ ଯୁଇରେ ଜୀବନ ଜଳୁଛି 
    ସଂସାର ଲାଗୁଛି ତୁଚ୍ଛ
ଅଭାବୀ କଷଣ ବଢେ ଅପ୍ରମାଣ 
      ଦୁଃଖ ହୁଏ ଦ୍ୱିଗୁଣିତ
ଆଶା ଭରସା ମୋ ଭୁଶୁଡି ପଡୁଛି 
      ହୃଦୟ କ୍ଷତ ବିକ୍ଷିପ୍ତ
ଏମିତି ଜନମ ଦେଲ ଜନାର୍ଦ୍ଦନ 
    ଜୀବନ ମୋ ଅଭିଶପ୍ତ
          - ପ୍ରବୀର ମଲ୍ଲିକ୍

ନାଁ ଅଛି ଖାତିର ନାଁ ଅଛି ଆଦର
     ନାଁ ଅଛି ମୋ ସ୍ୱାଭିମାନ
ଦୁନିଆ ବୁକୁରେ ଅଭିଶପ୍ତ ଆଜି
     ମୋର ଏ ତୁଚ୍ଛ ଜୀବନ 
ଦୁଃଖି ଜୀବନ ମୋ ନିରବି କାନ୍ଦୁଛି
    ସାଉଁଟି ମିଛ ସପନ 
ତଥାପି ବଞ୍ଚିଛି  କରମ ଆଦରି
    ବିଭୁ ପାଦେ ରଖି ଧ୍ୟାନ 
            - ରାମ ଚନ୍ଦ୍ର ପ୍ରଧାନ

ଅଳପ ଆୟୁଷ ଅଧୁରା ସ୍ବପ୍ନକୁ 
   ଛାତି ତଳେ ଚାପି ଦେଇ 
ବଞ୍ଚିବାକୁ ହୁଏ ସଂସାର ଭିତରେ 
      ଛଳନାର ହସ ନେଇ  
ସମ୍ପର୍କେ ଜହର ଦୁଃଖର ପ୍ରହାର 
    ନିତ୍ୟ ମିଳେ ଉପହାର 
ଅଭିଶପ୍ତ ଏହି ମଣିଷ ଜୀବନ 
     ବଞ୍ଚିବାଟା ଖାଲି ସାର 
               - ଟୁକୁନା ସାହୁ

କରିନାହିଁ ଯେଉଁ ଦୋଷରେ ସଙ୍ଗାତ
     ସେ'ଦୋଷ ଲାଗିଛି ମୋତେ 
କାନ ଉଠିଲାଠୁ ଯୋ କଥା ଶୁଣିନି
      ସେ'କଥା ଶୁଣୁଛି କେତେ 
ଯେଉଁ ଆଡ଼େ ଗଲେ ମିଛ ଅପବାଦ
      ଶୁଣି ଶୁଣି  ଦିନ ବିତେ 
  ଅଭିଶପ୍ତ ଏବେ ଲାଗେ ଜୀବନଟା
          ଅଶାନ୍ତି ବଢୁଛି ଚିତ୍ତେ ....
                   -  ରବିନ୍ଦ୍ର ସାହୁ

ଜୀବନ ଯନ୍ତ୍ରଣା ଅସହ୍ଯ ଏଇଠି
     ଅଭିଶପ୍ତ ଲାଗେ ଜୀବନ
ନିତି ମରି ମରି  ବଞ୍ଚିବା କି ଲାଭ
      ହୃଦୟ ଯଦି ପାଷାଣ
ପାଷାଣ ସମ ଏ  ହୃଦୟଟା ଆଜି
        ଭୋଗୁଛି ଦୁଃଖ କଷଣ
ଆଉ ବଞ୍ଚିବାକୁ  ଇଛା ନାହିଁ ମନେ
       ଉଦ୍ଧାର ହେ ନାରାୟଣ
                 - ଜଗବନ୍ଧୁ ସାହୁ

Wednesday, December 15, 2021

■ ମହାଲକ୍ଷ୍ମୀ ନମସ୍ତୁଭ୍ୟମ୍ ■

ନମୋ ବିଶ୍ୱ ରୂପସ୍ୟ ଭାର୍ଯ୍ୟାୟୈ ପଦ୍ମାଳୟା ଶୁଭେ 
ସର୍ବତ୍ର ତ୍ରାହିମାଂ ମାତଃ ଲକ୍ଷ୍ମୀଦେବୀ ନମସ୍ତୁତେ ।। 🙏

   #ମହାଲକ୍ଷ୍ମୀ_ନମସ୍ତୁଭ୍ୟମ୍
      ◆◆◆★◆◆◆
ସୁ'ମନେ ସୁମନ  କଲି ଅରପଣ ପୟରେ ଦିଅ ଶରଣ
ବିଶ୍ୱାସ ମୋ'ମୂଳ ଶ୍ରଦ୍ଧାଟି ସମ୍ବଳ ଘେନମାତା ନିବେଦନ
ଦାରିଦ୍ର୍ୟ ଭଞ୍ଜନୀ ଜଗତ ପାଳିନୀ ଜୟମାତା କମଳିନୀ
ବୈକୁଣ୍ଠ ବାସିନୀ ଦୁଃଖ ବିନାଶିନୀ ହେ ମା' ବିଶ୍ୱ ବିମୋହିନୀ.....

ଚରଣେ ପ୍ରଣତି ଘେନ'ମୋ ଭକତି ଦୟାକର ଦୟାବତୀ
ମୁଁ'ଯେ ମୁଢ଼ମତି କରୁଛି ବିନତି ହରିନିଅ ମୋ ବିପତ୍ତି
ମନେମନେ ଚିନ୍ତେ ଭକ୍ତି ଭାବ ଚିତ୍ତେ କିଞ୍ଚିତ ମୋର ଭକତି
ନୁହେଁ ଗୁଣୀଜ୍ଞାନୀ ନୁହଁଇ ବିଦ୍ବାନୀ ଜାଣିନାହିଁ ପୂଜା ସ୍ତୁତି.....

ଦିଅ ମା' ଆଶିଷ ଦୁଃଖ ଯାଉ ନାଶ ମିନତୀ କରେ ଅଜ୍ଞାନୀ
ଫେଡ଼ ମୋ' କଷଣ ରଖିଣ ଶରଣ ହେ'ମାତା ଐଶୁର୍ଯ୍ୟ ଦାୟିନୀ
ମାଗୋ ଦୟାବତୀ ଜୟ ଜଗଦ୍ଧାତ୍ରି ଜୟ'ମା ସଙ୍କଟ ନାଶିନୀ
ବରୁଣ ନନ୍ଦିନୀ ବିଷ୍ଣୁ ପାଟରାଣୀ ନମୋ ମାତା ମହାଲକ୍ଷ୍ମୀ.....

ଶ୍ରେଷ୍ଠ ମାର୍ଗଶିରେ ଶୁଭ ଗୁରୁବାରେ ଉଭା ହୁଅ ମୋ କୁଟୀରେ 
କୁତାର୍ଥ ହୋଇବି ଚରଣ ସେବିବି ଭକତିର ନୈବେଦ୍ୟରେ....

   ✍ ସନ୍ତୋଷ ପଟ୍ଟନାୟକ ,ଗଞ୍ଜାମ ।

Monday, December 13, 2021

ସମର୍ପଣ (topic - 113 ଭାସ୍କର ) quote #quot

ସଂସାରେ ଭାସ୍କର ସଦା ଶ୍ରେୟସ୍କର
       ତିନିପୁରେ ତେଜିୟାନ
ଆଲୋକର ଆଭା ଭୂମଣ୍ତଳ ଶୋଭା
          ଜାଣିଛି ଜଡ ଚେତନ
ଅନୁଭବେ ନୁହେଁ ଦୃଶ୍ୟମାନ ଯିଏ
       ଚଳନ୍ତିଟେ ଚରାଚରେ
ସଂଧ୍ୟ୍ୟା,ଛାୟା ବର ହନୁ ଗୁରୁବର
     ତୋଷ ସଦା ନମସ୍କାରେ
                 - ଦାଶରଥି ସାହୁ 

 ଆଲୋକର ସତ୍ତା  ଦିଗ ନିର୍ଣ୍ଣୟତା 
       ପଞ୍ଚଦେବ ମଧ୍ୟେ ଉଭା 
ଜୀବନ ଆଧାର  କେବଳ ଭାସ୍କର 
          ଘେନି ଭୁମଣ୍ଡଳ ଆଭା 
 ଧନ୍ୟ ଅବଦାନ  ନିତ୍ୟ ପୂଜ୍ୟମାନ
        ନୂତନ ଆଶାର ଧାର 
ସଂସାର ମଙ୍ଗଳେ ସିଏ ସଦାକାଳେ
        ତାଙ୍କୁ କୋଟି ନମସ୍କାର 
          - ସନ୍ତୋଷ ପଟ୍ଟନାୟକ

ସର୍ବ ଶକ୍ତିମାନ ଆହେ ଅଂଶୁମାନ
      ଦିନମଣି, ଦିବାକର 
ତୁମରି ସ୍ପର୍ଶରେ ଜଡ଼ବି ଚେତନା
     ଧନ୍ଯ ଧନ୍ଯହେ ଭାସ୍କର 
ନୀଳ ଆକାଶର ବୁକୁଚିରି ତୁମେ
    ଆଲୋକିତ କର ଧରା 
ସୁନ୍ଦର ସୃଷ୍ଟିର ବିଚିତ୍ର ନିୟମ
      ଅଦ୍ଭୁତ ଏ' ପରମ୍ପରା 
              ‐ ରାଧା କୃଷ୍ଣ ବାୟକ

ତୁମେ ପାଇଁ ଧରା  ହୁଏ ଆଲୋକିତ
     ଅନ୍ଧାରରେ ତୁମେ ଜ୍ୟୋତି
ସକଳ ଶକ୍ତିର ତୁମେ ଯେ ଆଧାର
      ତୁମ ବିନୁ ନାହିଁ ଗତି 
ଭୂମି ଠାରୁ ଭୂମା  ନାହିଁ ତ' ତୁଳନା
      ଚଉଦିଗେ ତୁମ ଖ୍ୟାତି
ହେ ପୁଣ୍ୟ ଭାସ୍କର ସଦା ଚରାଚର
      ଘେନ ମୋ ଭକ୍ତି ପ୍ରଣତି 
              - ରାମ ଚନ୍ଦ୍ର ପ୍ରଧାନ

ଉଦୟ ଆଭାର  ସୁନେଲି କିରଣେ 
      ପ୍ରାଣ ଜାଗେ ପ୍ରତି ପ୍ରାଣେ 
ଜୀବ ଜଗତର ସର୍ଜନା ସମ୍ଭବ 
      ସର୍ବ ପ୍ରାଣୀ ଅନୁକ୍ଷଣେ 
ସସାଗରା ଧରା ହୁଏ ଆତ୍ମାହରା 
       ଦିବା ନିଶି ଋତୁ ଚକ୍ର
ସବୁ କିଛି ଶ୍ରେୟ ସେହି ଶକ୍ତି ମୟ 
      ଗ୍ରହ ଶ୍ରେଷ୍ଠ ସେ ଭାସ୍କର 
            - ପ୍ରବୀର ମଲ୍ଲିକ୍

ତୁମେ ହିଁ ଭାସ୍କର , ସୂର୍ଯ୍ଯ ,ଦିବାକର
      ତୁମେ ରବି, ଅଂଶୁମାନ
ତୁମେ ହିଁ ତ ସତ୍ଯ ଆଦି ଆଧିପତ୍ଯ
        ଦୃଶ୍ୟହେବା ଭଗବାନ
 ସମ୍ଭବ ତ' ଏଇ  ଦିବସ ରଜନୀ
      ତୁମରି ସକାଶେ ପ୍ରଭୁ
ତୁମ ଅବଦାନ  ପୂଜ୍ଯ ଚିରନ୍ତନ
     ପ୍ରଣତି ଘେନ ମୋ ଭବୁ
                 - ରବିନ୍ଦ୍ର ସାହୁ

