Friday, December 23, 2022

ସମର୍ପଣ (topic - 126 ବୃଦ୍ଧାଶ୍ରମ) quote #quot

ବୃଦ୍ଧାଶ୍ରମ - 126

ଏକବିଂଶେ ହଡା ବୃଦ୍ଧାଶ୍ରମ ବେଢା
       ଅଣଦେଖାଙ୍କ ଆସର
ପୃଥିପରେ ପାପ ନା ଏ ପୂଣ୍ଯ ଛାପ
        ଉତ୍ତର ଦିଅ ଇଶ୍ୱର
ଜୀବନର ସଞ୍ଜ ଯଦି ଦହଗଞ୍ଜ
      ଅପରାହ୍ନୁ ଆପଣାଅ
ବାତ୍ସଲ୍ୟ ବନ୍ଧନ ବାର୍ଦ୍ଧକ୍ୟେ ବିଜନ
      ପ୍ରାଣ ପ୍ରଦୀପ ଲିଭାଅ
               - ଦାଶରଥି ସାହୁ

ବୃଦ୍ଧ-ବୃଦ୍ଧା ପାଇଁ  ଆଶ୍ରୟ ନିଶ୍ଚିତ 
        ସହାରା ପାଇଁକି ଟିକେ  
 କିନ୍ତୁ ଏହା ଏକ ସୁବିଧାର ମାର୍ଗ 
        ବୋଲି ବିଚାରନ୍ତି  ଥୋକେ
 ଆଉ ଦଳେ ଏଠି ବେପାରି ସାଜନ୍ତି 
        ମୂଳ ଲକ୍ଷ୍ୟ ତାଙ୍କ ଧନ 
ବୃଦ୍ଧାଶ୍ରମ ନୁହେଁ  ଆମରି ସମ୍ମାନ 
         ଆମ ଅପାରଗ ଚିହ୍ନ .....
            - ସନ୍ତୋଷ ପଟ୍ଟନାୟକ

ସହରୀ ଜୀବନ  ସୁଖ ଆପଣାଇ
      ପୁତ୍ର ଆଜି ବାଟବଣା
ସେ ଲାଗି ଖୋଜନ୍ତି ବୃଦ୍ଧ ପିତାମାତା
      ବୃଦ୍ଧାଶ୍ରମର ଠିକଣା 
କାହିଁକି ସମୟ  ଏଡ଼େ ନିରିଦୟ
      ବୃଦ୍ଧ ପିତାମାତା ପାଇଁ
ସଦବୁଦ୍ଧି ଦିଅ  ସେଇ ପୁତ୍ରମନେ
       ଚେତନା ଘରକୁ ଛୁଇଁ  
            - ରାମ ଚନ୍ଦ୍ର ପ୍ରଧାନ 

ପାଶ୍ଚାତ୍ୟ ଆଳରେ ଖୋଜା ସୁଖଶାନ୍ତି 
      ମାତପିତା ହତାଦର 
କିଞ୍ଚିତ ଅର୍ଥକୁ ସାଉଁଟିବା ପାଇଁ 
     ସର୍ବଦା ଚାଲେ ବିଚାର 
ଗୃହରେ କଳହ ପତିପତ୍ନ ମଧ୍ୟେ 
  ବୃଦ୍ଧାଶ୍ରମ ପଡ଼େ  ଖୋଜା 
ଶେଷ ସମୟରେ ମାତା ଓ ପିତାଙ୍କୁ 
      ମିଳେ ବୃଦ୍ଧାଶ୍ରମ ସଜା
                    - ଟୁକୁନା ସାହୁ

ଠକ ଟାଉଟର   ପାଠୁଆ ଶାଠୁଆ
     ସଭାରେ ଭାଷଣ ମାରନ୍ତି
ପିତା-ମାତା ସେବା ନକରି ସେ ନିଜେ
       ବୃଦ୍ଧଶ୍ରମେ ଛାଡି ଆସନ୍ତି
ସେହି ଦିନ ସିଏ ବୁଝି ଯେ ପାରିବେ
       ନିଜ ପୁଅ ତଡ଼ା ଖାଇ 
କେତେ ବଡ଼ ଭୁଲ କରିଥିଲେ ନିଜେ
       ମାତା ପିତା ଘଉଡାଇ
             - ଜଗବନ୍ଧୁ ସାହୁ

ଜରାଜିର୍ଣ୍ଣ ଆଜି ଚତୁର୍ଥ ଅବସ୍ଥା
    ଟାକୁଆ ଗାଲକୁ ଦେଖ 
ସ୍ବରଭଙ୍ଗ ଆଜି କଣ୍ଠ ଦ୍ବାରଦେଶ
      ମଳିନ ପଡ଼ିଛି ମୁଖ 
ପରିଣତର ଏ ପଣନ୍ତକଳାକୁ
    ଦେଖି ହସେ ଏ ଜଗତ 
ବୃଦ୍ଧାଶ୍ରମେ ଶେଷ ବାର୍ଦ୍ଧକ୍ଯର ବେଶ
       ମୁକ୍ତି ଦିଅ ଜଗନ୍ନାଥ 
           - ରାଧା କୃଷ୍ଣ ବାୟକ

ପେଟୁ କାଟି ଅର୍ଣ୍ଣ ପାଳିଲେ ସନ୍ତାନ 
      ନିଜକୁ କରି ବିପନ୍ନ 
ଏଇ ସମାଜରେ ପରିଚୟ ଦେଲେ 
     ଧନ୍ୟ ପିତା ମାତା ଧନ୍ୟ 
ସେହି ପିତା ମାତା  ଆଜି ପରିତ୍ୟକ୍ତ
      ଅବହେଳାର ଶିକାର 
ବୃଦ୍ଧାଶ୍ରମେ ପଡ଼ି ଯନ୍ତ୍ରଣାରେ ସଢ଼ି 
      ଆଖିରେ ଲୁହର ଧାର  
            -  ପ୍ରବୀର ମଲ୍ଲିକ 

କଳଙ୍କିତ ଆଜି କଳୀଯୁଗ ପୁଅ
    କୁଳାଙ୍ଗାରେ ହୋଇ ଗଣା
ଅଯୋଗ୍ଯ ସନ୍ତାନ ପରିଚୟ ଅର୍ଜି
     ହୋଇଛନ୍ତି ବାଟବଣା
ପୋଷା କୁକୁରକୁ ପାଖରେ ରଖନ୍ତି
      ପାଖୁ ତଡି ପିତାମାତା
ବୃଦ୍ଧାଶ୍ରମେ ଛାଡି ଭଲେଇ ହୁଅନ୍ତି
       ଅନ୍ଯକୁ ଦିଅନ୍ତି ବାର୍ତ୍ତା
                  - ରବିନ୍ଦ୍ର ସାହୁ

ସମର୍ପଣ (topic - 125 ସ୍ବାଭିମାନ) quote #quot

ସ୍ଵାଭିମାନ - 125 

ଉତ୍କଳେ ଜନ୍ମିତ କେତେ ବୀର ସୂତ 
ଶ୍ରମେ ହୋଇ ବ୍ରତୀ ନିତି
ତୋଳି ଯାଇଛନ୍ତି ଅନେକ କିରତୀ
ଜୀବନ୍ତ ରହିଛି ସ୍ମୃତି । 
କୋଣାର୍କ ଧଉଳି ପୁରୀ ଲିଙ୍ଗରାଜେ
ପଥରରେ ଦେଇ ପ୍ରାଣ 
ସ୍ଵାଭିମାନ ଥିଲା ଭୂଷଣ ସମାନ 
ଓଡ଼ିଆ ଜାତିର ପଣ ।
               - ଟୁକୁନା ସାହୁ

ଅଭିମାନି ନୁହଁ ସ୍ବାଭିମାନି ହୁଅ
ନଅ ରହୁ ଅହଂକାର ।
ଅତିରୁହେ ଇତି ନାଶ ହୁଏ ମତି
ଏ' ମାନସିକ ବିକାର ।
ଅଭିମାନ କରି ମଲା ଦୁର୍ଯ୍ଯଧନ
ଅଧର୍ମର ପରାଜୟ ।
ସ୍ବାଭିମାନି ହୋଇ ଲଢ଼ିଥିଲେ ଯୁଦ୍ଧ
ଧର୍ମରାଜ ଧର୍ମେ ଜୟ ।
             - ରାଧା କୃଷ୍ଣ ବାୟକ

ଓଡ଼ିଶା ରାଇଜେ ଜନମ ମୋହର
        ଉତ୍କଳ ମୋର ଜନନୀ
ଜଗନ୍ନାଥ ଏକା ପିତା ଯେ ଆମର
     ଆମେ ଭାରି ସ୍ବଭିମାନୀ
ଅରକକ୍ଷେତ୍ରର କୋଣାର୍କ ମନ୍ଦିର
         ଓଡିଆଙ୍କ ସ୍ବାଭିମାନ
ନିହଣ ମୁନରେ   ପଥରକୁ କାଟି
         ଆଙ୍କିଛନ୍ତି କୋଟି କାମ
             - ଜଗବନ୍ଧୁ ସାହୁ

ତେଜି ଅଭିମାନ ହୁଅ ସ୍ବାଭିମାନ 
      ଗୁଣି ପୂର୍ବଜଙ୍କ କୀର୍ତ୍ତି 
ବାଜି ବକ୍ସି ଆଉ ଧରମା ଚକରା 
      ଆମ ସ୍ବାଭିମାନ ନୀତି
ପଙ୍କିଳ ହେଲାଣି  ଶାସନ ବ୍ୟବସ୍ଥା 
      ଅର୍ଥ ସର୍ବସ୍ବରେ ମତି 
ଗଣତନ୍ତ୍ର ଏବେ ପ୍ରହସନ ଖାଲି 
        ବେଳହୁଁ ସୁଧାର ସ୍ଥିତି 
       - ସନ୍ତୋଷ ପଟ୍ଟନାୟକ

ସ୍ୱାଭିମାନ ପାଇଁ କରେ ଯେ' ଲଢ଼େଇ
   ସ୍ୱାର୍ଥକୁ ଦେଇ ଆହୁତି
ସମାଜେ ଚାଲେ ସେ' ଗର୍ବେ ମଥା ଟେକି
   ହୃଦେ ବହି ଜାତିପ୍ରୀତି 
ତା' ପାଇଁ ସଭିଏଁ  ସମ୍ମାନେ ବଞ୍ଚନ୍ତି
      ଭୁଲି ସବୁ ଅବଶୋଷ
ବିଭୁ ପାଦ ତଳେ ପ୍ରଣତି ଜଣାନ୍ତି
     ମାଗି ତା' ଲମ୍ବା ଆୟୁଷ 
           - ରାମ ଚନ୍ଦ୍ର ପ୍ରଧାନ

ସ୍ବା; ସ୍ବାଧିନ ମୋ'ରାଜ୍ଯ ସ୍ବାଦିଷ୍ଟ ମୋ'ଖାଦ୍ଯ
         ସୁନ୍ଦର ବୋଲି ମୋ ଭାଷା
ଭି; ଭିଟାମାଟି ପାଇଁ  ଗର୍ବ କରୁ ଆମେ
           ମନେବାନ୍ଧି ଅଭିଳାଷା 
ମା; ମାନ ସନମାନେ ଜୀଇଁ ଅଛୁ ଆମେ
           ସ୍ବାଭିମାନ ଅଙ୍କ କଷି
ନ;ନଇଁ ନାହିଁ ମୁଣ୍ତ  ରହିଛୁ ଅଖଣ୍ତ
          ଆମେରେ ଓଡିଶାବାସୀ
                   - ରବିନ୍ଦ୍ର ସାହୁ

ଶବ୍ବ ସ୍ୱାଭିମାନ ଭିନ୍ନ ଏ ସୃଜନ
      ସଂସାରେ ସଫଳ ସ୍ଥିତି
ହୃଦ ଥିଲେ ଭରି ଯୁଗ ଯୁଗ ଧରି
      ମରତ ଭୂଇଁରେ ଖ୍ଯାତି
ଖିରି ଖେଚୁଡିର ନହେଉ ଆଧାର
       ପୋଡା ରୁଟି ପଛେ ପ୍ରିୟ
ସ୍ୱାଭିମାନୀ ସଦା ଶାଶ୍ୱତରେ ବନ୍ଧା
         ଜଡଠୁ ଚେତନା ଜୟ
               - ଦାଶରଥି ସାହୁ

ସ୍ୱାଭିମାନ  ଅଟେ ଅବିଚ୍ଛେଦ ଅଙ୍ଗ 
     ଈଶ୍ୱରୀୟ  ଅବଦାନ 
ମାନବକୁ ଦିଏ ବିଜୟ ମୁକୁଟ 
     ସୁସ୍ଥ ମତିସ୍କର ଜ୍ଞାନ  ,
ସର୍ବାଙ୍ଗୀନ ଚିନ୍ତା , ମଙ୍ଗଳ ବାରତା 
     ଉନ୍ନତିର ସୂତ୍ରଧାର 
ଇତିହସ ଏକା, ମୁକ ସାକ୍ଷୀ ହୁଏ 
     ଲେଖି ଦିଏ  ସ୍ଵର୍ଣ୍ଣାକ୍ଷର 
            - ପ୍ରବୀର ମଲ୍ଲିକ

Tuesday, December 20, 2022

❀ ଶିବ ପୁରାଣ - ପ୍ରଥମ ଖଣ୍ଡ 【ଭାଗ - ୨୨】❀

╔⏤⏤⏤╝❀╚⏤⏤⏤⏤╗
                ଶିବ ପୁରାଣ
                 ପ୍ରଥମ ଖଣ୍ଡ 
               【ଭାଗ -୨୨】                ╚⏤⏤⏤⏤╗❀╔⏤⏤⏤⏤╝
ବ୍ରହ୍ମାଙ୍କ ନନ୍ଦନ ସନତ କୁମାର ସନ୍ଧ୍ୟା ସାରି ନୈମିଷା ଅରଣ୍ୟ ରେ ଏକତ୍ରିତ ହୋଇଥିବା ସକଳ ଋଷି ମାନଙ୍କୁ କହିଲେ -ହେ ତପିଗଣ !
ପ୍ରକୃତି ଦେବୀ ସତ୍ତ୍ୱ ଗୁଣରୁ ଜାତ ହୋଇଛନ୍ତି ।ତୁଳସୀ ଓ ବୃନ୍ଦାବତୀ ଯାହାଙ୍କର ନାମ କୁ ଲୋକମାନେ ସେବି ମୋକ୍ଷ ଧାମ ପ୍ରାପ୍ତି ହୁଅନ୍ତି ।କଶ୍ୟପ ନନ୍ଦିନୀ ମନସା ଦେବୀ ସର୍ପରାଜା ବାସୁକୀ ଙ୍କ ଘରଣୀ ଅଟନ୍ତି ।ସେ ନାଗରାଜା ଅନନ୍ତ ଙ୍କ ଭଉଣୀ ଅଟନ୍ତି । ନାଗବଂଶ ର ହିତ ପାଇଁ ଜରତ୍କାର  ବିବାହ କଲେ ।ତାଙ୍କ ଗର୍ଭରୁ ଆସ୍ତିକ ନାମକ ଜାତ ହେଲା ।ସେହି ପୁତ୍ର ପାଇଁ ନାଗ ମାନେ ରକ୍ଷା ପାଇଗଲେ । ଷଡାନନ ଙ୍କର ପତ୍ନୀ  ଦେବସେନା ସୂତିକା ଘରେ ଶିଶୁଙ୍କ  ପାଲନା କରି ଷଷ୍ଠ ଦିବସରେ ତାଙ୍କୁ ଷଷ୍ଠୀ ଦେବୀ ରୂପେ ପୂଜା କଲେ ।ସେ ଦେବୀ ଶିଶୁର ଆୟୁଷ ବୃଦ୍ଧି କରନ୍ତି । ନାରୀ ମାନେ ଏହି ଦେବୀଙ୍କୁ ସେବି ସୌଭାଗ୍ୟ ଲାଭ କରନ୍ତି । ଏକୋଇଶ ଦିନ ପର୍ଯ୍ୟନ୍ତ ତାଙ୍କୁ ପୂଜା କଲେ  ତାଫଳରେ ନାରୀମାନେ ପୁତ୍ରବତୀ ହୁଅନ୍ତି ।ସେହିଁ ପ୍ରକୃତ ମଙ୍ଗଳା ରୂପରେ ଅଵତରି ଥାଆନ୍ତି ।ସେ ମଙ୍ଗଳ ଚଣ୍ଡିକା ନାମ କୁ ବହନ କରଥାନ୍ତି । ମଙ୍ଗଳ ବାରରେ ଯେଉଁ ବାଳିକା  ଧୂପ ଦୀପ ନୈବେଦ୍ୟ ଦେଇ ପୂଜା କରେ ଓ  ଭକ୍ତିରେ ଯିଏ ଦୁର୍ବାକ୍ଷତ ସମର୍ପଣ କରେ  ସେ ପୂଜାର ଫଳ କଥା କହୁଛି ଶୁଣ ।ସନତ କହିଲେ ......

ମଙ୍ଗଳା ଙ୍କୁ ଯିଏ ଭକ୍ତି ଭାବରେ ପୂଜା କରେ ଓ ତାଙ୍କ ନିକଟରେ ନିଜକୁ ସମର୍ପଣ କରେ ସେହି ବାଳିକା  ଜନ୍ମ ଜନ୍ମାନ୍ତର ରେ କେଭେ ବିଧବା ହୁଏ ନାହିଁ । ଇହଲୋକରେ ମନବାଞ୍ଛା ଫଳ ଭୋଗ କରେ । ତାହାରି ପୂଜାରେ ଯଦି ମଙ୍ଗଳା ସନ୍ତୋଷ ହୁଅନ୍ତି ନାହିଁ  ତେବେ ସେ ନାରୀ କେଭେ ସୌଭାଗ୍ୟବତୀ ହୋଇ ପାରେ ନାହିଁ । ତାକୁ ଅନ୍ନବସ୍ତ୍ର ଓ ସୁତ ମିଳେନାହିଁ । ଏଣୁ ନାରୀ ମାନେ ମଙ୍ଗଳା ଙ୍କୁ ନିଷ୍ଠା ର ସହ ପୂଜା କରନ୍ତି । ଆଦିଶକ୍ତି ମହାକାଳୀ ରୁଦ୍ର ଙ୍କ ଘରଣୀ ଅଟନ୍ତି ।ସେହିଁ ଆତଙ୍ଗ ନାଶିନୀ ଓ ସଙ୍କଟ ତାରିଣୀ ଅଟନ୍ତି । ସେହି ଆଦିଶକ୍ତି ଭୟଙ୍କର ରୂପ ଧରି ରକ୍ତବୀର୍ଯ୍ୟ କୁ ସଂହାର କରି ତ୍ରିଜଗତ କୁ ରକ୍ଷା କଲେ ମହିଷାସୁର କୁ ମାରି ।ଶୁମ୍ଭ ,ନିଶୁମ୍ଭ ,ଯେତେ ଦୁଷ୍ଟ ନିଶାଚର ତାଙ୍କୁ ବଧ କରି  ଜଗତରେ କୀର୍ତ୍ତି ରଖିଲେ । ସେହି ମହାବଳୀ ଙ୍କ ପାଦପଦ୍ମରେ ଯେଉଁ ମାନେ ପୂଜା କରନ୍ତି  ତାଙ୍କୁ ଅନାୟସ ରେ ଚୌବର୍ଗ ଫଳ ମିଳେ । ବସୁମତୀ ଦେବୀ ସର୍ବସହା  ଜଗଦ୍ଧାତ୍ରୀ ଅଟନ୍ତି ।ବିଭିନ୍ନ ପ୍ରକାର ଶସ୍ୟ ପ୍ରସବ କରି ପ୍ରାଣୀ ମାନଙ୍କୁ ବଞ୍ଚାନ୍ତି । ସେ ନଥିଲେ ସଂସାର ପାଳନ ହୁଅନ୍ତା ନାହିଁ । ସବୁ ପ୍ରାଣୀ ମାନେ ଅନ୍ନ ବସ୍ତ୍ର ବିନା ମରି ଯାଆନ୍ତେ ।  ହେ ଋଷିଗଣ !ଯଜ୍ଞର ଭାର୍ଯ୍ୟା ର ନାମ ଦକ୍ଷିଣା ଅଟେ । ଦକ୍ଷିଣା ନଦେଲେ  କର୍ମ ର ଫଳ ମିଳେନାହିଁ । ପବନଙ୍କ ପ୍ରିୟବତୀ ଶାନ୍ତି । ଟାଣ ଅଭାବରେ  କର୍ମସବୁ ବିଫଳ ହୁଏ । ନାଗାଧିପ  ଅନନ୍ତ ଙ୍କ ଭାର୍ଯ୍ୟା ଙ୍କ ନାମ ରଷ୍ଟି । ସିଦ୍ଧ ଗଣେଶ ଙ୍କ ଭାର୍ଯ୍ୟା ଙ୍କ ନାମ  ପୁଷ୍ଟି ଅଟେ । ଶିବ ଭଗବାନଙ୍କ ଭାର୍ଯ୍ୟା ଦୁର୍ଗତି ତାରିଣୀ ଦୁର୍ଗା। ତାଙ୍କ ପାଦ ପୂଜା କଲେ ସବୁ ଭୟ ଦୂର ହୁଏ । କପିଳ ଙ୍କ ପତ୍ନୀ ନାମ  ଧୃତି ।ତାଙ୍କୁ ପୂଜାକଲେ ଶକ୍ତି ଆସେ । ଯମ ଙ୍କର ପତ୍ନୀ ନାମ କ୍ଷମା ।କ୍ଷମା ହେଉଛନ୍ତି ଦରିଦ୍ର ଙ୍କ ବନ୍ଧୁ ।ତାଙ୍କୁ ପୂଜାକଲେ  ଲୋକମାନେ ସୁଖରେ ରୁହନ୍ତି । ସ୍ୱରୂପ ,ସୁଶୀଳା ଏ ଦୁଇ ନାରୀ  ସୂର୍ଯ୍ୟ ଦେବଙ୍କର ଦୁହିତା ଅଟନ୍ତି ।ଏ ଦୁଇ ନାରୀ ଯମ ରାଜା ଙ୍କୁ  ବିବାହ କରିଛନ୍ତି ।କନ୍ଦର୍ପ ଙ୍କ ପତ୍ନୀ ହେଲେ ରତି।ରତି ମାୟାବତୀ ଅଟନ୍ତି । ଏହି ନାରୀ ମାୟାରେ ତ୍ରିଲୋକକୁ  ମୋହି ପାରନ୍ତି ।ସତ୍ୟ ଦେବ ଙ୍କ ଭାର୍ଯ୍ୟା ଙ୍କ ନାମ  ମୁକ୍ତି । ସତ୍ୟ ଦେବ ନିଜ ଭାର୍ଯ୍ୟା ର ନାମ ନେଇ  ଭାର୍ଯ୍ୟା ର ପୁଣ୍ୟରେ କୀର୍ତ୍ତି ପ୍ରତିଷ୍ଠା କରନ୍ତି ।ତାଙ୍କର ପାଇଁ ସବୁ ନର ପୂଜା ପାଉଛନ୍ତି । ଉଦ୍ ଯୋଗ ଙ୍କ ପତ୍ନୀ ନାମ 
କ୍ରିଆ ଅଟେ  ।କ୍ରିୟା କୁ ହୁଡ଼ିଲେ ଲୋକମାନେ ଉଚ୍ଛନ୍ନ ହୁଅନ୍ତି ।ଅଧର୍ମ ର ପତ୍ନୀ ନାମ  ମିଥ୍ୟା ଅଟେ ।ସନତ କହିଲେ ହେ ଋଷିଗଣ !ଏହି ମିଥ୍ୟା ନାରୀ କଥା କହୁଛି ଶୁଣ ।

ସତ୍ୟଯୁଗରେ ମିଥ୍ୟା ର  ଶରୀର ସୁନ୍ଦର ନଥିଲା ।ତ୍ରେତୟା ରେ ମିଥ୍ୟା କ୍ଷୁଦ୍ର ଶରୀର ନେଇ ଜନ୍ମ ହେଲା ।ଦ୍ଵାପର ରେ ଅର୍ଦ୍ଧକାୟ ଶରୀର ନେଇ ଆସିଲା ମିଥ୍ୟା ।କଳି ଯୁଗରେ  ପୂର୍ଣ୍ଣାଙ୍ଗ ହୋଇ ପ୍ରବେଶ କଲା ।ତେଣୁ କଳିଯୁଗରେ ମିଥ୍ୟା ପ୍ରବଳ ହୋଇଲା ।ସେହି ମିଥ୍ୟା ଅଧର୍ମ ର ତେଜ ବେଳକୁ ବେଳ ବଢ଼ାଇ ଚାଲିଲା । ତାହାର ଏକ ଭାଇ ଥିଲା କପଟ ।କପଟ ସହିତ ସାଙ୍ଗ ହୋଇ ମିଥ୍ୟା  ନାନା ରଙ୍ଗ ହୋଇ ବୁଲିଲା । ମିଥ୍ୟା ର ଦୁଇ ସଉତୁଣୀ ଥିଲେ ,।ତାଙ୍କ ନାମ ଲଜ୍ଜା ଓ ଶାନ୍ତି । ମିଥ୍ୟା ରାଗରେ ଏ ଦୁଇ ସଉତୁଣୀ ଙ୍କୁ ପାଖରେ ପୁରାଏ ନାହିଁ ।ଲଜ୍ୟା ଓ ଶାନ୍ତି ଏ ଦୁଇଜଣ ଯେଉଁଠାରେ ବାସ କରିଥାନ୍ତି  ସେ ସ୍ଥାନରେ ମିଥ୍ୟା ପଶି ପାରେ ନାହିଁ ।

ଜ୍ଞାନର ସଂସାରରେ ତିନୋଟି ଭାର୍ଯ୍ୟା ଅଛନ୍ତି ।ଏହି ତିନିଜଣଙ୍କ ନାମ ହେଲା  ସ୍ମୁତି ,ମେଧା ,ଓ ବୁଦ୍ଧି । ଏହି ତିନିଜଣ ଙ୍କୁ ଯିଏ  ଭଜେ ସେ ଉତ୍ତମ ଲୋକ ବୋଲାଏ । ରୁଦ୍ରଙ୍କର ଦୁଇ ଭାର୍ଯ୍ୟା ଙ୍କ ନାମ ହେଲା  ମୂର୍ତ୍ତି ,ଓ ନିଦ୍ରା ।କାଳ ପୁରୁଷ ର ପତ୍ନୀ ହେଲେ ଶର୍ବରୀ ।କାଳ ପୁରୁଷ ର ଆଉ ଏକ ଭାର୍ଯ୍ୟା ର ନାମ ହେଲା ସନ୍ଧ୍ୟା । ପତ୍ନୀ ସନ୍ଧ୍ୟା ସହିତ କାଳ ପୁରୁଷ ବାରମ୍ବାର କ୍ରୀଡା କରେ । ଲୋଭର ଦୁଇ  ଗୃହିଣୀ ଅଛନ୍ତି ।ତାଙ୍କ ନାମ କ୍ଷୁଧା ଓ ତୃଷା । ବୈରାଗ୍ୟ ର ମଧ୍ୟ ଦୁଇଟି ଗୃହିଣୀ ଅଛନ୍ତି ।ସେମାନେ ହେଲେ  ଶ୍ରଦ୍ଧା ଓ ଭକ୍ତି । ଗୋରୁ ମାନଙ୍କର ମାତା ସୁରଭି ଅଟେ  । ସୁରଭି ସର୍ବଦା ତିନିଲୋକ ର ହିତ ସମ୍ପାଦନ କରେ ।ଗରୁଡ଼ ଙ୍କର ମାତା ବନିତା ଅଟନ୍ତି ।ବନିତା ହେଉଛନ୍ତି କାଶ୍ୟପ ଙ୍କ ପତ୍ନୀ ଓ ଦକ୍ଷ ଙ୍କ ଦୁହିତା । ରୋହିଣୀ ହେଉଛନ୍ତି ଇନ୍ଦ୍ର ଦେବଙ୍କ ପତ୍ନୀ । ସୂର୍ଯ୍ୟ ଙ୍କର ଦୁଇ ପତ୍ନୀ ନାମ ଛାୟା ଓ ସଂଜ୍ଞା ।ସନତ କହିଲେ ଏହା ବ୍ୟତୀତ ଆଉ ଯେତେ ନାରୀ  ଦେଖା ଯାଆନ୍ତି ସେମାନେ ସମସ୍ତେ  ଶକ୍ତି ଠାରୁ ଜନ୍ମ ହୋଇଛନ୍ତି । ଯେଉଁ ନାରୀଙ୍କର ଜନ୍ମ ପ୍ରକୃତି ଅଂଶରେ  ହୋଇଛି ସେକଥା କହୁଛି ଶୁଣ ମୁନିଗଣ ।

ସନତ ଋଷି  ପ୍ରକୃତି ଅଂଶରେ ଜନ୍ମ ହୋଇଥିବା ନାରୀ ମାନଙ୍କ  ନାମ ନୈମିଷା ଅରଣ୍ୟ ରେ ଥିବା ଋଷିଗଣ ଙ୍କୁ କହିଲେ -କାଳିନ୍ଦୀ ମେନକା
ଲୋମା ,ମୁଦ୍ରା ,ବୃନ୍ଦାବତୀ ,ଜାମ୍ବବତୀ ,କୁନ୍ତୀ ,ବାରୁଣୀ ,ଭଦ୍ରା ,ଦ୍ରୌପଦୀ ,ରେବତୀ ,ରୁକ୍ମଣୀ ,ଭାନୁମତୀ ,ଚନ୍ଦ୍ରାବତୀ ,ସତ୍ୟଭାମା ,ଲକ୍ଷଣା 
ରୋହିଣୀ ,ଗାନ୍ଧାରୀ ,ମାଦ୍ରୀ ,ଚିତ୍ରରେଖା ,ବାଳୀ ,ସୁଭଦ୍ରା ,ଅହଲ୍ୟା 
ତାରା ,ରୁମା ,ହାରାବଳୀ ,ଉତ୍ତରା ,ମଦନାବତୀ ,ସରମା ,ସୁଦେଷ୍ଣା
 ଏସବୁ ନାରୀ ମାନେ ପ୍ରକୃତି ଅଂଶ ରୁ ଜନ୍ମ ହୋଇଛନ୍ତି । ଏତିକି କହି ମହାମୁନି ସନତ କୁମାର ମୌନ ହୋଇଗଲେ ।

କ୍ରମଶଃ.............