ତୁମ ପାଇଁ ଏଠି    ହୁଏ ଦିନ-ରାତି
         ତୁମେ ସର୍ବ ଚରାଚ଼ର 
ସଂସାର ହିତରେ ଯୋଡ଼ି ରହିଅଛ 
       ଧନ୍ଯ ତୁମେ ହେ ଭାସ୍କର
ନିତ୍ଯ ପୂଜିତ ହେ  ଚିର ବନ୍ଦନୀୟ
        ତୁମେ ପୁଣି ଅଂଶୁମାନ
ତୁମକୁ ପୂଜିଲେ ଦୂରେ ରୋଗବ୍ଯାଧି
          ହୁଏ ମନସ୍କାମ ପୂର୍ଣ୍ଣ
                 - ଜଗବନ୍ଧୁ ସାହୁ

ଆଠ ଗୋଟି ଗ୍ରହ ମଧ୍ୟେ ଅବସ୍ଥାନ 
        ଜ୍ବଳନ୍ତ ଅଗ୍ନି ପିଣ୍ଡୁଳା 
ବୃକ୍ଷ ପଶୁ-ପକ୍ଷୀ ମାନବ ଜୀବନ 
      ସଭିଙ୍କ ଜୀବନ ଭେଳା 
ପୂରୁବ ଦିଗରେ ଉଦୟ ତୁମରି 
      ଭାସ୍କର ନାମକୁ ବହି 
ପ୍ରଚଣ୍ଡ ହୋଇଲେ ତୁମରି କିରଣ 
      ଶୁଭେ ଖାଲି ତ୍ରାହି ତ୍ରାହି 
               - ଟୁକୁନା ସାହୁ

● ବାଘ [ ଗପ ]

■ ଗପ --- ● ବାଘ   
       

ମଣିପୁରର ରାଜା ଶଶୀଧର ଥିଲେ । ଶିକାର କରିବା ତାଙ୍କର ଏକ ସଉକ ଥିଲା । ତେଣୁ ସପ୍ତାହକୁ ସେ ଥରେ ଶିକାର କରିବାକୁ ଯାଉଥିଲେ ।

ଥରେ କେତେକ ସୈନ୍ୟଙ୍କୁ ନେଇ ସେ ରଥ ଚଢି ଶିକାର କରି କେବଳ କେତୋଟି ହରିଣ ଓ ବନ୍ୟଶୁକରଙ୍କୁ ଶିକାର କରିଥିଲେ । ତା’ପରେ ଏକ ବଡ ଗଛ ତଳେ ସମସ୍ତେ ମିଶି ଖିଆପିଆ କରି ବିଶ୍ରାମ ନେଲେ । ରାଜା ବିଶ୍ରାମ କରୁଥିବା ବେଳେ ହଠାତ୍ ଗୋଟିଏ ବାଘୁଣୀ ଆସି ତାଙ୍କ ଉପରକୁ କୁଦି ପଡିଲା । ଏପରି ଦୃଶ୍ୟ ଦେଖି ଉପସ୍ଥିତ ଲୋକମାନେ କିଂକର୍ତ୍ତବ୍ୟବିମୁଢ ହୋଇ କେବଳ ଚିତ୍କାର ଓ କୋଳାହଳ କରିବାରେ ଲାଗିଲେ । ରାଜା କିନ୍ତୁ ତିଳେ ମଧ୍ୟ ଭୟଭୀତ ନହୋଇ ଢାଲଟି ଉଠାଇ ନେଇ ନିଜକୁ ରକ୍ଷା କଲେ । ବାଘୁଣୀ ପଛ ଗୋଡରେ ଠିଆ ହୋଇ ପୁଣି କୁଦିବା ବେଳକୁ ରାଜା ନିମିଷକ ମଧ୍ୟରେ ତରବାରୀ କାଢି ତା’ର ମୁଣ୍ଡ କାଟି ପକାଇଲେ ।

ତା’ପରେ ସେ ରାଜାଙ୍କର ଏଭଳି ସାହସ ଓ ପରାକ୍ରମକୁ ସମସ୍ତେ ପ୍ରଶଂସା କଲେ । ତା’ପରେ ବାଘୁଣୀର ମୃତଦେହର ଚାରିପଟରେ ସମସ୍ତେ ଠିଆ ହୋଇଥା’ନ୍ତି, ହଠାତ୍ ଦେଖାଗଲା ବୁଦା ହଲୁଛି ଓ ତାହା ମଧ୍ୟରୁ କିଛି ଶବ୍ଦ ଆସୁଛି ।

ରାଜା ପୁଣି ସାବଧାନ ହୋଇ ହାତରେ ରକ୍ତାକ୍ତ ତରବାରୀକୁ ଧରି ଶତୃ ଅପେକ୍ଷାରେ ରହିଲେ । ଅଳ୍ପ ସମୟ ପରେ ବୁଦା ମୂଳରୁ ବାଘୁଣୀର ଛୁଆ ବାହାରି ଆସି ଏତେଗୁଡିଏ ଲୋକ ଦେଖି ତାଙ୍କ ଆଡକୁ ଚାହିଁ କୋମଳ କଣ୍ଠରେ ସେ ଗର୍ଜନ କଲା । ତା’ପରେ ସେ ତା’ ମା’ର ମୃତ ଦେହକୁ ଦେଖି ତା’ ଚାରିପଟରେ ବୁଲିବୁଲି ବଡ ବିକଳ ହୋଇ କାନ୍ଦିବାକୁ ଲାଗିଲା ।

ଏହି ମର୍ମାନ୍ତିକ ଦୃଶ୍ୟ ଦେଖି ରାଜାଙ୍କ ହୃଦୟ ଅକସ୍ମାତ ଦୁଃଖ ଓ ଦୟାରେ ବିଚଳିତ ହେଲା । ସେ ଚେଷ୍ଟା କରି ବାଘ ଛୁଆଟିକୁ ଧରିନେଲେ । ବାଘଛୁଆ କିନ୍ତୁ ରାଜାଙ୍କୁ ରାମ୍ପୁଡି ପକାଉଥାଏ ।

ରାଜା ତାକୁ କୋଳରେ ଧରି ସ୍ନେହରେ ଆଉଁସି ଦେଇ କହିଲେ, “ଶାନ୍ତ ହୋଇଯା, ମୁଁ ନିଜକୁ ରକ୍ଷା କରିବାକୁ ଯାଇ ବାଧ୍ୟ ହୋଇ ତୋ ମା’କୁ ମାରିଛି ।”

ତା’ପରେ ଆଉ ଶିକାର କରିବେ ନାହିଁ ବୋଲି ସ୍ଥିର କରି ସେ ରାଜା ତାଙ୍କ ନଅରକୁ ଫେରି ଆସିଲେ । ରାଣୀ ଗିରିଜା ଦେବୀ ବାଘଛୁଆକୁ ଦେଖି କହିଲେ, “ମହାରାଜ, ଛୋଟ ହେଲେବି ଏହା କ୍ରୁର ଜନ୍ତୁର ଶାବକ । ଅବଶ୍ୟ ଏବେ କିଛି ବିପଦ ନାହିଁ, କିନ୍ତୁ ବଡ ହେଲେ ସେ ଆମକୁ ଆଉ କୌଣସି ବିପଦରେ ପକାଇବ ନାହିଁ ତ?”

ରାଣୀଙ୍କ କଥାରେ ଶଶୀଧର ଦୀର୍ଘ ଶ୍ୱାସ ପକାଇ କହିଲେ, “ସେ ମାତୃହୀନ, ଏବଂ ସେଥିପାଇଁ କେବଳ ମୁ ହିଁ ଦାୟୀ ପାଳିପୋଷି ବଡ କରିବା ପାଇଁ ହିଁ ମୁଁ ତାକୁ ଏଠାକୁ ଆଣିଛି । ମୋର ବିଶ୍ୱାସ ହେଉଛି ଯେ ପିଲାକାଳରୁ ମଣିଷଙ୍କ ମଧ୍ୟରେ ଚଳିଲେ ତା’ର ସ୍ୱଭାବ ମଧ୍ୟ ଆସ୍ତେ ଆସ୍ତେ ପରିବର୍ତ୍ତନ ହୋଇଯିବ । ତାହାର କ୍ରୁରତା ଲୋପ ପାଇଯିବ । ଯଦି ସେପରି ନହୁଏ ତେବେ ଟିକିଏ ବଡ ହୋଇଗଲେ ମୁଁ ତାକୁ ଜଙ୍ଗଲରେ ନେଇ ଛାଡି ଦେବି ।”

ସେହିଦିନଠାରୁ ରାଜା ତାକୁ ସବୁଦିନେ ନିଜେ ଦୁଧ ପିଆନ୍ତି । ଫଳରେ ଖୁବ୍ ଅଳ୍ପଦିନ ମଧ୍ୟରେ ସେ ପୋଷା ମାନିଗଲା । ପୋଷା ବିଲେଇ ପରି ଅନ୍ତଃପୁର ମଧ୍ୟରେ ସ୍ୱାଧିନ ଭାବରେ ସେ ବିଚରଣ କରୁଥାଏ । ରାଣୀଙ୍କ ବିଛଣାରେ, ତାଙ୍କ କୋଳରେ ସେ ଶୋଉଥାଏ ।

ବର୍ଷକ ମଧ୍ୟରେ ସେ ବଡ ହୋଇଗଲା । ସେ ଅନ୍ୟାନ୍ୟ ଖାଦ୍ୟ ଭିତରେ ମାଂସ ଖାଇଲା । ଦେହର ବର୍ଣ୍ଣ ହଳଦିଆରେ କଳା ପଟା ସବୁ ଦେଖାଦେଲା । କିନ୍ତୁ ମଣିଷର ସ୍ନେହଶ୍ରଦ୍ଧା ପାଇ ସେ ବିଲେଇଟି ପରି ଚଳୁଥାଏ; କେବେ କାହାର କ୍ଷତି କରି ନାହିଁ ।

ଥରେ ସେ ବାଘ ଦେହରେ ବ୍ରଣସବୁ ବାହାରିଲା । ପଶୁବୈଦ୍ୟକୁ ଡକା ହେଲା । ସେ ତାକୁ ଭଲକରି ଦେଖିବା ପରେ କହିଲେ, “ମହାରାଜ, ଏହିପରି ବ୍ରଣ ପ୍ରାୟ ପଶୁ ଜନ୍ତୁଙ୍କଠାରେହିଁ ଦେଖାଯାଏ । ଏହା ପାଇଁ ସାଧାରଣରେ କୌଣସି ଔଷଧ ନାହିଁ । ସେଥିପାଇଁ ଏକ ତରଳ ଔଷଧ ଦରକାର ଯେଉଁଟିକୁ କି ତା’ର ଦେହରେ ଲେପି ଦେଲେ ସେ ଭଲ ହୋଇଯିବ । କିନ୍ତୁ ସେହି ଲେପନରେ ବାରଟି ଜଡିବୁଟି ଏକତ୍ର କରାଯାଇଥାଏ । ମୋର ଏଗାରଟି ଅଛି । ମାତ୍ର ଗୋଟିଏ ଜିନିଷ ନାହିଁ । ସେଇଟି ହେଲା ସିନ୍ଦୁରସୁଧା ପୁଷ୍ପ । ତାହାର ରଙ୍ଗ ହଳଦିଆ । ଏହାର ଗଛ ପ୍ରାୟ ସାଢେ ତିନିଫୁଟ ଉଚ୍ଚ ହୋଇଥାଏ । ଏଥିରେ ବର୍ଷକରେ ଥରେ ଫୁଲ ଫୁଟେ । ମୁଁ ଶୁଣିଛି ଯେ ଏହିଗଛ ରତ୍ନପୁରୀର ରାଜା ଆନନ୍ଦବର୍ଦ୍ଧନଙ୍କ ଉଦ୍ୟାନରେ ଅଛି ।”

ଆନନ୍ଦବର୍ଦ୍ଧନଙ୍କ ନାମ ଶୁଣି ରାଜା ହଠାତ୍ ଚମକି ଉଠିଲେ ଓ ତାଙ୍କର ହସହସ ମୁହଁଟିରେ ରାଗରେ ରକ୍ତ ଚହଟି ଯାଇ ଲାଲ୍ ହୋଇଗଲା । ସେତେବେଳେ ପଚିଶବର୍ଷ ତଳର ଏକ ଘଟଣା ହଠାତ୍ ତାଙ୍କର ମନେ ପଡିଲା । ସେ ଘଟଣାଟି ଏହିପରି –

ପଚିଶବର୍ଷ ପୂର୍ବେ କାଂଚନପୁରୀର ରାଜକୁମାରୀ ମଦନମଞ୍ଜରୀଙ୍କର ସ୍ୱୟମ୍ବର ହେବାର ଥାଏ । ଭୂପାଲ ବର୍ମା ତାଙ୍କ ପିତା ଥିଲେ । ମଦନମଞ୍ଜରୀ ଅପୂର୍ବ ସୁନ୍ଦରୀ ଥିଲେ । ତେଣୁ ପଡୋଶୀ ରାଜ୍ୟମାନଙ୍କର ଯୁବରାଜମାନେ ତାଙ୍କୁ ପାଇବାକୁ ସ୍ୱପ୍ନ ଦେଖୁଥିଲେ । ଅନେକ ରାଜ୍ୟର ଯୁବରାଜମାନେ ତାଙ୍କ ସ୍ୱୟମ୍ବରକୁ ଆସିଥିଲେ, ରାଜା ଶଶିଧର ବିବାହିତ ହୋଇ ମଧ୍ୟ ସେଠାକୁ ଯାଇଥିଲେ ।

କିନ୍ତୁ ରତ୍ନ ପୁରୀର ରାଜକୁମାର ଆନନ୍ଦବର୍ଦ୍ଧନ ଓ ମଦନମଞ୍ଜରୀ ଦୁହେଁ ମନେ ମନେ ପରସ୍ପରକୁ ଶ୍ରଦ୍ଧା ଓ ସମ୍ମାନ କରୁଥିବାର ରାଜା ଜାଣିଥିଲେ । ତେଣୁ ଏ ସ୍ୱୟମ୍ବର କେବଳ ପ୍ରଥା ଅନୁଯାୟୀ ନାମକୁ ମାତ୍ର ହୋଇଥିଲା । ସ୍ୱୟମ୍ବର ସଭାରେ ମଦନମଞ୍ଜରୀ ସିଧା ଯାଇ ଆନନ୍ଦବର୍ଦ୍ଧନଙ୍କ ଗଳାରେ ତା’ ବରଣମାଳା ଦେଲେ ।

ସେତେବେଳେ ଶଶୀଧର ଆନନ୍ଦବର୍ଦ୍ଧନଙ୍କ ପାଖରେ ଥିବା ଆସନରେ ବସିଥିଲେ । ରାଜକୁମାରୀ ଆନନ୍ଦବର୍ଦ୍ଧନଙ୍କୁ ବରମାଳା ଦେବା ପରେ ଆନନ୍ଦବର୍ଦ୍ଧନ ତାଙ୍କ କଡକୁ ଟିକିଏ ତେରେଛା ଚାହାଣୀ ଦେଇ ଗର୍ବର ସହିତ ସେ କହିଲେ, “ଦେଖିଲତ? ସ୍ୱୟମ୍ବରର ପ୍ରତିଯୋଗିତାରେ ବିଜୟ ମୋର ।”

ସେଦିନ ମଦନମଞ୍ଜରୀଙ୍କୁ ନପାଇ ଶଶୀଧରଙ୍କ ମନ ବହୁତ ଦୁଃଖ ଥିଲା; ତା’ ଉପରେ ପୁଣି ଆନନ୍ଦବର୍ଦ୍ଧନଙ୍କର ଏପରି ଉକ୍ତି ତାଙ୍କ ହୃଦୟକୁ ଯେପରି ଛିନ୍ନଭିନ୍ନ କରିପକାଇଲା ।

ମଣିପୁର ଓ ରତ୍ନଗିରି ଦୁହେଁ ପଡୋଶୀ ରାଜ୍ୟ ଥିଲେ ଏବଂ ଦୁହିଁଙ୍କ ରାଜ୍ୟର ସୀମାନ୍ତ ନେଇ ବରାବର ଗଣ୍ଡଗୋଳ ଓ ଶତୃତା ଲାଗିରହିଥାଏ । ତା’ଉପରେ ପୁଣି ଆନନ୍ଦବର୍ଦ୍ଧନଙ୍କର ଏପରି କଥା ତାଙ୍କ ଦେହରେ ଛୁରୀ ଚାଲିଗଲା ପରି ଲାଗିଲା । ସେ ତାଙ୍କ ଆସନ ଉପରୁ ତଳକୁ ଡେଇଁ ପଡି ତରବାରୀ ବାହାର କରି କହିଲେ, “ଜଣେ ସ୍ତ୍ରୀ ତୁମକୁ ପସନ୍ଦ କଲା ବୋଲି ନିଜକୁ ମହାବୀର ବୋଲି ଭାବ ନାହିଁ ପ୍ରକୃତ ବୀର ହୋଇଥିଲେ ଆସ ଯୁଦ୍ଧ କରି ମୋତେ ହରାଅ ।”

ଆନନ୍ଦବର୍ଦ୍ଧନ ମଧ୍ୟ କହିଲେ, “କେବଳ ଖଡ୍ଗ ଯୁଦ୍ଧ? ସେଥିରେ ହାର ଜିତ୍ରେ କ’ଣ ହେବ? ବାଜି ରଖିବା । ଯିଏ ଜିତିବ ମୋତିଦ୍ୱୀପଟି ତା’ର ହେବ ।”

ଆନନ୍ଦବର୍ଦ୍ଧନଙ୍କ ଏହି ସର୍ତ୍ତକୁ ଶଶୀଧର ବି ମାନିଗଲେ । ଚାହୁଁ ଚାହୁଁ ଖଡ୍ଗ ଯୁଦ୍ଧ ଆରମ୍ଭ ହୋଇଗଲା । ବହୁ ସମୟ ଧରି ସେମାନଙ୍କର ଏହି ଯୁଦ୍ଧ ଚାଲିଲା । କ୍ରମେ ଆନନ୍ଦବର୍ଦ୍ଧନ ନିସ୍ତେଜ ହୋଇ ପଡିଲେ । ଏଣେ ଶଶୀଧର ବେଶି ଉତ୍ସାହରେ ତଲବାର ଚଳାଇଲେ । ହଠାତ୍ ନିଜକୁ ବଂଚାଇବା ପାଇଁ ଆନନ୍ଦବର୍ଦ୍ଧନ ଢାଲଟି ଟେକି ଧରିଲେ ଓ ସେଥିରେ ଶଶୀଧରଙ୍କ ଖଣ୍ଡା ବାଜି ତାହା ଦୂରକୁ ଛିଟକି ଗଲା ଓ ତାଙ୍କ ହାତରେ ଆଘାତ ଲାଗିଲା ।

ଜିତିବାକୁ ଯାଉଥିବା ଲୋକ, ଅଳ୍ପକେ ହାରିଗଲେ ବୋଲି କହିଲେ ଚଳେ । ଯୁଦ୍ଧ ସ୍ଥଗିତ ରଖାଗଲା । ସେହିଦିନଠାରୁ ଶଶୀଧର ରତ୍ନଗିରି ରାଜ୍ୟ ସହିତ ରାଜା ଆନନ୍ଦବର୍ଦ୍ଧନଙ୍କୁ ମଧ୍ୟ ନିଜର ଶତ୍ରୁ ଭାବରେ ଦେଖନ୍ତି । ଆଉ ଏବେ ସେ କିପରି ଔଷଧ ପାଇଁ ସେଠାକୁ ଲୋକ ପଠାଇବେ ।

ରାଜାଙ୍କୁ ଏଭଳି ଚିନ୍ତାଗ୍ରସ୍ଥ ହେବାର ଦେଖି ରାଣୀ ତାଙ୍କୁ କହିଲେ, “ମହାରାଜ, ଏବେ ବାଘ ପାଇଁ ବିପଦ ପଡିଛି; ଏ ସମୟରେ ପୂର୍ବକଥା, ଯିଦି, ଶତୃତା ଏସବୁ ଆମକୁ ଭୁଲି ଯିବାକୁ ହେବ । ଆନନ୍ଦବର୍ଦ୍ଧନଙ୍କ ଉଦ୍ୟାନରୁ ଯେପରି ହେଉ ପଛେ ଆମକୁ ସେ ଔଷଧକୁ ଆଣିବାକୁ ହେବ । ବାଘକୁ ବଂଚାଇବାକୁ ହେବ । ତାକୁ ଜୀବିତ ରଖିବା ଅବଶ୍ୟ ଆମର ଧର୍ମ । ସେହି ବାଘଟି ଆମ ସ୍ନେହର ଏକ ପ୍ରତୀକ ।”

ରାଣୀଙ୍କ କଥାଶୁଣି କିଛିସମୟ ଭାବିବା ପରେ ରାଜା କହିଲେ, “ରତ୍ନଗିରି ରାଜ୍ୟକୁ ଆକ୍ରମଣ କରି ବିଜୟଲାଭ କରି, ଔଷଧକୁ ହସ୍ତଗତ କଲେ କିପରି ହୁଅନ୍ତା?”