✦ ❤ ✦••┈•ଓଁ ନମଃ ଶିବାୟଃ•┈••✦ ❤ ✦••┈•

Thursday, November 24, 2022

■ ଗଞ୍ଜାମ ଢଗ ଢମାଳି ■

.        ଗଞ୍ଜାମ ଡାମରା ଢଗ ଢମାଳି 

       ଏନ୍ତୁଡ଼ି ଶାଳରୁ ମଶାଣି ପର୍ଯ୍ୟନ୍ତ
                     ଯାଆ ଆସ କଲେ କୁଣିଆ  ।
        କିଏ ଚିହ୍ନୁ ଥିଲା କୋମଳ ହୃଦୟ
                        କିଏ ଚିହ୍ନୁ ଥିଲା ମାଣିଆ ।

                 ଭଲ ତୁମ ବନ୍ଧୁ ପଣିଆ !

           ଗୁଡ ଉଖୁଡ଼ାକୁ ପାଳୁଅ ବଢିଆ
                           ମହୁରକୁ ମାଛ ଗଣିଆ ।

ପ୍ରୟୋଗ କ୍ଷେତ୍ର :- ଢମାଳିଟିର ରଚନାରେ କିଛି ପ୍ରତ୍ୟକ୍ଷ ଓ କିଛି ପରୋକ୍ଷ ଭାବାର୍ଥ ରହିଛି । ଢମାଳିଟିର ପ୍ରୟୋଗ କ୍ଷେତ୍ର ନିମ୍ନରେ ବର୍ଣ୍ଣନା କରାଯାଇଛି ।
ପ୍ରଥମ ଧାଡି:-  ଜନ୍ମ ରୁ ମୃତ୍ୟୁ ପର୍ଯ୍ୟନ୍ତ ଅନେକ ଲୋକ ସମ୍ପର୍କରେ ଆସି ଥାଆନ୍ତି । ଯାହାକୁ 
ଢମାଳିରେ ବର୍ଣ୍ଣନା ଯାଇଛି :-
       " ଏନ୍ତୁଡ଼ି ଶାଳରୁ ମଶାଣି ପର୍ଯ୍ୟନ୍ତ
                      ଯାଆ ଆସ କଲେ କୁଣିଆ ।"
ଦ୍ଵିତୀୟ ଧାଡ଼ି:- କିନ୍ତୁ ସମସ୍ତଙ୍କର କିଛି ନା କିଛି 
ଉଦ୍ଦେଶ୍ଯ ଥାଏ । କାହାର ଭଲ ତ କାହାର ଖରାପ ଚିନ୍ତାଧାରା ଥାଏ । ହୃଦୟବାନ୍‌ ଲୋକ ହୃଦୟ ଚିହ୍ନି ବନ୍ଧୁତା ସ୍ଥାପନ କରି ଥାଆନ୍ତି ଯେଉଁ ମାନେ କି ଦୁଃଖ ସୁଖର ସାଥି ।
                କଥାରେ ଅଛି "ସମ୍ପଦ ବେଳେ ସର୍ବେ ସଖା ବିପଦେ ନ ଦିଅନ୍ତି ଦେଖା ।" ଏଭଳି ଚରିତ୍ରର ଅନେକ ଲୋକ ଅଛନ୍ତି ଯେଉଁ ମାନେ ଧନକୁ  (ଆଜି କାଲି ଯାହାକୁ ମାଣିଆ ବୋଲି କୌତୁକରେ କହୁଛନ୍ତି) ଦେଖି ବନ୍ଧୁ ବାନ୍ଧି ଥାଆନ୍ତି । ଯାହାକୁ  ଢମାଳି ରେ ବର୍ଣ୍ଣନା କରା ଯାଇକି :-
          "କିଏ ଚିହ୍ନୁ ଥିଲା କୋମଳ ହୃଦୟ
                          କିଏ ଚିହ୍ନୁ ଥିଲା ମାଣିଆ ।"
ତୃତୀୟ ଧାଡ଼ି:- ମାଣିଆ ପ୍ରଲୋଭନରେ ଯେଉଁ ଲୋକ ବନ୍ଧୁ ବାନ୍ଧିଥାଏ , ତାକୁ ତାତ୍ସଲ୍ୟ କରି ଢମାଳିରେ ବର୍ଣ୍ଣନା କରାଯାଇଛି:-
                     "ଭଲ ତୁମ ବନ୍ଧୁ ପଣିଆ !"
ଚତୁର୍ଥ ଧାଡି:- ଗୁଡ ଉଖୁଡା ଓ ପାଳୁଅ ସାଧାରଣତଃ ମୃତ୍ୟୁ ଜନିତ ଶୁଦ୍ଧିକ୍ରିୟା ପଣା ନିମନ୍ତେ ରନ୍ଧନ କରାଯାଏ । ସେହି ଭଳି ଗଣିଆ ମାଛର ମହୁର (ମାଛ ଛିଞ୍ଚଡ଼ା)  ମଙ୍ଗଳ ଭୋଜି ରେ ରୋଷେଇ କରାଯାଏ । ହୃଦୟ ବନ୍ଧୁ ଶୁଦ୍ଧିକ୍ରିୟାରେ ଗୁଡ ଉଖୁଡ଼ା ଓ ପାଳୁଅ ସେବନ କଲା ବେଳେ ମାଣିଆ ଲୋଭୀ ବନ୍ଧୁ  ମଙ୍ଗଳ ଭୋଜି କାର୍ଯ୍ୟରେ ଗଣିଆ ମାଛ ମହୁର ଭୋଜନ କରିଥାଏ । ଗୁଡ ଉଖୁଡ଼ା କୁ ଯେମିତି ପାଳୁଅ ବଢିଆ ସେହିପରି ହୃଦୟବାନ୍ ବନ୍ଧୁଙ୍କୁ ହୃଦୟ ବଢିଆ । ମାଛ ମହୁର କୁ ଯେମିତି ଗଣିଆ ମାଛ ବଢଆ ସେହିଭଳି ମାଣିଆ ବନ୍ଧୁଙ୍କୁ ମାଣିଆ ବଢିଆ । କେତେକ ବନ୍ଧୁ ବିପଦର ସାଥୀ ଓ କେତେକ ବନ୍ଧୁ ସମ୍ପଦର ସାଥୀ । ଯାହାକୁ ଢମାଳିରେ ବର୍ଣ୍ଣନା କରାଯାଇଛି :-
       "ଗୁଡ ଉଖୁଡ଼ାକୁ ପାଳୁଅ ବଢିଆ
                      ମହୁରକୁ ମାଛ ଗଣିଆ ।"
ମାଣିଆ ବନ୍ଧୁଙ୍କ କ୍ଷେତ୍ରରେ ଢମାଳିଟି ପ୍ରୟୋଗ କରାଯାଇ ପାରିବ ।

ରଚନା :- ବ୍ରଜରାଜ ମିଶ୍ର (ରାନୁ)
             ଖଲ୍ଲିକୋଟ, ଗଞ୍ଜାମ ।
             (ବର୍ତ୍ତମାନ ରାୟଗଡ଼ା)

ସମର୍ପଣ (topic - 124 ଭଗବାନ) quote #quot

ଭଗବାନ  - 124

ମେଦିନୀ ପାତାଳ ଅନ୍ତର୍କ୍ଷ୍ଯେ ସବୁଠି
ବିଦ୍ଯମାନ ଭଗବାନ 
ସେହି ପରଂବ୍ରହ୍ମ ସେହି ନିରାକାର
ସେହି ଅନନ୍ତ ଗଗନ ।
ତାଙ୍କରି ଆଦେଶେ ସୂର୍ଯ୍ଯ,ଚନ୍ଦ୍ର,ତାରା
ଆତଯାତ ବ୍ରହ୍ମାଣ୍ତରେ 
ରୂପ ବିହୀନ ବିଶ୍ବରୁପି ବିହାରୀ
ଅଣୁରେ ପରମାଣୁରେ ।
             ‐ ରାଧା କୃଷ୍ଣ ବାୟକ

ଭୂମି ଗଗନ ବାୟୁ ଆଉ ନୀର 
ଏ ଚାରି ହିଁ ବାସ୍ତବ ଭଗବାନ
ସୁନ୍ଦର ଗିରି ବନ ତପୋବନ 
ସର୍ବ ପରିବାର ଛାତ ଗଗନ 
ଦେହକୁ ଜରୁରୀ ପାଣି ପବନ
ଗଗନ ଅଟଇ ତାର ସର୍ଜନ  
ସବୁରି ଆଧାର ଏ ଚାରିଜଣ 
ଏଣୁ ନ୍ୟାୟମନ୍ତେ ଏ ଭଗବାନ 
         - ସନ୍ତୋଷ ପଟ୍ଟନାୟକ

ଭବ ସାଗରରେ ଭରଷା ଭିତ୍ତିରେ
      ଭିଆଣା ହେ ଭିନ୍ନରୂପି 
ଗନ୍ତର୍ବ୍ୟର ସ୍ଥଳ ବ୍ରହ୍ମାଣ୍ତ ଅଖିଳ
       ଗଗନ ପବନ ବ୍ୟାପୀ
ବାକ୍ୟେ ବଖାଣିବା ବିଚିତ୍ର ବିଭବା
      ବିନ୍ଧାଣି ବିରଳ ବିଶ୍ୱେ
 ନମଁଇ ଚରଣେ ଆହେ ଆର୍ତ୍ତତ୍ରାଣେ
        ନିରୁପାୟୀ ମୁଁ ନିଃଶ୍ୱେ
                 - ଦାଶରଥି ସାହୁ

କେମିତିକା ରୂପ  ରଙ୍ଗ ପ୍ରଭୁ ତୁମ
       ଦେଖି ନାହିଁ ବାସ୍ତବରେ
ଭଗବାନ ବୋଲି  ତୁମକୁ ହୃଦୟେ
        ପୂଜୁଥାଏ ନିରନ୍ତରେ
ନିରାକାର ବୋଲି  ତୁମେ ଭଗବାନ
       ଶୁଣିଛି ମୁଁ ଯାହା କର୍ଣ୍ଣେ
ତେଣୁ ଯେ ତୁମକୁ  ଦୁଃଖି ହୃଦ ବନେ
        ଖୋଜୁଥାଏ ମନେ ମନେ
                    - ଜଗବନ୍ଧୁ ସାହୁ

ନିୟତି ନିୟମ ମୋର ସର୍ବ କର୍ମ 
କେବଳ ତୁମରି ଶ୍ରେୟ 
ରକ୍ତ ମାଂସେ ଗଢା ଏ'ତୁଚ୍ଛ ଶରୀର 
 କରିଛ ତୁମେ ସକ୍ରିୟ 
କରମ କଷଣ ସହି ପ୍ରତିକ୍ଷଣ 
ସଂସ୍କାର ଦେଇଛ ମୋତେ 
ମୋହର ଆରାଧ୍ୟ ଭଗବାନ ତୁମେ 
ପିତା ନାମେ ଏ ଜଗତେ  ।
            - ଟୁକୁନା ସାହୁ

ଏ ବିଶ୍ୱ ବ୍ରହ୍ମାଣ୍ଡ  ଚାଲେ ଯା' ଇଙ୍ଗିତେ
ବୁଣି ଅଦୃଶ୍ୟ ଉପାଦାନ
ଆକାର ବିହୀନ ସେଇ ଶୂନ୍ୟ ବ୍ରହ୍ମ
ଅଟନ୍ତି ସ୍ୱୟଂ ଭଗବାନ 
ହେଉ ସ୍ୱର୍ଗ ମର୍ତ୍ତ୍ୟ  ଅବା ରସାତଳ
ସବୁଠି ବୋଲାନ୍ତି ରାଜନ
ଭୂମି ଠାରୁ ଭୂମା  ସିଏ ସର୍ବେଶ୍ୱର
ତାଙ୍କ ପାଦେ କୋଟି ନମନ ....
          - ରାମ ଚନ୍ଦ୍ର ପ୍ରଧାନ

ଭକତ ଆଖିରେ  ନାଚୁଥାଏ ସଦା
       ଯାହାର ସୁନ୍ଦର ଛବି
ଯାହାର ଗାରିମା ରଚି ଯାଇଛନ୍ତି
      କେତେ ମୁନୀ ମହାକବି
ଯାହାରି ଦର୍ଶନେ ସକାଳ ଆରମ୍ଭ
      ପୂର୍ଣ୍ଣହୁଏ ଅଭିଯାନ
ଭାବକୁ ନିକଟ ଅଭାବକୁ ଦୂର
      ସେହି ଏକା ଭଗବାନ
                  -  ରବିନ୍ଦ୍ର ସାହୁ

ଭାବକୁ ନିକଟ ଅଭାବକୁ ଦୂର
   ଯିଏ ଡାକେ ଯେଉଁ ଭାବେ
ଭଗବାନ ଙ୍କର ଲୀଳା ଖେଳା ସଦା 
     ଉପସ୍ଥିତି ଯୁଗେ ଯୁଗେ 
ଭଗବାନ ଦିନେ ଭକତ ପ୍ରୀତିରେ 
     ଖାଇଥିଲେ ଖୁଦଭଜା 
ଭଗବାନ ପୁଣି କାଞ୍ଚି ଅଭିଯାନେ 
       ଉଡ଼ାଇଲେ ଜୟ ଧ୍ୱଜା
             - ପ୍ରବୀର ମଲ୍ଲିକ