ତହୁଁ ସେ ରାଣୀ କହିଲେ, “ମହାରାଜ, କୁହାଯାଏ ଯୁଦ୍ଧରେ ଜୟ ପରାଜୟ ଦୈବର ଅଧୀନ । ଆପଣ ହାରିଗଲେ କ’ଣ ହେବ? ଆଚ୍ଛା ଯଦିବା ଜିତିବେ, ତେବେ ଔଷଧ ଯେ ପାଇବେ ତା’ର ସଠିକତା କିଛି ନାହିଁ । ପୁଣି ଦୁଇପକ୍ଷରେ ଅସଂଖ୍ୟ ଲୋକ କେବଳ ରାଜାଙ୍କ ଖିଆଲ୍ ଯୋଗୁଁ ମୃତ୍ୟୁବରଣ କରିବେ । ସେ ପାପ ବି ତ ଶେଷରେ ଆମକୁହିଁ ଲାଗିବ ନା? ପୁଣି ବାଘଟା ପାଇଁ ଏତେ ଘଟଣା ଏକ ହାସ୍ୟାସ୍ପଦ କଥା ମାତ୍ର ହେବ ।”

ରାଜା ପଚାରିଲେ “ଆଚ୍ଛା, ଏବେ ତୁମେ କୁହ ବାଘକୁ କିପରି ରୋଗରୁ ରକ୍ଷା କରା ହେବ?” ପ୍ରତ୍ୟୁତ୍ତରରେ ରାଣୀ ଗିରିଜାଦେବୀ ଅଳ୍ପ ହସି ବଡ କୋମଳ ସ୍ୱରରେ କହିଲେ, “ମହାରାଜ, ଆପଣ ଯଦି ବିରକ୍ତ ନହେବେ ତେବେ କଥାଟିଏ କହିବି । ଆମର ଜ୍ୟେଷ୍ଠପୁତ୍ର ଯୁବରାଜ ଦୀପ୍ତିଶେଖର ଓ ଆନନ୍ଦବର୍ଦ୍ଧନଙ୍କ ଝିଅ ରାଜକୁମାରୀ ଚନ୍ଦନା ଏ ଦୁହେଁ ପରସ୍ପରକୁ ମନେମନେ ବିବାହ କରିବାକୁ ସ୍ଥିର କରିଛନ୍ତି । ଆପଣଙ୍କର ଏପ୍ରକାର ମନୋଭାବ ଦେଖି ମୁଁ ଏହି ସତ୍ୟକୁ ଲୁଚାଇ ରଖିଛି । ଆପଣ ଏକଥାରେ ଅମତ ନହେଲେ, ଏହି ଶୁଭକାର୍ଯ୍ୟ ଯଥାଶୀଘ୍ରହିଁ ସମ୍ପନ୍ନ ହେବ ଏବଂ ଆମେ ଆମ ବାଘ ପାଇଁ ଉପଯୁକ୍ତ ଔଷଧ ମଧ୍ୟ ପାଇ ପାରିବା ।”

ଏପରି ଅପ୍ରତ୍ୟାଶିତ କଥା ଶୁଣି ଶଶୀଧର କହିଲେ, “ଅସମ୍ଭବ, ମୋ ଶତୃ ସହିତ ବନ୍ଧୁ ସମ୍ପର୍କ ରଖିବାକୁ କହୁଛ? ମୋର ଶେଷ ନିଶ୍ୱାସ ଥିବା ପର୍ଯ୍ୟନ୍ତ ମୁଁ ନିଶ୍ଚୟ ଏହାର ପ୍ରତିବାଦ କରିବି ।”

ରାଣୀ ତ ଆଉ ଏତେ ସହଜରେ ହାରିଯିବା ଲୋକ ନୁହଁନ୍ତି; ସେ କହିଲେ, “ମହାରାଜ, ବାଘର ବାସସ୍ଥାନ ହେଉଛି ଜଙ୍ଗଲ । ତା’ର ସ୍ୱଭାବ କ୍ରୁର । କିନ୍ତୁ ମନୁଷ୍ୟମାନଙ୍କ ସହିତ ସେ ରହି ସାଧୁପରି ବ୍ୟବହାର କରୁଛି, ନିଜର କ୍ରୁରତା ଓ ପଶୁପ୍ରବୃତ୍ତି ସେ ସମ୍ପୂର୍ଣ୍ଣରୂପେ ଭୁଲି ଗଲାଣି । ଯଦି ସାଧାରଣ ପଶୁ ଭିତରେ ଏତେ ପରିବର୍ତ୍ତନ ସମ୍ଭବ, ତେବେ ଆମ ଭିତରେ କ’ଣ ଅଳ୍ପ ପରିବର୍ତ୍ତନ ସମ୍ଭବ ନୁହେଁ? ଆମେ ପରା ମଣିଷ ଜନ୍ମ ପାଇଛୁ । ପୁଣି ଆମ ମଧ୍ୟରେ ଜ୍ଞାନ, ବିଦ୍ୟା, ଶକ୍ତି, ବିବେକ୍, ବୁଦ୍ଧି ଭରପୁର ହୋଇ ଅଛି । ଆପଣ ପୁଣି ରାଜା, ଦେଶର ଓ ପ୍ରଜାଙ୍କର ରକ୍ଷାକର୍ତ୍ତା । ଅକାରଣରେ ଦେଶ ଆକ୍ରମଣ କରି ଜନହତ୍ୟା କରି ପାପଅର୍ଜନ କରିବାର ଆବଶ୍ୟକତା ବା କେଉଁଠି? ଏପରି କରିବା ଦ୍ୱାରା ତ ଆମେ ନିଜ ଭିତରେ ପଶୁପ୍ରବୃତ୍ତିକୁହିଁ ପ୍ରକଟ କରିବା । ମୋ କଥା ଆପଣଙ୍କୁ ଶୁଣିବାକୁ ବହୁତ ଖରାପ୍ ଲାଗୁଥିବ, ତେଣୁ କ୍ଷମା କରନ୍ତୁ । ଆପଣ ତ ବାଘଛୁଆର ମା’କୁ ମାରିଥିଲେ ସେଥିପାଇଁ କ’ଣ ସେ ପ୍ରତିଶୋଧ ନେବାକୁ ଚାହୁଁଛି? ଆପଣ ପୂର୍ବକଥାକୁ ନେଇ ରହିଛନ୍ତି, କ୍ଷମା ଦେଇ ପାରୁ ନାହାଁନ୍ତି? ଏହି କଥା ଭାବି ମୋତେ ଯେତିକି ଆଶ୍ଚର୍ଯ୍ୟ ଲାଗୁଛି, ସେତିକି ଦୁଃଖ ମଧ୍ୟ ଲାଗୁଛି ।”

ରାଣୀଙ୍କ କଥା ରାଜାଙ୍କ ମନକୁ ବହୁତ ପ୍ରଭାବିତ କଲା । ଅଳ୍ପ ସମୟ ଚିନ୍ତା କରିବା ପରେ ସେ ରାଜା ଦୀର୍ଘଶ୍ୱାସ ପକାଇ କହିଲେ, “ଠିକ୍ ଅଛି । ଆନନ୍ଦବର୍ଦ୍ଧନଙ୍କର ଏଥିରେ କୌଣସି ଆପତ୍ତି ନଥିଲେ ବିବାହର ବନ୍ଦୋବସ୍ତ କର । ମାତ୍ର ତା’ପୂର୍ବରୁ ସେଠାରୁ ଯେପରି ଔଷଧ ମଗାଇ ବାଘକୁ ଚିକିତ୍ସା କରାଯାଏ ।” ତା’ପରେ ସେ ରତ୍ନଗିରିକୁ ପଠାଇବାକୁ ଜଣେ ଦୂତକୁ ଡାକିବାକୁ କହିଲେ ।

ଇତିମଧ୍ୟରେ ପଶୁବୈଦ୍ୟ ରାଜାଙ୍କ ନିକଟକୁ ଆସି କହିଲେ, “ମହାରାଜ, କ୍ଷମା କରନ୍ତୁ ମୁଁ ଆପଣଙ୍କୁ ମିଥ୍ୟା କହିଥିଲି । ମୋ ପାଖରେ ଥିବା ଔଷଧରେ ବାଘ ଭଲ ହୋଇଯିବ । ଆପଣଙ୍କ ମଧ୍ୟରେ ପରିବର୍ତ୍ତନ ଆଣିବା ପାଇଁ ରତ୍ନଗିରି ଓ ମଣିପୁର ମଧ୍ୟରେ ବନ୍ଧୁତା ସ୍ଥାପନ କରିବାକୁ, ଦୁଇ ରାଜ୍ୟର ପ୍ରଜା ଯେପରି ସୁଖୀ ଓ ସମ୍ପନ୍ନ ହୁଅନ୍ତୁ, ଏହିସବୁ ବିଷୟକୁ ମନରେ ରଖି ମହାରାଣୀ ଏପରି ଯୋଜନା କରି ମୋ ଦ୍ୱାରା କାର୍ଯ୍ୟକାରୀ କରାଇ ଥିଲେ । ସେଥିପାଇଁ ମୋତେ କ୍ଷମା କରନ୍ତୁ ।”

ତାଙ୍କର ସମସ୍ତ କଥା ଶୁଣି ଶଶୀଧର ଅଳ୍ପ ହସି କହିଲେ, “ମହାରାଣୀଙ୍କୁ ତ ମୁଁ ପରେ ପୁରସ୍କାର ଦେବି । କିନ୍ତୁ ତୁମକୁ ମୁଁ ଯାହା ଦେଖିଲି ତୁମେ କେବଳ ପଶୁ ବୈଦ୍ୟ ନୁହଁ, ମଣିଷ ମଧ୍ୟରେ ଥିବା ପଶୁ ପ୍ରବୃତ୍ତିକୁ ବି ଉପଶମ କରାଇବାରେ ଦକ୍ଷ, ସେଥିପାଇଁ ତୁମକୁ ମୁଁ ଏବେହିଁ ପୁରସ୍କାର ଦେଉଛି ।” ଏହା କହି ସେ ରାଜା ତୁରନ୍ତ ନିଜ ଗଳାରୁ ରତ୍ନହାର କାଢି ପଶୁବୈଦ୍ୟଙ୍କୁ ତାହା ସେ ପୁରସ୍କାର ସ୍ୱରୂପ ଦେଲେ ।
        -----×----
     

Wednesday, December 8, 2021

ସମର୍ପଣ (topic - 112 ପିତୃଭକ୍ତି ) quote #quot

ପିତୃଭକ୍ତି - 112

ପିତୃଭକ୍ତି ବଳେ ମର୍ଯ୍ୟାଦା ପୁରୁଷ
     ରାଜା ଶ୍ରେଷ୍ଠ ରାମଚନ୍ଦ୍ର
ଶ୍ରବଣ କୁମାର ପିତୃ ମାତୃ ଭାର
      ସନ୍ତାନ ସମ୍ନାନାସ୍ପଦ
ପିତୃ ମାତୃ ସେବା ଯାହା ହୃଦେ ଉଭା
       ଦୁଃଖ କଷଣ ଛୁଏଁନା 
ପିତୃ ଭକ୍ତି ବଳେ ପୁତ୍ର ସଦା ସୁଖୀ 
     ମାଟି ଛୁଇଁ ଦେଲେ ସୁନା 
           - ପ୍ରବୀର ମଲ୍ଲିକ୍ 

ପିତୃଭକ୍ତି ଭାବ ହୃଦୟରେ ବହି
     ଚଳିଲେ ସଂସାର ହାଟ 
ଆପେ ଫିଟିଯାଏ ସବୁ ସମସ୍ୟାର
     ସୁକ୍ଷ୍ମ ସମାଧାନ ବାଟ...
ପିତୃଭକ୍ତି ବଳେ ପୁତ୍ର ଲଭେ ସୁଖ
     ସବୁ ଦୁଃଖ ଟାଳି ଦେଇ
ବେଙ୍ଗି ପିତଳ ବି ହୋଇଯାଏ ସୁନା
     ତାଙ୍କରି ପରଶ ପାଇ
              - ରାମଚନ୍ଦ୍ର ପ୍ରଧାନ 

ସମାଜେ ସମ୍ମାନ ପରିଚୟ ମିଳେ 
     ପିତୃ ଭକ୍ତି ଥିଲେ ହୃଦେ 
ପିତାଙ୍କୁ ସମ୍ମାନ ମିଳେ ନାହିଁ ଯେବେ 
        କୁଳ କୁଟୁମ୍ବକୁ ବାଧେ  
ପିତା ଯଦି ହୁଏ ଲମ୍ପଟ ମାନବ 
        ପୁତ୍ରଙ୍କ ଦିନ ଅସରା
କୁଳ ଗୋତ୍ର ନାମ କଳଙ୍କିତ ହୁଏ
       ନାକ ଟେକି ହସେ ଧରା 
                  - ଟୁକୁନା ସାହୁ

କଥା ପିତୃଭକ୍ତି ଜାଣିଛି ଜଗତୀ
     ପୁରୁଣା ଠାରୁ ପୁରାଣ
କାନ୍ଧେ ବାପା ମାଆ  ଆହ୍ଲାଦିତେ ହିଆ
       ସୁସନ୍ତାନ ଟେ ଶ୍ରବଣ
ଚଉଦ ବରଷ ଆହା ବନବାସ
     ତ୍ରେତୟେ ନିରେଖି ଚାହଁ
ଶାଶ୍ୱତେ ଶ୍ରୀରାମ ଆଦ୍ୟ ଅନୁଗାମ
         ପିତୃଭକ୍ତି ପରିଚୟ
                - ଦାଶରଥି ସାହୁ 

ପିତୃଭକ୍ତି ଅଟେ  ଆଦର୍ଶ ଆମର 
        ଜୀବନର ଚଲାବାଟ 
 ପିତୃଭକ୍ତି ବିନା  ନିରସ ଜୀବନ 
         ନିଶ୍ଚିତ କଷଣ ଛାଟ 
ରାମ ପ୍ରହଲ୍ଲାଦ ଆଦି କେତେ ଗାଥା 
       ପୁରାଣରେ ଅଛି ଲେଖା
  ବୃଦ୍ଧାଶ୍ରମ ଗଢ଼ି  ଆଜିର ମଣିଷ
         ସମାଜକୁ ଦିଏ ଶିକ୍ଷା 
         ଘେନି ଶ୍ରବଣ ଗାଥା  
   ସଂସ୍କୃତି ସଂସ୍କାର ପରିପୂର୍ଣ୍ଣ ହେଉ 
         ନେଇ ପିତୃଭକ୍ତି ଦୀକ୍ଷା .... 
                - ସନ୍ତୋଷ ପଟ୍ଟନାୟକ

ଥିଲେ ପିତୃଭକ୍ତ  ଅଯୋଧ୍ୟା ନରେଶ
       ପ୍ରଭୁ ସୀତାପତି ରାମ
ପିତୃ ସତ୍ଯ ପାଳି ବନବାସ ଯାଇ
       ରଖିଲେ ପିତାଙ୍କ ମାନ
 ପିତୃଭକ୍ତ ମଧ୍ଯ  ପର୍ଶୁରାମ ଥିଲେ 
      ପୁରାଣ କହେ ଏ କଥା
ପିତାଙ୍କ ଆଦେଶେ  ମସ୍ତକ ଛେଦିଣ
       ମାତାଙ୍କୁ କରିଲେ  ହତ୍ଯା
        ମିଳେ ଏଇ ନୀତିଶିକ୍ଷା 
 ପିତାଙ୍କ ଆଦେଶ ପାଳିବା ଅଟଇ
          ପୁତ୍ରଙ୍କର ଦିନଚର୍ଯ୍ୟା 
                  - ରବିନ୍ଦ୍ର ସାହୁ

ସମାଜେ ସମ୍ମାନ ପରିଚୟ ମିଳେ 
      ପିତୃ ଭକ୍ତି ଥିଲେ ହୃଦେ 
ପିତାଙ୍କୁ ସମ୍ମାନ ମିଳେ ନାହିଁ ଯେବେ 
      କୁଳ କୁଟୁମ୍ବକୁ ବାଧେ  
ପିତା ଯଦି ହୁଏ ଲମ୍ପଟ ମାନବ 
       ପୁତ୍ରଙ୍କ ଦିନ ଅସରା
କୁଳ ଗୋତ୍ର ନାମ କଳଙ୍କିତ ହୁଏ
      ନାକ ଟେକି ହସେ ଧରା
                   - ଟୁକୁନା ସାହୁ

ପିତାଙ୍କ ବଚନରଖି ପର୍ଶୁରାମ
              ମାତାଙ୍କୁ ବଧିଲେ 
ପିତୃସତ୍ୟ ରକ୍ଷା ପାଇଁ ରଘୁବୀର
              ବନବାସ ଗଲେ 
ନେତ୍ରହିନ ମାତା ପିତାଙ୍କୁ ଶ୍ରବଣ
          କାନ୍ଧେ ବୋହୁଥିଲେ 
ପିତୃଭକ୍ତି ନାହିଁ କଳିରେ ମାତା,ପିତା
                ବୃଦ୍ଧାଶ୍ରମ ଗଲେ 
                - ରାଧା କୃଷ୍ଣ ବାୟକ 

ହଜି ଯାଇ ଅଛି  ତ୍ରେତୟା ଦ୍ବାପର
         ନାହିଁ ଆଜି ପିତୃଭକ୍ତି
ବୁଦ୍ଧାଶ୍ରମ ନେଇ  ଛାଡନ୍ତି ପିତାଙ୍କୁ
        ଅଯୋଥାରେ କରି ଯୁକ୍ତି

ପିତୃଭକ୍ତି ନାହିଁ   ଯାହାର ହୃଦୟେ
          ପଶୁ ଠାରୁ ସିଏ ହୀନ
ତାରି ପାଇଁ କି ତା  ପୁତ୍ର ଯେ ଦିନେ
        ଖୋଲିଦେବ ବୁଦ୍ଧାଶ୍ରମ
                 -  ଜଗବନ୍ଧୁ ସାହୁ

ମାତାଙ୍କ ଗରଭୁ ଲଭିଲି ଜନମ 
ପିତାଙ୍କ କୋଳେ ବଢ଼ିଲି, 
ସଂସ୍କାର ସଂସ୍କୃତି ପରମ୍ପରା ପାଠ 
ଯେତେ ଯାହା ମୁଁ ଶିଖିଲି। 
ତୁମ ନୀତି ଆଦର୍ଶ ପାଥେୟ କରି 
ସଂସାର ଦାଣ୍ଡେ ଚାଲିଲି, 
ଦିଅ ଆଶୀର୍ବାଦ ଜୀବନେ ମୋହର 
ଚରଣେ ମଥା ପାତିଲି। 
     ✍️ଅଧମ ନୀହାର ରଞ୍ଜନ ଆଚାର୍ଯ୍ୟ

Monday, December 6, 2021

■ 🏹 ରାମଚରିତ ମାନସର କେତେକ ରୋଚକ ତଥ୍ୟ 🏹

■ 🏹 ରାମଚରିତ ମାନସର କେତେକ ରୋଚକ ତଥ୍ୟ🏹 

୧: ଲଙ୍କାରେ ଶ୍ରୀରାମଚନ୍ଦ୍ର= ୧୧୧ ଦିନ ଥିଲେ।
୨: ଲଙ୍କାରେ ଦେବୀ ସୀତା= ୪୩୫ ଦିନ ଥିଲେ।
୩: ମାନସ ରେ ଶ୍ଳୋକ ସଂଖ୍ୟା= ୨୭ ଅଟେ।
୪: ମାନସ ରେ ଚୋପାଈ ସଂଖ୍ୟା= ୪୬୦୮ ଅଟେ।
୫: ମାନସ ରେ ଦୋହା ସଂଖ୍ୟା= ୧୦୭୪ ଅଟେ।
୬: ମାନସ ରେ ସୋରଠା ସଂଖ୍ୟା= ୨୦୭ ଅଟେ।
୭: ମାନସ ରେ ଛନ୍ଦ ସଂଖ୍ୟା= ୮୬ ଅଟେ।
୮: ସୁଗ୍ରୀବଙ୍କ ବଳ ଥିଲା= ୧୦,୦୦୦ ହାତୀ ର।
୯: ସୀତା ମହାରାଣୀ ହୋଇଥିଲେ= ୩୩ ବର୍ଷ ବୟସରେ।
୧୦: ମାନସ ରଚନା ସମୟରେ ତୁଳସୀଦାସଙ୍କ ବୟସ= ୭୭ ବର୍ଷ ଥିଲା।
୧୧: ପୁଷ୍ପକ ବିମାନର ଗତି= ୪୦୦ ମାଇଲ୍/ଘଣ୍ଟା ଥିଲା।
୧୨: ରାମଦଳ ତଥା ରାବଣ ଦଳର ଯୁଦ୍ଧ= ୮୭ ଦିନ ଚାଲିଥିଲା।
୧୩: ରାମ ରାବଣ ଯୁଦ୍ଧ= ୩୨ ଦିନ ଚାଲିଥିଲା।
୧୪: ସେତୁ ନିର୍ମାଣ= ୫ ଦିନରେ ହୋଇଥିଲା।
୧୫: ନଳ ଓ ନୀଳ ଙ୍କ ପିତା= ବିଶ୍ଵକର୍ମା ଅଟନ୍ତି।
୧୬: ତ୍ରିଜଟା ଙ୍କ ପିତା= ବିଭୀଷଣ ଅଟନ୍ତି।
୧୭: ବିଶ୍ଵାମିତ୍ର ରାମଙ୍କୁ ନେଇ ଯାଇଥିଲେ= ୧୦ ଦିନ ପାଇଁ ।
   