Tuesday, November 22, 2022

● ହାସ୍ୟ କଲ୍ଲୋଳ ●

#ହାସ୍ଯ_କଲ୍ଲୋଳ_କଵିସୂର୍ଯ୍ୟ_ବଳଦେଵ_ରଥ ●

ଭୂୟୋ ନମଃ କୌତୁକଲମ୍ପଟାୟ ଭାନୂଦ୍ଭବାରମ୍ୟତଟୀନଟାୟ
ଘଟସ୍ତନୀନାଂ ପଟଳୀବିଟାୟ କୃଷ୍ଣାୟ ବଦ୍ୟୁଦ୍‌ବିଲସତ୍‌ପଟାୟ ॥
ମନ୍ଦାର ବୃନ୍ଦାରକବନ୍ଦିତାଂଘ୍ରଂ ନନ୍ଦାଳୟେନ୍ଦ୍ରୋତ୍ପଳନୀଳ ଲକ୍ଷ୍ମୀମ୍‌
ବୃନ୍ଦାବନବ୍ୟୋମବିହାରଚନ୍ଦ୍ରଂ କୁନ୍ଦାବଦାତାସିତମୀଶମୀଡ଼େ ॥

ଏ ହେଲା ହୋ, ସେ ହେଲା ହୋ,
ଏକ ଯେ ମହାରାଜ୍ୟ ଥିଲା ।
ସେ ରାଜ୍ୟର ନାମ ରହସ୍ୟ ଘୋଷ ।
ଦେଶ ପାଞ୍ଚଶ ଉଣା ପଞ୍ଚାଶ କୋଶ ।
ଅତ୍ର ଗୁଣବନ୍ତ ସମସ୍ତ ଦୋଷ ।
ଗୁଣଜ୍ଞ ଦେଖିଲେ ହୁଅନ୍ତି ରୋଷ ।
ଗୋସାଇଁମାନଙ୍କ ରୋଷାୟା ଘୋଷ ।
ଚଣା ଚୋବାଇଲେ ନିବର୍ତ୍ତେ ଶୋଷ ।
ସାଧୁଙ୍କୁ ନିନ୍ଦିଲେ ମନରେ ତୋଷ ।
ଘୁଷିରି ଦେଖିଲେ ବୋଲନ୍ତି ହାତୀ ।
ଜାଣି ନ ପାରନ୍ତି କେ କେଉଁ ଜାତି ।
ବ୍ରାହ୍ମଣମାନଙ୍କ ହାତରେ କାତି ।
ଭକ୍ତିରେ ଗୁରୁବୈଷ୍ଣବ-ଘାତି ।
କଉଡ଼ିମାଳିଆ ସବୁଙ୍କ ଛାତି ।
ହାଣ୍ଡି ନ କରନ୍ତି ମଲେ ହେଁ ଜ୍ଞାତି ।
ଦାଣ୍ଡେ ନ ଜାଣନ୍ତି ଖରାର ତାତି ।
ସମସ୍ତଙ୍କ ଇଷ୍ଟଦେବତା ଖ୍ୟାତି ।
କୋତରା ଅଖା ପଲଙ୍କସୁପାତି ।
ଏକାନ୍ତ କଥାକୁ ବଜାରେ ଖ୍ୟାତି ।
ଥୁଆଥୋଇ ହୋନ୍ତି ଆଈକି ନାତି ।
ମହାଶର ଯହିଁ ବାଉଁଶ ପାତି ।
ରଜନୀ ଦିବସ, ଦିବସ ରାତି ।

ସ୍ୱପତ୍ନୀ-ସ୍ନେହରେ ନ ଥାନ୍ତି ମାତି ।
କୁଳ କୁଟୁମ୍ୱରେ ଳମ୍ପଟ ଥାନ୍ତି ।
କୋଟିଏ ଉଣା ଅୟୁତେ ପାଦାନ୍ତି ।

ସେ ରାଜ୍ୟ ମହାଜନ ମହାସାମନ୍ତ ।
ଦୋକାନେ ବସି ଖାଇ ବିଶା ବିଶା ଅନ୍ତ ।
ବଡ଼ଲୋକେ ସଂପାଦନ୍ତି ମେଣ୍ଢା ଛେଳି ଦନ୍ତ ।
କୋଦୁଅ ପେଜ ହାଣ୍ଡିରେ ହାପୁରୁଥାନ୍ତି ମାଣ୍ଡିରେ ।
ମନ ଥାଇ ଭାଣ୍ଡରେ ।
ଅଠର ଗଣ୍ଠିଆ କମ୍ୱଳ କନା ପିନ୍ଧି ବୁଲନ୍ତି ଦାଣ୍ଡରେ ।
ହାଡ଼ି ବାଉରି ଗୋର୍ଜି ଠି ।
ଫାଳିଆ ସଢ଼ାଇ ଖୋଜି ଟି ।
ଭେଣ୍ଡିଆମାନଙ୍କ ଭୋଜିଟି ।
କରନ୍ତି କୋଳଥ ଗଜା ।
କରଞ୍ଜ ତେଲରେ ଭଜା ।
ସେ ରାଜ୍ୟ ଠାକୁରଙ୍କ ପୂଜା ।

ଗୁଡ଼ିଆଣୀଟି କୁଜୀ ଟି ।
ଗୋଟିଏ ନୟନ ବୁଜିଟି ।
ସେହି ରୂପେ ଗୋଲା ଗୋଲୁଣୀ,
ପାଲିଆ ପାଲିଆଣୀ, ସାଲିଆ ସାଲିଆଣୀ,
କାମ୍ପ କାମ୍ପୁଣୀ, କୁଡ଼ୁମ କୁଡ଼ୁମଣୀ,
ବଳାସୀ ବଳାସୁଣୀ, ଆଳିଆ ଆଳିଆଣୀ,
ଆରୁଆ ଆରୁଆଣୀ, କାରୁଆ କାରୁଆଣୀ,
କେଉଟ କେଉଟୁଣୀ, କୁମୁଟି କୁମୁଟିଆଣୀ ।

ସେ ଦେଶରେ ଅଛନ୍ତି ପୁଣି ।
ବହୁତ ରାଣୀ ଓ ବହୁତ କାଣୀ । ରାଣି
କେଉଁମାନେ ଏବଂ କାଣୀ କେଉଁମାନେ ?
ପାଇକାଣୀ, ବାରିକାଣୀ, ନାୟକାଣୀ,
ରେଡ଼ିକାଣୀ; କାଣୀ ଏମାନେ ।
ରାଣୀ କେଉଁମାନେ ତାହା କହିବା ।
ବେହେରାଣୀ, ମାଗୁରାଣୀ, କନ୍ଦରାଣୀ,
କୁନ୍ଦୁରାଣୀ, ଖଡ଼ୁରାଣୀ, ବାଉରାଣୀ,
ପାଟରାଣୀ; ଏମାନେ ରାଣୀ ଅଟନ୍ତି ।

ପୁନରପି ସେ ରାଜ୍ୟରେ ଚମତ୍କାର ଅଛି ।
କି କି ଅଛି କି ? ଗୁଣ୍ଡିଆ ଭିତରେ ମରମ ଅଛି ।
କପାଳ ଭିତରେ କରମ ଅଛି ।
ବାଟ ଚାଲିବାରେ ଶରମ ଅଛି ।
ଜୀବର ଭିତରେ ପରମ ଅଛି ।
ସୂର୍ଯ୍ୟମଣ୍ଡଳରେ ଧରମ ଅଛି ।
ଗ୍ରୀଷ୍ମ ସମୟରେ ଘରମ ଅଛି ।
ତପତ ପାଣିରେ ଗରମ ଅଛି ।
ଜନ୍ତୁଙ୍କ ଦେହରେ ଚରମ ଅଛି ।
ନାରୀ ସଙ୍ଗମରେ ନରମ ଅଛି ।
ମୁହଁ ବୁଲାଇଲେ ଭରମ ଅଛି ।

        ନ ଥିବାର କି କି ନାହିଁ, ତାହା କହିବା ।
ଯୋଗୀର ଥାଳ ନାହିଁ । ଶୋଇବାକୁ ସାଳ ନାହିଁ ।
ବସିବାକୁ ପାଳ ନାହିଁ । ଘରରେ ଚାଳ ନାହିଁ ।
ମୁଣ୍ଡରେ ବାଳ ନାହିଁ । ଧାତୁରେ ଝାଳ ନାହିଁ ।
ପୁଣ୍ୟକୁ କାଳ ନାହିଁ । ଦେହରେ ବଳ ନାହିଁ ।
ରଇତର ହଳ ନାହିଁ । ନିନ୍ଦିଲେ ଛଳ ନାହିଁ ।
ଚାଲିବାକୁ ଥଳ ନାହିଁ । ସମ୍ୱନ୍ଧକୁ କୁଳ ନାହିଁ ।
ଫରିର ଠୁଳ ନାହିଁ । ନଡ଼ିଆର ଚୂଳ ନାହିଁ ।

ଏପରିରେ ସେ ରାଜ୍ୟରେ ଗୋଟିଏ ଊଣା ଦଶ ହଜାର ଫଉଜକୁ ମହାବାହାଦୂର ଦଶ ଦଶ ସରଦାର । କେଉଁ କେଉଁମାନେ ? କାଞ୍ଜି ବୈରିଗଞ୍ଜନ, ତୋଡ଼ି ଭାରୋଇମଲ୍ଲ, କୁଣ୍ଡା ଶତ୍ରୁଶଲ, ଗନ୍ଧସାର ରଣହାନ୍ଦୋଳା, ମଦରଙ୍ଗା ମେଦିନୀରାୟ, କଳମ୍ୱ ବଳିଆର ସିଂହ, କଳିଆର ବଳିଆରାଜ, ନାଲିଆଟାରେ ଭାଳିଆରାଜ । ଯୁଦ୍ଧ ଦେଖିଲେ ପଛଘୁଞ୍ଚା ଦିଅନ୍ତି । ଛୁରି ଦେଖିଲେ ହୁରି କରନ୍ତି । କାତି ଦେଖିଲେ ଛାତି କମ୍ପାନ୍ତି । ଖଣ୍ଡା ଦେଖିଲେ ଦଣ୍ଡା ହୋଇ ଶୁଅନ୍ତି । ଫରି ଦେଖିଲେ ସରି ଯାଆନ୍ତି । ଛାଟ ଦେଖିଲେ କୀଟରୁ ବଳନ୍ତି । ନଳି ଦେଖିଲେ ଗଳି ଯାଆନ୍ତି । ପଟା ଦେଖିଲେ ଛଟା ଗାଳନ୍ତି । ଗଦା ଦେଖିଲେ ପଦାରୁ ପଳାନ୍ତି । କୁନ୍ତ ଦେଖିଲେ ଅନ୍ତରେ ସଢ଼ନ୍ତି । ପ୍ରାସ ଦେଖିଲେ ତ୍ରାସରେ ଥରନ୍ତି । ସାପ ଦେଖିଲେ ବାପ ବୋଲନ୍ତି । ଏତେ କଥାରେ କି ଅଛି, ଲୁହାଧରାକୁ ଦେଖିଲେ ଜୁହାର ବୋଲି ପଳାନ୍ତି ।
ସେ ଦେଶର ବେଶ୍ୟା କିପରି କି ? ଲେଭିଡ଼ୀ ଲୀଳାବତୀ, ଥୋବଡ଼ୀ ଜଗାନ୍ନୋହିନୀ, ଲେସଡ଼ୀ କଳାବତୀ, ଭେଷଡ଼ୀ ଇନ୍ଦୁବଦନା, ଦାନ୍ତୁଡ଼ୀ କୁନ୍ଦରଦନା । ଏପରି ତାଙ୍କ ନାମ । ଅନୁକୂଳକୁ ସେ ବାମ । ଦେଖିଲେ ନିବର୍ତ୍ତଇ କାମ । ନେତ୍ରରେ ନରକ ୫୩ ଧାମ । କଣ୍ଠରେ କଉଡ଼ି-ଦାମ । ପହଣ୍ଡେ ଚାଲିକି ଝାମ । କେନ୍ଦୁକାଠ ପରି ଶ୍ୟାମ ।

ଆକୁଆ ଟାକୁଆ ଗାଲ । ଭାତୁଡ଼ି ଭରତି ଭାଲ । ଭୁଲୁତା ମଧ୍ୟରେ ଖାଲ । ଆଖିରେ ପରଳ ଜାଲ । ଶ୍ରବଣ ଅଳପ କାଲ । କୋତରା ଅଖା ସାଲ । ଖଟ ଶେଯ ଛେଳିଛାଲ । ଏପରି ଅର୍ଜନ୍ତି ମାଲ; - କପା ହେଲେ ପଳେ । ମୁଢ଼ି ହେଲେ କଳେ । କଉଡ଼ି ହେଲେ କଡ଼ାଏ । କୋଳଥ ହେଲେ ଅଡ଼ାଏ । କୋତ ହେଲେ ଯୋଡ଼ାଏ । କୟାଁ ହେଲେ ଫଡ଼ାଏ । ନାଗରମାନେ ଦେବାର ଏହା ।
ସଂସାରୀମାନଙ୍କ ବଡ଼ ମରଜି । କେତେ କହିବା ଗରଜି ଗରଜି । ସ୍ତ୍ରୀ-ପୁରୁଷ ଯୋଡ଼ିଏ ଜାତି । ବାଟେ ଘାଟେ ଯେବେ ଭେଟାଭେଟି ହୋନ୍ତି । ପୂର୍ବ ପରିଚୟ ନୋହେ କାହାର କେହି । ମୁଲାକାତ ହେବା କ୍ଷଣେ ସମ୍ଭାଷଣା ଏହି; - ତୁମ୍ଭେ କିଏ ସେ ? ନା, ତୁମେ କିଏ ସେ ? ଆମ୍ଭେ ପୁରୁଷ । ନା, ଆମ୍ଭେ ସ୍ତ୍ରୀ; ତୁମ୍ଭେ ତ ପୁରୁଷ ଆମ୍ଭେ ତ ସ୍ତ୍ରୀ, ତୁମ୍ଭେ ଆମ୍ଭେ ସଙ୍ଗ ହେବା କି ? ଭଇଁଚ ଲଟାକୁ ଯିବା କି ? ରତିକି ସଭା, ସୌନ୍ଦର୍ଯ୍ୟକୁ ଗଭା ।
ଏ ରୂପେ ପ୍ରଭୁତାରୁ ସେ ରାଜ୍ୟ ରାଜାଙ୍କର ଶୌର୍ଯ୍ୟ, ସୌନ୍ଦର୍ଯ୍ୟ, ବୀର୍ଯ୍ୟ, ଧୈର୍ଯ୍ୟ, ଚାତୁର୍ଯ୍ୟାଦି ଗୁଣମାନଙ୍କୁ କହିବା । ଉଳ୍ଲାତକର୍ଣ୍ଣ ବୋଲି ସେ ରାଜ୍ୟର ମହାରାଜା । ଯାହାର ସିଂହଦୁଆରେ ଘୁମୁରା ବୀରରାଜା । ସେ ମହାରାଜା ମହାଦୀପ୍ତିମାନ । ତାଙ୍କର ନୀତି କିପରି ? ଜନକ ରାଜାଙ୍କର ନ ଥିଲା । ଯୁଧିଷ୍ଠିରଙ୍କର ନ ଥିଲା । ଭୋଜ ରାଜାଙ୍କର ନ ଥିଲା । ମାନଧାତା ଚକ୍ରବର୍ତ୍ତୀଙ୍କର ନ ଥିଲା । ବୀର ବିକ୍ରମାଦତ୍ୟ ମହାରାଜାଙ୍କର ନ ଥିଲା । ତେଣୁ କରି ମାଗଧମାନଙ୍କ ସଙ୍ଗେ ଧୂଳି ସୁପାତିରେ ପହୁଡ଼ ହୁଏ । ସୂର୍ଯ୍ୟୋଦୟକୁ ଘେନି ବେଳ ଦୁଇ ଘଡ଼ି ପର୍ଯ୍ୟନ୍ତେ ଅନ୍ତଃପୁରେ ବିଜେ ହୁଅନ୍ତି । ଏହି ସମୟରେ ଖନ୍ଦା ଫରମାସି ହୁଅଇ;--ଚୁଚୁନ୍ଦ୍ରା ମାଂସ ପଲାଉକୁ ପେଚାପକ୍ଷୀ ଝୋଳ । ନ ଅଣ୍ଟିଲା ପରି ମହାସୁଆରକୁ ଖନ୍ଦାଫରମାସି ହୁଅଇ । କଳିକତୀ ଗଞ୍ଜାଇ ପତ୍ରର ସେରେ ଚୂର୍ଣ୍ଣ ପ୍ରସାଦ ସେବା ହୁଅଇ । ଲିଆ ପରାୟେ ଲଘୁ ଆହାର ହୁଅଇ ।