● ଶ୍ରୀରାମଚନ୍ଦ୍ରଙ୍କ ପିତାମହ ପ୍ରପିତାମହ ଙ୍କ ନାମ କଣ ଥିଲା ? ଜାଣନ୍ତୁ :-
୧- ବ୍ରହ୍ମା ଙ୍କ ପୁତ୍ର ମରୀଚି,
୨- ମରୀଚି ଙ୍କ ପୁତ୍ର କଶ୍ୟପ, 
୩- କଶ୍ୟପଙ୍କ ପୁତ୍ର ଥିଲେ ବିବସ୍ଵାନ, 
୪- ବିବସ୍ଵାନଙ୍କ ପୁତ୍ର ବୈବସ୍ୱତ ମନୁ ଅଟନ୍ତି, ବୈବସ୍ଵତ ମନୁଙ୍କ ସମୟରେ ଜଳ ପ୍ରଳୟ ହୋଇଥିଲା।
୫- ବୈବସ୍ଵତ ମନୁ ଙ୍କ ଦଶ ପୁତ୍ରଙ୍କ ମଧ୍ୟରୁ ଜଣକର ନାମ ଇକ୍ଷ୍ବାକୁ ଥିଲା, ଇକ୍ଷ୍ବାକୁ ଙ୍କ *ଅଯୋଧ୍ୟା* ନାମକ ଏକ ରାଜଧାନୀ ଥିଲା ଏବଂ ସେ ଇକ୍ଷ୍ବାକୁ କୁଳର ସ୍ଥାପନା କରିଥିଲେ।
୬- ଇକ୍ଷ୍ବାକୁ ଙ୍କ ପୁତ୍ର କୁକ୍ଷି ଥିଲେ, 
୭- କୁକ୍ଷି ଙ୍କ ପୁତ୍ରଙ୍କ ନାମ ବିକୁକ୍ଷି ଥିଲା, 
୮- ବିକୁକ୍ଷି ଙ୍କ ପୁତ୍ର ଵାଣ ଥିଲେ, 
୯- ଵାଣ ଙ୍କ ପୁତ୍ର ଅନରଣ୍ୟ ଥିଲେ, 
୧୦- ଅନରଣ୍ୟ ଙ୍କ ଠାରୁ ପୃଥୁ ଜନ୍ମ ହୋଇଥିଲେ, 
୧୧- ପୃଥୁ ଙ୍କ ଠାରୁ ତ୍ରିଶଙ୍କୁ ଜନ୍ମ ନେଇଥିଲେ, 
୧୨- ତ୍ରିଶଙ୍କୁ ଙ୍କ ପୁତ୍ର ଧୁଂଧୁମାର ଥିଲେ, 
୧୩- ଧୁନ୍ଧୁମାର ଙ୍କ ପୁତ୍ରଙ୍କ ନାମ ଥିଲା ଯୁବନାଶ୍ଵ, 
୧୪- ଯୁବନାଶ୍ଵ ଙ୍କ ପୁତ୍ର ମାନ୍ଧାତା ଅଟନ୍ତି, 
୧୫- ମାନ୍ଧାତାଙ୍କ ଠାରୁ ସୁସନ୍ଧି ଜନ୍ମ ହୋଇଥିଲେ, 
୧୬- ସୁସନ୍ଧି ଙ୍କ ଦୁଇଜଣ ପୁତ୍ର ଥିଲେ- ଧ୍ରୁବସନ୍ଧି ଏବଂ ପ୍ରସେନଜିତ, 
୧୭- ଧ୍ରୁବସନ୍ଧି ଙ୍କ ପୁତ୍ର ଭରତ ଅଟନ୍ତି, 
୧୮- ଭରତ ଙ୍କ ପୁତ୍ର ଅସିତ ଅଟନ୍ତି, 
୧୯- ଅସିତ ଙ୍କ ପୁତ୍ର ସଗର ଅଟନ୍ତି, 
୨୦- ସଗର ଙ୍କ ପୁତ୍ରଙ୍କ ନାମ ଅସମଂଜ ଥିଲା, 
୨୧- ଅସମଂଜ ଙ୍କ ପୁତ୍ରଙ୍କ ନାମ ଅଂଶୁମାନ ଥିଲା, 
୨୨- ଅଂଶୁମାନ ଙ୍କ ପୁତ୍ରଙ୍କ ନାମ ଦିଲୀପ ଥିଲା, 
୨୩- ଦିଲୀପ ଙ୍କ ପୁତ୍ର ଭଗୀରଥ ଥିଲେ, ଭଗୀରଥ ଗଙ୍ଗାଙ୍କୁ ପୃଥିବୀ ପୃଷ୍ଠକୁ ଆଣିଥିଲେ, ତାଙ୍କ ପୁତ୍ରଙ୍କ ନାମ ଥିଲା କକୁତ୍ସ୍ଥ, 
୨୪- କକୁତ୍ସ୍ଥ ଙ୍କ ପୁତ୍ର ରଘୁ ଅଟନ୍ତି, ରଘୁ ଜଣେ ଅତ୍ୟନ୍ତ ତେଜସ୍ଵୀ ଏବଂ ପରାକ୍ରମୀ ରାଜା ହୋଇଥିବାରୁ ତାଙ୍କ ପରେ ତାଙ୍କ ନାମାନୁସାରେ ତାଙ୍କ ବଂଶର ନାମ  # ରଘୁବଂଶ ହୋଇଥିଲା, ସେହି ଦିନଠାରୁ ଶ୍ରୀରାମ ଙ୍କ ବଂଶ ରଘୁବଂଶ ନାମରେ ପରିଚିତ।
୨୫- ରଘୁ ଙ୍କ ପୁତ୍ର ପ୍ରବୃଦ୍ଧ ଅଟନ୍ତି, 
୨୬- ପ୍ରବୃଦ୍ଧ ଙ୍କ ପୁତ୍ର ଶଂଖଣ ଅଟନ୍ତି, 
୨୭- ଶଂଖଣ ଙ୍କ ପୁତ୍ର ସୁଦର୍ଶନ ଅଟନ୍ତି, 
୨୮- ସୁଦର୍ଶନ ଙ୍କ ପୁତ୍ରଙ୍କ ନାମ ଅଗ୍ନିବର୍ଣ ଥିଲା, 
୨୯- ଅଗ୍ନିବର୍ଣ ଙ୍କ ପୁତ୍ର ଶୀଘ୍ରଗ ଥିଲେ, 
୩୦- ଶୀଘ୍ରଗ ଙ୍କ ପୁତ୍ର ନାମ ମରୁ ଥିଲା, 
୩୧- ମରୁ ଙ୍କ ପୁତ୍ର ପ୍ରଶୁଶ୍ରୁକ ଥିଲେ, 
୩୨- ପ୍ରଶୁଶ୍ରୁକ ଙ୍କ ପୁତ୍ର ଅମ୍ବରୀଷ ଥିଲେ, 
୩୩- ଅମ୍ବରୀଷ ଙ୍କ ପୁତ୍ରଙ୍କ ନାମ ନହୁଷ ଥିଲା, 
୩୪- ନହୁଷ ଙ୍କ ପୁତ୍ରଙ୍କ ନାମ ଯଯାତି ଥିଲା, 
୩୫- ଯଯାତି ଙ୍କ ପୁତ୍ରଙ୍କ ନାମ ନାଭାଗ ଥିଲା, 
୩୬- ନାଭାଗ ଙ୍କ ପୁତ୍ରଙ୍କ ନାମ ଅଜ ଥିଲା, 
୩୭- ଅଜ ଙ୍କ ପୁତ୍ରଙ୍କ ନାମ ଦଶରଥ ଥିଲା, 
୩୮- ଦଶରଥଙ୍କର ଚାରିଜଣ ପୁତ୍ର ରାମ, ଭରତ, ଲକ୍ଷ୍ମଣ ତଥା ଶତ୍ରୁଘ୍ନ ଥିଲା।

ଏହିପରି ବ୍ରହ୍ମାଙ୍କ ଅଣଚାଳିଶ (୩୯) ବଂଶରେ ଶ୍ରୀରାମଙ୍କ ଜନ୍ମ ହୋଇଥିଲେ।

                         🔱⚕️🔱 *ଧର୍ମ ଜ୍ଞାନ* 🔱⚕️🔱

ସମସ୍ତ ହିନ୍ଦୁ ସଂସ୍କାରୀଙ୍କୁ ଅନୁରୋଧ ଏହାକୁ ଧୌର୍ଯ୍ୟର ସହ ପଢି ନିଜର ଯୁବପୀଢ଼ିଙ୍କ ଧର୍ମ ଜ୍ଞାନକୁ ବଢାଇବା ପାଇଁ ଅଧିକ ରୁ ଅଧିକ ଅନ୍ୟଙ୍କୁ ଅଗ୍ରସର କରିବା ପାଇଁ ଚେଷ୍ଟା କରିବେ ।

● ମହାଭାରତ:-
ପାଣ୍ଡୁ ଓ ଧୃତରାଷ୍ଟ୍ର ଦୁଇ ଭ୍ରାତା ଥିଲେ ।

ପାଣ୍ଡଵମାନେ ପାଞ୍ଚ ଭାଇଥିଲେ ଯାହାଙ୍କ ନାମ -

୧.ଯୁଧିଷ୍ଠିର ୨.ଭୀମ ୩.ଅର୍ଜୁନ ୪.ନକୁଳ ୫.ସହଦେଵ

ଏଠି ଧ୍ୟାନ ରହେ ଯେ .... ପାଣ୍ଡୁଙ୍କ ଉପରୋକ୍ତ ପାଞ୍ଚ ପୁତ୍ର ମଧ୍ୟରୁ ଯୁଧିଷ୍ଠିର, ଭୀମ ଓ ଅର୍ଜୁନ ମାତା କୁନ୍ତୀଙ୍କ ପୁତ୍ର ଥିଲେ । ନକୁଳ ଓ ସହଦେଵ ମାତା ମାଦ୍ରୀଙ୍କ ପୁତ୍ର ଥିଲେ ।

ଏହି ପାଞ୍ଚ ଜଣଙ୍କ ଛଡା, ମହବଳୀ କର୍ଣ୍ଣ ମଧ୍ୟ କୁନ୍ତୀଙ୍କ ପୁତ୍ର ଥିଲେ, କିନ୍ତୁ ତାଙ୍କୁ ପାଣ୍ଡବମାନଙ୍କ ଭିତରେ ଗଣା ଯାଏନାହିଁ ।

ଅନ୍ୟପକ୍ଷରେ କୌରବରେ,
ଧୃତରାଷ୍ଟ୍ର ଓ ଗାନ୍ଧାରୀଙ୍କ ଶତ ପୁତ୍ର ଥିଲେ । ଯାହାଙ୍କ ନାମ :-

୧.ଦୁର୍ଯ୍ୟୋଧନ ୨.ଦୁଃଶାସନ ୩.ଦୁଃସହ ୪.ଦୁଃଶଳ ୫.ଜଳସନ୍ଧ ୬.ସମ ୭.ସହ ୮.ବିନ୍ଦ ୯.ଅନୁବିନ୍ଦ ୧୦.ଦୁର୍ଦ୍ଧର୍ଷ ୧୧.ସୁବାହୁ ୧୨.ଦୁଷପ୍ରଦର୍ଶନ ୧୩.ଦୁର୍ମର୍ଷଣ ୧୪.ଦୁର୍ମୁଖ ୧୫.ଦୁଷ୍କର୍ଣ ୧୬.ବିକର୍ଣ୍ଣ ୧୭.ଶଳ ୧୮.ସତ୍ୱାନ ୧୯.ସୁଲୋଚନ ୨୦.ଚିତ୍ର ୨୧.ଉପଚିତ୍ର ୨୨.ଚିତ୍ରାକ୍ଷ ୨୩.ଚାରୁଚିତ୍ର ୨୪.ଶରାସନ ୨୫.ଦୁର୍ମଦା ୨୬.ଦୁର୍ବିଗାହ ୨୭.ବିବିତ୍ସୁ ୨୮.ବିକଟାନନ୍ଦ ୨୯.ଉର୍ଣ୍ଣନାଭ ୩୦.ସୁନାଭ ୩୧.ନନ୍ଦ ୩୨.ଉପନନ୍ଦ ୩୩.ଚିତ୍ରବାଣ ୩୪.ଚିତ୍ରବର୍ମା ୩୫.ସୁବର୍ମା ୩୬.ଦୁର୍ବିମୋଚନ ୩୭.ଅୟୋବାହୁ ୩୮.ମହାବାହୁ ୩୯.ଚିତ୍ରାଙ୍ଗ ୪୦.ଚିତ୍ରକୁଣ୍ଡଳ ୪୧.ଭୀମବେଗ ୪୨.ଭୀମବଳ ୪୩.ବାଲାକୀ ୪୪.ବଳବର୍ଦ୍ଧନ ୪୫.ଉଗ୍ରାଯୁଦ୍ଧ ୪୬.ସୁଷେର୍ଣ ୪୭.କୁଣ୍ଡଧର ୪୮.ମହଦୋର ୪୯.ଚିତ୍ରାଯୁଦ୍ଧ ୫୦.ନିସଙ୍ଗୀ ୫୧.ପାସି ୫୨.ବୃନ୍ଦାରକ ୫୩.ଦୃଢ଼ବର୍ମା ୫୪.ଦୃଢ଼କ୍ଷେତ୍ର ୫୫.ସୋମକୀର୍ତ୍ତି ୫୬.ଅନୁଦର ୫୭.ଦଢସଂଘ ୫୮.ଜରାସଂଘ ୫୯.ସତ୍ୟସଂଘ ୬୦.ସଦସୁବାକ ୬୧.ଉଗ୍ରଶ୍ରବା ୬୨.ଉଗ୍ରସେନ ୬୩.ସେନାନୀ ୬୪.ଦୁଷ୍ପରାଜୟ ୬୫.ଅପରାଜିତ ୬୬.କୁଣ୍ଡସାୟୀ ୬୭.ବିଶାଲାକ୍ଷ ୬୮.ଦୁରାଧର ୬୯.ଦ୍ରୁଢହସ୍ତ ୭୦.ସୁହସ୍ତ ୭୧.ବାତବେଗ ୭୨.ସୁବର୍ଚ୍ଚ ୭୩.ଆଦିତ୍ୟକେତୁ ୭୪.ବହ୍ମାଶ୍ରୀ ୭୫.ନାଗଦତ୍ତ ୭୬.ଉଗ୍ରସାୟୀ ୭୭.କବଚି ୭୮.କ୍ରଥନ ୭୯.କୁଣ୍ଡି ୮୦.ଭୀମବିକ୍ର ୮୧.ଧନୁର୍ଦ୍ଧର ୮୨.ବିରବା ୮୩.ଅଳଲୁପ ୮୪.ଅଭୟ ୮୫.ଦୃଢ଼କର୍ମା ୮୬.ଦୃଢ଼ରଥାଶ୍ରୟ ୮୭.ଅନାଧୃଷ୍ୟ ୮୮.କୁଣ୍ଡଭେଦି ୮୯.ବିରବୀ ୯୦.ଚିତ୍ରକୁଣ୍ଡଳ ୯୧.ପ୍ରଧମ ୯୨.ଅମାପ୍ରମାଥି ୯୩.ଦୀର୍ଘରୋମା ୯୪.ସୁବିର୍ଯ୍ୟଵାନ ୯୫.ଦୀର୍ଘବାହୁ ୯୬.ସୁଜାତ ୯୭.କନକଧ୍ୱଜ ୯୮.କୁଣ୍ଡାଶୀ ୯୯.ବିରଜ ୧୦୦. ଯୁଜୁସ୍ତୁ ।

ଏହି ଶତଭ୍ରାତା ଛଡା କୌରବର ଗୋଟିଏ ଭଗ୍ନୀ ବି ଥିଲା, ଯାହାର ନାମ ଦୃଶଳା ଥିଲା ଏବଂ ତାହାର ବିବାହ ଜୟଦ୍ରଥ ସହିତ ହୋଇଥିଲା ।

● ଶ୍ରୀମଦ ଭାଗବତ ଗୀତା :-
ଓଁ- ଗୀତା କିଏ କାହାକୁ ଶୁଣାଇ ଥିଲେ ?
ଉ- ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଶୁଣାଇ ଥିଲେ।
ଓଁ- କେବେ ଶୁଣାଇ ଥିଲେ ?
ଉ- ଆଜିକୁ ପ୍ରାୟ ୭ ହଜାର ବର୍ଷ ଆଗେ।
ଓଁ- କେଉଁ ବାରରେ ଗୀତା ଶୁଣାଇ ଥିଲେ ?
ଉ- ରବିବାର ।
ଓଁ- କେଉଁ ତିଥିରେ ?
ଉ- ଏକାଦଶୀ ।
ଓଁ- କୋଉଠି ଶୁଣାଇଥିଲେ ?
ଉ- କୁରୁକ୍ଷେତ୍ର ର ଯୁଦ୍ଧ କ୍ଷେତ୍ରରେ।
ଓଁ- କେତେ ସମୟରେ ଶୁଣାଇ ଥିଲେ ?
ଉ- ପାଖା ପାଖି ୪୫ ମିନିଟରେ।
ଓଁ- କାହିଁକି ଶୁଣାଇ ଥିଲେ ?
ଉ- କର୍ତ୍ତବ୍ୟରୁ ଓହରି ଯାଇଥିବା ଅର୍ଜୁନଙ୍କୁ କର୍ତ୍ତବ୍ୟ ଶିଖାଇବା ପାଇଁ ଓ ଭବିଷ୍ୟତରେ ମାନବ ସମାଜକୁ ଧର୍ମ ବିଷୟକ ଜ୍ଞାନ ଶିଖିବା ଲାଗି।
ଓଁ- ଗୀତାରେ କେତେ ଅଧ୍ୟାୟ ?
ଉ- ୧୮ ଅଧ୍ୟାୟ।
ଓଁ- କେତୋଟି ଶ୍ଳୋକ ଅଛି ?
ଉ- ୭୦୦ ଶ୍ଳୋକ।
ଓଁ- ଗୀତାରେ କେଉଁ କେଉଁ ବିଷୟରେ ଚର୍ଚ୍ଚା ହୋଇଛି ?
ଉ- ଜ୍ଞାନ-ଭକ୍ତି-କର୍ମ ଯୋଗର ବିସ୍ତୃତ ବ୍ୟାଖ୍ୟା କରାଯାଇଛି। ଏହି ମାର୍ଗରେ ଚାଲିଲେ ଜଣେ ବ୍ୟକ୍ତି ପରମ ପଦର ଅଧିକାରୀ ହୋଇପାରିବ।
ଓଁ- ଗୀତାକୁ ଅର୍ଜୁନଙ୍କ ଛଡା କିଏ କିଏ ଶୁଣିଥିଲେ ?
ଉ- ଧ୍ରୁତରାଷ୍ଟ୍ର ଓ ସଞ୍ଜୟ।
ଓଁ- ଅର୍ଜୁନଙ୍କ ଆଗରୁ ଗୀତାର ପାବନ ଜ୍ଞାନ କାହାକୁ ମିଳିଥିଲା ?
ଉ- ଭଗବାନ ସୂର୍ଯ୍ୟ ଦେବତାଙ୍କୁ।
ଓଁ- ଗୀତାର ଗଣନା କୋଉ ଧର୍ମ ଗ୍ରନ୍ଥରେ ମିଳେ ?
ଉ- ଉପନିଷଦ ରେ।
ଓଁ- ଗୀତା କେଉଁ ମହାଗ୍ରନ୍ଥର ଭାଗ ଅଟେ ?
ଉ- ଗୀତା ମହାଭାରତର ଶାନ୍ତି ପର୍ବର ଏକ ଭାଗ ଅଟେ।
ଓଁ- ଗୀତାର  ଅନ୍ୟ ନାମ କଣ ?
ଉ- ଗୀତୋପନିଷଦ।
ଓଁ- ଗୀତାର ସାର କଣ ?
ଉ- ପ୍ରଭୁ ଶ୍ରୀ କୃଷ୍ଣଙ୍କର ଶରଣ ଯିବା।
ଓଁ- ଗୀତାରେ କିଏ କେତେ ଶ୍ଳୋକ କହିଥିଲେ ?
ଉ- ଶ୍ରୀ କୃଷ୍ଣ-୫୭୪, ଅର୍ଜୁନ-୮୫, ଧୃତରାଷ୍ଟ୍ର-୧ ଏବଂ ସଞ୍ଜୟ- ୪୦।

■ ଅଳ୍ପ ଜ୍ଞାନ ବିପଦପୂର୍ଣ୍ଣ 

ହିନ୍ଦୁମାନଙ୍କ ତେତିଶ(୩୩) କୋଟି ଦେବୀ ଦେବତା ନୁହେଁ ଏହା ତେତିଶ(୩୩) କୋଟି । 

■ ଏଠି "କୋଟି" ଅର୍ଥ "ପ୍ରକାର" ।

ଦେବନଗରୀ (ସଂସ୍କୃତ) ଭାଷାରେ "କୋଟି" ର ଦୁଇଟି ଅର୍ଥ ରହିଛି ଗୋଟିଏ କୋଟି (ପ୍ରକାର) ଅନ୍ୟ କୋଟି (ସଂଖ୍ୟା) କୁ ବୁଝାଯାଏ ।

ହିନ୍ଦୁ ଧର୍ମର ଦୁଃପ୍ରଚାର କରିବା ପାଇଁ କିଛି ବ୍ୟକ୍ତି ଏହି କଥାକୁ ଭୁଲ ଅର୍ଥରେ ଉଡାଇ ଚାଲିଛନ୍ତି । ଆଉ ଏବେତ କିଛି ଅଜ୍ଞାନୀ ହିନ୍ଦୁ ଏହା ଗାଇ ଚାଲିଛନ୍ତି ଯେ ଆମର ତେତିଶ କୋଟି ଦେବୀ ଦେବତା ଅଛନ୍ତି.... ଅଥଚ ଅନ୍ୟ ଧର୍ମର ଧର୍ମଗୁରୁ ମନେ ସେମାନଙ୍କ ନାମ ପଚାରିଲା ବେଳକୁ ଏ ଅଜ୍ଞାନୀ ମାନେ ମୁକ ହୋଇ ଯାଆନ୍ତି ।

● ସର୍ବମୋଟ ତେତିଶ (୩୩) ପ୍ରକାର ଦେବୀ ଦେବତା ହିନ୍ଦୁ ଧର୍ମରେ ଅଛନ୍ତି ।

● ବାର(୧୨) ପ୍ରକାର :- ଆଦିତ୍ୟ:
୧.ଧାତା, ୨.ମିତ୍ର , ୩.ଅର୍ଯ୍ୟାମା, ୪.ଶକ୍ରା, ୫.ବରୁଣ, ୬.ଅଂଶୁମାନ , ୭.ତୁଷ୍ଟା , ୮.ବିବାସ୍ୱାନ, ୯.ପୂଷ, ୧୦.ପର୍ଜନ୍ୟ, ୧୧.ଭବ ଏବଂ ୧୨.ବିଷ୍ଣୁ ..।

●ଆଠ (୮) ପ୍ରକାର :- ବାସୁ:
୧.ଘର, ୨.ଧ୍ରୁବ, ୩.ସୋମ, ୪.ଅହ, ୫.ଅନୀଳ, ୬.ଅନଳ, ୭.ପ୍ରତୁଷ ଏବଂ ୮.ପ୍ରଭାଷ...।
● ଏଗାର (୧୧) ପ୍ରକାର :- ରୁଦ୍ର:
୧.ହର, ୨.ବହୁରୂପ, ୩.ତ୍ରୟଂବକ, ୪.ଅପରାଜିତା, ୫.ବୃଷାକାପି, ୬.ଶମ୍ଭୁ, ୭.କପାଆର୍ଡି, ୮.ରେବାତ, ୯.ମୃଗବ୍ୟାଧ, ୧୦.ଶର୍ବା ଏବଂ ୧୧.କପାଳି...।
ଏବଂ
●ଦୁଇ (୨) ପ୍ରକାର :-
୧.ଅଶ୍ୱିନୀ, ୨.କୁମାର...।

 ● ସର୍ବମୋଟ:- ୧୨+୮+୧୧+୨=୩୩  କୋଟି (ପ୍ରକାର)...।

ଦେବୀ ଦେବତାଙ୍କ ପାଖରେ ହାତ ଯୋଡି ପ୍ରାର୍ଥନା କରିବା ପୂର୍ବରୁ ଉପର ଲିଖିତ ସମସ୍ତ ତଥ୍ୟ ଜାଣିବା ସାଧାରଣତଃ ଜଣେ ହିନ୍ଦୁଙ୍କ ପକ୍ଷରେ ନିହାତି  ଆବଶ୍ୟକ।👆

ଭାରତ ସଂସ୍କୃତି ତଥା ହିନ୍ଦୁ ଶାସ୍ତ୍ର ସହିତ ଜଡ଼ିତ କିଛି ସାଧାରଣ କଥା ଯାହା ସମସ୍ତଙ୍କ ଗୋଚରରେ ରହିବା ଆବଶ୍ୟକ । 👇

● ଦୁଇ (୨) ପକ୍ଷ  :-
୧.କୃଷ୍ଣ ପକ୍ଷ, ୨.ଶୁକ୍ଳ ପକ୍ଷ ।

● ତିନି (୩) ଋଣ  :-
୧.ଦେବ ଋଣ, ୨.ପିତୃ ଋଣ, ୩.ଋଷି ଋଣ ।

● ଚାରି (୪) ଯୁଗ :-
୧.ସତ୍ୟ ଯୁଗ, ୨.ତ୍ରେତୟା ଯୁଗ, ୩.ଦ୍ୱାପର ଯୁଗ, ୪.କଳି ଯୁଗ ।

● ଚାରି (୪) ଧାମ :-
୧.ଦ୍ଵାରିକା, ୨.ବଦ୍ରିନାଥ, ୩.ଜଗନ୍ନାଥ, ୪.ରାମେଶ୍ୱମ ।

● ଚାରି (୪) ପୀଠ :-
୧.ଶାରଦା ପୀଠ (ଦ୍ଵାରିକା, ଗୁଜୁରାଟ), ୨.ଜ୍ୟୋତିଷ ପୀଠ (ଯୋଶୀମଠ, ବଦ୍ରିଧାମ, ଉତ୍ତରାଖଣ୍ଡ ), ୩.ଗୋବର୍ଦ୍ଧନ ପୀଠ (ଜଗନ୍ନାଥ, ପୁରୀ, ଓଡ଼ିଶା), ୪.ଶୃଙ୍ଗେରୀ ଶାରଦା ପୀଠ (ଶୃଙ୍ଗେରୀ, କର୍ଣ୍ଣାଟକ) ।