ସୁକୁମାର ମଣୋହି ବଢ଼ିଲା ଶେଯରେ ଅନାଚାର ଆଚମନ ବଢ଼ଇ । ଶୁଦ୍ଧ ଖତକୁଡ଼ରୁ ଆସିଥିବା ଚଣ୍ଡାଳଚର୍ବିତ ଗୁଣ୍ଡି ଗୁଆ ବିଡ଼ିଆ ଲାଗି ସମୟରେ ପୁରୋହିତ ଅକଲ୍ୟାଣ ମହାପାତ୍ର ଗୋସାଇଁ ଆସି ଅମଙ୍ଗଳାରୋପଣ ସାରି ଏପରି ଆଶୀର୍ବାଦ ଦିଅନ୍ତି । କି ରୂପେ କି;--
ରାସଭସ୍କନ୍ଧମାରୂଢ଼ୌ ଗୁଧ୍ରଗୋମାୟୁ ଭକ୍ଷତାମ୍‌ ।
କୁଟୁମ୍ୱଃ କ୍ଷୀଣତାଂ ଯାତୁ ଯୋଷିତ୍‌ ଭ୍ରଷ୍ଟା ତବାସ୍ତୁ ହି ।
ଆଶୀର୍ବାଦଃ ଶିରଶ୍ଛେଦଃ ପତ୍ନୀଭ୍ରଷ୍ଟଃ ତଥୈବ ଚ ।
ପୁତ୍ରପୌତ୍ରାଃ କ୍ଷୟଂ ଯାନ୍ତୁ ନିଷ୍କଟୁମ୍ୱାସୁଖୀ ଭବ ।

ଏପରି ଦୀର୍ଘାୟୁ ପ୍ରତିପତ୍ତିକୁ ଆଶୀର୍ବାଦ ଗ୍ରହଣାନ୍ତରେ ରାଜାଙ୍କର ଥିବା ପ୍ରତିକୂଳ ଜୌତିଷରତ୍ନେ ଦିନାଦି ପାଞ୍ଜିପଞ୍ଚାଙ୍ଗ ଜଣାନ୍ତି । କିପରି କି ;---
ତୈଳାଙ୍ଗା ଯବନୀ ପୁଳିନ୍ଦଗୃହିଣୀ ପୋଟା ବହିର୍ଦାସିକା
ଲାଜା ସର୍ପ ବିଲୋଚନା ଚ ଶବରୀ ହୀନମ୍ୱର ଯୋଷିତା ।
ଏତେ ନାଶପ୍ରଦାଶ୍ଚତେ ନରପତେ ଦତ୍ୱାଶିଷଂ ସର୍ବଦା
ଗୋଧାଗୃଧ୍ରପକ୍ଷୀ ଚ ପେଚକପକ୍ଷୀ କୁର୍ବନ୍ତୁ ଚାମଙ୍ଗଳମ୍ ।

ମହାରାଜ ! ମଙ୍ଗଳବାର ପନ୍ଦର ଦଣ୍ଡ ପାଇଁ ଶୁକ୍ରବାର ପ୍ରବେଶ ହେବ । ତିଥି ପୂର୍ବାଷାଢ଼ା ଅଣଚାଶ ଦଣ୍ଡ । ଆୟୁଷ୍ମାନ ନକ୍ଷତ୍ର ବୟାଳିଶ ଦଣ୍ଡ । ଦୁଇପାଦ ଚନ୍ଦ୍ର ପନ୍ଦର ଦଣ୍ଡ । ବୃଷ କରଣ ଷାଠିଏ ଦଣ୍ଡ । ରବି ଚଉଦ ଅଂଶ ପଞ୍ଚତ୍ରିଂଶ କଳାକୁ ମାସର ସାତଦିନ ଭୋଗ ହେଲା । ତାର ସପ୍ତମ, ଚନ୍ଦ୍ର ଅଷ୍ଟମ । ଦିନଯାକ ବିଷ୍ଟି କରଣ । ମହାରାଜ, ସମସ୍ତ ଶୁଭ ହୋଇ ଅଛନ୍ତି । ବାମ ପାଖ ଶ୍ରୀଅଙ୍ଗ ମଧ୍ୟ ସ୍ଫୁରୁଥିବ । ଦକ୍ଷିଣ ଦିଗକୁ ଯାତ୍ରା । ଆଜ ଅର୍ଦ୍ଧରାତ୍ର ସମୟରେ ପନିଅର ଲାଗିକି ଉତ୍ତମ ଯୋଗାଉଛି । ଯେ ଦିବ୍ୟ ଅବଧାନକୁ ଆସିବ ।

ଏପରି ପଞ୍ଚାଙ୍ଗ ଶ୍ରବଣ ବଢ଼ିଲା ଉତ୍ତାରୁ ଦନ୍ତଧାବନ ସୁଳେଇ ଏକାବେଳେକେ ବଢ଼ିଲା । ଦ୍ୱାଦଶାଙ୍ଗୁଳ ସ୍ଥୂଳ ଅଷ୍ଟାଦଶଙ୍ଗୁଳ ଦୀର୍ଘ ଚିତ୍ରକିଳାସନ ଉପରେ ଦେବାର୍ଚ୍ଚନ ବଢ଼ିଲା । ନିରକ୍ଷର ବାହିନୀପତି ପୁରାଣପଣ୍ଡା ଗୋସାଇଁ ଶୁଣାଇବାର ପୁରାଣ କିପରି ବୋଲନ୍ତେ;--
(ପୁରାଣ)
ଗୁଡ଼ସେଠୀ ପୁରୁଷାୟ ଛୋକରାଣି ଚ ଶେଖରମ୍‌ ।
ଖରଂ ଚ ମନସି ଧ୍ୟାତ୍ୱା ତତୋ ଜୟମୁଦୀରୟେତ୍‌ ।।
କୁଳଟାନାଂ ନିସର୍ଗୀୟ ନମସ୍ତସ୍ମୈ ଦୟାଳବେ ।
ଯେନ ତାଃ ସ୍ୱପତିଂ ହତ୍ୱା ପାଳୟନ୍ତି ପରାପରମ୍‌ ।।

ଶ୍ରୀ କୁଳଟାୟୈ ନମଃ
କଦାଚ ବ୍ରହ୍ମହତ୍ୟୟାଂ କଳିଂ ପପ୍ରଚ୍ଛ ଦୁର୍ଣ୍ଣୟଃ ।
କେନୋପାୟେନ ସଂସାରାତ୍‌ ତରିଷ୍ୟନ୍ତୀତି ଦେହିନଃ ।।
ସର୍ବୋଚ୍ଛାଦନ-ଚାତୁର୍ଯ୍ୟଂ ଧୂରୀଣାସି ମହାମତେ ।
ବପ୍ରବେଶା ମହାଶିକ୍ଷା ଯତ୍ତୋକ୍ଷା ମଟିସ୍ୱତିଃ ।

ଓଁ କଳିରୁବାଚ
କଥୟାମି ପରଂତତ୍ତ୍ୱଂ ଶୃଣୁ ବହେ ସମାହିତଃ ।
ଅନୁଗ୍ରହ ସମେ ପାତଂ ଯତୋଽସି ମୟି ଭକ୍ତିମାନ୍‌ ।।
ପାପାତ୍ସଂବର୍ଦ୍ଧତେ ଲକ୍ଷ୍ମୀଃ ପାପାତ୍ସଂବର୍ଦ୍ଧତେ ଯଶଃ ।
ପାପାଦ୍ଦୀର୍ଘଂ ଭବେଦାୟୁଃ ପାପାତ୍‌ ନାସ୍ତ୍ୟଧିକଂ ବ୍ରତମ୍‌ ।
ସେବ୍ୟତାଂ ପାପକର୍ମାଣି ତ୍ୟଜ୍ୟତାଂ କୃତିନୋ ଜନାଃ ।
ସର୍ବପାତକ କର୍ତ୍ତୃଣାଂ ସ୍ଥାନକ୍ଷେତ୍ରମୁଦାହୃତମ୍‌ ।।
ଏକସ୍ତେ ବଧ ସଂବ୍ରାତ ବ୍ରାହ୍ମଣଂ ଚ ବିଶେଷତଃ ।
ତିରସ୍କାରଂ ଚ ସତ୍ସ୍ୱିଦଂ ନାନା ଜାତି ସମୁଦ୍ଭବମ୍‌ ।
ନ ପିବେସ୍ୱପଚେବସ୍ୟ (?) ନାପିତାନ୍‌ ବ୍ରାହ୍ମାଣାନ୍‌ ଭଜେତ୍‌ ।
ବିବିଧା ଚିନ୍ତୟା ଶାନ୍ତି ଯାବନ୍ନ ଚରଣ ଦ୍ୱୟମ୍‌ ।
ଗଙ୍ଗାୟାଂ ଶ୍ଳାଘ୍ୟମାଲୋକ୍ୟ ବିନା ସ୍ନାନଂ ଗୃହଂ ବ୍ରଜେତ୍‌ ।
ଦୁଷ୍ଟ୍ୱା ଗୋବ୍ରହ୍ମହନ୍ତାରଂ କର୍ତ୍ତାନୃଣ୍ୟଂ ବିମୁଚ୍ୟତାମ୍‌ ।
ଲବ୍‌ଧ ବିତ୍ତଂ ନ ଭୁଞ୍ଜିତୋ ବିତଯୁତଃ ଦିବୋତ୍ତମଃ ।
ଚୌର୍ଯ୍ୟୈଃ ସୌର୍ବର୍ଜିତୈର୍ବିର୍ତ୍ତୈଃ ଶରୀରଂ ପାଳୟ ସ୍ୱକମ୍‌ ।
ସଂପର୍କଂ ପଣ୍ଡିତୈଃ କୃତ୍ୱା ତାତ କ୍ଷୋଭଃ ଭବିଷ୍ୟତି ।
ଅକ୍ଷରାଙ୍କେନ ସଂଗ୍ରନ୍ଥା ଶକାରୈଃ ତତ୍ର ଯୈଃ ନିତ୍ୟମ୍‌
ଇଦଂ ରହସ୍ୟମାୟୁଷଂ ମୁକ୍ତିସ୍ନେହାତ୍ତବାଗ୍ରତଃ ।
ଅନେକ କର୍ମଣାଂ ନାଶଃ ପରତ୍ରେହ ଚ ଯାସ୍ୟତି ।

ଓଁ ହରି ତତ୍‌ସତ୍‌ । ଇତି ଶ୍ରୀ ବିଧୁତ ନାନା ପାପାତନୋର୍ହିତଃ ମୃଳସ୍ୱତାମିପତ୍ରାବନ ତତ୍ପତି କଂସାହାତି ନରକଚୟ ପରିଚୟୋ ଚାତୁର୍ଯ୍ୟ ପ୍ରତିପାଦକେ କୌତୁକାର୍ଣ୍ଣବେ ମହାପୁରାଣେ କଳି ଦୁର୍ଣ୍ଣୀତି ସମ୍ୱାଦେ ତ୍ରୟୋଦଶୋଽଧ୍ୟାୟଃ ।
ଅମଙ୍ଗଳଂ ମହାପୂର୍ବ ଜଗତୁ ପ୍ରଳୟଂ ଯାତୁ
ଶିଶିରେ ବର୍ଷତୁ ମେଘୋଽଶୁଭ ବିପ୍ରା କୃଷିକ୍ଷୀଣା ।
ପୁରାଣପଣ୍ଡା ଗୋସାଇଁ ଏପରି ପାରାୟଣ ସାରି, ପୋଥି ବାନ୍ଧି, ପୋଥି ଶ୍ରୀ ମହାରାଜାଙ୍କ ନାକରେ ଛୁଆଁଇ ପ୍ରସାଦ ବିଛୁଆତି-ଦଳ ଚକ୍ଷୁରେ ଘଷି ଦେଇ ଶ୍ରୀ ମହାରାଜାଙ୍କଠାରୁ ଆଶୀର୍ବାଦ ଘେନି ବିଦା ହୋଇଗଲା ଉତ୍ତାରୁ ଦିବାନ ଆଦିଦୁର୍ବୋଧ ଧୁରନ୍ଧର ବେହିଆ ମହାପାତ୍ରେ ଆସି ଶ୍ରୀଛାମୁରେ ପଞ୍ଛାଶ ଜଣ ବାଉରି ଭଲଲୋକ ଥିବାରେ ଅତି ଏକାନ୍ତରେ ଅତି ଧୀର କରି ମେଘ-ଗର୍ଜିତ ସାମାନ୍ୟ ସ୍ୱରରେ ପିଠିଆଡ଼ ଛାମୁରେ ଯାଇ ରହି କହନ୍ତି । କି ରୂପେ କି; --‘‘ହେ ମହାରାଜ, ସଦାନନ୍ଦ ବ୍ରହ୍ମଚାରୀ ଗୋସାଇଁଙ୍କର ଝିଅ ଗୋଟିଏ, ସନ୍ନ୍ୟାସୀ ଅଶମ୍ଭୁ ତୀର୍ଥସ୍ୱାମୀମାନଙ୍କର ଝିଅ ଗୋଟିଏ, ରାଜଗୁରୁ ଗୋସାଇଁଙ୍କର ଝିଅ ଗୋଟିଏ, ପୁରୋହିତ ଗୋସାଇଁଙ୍କର ଝିଅ ଗୋଟିଏ ଏପରି ଚାରି କନ୍ୟାଙ୍କର ନାକନା ଭଳି ସମୟରେ ଉଚିତ ହେବାର ଦୁର୍ବାକ୍ଷତ ବିଧି ବିଚାରି ନ ପାରିବାରୁ ଏହି ନଜିକରେ ଚାରି କନ୍ୟାଯାକ ପିତୃତର୍ପଣ ତୀର୍ଥରେ ପୁଷ୍ପବତୀ ହେଲେ ।