● ଚାରି (୪) ବେଦ  :-
୧.ରୁକବେଦ, ୨.ଅଥର୍ବେଦ, ୩.ଯଦୁର୍ବେଦ, ୪.ସାମ ବେଦ ।

● ଚାରି (୪) ଆଶ୍ରମ :-
୧.ବ୍ରହ୍ମଚର୍ଯ୍ୟ, ୨.ଗୃହସ୍ଥ, ୩.ବାନପ୍ରସ୍ଥ, ୪.ସନ୍ୟାସ ।

● ଚାରି (୪) ଅନ୍ତ :-
୧.ମନ, ୨.ବୁଦ୍ଧି, ୩.ଚିତ୍ତ, ୪.ଅହଙ୍କାର ।

● ପଞ୍ଚ ଅମୃତ :-
୧.ଗାଈ ଘିଅ, ୨.ଗାଈ ଦୁଗ୍ଧ, ୩.ଦହି, ୪.ଗୋମୂତ୍ର, ୫.ଗୋବର ।

● ପଞ୍ଚ (୫) ଦେଵତା :-
୧.ଗଣେଶ, ୨.ବିଷ୍ଣୁ, ୩.ଶିଵ, ୪.ଦେବୀ, ୫.ସୂର୍ଯ୍ୟ ।

● ପଞ୍ଚ (୫) ତତ୍ତ୍ୱ  :-
୧.ପୃଥିବୀ, ୨.ଜଳ, ୩.ଅଗ୍ନି, ୪.ବାୟୁ, ୫.ଆକାଶ ।

● ଛଅ (୬) ଦର୍ଶନ  :- ୧.ବୈଶେଷିକ, ୨.ନ୍ୟାୟ, ୩.ସାଂକ୍ଷ, ୪.ଯୋଗ, ୫.ପୂର୍ବ ମିମାଂସା, ୬.ଦକ୍ଷିଣ ମିମାଂସା ।

● ସପ୍ତ (୭) ଋଷି :-
୧.ବିଶ୍ଵାମିତ୍ର, ୨.ଜମଦଗ୍ନି, ୩.ଭରଦ୍ୱାଜ, ୪.ଗୌତମ, ୫.ଅତ୍ରି, ୬.ବଶିଷ୍ଠ, ୭.କଶ୍ୟପ ।

● ସପ୍ତ (୭) ପୁର :-
୧.ଅଯୋଧ୍ୟା ପୁର, ୨.ମଥୁରା ପୁର, ୩.ମାୟା ପୁର (ହରିଦ୍ୱାର), ୪.କାଶୀ, ୫.କାଞ୍ଚି (ଶିନ କାଞ୍ଚି-ବିଷ୍ଣୁ କାଞ୍ଚି), ୬.ଅବନ୍ତିକା, ୭.ଦ୍ଵାରିକା ପୁର ।

● ଅଷ୍ଟ (୮) ଯୋଗ :-
୧.ଯମ, ୨.ନିୟମ, ୩.ଆସନ, ୪.ପ୍ରାଣାୟାମ, ୫.ପ୍ରତ୍ୟାହାର, ୬.ଧାରଣା, ୭.ଧ୍ୟାନ ୮.ସମୀଧ ।

ଅଷ୍ଟ (୮) ଲକ୍ଷ୍ମୀ :-
୧.ଆଗ୍ଧ, ୨.ବିଧା, ୩.ସୌଭାଗ୍ୟ, ୪.ଅମୃତ, ୫.କାମ, ୬.ସତ୍ୟ, ୭.ଭୋଗ, ୮.ଲକ୍ଷ୍ମୀ ।

● ନବ (୯) ଦୁର୍ଗା :-
୧.ଶୈଳି ପୁତ୍ରୀ, ୨.ବ୍ରହ୍ମଚାରିଣୀ, ୩.ଚନ୍ଦ୍ରଘଣ୍ଟା, ୪.କୁଷ୍ମାଣ୍ଡ, ୫.ସ୍କାଦମାତା, ୬.କାନ୍ୟାୟିନୀ, ୭.କାଳରାତ୍ରୀ, ୮.ମହାଗୌରୀ, ୯.ସିଦ୍ଧିଦାତ୍ରୀ ।

● ଦଶ (୧୦) ଦିଗ  :-
୧.ପୂର୍ବ, ୨.ପଶ୍ଚିମ, ୩.ଉତ୍ତର, ୪.ଦକ୍ଷିଣ, ୫.ଐଶ୍ୱନ, ୬.ନୈରୁତ, ୭.ବାୟୁ, ୮.ଅଗ୍ନି, ୯.ଆକାଶ, ୧୦.ପାତାଳ ।

● ଏଗାର (୧୧) ଅବତାର :-
୧.ମତ୍ସ, ୨.କଛପ, ୩.ବରାହ, ୪.ନୃସିଂହ, ୫.ବାମନ, ୬.ପର୍ଶୁରାମ, ୭.ଶ୍ରୀରାମ, ୮.କୃଷ୍ଣ, ୯.ବଳରାମ, ୧୦.ବୁଦ୍ଧ, ୧୧.କଳ୍କୀ ।

● ବାର (୧୨) ମାସ :-
୧.ଚୈତ୍ର, ୨.ବୈଶାଖ, ୩.ଜ୍ୟେଷ୍ଠ, ୪.ଆଷାଢ଼, ୫.ଶ୍ରାବଣ, ୬.ଭାଦ୍ରବ, ୭.ଆଶ୍ୱିନୀ, ୮.କାର୍ତ୍ତିକ, ୯.ମାର୍ଗଶୀର, ୧୦.ପୌଷ, ୧୧.ମାଘ, ୧୨.ଫାଲଗୁନ ।

● ବାର (୧୨) ରାଶି  :-
୧.ମେଷ, ୨.ବୃଷ, ୩.ମିଥୁନ, ୪.କର୍କଟ, ୫.ସିଂହ, ୬.କନ୍ୟା, ୭.ତୁଳା, ୮.ବୃଶ୍ଚିକ, ୯.ଧନୁ, ୧୦.ମକର, ୧୧.କୁମ୍ଭ, ୧୨.ମୀନ ।

● ବାର (୧୨) ଜ୍ୟୋତ୍ରିଲିଙ୍ଗ :-
୧.ସୋମନାଥ, ୨.ମଲିକାର୍ଜୁନ, ୩.ମହାକାଳ, ୪.ଓମକାଶ୍ୱର, ୫.ବୈଦନାଥ, ୬.ରାମେଶ୍ବରମ, ୭.ବିଶ୍ୱନାଥ, ୮.ତ୍ରୈମ୍ବେକେଶ୍ୱର, ୯.କେଦାରନାଥ, ୧୦.ଘୁଷୁନେଶ୍ୱର, ୧୧.ଭିମାଶଙ୍କର, ୧୨.ନଗେଶ୍ୱର ।

● ପନ୍ଦର (୧୫) ତିଥି :-
୧.ପ୍ରତିପଦା, ୨.ଦ୍ଵିତୀୟା, ୩.ତୃତୀୟା, ୪.ଚତୁର୍ଥୀ, ୫.ପଞ୍ଚମୀ, ୬.ଷଷ୍ଠୀ, ୭.ସପ୍ତମୀ, ୮.ଅଷ୍ଟମୀ, ୯.ନବମୀ, ୧୦.ଦଶମୀ, ୧୧.ଏକାଦଶୀ, ୧୨.ଦ୍ଵାଦଶୀ, ୧୩.ତ୍ରୟୋଦଶୀ, ୧୪.ଚତୁର୍ଦ୍ଦଶୀ, ୧୫.ପୂର୍ଣ୍ଣିମା/ଅମାବାସ୍ୟା ।

● ଉଣେଇଶି (୧୯) ସ୍ମୃତି :-
୧.ମନୁ, ୨.ବିଷ୍ଣୁ, ୩.ଅତ୍ରି, ୪.ହାରିତ, ୫.ଯଜ୍ଞବଲକ୍ୟ, ୬.ଉଶନା, ୭.ଅଙ୍ଗିରା, ୮.ଯମ, ୯.ଆପସ୍ତମ୍ବ, ୧୦.ସର୍ବତ, ୧୧.କନ୍ୟାୟନ, ୧୨.ବ୍ରହଷ୍ପତି, ୧୩.ପରାଶର, ୧୪.ବ୍ୟାସ, ୧୫.ସାଂଖ୍ୟ, ୧୬.ଲିକ୍ଷିତ, ୧୭.ଦକ୍ଷ, ୧୮.ଶତାତପ, ୧୯.ବଶିଷ୍ଠ ।

● ଦୁନିଆର ଶ୍ରେଷ୍ଠ ବ୍ରାହ୍ମଣ
୧.ସବୁଠୁ ବଡ ଯୋଦ୍ଧା-ଭଗବାନ ପର୍ଶୁରାମ, 
୨.ସବୁଠୁ ବଡ ପଣ୍ଡିତ-ଲଙ୍କାପତି, ରାବଣ, 
୩.ସବୁଠୁ ବଡ ଇତିହାସକାର-ମହର୍ଷି ବେଦବ୍ୟାସ,
୪.ସବୁଠୁ ବଡ଼ ରଜନୀତିଜ୍ଞ-ବିଷ୍ଣୁଗୁପ୍ତ ଚାଣକ୍ୟ,
୫.ସବୁଠୁ ବଡ଼ ପରୀକ୍ଷକ-ମହର୍ଷି ଭୃଗୁ,
୬.ସବୁଠୁ ବଡ଼ ଦାନୀ-ମହର୍ଷି ଦଧିଚୀ,
୭.ସବୁଠୁ ବଡ କ୍ରୋଧି-ଦୁର୍ବାସା ମୁନି,
୮.ସବୁଠୁ ବଡ ଶାନ୍ତ-ମହର୍ଷି ବଶିଷ୍ଠ,
୯.ସବୁଠୁ ବଡ ଗଣିତଜ୍ଞ-ଶ୍ରୀମାନ ଆର୍ଯ୍ୟଭଟ୍ଟ,
୧୦.ସବୁଠୁ ବଡ଼ ଗରିବ-ବନ୍ଧୁ ସୁଦାମା,

ସମସ୍ତ ହିନ୍ଦୁ ସଂସ୍କାରୀମାନଙ୍କୁ ଅନୁରୋଧ , ଏହି ସଂସ୍କୃତି ନିଜ ପରିବାରର ଆଗାମୀ ପିଢିଙ୍କୁ ଶିକ୍ଷା ଦେବା ସହିତ ଅନ୍ୟ ମାନଙ୍କୁ ଏହି ଜ୍ଞାନକୁ ଅଗ୍ରସର କରାଇବେ ।

   ସଂସ୍କୃତି ଫାଉଣ୍ଡେସନ ଟ୍ରଷ୍ଟ ।  ଭୁବନେଶ୍ଵର ।

ଚାମଚ଼ା

#ଚାମଚ଼ା ଅଷ୍ଟାଦଶ ଶତାବ୍ଦୀର ମଧ୍ୟଭାଗରେ ବଙ୍ଗଳାର ସମୃଦ୍ଧ ସିଂହାସନ ଉପରେ ଯେତେବେଳେ ଯୁବ ନବାବ ସିରାଜ-ଉଦ୍-ଦୌଲା ଅଧିଷ୍ଠିତ ଥିଲେ, ସେତେବ...