ଦେଉ ତ ଗଧପତି, ସାକ୍ଷାତ୍‌ ଅଧର୍ମ ଅବତାର, ଭୂମି-ଶବର ପରି ମହାରାଜତ୍ୱ କରି ଆଜ୍ଞା ଦେଉ ଅଛନ୍ତି; ମହାପ୍ରଭୁ ପାରଂପର୍ଯ୍ୟ ପ୍ରକ୍ରମରେ ମହାରାଜାଙ୍କ ଦରବାରରେ ଚଳି ଆସୁଥିବା ନ୍ୟାୟକୁ ବିଚାରିଲେ ସେ ଚାରି କନ୍ୟାଙ୍କୁ ସରକାରକୁ ଆଣିବାକୁ ହେବ । ନୋହିଲେ, ରାତି ସହରରେ ରୋଜ ବୁଲିବାର କଟୁଆଳ ଅବା ପଠାଣ ପାଇକେ ନେବାର ମର୍ଯ୍ୟାଦା । ଭାଇ ନ ଥିବା ପକ୍ଷକୁ ମାମୁଁ ଭୋଗ କରିବାର ପସନ୍ଦ । ଏବେ ମହାରାଜାଙ୍କ ପରା ପରମାବିବେକ ଶ୍ରୀ ଖାମିନ୍ଦ ବିଜେ ଅବସ୍ଥାନ କରୁ କରୁ ରାଜ୍ୟ ଅରାଜକ ହେଲା ପରିରେ । ସେ କନ୍ୟାମାନଙ୍କୁ ପୂର୍ବରୁ ବିବାହ ହୋଇଥିବା ଅଣ୍ଡିରାମାନେ ଆସି ଘେନିଯିବାକୁ ନାନା ହେଙ୍ଗମା କରୁଛନ୍ତି । ଏଥକୁ ରାଜ ଆଜ୍ଞା ହେଲେ ସେ କନ୍ୟାମାନଙ୍କର ମାଆମାନଙ୍କୁ  ବଦଳି ଦିଆଯାଇ ସମୁଜାଇ ଦେବାକୁ ପଡ଼ିବ । ମହାରାଜ ! ଲୋକେ କହିବାରେ ବିବାହ ପୁଣି ଠିକଣା ନାହିଁ । ଛାମୁଣ୍ଡିଆ ଉପରେ ବେଦୀ ତଳରେ, ପୁରୋହିତ ପୁଣି କର୍ମ କରି ହସ୍ତଗ୍ରନ୍ଥି ପକାଇ ଦେଇ ବାହାରିଗଲେ । ମହାରାଜ ! ଯଥାବିଧିରେ ଯେ ଟି । ନଦୀ ତଟରେ ହେଲେ ହୁଅଇ, ତୋଟା ମାଳରେ ହେଲେ ହୁଅଇ, ଭଗ୍ନ ଦେବାଳୟରେ ହେଲେ ହୁଅଇ, ଏପରି ସିନା ବଡ଼ଲୋକମାନଙ୍କର ମର୍ଯ୍ୟାଦା । ପୁରୋହିତ ବାକ୍ୟ ପଢ଼ି ପଢ଼ି ହସ୍ତଗ୍ରନ୍ଥି ପକାଇ ଦେଇଯିବାର କିପରିରେ ହେଲା ? ଏ ସକାଶରୁ ମୁଁ ପ୍ରାନ୍ତରୁ ଜଣାଇଲା ପରି ହୁକୁମ ହେବାର ଅଛି । ନୋହିଲେ ରାଜଧର୍ମକୁ ବହୁତ ଅସୁନ୍ଦର ଦିଶିବ । ଦିବ୍ୟ ଅବଧାନକୁ ଆସିବ । ମହାପ୍ରଭୁ ! ଏ ସଂଶୟ ତ ଏପରି, ଆଉ ଗୋଟିଏ ବିଷୟ ଏହିପରି;- ଗୋଟିଏ ଅବିଦ୍ୟା ଭଲଲୋକ ଜଣଙ୍କ ଘରେ ଜାତ ହେଲାବୋଲି ଶୁଣାଯାଉଅଛି । ଏମନ୍ତ ଅନ୍ୟାୟ ପ୍ରବର୍ତ୍ତିଥିଲେ ମୁଲକକୁ ଅମଙ୍ଗଳ ହେବ । ଆଜ୍ଞା ! ପୁରୋହିତେ ଲକ୍ଷ ଲକ୍ଷ ଭରଣ ଲୁଣ, ଅନେକ ମାଛ, ସହସ୍ର ସହସ୍ର ବୋଝ ସାରୁ ଅମଳ କରିଥିବାରୁ ଉତ୍କୃଷ୍ଟ କୁଳରେ ସମୁତ୍ପନ୍ନ ଅଟନ୍ତି ।
ବାପେ ଯେବେ ଦଶବିଂଶ ବର୍ଷ ଭେଣ୍ଡିଆ ଥାନ୍ତେ, ମାଏ ଗ୍ରନ୍ଥ ପର୍ଯ୍ୟନ୍ତ ବ୍ୟାପିବାର ଅଖଣ୍ଡ ପାଣ୍ଡିତ୍ୟ ସଂପାଦିଥାନ୍ତେ ତେବେ କହନ୍ତେ । ଏବେ ହେଲେ ପଦେ ପଦେ ମନୁଷ୍ୟ ଭାଷା ପରି ପ୍ରତୀତ ହୋଇ ଯାଉଥିବାର କଥା କହିବା ପରି ପରା ଶକ୍ତ ଅଛନ୍ତି । ଏପରି ଜ୍ଞାତସାରରେ ଅଛନ୍ତି, ବୃଦ୍ଧି ଅଛନ୍ତି । ଆପଣ ପୁଣି ଠିଆ ନୋହି ବସି ପ୍ରସା କରି ପାଣି ଘେନି ପକାଇଲେ ! ମହାରାଜା ତ ବ୍ରାହ୍ମଣ ଭକ୍ତ; ପ୍ରଭୁ, ସେ ତ ବ୍ରାହ୍ମଣ । ତାଙ୍କଠାରୁ କଉଡ଼ି ଜରିମାନା ଚାଙ୍ଗଡ଼ା ଘରକୁ ଆସିବ ନାହିଁ । ଆଜ୍ଞା ହେଲେ, ଶହେ ବିସା ସାବଳା ଶୁଖୁଆ ଜରିମାନା ଘେନାଇ ଠାକୁରଘରମାନଙ୍କୁ ଦିଆଇବାକୁ ପଡ଼ିବ । ଏଥି ଉତ୍ତାରୁ, ମହାରାଜ, ସମସ୍ତ ଗଡ଼ିଆ ଧାଙ୍ଗଡ଼ାମାନେ, ସମସ୍ତ ଚାଷର ରଇତମାନେ, ସିପାଇ ଭଲ ଭଲ ଲୋକେ, ଭାଇ ଦାଦିମାନେ ମଧ୍ୟ ଅନ୍ନବସ୍ତ୍ର ନ ମିଳିବାରୁ ଏବେ ରହି ନ ପାରନ୍ତି । ପାପଡ଼ା,ଚାକୁଣ୍ଡା,ସଲପ ଏପରି ମିଳୁଥିବା ସୁଭିକ୍ଷ ଜାଗାମାନଙ୍କୁ ଯାଇ ଜୀଇ ଘେନିବୁ ବୋଲି ଦୁଃଖ ଗୋଚର କରିବାରୁ ସମସ୍ତଙ୍କୁ ବାହା ଟେକି ଆଜ୍ଞା ହେଲେ, ରାଜ୍ୟ ବାହାର କରାଇ ଦେଲେ । ପ୍ରଭାତରୁ ଦେଶନ୍ୟାୟ ନିମିତ୍ତରେ ଯିବାକୁ ତୁଚ୍ଛା ମାଠିଆ, ଭାଲିଆ ପଲମ, ତଷୁ ଛେଲୁଆ, ତୈଳ କଳସୀ, ବାଳବିଧବା ସ୍ତ୍ରୀ,ନାଗସାପ,କପାମଞ୍ଜି,କଳାବିରାଡ଼ି ଏପରି ସମସ୍ତ ଅନୁକୂଳ-ସମ୍ଭାର ରଖି ଓଟକୁ ଜିନିସ ଦିଆଇବା ସମୟରେ ଆମ୍ଭ ତାଳୁକା କଳମ୍ୱମୁଠା ସମ୍ୱନ୍ଧ ଜନଶୂନ୍ୟପଡ଼ା ଗ୍ରାମରେ ଧାନୁଟା ଭିତରେ ଚାଉଳଟାଏ ବାହାରିବାର ମହାଉତ୍ପାତ ଖବର ଶୁଣି ପ୍ରୟାଣୋଦ୍ୟମ ମକୁବ କରାଇ ଫେରି ଶ୍ରୀଛାମୁକୁ ବାହାରି ଆସିଲି ।
ଏପରି ନିତ୍ୟନିତ୍ୟ ହକିକତ ଗୋଚର କରି ଦିବାନାଦି ମେଲାଣି ହୋଇ ବଣକୁ ଯିବା ଉତ୍ତାରୁ ଚାରିପାଖରେ ଚାରିଜଣ ଲମତା ରହି ବିପରୀତ ‘ରାମ’ ନାମ ଶୁଣାଉଥିବା ସମୟରେ ବହିର୍ବାସୀ ହେବା ପୁଳିନ୍ଦୀ ଦାସୀମାନେ ଆଣି ହାଜର କରିବାର ଦିବ୍ୟ ଶୁଦ୍ଧୋଦକରେ ଦେହପାଣି ବଢ଼ାଯାଏ ।
ଏମନ୍ତ ସମୟରେ ପ୍ରାଣାନ୍ତକ ବୈଦ୍ୟଚନ୍ଦ୍ର ଆସି ଶ୍ରୀହସ୍ତ ଦେଖି ଜଣାଇବାର କିପରିରେ ବୋଲନ୍ତେ—ମହାପ୍ରଭୁ, ବାତ କଫ ବିକାର ହୋଇ ଆଜ ଶ୍ରୀଅଙ୍ଗ ଉତ୍ତମ ସୁଖ ଅଛି । ଲେମ୍ୱୁରସ, କର୍ପୂର, ପଇଡ଼ପାଣି ମଣୋହି ହେବ । ସାୟଂକାଳ ସରିକି ମହାଦେଈଙ୍କ ଛାମୁରେ ଭେଟଆଜ୍ଞା ହେବ । ଏପରି ଜଣାଇ ପ୍ରାଣାନ୍ତକ ବୈଦ୍ୟଚନ୍ଦ୍ର ଭେଟି ଘେନି ମେଲାଣି ଦେଇକରି ଗଲା ଉତ୍ତାରୁ ଘୁମୁରା, ଚାଙ୍ଗୁ, ଢୋଲ, ଢୁମ୍ପା, ଢାମ୍ପ ଇତ୍ୟାଦି ମହାରାଜସଭା ସଞ୍ଚିତ ହେବାର ବାଦ୍ୟମାନ ବାଜିଲା । ଗାନ୍ଧର୍ବ ରାଜସଭା ପରି ସଙ୍ଗୀତ ପ୍ରବର୍ତ୍ତିଲା । ସେ ମହାରାଜା ତ ସଙ୍ଗୀତ ବିଦ୍ୟାରେ ପ୍ରବୀଣ; ସିତାର ଧରି ରାଜ୍ୟାନ୍ତରରୁ ଆସି ଛାମୁରେ ମୁଲାକାତ ହେବା ଶୁଣି କି ଆଜ୍ଞା କଲେ—ସିତାର ତ ଆଣିଛୁ ଚାମର ଆଣିନାହୁଁ କି ? ବୋଲି ପଚାରି ଆଜ୍ଞା କଲେ । ଏପରିରେ ସେ ରାଜଧାନୀରେ ସମସ୍ତ ଗୁଣ ସମ୍ପତ୍ତି ପୂରି ଅଛନ୍ତି । ଆହୁରି ଗୋଟିଏ ଗୁଣ ମାତ୍ରକ ଅଳ୍ପ ଅଛି; କେଉଁ ଗୁଣ କି ସେ—ରାଜା, ଦିବାନ, ରାଜଗୁରୁ, ପୁରୋହିତ, ଦଶ ସରଦାର, ପଟ୍ଟନାୟକମାନେ, ସହର କଟୁଆଳ, ଖନ୍ଦାବ୍ରାହ୍ମଣମାନେ, ଲମତାମାନେ, ଦତ୍ତପରୀଛା ଏମାନେ ଅଳ୍ପ କାଲା ।
ଏକ ଦିନକରେ ଏକା ପୁରୋହିତଙ୍କୁ ଛାଡ଼ି ସମସ୍ତେ ଥିବାରେ ଶ୍ରୀ ମହାରାଜଙ୍କ ଖରଶେଖର ବୋଲାଇବାର ଆଣ୍ଠୁଏ ଉଚ୍ଚ ଘୋଡ଼ା ଆଗପିଛା ଦଉଡ଼ି ଛିଣ୍ଡାଇ ବୋଡ଼ାସାପ ପରି ଜଲଦି ସେ ଘୋଡ଼ା ଫିଟି ପଶି ଖନ୍ଦା ମାରା କରିବାରୁ ଦଉଡ଼ି ପରୀଛା ପହଞ୍ଚି ପୁରୋହିତଙ୍କୁ ଧରି ପକାଇ ଖୁବୁ କରି ଟାଙ୍କେ ଛେଚି ଦେଲା । ପୁରୋହିତେ ଆସି ମହାରାଜାଙ୍କୁ ଆଜ୍ଞା କଲେ । ‘‘ମୋତେ ମନୁଷ୍ୟ ମାଇଲା’’ ବୋଲି ଫିରାଦ କରିବାରୁ, ରାଜଗୁରୁଙ୍କୁ ଚାହିଁ ପଚାରି ଆଜ୍ଞା କଲେ ‘‘ଗୋସାଇଁ ! ପୁରୋହିତେ କି କହୁ ଅଛନ୍ତି?’’

ରାଜଗୁରୁ ଜଣାଇଲେ, ‘‘ମହାରାଜ, ସ୍ମାର୍ତ୍ତ ବୈଷ୍ଣବ ଦୁଇ ପକ୍ଷରେ ନିଶାମଙ୍ଗଳବାର ରବିବାର ପରଦିନ ଶୁକ୍ରବାର ପୂର୍ବଦିନ ଦ୍ୱିବିଧ ହେଉଅଛି । ରବିବାର ବୈଷ୍ଣବମାନେ ପାଳିବେ, ଶୁକ୍ରବାର ସ୍ମାର୍ତ୍ତମାନେ ପାଳିବେ । ପୁରୋହିତେ ଜାଣନ୍ତି, ସ୍ମୃତି ଭଲ କରି ନ ବିଚାରି ଜଣାଇ ଅଛନ୍ତି । ମହାରାଜ ! ଅମୁକ ନାମା ସ୍ମୃତି ଉଚ୍ୟତେ—ମାରିଷ ବିଭିନ୍ନ ପାଳଙ୍ଗ ଭିନ୍ନତ୍ୱେ ସନ୍ତି କୋଶଳାର୍ଥା ନ ତିରନିର୍ଷା ତୋତଡ଼୍‌ତା ସମ୍ୱନ୍ଧାବଚ୍ଛିନ୍ନ ଗନ୍ଧାବଚ୍ଛିନ୍ନ ଗନ୍ଧସା ଜଳକତାଦଛେଦକତ୍ୱଂ ଶ୍ରୁତିତ୍ୱଂ । ଶ୍ରୁତିବଦର୍ଥ ସଜ୍ଞାନସ୍ୟ ଶ୍ରୁତିବତ୍ସଳ ଜ୍ଞାନସ୍ୟ ଚ । ଚମତ୍କୃତି ଜନକତୟା ଲେଉଟିଆ ବିଷ୍ଣୁ, ଚମତ୍କୃତି ଜନକତୟା କୋଶଳା ମାରିଷୟୋ ବିଷିୟତା ସମ୍ୱନ୍ଧେନାବଛେଦକତ୍ୱାତ୍‌ । ପାଳଙ୍ଗ ଗନ୍ଧଣା ଧାନ୍ୟଂ ତରକିଷ୍ଣାବଚ୍ଛେଦ ଜିତାୟୁ ସ୍ମୃତେ । ତପ୍ୟଦଳତ୍ୱା ଲକ୍ଷଣଂ ସମଂପନ୍ୟାୟଃ । ପାଳଙ୍ଗ ଭିନ୍ନତ୍ୱାନିବେଶଃ ପାଳଙ୍ଗବଦର୍ଥ । ଜ୍ଞାନସ୍ୟ ଚମତ୍କୃତି କନକ-ଜାବଚ୍ଛେଦକତ୍ୱାତ୍ତସ୍ୟା । ସୃତତ୍ୱା ନ ଭୂପଗମେନ ତତ୍ରତ୍ୟ ବ୍ୟାପ୍ତିଃ କାରଣାୟା ପାଳଙ୍ଗ ଭିନ୍ନତ୍ୱାନିବେଶଃ ମାରିଷ ବସୁତେରପି କୋଶଳା ପ୍ରଭେଦୟୋ କୋଶଳାବଲ୍ଲେଭଟିଆଃ । ଅବ୍ୟାନ୍ତି କାରଣାୟ ମାରିଷଃ ଭିନ୍ନତ୍ୱାନିବେଶଃ ମାରିଷ ବସ୍ତୁତେରପି କୋଶଳା ପ୍ରଭେଦୟୋ କୋଶଳାବଲ୍ଲେଭଟିଆଃ।’’
ଏପରି ମୁଖହସ୍ତାଭିନୟରୁ ରାଜଗୁରୁ କି କହୁ ଅଛନ୍ତି ବୋଲି ମହାରାଜା ଦେବାନଙ୍କୁ ପଚାରିବାରୁ ସେ ଜଣାଇଲେ ‘‘ମଣିମା ! ରାଜଗୁରୁ ଗୋସାଇଁଙ୍କର ସାତଶ ଊଣା ଅଢ଼ାଇଶ ଭରଣ ପର୍ବତ ଶିଖରେ ଦିବ୍ୟ ନଦୀତଟ ଭୂମି ଅଛି । ସାହାଡ଼ା, ବାହାଡ଼ା, ଭଇଁଚ, ରାହାଢ଼ି କୁରାଢ଼ିଭଙ୍ଗା, ବାବଲ, କରଞ୍ଜ, କୋଚିଲା ଇତ୍ୟାଦି ନାନା ପ୍ରକାର ଖନ୍ଦ ହୋଇଅଛି ।
ଖୁଲାସ ପନ୍ଦର ବଖରା ଡିହରୁ ପାଞ୍ଚ ବଖରା ଅଧକେ କୁଟୁମ୍ୱ ରଖି ବାକି ତେର ବଖରା ଦୁଇପା’ରେ ଦିବ୍ୟ ଦୁଦୁରା, ଓଡ଼ଶମାରି ବୁଣାଇ ଅଛନ୍ତି । ଏପରି ପନ୍ଦର ବଖରାକୁ ଏଥି ଉତ୍ତାରୁ  ଯେବେ କାର୍ଯ୍ୟ ନ ଚଳିଲା ବୋଲି ଜଣାଉ ଅଛନ୍ତି, ମହାରାଜା କଳ୍ପଦ୍ରୁମ ସାକ୍ଷାତ୍‌ ଆଖୁପର୍ବ ତ, ଆଉ ଦଶ ଗଛ ଦୁଦୁରାକୁ ମହାରାଜା ଆଜ୍ଞା କଲେ କିଏ ସେ ନାହିଁ କରିବ, ଏଥିକି ଯେ ରାଇ ।
ପ୍ରଧାନ ସରଦାର କାଞ୍ଜି ବୈରିଗଞ୍ଜନ । ସେ ଗୋଡ଼ ଯୋଡ଼ି ପିଠି ଆଡ଼ କରି ଜଣାଇଲେ । ‘‘ଦେଉ ! ଗଧପତି ! ଶ୍ରୀଛାମୁରେ ଯେ ପୁରୋହିତ ଜଣାଇ ଅବଧାନ କଲେ । କଟୁଆଳର ଟିଣା କଥା ସରଦାରମାନଙ୍କର ନ ଗଲା ବୋଲି, ମହାପ୍ରଭୁ, ଆମେ ବୋଲିବାର କଥା ଏତିକି – ହଇହୋ କଟୁଆଳ ! ଚଟିଆଟିଏ ମାରି ସରକାରଙ୍କୁ ଫଡ଼ିଆ ଦିଅ । ପାତ୍ରମାନଙ୍କର ପୁଡ଼ା ନ ପହୁଞ୍ଚିଲା । ଦଶ ଘରଯାକ ତିନିଦିନ ପର୍ଯ୍ୟନ୍ତ ମାଂସ ଖାଇ ପ୍ରିୟାପ୍ରୀତି ଘରମାନଙ୍କୁ ପଠିଆଇଲେ ବୋଲି ଧୋକା ହେବାକୁ ପାଇଲୁ । ଚାଳିଶ ତିରିଶ ବର୍ଷର ନିପଟ ପିଲାମାନେ ପ୍ରାଣ ମୂର୍ଚ୍ଛି କରି ବଡ଼ ଖରାରେ ତେଡ଼େ ଚଟିଆ ଲାଛି ଶଗଡ଼ରେ ପକାଇ ଆଣି ଛାମୁରେ ଦୃଶ୍ୟ କରାଇଲେ । କଟୁଆଳ ଖାମିନ୍ଦ ହୋଇ କରି ଯେ ଥିଲା, ଭଲା କିଛି ନୋହିଲେ ହେଲେ, ଲୁଗାପଟା ନ ମିଳିଲା ବୋଲି ଦିଗପଟା ଯେହେଲେ ଦିଆଇ ପାରିଲା ନାହିଁ ? ମହାପ୍ରଭୁ, ଏତିକି ବୋଲିବାରୁ ପାଏ ପଡ଼ି ଶୋଇ ଯେତେ ଫଜିତ କଲା ପୁରୋହିତ ଗୋସାଇଁ ଆସି ଆଦ୍ୟରୁ ଗୋଚର କରିଅଛନ୍ତି । ଆମେ ଆଉ ପାଦୁକାରେ କିସ ଗୋଚର କରିବୁ ?’’

ତହିଁରୁ ଲମତାମାନେ କି ଠଉରାଇଲେ କି, ଛାମୁ ଦିଗକୁ ଗୋଡ଼ ଯୋଡ଼ି ଓ ସାଷ୍ଟାଙ୍ଗ ହୋଇ ପାଏ ପଡ଼ି ଜଣାଇଲେ, ‘‘ମହାପ୍ରଭୁ ! ଏ କଥା ଯେବେ ସତ ତେବେ ନିୟମଟାଏ କରି ଆଜ୍ଞା ହୁଅନ୍ତୁ । ହାରି ଦେବା ଦିନ ଆମ୍ଭଙ୍କୁ ସଭା ବେହରଣରେ ଏକା ଜଗାଇ ଆଜ୍ଞା ହୁଅନ୍ତୁ । ପୁରାଣପଣ୍ଡା ଗୋସାଇଁ ତ ନିତି ବସୁ ଅଛନ୍ତି, ଆମର ଦିନେ । ହେଲେ ହେଲା, ତହିଁକି କି ହେଲା ? ସରଦାରମାନେ ବଡ଼ଲୋକଗୁଡ଼ାକ ହୋଇ ସେବା କଲା ଚାକର ଗୁଡ଼ାକ ନାମରେ ଉଡ଼ାଇ କରି ଏଡ଼େ କଥାଟାଏ କହିଲେ ! ଆଉ କାହିଁକି ପୃଥିବୀରେ ଅଗ୍ନି ବରଷିବ ? ମହାରାଜା ! ଲେଖାରେ ବଡ଼ ପରୀଛା ଆମ୍ଭର ଦାଦା ହେବେ ତାଙ୍କର ଆଈ ଆମ୍ଭର ଦଇବରେ ଶାଳୀ ହୁଅନ୍ତି । ତାଙ୍କୁ ଆମ୍ଭର ଟାପରା କି ରୁପରେ ହେଲେ । ମହାପ୍ରଭୁ ! ରତ୍ନକଠାଉ ତଳେ କହିଲେ କିପରି ? ଏକଦିନେ ଦଉଡ଼ି ପରୀଛାର ଝିଅଟା ପରା, ଆମ୍ଭର ବଡ଼ ବହୂ ହେବେ, ତାଙ୍କୁ ମାତ୍ର ଧରି ପାଞ୍ଚ କି ଏଗାର କ୍ଲୀବ ଜଳି ଆରପାଖକୁ ଚାକୁଣ୍ଡାବଣ ଭିତରକୁ ଯାଇଥିଲୁ ।’’
ଏଥିରୁ କି ଜାଣି ଖନ୍ଦା – ବ୍ରାହ୍ମଣ ଜଣାଇଲେ କି, ‘‘ଆଜ୍ଞା ! ଏ କଥା ସତ । ମୁଠା – ଚାମର, ଝରୀଚାଦର, ପାନଭାଙ୍ଗି ତବକ ଇତ୍ୟାଦି ସେବା ତ ଆମ୍ଭର ନିଯୋଗ । ଶ୍ରୀଦଦା ଦେଉ ମହାରାଜା ତ ମହା ବ୍ରାହ୍ମଣ୍ୟ ସାକ୍ଷାତ ହତଶ୍ରୀ ଥିଲେ । ପଇତା ଦେଖି ବିସୁଖ ପାଇବାରୁ ଏ ପାଞ୍ଚ ସେବା ଆମ୍ଭଙ୍କୁ ଅନୁଗ୍ରହ କରି – ଆଜ୍ଞା ହେଲେ ।’’
ଏଥିରୁ କି ଘେନି ଚିଆଉ-ପଟ୍ଟନାୟକ ଚଳି ଉଠି ଜଣାଇଲେ, ‘‘ମହାପ୍ରଭୁ ! ଚାଙ୍ଗଡ଼ାଘରେ କେହି ନ ଥିବା ସମୟରେ ମୁଁ ରଖିଥିବା ଲେଭଡ଼ୀ ଲୀଳାବତୀ ନିମନ୍ତେ ମାଗି ନେବାର ସାତ ହଜାର ବାହାରେ ଯେବେ ଦାଢ଼େ କଉଡ଼ି ଖାଇଥିବୁ ତେବେ ପଚାଶ ଲୋକରେ ଏକା ମୁଦୁଦି ବୋଲି ଫଜିତ କରି ଆଜ୍ଞା ହେବେ । ଚିତ୍ରଗୁପ୍ତ ପରି ସମର୍ଥ ଚାରୋଟି ପଟ୍ଟନାୟକ ଯାକ ରାତ୍ରଦିବସରେ ମିଶାଇବାରେ ପାଞ୍ଚତିରିକି ପଞ୍ଚାଣୋଇ ହେଲା ଯେ, ମହାରାଜ, ଆଉ ହୁଡ଼ କି ରୂପେ ହେଲା ? ’’

ଏମନ୍ତ ସମୟରେ ତଡ଼ାଉ ଦେଶରୁ ସାରଙ୍ଗ ଯନ୍ତ୍ରଟିଏ ଘେନି ଶ୍ରୀବୈଷ୍ଣବ ଷଷ୍ଠଦୈତ୍ୟ ଚ୍ୟାପଲ ଗନ୍ଧର୍ବରାଇଲୁ ବୋଲି ଏକ ସଙ୍ଗୀତ ପ୍ରବୀଣ ଆସି ମାର୍ଗଜ୍ଞାନ ଭାବରୁ ବଣା ହୋଇ ସେ ସ୍ଥଳେ ପ୍ରବେଶ ହୋଇ ରାଜାଙ୍କ ଛାମୁରେ ମୁଲାକାତ କରି ଯନ୍ତ୍ର ତାରରେ ଧନୁରାକାର କରଦଣ୍ଡ ଚଳାଇବାକୁ ଆରମ୍ଭିବାର ଦେଖି ରାଜା ହୁରିଆକୁ ଆଜ୍ଞା କଲେ,
‘‘ପରିବା ବଡ଼ ପାକଳ ହୋଇଅଛି ଏଥିରେ କଟାଯିବ ନାହିଁ । ସରକାରରୁ ପନିକି ଆଣି ଦିଅ’’ ବୋଲିବାରୁ, ଏହା କିପରି ସେ ଗୁଣୀ ଜାଣି ଜଣାଇଲା, ‘‘ମହାପ୍ରଭୁ, ସଙ୍ଗୀତାନିକି ବହୁତ ପରିସ୍ତୁନ୍ଦି । ସାରଙ୍ଗ ଯନ୍ତ୍ର ଅନେକ ଲିବିକାୟା ଗାତୁଣ୍ଡ।’’ ତହିଁକି ରାଜା ଆଜ୍ଞା କଲେ ‘‘ଆମ୍ଭର ଖନ୍ଦାରେ ଆମ୍ୱିଳ ପଡ଼ୁନାହିଁ । ଭଜା, ସନ୍ତୋଳା, ରାଇ, ମହୁର, ଏପରି ତିଅଣ । ଏହା ପରିବା ହୋଇଥିଲେ ଆମ୍ଭର ଘୋଡ଼ାଦାନା ଖନ୍ଦା କରିବାର ସୁଆରଶେଖରକୁ ବଢ଼ାଇ ଦିଅ।’’
ଏମନ୍ତ ସମୟରେ ବର୍ଣ୍ଣବୈରି କପିରାଜ ଗୋସାଇଁ ଆସି ଆଶିର୍ବାଦ କରି ଶ୍ରୀ ମହାରାଜା କୀର୍ତ୍ତିପ୍ରତାପ ପ୍ରଶଂସାରେ କଳ୍ପନା କରିଥିବାର କବିତା ଶୁଣାଇଲେ । କିପରିରେ କି;--
କୀର୍ତ୍ତି ଧନାସିଝା-ହାଣ୍ଡି ମଣ୍ଡଳା ଭୂମି ମଣ୍ଡନ
ପ୍ରତାପ ଅସ୍ତଚନ୍ଦୁ ପରି ଚୋବାଉଛି ଚିମୁଟି ଚିମୁଟି
ଏପରି ଶ୍ରୀଛାମୁରେ ଅନ୍ନ ନିମନ୍ତେ ପେଟ ଦେଖାଇ କହି,
ଆନ୍ନଂ ତାନେକୁ ଲେଦୁ
ଖରଚକୁ ନ ମିଳିଲେ ୱହି ବାମା କ୍ୟା କରୁଙ୍ଗା । ଏ ଶ୍ଲୋକାର୍ଥ କହିବା ସମୟରେ ସନ୍ତୋଷ ହୋଇ ପଚାରି-ଆଜ୍ଞା କଲେ, ‘‘ଗୋସାଇଁ, ଆଉ ପ୍ରାକୃତରେ ଚଉପଦୀ ହେରିକା ବୋଲା ଯାଇଅଛି କି ?’’

କପିରାଜ ଜଣାଇଲେ, ‘‘ମଣିମା ! ଲଙ୍କାମରିଚ ରାଗ, କଳାହାଣ୍ଡିଆ ତାଳ, ପିଲାମାନଙ୍କର ମାଆ ନ ଥାଇ ଲୟେ, କଳ୍ପ-ପ୍ରେମାଳଙ୍କାରରେ ଦତ୍ତ ସରସ ଚଉପଦୀ ବୋଲା ଯାଉଅଛି । ଦିବ୍ୟ ଚିତ୍ତକୁ ଆସୁ । ନାକରେ ସାବଧାନ ହୋଇ ଶୁଣିବାକୁ ଆଜ୍ଞା ହୁଅନ୍ତୁ ।’’
ଗୀତ;--
ଚ ଚ ଚ  ଉ ଉ ଉ ପ ପ ପ ଦୀ ଦୀ ଦୀ ଗୀ ଗୀ ଗୀ ତ ତ ତ
ହେଲାରେ, ଛ ଲାତ ଯୋଗ୍ୟ ହେଲା ରେ,
ନରପାଳ ଭଲ୍ଲାତକର୍ଣ୍ଣ ଭଣିଲେ ରେ ॥
ଏପରି ଗନ୍ଧର୍ବ ଯଶକାରୀ ପ୍ରତୀତ କରାଇବାର ସଙ୍ଗୀତ ସମାପ୍ତ ହେଲା । ତଡ଼ାଉ ଦେଶର ଗୁଣୀକି, କପିରାଜକୁ ମଧ୍ୟ, ମୂନ ଥିବାର ସହସ୍ରେ ଷୋଳ ଲେଖାରେ ସୁନିଆ ଲଛା; ମୂନ ଥିବାର ମୁକୁତା ବହୁମାନ ଦିଆଗଲା । ଚୁପ୍‌ ଚୁପ୍‌ କରି ଚୋପଦାର ଡାକିଲା, ଧାଙ୍ଗଡ଼ୀ ପଟୁଆର ହେଲା । ବେହରଣ ବରଖାସ୍ତ ହେଲା ମଥାରେ ମହାରାଜା ଉଭା ହେଲେ । ରାଜଗୁର୍ବାଦି ସମସ୍ତେ ମେଲାଣି ଦେଲେ । ମଥାରେ ତେଲ ଲଗାଇ ଶ୍ରୀ ମହାରାଜା ଅନ୍ତଃପୁରାଭିମୁଖ ହୋଇ ବିଜେ କଲା ସମୟରେ ପ୍ରଥମ ଦ୍ୱାରୁ ଦିବାନାଦି, ଦ୍ୱିତୀୟ ଦ୍ୱାରୁ ଭାଇଦାଦିମାନେ, ତୃତୀୟ ଦ୍ୱାରୁ ସିପାଇ ଭଲଲୋକେ ଚତୁର୍ଥ ଦ୍ୱାରୁ ନିଯୋଗ ଭଲଲୋକେ, ଭିତର ଦ୍ୱାରୁ ତୁଡ଼ୁକ ସିପାଇମାନେ ଜୂହାର ହୋଇଗଲେ । ଅନ୍ତଃପୁରରେ ବିଜେ ହେଲେ । ପୂର୍ବାହ୍‌ଣ ପ୍ରକାରରେ ମଣୋହି ବଢ଼ାଇ ପଟ୍ଟଦେବୀ ସାମନ୍ତାଣୀଙ୍କ ଅନ୍ତଃପୁରରେ ପହୁଡ଼ ହେଲା ।
ଶ୍ରୀ ଦ୍ୱୈତ ବିଦ୍ୟାବତାର ତୀର୍ଥଭୂତ ଧ୍ୱଜାତ୍ୱପୁତ
କୃତ ଚାର୍ବାକ ଗର୍ବ-ପର୍ବତ ଧ୍ୱଂସ ଦମ୍ଭୋଳି
ପାଷାଣ୍ଡମଣ୍ଡଳ ମଣ୍ଡଳାନ୍ଧକାର ପର୍ବ-ଶର୍ବରୀଶ
ବୀର ଶ୍ରୀ କୃଷ୍ଣ ଚୈତନ୍ୟଚନ୍ଦ୍ର ଗୁରୁ ଚରଣାରବିନ୍ଦ
ନିଃସ୍ୟନ୍ଦମାନାମନ୍ଦ ମକରନ୍ଦ ବିନ୍ଦୁ ସନ୍ଦୋହ
ଚତୁରକ୍ତେ ଚୂଡ଼ାଳିକାରଣଂ ବାବହବହଳ ।
ବହ୍ୱନାଶ ସୁଧା ଧବଳିତ ବର୍ଗ ପ୍ରସାଦ
ସଙ୍ଗୀତ-ସାହିତ୍ୟ-ରତ୍ନାକର କରୁଣାନିଧାନ
ଧାରଣବିହୀନ ବଦାନ୍ୟ ଗୁଣ ସମ୍ୱର୍ଦ୍ଧି ମୂର୍ଦ୍ଧନ୍ୟ ।
ଚଣ୍ଡୀମଣ୍ଡିତରାତି ରାଜବ୍ରଜାଷ୍ଟ ପୂର୍ବରାଷ୍ଟାଧିନାଥ
ଶରଣପଞ୍ଜର ମାନଉଦ୍ଧାରଣ ରମଣୀ ରଣରଣରଣ ରଣରଙ୍କ
ପତ୍ରାମରମ ପୁରୁଷା ପୁରଃସର ଶ୍ରୀ ବାଲୁଙ୍କେଶ୍ୱର ଶରଣ
ହରିଚନ୍ଦନ ଶ୍ରୀ ଜଗଦ୍ଦେବ ମହୀମହେନ୍ଦ୍ର ଦେବକେଶ୍ୱରାବଶର
କଲ୍ୟତୋ ହାସ୍ୟକଲ୍ଲୋଳମ୍‌ । ୯ ।

© କବିସୂର୍ଯ୍ୟ ବଳଦେବ ରଥ

Thursday, November 10, 2022

ସମର୍ପଣ (topic - 123 ) quote #quot


ମାଟିର ମଣିଷ ମୁଁ ପରା କୁମ୍ଭାର
  ମାଟି ଅଟେ ମୋ ଜୀବନ 
ମାଟିକୁ ଚକଟି ଗଢ଼ିଛି ମାଠିଆ
   ମାଟିକୁ କରି ଯତନ 
ମାଟିରୁ ଜୀବିକା ନିର୍ବାହ କରୁଛି
   ମାଟି ଅମୂଲ୍ଯ ରତନ 
ମାଟି ପାତ୍ର ଆଜି ଅଲୋଡ଼ା ପଦାର୍ଥ
   ମାଟିକୁ ନ'କର ହୀନ .....
        ‐  ରାଧା କୃଷ୍ଣ ବାୟକ

ମାଟିରେ ଜୀବନ ମାଟିରେ ମରଣ 
     ମାଟି ପରା ଆମ ମାଆ 
ଜୀବନ୍ତ କରଇ ଯେଉଁ ନର ତାକୁ 
     କୁମ୍ଭାର ତାହାର ନାଆଁ
ଗଢଇ ପଲମ ଖେଳନା କଣ୍ଢେଇ
    ନାନା ଜାତି ମାଟି ପାତ୍ର 
ଖୁସିରେ ତାହାର ପରିବାର ପୋଷେ 
      ସେହୁ ପରା ମାଟି ପୁତ୍ର ......
             - ଟୁକୁନା ସାହୁ

କର୍ମ ଗୁଣେ ଗଢ଼ା ନାନା ଜାତି ମାନ 
 ତନ୍ମଧ୍ୟରେ ଅଛି ଜାତି କୁମ୍ଭାର
ଜୀବନ ଚର୍ଯ୍ୟାର ଆବଶ୍ୟକ ଚିଜ 
 ଗଢ଼ିଥାଏ ସିଏ କେତେ ସୁନ୍ଦର   
ମାଟି ସାଥେ ମାଟି ପରି ଲାଗିଥାଏ 
  ଶ୍ରମକୁ ନଥାଏ ଟିକେ ଖାତର 
ଜଗତନାଥଙ୍କ ପାଇଁକି କୁଡୁଆ 
  ଗଢ଼ିକି ଧନ୍ୟ ଜୀବନ ତାର .....
         - ସନ୍ତୋଷ ପଟ୍ଟନାୟକ

ସକାଳରୁ ସଞ୍ଜ ମାଟି ବାସନାରେ
   ଘର ଯା'ର ବାସୁ ଥାଏ
ମାଟି କାଦୁଅରେ ତା' ଜୀବନ ଗଢ଼ା
    ସେ ପରା କୁମ୍ଭାରଟିଏ 
ମାଟିରେ ଜନମ ମାଟିରେ ମରଣ
    ମାଟିର ସେ କାରିଗର
ମମତା ଛୁଆଁରେ ମାଟିକୁ ଚକଟି
      ଯତନେ ଗଢ଼େ କୁମ୍ଭାର .....
         - ରାମ ଚନ୍ଦ୍ର ପ୍ରଧାନ

ମାଟି ମୂଲକର ଶ୍ରେଷ୍ଠ ସୂତ୍ରଧର
     ମାପଚୁପ ମୁଲଚାଲ
କରଇ ଜୀବନ୍ତ ସାଧନା ସ୍ୱତନ୍ତ୍ର
       ଅବନେ ଅମୁଲ ମୂଲ
କଠିନ ତା ଶ୍ରମ କୁମ୍ଭାରର କର୍ମ
       ପେଶା ନିଶା ପୃଥି ପରେ
 ପାରିଲା ପଣର ହୄଦୟ ତାହାର
         ନମେ ଅନନ୍ତ ଅନ୍ତରେ.....
                 - ଦାଶରଥି ସାହୁ

ଯା ହାତ ପରଶେ ମାଟି ପୁଣି ହସେ 
     ନାଆ ତାର କୁମ୍ଭକାର
ମାଟି ପାତ୍ର ଠାରୁ  ଦିଅଁ ଦେବତାଙ୍କୁ 
     ମାଟିରେ ଦିଏ ଆକାର  
 ଆଧୁନିକ ଯୁଗେ ବିପର୍ଯୟ ପଥେ
       ଏଇ ଶିଳ୍ପୀ କାରିଗର
ବିଲୁପ୍ତ ଦ୍ୱାରରେ କୁମ୍ଭକାର କଳା 
      ବୃତ୍ତିରେ ଆସୁ ସୁଧାର .....
               - ପ୍ରବୀର ମଲ୍ଲିକ

ମାଟି ମହକକୁ ମଣେ ଯେ ଅତର
     ମାଟିକୁ ମଣଇ ଫୁଲ
ମାଟିକୁ ଚକଟି ଲଗାଇ ଶକତି
   ପାଉଥାଏ ସିଏ ମୂଲ
ହାଣ୍ତି,କୁମ୍ଭ,ସରା,ମାଟିଦୀପ, ଗରା
    ଗଢଇ ଭଳିକି ଭଳି
ସେ ଅଟେ କୁମ୍ଭାର  ପୋଷେ ପରିବାର
    ନିଆଁ ଧାସେ ଜଳି ଜଳି .....
               - ରବିନ୍ଦ୍ର ସାହୁ

ମାଟିକୁ ଚକଟି କେତେ ଯତନରେ
         ଦିଅଇ ତାକୁ ଆକାର
ସଂସାର ମଧ୍ଯରେ   ଭିନ୍ନ ଏକ ଜାତି
        ନାମଟି ତାର କୁମ୍ଭାର
ସଂସାର ମଧ୍ଯରେ  ତାର ଅବଦାନ
         ଅଟଇ କେତେ ମହାନ
ଶୁଭ-ଅଶୁଭରେ  ଲୋଡା ପଡିଥାଏ
         ତାର କୁମ୍ଭ ସରା ମାନ ......
                   - ଜଗବନ୍ଧୁ ସାହୁ 

ଚାମଚ଼ା

#ଚାମଚ଼ା ଅଷ୍ଟାଦଶ ଶତାବ୍ଦୀର ମଧ୍ୟଭାଗରେ ବଙ୍ଗଳାର ସମୃଦ୍ଧ ସିଂହାସନ ଉପରେ ଯେତେବେଳେ ଯୁବ ନବାବ ସିରାଜ-ଉଦ୍-ଦୌଲା ଅଧିଷ୍ଠିତ ଥିଲେ, ସେତେବ...